Unknown

 

 

 

 

 

 

 

 

 

ସ୍ୱପ୍ନ ସଙ୍ଗିନୀ

ଅନୁବାଦକ

ଶ୍ରୀ ଉମାଶଙ୍କର ପଣ୍ଡା

 

 

 

 

 

 

ସ୍ୱପ୍ନ ସଙ୍ଗିନୀ

(‘‘A GHOST AT NOON’’ର ଅନୁବାଦ)

ଆଲବେର୍ଟୋ ମୋରାଭିଆ

ଅନୁବାଦକ

ଶ୍ରୀ ଉମା ଶଙ୍କର ପଣ୍ଡା

 

 

 

 

 

 

 

 

 

 

ମୋର ସ୍ୱର୍ଗୀୟ ପିତୃଦେବ ‘‘ପୀତାମ୍ୱର ପଣ୍ଡା’’ଙ୍କର ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ।

 

ଉମା ଶଙ୍କର

 

ଲେଖା ଓ ଲେଖକ–

 

୧୯୦୭ ମସିହାର ଏକ ସୁବର୍ଣ୍ଣ ସକାଳରେ ଇଟାଲିର ରୋମ ନଗରୀରେ ଏ ଯୁଗର ଶ୍ରେଷ୍ଠ କଥାଶିଳ୍ପୀ ଆଲବେର୍ଟୋ ମୋରାଭିଆ ଜନ୍ମ ଗ୍ରହଣ କରିଥିଲେ । ତାଙ୍କରି ଲେଖନୀ ନିସୃତ Woman of Rome A Ghost at noon, Conjugal love, Two women Bitter Honeymoon, Wayward Wife. ପ୍ରଭୃତି ରଚନା ଅଜସ୍ର ପାଠକର ଅକୁଣ୍ଠ ପ୍ରଶଂସା ଓ ଆଦର ଲାଭକରିଛି । ସମସାମୟିକ ଯୁଗର ଶ୍ରେଷ୍ଠ ଲିପିକାର ଭାବରେ ସେ ଆଜି ପୃଥିବୀର ସର୍ବତ୍ର ଅଭିନନ୍ଦିତ ।

 

ପ୍ରଧାନତଃ ରୋମନଗରୀର ଜୀବନ ଚିତ୍ର ହିଁ ମୋରାଭିଆଙ୍କର ରଚନାର ଉପଜୀବ୍ୟ, ଯୌବନର ଦ୍ୱନ୍ଦ ଓ ଆଶାନିରାଶା, ରୂପାଜୀବାର ପ୍ରେମ, ଦାମ୍ପତ୍ୟ ଜୀବନର ବିରୋଧ ଓ ଜୀବନ ସଂଗ୍ରାମରେ ପରାଜିତ ବ୍ୟର୍ଥ ସାହିତ୍ୟିକ ମର୍ମବେଦନାର ଚିତ୍ର ସେ ରୂପ ଦେଇଛନ୍ତି ତାଙ୍କର ନିପୁଣ ତୁଳିକାରେ । ତାଙ୍କର ବାସ୍ତବମୁଖି କାହାଣୀ ଭିତରେ ଅନ୍ତସଲୀଳା ଫଲ୍‌ଗୁ ଭଳି ବହି ଯାଇଛି ସବୁଦେଶ ଆଉ ସବୁକାଳର ମଣିଷ ମନର ଗୋପନ କଥା ତେଣୁ ସହଜରେ ମୋରାଭିଆଙ୍କ ରଚନା ଚିତ୍ତଜୟ କରିବାରେ ସମର୍ଥ । ଏହା ବ୍ୟତୀତ ରଚନାର ବଳିଷ୍ଠତା ସାବଲୀଳତା ଓ ସାରଲ୍ୟ କଳ୍ପନା ବିଳାସ, ଅପୂର୍ବ ସୃଜନଶକ୍ତି, ଅନୁପମ ପ୍ରକାଶଭଙ୍ଗୀ ଓ ସରସ ବିଶ୍ଳେଷଣ ମୋରାଭିଆଙ୍କର ସମଗ୍ର ସୃଷ୍ଟିକୁ ଆକର୍ଷଣୀୟ କରି ତୋଳିଛି । ତୁଚ୍ଛ ଘଟଣାକୁ କେନ୍ଦ୍ର କରି ରସଘନ ସାହିତ୍ୟ–ସୃଷ୍ଟି, ଜୀବନର ସତ୍ୟକୁ ପ୍ରତିଷ୍ଠା କରିବାପାଇଁ ଅକାଟ୍ୟ ଯୁକ୍ତି ଉତ୍‌ଥାପନ କରିବାରେ କେବଳ ତାଙ୍କର ବଳିଷ୍ଠ ଲେଖନୀ ସମର୍ଥ । ମୋରାଭିଆଙ୍କ ରଚନାରେ ମିଳେ ଗୋଟାଏ ଅନାବିଷ୍କୃତ ଆନନ୍ଦାଲୋକର ସନ୍ଧାନ । ଅ–ଦୃଷ୍ଟ ଓ ଅନନୁଭୂତପୂର୍ବ ଅଥଚ ସମ୍ଭାବ୍ୟ ଜୀବନର ଅବିସ୍ମରଣୀୟ, ହୃଦୟଗ୍ରାହୀ କାହାଣୀ ଶୁଣାଇବାରେ ସେ ସିଦ୍ଧହସ୍ତ । ବିଭିନ୍ନ ଚରିତ୍ର ଓ ମଣିଷ ମନର ଅର୍ନ୍ତଦ୍ୱନ୍ଦ ଏକ ବିଶେଷ ଭଙ୍ଗୀରେ ତାଙ୍କର ଲେଖନୀରେ ରୂପାୟିତ । ତାଙ୍କର ରଚନା ବାସ୍ତବ ଆଉ ଅବାସ୍ତବ, ସ୍ୱପ୍ନ ଆଉ ଜୀବନ ଭିତରେ ନିର୍ମାଣ କରି ତୋଳେ ଏକ ବିଚିତ୍ର ସେତୁ । ଲେଖନୀର ଯାଦୁ ସ୍ପର୍ଶରେ ଅପରୂପ ହୋଇଉଠେ ବାସ୍ତବ ଜୀବନର ଆଲେଖ୍ୟ ।

 

‘A GHOST AT NOON’ ମୋରାଭିଆଙ୍କର ଏକ ବିସ୍ମୟକର ଶିଳ୍ପକୀର୍ତ୍ତି । ଏହା କେବଳ କଳ୍ପନା ବା କାହାଣୀ ନୁହେଁ, ଏଥିରେ ରହିଛି ରୁଢ଼ ସତ୍ୟର ସୁସ୍ପଷ୍ଟ ସ୍ୱାକ୍ଷର । କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଅସନ୍ତୋଷ ଓ ସନ୍ଦେହର ବୀଜ ବିଶାଳ ମହିରୁହରେ ପରିଣତ ହୋଇ ମଧୁର ଦାମ୍ପତ୍ୟ ଜୀବନରୁ ଶୋଷିନିଏ ପ୍ରେମର ରସ । ଅମୃତର ପାତ୍ରକୁ ପରିଣତ କରେ ହଳାହଳରେ । ବନ୍ଧନହୀନ ଦୁଇଟି ଜୀବନର ଉଜ୍ଜ୍ୱଳ ସମ୍ଭାବନାକୁ ସମୂଳେ ନଷ୍ଟ କରି ମନର ଶୁଭ୍ର ଆକାଶ ଉପରେ ଢାଳିଦିଏ କୃଷ୍ଣ ଅନ୍ଧକାରର ଯବନିକା ।

 

ଚିତ୍ର ନାଟ୍ୟକାର ମଲଟେନି ଆଉ ତାର ପରିଣିତା ସ୍ତ୍ରୀ ଏମିଲିୟାର ମୁଗ୍‌ଧମଧୁର, ପ୍ରଣୟବିଧୁର ଜୀବନରେ ଭୀମପୁଚ୍ଛ ବିସ୍ତାର କରି ଉଲ୍‌କା ଭଳି ଦେଖାଦିଅନ୍ତି ଚିତ୍ରନିର୍ମାତା ଇନ୍ଦ୍ରିୟପରାୟଣ ବାତ୍ତିସତା । ଅଭାବ ଅନଟନ ଭିତରେ ଯେଉଁ ଜୀବନ ନିରାପଦ ନିଜସ୍ୱ ବୋଲି ମଲଟେନିର ମନେ ହୋଇଥିଲା ସେ ଖୋଜି ବୁଲେ ଏକ ଅମୂଳକ ସନ୍ଦେହର ଉତ୍ତର, ତାପରେ ମନରେ ଉଦୟ ହୁଏ ପ୍ରତିହିଂସାର ବାସନା ।

 

ମନସ୍ତାତ୍ତ୍ୱିକ ଚିତ୍ର ନିର୍ମାତା ରେନ୍‌ଗୋଲଡ୍‍ଙ୍କ ସହିତ ଓଡ଼ିସିର ଚିତ୍ର ଗ୍ରହଣ ପରିକଳ୍ପନା, ଇଉଲିସିସ ଓ ପେନିଲୋପର ଦାମ୍ପତ୍ୟ ଜୀବନ ସମ୍ପର୍କରେ ବିଭିନ୍ନ ଅଭିମତ ଆଲୋକପାତ କରେ ମଲଟେନି ଆଉ ଏମିଲିୟାର ଜୀବନ ଉପରେ । ଉପନ୍ୟାସଟିର ମନସ୍ତତ୍ତ୍ୱ ବିଶ୍ଳେଷଣ ମୁଖ୍ୟ । ନାରୀ ଓ ପୁରୁଷ ସ୍ୱାମୀ ସ୍ତ୍ରୀ ଭାବରେ ପରସ୍ପରକୁ ଆପଣାର ସର୍ବସ୍ୱ ଦେଇ ଭଲ ପାଆନ୍ତି । ଏକ ସୁଖର ନୀଡ଼ ରଚନା କରିବାରେ ପ୍ରୟାସ କରନ୍ତି କିନ୍ତୁ ସେ କଣ ସଫଳ ହୁଏ ? ଏହି ବିରାଟ ପ୍ରଶ୍ନ ରୂପାୟନ କରିଛନ୍ତି ଲେଖକ ବିଭିନ୍ନ ଚରିତ୍ର ମାଧ୍ୟମରେ । ମଲଟେନି ଆଉ ଏମିଲିୟା ବୋଧହୁଏ ମୋରାଭିଆଙ୍କର କଳ୍ପଲୋକର ସକଳ ସ୍ତ୍ରୀ ଓ ପୁରୁଷ ଭିତରେ ସର୍ବୋତ୍ତମ ।

 

ରୋମ ନଗରୀର ମଧ୍ୟବିତ୍ତ ନାଗରିକର ଜୀବନାଲେଖ୍ୟ ରହିଛି ଏହି ଉପନ୍ୟାସଟି ଭିତରେ । ସ୍ୱାମୀଗତପ୍ରାଣା ଏମିଲିୟା ପରିସ୍ଥିତିର ଚାପାରେ ଦେହଦାନ କରିବାର ପ୍ରୟାସ ଏଡ଼ାଇ ପାରିନି ଚିତ୍ରନିର୍ମାତା ବାତ୍ତିସତାଙ୍କ ପାଖରେ । ବାତ୍ତିସତା ସୁଯୋଗର ସଦ୍‌ବ୍ୟବହାର କରିବାରେ ପଶ୍ଚାଦ୍‌ପଦ ହୋଇନାହାନ୍ତି ।

★★★

 

ମୋ ନିଜ କଥା–

 

ଏ ଯୁଗ ଶ୍ରେଷ୍ଠ କଥା ସାହିତ୍ୟିକମାନଙ୍କ ମଧ୍ୟରେ ଆଲବେର୍ଟୋ ମୋରାଭିଆ ସର୍ବାଧିକ ଜନପ୍ରିୟ । ମଣିଷ ମନର ଗୋପନ କଥାଟିକି ପ୍ରକାଶ କରିବାରେ ଯେଉଁ ନିର୍ଭୀକତା ଲୋଡ଼ା ତାହା ମୋରାଭିଆଙ୍କ ବ୍ୟତୀତ ଅନ୍ୟାନ୍ୟ ସମସାମୟିକ ଲେଖକ ମାନଙ୍କ ପାଖରେ ଦୁର୍ଲଭ । ଓଡ଼ିଆ ସାହିତ୍ୟରେ ଏ ଯାବତ୍‌ ଅନୁଦିତ ଗଳ୍ପ ବା ଉପନ୍ୟାସ ସଂଖ୍ୟା ସୁପ୍ରଚୁର ନୁହେଁ । ତେଣୁ ମୋତେ ଯେଉଁ ଗଳ୍ପ ବା ଉପନ୍ୟାସ ଗୁଡ଼ିକ ଭଲ ଲାଗିଛି ଅବସର ସମୟରେ ତାର ଅନୁବାଦ କରିବାର ପ୍ରୟାସ କରିଛି । ‘ସ୍ୱପ୍ନସଙ୍ଗିନୀ’ ସେହି ପ୍ରୟାସର ଏକ ସାମୟିକ କୃତି । ଓଡ଼ିଶାର ସର୍ବୋଚ୍ଚ ସାହିତ୍ୟସଂସ୍ଥା ‘ଓଡ଼ିଆ ସାହିତ୍ୟ ଏକାଡେମୀ’ର ପ୍ରଚେଷ୍ଟା ଏ ଦିଗରେ ଅତି କ୍ଷୀଣ କିନ୍ତୁ ମନେ ରଖିବାକୁ ପଡ଼ିବ ଯେ ଅନୁବାଦ ବିନା କୌଣସି ପ୍ରାନ୍ତୀୟ ସାହିତ୍ୟ ପୂର୍ଣ୍ଣାଙ୍ଗ ନୁହେଁ ।

 

ମୋରାଭିଆଙ୍କ ଏହି ବହି ଖଣ୍ଡିକ ଅନୁବାଦ କରିବା ପଛରେ ଦୁଇଟି କାରଣ ରହିଛି । ପ୍ରଥମତଃ ମୋର ଅଗଣିତ କରିବା । ଦ୍ୱିତୀୟ କାରଣ ମୋରାଭିଆଙ୍କ ଉପନ୍ୟାସ ଓ ଗଳ୍ପର ଜନ ପ୍ରିୟତା ।

 

ମୋରାଭିଆ ଏ ଶତକର ବହୁ ଆଦୃତ କଥାକାର ଏବଂ ତାଙ୍କର ପ୍ରତ୍ୟେକ ପୁସ୍ତକ ବହୁ ସଂଖ୍ୟାରେ ପଠିତ ଏଥିରେ ଦ୍ୱିରୁକ୍ତି ନାହିଁ । ଯେଉଁମାନେ ଇଂରାଜୀ ଜାଣନ୍ତି ସେମାନେ ନିଶ୍ଚୟ ମୋରାଭିଆଙ୍କୁ ଜାଣନ୍ତି । ଇଂରାଜୀ ସହିତ ପରିଚୟ ନ ଥିବା ବହୁ ଉତ୍ସାହୀ ପାଠକ ଆଜି ମୋରାଭିଆଙ୍କ ଅମୂଲ୍ୟ ପ୍ରତିଭାର ଗୁଣ ଗ୍ରହଣ କରିବାରୁ ବଞ୍ଚିତ । ଏହି ଓଡ଼ିଆ ଅନୁବାଦ ସେହିମାନଙ୍କ ପାଇଁ ଉଦ୍ଧିଷ୍ଟ । ଯେଉଁ ବନ୍ଧୁଗଣ ମୋତେ ଏ ଦିଗରେ ଉତ୍ସାହିତ କରିଛନ୍ତି, ସାହାଯ୍ୟ କରିଛନ୍ତି ସେମାନଙ୍କ ପାଖରେ ମୁଁ ଚିର ଋଣୀ ।

 

ପୁସ୍ତକଟି ପ୍ରକାଶ ପାଇଁ ସମ୍ୱଲପୁର ସାରସ୍ୱତ ପୁସ୍ତକ ଭଣ୍ଡାରର ସତ୍ତ୍ୱାଧିକାରୀ ମୋର ବନ୍ଧୁ ଶ୍ରୀ ନିର୍ମଳଚନ୍ଦ୍ର ପାଢ଼ୀ ଆକୁଣ୍ଠ ଚିତ୍ତରେ ଗ୍ରହଣ କରିଥିବାରୁ ଓ ଶିଳ୍ପୀ ବନ୍ଧୁ ଶ୍ରୀ ଭୋଳାନାଥ ନାୟକ ପ୍ରଚ୍ଛଦଟି ଅଙ୍କନ କରି ଦେଇ ଥିବାରୁ ସେମାନଙ୍କ ପାଖରେ କୃତଜ୍ଞତା ପ୍ରକାଶ ନ କରି ରହି ପାରୁନାହିଁ ।

 

ଓଡ଼ିଶାର ବହୁ ପାଠକ ପାଠିକାମାନଙ୍କ ସଦୟ ସ୍ନେହ ଓ ସହାନୁଭୂତି ମୋର ଏହି କ୍ଷୁଦ୍ର ପ୍ରଚେଷ୍ଟାର ପାଥେୟ ହୋଇ ରହୁ ଏହାହିଁ କାମନା ।

 

ରେଙ୍ଗାଲି

ବିନୀତ

ବସନ୍ତ ପଞ୍ଚମୀ

ଉମାଶଙ୍କର ପଣ୍ଡା

୧୯୬୨

 

★★★

 

କେତେ ଅନାବିଳ ତୃପ୍ତିରେ କଟି ନ ଥିଲା ଆମରି ଦାମ୍ପତ୍ୟ ଜୀବନର ପ୍ରଥମ ଦୁଇଟି ବସନ୍ତ; ସୁରଭିତ ପ୍ରଣୟ ବିଧୁର ଦୁଇଟି ବର୍ଷ—ଯେମିତି ଚଳଚଞ୍ଚଳ ଦୁଇଟି ମୁହୂର୍ତ୍ତ । ଗନ୍ଧେ ଗାନେ ମୁଖରିତ ସ୍ୱପ୍ନର ଦୁଇଟି ଫୁଲ । ପତ୍ନୀ ସହିତ ମୋର ସମ୍ପର୍କ ଥିଲା ଅତିବ ମଧୁର । ଅତି ନିବିଡ଼ ଭାବରେ ମୁଁ ତାକୁ ଭଲ ପାଉଥିଲି, ସିଏବି ମୋତେ ଆପଣାର ଜୀବନରୁ ବେଶି ଭଲ ପାଉଥିଲା । ଗଭୀର ପ୍ରେମରେ ଦୁଇଟି ଜୀବନ ଯେମିତି ଏକ ହୋଇ ଯାଇଥିଲା । ରଙ୍ଗିନ୍‌ ସ୍ୱପ୍ନବିଭୋର ମନ, ବାଧାବନ୍ଧନ ହୀନ ସଂଭୋଗଶାନ୍ତ ଜୀବନ । କପୋତ କପୋତୀ ଭଳି ନିର୍ଭର ସୁଖରେ କଟି ଯାଉଥିଲା ପ୍ରେମଗଂଜନ ମୁଖର ଦିନ ଗୁଡ଼ିକ । ପରସ୍ପରକୁ ଦୁହେଁ ନିର୍ବିଚାରରେ ଭଲ ପାଉଥିଲୁ । ତେଣୁ ମୁହୂର୍ତ୍ତକର ଅଦର୍ଶନ ଆମ ପକ୍ଷରେ ଅସହ୍ୟ ମନେ ହେଉଥିଲା । ସେହି ନିର୍ଜନ ମୁହୂର୍ତ୍ତ ଗୁଡ଼ିକ ମନେ ହେଉଥିଲା ଯୁଗଯୁଗାନ୍ତ । ସେତେବେଳେ ପ୍ରେମ ବ୍ୟତୀତ ମନରେ କୌଣସି ଚିନ୍ତାର ଅବକାଶ ନ ଥିଲା । କବିର ଭାଷାରେ ସେତେବେଳେ ଆମର ଅବସ୍ଥା ଥିଲା ‘‘ଦୁଇ ପ୍ରାଣ ଆନେ ଆନେ ଟାଣି ହୋଇ ଯାଇ ।’’ ଭାବୁଥିଲି ପ୍ରେମମୟୀ ଏମିଲିୟା ରତି ନିପୁଣା, ନିଖୁଣ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ସିଏବି ହୁଏତ ଭାବୁଥିଲା ସ୍ୱାମୀ ହିସାବରେ ମୁଁ ସୁଯୋଗ୍ୟ ।

 

କୌଣସି କୌଣସି ଅସତର୍କ ମୁହୂର୍ତ୍ତରେ ହୁଏତ ଦୁହିଁଙ୍କର ଦୋଷ ତ୍ରୁଟି ଆଖିରେ ପଡ଼ୁଥିଲା କିନ୍ତୁ ପ୍ରେମର ନିଶାରେ ଆମେ ଏମିତି ପ୍ରମତ୍ତ ହୋଇ ପଡ଼ିଥିଲୁ ଯେ ସେ ଦିଗକୁ ମୋଟେ ଖିଆଲ ହିଁ ନ ଥିଲା । ପ୍ରେମର ନିଶାରେ ଆମେ ଏକାବେଳକେ ଆତ୍ମବିସ୍ମୃତ ହୋଇ ପଡ଼ିଥିଲୁ । ସେତେବେଳେ ମୋଟେ କଳ୍ପନା କରି ପାରିନାହିଁ ଯେ ଦୁହିଁଙ୍କର ଏହି ନିବିଡ଼ ପ୍ରେମ–ବନ୍ଧନ ଦିନେ ଶିଥିଳ ହୋଇ ପଡ଼ିବ । ଭାଙ୍ଗି ଚୁନା ଚୁନା ହୋଇଯିବ ଏହି ଦୁରୁବ୍ଦେଗ ଜୀବନର ସ୍ୱପ୍ନ । ଅପ୍ରତ୍ୟାଶିତ ଝଡ଼ରେ ଧୂଳିସାତ୍‌ ହୋଇଯିବ ଆମରି ସୁଖର ନୀଡ଼, ସମାଧି ରଚନା କରିବାକୁ ହେବ ଏମିତି ଦୁର୍ଲଭ ପ୍ରେମର । ବିରହୀ ଯକ୍ଷ ଭଳି ବୋହି ବୁଲିବାକୁ ପଡ଼ିବ ସମଗ୍ର ବେଦନା ଓ ଅନୁଶୋଚନା । ସେ ଦିନର ସ୍ମୃତି..... ।

 

ସେତେବେଳକୁ ଆମର ଦାମ୍ପତ୍ୟ ଜୀବନରେ ଭରାଜୁଆର । ଏମିଲିୟାକୁ ମୁଁ ଆଗ ଭଳି ଭଲ ପାଉଛି, ମୋର ପ୍ରେମ ଟିକିଏ ବି କମିନାହିଁ । ଏହି ସମୟରେ ହଠାତ୍‌ ଏମିଲିୟାର ଆଖିରେ ଧରା ପଡ଼ିଲା ମୋର ତ୍ରୁଟି । ସେ ମନେମନେ ମୋର ବିଚାର କରି ଦେଖିଲା, ବିତୃଷ୍ଣା ହୋଇ ଉଠିଲା ମୋ ଉପରେ, ପ୍ରତ୍ୟାହାର କରିନେଲା ତାର ଅନୁରାଗ, ସେ ଆଉ ମୋତେ ଭଲ ପାଇଲା ନାହିଁ ।

 

ସେଇଥିପାଇଁ ଏ କାହାଣୀର ଅବତାରଣା ।

 

ପରିପୂର୍ଣ୍ଣ ସୁଖ ଖାଲି ଆଖିରେ ଦେଖାଯାଏନା । ହୁଏତ ମନେହେବ କଥାଟା ପୁରାପୁରି ମାନସ—ପ୍ରସୂତ, ଗୁଲିଖଟି ଗପ । ତେଣୁ ବୁଝେଇ କହୁଛି—

 

ସେତେବେଳେ ମନେ ହେଉଥିଲା ଜୀବନଟା ଯେମିତି ବନ୍ଧାଗତ, ଶଗଡ଼ଗୁଲା; ଟିକିଏ ଏପାଖ ସେପାଖ ନାହିଁ । ଆଖି ଦୁରୁଶିଆ ନୂତନତ୍ୱ କିଛି ନାହିଁ । ରଙ୍ଗହୀନ ଫିକା କାଗଜ ଫୁଲ । ତା ସତ୍ୱେ ବି ମୁଁ ଯେ ସୁଖୀ ଥିଲି ସେକଥା ବୁଝି ପାରି ନାହିଁ । ଭାବୁଥିଲି ସଂସାରର ଅଗଣିତ ନାରୀ ପୁରୁଷ ଭିତରେ ଆମେ ଦୁଇଟି ବିନ୍ଦୁ, ଆମର ଯେପରି ସ୍ୱାତନ୍ତ୍ର୍ୟ ନାହିଁ, ନାହିଁ ବିଶେଷତ୍ୱ । ଆମ ଜୀବନରେ ଛଳନା ବା ବ୍ୟତିକ୍ରମର ସ୍ଥାନ ନାହିଁ । ସବୁ ପୁରୁଷ ମାନଙ୍କ ଭଳି ମୁଁ ଭଲ ପାଇଛି ମୋର ପରିଣୀତା ସ୍ତ୍ରୀକୁ ଆଉ ତାର ପ୍ରତିଦାନରେ, ବିନିମୟରେ ପାଇଛି ତାର ଅନୁରାଗ, ପ୍ରେମ, ଦେହ, ଭଲପାଇବା । ଏହାରି ଭିତରେ ଆସ୍ୱାଭାବିକ କିଛିନାହିଁ । ପତ୍ନୀର ପ୍ରେମ ତ ଆଉ ଦୁର୍ଲଭ ସାମଗ୍ରୀ ନୁହେଁ ? ଏକଥା ଥରେହେଲେ ମନରେ ସ୍ଥାନ ଦେଇନାହିଁ, ବିଚାର କରିନାହିଁ । ବୁଦ୍ଧି ଦେଇ ପ୍ରେମର ପରିମାପ କରାଯାଏନା, କେବଳ ଅନୁଭୂତିରେ ତାର ଉପଭୋଗ କରାଯାଇ ପାରେ । ପବନ ଯେତେବେଳେ ଅବିରାମ ଗତିରେ ବୋହିଚାଲେ ସେତେବେଳେ ତାରି ମୂଲ୍ୟ କେହି ବୁଝନ୍ତି ନାହିଁ । କିନ୍ତୁ ପବନର ଅଭାବ ହେଲା ମାତ୍ରକେ ସେ ହୋଇପଡ଼େ ଅମୂଲ୍ୟ । ପ୍ରଚଣ୍ଡ ଗ୍ରୀଷ୍ମରେ ତୃଷିତ ବ୍ୟକ୍ତି କେବଳ ଜଳର ଶୀତଳତା ଉପଲବ୍‌ଧି କରିବାରେ ସମର୍ଥ । ସେ ସମୟରେ ଅନ୍ୟ କେହି ଯଦି କହୁଥିଲା ଯେ ମୁଁ ପ୍ରକୃତରେ ସୁଖୀ ମୁଁ ଅବାକ୍‌ ହୋଇ ପଡ଼ୁଥିଲି । ତାକୁ ଉତ୍ତରରେ କହୁଥିଲି, ନା ନା ମୁଁ ସୁଖୀ ନୁହେଁ । ମୁଁ ମୋର ସ୍ତ୍ରୀକୁ ଭଲପାଏ ଆଉ ସିଏ ବି ମୋତେ ଭଲପାଏ । କିନ୍ତୁ ଆମର ଅନାଗତ ଭବିଷ୍ୟତ ନିରାପଦ ନୁହେଁ ।

 

ମୁଁ ଗୋଟାଏ ଶସ୍ତା ଦୈନିକ ପତ୍ରର ଚିତ୍ର ସମାଲୋଚକ ଆଉ ସାମ୍ୱାଦିକ । ଯାହା ରୋଜଗାର ହୁଏ ସେଥିରେ ସ୍ୱଚ୍ଛଳ ଭାବରେ ଦିନ ଚଳେନା । ତେଣୁ ହୋଟେଲର ଗୋଟାଏ ଛୋଟ କ୍ୟାମେରାରେ ରହିଥାଉ । ଉଦ୍‌ବୃତ୍ତ ବ୍ୟୟତ ଦୁରାଶା କେବେ କେବେ ପ୍ରୟୋଜନୀୟ ବ୍ୟୟ ନିର୍ବାହ ନିମନ୍ତେ ବି ଅର୍ଥର ଅନାଟନ ହୁଏ । ତେବେ ମୁଁ ସୁଖୀ ହେଲି କେମିତି ! କିନ୍ତୁ ନିଜକୁ ଯେତେବେଳେ ପ୍ରକୃତ ସୁଖୀ ବୋଲି ମନେକଲି ସେତେବେଳେ ଭାବି ପାରିନାହିଁ ଯେ ଏହା ଆଗରୁ ମୁଁ ପ୍ରକୃତରେ ସୁଖୀ ଥିଲି ।

 

ଦୁଇବର୍ଷ ପରେ କପାଳ ଫିଟିଲା । ଚିତ୍ର ନିର୍ମାତା ବାତ୍ତିସତାଙ୍କ ସହିତ ପରିଚୟ ହେଲା ଅତି ଅପ୍ରତ୍ୟାଶିତ ଭାବରେ । ତାଙ୍କର ଗୋଟାଏ ଚିତ୍ର ପାଇଁ ଲେଖିଲି ମୋର ପ୍ରଥମ ଚିତ୍ରନାଟ୍ୟ । ଅନ୍ତରରେ ବାସନା ଥିଲା ସାମୟିକ ଭାବରେ ଚିତ୍ର ସମାଲୋଚନା କରି ଅବଶିଷ୍ଟ ସମୟରେ ଉଚାଙ୍ଗ ସାହିତ୍ୟ ସୃଷ୍ଟି କରିବି । କିନ୍ତୁ ସବୁ ଯେମିତି ଓଲଟ ପାଲଟ ହୋଇଗଲା । ଭାଗ୍ୟଚକ୍ରରେ ମୁଁ ହୋଇପଡ଼ିଲି ପେଶାଦାର ଚିତ୍ରନାଟ୍ୟକାର ଆଉ ସେହି ଅଶୁଭ ମୁହୂର୍ତ୍ତରୁ ଏମିଲିୟା ସହିତ କ୍ରମଶ ମୋର ସମ୍ପର୍କ ତିକ୍ତ ହେବାକୁ ଲାଗିଲା....

 

ଏଥର ମୋ ନିଜ କାହାଣୀ ଆରମ୍ଭ କରେ......

 

ପେଶାଦାର ଚିତ୍ର ସଂପାଦକ ଭାବରେ ଜୀବନ ଆରମ୍ଭ କରିଛି ଆଉ ଆମରି ଦାମ୍ପତ୍ୟ ଜୀବନରେ ଉପ୍ତ ହୋଇଛି ଅଶାନ୍ତିର ବୀଜ । ଦୁଇଟି ଯାକ ଘଟଣା ଘଟିଛି ଯୁଗପତ୍‌ । ଘଟଣା ଦୁଇଟିଯାକ ଅବିଚ୍ଛେଦ୍ୟ ଯେମିତି ଗୋଟାଏ ଅଦୃଶ୍ୟ ସୂତ୍ରରେ ଗ୍ରଥିତ ଭାଗ୍ୟଲିପିର ଦୁଇଟି ପଂକ୍ତି । ଗୋଟାକର ଅନୁପସ୍ଥିତିରେ ଅପରର ସ୍ଥିତି କଳ୍ପନାତୀତ ।

 

ସ୍ମୃତିର ରୋମନ୍ଥନରେ ଆଜି ସେ ଦିନର ବହୁ ଘଟଣା ମନେ ପଡ଼ୁଛି । ହୁଏତ ସେଦିନ ଘଟଣାଟି ଉପରେ କୌଣସି ଗୁରୁତ୍ୱ ଆରୋପ ନ କରି ତୁଚ୍ଛ ମନେ କରିଥିଲି । ତା ଛଡ଼ା ଏମିତି ଛୋଟ ଛୋଟ ଘଟଣା ହୁଏତ ମନରେ ହଠାତ୍‌ କୌଣସି ବିଶେଷ ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ । କିନ୍ତୁ ପରେ ସେ ଘଟଣା ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ବାଧ୍ୟ ହୋଇଛି ।

 

ଏମିଲିୟା, ବାତ୍ତିସତା ଓ ମୁଁ ରେସ୍ତୋରାଁରୁ ବାହାରି ଆସି ସହର ମଝିରେ ରାସ୍ତା ଉପରେ ଠିଆ ହୋଇଛୁ । ସନ୍ଧ୍ୟାଟା ତାଙ୍କରି ବସାରେ କଟେଇବା ପାଇଁ ବାତ୍ତିସତା ଅନୁରୋଧ କଲେ । ....ତାଙ୍କରି ପ୍ରସ୍ତାବରେ ନିଜକୁ କୃତ୍ୟ କୃତ୍ୟ ମନେ କରି ଆନନ୍ଦରେ ରାଜି ହୋଇଗଲି । ତିନିହେଁ ବାତ୍ତିସତାଙ୍କ ଗାଡ଼ି ପାଖକୁ ଆଗେଇ ଆସିଲୁ । ଗାଢ଼ ଲାଲ ରଙ୍ଗର ବେଶ୍‌ ଦାମି ଗାଡ଼ି । ଗାଡ଼ିରେ କେବଳ ଦୁଇଟି ମାତ୍ର ସିଟ୍‌ । ବାତ୍ତିସତା ନିଜେହିଁ ଗାଡ଼ିର ଚାଳକ । ଗାଡ଼ିର ଦରଜା ଖୋଲି ସେ କହିଲେ କିଛି ମନେ କରିବେନି ମି: ମଲଟେନି । ଗାଡ଼ିରେ କେବଳ ଜଣକ ପାଇଁ ଜାଗା ହେବ....ଆପଣ ବରଂ ଏଇଠି ଅପେକ୍ଷା କରନ୍ତୁ, ଫେରିଆସି ଆପଣଙ୍କୁ ନେଇଯିବି ।

 

ଏମିଲିୟା ମୋରି ପାଖକୁ ଲାଗି ଠିଆ ହୋଇଥିଲା । ଦେହରେ ପୁରାଗଳାର ହାତକଟା ରେଶମୀ ବ୍ଲାଉଜ ଉପରେ ସୁନେଲୀ ରଙ୍ଗର ସ୍କାର୍ଟ । ହାତରେ ଭଙ୍ଗା ହୋଇ ରହିଛି ଜରିଲଗା ଟୋପି । ଅକ୍ଟୋବର ମାସର ଅୟମାରମ୍ଭ । ଶୀତ ସେମିତି ବିଶେଷ କିଛି ପଡ଼ି ନାହିଁ । ଏମିଲିୟାକୁ ଚାହିଁଲି—ଦେଖିଲି ତାର ପ୍ରଶାନ୍ତ ମୁହଁ ଉପରେ ଫୁଟିଉଠିଛି ଅସ୍ଥିରତାର ଚିହ୍ନ । ଆଖିରେ ବନ ହରିଣୀର ଚଞ୍ଚଳତା । କହିଲି ତୁମେ ବାତ୍ତିସତାଙ୍କ ସହିତ ଯାଅ ଏମିଲିୟା...ମୁଁ ଟ୍ୟାକ୍‌ସି ନେଇ ଯାଉଛି ।

 

ମୋ ଆଡ଼କୁ ସେ ମୁହଁ ଉଠେଇ ଚାହିଁଲା—ସତେ ଯେମିତି ଜାଣିଶୁଣି ତାକୁ ବିପଦ ମୁହଁକୁ ଠେଲି ଦିଆହେଉଛି । ଅନିଚ୍ଛା ଜଡ଼ିତ କଣ୍ଠରେ ସେ କହିଲା, ମି: ବାତ୍ତିସତା ଯଦି ତାଙ୍କ ଗାଡ଼ିରେ ଯାଅନ୍ତି ଆଉ ଆମେ ଟ୍ୟାକ୍‌ସିରେ ଯାଉ—

 

ଗାଡ଼ିର ଗ୍ଲାସ ସଟର ବୁଲେଇ ଦେଇ ତାରି ଭିତରେ ମୁହଁ ବଢ଼େଇ ମି: ବାତ୍ତିସତା କହିଲେ, ଆପଣ ତ ଆଚ୍ଛା ଲୋକ । ମୋତେ ଏକାକି ଯିବା ପାଇଁ କହୁଛନ୍ତି ?

 

ଏମିଲିୟା କହିଲା, ନା....ନା....ତାହାନୁହେଁ । ତାର ସମଗ୍ର ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ମନେହେଲା ସେ ନିଜକୁ ଯେପରି ବିପନ୍ନ ବୋଧ କରୁଛି । ତେଣୁ ଯେତେଶୀଘ୍ର ସମ୍ଭବ ପରିସ୍ଥିତିଟାକୁ ସହଜ କରିନେବା ଉଦ୍ଦେଶ୍ୟରେ କହିଲି, ଆପଣ ଠିକ୍‌ କହିଛନ୍ତି ମି: ବାତ୍ତିସତ୍ତା....ଆପଣ ତା ସହିତ ଯାଆନ୍ତୁ ମୁଁ ଟ୍ୟାକ୍‌ସିରେ ଯାଉଛି ।

 

ଏଥର ଏମିଲିୟା ପରାଜୟ ସ୍ୱୀକାର କଲା । ଗାଡ଼ିରେ ଉଠିପଡ଼ି ବାତ୍ତିସତାଙ୍କ ପାଖରେ ବସିଲା ଗାଡ଼ିର ଖୋଲା ସଟର ଦେଇ ମୋତେ ଦେଖା ଯାଉଥାଏ ତାର ବ୍ୟାକୁଳ ଓ ଚଞ୍ଚଳ ଦୃଷ୍ଟି । ତାର ସେହି ଦୃଷ୍ଟିରେ ଥିଲା ଅନୁନୟ, ବିରକ୍ତି ଓ ଅସହାୟତା । କିନ୍ତୁ ସେ ଦିଗକୁ ଲକ୍ଷ୍ୟ ନ କରି ସିନ୍ଧୁକର ଓଜନ ଢାଙ୍କୁଣି ବନ୍ଦ କଲାପରି କାରର ଦରଜାଟି ବନ୍ଦ କରିଦେଲି ।

 

ଗାଡ଼ି ଦୃଷ୍ଟିର ସୀମା ଅତିକ୍ରମ କରି ବାହାରିଗଲା । ମନ ଖୁସିରେ କୌଣସି ଗୋଟାଏ ଦରଭୁଲା ସିନେମା ସଙ୍ଗୀତ ଗୁଣୁ ଗୁଣୁ ଗାଇ ଟ୍ୟାକ୍‌ସି ଷ୍ଟେଣ୍ଡ ଆଡ଼କୁ ଆଗେଇ ଗଲି ।

 

ରେସ୍ତୋରାଁଠାରୁ ବାତ୍ତିସତାଙ୍କ ଘରଟି ମୋଟେ ଦୂର ନୁହେଁ । ଟ୍ୟାକ୍‌ସିରେ ଠିକ ଏକାସମୟରେ ନ ହେଲେ ମଧ୍ୟ ଅଳ୍ପ ସମୟ ପରେ ପହଞ୍ଚିଯିବାର କଥା । କିନ୍ତୁ କିଛି ବାଟ ଆସିବା ପରେ ଠିକ ଛକ ଉପରେ ଦୁର୍ଘଟଣା ଘଟିଲା । ଟ୍ୟାକ୍‌ସି ସହିତ ଧକା ଲାଗିଗଲା ଗୋଟାଏ ପ୍ରାଇଭେଟ ଗାଡ଼ିର । ଡ୍ରାଇଭର ଦୁହେଁ ବ୍ୟସ୍ତଭାବରେ ଗାଡ଼ିରୁ ଓହ୍ଲେଇ ଆସିଲେ । ତାପରେ ସେହି ଚିରାଚରିତ ଦୃଶ୍ୟ, ଆରମ୍ଭ ହେଲା ଦୁହିଁଙ୍କ ମଧ୍ୟରେ ବଚସା । ରାସ୍ତାରେ ଯାଉଥିବା ଲୋକେ କୌତୁହଳ ସମ୍ୱରଣ କରି ନ ପାରି ଭିଡ଼ ଜମାଇଲେ । କେହି କେହି ପକ୍ଷ ନେଇ ସେମାନଙ୍କୁ ଆହୁରି ଉତ୍ତେଜିତ କରିବାରେ ଲାଗିଲେ ।

 

ପୋଲିସ ଆସି ଗାଡ଼ି ନମ୍ୱର ଏବଂ ଉଭୟ ଚାଳକଙ୍କର ନାମ ଓ ଠିକଣା ଟିପି ନେଇଗଲା । ମୁଁ ନିଶ୍ଚିନ୍ତ ମନରେ ଗାଡ଼ି ଭିତରେ ବସି ରହିଲି । ଆଜି ଆକଣ୍ଠ ସୁଖାଦ୍ୟ ଖାଇଛି, ଭବିଷ୍ୟତରେ ରହିଛି ସୁପ୍ରଚୁର ଅର୍ଥଲାଭର ସୁଯୋଗ । ବାତ୍ତିସତା ଗୋଟାଏ ନୂତନ ଚିତ୍ର ସମ୍ପାଦନାର ଭାର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ମନରେ ଆନନ୍ଦର ସୀମା ନ ଥିଲା-। ଗୋଟାଏ ଅନାଗତ ସ୍ୱପ୍ନର ପରିବେଶ ଭିତରେ ନିଜକୁ ମୁଁ ବାରମ୍ୱାର ଯେମିତି ହରେଇ ଦେଉଥିଲି-। ଦୁର୍ଘଟଣା ଘଟିବା ଫଳରେ ରାସ୍ତାରେ ମୋର ଦଶପନ୍ଦର ମିନିଟ ଡେରି ହୋଇଗଲା ।

 

ବାତ୍ତିସତାଙ୍କର ସୁସଜ୍ଜିତ ବୈଠକଖାନାରେ ପ୍ରବେଶକରି ଦେଖିଲି ପାଦ ଉପରେ ପାଦ ଦେଇ ଗୋଟାଏ ଚୌକି ଉପରେ ଏମିଲିୟା ବସି ରହିଛି । ଚକଲଗା ଗୋଟାଏ ସୁରାଦାନି ଉପରେ ପାଦରଖି ମି:ବାତ୍ତିସତା ଠିଆ ହୋଇଛନ୍ତି ଗୋଟାଏ କୋଣରେ । ମୋତେ ଦେଖିବା ମାତ୍ରକେ ବାତ୍ତିସତା ଗଦଗଦ କଣ୍ଠରେ ସାଦର ଅଭ୍ୟର୍ଥନା ଜଣାଇଲେ । ଏମିଲିୟା ବ୍ୟସ୍ତ ଓ ବିବ୍ରତ ଭାବରେ ପ୍ରଶ୍ନକଲା—ଏତେବେଳ ଯାଏ କେଉଁଠି ଥିଲ...ଏତେ ଡେରିହେଲା କେମିତି ? କହିଲି, ଦୁର୍ଘଟଣା ଫଳରେ ରହି ଯାଇଥିଲି । ଏହିଥର ଏମିଲିୟାର ମୁହଁ ଆଉ ଆଖିରେ ଫୁଟିଉଠିଲା ବିସ୍ମୟ ଓ ଅବିଶ୍ୱାସ୍ୟର ଭାବ । ଦୁର୍ଘଟଣା...କେମିତି ଦୁର୍ଘଟଣା ? ସେ ପ୍ରଶ୍ନକଲା ।

 

ଯାହା ଘଟିଥିଲା ତାର ଏକ ସଂକ୍ଷିପ୍ତ ବର୍ଣ୍ଣନା କଲି । ବିନା ପ୍ରଶ୍ନରେ ଦୁର୍ଘଟଣା ସମ୍ୱନ୍ଧରେ କିଛି ପ୍ରକାଶ କରି ପାରି ନ ଥିବାରୁ ଲଜ୍ଜିତ ହୋଇ ପଡ଼ିଲି । ଏମିଲିୟା କିଛି ନ କହି ନୀରବରେ କେବଳ ଚାହିଁରହିଲା ଶୂନ୍ୟଦୃଷ୍ଟିରେ । ବାତ୍ତିସତା ହସିହସି କହିଲେ, ଏଇ ନିଅନ୍ତୁ । ....ତାପରେ ଟେବୁଲ ଉପରେ ଗ୍ଲାସ ଗୁଡ଼ିକ ସଜେଇ ରଖିଲେ । ଗୋଟାଏ ଗ୍ଲାସ ବଢ଼େଇ ଦେଲେ ମୋ ହାତକୁ-। ହାସ ପରିହାସ ଆଉ ଗଳ୍ପ ଭିତରେ କଟିଗଲା ପ୍ରାୟ ଦୁଇଘଣ୍ଟା । ବାତ୍ତିସତା ଓ ମୋ ମଧ୍ୟରେ ଚାଲିଲା ଥଟ୍ଟାତାମସା । ବାତ୍ତିସତାଙ୍କର ସ୍ଫୁର୍ତ୍ତି ଅସୀମ । ସେତେବେଳକୁ ମୁଁ ଲକ୍ଷ୍ୟ କରି ପାରିନାହିଁ ଯେ ଏମିଲିୟା ମୋଟେ ପ୍ରଫୁଲ୍ଲ ନୁହେଁ । ବାଧ୍ୟ ହୋଇ ପରିସ୍ଥିତିର ଚାପାରେ ସେ ଯେମିତି ଯନ୍ତ୍ର ଭଳି ବସିରହିଛି । ସ୍ୱଭାବତ ସେ ନିର୍ଜନତାପ୍ରିୟ, ସ୍ୱଳ୍ପଭାଷିଣୀ ଓ ଲଜ୍ଜାଶୀଳା । ତେଣୁ ତାର ଗାମ୍ଭୀର୍ଯ୍ୟରେ ଟିକିଏ ହେଲେ ଅବାକ ହେଲିନାହିଁ । ଏମିଲିୟା ଆମରି କଥାବାର୍ତ୍ତାରେ କୌଣସି ପ୍ରକାର ଉତ୍ସାହ ପ୍ରକାଶ ନକରି ନିର୍ବିକାର ଭାବରେ ବସିରହିଲା ।

 

ଥରେ ହେଲେ ସ୍ମିତ ହସି ବା ମୁହଁ ଟେକି ସେ ଆମର ଆଲୋଚନାରେ ଯୋଗ ଦେଲା ନାହିଁ । ବୈଠକଖାନାରେ ଥାଇ ବି ଯେମିତି ସେ ଅନୁପସ୍ଥିତ, ଏକାକିନୀ । ପ୍ରଶାନ୍ତ ନୀଳାକାଶ ତଳେ ଏକ ଏକକ ବିହଙ୍ଗୀ, ନିଜର କଳ୍ପନାରେ ନିଜେ ମଗ୍ନ, ମୌନ । ନିଜର ସ୍ୱପ୍ନରେ ନିଜେ ସମାହିତ । ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଗଲା....

 

ଗୋଟାଏ ନୂତନ ଚିତ୍ର ସମ୍ୱନ୍ଧରେ ମୋ ସହିତ ଆଲୋଚନା କରୁଥିଲେ ବାତ୍ତିସତା । ସେ କହିଲେ, ମୋର ଇଚ୍ଛା, ଆପଣ ଚିତ୍ରରେ କାମ କରନ୍ତୁ । ସେ ମୋତେ କହାଣୀଟା ଶୁଣାଇଲେ, ଚିତ୍ର ନିର୍ଦ୍ଦେଶକ ଓ ମୋର ସହଯୋଗୀ ଚିତ୍ର ସମ୍ପାଦକଙ୍କର ପରିଚୟ ଦେଲେ । କହିଲେ—କାଲି ମୋର ଅଫିସକୁ ଆସି ଆପଣ ଚୁକ୍ତିନାମାଟା କରି ନିଅନ୍ତୁ ।

 

ବାତ୍ତିସତାଙ୍କୁ ଆନ୍ତରିକ ଅଭିବାଦନ ଜଣେଇ ଉଠିଲି । ତଳକୁ ଓହ୍ଲେଇ ଆସି ଟ୍ୟାକ୍‌ସି ଷ୍ଟାଣ୍ଡରୁ ଗୋଟାଏ ଟ୍ୟାକ୍‌ସି ନେଇ ଏମିଲିୟା ଓ ମୁଁ ଫେରି ଆସିଲୁ । ବାତ୍ତିସତାଙ୍କ ଅପ୍ରତ୍ୟାଶିତ ପ୍ରସ୍ତାବରେ ମୁଁ ଅତି ମାତ୍ରାରେ ଉତ୍ତେଜିତ ହୋଇ ପଡ଼ିଥିଲି । ତେଣୁ ସେ ବିଷୟରେ ଏମିଲିୟାକୁ ନ ଜଣେଇ ରହି ପାରିଲି ନାହିଁ । କହିଲି, ଭାଗ୍ୟ ଭଲ ଯେ, କାମଟି ଠିକ୍‌ ସମୟରେ ଜୁଟିଗଲା—ଜାଣେନା ନ ହେଲେ କି ଅବସ୍ଥା ହୋଇଥାନ୍ତା...ଧାର କରିବା ପାଇଁ ପଡ଼ିଥାନ୍ତା ନିଶ୍ଚୟ । ଏମିଲିୟା କୌଣସି ଆଗ୍ରହ ପ୍ରକାଶ ନ କରି ନିର୍ଲିପ୍ତ କଣ୍ଠରେ ପ୍ରଶ୍ନ କଲା–ଗୋଟାଏ ଚିତ୍ର ସମ୍ପାଦନା ପାଇଁ କେତେ ଆୟ ହୁଏ ?

 

ଅର୍ଥର ପରିମାଣଟା ଆତ୍ମସନ୍ତୋଷର ସହିତ ଜଣାଇ ଦେଇ କହିଲି, ଅନ୍ତତଃ ଆଗାମୀ ଶୀତ ଋତୁ ଯାଏ ଆମର ଅନାୟାସରେ ଚଳିଯିବ ।

 

ଟ୍ୟାକ୍‌ସିରେ ବସିଲା ପରେ ଏମିଲିୟାର ଶଙ୍ଖଧବଳ ହାତଟି ଟାଣି ନେଇ ମୃଦୁମୃଦୁ ଚାପ ଦେବାକୁ ଲାଗିଲି । ସେ ମୋଟେ ପ୍ରତିବାଦ କଲା ନାହିଁ ।

 

ଘରକୁ ଫେରି ଆସିବା ଯାଏ ସେ ଆଉ ପଦେହେଲେ କଥା କହିଲା ନାହିଁ ।

 

ତା’ ପରଦିନ ବାତ୍ତିସତାଙ୍କ ସହିତ ଦେଖାକରି ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଅଗ୍ରୀମ ଟଙ୍କା ନେଇ ଆସିଲି । ମନେ ପଡ଼ୁଛି ଚିତ୍ରର କାହାଣୀଟି ଥିଲା ହାସ୍ୟରସାତ୍ମକ । ଭାବସବୃଦ୍ଧ କାହାଣୀ ଲେଖିବାକୁ ମୋର ବେଶି ଝୁଙ୍କ । ସାହିତ୍ୟର ମୂଲ୍ୟବୋଧ ସମ୍ୱନ୍ଧରେ ମୁଁ ଏତେ ସଚେତନ ଯେ, ମୁଁ ଭାବିଥିଲି ଏହି ହାସ୍ୟ ରସାତ୍ମକ ଗଳ୍ପଟିରେ ମୁଁ କୌଣସି କୃତିତ୍ୱ ଦର୍ଶାଇ ପାରିବି ନାହିଁ । କିନ୍ତୁ ଚିତ୍ର ସମ୍ପାଦନା କରୁ କରୁ ଦେଖିଲି, କାହାଣୀଟି ବେଶ୍‌ ସଫଳ ହୋଇଛି । ସେହି ଦିନହିଁ ମୋର ପରିଚୟ ହେଲା ଚିତ୍ର ନିର୍ଦ୍ଦେଶକ ଆଉ ମୋର ସହଯୋଗୀ ସମ୍ପାଦକଙ୍କ ସହିତ ।

 

ଆଜି କହିବାରେ କୌଣସି ସଂକୋଚ ବା ଦ୍ୱିଧାନାହିଁ ଯେ, ବାତ୍ତିସତାଙ୍କ ଘରେହିଁ ଚିତ୍ର ସମ୍ପାଦକ ଭାବରେ ମୋର ଜୀବନ ଆରମ୍ଭ ହେଲା । କିନ୍ତୁ ଜୋର ଦେଇ ନିଃସଂଶୟରେ କହି ପାରିବି ନାହିଁ ଯେ ସେହି ଦିନଠାରୁ ପତ୍ନୀ ଏମିଲିୟା ସହିତ ବିରୋଧର ସୂତ୍ରପାତ ହୋଇ ମୋର ଦାମ୍ପତ୍ୟ ଜୀବନ ବିଷମୟ ହୋଇ ଉଠିଲା । ତେବେ ଏତିକି ନିର୍ବିବାଦରେ ସ୍ୱୀକାର କରାଯାଇ ପାରେ ଯେ ସେହି ମୁହୂର୍ତ୍ତରେ ମୋର ଦୁର୍ଭାଗ୍ୟ ଓ ବେଦନାର ବୀଜ ଉପ୍ତ ହୋଇଥିଲା । ଏହି ଘଟଣାର ଅବ୍ୟବହିତ ପରେ ମୋ ପ୍ରତି ଏମିଲିୟାର ଆଚରଣରେ କୌଣସି ଲକ୍ଷଣୀୟ ପରିବର୍ତ୍ତନର ଚିହ୍ନ ପ୍ରକାଶ ପାଇନାହିଁ । ପରିବର୍ତ୍ତନଟା ହୋଇଥିଲା ଠିକ୍‌ ତାର ଆର ମାସଟିରେ । କିନ୍ତୁ ଜାଣେନା କେଉଁ ମୁହୂର୍ତ୍ତରେ ଓ କାହିଁକି ଏମିଲିୟା ମନର ତୁଳାଦଣ୍ଡ ତଳ ଉପର ହୋଇ ଯାଇଥିଲା । କଣ୍ଟାର ତଉଲରେ ମୁଁ ହାଲୁକା ହୋଇ ସତେ ଯେମିତି ବହୁ ଉପରକୁ ଉଠି ଯାଇଥିଲି । ଯେମିତି ପ୍ରୟୋଜନ ହୀନ ଅବହେଳିତ ଗୋଟାଏ ଜୀବନ ।

 

ବର୍ତ୍ତମାନ ବାତ୍ତସତା ସହିତ ପ୍ରାୟ ପ୍ରତ୍ୟହ ଦେଖା ସାକ୍ଷାତ ହୁଏ । ପରିଚୟ ହେବାର ପ୍ରଥମଦିନର ସନ୍ଧ୍ୟା ଭଳି ଆହୁରି ବହୁ ଘଟଣା ଘଟିଥିଲା ମାତ୍ର ସେତେବେଳେ ଏହା ଉପରେ ମୁଁ ବିଶେଷ ଧ୍ୟାନ ଦେଇନାହିଁ । କିନ୍ତୁ ପରେ ପ୍ରାୟ ସବୁ ଘଟଣା ବିଶେଷ ଅର୍ଥପୂର୍ଣ୍ଣ ହୋଇ ଉଠିଲା । ଏଠାରେ କେବଳ ଗୋଟାଏ ମାତ୍ର ଘଟଣାର ଉଲ୍ଲେଖ କରୁଛି—

 

ପ୍ରାୟ ବହୁବାର ବାତ୍ତିସତା ଆମକୁ ନିମନ୍ତ୍ରଣ କରୁଥିଲେ । ଏମିଲିୟା ମୋ ସହିତ ଯିବାକୁ ଅନିଚ୍ଛା ପ୍ରକାଶ କରି ବାରମ୍ୱାର ଆପତ୍ତି ଜଣାଉ ଥିଲା । ଏମିତି ସବୁ ବାହାନା କରୁଥିଲା ଯାହା ସହିତ ବାତ୍ତିସତା ଘରକୁ ଯିବାର କୌଣସି ସମ୍ପର୍କ ନ ଥିଲା ।

 

ମୁଁ କହୁଥିଲି, ତମକୁ ଛାଡ଼ି ମୁଁ କୋଉଠିକି ହେଲେ ଯିବିନାହିଁ...ତା’ଛଡ଼ା ବାତ୍ତିସତା ଅସନ୍ତୁଷ୍ଟ ହେବେ, ଅପମାନ ହେବ ଆମରି ଅନ୍ନଦାତାର । ଅଗତ୍ୟା ଏମିଲିୟାକୁ ରାଜି ହେବାକୁ ପଡ଼ୁଥିଲା, ପରାଜୟ ସ୍ୱୀକାର କରିବାକୁ ପଡ଼ୁଥିଲା ମୋର ଯୁକ୍ତି ନିକଟରେ । ସେତେବେଳେ ରହସ୍ୟ କରି ମୁଁ ପ୍ରଶ୍ନ କରୁଥିଲି, ମୋ ସହିତ ଯିବାକୁ ତୁମକୁ ବୋଧହୁଏ ଭଲ ଲାଗେନା । ତା ଉପରେ ସନ୍ଦେହ କରି ଯେ ଏଭଳି ପ୍ରଶ୍ନ ମୁଁ କରୁଥିଲି ସେକଥା ନୁହେଁ, ମୋର ଉଦ୍ଦେଶ୍ୟ—ସେ ବୁଝୁ ଯେ ତାର ବି ଗୋଟାଏ ନିଜସ୍ୱ ସ୍ୱାଧୀନ ମତ ରହିଛି । ଆଉ ମୁଁ ତାର ସ୍ୱାଧୀନତାରେ ମୋଟେ ହସ୍ତକ୍ଷେପ କରିବାକୁ ଚାହେଁନା । ସେ ସ୍ପଷ୍ଟ ଭାବରେ ଜବାବ ଦେଉଥିଲା, ଭଲ ଲାଗିବ ନାହିଁ କାହିଁକି ! ନିଶ୍ଚୟ ଭଲ ଲାଗେ । ତାପରେ ଦୁହେଁ ବାହାରି ପଡ଼ୁଥିଲୁ ।

 

ଅବଶ୍ୟ ବିକ୍ଷିପ୍ତ ତୁଚ୍ଛ ଘଟଣାଗୁଡ଼ିକୁ ସ୍ମୃତି ମନ୍ଥନ କରି ପରେ ସଜେଇ ନେଇଥିଲି । ଛିଣ୍ଡା କାଗଜ ଖଣ୍ଡମାନ ଯୋଡ଼ି ସମୁଦାୟ ପତ୍ରଟି ବିଷୟରେ ଜାଣିବାର ସକ୍ଷମ ନ ହେଲେ ହେଁ କେତୋଟି ପଂକ୍ତିରୁ ସମୂହ ପତ୍ରଟି ସମ୍ୱନ୍ଧରେ ଧାରଣା କରିନେବା ଭଳି ଏହି ବିଚ୍ଛିନ୍ନ—ସମ୍ପର୍କହୀନ ଘଟଣାଗୁଡ଼ିକରୁ କେତେକ ପରିମାଣରେ ଏମିଲିୟାର ମାନସଚିତ୍ର ମୁଁ ପାଇବାରେ ସକ୍ଷମ ହୋଇଥିଲି । ଆଗେ କେବଳ ଅନୁଭବ କରୁଥିଲି—ଏମିଲିୟାର ମୋ ଉପରେ ବ୍ୟବହାର ସାମାନ୍ୟ ପରିବର୍ତ୍ତନ ହୋଇଛି । କିନ୍ତୁ କେବେହେଲେ ତାର କାରଣ ନିର୍ଣ୍ଣୟ କରିବାର ଚେଷ୍ଟା କରିନାହିଁ । ଆକାଶ ପରିଷ୍କାର ଥିଲେ ବି ମୌସୁମୀର ଗତି ଓ ପରିବର୍ତ୍ତନ ଦେଖି ଯେମିତି ଆସନ୍ନ ବଜ୍ରପାତ ଓ ଝଡ଼ ବୃଷ୍ଟିର ସୂଚନା ମିଳିଥାଏ ଇଏ ବି ଠିକ୍‌ ତାରି ଅନୁରୂପ । ମନେ ହେଉଥିଲା ଏମିଲିୟା ଯେମିତି ମତେ ଆଗ ଅପେକ୍ଷା କମ୍‌ ଭଲ ପାଉଛି, ଦୂରେଇ ଯାଉଛି ଧୀରେ ଧୀରେ । ବିବାହ ଆଗରୁ ମୋତେ ପାଇବା ପାଇଁ ଯେଉଁ ବ୍ୟାକୁଳତା, ଯେଉଁ ଉଦବେଗ ଥିଲା ଆଜି ହୁଏତ ସେ ବ୍ୟାକୁଳତା ଆଉ ତାର ଅନ୍ତରରେ ନାହିଁ । ସେତେବେଳେ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେବା ମାତ୍ରକେ ତାର ନିରୀହ ଆଖି ଯୋଡ଼ିକ ଅଶ୍ରୁସଜଳ ହୋଇ ପଡ଼ୁଥିଲା । ଏପରି ଭାବ ସେ ପ୍ରକାଶ କରୁଥିଲା ଯେପରି ମୁଁ ବାହାରକୁ ନ ଗଲେ ସେ ବେଶି ଖୁସି । ଦିନେ ଦିନେ ଏମିତି ବି ହେଇଛି ଯେ ବାହାରକୁ ଯାଇନି ବା ଏମିଲିୟାକୁ ସାଥିରେ ନେଇ ଯାଇଛି । ବର୍ତ୍ତମାନ କିନ୍ତୁ ମୋର ସାନ୍ନିଧ୍ୟ ଅପେକ୍ଷା ଅନୁପସ୍ଥିତିହିଁ ତାର ବେଶି କାମ୍ୟ, ମୁଁ ପାଖରେ ନ ଥିଲେ ଯେପରି ଶାନ୍ତି, ଶ୍ୱସ୍ତି ।

 

ଦିନଥିଲା ଯେତେବେଳେ ଏଲିମିୟା କହୁଥିଲା, ମୋର ଅଦର୍ଶନ ତାର ଅସହ୍ୟ ସେତେବେଳେ ମୁଁ ଗର୍ବ ଅନୁଭବ କରୁଥିଲି । ମୋର ପୌରୁଷ ଯେମିତି ଅଧୀର ହୋଇ ପଡ଼ୁଥିଲା ଆଉ ତାର କଷ୍ଟ ଦେଖି ମନେ ମନେ ଖୁସି ହେଉଥିଲି । ଭାବୁଥିଲି ଏହା ହେଉଛି ଏମିଲିୟାର ଗଭୀର ପ୍ରେମର ନିଦର୍ଶନ । କିନ୍ତୁ ଯେତେବେଳେ ଦେଖିଲି ମୋର ଦୀର୍ଘ ଅନୁପସ୍ଥିତିରେ ସେ ଆଉ ଉଦ୍‌ବିଗ୍ନ ହେଉନାହିଁ, ବରଂ ଆନନ୍ଦ ବୋଧ କରୁଛି—ସେତିକିବେଳେ ଗୋଟାଏ ଅବ୍ୟକ୍ତ ଦୁଃସହ ବେଦନା ଅନୁଭବ କରିବାକୁ ଲାଗିଲି । ପ୍ରଣୟିନୀ ବିମୁଖ ହେଲେ ମନରେ ଯେଉଁ ଆଘାତ ଲାଗେ, ସେହି କଠୋର ଆଘାତରେ ହୃଦୟ ଯେମିତି କ୍ଷତବିକ୍ଷତ ହୋଇ ପଡ଼ିଲା । ପାଦତଳୁ ଅତର୍କିତ ଭାବରେ ମାଟି ଯେମିତି ଅପସରି ଯାଇଛି । ତାପରେ ବିରାଟ ରସାତଳ । ଆଖି ପାଉନାହିଁ, କେବଳ ଅନ୍ଧକାର, ନିବିଡ଼ ଅନ୍ଧକାର ଗହ୍ୱର ।

 

ଦ୍ୱିପ୍ରହରରେ ସାଧାରଣତଃ ମୋର କାମକୁ ଯିବା କଥା । କିନ୍ତୁ ଦିନେ ଦିନେ ସକାଳରୁ ବାହାରି ଯାଉଥିଲି—କେବଳ ମୋ ପ୍ରତି ଏମିଲିୟାର ଔଦାସିନ୍ୟର ପରିମାପ କରିବା ପାଇଁ । ବୁଝି ପାରୁଥିଲି ମୋର ଅନୁପସ୍ଥିତିରେ ସେ ତୃପ୍ତି ଓ ସ୍ୱସ୍ତି ବୋଧ କରୁଛି । ମନକୁମନ ସାନ୍ତ୍ୱନା ଦେଉଥିଲି–ବିବାହର ଦୁଇବର୍ଷ ପରେ ହୁଏତ ଅନୁରାଗ ଅଭ୍ୟାସରେ ପରିଣତ ହୋଇଯାଏ । ସ୍ୱାମୀ ସ୍ତ୍ରୀର ପ୍ରେମ ବିନିମୟର ପ୍ରତିଶ୍ରୁତି ଦାମ୍ପତ୍ୟ ସମ୍ପର୍କରେ କୌଣସି ଆବେଗ ରହିବାକୁ ଦିଏନା....ତଥାପି ମନେ ହେଉଥିଲା....ନା....ନା...ଏସବୁ ସତ ନୁହେଁ । ମୁଁ ଯେପରି ମିଛର ଗୋଟାଏ ଗୋଲାକଧନ୍ଦାରେ ଘୁରୁଛି । ଏହି ପରିକ୍ରମଣର ଇତିନାହିଁ । ଆପଣାର ଭାବନା ଯେମିତି ଅନନ୍ତ, ଅସରନ୍ତି । ତାର ଆରମ୍ଭ ବା ଶେଷନାହିଁ, ରହିଛି କେବଳ ଏକ ନିରବିଚ୍ଛିନ୍ନ ବିସ୍ତୃତି । ଛନ୍ଦାଛନ୍ଦି ଗୋଟାଏ ସୂତାଗୁଳା । ଯେତେ ଟାଣିଲେ ସେତେ ବାହାରି ଆସୁଛି । ଆଉ ତାର ଅଗ ବା ଶେଷ ବାହାର କରିବାରେ ମୁଁ ମୋର ସମସ୍ତ ବୁଦ୍ଧି ଖର୍ଚ୍ଚକରି ଘୁରୁଛି । ଏସବୁ କେବଳ ଅନୁଭୂତି—ଚିନ୍ତାର ସ୍ପର୍ଶ ବି ଏଥିରେ ନାହିଁ । କାରଣ ଯାହା ନିଶ୍ଚିନ୍ତ, ସ୍ଥିର, ସ୍ଥାବର ତା ସମ୍ୱନ୍ଧରେ ଆଉ ଚିନ୍ତା ବା କ’ଣ ? ଆଲୋକର ପ୍ରକାଶରେ କାର୍ଯ୍ୟକାରଣର ସଂପର୍କ ନାହିଁ । ବୁଦ୍ଧି ବା ଚିନ୍ତା ଲଗେଇ ତା’ର ସ୍ୱରୂପ ପ୍ରମାଣ କରିବାର କୌଣସି ପ୍ରୟୋଜନ ନାହିଁ । ସିଏ ଆପେ ଯେମିତି ସ୍ୱୟଂ ପ୍ରବୁଦ୍ଧ, ସ୍ଥିର । ନିଜେହିଁ ନିଜର ପ୍ରମାଣ, ସବୁ କିଛି ।

 

ମୋର ଅଦର୍ଶନରେ ଏମିଲିୟା ଦୁଃଖ ଅନୁଭବ କରେନାହିଁ । ସେ ହୁଏତ ଭାବେ ମୋର ଅନୁପସ୍ଥିତି ଅପରିହାର୍ଯ୍ୟ...ମୋ ଉପରୁ ତାର ପ୍ରେମ ଭଲପାଇବା କମି ଯାଇଛି । ହୁଏତ ସେ ମୋତେ ମୋଟେ ଭଲ ପାଏନା । ଆମଭିତରେ ଆଉ ସେ ଅନ୍ତରଙ୍ଗତା ନାହିଁ, ଆମରି ଭଲ ପାଇବା ଭିତରେ, ପ୍ରେମ ଭିତରେ ନାହିଁ ସେହି ଆନ୍ତରିକତା, ନିଶ୍ଚୟ ଏମିତି କିଛି ଘଟିଛି ଯାହାଫଳରେ ଏମିଲିୟା ହରେଇ ଦେଇଛି ତାର ପ୍ରେମାବେଗ ଆଉ ସୃଷ୍ଟି ହୋଇଛି ଗୋଟାଏ ଅଭାବନୀୟ ପରିସ୍ଥିତିର... ।

 

ଯେତେବେଳେ ବାତ୍ତିସତାଙ୍କ ସହିତ ମୋର ପ୍ରଥମ ସାକ୍ଷାତ ହୋଇଥିଲା, ସେତେବେଳେ ସଂପୂର୍ଣ୍ଣ ଅଚଳ ନ ହେଲେ ବି ମୋର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ । ଏଥିରୁ ଉଦ୍ଧାର ପାଇବାର ଦାରିଦ୍ର୍ୟର ସକଳ ନିପୀଡ଼ନକୁ ନିରବରେ ସହିନେବା ଛଡ଼ା ଅନ୍ୟ କୌଣସି ଉପାୟ ନ ଥିଲା । ....ଗୋଟାଏ ଫ୍ଲାଟ ଲୀଜ ନେଇଛି । ଲୀଜ୍‌ର ପୁରା ଟଙ୍କା ଦେଇପାରି ନାହିଁ, କେଉଁଠୁ ଅର୍ଥ ଆସିବ ତାହା ବି ଠିକ୍‌ କରି ପାରିନାହିଁ । ଦୁଇଟି ବର୍ଷ ବିତେଇ ଦେଇଛି ଭଡ଼ାଘରେ । ଏମିଲିୟା ବ୍ୟତୀତ ଅନ୍ୟ କୌଣସି ସ୍ତ୍ରୀ ହୋଇଥିଲେ ଏହି ସାମୟିକ ବ୍ୟବସ୍ଥାରେ ହୁଏତ ରାଜି ହୋଇ ନ ଥାନ୍ତା । ସ୍ୱାମୀ ପ୍ରତି ଏମିଲିୟାର ଥିଲା ଗଭୀର ପ୍ରେମ, ଅନୁରାଗ ଯାହା ଫଳରେ ସମସ୍ତ ଅଭାବ ଅସୁବିଧାକୁ ପଛକୁ ପକେଇ ସେ ମୋତେ ବିବାହ କରିବାକୁ ରାଜି ହୋଇଥିଲା । ସତରେ ଏମିଲିୟା ଥିଲା ଆଦର୍ଶ ଗୃହିଣୀ । କିନ୍ତୁ ଗୃହ ପ୍ରତି, ଆପଣାର ଏକ ସ୍ୱତନ୍ତ୍ର ନିରାପଦ ନୀଡ଼ ପ୍ରତି ଥିଲା ତାର ତୀବ୍ର ଆକର୍ଷଣ । ତାକୁ ଯଦି କେବଳ ନାରୀ ଜାତିର ସ୍ୱଭାବଜାତ ପ୍ରବଣତା ବୋଲି ନାମିତ କରାଯାଏ ତେବେ ଭୁଲ ହେବ—ଏ ଆଗ୍ରହ ଅନେକଟା ପ୍ରାୟ କ୍ଷୁଧା ଭଳି ଦୁର୍ବାର, କାମନା ଭଳି ଉଦ୍‌ବେଳ । ଏହା କେବଳ ଏମିଲିୟାର ବ୍ୟକ୍ତିଗତ କ୍ଷୁଧା ନୁହେଁ, ବଂଶଗତ, ପାରମ୍ପାରିକ । ପୁରୁଷାନୁକ୍ରମେ ପ୍ରତି ରକ୍ତ ବିନ୍ଦୁରେ ସଂକ୍ରମିତ ।

 

ଗରିବ ଘରେ ଏମିଲିୟାର ଜନ୍ମ । ମୋ ସହିତ ଯେତେବେଳେ ତାର ପରିଚୟ ହୁଏ ସେ ସେତେବେଳେ ଥିଲା ଗୋଟାଏ ବେସରକାରୀ ଫାର୍ମର ଟାଇପିଷ୍ଟ । ସମାଜରେ ଏଭଳି ଦଳେ ଲୋକ ଅଛନ୍ତି ଯେଉଁମାନେ ଉତ୍ତରାଧିକାର ସୂତ୍ରରେ ବଞ୍ଚିତ, ଛୋଟ ଗୋଟାଏ ଆଶ୍ରୟ ବା ନୀଡ଼ରଚନାର ଆକାଂକ୍ଷା ଯେଉଁମାନେ ପୁରୁଷାନୁକ୍ରମେ ପୂରଣ କରିବାରେ ଅକ୍ଷମ । ସେହିମାନଙ୍କ ଅନ୍ତରତଳର ଗୋପନ ଅପୂର୍ଣ୍ଣ ଆଶା ଯେମିତି ସଂପୂର୍ଣ୍ଣ ଅଲକ୍ଷ୍ୟରେ ପ୍ରକାଶ ପାଇଥିଲା ଏମିଲିୟାର ସୁପ୍ତ ବାସନା ଭିତରେ । ଜାଣେନା—ବିବାହ ପରେ ତାର ସ୍ୱପ୍ନ ସଫଳ ହେବ ଏ ଦୂରାଶା ସେ କରିଥିଲା କି ନାହିଁ । ତଥାପି ମନେପଡ଼ୁଛି ଦୁହିଁଙ୍କ ଭିତରେ ବିବାହ ହେବା—ସ୍ଥିର ନିଶ୍ଚିତ ହେବାପରେ ଯେତେବେଳେ ତାକୁ ଜଣାଇଲି ଯେ ମୋର ନିଜର ଘର ନାହିଁ ଏବଂ ଆପାତତଃ ତାକୁ ଗୋଟାଏ ସଜ୍ଜିତ କକ୍ଷରେ ସନ୍ତୁଷ୍ଟ ରହିବାକୁ ପଡ଼ିବ ସେତେବେଳେ ତାର ଦୁଇଆଖି ସଜଳ ହୋଇ ପଡ଼ିଥିଲା । କୌଣସି ପ୍ରକାରେ ସେ ଅଶ୍ରୁ ସମ୍ୱରଣକରି ନେଲା । ଭାବିଲି—କେବଳ ସ୍ୱପ୍ନ ବିଫଳ ହେବାର ହତାଶାରେ ନୁହେଁ, ସେହି ସ୍ୱପ୍ନର ଅସଲରୂପ ବାସ୍ତବ ସହିତ କେତେ ବେସାମିଲ ତାହା ଦେଖି ହିଁ ଅଶ୍ରୁ ଜମିଛି ତାର ଆଖିରେ । ତଥାପି ସ୍ୱପ୍ନ ଏମିଲିୟା ନିକଟରେ ଅର୍ଥହୀନ ବା ଅଳିକ ନୁହେଁ । ସ୍ୱପ୍ନ ଆଉ କଳ୍ପନା ଭିତରେ ସେ ଯେପରି ବଞ୍ଚି ରହିଛି !

 

ପ୍ରଥମ ଦୁଇଟି ବର୍ଷ ଆମେ ଗୋଟାଏ ସଜ୍ଜିତ କକ୍ଷରେ ବାସ କଲୁ । ଏମିଲିୟା ଯଥାସାଧ୍ୟ ଚେଷ୍ଟାକରି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିଥାଏ । ଛୋଟା ଗୋଟାଏ ଘରର ସୀମିତ ଆୟତନ ଭିତରେ ରହି ବି ସେ ଭାବୁଥିଲା ଯେ ନିଜର ଘରେ ରହିଛି । ନିଜର ହାତରେ ଜିନିଷପତ୍ର ସଜେଇ ରଖି ସୁକୋମଳ ଶଯ୍ୟା ରଚନା କରୁଥିଲା । ତଥାପି ତାର ଆପ୍ରାଣ ଚେଷ୍ଟା ସତ୍ତ୍ୱେ ଆଗଭଳି ଅପରର–ତାର ନିଜର ନୁହେଁ । ତେଣୁ ଆମ ଦୁହିଁଙ୍କ ପାଇଁ ମାୟାପୁରୀ ରଚନା କରିବାର ଇଚ୍ଛା ଏମିଲିୟାର ଅପୂରଣ ରହିଯାଏ । ମଝିରେ ମଝିରେ ଶ୍ରାନ୍ତ ନିରାଶହୋଇ ଶାନ୍ତ ଅଥଚ ସ୍ପଷ୍ଟ କଣ୍ଠରେ ଅନୁଯୋଗ କରେ ଏ ଦୁଃସହ ଜୀବନ ଯାତ୍ରା ଆଉ କେତେ ଦିନ ଚାଲିବ, କୁହ-? ଜାଣୁଥିଲି ତାର ଏ ଅନୁଯୋଗ ଭିତରେ ଲୁଚି ରହିଛି ହୃଦୟର ବେଦନା । ମନେ ମନେ ସଂକଳ୍ପ କରୁଥିଲି ଯେମିତି ହେଉ ତାର ଇଚ୍ଛା ପୂର୍ଣ୍ଣ କରିବାକୁ ହେବ, ସନ୍ତୁଷ୍ଟ କରିବାକୁ ହେବ ଏମିଲିୟାକୁ-

 

ପରିଶେଷରେ ସିଦ୍ଧାନ୍ତ କଲି ଗୋଟାଏ ଫ୍ଲାଟ୍‌ ଲୀଜ୍‌ ନେବି । ସେଯାଏ ନେବାର ସଂଗତି ହୋଇନାହିଁ । ତଥାପି ଭାବିଲି, ଏମିଲିୟା କଷ୍ଟ ପାଉଛି—ଦିନେ ନା ଦିନେ ହୁଏତ ସେ ସହ୍ୟର ସୀମା ଲଙ୍ଘନ କରିଯିବ । କିଛି ଟଙ୍କା ପାଇଥିଲି । କିଛି ଧାର କରି ପ୍ରଥମ କିସ୍ତି ପରିଶୋଧ କଲି । ପ୍ରିୟତମା ପତ୍ନୀ ପାଇଁ ଆପଣାର ନୀଡ଼ ରଚନା କରି ପୁରୁଷ ଯେଉଁ ତୃପ୍ତି ପାଏ ସେ ତୃପ୍ତି ମୁଁ ପାଇ ପାରିଲି ନାହିଁ । ପକ୍ଷାନ୍ତରେ, କେତୋଟି ମାସ ପରେ ଦ୍ୱିତୀୟ କିସ୍ତିର ଟଙ୍କା ପରିଶୋଧ କରିବା ଚିନ୍ତାରେ ମନ ଅଧିର ହୋଇ ଉଠିଲା । କେବଳ ଏଲିମିୟା ପାଇଁ ଅବିବେକୀ ଭଳି ଏମିତି ଗୋଟାଏ କାମ କରିବାକୁ ବାଧ୍ୟ ହୋଇଛି । ତେଣୁ ତା ଉପରେ ବିତୃଷ୍ଣା ଆସିଲା ।

 

ଯାହାହେଉ ଏମିଲିୟାକୁ ଜଣାଇଲି—ସବୁ ଠିକ୍‌ ହୋଇ ଯାଇଛି...। ନୂତନ ଫ୍ଲାଟରେ ଗୃହ ପ୍ରବେଶ ଦିନ ଏମିଲିୟାର ଆବେଗ ଦେଖି ନିଜର ଚିନ୍ତା କେତେଦିନ ପାଇଁ ଭୁଲିଗଲି ।...କହିଛି ଏମିଲିୟାର ମନରେ ଥିଲା ଗୃହ ରଚନାର ଦୁର୍ବାର ଆକାଂକ୍ଷା । ମୋର ହୃଦୟ ତନ୍ତ୍ରୀରେ ଧ୍ୱନିତ ହେଲା ସେହି ସୁର । ମନେହେଲା ଏହି ଫ୍ଲାଟଟି ଯୋଗାଡ଼ କରି ଏମିଲିୟାର ଆଖିରେ ପ୍ରିୟତର ହୋଇ ଉଠିଛି । ଦୈହିକ ସଂପର୍କରେ ଆହୁରି ପାଖେଇ ଆସିଛି । ଆହୁରି ଅନ୍ତରଙ୍ଗ ହୋଇ ପଡ଼ିଛି ।

 

ଦୁହେଁ ମିଶି ଫ୍ଲାଟ୍‌ଟା ଦେଖିବାକୁ ଗଲୁ । ନିର୍ଜ୍ଜନ ସନ୍ତସନ୍ତିଆ ଘରଗୁଡ଼ିକ ବୁଲି ବୁଲି ଦେଖିଲା ଏମିଲିୟା । କେଉଁ ଘରଟି କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବ, କେଉଁ ଘର କେମିତି ସଜାଯିବ ତାକୁ କହିଲି । ଘର ଦେଖା ଶେଷ ହେଲା । ଝରକା ଖୋଲି ବାହାରର ଦୃଶ୍ୟ ଦେଖିବା ପାଇଁ ଆଗେଇ ଯାଉଥିଲି । ମୋ ଦେହରେ ତା ଦେହର ସମ୍ପୂର୍ଣ୍ଣ ଭାର ଥୋଇ ଦେଇ ଏମିଲିୟା ତୁନି ତୁନି କହିଲା, ଗୋଟାଏ ଚୁମା ଦିଅନା ପ୍ରିୟ ।...ପ୍ରେମ ନିବେଦନ କରିବାରେ ସେ ସଦା ସର୍ବଦା ସତର୍କ ଓ ଲଜ୍ଜାଶୀଳା । ତାର ଏହି ଅପ୍ରତ୍ୟାଶିତ ଅଭିନବ ଆଚରଣ ଓ କଣ୍ଠସ୍ୱରରେ ଉତ୍ତେଜିତ ହୋଇ ତାକୁ ଚୁମ୍ୱନ କଲି । ସେ ମୋତେ ତାର ଦୁଇବାହୁରେ ଚାପି ଧରି ଆହୁରି ନିକଟକୁ ଚାଲି ଆସିଲା । ସେମିଜ୍‌ ଆଉ ବ୍ଲାଉଜ ବୋତାମ ଖୋଲି ତାର ସମଗ୍ର ଦେହଟି ମୋର ଦେହ ଉପରେ ଥୋଇ ଦେଲା । ତାର ପରିପୁଷ୍ଟ ସ୍ତନ, ଶ୍ୱେତମର୍ମର ଜାନୁ ଆଉ ନାଭିମଣ୍ଡଳ ମୋର ସମଗ୍ର ଶରୀରରେ ସୃଷ୍ଟିକଲା ବାଡ଼ବାଗ୍ନିର ଦହନ । ଚୁମ୍ୱନ ପର୍ବ ଶେଷ ହେବା ପରେ ଅସ୍ପଷ୍ଟ ନିଶ୍ୱାସ ଭଳି ସ୍ୱଚ୍ଛ ଅଥଚ ସୁଶ୍ରାବ କଣ୍ଠରେ ସେ ଯେମିତି ମୋତେ କହିଲା–ହୁଏତ ସେଭଳି ମୋର ମନେହେଲା, ଆସ ।

 

ଏମିଲିୟା ଉତପ୍ତ ଦେହର ଭାରାରେ ମୁଁ ଚଟାଣ ଉପରେ ପଡ଼ି ଯାଉଥିଲି ।

 

ମାଟିରେ, ଧୂଳିମଳିର ସ୍ତୁପିକୃତ ଆବର୍ଜ୍ଜନା ଉପରେ, ଯେଉଁ ଝରକାଟି ଖୋଲିବାକୁ ଯାଉଥିଲି ଠିକ୍‌ ତାରି ତଳେ ଚାଲିଲା ଆମରି ପ୍ରେମଲୀଳା । ନଗ୍ନ ସୁପୁଷ୍ଟ ସ୍ତନର ବାରମ୍ୱାର ଚାପ ଦେଉଥିଲା ଏମିଲିୟା ମୋର ବଳିଷ୍ଠ ପେଶିରେ । ଅତୃପ୍ତା, ଅଭିଶପ୍ତା କିନ୍ନରୀର ରତିର ଲାଳସା ଯେମିତି ଅସୀମ । ସେ ଚାହେଁ ଆଶ୍ଳେଷ, କୁଣ୍ଠାହୀନ, ଅନ୍ତହୀନ ରତି । ତାର ସ୍ୱର୍ଣ୍ଣକାନ୍ତି ସେହି ମୁହୂର୍ତ୍ତରେ କାମନାକୁଟିଳ ହୋଇ ପଡ଼ିଲା । ଅପରିସୀମ ତୃପ୍ତିରେ ସେ ମୁଦିଛି ତାର ଚକ୍ଷୁ, ଶିଥିଳ ନୀବିବନ୍ଧନକୁ ସଜାଡ଼ି ନେବାର କୌଣସି ପ୍ରୟୋଜନ ସେ ମନେ କରିନାହିଁ । ମୋ ଆଗରେ ପଡ଼ି ରହିଛି ଉଲଙ୍ଗ ପ୍ରିୟଦର୍ଶନା ଆସଙ୍ଗଲୋଭୀ ଏମିଲିୟା ରମଣକ୍ଳାନ୍ତ, ତୃପ୍ତ ।

 

ଏମିଲିୟାର ଅସଂଯତ ଅନଭ୍ୟସ୍ତ ଆଲିଙ୍ଗନର ଆକୁଳତା ଭିତରେ ମୁଁ ଅନୁଭବ କଲି ମୋ ପ୍ରତି ତାର ପ୍ରେମର ଗଭୀରତା । ବୁଝି ପାରିଲି ତାର ଆକସ୍ମିକ କାମାବେଗ ଭିତରେ ସ୍ୱତଃସ୍ଫୁର୍ତ୍ତ ଭାବରେ ଆତ୍ମ ପ୍ରକାଶ କରିଛି ଗୋଟାଏ ନିରାପଦ ଆଶ୍ରୟ ସ୍ଥାପନ ପାଇଁ ଅନ୍ତରର ସ୍ୱପ୍ନବାସନା । ଧୂଳିଧୂସର ମଳିନ ଚଟାଣରେ, ନିର୍ଜ୍ଜନ ଗୃହର ଅନ୍ଧକାରରେ ସେହି ନିବିଡ଼ ଆଲିଙ୍ଗନ ଭିତରେ ସେ ଦେହଦାପ କରିଛି ତାର ଗୃହଦାତାକୁ, ସ୍ୱାମୀକୁ ନୁହେଁ । ଫାଙ୍କା ଘର ଗୁଡ଼ିକର ରଙ୍ଗ ଆଉ ଚୁନର ଗନ୍ଧରେ ରୋମାଞ୍ଚ ଜାଗିଥିଲା ତାର ଦେହରେ, ପୁଲକ ପ୍ରବାହ ଛୁଟିଥିଲା ତାର ଅନ୍ତରର ଅନ୍ତସ୍ଥଳରେ । ଆଦର, ଅନୁରାଗ ସୋହାଗ ଓ ପ୍ରେମରେ ତାର ଦେହ ଆଉ ଏହି ବଣ୍ୟ ଉତ୍ତେଜନା ଓ ରମଣ ଇଚ୍ଛା ଜାଗ୍ରତ କରିବା ସମ୍ଭବ ନୁହେଁ ।

 

ନୂତନ ଗୃହ ପ୍ରବେଶ ପରେ ଦୁଇମାସ କଟିଯାଇଛି । ଏମିଲିୟାର ନାମରେ ହିଁ ଚୁକ୍ତି ପତ୍ର ସଂପାଦନ କରିଛି । ତାର କାରଣ—ମୁଁ ଜାଣେ ସେଇୟା ହିଁ ତାର ଇଚ୍ଛା । ମୋର ଆୟ ସୀମାବଦ୍ଧ ହେଲେହେଁ ଛୋଟ ରକମର ଗୋଟାଏ ଦୁଇଟି ଆସବାବ ପତ୍ର କିଣା ହୋଇ ଆସିଛି । ପ୍ରଥମ ଆବେଗ କଟିଯାଇଛି । ଭବିଷ୍ୟତ ସମ୍ୱନ୍ଧରେ ମନରେ ଜାଗିଛି ଚିନ୍ତା । ଭଦ୍ର ଭାବରେ ଚଳ ପ୍ରଚଳ ହେବା ଭଳି ଆୟ କରୁଛି, ଏଭଳିକି ଇଚ୍ଛା କଲେ କିଛି କିଛି ସଂଚୟ ବି କରାଯାଇ ପାରିବ । କିନ୍ତୁ ସେହି ସଞ୍ଚୟ ଟଙ୍କାରୁ ଫ୍ଲାଟର କିସ୍ତି ପରିଶୋଧ କରିବା ସମ୍ଭବ ନୁହେଁ । ସବୁଠୁ ମୁସ୍‌କିଲ ଏହି ଯେ ଏମିଲିୟାକୁ ଜଣାଇବାର ଉପାୟ ନାହିଁ । କାରଣ ତାର ମନର ଆନନ୍ଦଟିକ କାଢ଼ିନେବା ଘୋର ଅବିଚାର ହେବ । ତଥାପି ସେ ସମୟରୁ ଏମିଲିୟା ପ୍ରତି ମୋର ପ୍ରେମର ତୀବ୍ରତା କମି ଯାଉଥାଏ । ଏମିଲିୟା ମୋର ଅବସ୍ଥା ସମ୍ୱନ୍ଧରେ ସଚେତନ ହେଲେହେଁ ମୋର ଦୁଃଶ୍ଚିନ୍ତାରେ ମୋଟେ ମୁଣ୍ଡ ପୁରାଏ ନାହିଁ । ମୋ ମନର ଅଶାନ୍ତି ଓ ଉଦବେଗ ପ୍ରତି ଯେମିତି ତାର ମୋଟେ ଖିଆଲ ହିଁ ନାହିଁ । ମୁଁ ବିବ୍ରତ ବିପନ୍ନ, ଚିନ୍ତାଗ୍ରସ୍ତ—ଅଥଚ ସେ ନିର୍ଲିପ୍ତ, ନିର୍ବିକାର । ଏହା ତାର ସ୍ୱାର୍ଥପରତା...ହୁଏତ ତାର ଅବିବେକିତା....... ।

 

ମାନସ ପଟରେ ନିଜର ଯେଉଁ ମୂର୍ତ୍ତି ଅଙ୍କନ କରିଥିଲି ତାର ରୂପ ବଦଳିଗଲା ଦୁର୍ଭାବନାରେ । ମନରେ ଭାବୁଥିଲି, ମୁଁ ଜଣେ ସଂସ୍କୃତିବାନ, ରୁଚିଶୀଳ, ବିଚକ୍ଷଣ ବିଦ୍ୱାନବ୍ୟକ୍ତି; ନାଟକ ରଚନା ଦିଗରେହିଁ ମୋର ଆଗ୍ରହ ବେଶି । ମନର ସେହି ଛବିଟି ଦେହରେ ବି ପ୍ରତିଫଳିତ ହୋଇଥିଲା । ଭାବୁଥିଲି ମୁଁ ତରୁଣ । ରୁଗ୍‌ଣ ପାତଳା ଚେହେରା, ଦୃଷ୍ଟି ଶକ୍ତିର କ୍ଷୀଣତା ମାନସିକ ଚାପଲ୍ୟ, ମଇଳା ପୋଷାକପତ୍ର ଏ ଉଦାସୀନତା ଯେମିତି ମୋର ଭବିଷ୍ୟତ ସାହିତ୍ୟିକ ଜୀବନର ଗୌରବ । କିନ୍ତୁ ସେ ଦିନର ନିର୍ମମ ଚିନ୍ତାକ୍ଳିଷ୍ଟ ଅବସ୍ଥାରେ ସେହି ସମ୍ମୋହନ ମୂର୍ତ୍ତିଟି ଆଉ ଦେଖିବାକୁ ପାଇଲି ନାହିଁ । ଦେଖିଲି ଗୋଟାଏ ନିସ୍ୱ ସଇତାନର ଜାଲରେ ପଡ଼ିଛି । ପତ୍ନୀର ପ୍ରେମକୁ ଉପେକ୍ଷା କରି ନ ପାରି ନିଜକୁ ଯେମିତି ହଜେଇ ଦେଇଛି । ମର୍ମନ୍ତୁଦ ବେଦନା ସହିତ ଆଉ କେତେଦିନ ସଂଗ୍ରାମ କରିବାକୁ ପଡ଼ିବ—କିଏ ଜାଣେ ?

 

ଦୈହିକ ରୂପାନ୍ତର ବି ଲକ୍ଷ୍ୟ କଲି । ଜଣେ ଦରିଦ୍ର ସାମ୍ୱାଦିକ, ଶସ୍ତା ଦ୍ୱିତୀୟ ଶ୍ରେଣୀ ସାମୟିକ ପତ୍ରର ଚିତ୍ର ସମାଲୋଚକ ହୁଏତ କୌଣସି ସରକାରୀ ବା ବ୍ୟବସାୟ ପ୍ରତିଷ୍ଠାନରେ ସାଧାରଣ ଜଣେ କିରାଣୀ, ଯିଏ ତାର ପତ୍ନୀକୁ ଖୁସି ରଖିବା ପାଇଁ ନିଜର ଦୁର୍ଭାବନା ତା ପାଖରେ ପ୍ରକାଶ ନ କରି—ଅର୍ଥର ସନ୍ଧାନରେ ସହରର ଆଦ୍ୟପ୍ରାନ୍ତ ଘୁରିବୁଲେ । ଦେଣାର ଦୁଃଶ୍ଚିନ୍ତାରେ ରାତିରେ ଭଲଭାବରେ ଶୋଇ ପାରେନା । ଆଖିରେ ଟଙ୍କା ଛଡ଼ା ଆଉ କିଛି ଦେଖା ଯାଏନା । ସ୍ୱପ୍ନେ, ଜାଗରଣେ ଅର୍ଥ ବ୍ୟତୀତ ଆଉ କୌଣସି ଭାବନା ନାହିଁ । ଟଙ୍କା ଛଡ଼ା ପୃଥିବୀରେ ଯେମିତି ଆଉ ଦ୍ୱିତୀୟ ବସ୍ତୁ ନାହିଁ ।

 

ବଡ଼ କରୁଣ ଏ ମୂର୍ତ୍ତି—ବଡ଼ ବେଦନା ଦାୟକ ଏହି ଚିନ୍ତା—ବିବର୍ଣ୍ଣ, ମଳିନ, ମର୍ଯ୍ୟାଦାହୀନ । ଏହା କେବଳ ଜଣେ ହତଭାଗ୍ୟ ସାହିତ୍ୟିକ ଜୀବନର ମାମୁଲି ଚିତ୍ର–ଅତି ସାଧାରଣ ।

 

ଘୃଣାରେ ଅନ୍ତର ଭରି ଉଠିଲା । କାଳକ୍ରମେ ମୋର ସବୁ ନଷ୍ଟ ହୋଇ ଯିବ । ଏହା କ’ଣ ହେବ ମୋର ଶେଷ ପରିଣତି ? ତେବେ ହଁ ଗୋଟାଏ କଥା–ମୋର ପରିଣିତା ପତ୍ନୀ, ଭଗବାନଙ୍କୁ ସାକ୍ଷୀ ରଖି ଯାହାର ହାତଧରିଛି ସେ ଧାରଣା ବି କରିପାରେ ନାହିଁ ଯେ ସେ ମୋର ଅଭିରୁଚି, ଉଚ୍ଚାକାଂକ୍ଷା, ସୁଖ ଦୁଃଖର ସମଭାଗିନୀ ହୋଇ ପାରୁନାହିଁ । ଏମିଲିୟା ଅସାଧାରଣ ସୁନ୍ଦରୀ, ଅଶିକ୍ଷିତା ଟାଇପିଷ୍ଟ । ତାହାରି ରକ୍ତ ସ୍ରୋତରେ ହୁଏତ ରହିଛି ଶ୍ରେଣୀଗତ ସଂସ୍କାର ଓ ଉଚ୍ଚାଭିଳାଷ । ସେ ଯଦି ମୋତେ ଠିକ୍‌ ବୁଝିପାରନ୍ତା—ତାହାହେଲେ ନାଟ୍ୟକାର ଭାବରେ ସାଫଲ୍ୟର ମୁଁ ଦରିଦ୍ରଭାବେ କୌଣସି ଷ୍ଟୁଡ଼ିଓରେ କିମ୍ୱା ସୁସଜ୍ଜିତ କକ୍ଷରେ ବିଶୃଙ୍ଖଳ କଷ୍ଟକର ଜୀବନ ଯାପନର ବେଦନା ଅମ୍ଳାନ ବଦନରେ ବରଣ କରି ନେବାର କୁଣ୍ଠା ପ୍ରକାଶ କରନ୍ତି ନାହିଁ । କିନ୍ତୁ ମୋର ସ୍ତ୍ରୀ ଚାହେଁ ତାର ନିଜସ୍ୱ ଗୋଟାଏ ଗୃହ । ତାହାରି ପାଇଁ ଗୃହ ନିର୍ମାଣ କରିବାକୁ ହେବ–ରଚନା କରିବାକୁ ହେବ ନୀଡ଼ । ହତାଶାର ମେଘ ସମଗ୍ର ମନକୁ ଆଚ୍ଛନ୍ନ କରି ପକେଇଲା-। ହୁଏତ ତାହାରି ପାଇଁ ମୋର ସାହିତ୍ୟକ ହେବାର ଆଶା ତ୍ୟାଗ କରିବାକୁ ପଡ଼ିବ । ସେଥିପାଇଁ ମୋର ବେଦନା ଓ ଅସହାୟତାର ମାତ୍ରା ଆହୁରି ବଢ଼ିଗଲା । ଅନୁଭବ କଲି ଅଗ୍ନି ଶିଖାରେ ଲୁହାକୁ ପୋଡ଼ି ଯେମିତି ନରମ କରାଯାଏ ଠିକ୍‌ ସେହିଭଳି ଦୁଃଖର ଦହନରେ ମୋର ଅନ୍ତର କୋମଳ ଓ ଅବନମିତ ହୋଇ ପଡ଼ିଛି । ଧନୀ, ଅଭିଜାତ ଗୋଷ୍ଠିର ମଣିଷ ଯିଏ ଏଭଳି ଦୁଃଖ ଭୋଗ କରନ୍ତି ନାହିଁ ସେମାନଙ୍କ ପ୍ରତି ମନରେ ଇର୍ଷା ହେଲା । ଅନିଚ୍ଛାସତ୍ତ୍ୱେ ଏହି ଈର୍ଷାର ଭାବ ବ୍ୟକ୍ତି ଓ ଅବସ୍ଥା ବିଶେଷର ସୀମା ଡେଇଁ ପଡ଼ିଲା । ଦାରିଦ୍ର୍ୟ ପ୍ରତି ମୋର ବିଦ୍ୱେଷ ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହର ରୂପ ନେଲା । ଏ ବିଦ୍ରୋହ କେବଳ ମୋର ଦେହ, ମୋର ମନ, ମୋର ଆତ୍ମା ଉପରେ, ଅନ୍ୟାୟ ବିରୁଦ୍ଧରେ ନୁହେଁ । ଯେଉଁମାନେ ମୋ ଭଳି ଅନର୍ଥକ କଷ୍ଟ ପାଉଛନ୍ତି ସେ ସମସ୍ତଙ୍କ ପ୍ରତି ହେଉଥିବା ଅବିଚାରର ପ୍ରତିବାଦ ।

 

ଏକମାତ୍ର ଲକ୍ଷ୍ୟ ରଖି ମୋର ମନର ଚିନ୍ତା ବରାବର ଗୋଟାଏ ପଥ ଅନୁସରଣ କରୁଥିଲା । ତେଣୁ ମୋର ଅନ୍ତର ତଳର ଘୃଣା, କଳ୍ପନା ଓ ମନର ଅଦୃଶ୍ୟ ରୂପାନ୍ତର ସମ୍ୱନ୍ଧରେ ସଂପୂର୍ଣ୍ଣ ସଚେତନ ଥିଲି । ଅନୁଭବ କଲି ଯେଉଁ ରାଜନୈତିକ ଦଳ ସମାଜରୁ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ପ୍ରାଣପାତ ସଂଗ୍ରାମ କରୁଛନ୍ତି ସେମାନଙ୍କ ପ୍ରତି ମୋର ମନ ସମବେଦନା ଜ୍ଞାପନ କରୁଛି-। ହୁଏତ ମୋର ଦୁଃଖ କଷ୍ଟ ପାଇଁ ଦାୟୀ ସମାଜ । ଏହି ସମାଜ ତାର ସୁଯୋଗ୍ୟମାନଙ୍କୁ ପଙ୍ଗୁକରି ରଖିଛି ଆଉ ପୋଷଣ କରୁଛି ଯେତେ ଅଯୋଗ୍ୟ ମାନଙ୍କୁ । ସାଧାରଣତ ଯେଉଁମାନେ ଅପେକ୍ଷାକୃତ ମୁଷ୍ଠିମେୟ, ସଭ୍ୟ ଓ ସରଳ—ସେମାନେ ଏକଥା ଜାଣନ୍ତି ନାହିଁ । ଗହନ ଚେତନା ଭିତରେ ଏକ ରହସ୍ୟମୟ ରାସାୟନିକ ରୂପାନ୍ତରର ଫଳସ୍ୱରୂପ ଅର୍ଥନୀତି ନିଏ ପରୋପକାରର ରୂପ, ଘୃଣା ପ୍ରେମ ହୋଇ ଫୁଟିଉଠେ; ଆଶଙ୍କା ପରିଣତ ହୁଏ ଦୁର୍ଜ୍ଜୟ ସାହସରେ । ମୁଁ ମୋର ନିଜ ଉପରେ ଦୃଷ୍ଟି ରଖିଥିଲି, ପରୀକ୍ଷା କରୁଥିଲି ନିଜକୁ । ତେଣୁ ସବୁ ବିଷୟ ସ୍ଫଷ୍ଟ ଦୃଷ୍ଟିରେ ଦେଖି ପାରୁଥିଲି । ମୁଁ ଯେମିତି ଅପର ବ୍ୟକ୍ତିକୁ ଦେଖୁଛି ନିଜକୁ ନୁହେଁ । ତଥାପି ଜାଣୁଥିଲି ଯେ ଜନତାର ସ୍ୱାର୍ଥ ସହିତ ନିଜର ସ୍ୱାର୍ଥକୁ ଜଡ଼ିତ କରୁଛି । ଯୁଦ୍ଧୋତ୍ତର ଯୁଗରେ ମୁଁ ମଧ୍ୟ କୌଣସି ରାଜନୈତିକ ଦଳର ସଦସ୍ୟ ହେବାର ଆଶା ପୋଷଣ କରି ନ ଥିଲି । ମୋର ମନଟାହିଁ ଥିଲା ସଂପୂର୍ଣ୍ଣ ଭିନ୍ନ-। ତେଣୁ ବ୍ୟକ୍ତିଗତ ସ୍ୱାର୍ଥସିଦ୍ଧି ପାଇଁ ରାଜନୀତିରେ ଅଂଶଗ୍ରହଣ କରି ପାରିନାହିଁ, କୌଣସି ରାଜନୈତିକ ଶିବିରରେ ପାଦ ଦେଇ ନାହିଁ । କିନ୍ତୁ ଏ କ’ଣ ? ମୋର ଚିନ୍ତାଧାରା, କଥାବାର୍ତ୍ତା ଆଉ ଆଚରଣ ଧୀରେ ଧୀରେ ପରିବର୍ତ୍ତନ ହୋଇ ଯାଉଛି, ଭାସିଯାଉଛି ବ୍ୟକ୍ତିଗତ ସ୍ୱାର୍ଥର ସ୍ରୋତରେ-। ତେଣୁ ବିରକ୍ତ ହୋଇ ପଡ଼ିଲି...ସାଧାରଣ ମଣିଷଠାରୁ ମୋର କ’ଣ କୌଣସି ପାର୍ଥକ୍ୟ ନାହିଁ, ସ୍ୱାତନ୍ତ୍ର୍ୟ ନାହିଁ ? ମଣିଷ ଜୀବନର ନବଜନ୍ମର ସ୍ୱପ୍ନ ଦେଖିବାକୁ ହେଲେ କ’ଣ ବିତ୍ତହୀନ ହେବା ଏକାନ୍ତ ପ୍ରୟୋଜନ ?

 

ମୋର ଜଣେ ବନ୍ଧୁ କେତେ ଦିନ ଧରି ମୋ ପଛରେ ଘୁରା ଫେରା କରୁଥିଲେ । କୌଣସି ଏକ ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ସେ ମୋ ମନରେ ବିଶ୍ୱାସ ଜନ୍ମେଇଲେ । ମୁଁ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହେଇଗଲି । ପର ମୁହୂର୍ତ୍ତରେ ବୁଝିପାରିଲି ତରୁଣ ଅଖ୍ୟାତ ପ୍ରତିଭାଧାରୀର ଯୋଗ୍ୟ କାର୍ଯ୍ୟ ମୁଁ କରି ନାହିଁ, ଦରିଦ୍ର ବୁଭୁକ୍ଷୁ ସାମ୍ୱାଦିକ କିମ୍ୱା ମସୀଜୀବୀ ଭଳି କାମ କରିଛି । ଯେଉଁମାନେ ପ୍ରତିଭାର ଧାର ଧାରନ୍ତି ନାହିଁ, ସେହିମାନେ ହିଁ ଗଢ଼ିଛନ୍ତି ପାର୍ଟି, ସଂଘ, ଦଳ ସବୁକିଛି ଆଉ କେତେକ ଶ୍ରମକାତର ମଲାଙ୍ଗ ଏମାନଙ୍କୁ ନେଇ ବ୍ୟବସାୟ ଚଲାନ୍ତି । ଏମାନଙ୍କ ମୁଣ୍ଡ ଉପରେ ଗୋଡ଼ ଦେଇ ସେମାନେ ବୋଲାନ୍ତି ନେତା, ମନ୍ତ୍ରୀ, ଦେଶଭକ୍ତ, ଲୋକତନ୍ତ୍ରର ସ୍ୱାଧୀନ ପ୍ରତିନିଧି ।

 

କିନ୍ତୁ ଗଲାକଥା ଶୋଚନା କରି ଲାଭ ନାହିଁ । ଯାହା ହେବାରେ ହୋଇ ଯାଇଛି । ଥରେ ପାର୍ଟିରେ ଯୋଗଦେଲେ ଆଉ ବାହାରି ଆସିବା ମୁସ୍କିଲ ।

 

ଏ ସଂବାଦ ଶୁଣି ଏମିଲିୟା କହିଥିଲା ଏଥର କେବଳ କମ୍ୟୁନିଷ୍ଟମାନେ ତୁମର କାମରେ ଆସିବେ ଆଉ ସମସ୍ତେ ବୟକଟ କରିବେ । ତାକୁ କହିବା ପାଇଁ ଇଚ୍ଛା ହେଲା, ତୁମକୁ ଖୁସି କରିବା ପାଇଁ ଫ୍ଲାଟଟା ନେଇ ନ ଥିଲେ ଆଜି ବୋଧହୁଏ କମ୍ୟୁନିଷ୍ଟ ହେବାକୁ ପଡ଼ି ନ ଥାନ୍ତା ।

 

କିନ୍ତୁ ସାହସ କରି କିଛି କହି ପାରିଲି ନାହିଁ ।

 

ସେଇଠି ଘଟଣାଟିର ଇତି ହେଲା ।

 

ଆମେ ନୂଆ ଘରକୁ ଉଠିଗଲୁ । ତା ଆରଦିନ ଦୈବକ୍ରମେ ବାତ୍ତିସତାଙ୍କ ସହିତ ଦେଖା ହେଲା । ସେ ମୋତେ ଗୋଟାଏ ଚିତ୍ର ସମ୍ପାଦନା ପାଇଁ ଆହ୍ୱାନ କଲେ । ମନଟା ଟିକିଏ ଶାନ୍ତ ହେଲା । ଦୀର୍ଘ ଦିନ ପରେ ଆନନ୍ଦିତ ହେଲି । ଭାବିଲି ଚାରି ପାଞ୍ଚୋଟି ଚିତ୍ର ନାଟ୍ୟ ଲେଖି ଋଣ ପରିଶୋଧ କରି ନିଶ୍ଚିନ୍ତ ହେବି । ତାପରେ ସାମ୍ୱାଦିକତା କରିବି, ଯୋଗସୂତ୍ର ସ୍ଥାପନ କରିବି ରଙ୍ଗମଞ୍ଚ ସହିତ ।

 

ଏହି ଅବସରରେ ଏମିଲିୟା ଉପରେ ମୋର ପ୍ରେମ ଆହୁରି ନିବିଡ଼ ହୋଇ ଉଠିଲା । ଭାବିଥିଲି ସେ ସ୍ୱାର୍ଥପର, ନିର୍ଲଜ ତେଣୁ ନିଜକୁ ନିଜେ ଧିକାର କରିବାକୁ ଲାଗିଲି । କିନ୍ତୁ ବେଶି ଦିନ ସ୍ଥାୟୀ ହୋଇ ରହିଲା ନାହିଁ ଏ ଅବସ୍ଥା । ମନର ଆକାଶ ଉପରେ ଛାଇଗଲା ଖଣ୍ଡେ ପାତଲା ମେଘ–ଗାଢ଼ କୃଷ୍ଣବର୍ଣ୍ଣ । ସମସ୍ତ ପାପ, ମଳିନତା ଆଉ କଳଙ୍କର ପ୍ରତିମୂର୍ତ୍ତି, ସମସ୍ତ ଅଶୁଭର ପ୍ରତୀକ ଗୋଟାଏ କୃଷ୍ଣବର୍ଣ୍ଣ ମେଘ ।

 

ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ମୋର ଦେଖା ହୋଇଥିଲା ବାତ୍ତିସତାଙ୍କ ସହିତ-। ଆମେ ଠିକ ତାର ଆଗଦିନ ନୂଆ ଫ୍ଲାଟକୁ ଆସିଥାଉ । କୋଠରୀ ଗୁଡ଼ିକ ସାଧ୍ୟମତେ ସଜେଇ ଥାଉ । ଘରଟା ଏତେ ବଡ଼ ବା ସୁଦୃଶ୍ୟ ନୁହେଁ । ଦୁଇଟି ମାତ୍ର ରୁମ୍‌—ଗୋଟାଏ ବଡ଼, ଆର ଗୋଟାକ ଚଳଣୀୟ । ବାଥ୍‌ରୁମ, ରୋଷେଇ ଶାଳ ଆଉ ଚାକର ବାକରଙ୍କ ରହିବା ଘର ଆଧୁନିକ ଫ୍ଲାଟ ଭଳି ଖୁବ୍‌ ଛୋଟ । ତା’ଛଡ଼ା ଛୋଟ ବାକ୍‌ସ ଭଳି ଅଳ୍ପ ଖାଲି ଯାଗା । ସେହି ସ୍ଥାନଟିକି ଏମିଲିୟା ତାର ପ୍ରସାଧନ କକ୍ଷ କରିବା ପାଇଁ ଠିକ୍‌ କରିଥାଏ । ଅପରିସର ରାସ୍ତା ଉପରେ ତିଆରି ଗୋଟାଏ ନୂତନ କୋଠାର ଦୁଇ ତାଲାରେ ଆମର ଫ୍ଲାଟଟି, ବେଶ ପରିଚ୍ଛନ୍ନ । ଘର ସାମନାରେ ଗୋଟାଏ ଛାୟାଘନ ଉଦ୍ୟାନ । ଭିତରେ ସର୍ପିଳ ପଥ, ରଙ୍ଗ ବେରଙ୍ଗ ଫୁଲରେ ସଜ୍ଜିତ ରୁଚିପୂର୍ଣ୍ଣ କୁଞ୍ଜ । ଫୁଲ ଉପରେ ଅସଂଖ୍ୟ ମହୁମାଛିର ଗୁଞ୍ଜରଣ । ମଝିରେ ମଝିରେ ଖାଲି ଜାଗା—ଘାସର ଲନ୍‌, ଛୋଟ ଛୋଟ ଘାସଫୁଲ । ଆଗରେ କୌଣସି ରାସ୍ତା ନାହିଁ, ଘରଟିକୁ ଲାଗି କୌଣସି ପ୍ରାଚୀର ନାହିଁ । ମନଖୁସି ତଳକୁ ଓହ୍ଲେଇ ବଗିଚା ଭିତରେ ବୁଲି ଆସି ହେବ ।

 

ଦ୍ୱିପ୍ରହରରେ ଆସିଥିଲୁ । ସମଗ୍ର ଦିନଟି ଯାକ ବ୍ୟସ୍ତତା ଭିତରେ କଟି ଯାଇଥାଏ—ଆମେ ସେଦିନ କେଉଁଠି ଖାଇଥିଲୁ ବା ଆମ ସାଥିରେ କେହି ଥିଲା କି ନାହିଁ ମନେ ନାହିଁ । କେବଳ ମନେ ପଡ଼ୁଛି—ରାତ୍ରିରେ ଶୟନ କକ୍ଷର ମଝିରେ ଥିବା ଲାଇଫ୍‌ ସାଇଜ ଦର୍ପଣଟା ଆଗରେ ଠିଆ ହୋଇ ନେକ୍‌ଟାଇ ଖୋଲୁଛି, ହଠାତ୍‌ ଦର୍ପଣ ଭିତରେ ଦେଖିବାକୁ ପାଇଲି ଏମିଲିୟାର ଛାୟା । ଗୋଟାଏ ତକିଆ ନେଇ ସେ ପାଖ ରୁମ୍‌କୁ ଯାଉଛି । ଅବାକ୍‌ ହୋଇ ପ୍ରଶ୍ନ କଲି, ଇୟେ କ’ଣ କରୁଛୁ ଏମିଲିୟା ? ନିଶ୍ଚଳ ଭାବରେ ଠିଆ ହୋଇ ଏତକ ଏକା ନିଶ୍ୱାସରେ କହି ପକେଇଲି । ଦରଜା ପର୍ଯ୍ୟନ୍ତ ଯାଇ ଫେରି ଆସିଲା ଏମିଲିୟା । କହିଲା, ମୁଁ ଆର ରୁମଟାରେ ଶୋଇଲେ ତୁମର କୌଣସି ଆପତ୍ତି ନାହିଁ ତ ?

 

ତାର ପ୍ରଶ୍ନରେ ଅବାକ ହୋଇ ପଡ଼ିଲି । କୌଣସି ଚିନ୍ତା ନ କରି କହିଲି—ଆଜି ରାତିଟା କଥା କହୁଛ ତ ?

 

ନା—ପ୍ରତ୍ୟହ । ଏମିଲିୟା କହିଲା, ବିଶ୍ୱାସ କର ଏଇଥିପାଇଁ ମୁଁ ନୂଆ ଘରଟିଏ ଖୋଜୁଥିଲି । ଝରକାଗୁଡ଼ିକ ଖୋଲାରଖି ମୁଁ ତୁମଭଳି ନିଶ୍ଚିନ୍ତରେ ଶୋଇ ପାରେନା । କୁକୁଡ଼ାର ଡାକ ଶୁଣିବା ମାତ୍ରକେ ନିଦ ଭାଙ୍ଗିଯାଏ—ଆଉ ନିଦ ଆସେନା......

 

ଦିନସାରା ମୁଣ୍ଡ ବଥାଏ । ତମେ ନିଶ୍ଚୟ କିଛି ମନେ କରିବ ନାହିଁ ? ମୋର ମନେହୁଏ ଦୁହେଁ ଅଲଗା ଶୋଇବାଟା ହିଁ ଭଲ । ମୁଁ ତାର ଇଙ୍ଗିତ ସ୍ପଷ୍ଟ ବୁଝି ପାରିଲି ନାହିଁ । ଏ ପୁଣି କି କଥା-? ଆଗେଇ ଆସି କହିଲି, ନା—ଏହା ହୋଇ ପାରେନା—ମୋଟେ ସମ୍ଭବ ନୁହେଁ । ଅଲଗା ଶୋଇବ କାହିଁକି ? ବିଛଣାରେ ନ ଶୋଇ ଗଦି ଉପରେ ଶୋଇବା ମୋଟେ ଆରାମପ୍ରଦ ନୁହେଁ ନିଶ୍ଚୟ...ତାଛଡ଼ା ଏହା ଆଗରୁତ ତୁମେ କେବେ ଅସୁବିଧା କଥା କହି ନାହଁ ।

 

ତଳକୁ ମୁହଁପୋତି ସେ କହିଁଲା, ସାହସ ହୁଏନାହିଁ ।

 

କହିଲି, ଦୁଇବର୍ଷ ଭିତରେ ଅନ୍ତତଃ ଦିନେ ହେଲେତ କହି ପାରିଥାନ୍ତ । ମୁଁ ଭାବିଥିଲି ତୁମେ ଅଭ୍ୟସ୍ତ ହୋଇପଡ଼ିଛ ।

 

ଯେମିତି ସେ ଖୁସି ହେଲା । ମୁହଁ ଟେକି ଏଥର ସେ କହିଲା, ନା–ଅଭ୍ୟାସ ହେଇନି–ମୋଟେ ନିଦ ହୁଏନା–ଆଉ.... । କଥାଟା ଶେଷ ନ ହେଉଣୁ ସେ ଯିବା ପାଇଁ ପାଦ ବଢ଼େଇଲା-। କହିଲି, ରୁହ,....ଝରକା ଗୁଡ଼ିକ ବନ୍ଦରଖି ଏଥର ଶୋଇବା ।

 

ତାପର ମୁହୂର୍ତ୍ତରେ ବୁଝି ପାରିଲି—ତାକୁ ମୁଁ ଅତିରିକ୍ତ ସ୍ନେହକରେ ବୋଲି ଏକଥା କହିନାହିଁ, କହିଛି ପରୀକ୍ଷା କରିବା ପାଇଁ । ମୁଣ୍ଡ ହଲେଇ ହସି ହସି ସେ କହିଲା, ସୁନାଟା ପରା, ତମେ କାହିଁକି ମୋ ପାଇଁ କଷ୍ଟ ସ୍ୱୀକାର କରିବ ? ତୁମେତ କୁହ ଝରକା ବନ୍ଦ ରଖିଲେ ତୁମେ ଅଣନିଶ୍ୱାସୀ ହୋଇପଡ଼ । ତେଣୁ କହୁଛି.... ।

 

ସତରେ କହୁଛି ମୋର ବେଶୀ ଅସୁବିଧା ହେବ ନାହିଁ । ଦିନେ ଦୁଇଦିନ ଗଲେ ଅଭ୍ୟାସରେ ପରିଣତ ହୋଇଯିବ । ....ନ ହେଲେ ଧରିନିଅ ତମପାଇଁ ଏ ଟିକକ ସ୍ୱାର୍ଥ ତ୍ୟାଗ କରିବାରେ ମୁଁ ରାଜି ।

 

ଅଳ୍ପ ଇତସ୍ତତ କରି ସେ ଦୃଢ଼କଣ୍ଠରେ କହିଲା, ନା....ନା କମ୍‌ ହେଉ ବା ବେଶୀ ହେଉ ଅସୁବିଧା ହେବ କାହିଁକି ? ତା ଛଡ଼ା ତୁମେ ବା କାହିଁକି ସ୍ୱାର୍ଥ ତ୍ୟାଗ କରିବ ? ସେହି ରୁମ୍‌ଟାରେ ହିଁ ମୁଁ ଶୋଇବି ।

 

ଯଦି କୁହେଁ ତମର ଅଭିରୁଚିକୁ ମୁଁ ମୋଟେ ପସନ୍ଦ କରେନାହିଁ, ତୁମକୁ ମୋ ସହିତ ରଖିବାକୁ ଚାହେଁ ।

 

ମୁରୁକି ମୁରୁକି ହସି ସ୍ୱଭାବ—ଶାନ୍ତ କଣ୍ଠରେ କହିଲା ଏମିଲିୟା, ଇୟେ ପୁଣି କି ନୂଆ କଥା ? ଦୁଇବର୍ଷ ହେଲା ଆମର ବିବାହ ହୋଇଛି । ସେତେବେଳେ ତୁମେ ଟିକିଏ ବି କଷ୍ଟ ସ୍ୱୀକାର କରିବାକୁ ଚାହିଁ ନ—ବର୍ତ୍ତମାନ ଚାହିଁଛ...ତମର କ୍ଷତିଟା ବା କ’ଣ ? କେତେ ସ୍ୱାମୀ ସ୍ତ୍ରୀ ତ ଅଲଗା ରହନ୍ତି—ତା ଛଡ଼ା ଅଲଗା ରହି ବି ସେମାନଙ୍କର ପ୍ରେମ ଅକ୍ଷୂଣ୍ଣ ରହିଥାଏ । ସକାଳୁ ମନ ମୁତାବକ କାମକୁ ବାହାରି ଯାଇପାରିବ । ମୋତେ ଉଠେଇବା ପାଇଁ ପଡ଼ିବ ନାହିଁ ।

 

କିନ୍ତୁ ଅବିକା ତୁମେ କହିଲ ଯେ କୁକୁଡ଼ାର ଡାକରେ ତୁମର ନିଦ ଭାଙ୍ଗିଯାଏ...ମୁଁ ତ ଏତେ ସକାଳୁ କାମକୁ ଯାଏନା ।

 

ଅଧୀର ହୋଇ ପଡ଼ିଲା ଏମିଲିୟା...ଓଃ ତୁମେ ଯେ କ’ଣ ? କୌଣସି ଉତ୍ତରକୁ ଅପେକ୍ଷା ନ କରି, ମୋର ଉପସ୍ଥିତିକୁ ପୂରାପୂରି ଉପେକ୍ଷା କରି ସେ ନିଷ୍କ୍ରାନ୍ତ ହୋଇଗଲା ।

 

ବିଛଣା ଉପରେ ବସିପଡ଼ିଲି । ଗୋଟିଏ ତକିଆ ନାହିଁ । ସେଇଥିରୁ ବୁଝାପଡ଼ୁଛି ଦିହିଙ୍କ ଭିତରେ ବିଚ୍ଛେଦ ହୋଇଛି—ମୁଁ ନିଃସଙ୍ଗ ହୋଇ ପଡ଼ିଛି । ଏମିଲିୟା ଯେଉଁ ଦରଜା ଦେଇ ବାହାରି ଯାଇଛି ସେହି ଆଡ଼କୁ ମୁଁ ବିସ୍ମିତ ବିହ୍ୱଳ ଭାବରେ ଚାହିଁ ରହିଲି । ମନରେ ପ୍ରଶ୍ନ ଉଠିଲା—ଦିନର ଆଲୁଅରେ ନିଦ ଭାଙ୍ଗିଯାଏ ବୋଲି ଏମିଲିୟା ମୋ ସହିତ ଗୋଟାଏ ଶଯ୍ୟାରେ ଶୋଇବାକୁ ଚାହେଁ ନା କିମ୍ୱା ମୋ ସହିତ ରହିବା ପାଇଁ ଆଉ ଚାହେଁ ନା ?

 

ହୁଏତ ଦ୍ୱିତୀୟ କାରଣଟି ଠିକ୍‌ । କାୟମନୋବାକ୍ୟରେ ଈଶ୍ୱରଙ୍କ ନିକଟରେ ପାର୍ଥନା କଲି—ପ୍ରଥମଟି ସତ୍ୟ ହେଉ । ସତରେ କ’ଣ ତେବେ ଏମିଲିୟା ଆଉ ମୋତେ ଭଲ ପାଏନା ?

 

ମୁଁ ଚିନ୍ତାର ଅତଳ ସମୁଦ୍ରରେ ବୁଡ଼ି ରହିଛି—ଏମିଲିୟା ଏଘରୁ ସେଘରକୁ ଯିବା ଆସିବା କରୁଛି । ଅକ୍ଟୋବର ମାସର ପ୍ରଥମ ଭାଗ । ଶୀତ ପଡ଼ି ନାହିଁ । ଏମିଲିୟାର ଦେହରେ ଗୋଟାଏ ପାତଳା ଶିଲ୍‌କିର ହାଲୁକା ସେମିଜ୍‌ । ଦୁଧ ଅଳତାରଙ୍ଗର ସମଗ୍ର ଦେହ ବାରି ହୋଇ ପଡ଼ୁଛି ଆବରଣ ତଳୁ । ଦୈହିକ ଗଠଣରେ ତାର ଥିଲା ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ । ଏମିଲିୟା ଯଦିଓ ଦୀର୍ଘାଙ୍ଗୀ ନ ଥିଲା ତଥାପି ମୋର ମନେ ହେଉଥିଲା ସାଧାରଣ ତରୁଣୀମାନଙ୍କ ଅପେକ୍ଷା ସେ ଲମ୍ୱା । ଜାଣେନା ତାର ଆଖି ଯୋଡ଼ିକ ପ୍ରକୃତରେ ବଡ଼ ନ ଥିଲା ନା ମୋର ଆଖିରେ ସେ ସେମିତି ଦେଖା ଯାଉଥିଲା କହିପାରିବି ନାହିଁ । ବିବାହର ପ୍ରଥମ ରାତିରେ ତାକୁ ଆଲିଙ୍ଗନ କରିଛି । ସେଦିନ ଦେହରେ ତାର ବସ୍ତ୍ର ନ ଥିଲା । ଦେଖିଲି ତାର କପାଳିଟି ରହିଛି ଠିକ ମୋର ବୁକୁ ଉପରେ—ଦୁଇଟି ସୁନ୍ଦର ସ୍କନ୍ଧ ସୁଗୋଲ ସୁସ୍ପଷ୍ଟ ଦୁଇଟି ବାହୁ, ଖଣ୍ଡାଧାର ନାକ, ଶୁଭ୍ର ଉଜ୍ଜ୍ୱଳ ଦନ୍ତପାଟି, ମସୃଣ ଓଠ, ଆଖିର ଦୃଷ୍ଟିରେ ଫୁଟି ଉଠୁଛି କାମନା । ସିଂହକଟୀ । ନିତମ୍ୱ ଓ ସ୍ତନ ଦୁଇଟି ବେଶ୍‌ ସୁଗଠିତ । ପାଦ ଦୁଇଟି ଦୀର୍ଘ, ରୁଜୁ ଓ ବଳିଷ୍ଠ । ସତରେ ତାରି ଭିତରେ ଥିଲା ଏକ ଅପୂର୍ବ କମନୀୟତା, ରହସ୍ୟମୟ ବର୍ଣ୍ଣନାତୀତ ସହଜାତ ଗାମ୍ଭୀର୍ଯ୍ୟ ।

 

...ତାର ଉଲଗ୍ନ ଦେହକୁ ଚାହିଁ ରହିଥିଲି ସେଦିନ । ଆଜି ବି ତାକୁ ଚାହିଁ ରହିଛି । ଭାବି ପାରୁନାହିଁ—କ’ଣ କରିବି । ତାର ମୁହଁ ଓ ଦେହ ଉପରେ ସନ୍ତରଣ କରୁଛି ମୋର ଚଞ୍ଚଳ ଦୃଷ୍ଟି । ପାତଳା ସେମିଜ୍‌ ଭିତର ଦେଇ ତାର ଦେହର ବର୍ଣ୍ଣ, ବୁକୁର ଗଠଣ କେତେବେଳେ ସ୍ପଷ୍ଟ କେତେବେଳେ ଅସ୍ପଷ୍ଟ ଭାବରେ ଦେଖା ଯାଉଛି । ହଠାତ୍‌ ମନେ ପଡ଼ିଲା ସେ ମୋତେ ଆଉ ଭଲ ପାଉନାହିଁ । ସେତେବେଳେ ମନେ ହେଲା—ତା ସହିତ ଦୈହିକ ମିଳନ ଆଉ ସମ୍ଭବ ନୁହେଁ । ସ୍ତମ୍ଭିତ ଓ ସ୍ତବ୍‌ଧ ହୋଇ ପଡ଼ିଲି । ଏହା ବିଶ୍ୱାସ ବି କରାଯାଇ ପାରେନା । ପ୍ରେମ କେବଳ ଏକ ମାନସିକ ବୃତ୍ତି ନୁହେଁ, ଅନବଦ୍ୟ ଓ ସ୍ୱାଭାବିକ ଦୈହିକ ମିଳନ । ଦେହର ତୃପ୍ତି ବିନା ପ୍ରେମର କୌଣସି ମୂଲ୍ୟ ନାହିଁ । ସେହିଭଳି ମନର ମିଳନ ବିନା ଦୈହିକ କାମନାର ପରିତୃପ୍ତି ପାଶବିକ । ଏତେଦିନ ଧରି ଏମିଲିୟାର ମନକୁ ଆବିଷ୍କାର ନ କରି କେବଳ ତାର ଦେହକୁ ଉପଭୋଗ କରି ଆସିଛି । ବର୍ତ୍ତମାନ ଏହି ସୁସ୍ପଷ୍ଟ ଅଥଚ ଗୋପନ ସତ୍ୟ ଆଖି ଆଗରେ ଦିବାଲୋକ ଭଳି ସ୍ପଷ୍ଟ ହୋଇ ଉଠିଲା । ଆମରି ମିଳନ ଆଉ ଅବ୍ୟାହତ ରହିବ ନାହିଁ—କେବେ ବି ନ ଥିଲା ।

 

କେହି ଯଦି ହଠାତ୍‌ ଜାଣିପାରେ ଯେ ସେ ଏକ ଅତଳସ୍ପର୍ଶ ଗହ୍ୱର ଉପରେ ଝୁଲୁଛି, ତାର ଯେଉଁ ଅବସ୍ଥା ହୁଏ ମୋର ବି ଅବସ୍ଥା ଆଜି ଠିକ ତାର ଅନୁରୂପ । ଅକାରଣରେ ଛିନ୍ନ ହୋଇ ଯାଉଛି ପ୍ରେମର ମଙ୍ଗଳ ସୂତ୍ର । ଜୀବନର କ୍ଷୁଦ୍ର ତରଣୀଟାକୁ ବିକ୍ଷୁବ୍‌ଧ କରି ତୋଳୁଛି ବିଚ୍ଛେଦ ଆଉ ବିରହର ଅଶାନ୍ତ ଉର୍ମି । ତୀବ୍ର ଘୃଣା, ବିତୃଷ୍ଣା ଓ ବେଦନାରେ ଭରିଗଲା ସମସ୍ତ ମନ ।

 

ଏମିଲିୟା ମୋ ଆଗରେ ଚାଲି ଯାଉଥିଲା । ଖପ୍‌କରି ହାତଟାକୁ ଧରି ପକେଇ କହିଲି, ଆସ—ତୁମ ସହିତ ଅନେକ କଥା ଅଛି ।

 

ନିଜକୁ ମୁକ୍ତ କରିନେବାର ବୃଥା ଚେଷ୍ଟା ସେ କଲା । ଅଳ୍ପ ଦୂରରେ ବିଛଣା ଉପରେ ବସି ସେ କହିଲା, ମୋ ସହିତ କଥା ଅଛି । କି କଥା ? ଆମ ଭିତରେ କେବେ ଏପରି ଭାବ ନ ଥିଲା । ତେଣୁ ଏ ଉତ୍କଣ୍ଠା ବା ଲଜ୍ଜା ଆସନ୍ନ ପରିବର୍ତ୍ତନକୁ ସ୍ପଷ୍ଟତର, ନିଶ୍ଚିତ କରି ତୋଳିଲା ।

 

କହିଲି ହଁ—ତୁମ ସହିତ କଥା ରହିଛି । ମନେହେଉଛି ଆମ ଭିତରେ ଯେମିତି ଗୋଟାଏ ପରିବର୍ତ୍ତନ ହୋଇଛି ।

 

ମୋ ଆଡ଼କୁ ମୁହଁ ଫେରାଇ ସହଜ ଭାବରେ ସେ କହିଲା, କ’ଣ ଯେ ତୁମେ କୁହ—ମୋଟେ ବୁଝି ପାରେନା । ଆମର କ’ଣ ପରିବର୍ତ୍ତନ ହୋଇଛି । ଦୁହେଁ ତ ଠିକ ଆଗ ଭଳି ରହିଛୁ ।

 

ମୁଁ ଠିକ ସେମିତି ରହିଛି—ପରିବର୍ତ୍ତନ ହୋଇଛି ତୁମର ।

 

ଟିକିଏ ବି ନୁହେଁ । ମୁଁ ଏବେବି ସେହି ‘ମୁଁ’ ରହିଛି । କହିଲା ଏମିଲିୟା । ଆଗେ ଏହା ଅପେକ୍ଷା ମୋତେ ତୁମେ ବେଶି ଭଲ ପାଉଥିଲ—ଯେତେବେଳେ ତୁମକୁ ଏକାକୀ ରଖି ବାହାରକୁ ଯାଉଥିଲି ତୁମେ ବେଦନା ଅନୁଭବ କରୁଥିଲ । ମୋ ସହିତ ଗୋଟାଏ ଶଯ୍ୟାରେ ଶୋଇବାକୁ ଆଜି ଭଳି ଆପତ୍ତି ତୁମର ନ ଥିଲା ।

 

ଓଃ ଏହି କଥା ! –ମୁଁ ଅନୁମାନ କରିଥିଲି—ତମେ ଏମିତି କିଛି ଭାବିବ । କିନ୍ତୁ କୁହତ–ତୁମେ ଅକାରଣରେ କାହିଁକି ମୋତେ କଷ୍ଟ ଦିଅ । ସତରେ ମୁଁ ଶୋଇବାକୁ ଚାହେଁ–ତୁମ ସଙ୍ଗରେ ଶୋଇଲେ ମୋଟେ ନିଦ ହୁଏନା—ସେଥିପାଇଁ—

 

ଏ କ’ଣ ? ମୋର ଯୁକ୍ତି ଓ ବିଦ୍ୱେଷ ଅଗ୍ନି ଶିଖାରେ ମହମ ଭଳି ତରଳି ଗଲା । ମୋର ଦେହକୁ ଲାଗି ବସିଛି ଏମିଲିୟା । ଦେହରେ ପାତଳା କୁଞ୍ଚିତ ସେମିଜ୍‌ । ସେମିଜ ଭେଦ କରି ଆଖିରେ ପଡ଼ୁଛି ତାର ଦେହର ସୁପରିଚିତ ଗୋପନ ବର୍ଣ୍ଣ ଓ ଆକାର । ମନରେ ଜାଗିଉଠିଲା କାମନା । ରୋମାଞ୍ଚିତ ହୋଇ ଉଠିଲା ସର୍ବାଙ୍ଗ ।

 

କିନ୍ତୁ ମୋର ଏ ଦୁର୍ବାର କାମନା ମୋତେ କେବଳ ତାର ଦେହ ନିକଟକୁ ଟାଣି ନେବ କାହିଁକି ? ତାର ଦେହ ଆଉ ମନରେ ଅନୁରୂପ କାମନା ଜାଗିଉଠିବ ନାହିଁ କାହିଁକି ? କାହିଁକି ? ଖୁବ୍‌ ନିମ୍ନ ସ୍ୱରରେ କହିଲି, ବେଶ ଯଦି କିଛି ପରିବର୍ତ୍ତନ ହୋଇନାହିଁ, ତେବେ ତାର ପ୍ରମାଣ ଦିଅ ।

 

ପ୍ରତିଦିନ—ପ୍ରତି ମୁହୂର୍ତ୍ତରେ ତ ପ୍ରମାଣ ଦେଇ ଆସୁଛି ।

 

ଏହିକ୍ଷଣି, ଏହିକ୍ଷଣି ପ୍ରମାଣ ଲୋଡ଼ା ।

 

ତା ଆଡ଼କୁ ଢଳି ପଡ଼ିଲି । ଦୁର୍ବାର ବିକ୍ରମରେ ତାର ଓଠ, କେଶ ଆଉ ସ୍ତନ ଉପରେ ଚୁମ୍ୱନ କରିବାକୁ ଚାହିଁଲି । ପ୍ରଥମରେ ସେ ଆପତ୍ତି କଲା ନାହିଁ । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାର ମୁହଁଟି ଘୁଞ୍ଚେଇ ନେଇ ମୋର ଚୁମ୍ୱନକୁ ଏଡ଼ାଇ ଗଲା । ମୋର ଓଠ ଦୁଇଟି ସ୍ପର୍ଶକଲା ତାର ଗଳା । ତାକୁ ଛାଡ଼ିଦେଇ ମୁଁ କହିଲି—ତୁମକୁ ଚୁମ୍ୱନ କରେଁ ତୁମେ କ’ଣ ଏକଥା ଚାହଁନା ?

 

ମୋର କେଶରାଶି ଭିତରେ ଅଙ୍ଗୁଠି ବୁଲୋଉ ବୁଲୋଉ ସେ କହିଲା....ନା....ନା...ତା ନୁହେଁ....କେବଳ ଗୋଟାଏ ଚୁମ୍ୱନ ପାଇଁ ଆପତ୍ତି ନ ଥିଲା....କିନ୍ତୁ ତୁମେ ତା ପରେ ତ ଆଉ ଛାଡ଼ିବ ନାହିଁ....ଆଉ ଆଜି ବି ଅନେକ ରାତି ହୋଇ ଗଲାଣି । ଏମିଲିୟା ବିଜ୍ଞ ବ୍ୟକ୍ତିଙ୍କ ଭଳି କଥା କହୁଛି–ତେଣୁ ହଠାତ୍‌ ହତାଶ ହୋଇ କହିଲି, ଏଥିରେ ପୁଣି ସମୟ ଅସମୟ କ’ଣ ?

 

ତାକୁ ଆଲିଙ୍ଗନ କରି ପୁନରାୟ ଚୁମ୍ୱନ କରିବାକୁ ଚାହିଁଲି । ସେ କହି ଉଠିଲା...ଓଃ.....କାଟୁଛି !

 

ଆଶ୍ଚର୍ଯ୍ୟ ! ତାକୁ କେବଳ ଟିକିଏ ମାତ୍ର ସ୍ପର୍ଶ କରିଛି । ଆଗ ଏହାଠାରୁ ବି ବଣ୍ୟ ଆକ୍ରୋଶରେ ତାକୁ ଅଲିଙ୍ଗନ କରିଛି କିନ୍ତୁ ଏ ଭଳି ସେ କରିନାହିଁ । ତେଣୁ ରାଗି ଯାଇ କହିଲା, ଆଗେ ଯେ ତୁମକୁ ମୋଟେ କାଟୁ ନ ଥିଲା ।

 

ସେ କହିଲା, ତୁମେ ମୋଟେ ଜାଣନା—ତୁମର ଦୁଇବାହୁ ଇସ୍ପାତ ଭଳି ଟାଣ...କ୍ଳାନ୍ତ କଣ୍ଠରେ କହିଲା ଏମିଲିୟା । ଦେଖିଲି ତାର ଉକ୍ତିରେ ଲେଶ ମାତ୍ର କୌତୁକ ନାହିଁ ।

 

ଦୃଢ଼ କଣ୍ଠରେ କହିଲି, ତେବେ ଚୁମ୍ୱନ କରିବାକୁ ଦେବନାହିଁ ?

 

ଆସ....ଏଇ ହେଲା....ଆସ ନା...ଆଗକୁ ନଇଁପଡ଼ି ମୋର ଭୁରୁ ଉପରେ ସେ ଦୁଇଥର ଚୁମ୍ୱନ ଦେଲା । ଏଥର ଯାଏ ଶୋଇବି...ଅନେକ ରାତି ହେଲାଣି ।

 

ତହିଁରେ ମୁଁ କ୍ଷାନ୍ତ ହେଲି ନାହିଁ । ତାରି ନିତମ୍ୱ ତଳେ ହାତରଖି କହିଲି, ଏଭଳି ଚୁମ୍ୱନ ତ ତୁମ ନିକଟରେ ଚାହିଁ ନ ଥିଲି ଏମିଲିୟା ! ସେ ପୁନରାୟ କହିଲା, ଆଃ ଛାଡ଼ ନା, କାଟୁଛି ।

 

ତାର ଦେହ ଉପରେ ଭରାଦେଇ ଧୀରେ ଧୀରେ କହିଲି, ନା....ନା....ସୁନାଟା ପରା । ତୁମର ଏକଥା ମୋତେ ସତ ନୁହେଁ...ସତ ନୁହେଁ ।

 

ମୋର ବାହୁ ବନ୍ଧନରୁ ସେ ନିଜକୁ ମୁକ୍ତ କରି ନେଇ କହିଲା, ଯାହା କରିବାର କଥା ସହଳ ଶେଷ କରିନିଅ, ମୋଟେ ଏମିତି ଭାବରେ ଆଉ କଷ୍ଟ ଦିଅ ନାହିଁ ।

 

ଏମିତି ଭାବରେ ଚାପି ଧଇଲେ ମୋର ନିଶ୍ୱାସ ବନ୍ଦ ହୋଇଯାଏ...ବିସ୍ମୟରେ ସ୍ତବ୍‌ଧ ହୋଇ ପଡ଼ିଲି । ତାର କଣ୍ଠ ସ୍ୱରରେ ପ୍ରକାଶ ପାଇଛି ଚରମ ଉଦାସୀନତା, ଟିକିଏ ହେଲେ ଆବେଗ ନାହିଁ ତହିଁରେ ।

 

ହାତ ଉପରେ ହାତ ଥୋଇ, ମୁହଁ ତଳକୁ ପୋତି ନିଶ୍ଚଳ ଭାବରେ ମୁଁ ବସି ରହିଲି । ଅଳ୍ପକ୍ଷଣ ପରେ ପୁନରାୟ ଶୁଣିଲି ତାର କଣ୍ଠସ୍ୱର ଆସ—ଯେତେବେଳେ କୌଣସି ପ୍ରକାରେ ଅବ୍ୟାହତି ଦେବ ନାହିଁ—କଣ କହୁଛ ?

 

ଉପରକୁ ମୁହଁ ନ ଟେକି ଅସ୍ପଷ୍ଟ ସ୍ୱରରେ କହିଲି, ନିଶ୍ଚୟ ! କିନ୍ତୁ ତାକୁ ସମ୍ଭୋଗ କରିବାର ବାସନା ଆଉ ନ ଥିଲା । ଶେଷ ପର୍ଯ୍ୟନ୍ତ ଏହି ନୂତନ ବିଚ୍ଛେଦକୁ ସହ୍ୟ କରି ନେବାର ଶକ୍ତି ସଞ୍ଚୟ କରି ନେଲି । ମନେ ପଡ଼ିଲା ଏମିତି ଆୟୋଜନ ପର୍ବକୁ ମୁଗ୍ଧ ଚକ୍ଷୁରେ ମୁଁ ଚାହିଁ ରହୁଥିଲି । ଯେମିତି ରୂପକଥାର ଦସ୍ୟୁ ଦେଖୁଛି—ଯାଦୁମନ୍ତ୍ର ଉଚ୍ଚାରଣର ସଙ୍ଗେ ସଙ୍ଗେ ଖୋଲି ଯାଉଛି ଗୁହାର ଦ୍ୱାର...ଆଉ ଅଦୃଶ୍ୟ; ଅମୂଲ୍ୟ ମଣି ମାଣିକ୍ୟରେ ଉଦ୍‌ଭାସିତ ହୋଇ ପଡ଼ୁଛି । କିନ୍ତୁ ଆଜି ମୋଟେ କୌତୁହଳ ହେଲା ନାହିଁ । ଆଜି ତାକୁ ଦେଖିଲି ଭିନ୍ନ ଦୃଷ୍ଟିରେ । ଏହି ଦୃଷ୍ଟିରେ ନ ଥିଲା ନିର୍ମଳ ଆନନ୍ଦ କାରଣ ଏମିଲିୟା ଆଜି ଉଦାସୀନ । ଦୁହେଁ ଦୁହିଁଙ୍କ ଉପରେ ନିର୍ମମ ହୋଇ ପଡ଼ିଛୁ, ଦୁହେଁ ହୋଇ ପଡ଼ିଛୁ ଦୁହିଁଙ୍କର ଅଯୋଗ୍ୟ ।

 

ତଳକୁ ମୁହଁ କରି ମୁଁ ଖଟ ଉପରେ ଶୋଇ ରହିଲି । ଟିକିଏ ପରେ ଖଟ ଦେହରେ ଲାଗିଥିବା ସ୍ପ୍ରିଂର ଆବାଜ ଶୁଣାଗଲା । ବେଡ଼ କଭରଟି କାଢ଼ି ନ ନେଇ ତାରି ଉପରେ ଶୋଇ ଯାଇଛି ଏମିଲିୟା । ଆଉଥରେ ଶବ୍ଦ ହେଲା, ମୋର ଦେହର ଅତି ନିକଟକୁ ସେ ଘୁଞ୍ଚି ଆସିଲା । ତାପରେ ମୋତେ ଡାକିଲା, ଆସୁନ । ଆଉ ଡେରି କରୁଛ କାହିଁକି ? ତାର ଅନାବୃତ ଅଙ୍ଗ ଲତିକାରେ ଟିକିଏ ବି ରୋମାଞ୍ଚ ବା ଉତ୍ତେଜନାର ଚିହ୍ନ ନାହିଁ । ଯେପରି ଗୋଟାଏ ପଶାରିଣୀ ଅନାୟାସରେ ତାର ଖରିଦ୍‌ଦାରକୁ ଅକୁଣ୍ଠିତ ଭାବରେ ଦେହଦାନ କରିବାକୁ ପ୍ରସ୍ତୁତ ହୋଇ ରହିଛି । ଟିକିଏ ହେଲେ ସଂକୋଚ ବା ଦ୍ୱିଧା ନାହିଁ ।

 

ଟିକିଏ ହେଲେ ଘୁଞ୍ଚିଲି ନାହିଁ—ଭାବିଲି ଏହିଟା କଣ ଆମର ସ୍ୱାଭାବିକ ଜୀବନ ? ହଁ ଅନେକଟା ଏହିଭଳି । ଦେହରୁ ବସ୍ତ୍ର ପରିତ୍ୟାଗ କରି ଏମିଲିୟା ଏମିତି ଶୁଏ ଆଉ ଏହିଭଳି ମୋତେ ଆହ୍ୱାନ ଜଣାଏ । ତଥାପି ସବୁ ଯେମିତି ପରିବର୍ତ୍ତନ ହୋଇ ଯାଇଛି । ଏହା ଆଗରୁ ସିଏ ଏହିଭଳି ନିର୍ଲିପ୍ତ ବଶ୍ୟତା ସ୍ୱୀକାର କରିବା ଆଖିରେ ପଡ଼ିନାହିଁ । ଆଗେ ସବୁ କିଛି ନିମିଷକ ମଧ୍ୟରେ ହେଉଥିଲା, ତାରି ଭିତରେ ଥିଲା ସହଜାତ ଉତ୍ତେଜନା, ନିବିଡ଼ତା । ଜାଣି ପାରୁ ନ ଥିଲି କେତେବେଳେ କେମିତି ଭାବରେ ଧରା ପଡ଼ୁଥିଲି ଏମିଲିୟାର ବାହୁ ବନ୍ଧନ ଭିତରେ । ଆଜି ଆଉ ଏମିଲିୟାର ସେ ଆକୁଳତା ବା ବିଶିଷ୍ଟତା ନାହିଁ, ମୋର ବି ନାହିଁ । ସେତେବେଳେ ଦୈହିକ ଉତ୍ତେଜନା ଭିତରେ ନୀରବରେ ଏମିଲିୟାର ଗତି ଲକ୍ଷ୍ୟ କରୁଥିଲି । ସିଏ ବି ମୋତେ ଠିକ୍‌ ଅନୁରୂପ ଆଖିରେ ଦେଖୁଥିଲା । କିନ୍ତୁ ଆଜି ଯେମିତି ମୁଁ ମୋର ପତ୍ନୀ ସହିତ ମୁହାଁମୁହିଁ ବସି ନାହିଁ, ବସିଛି ଗୋଟାଏ ରୂପଜୀବି ସହିତ । ସେ ମୋର ବାହୁବନ୍ଧନରେ ଧରା ଦେବାକୁ ପ୍ରସ୍ତୁତ ହେଉଛି । ଭାବୁଛି କ୍ଷଣସ୍ଥାୟୀ ଏହି ଆଲିଙ୍ଗନ ବି ଟିକିଏ କ୍ଳାନ୍ତିକର ହେବ ନାହିଁ । ମୁହୂର୍ତ୍ତକ ପାଇଁ ଦେଖିଲି ଏମିଲିୟାକୁ—ଠିକ୍‌ ଯେମିତି ଗୋଟାଏ ଅପଛାୟା । ଶଯ୍ୟାରେ ଶାୟିତା ଏମିଲିୟା ସହିତ ଛାୟାମୂର୍ତ୍ତିଟି ମିଶି ଯେମିତି ଏକାକାର ହୋଇ ଯାଉଛି ।

 

ଉଠି ଠିଆ ହେଲି—। ତାକୁ ଦୃଷ୍ଟି ନ ଦେଇ କହିଲି, କିଛି ମନେ କରିବନି—ଆଜି ଥାଉ-। ଆର କୋଠରୀକୁ ଯାଇ ମୁଁ ଶୋଉଛି । ତୁମେ ଏଇଠି ରୁହ ।

 

ପାଦ ଚିପି ଚିପି ଆର କୋଠରୀକି ପଶିଲି । ବିଛଣା ଆଗରୁ ପ୍ରସ୍ତୁତ ହୋଇ ରହିଥିଲା । ଏମିଲିୟାର ଜୋତା ଆଉ ପୋଷାକ ନେଇ ଆସି ଶୟନ କକ୍ଷର ଚୌକୀରେ ରଖି ଦେଲି । ତାକୁ ଆଉ ଥରେ ଚାହିଁ ଦେଖିବାର ଲୋଭ ସମ୍ୱରଣ କରି ପାରିଲି ନାହିଁ । ଟିକିଏ ଆଗରୁ ସେ ଯେଉଁ ଅବସ୍ଥାରେ ଥିଲା ଏବେ ବି ଠିକ୍‌ ସେହି ଅବସ୍ଥାରେ ଅଛି । ଦେହ ଅନାବୃତ, ମୁଣ୍ଡତଳେ ରହିଛି ଗୋଟିଏ ବାହୁ । ବୁକୁ ଉପରେ ପଡ଼ିଛି ଅପର ବାହୁଟି । ଶୂନ୍ୟ ଦୃଷ୍ଟି—ଏଥର ମନେହେଲା ସେ ବାରାଙ୍ଗନା ନୁହେଁ, ଏକ ନଗ୍ନ ସ୍ୱପ୍ନର ପ୍ରତିମୂର୍ତ୍ତି । ଚାରି ପାଖରେ ତାର ଘନ କୁହୁଡ଼ିର ଆସ୍ତରଣ ସେ ମୋ ପାଖରୁ ଚାଲି ଯାଇଛି ବହୁଦୂରକୁ ବାସ୍ତବ ସୀମାର ବାହାରକୁ । ମୋର ଅନୁଭୁତିର ଆରପାରିକୁ ।

 

ଜୀବନରେ ଦୁର୍ଦ୍ଦିନ ଯେମିତି ଘନେଇ ଆସୁଛି । କିନ୍ତୁ ଏମଲିୟାର ବ୍ୟବହାରରେ ତାର ତିଳେ ହେଲେ ସୂଚନା ନାହିଁ । ସେ ନିର୍ବିକାର ନିର୍ଲିପ୍ତ ହୋଇ ପଡ଼ିଛି । ଜୋର କରି ଯଦିଓ ତାର ପ୍ରେମ ଆଦାୟ କରିବା ମୋ ପକ୍ଷରେ ଅନୁଚିତ ତଥାପି ମୁଁ ତାକୁ ଭଲ ପାଇ ବସିଲି । ପ୍ରେମର ଗୋଟିଏ ଆଶ୍ଚର୍ଯ୍ୟ ଶକ୍ତି ରହିଛି । ପ୍ରେମ କେବଳ ମୋହ ଆଣେନା, ଆଣେ ବିସ୍ମୃତି । କାହିକିଁ ଜାଣେ ନାହିଁ ଗତ ରାତ୍ରିର ଘଟଣାର ଗୁରୁତ୍ୱ ତା ପରଦିନ ମୋ ନିକଟରେ ଅନେକ ପରିମାଣରେ କମିଗଲା-। କଟିଗଲା ବିଦ୍ୱେଷର ଭାବ । ମନେହେଲା ଇୟେ କେବଳ ମତାନୈକ ଛଡ଼ାଏ ବିଷୟରେ ମୋତେ ଏମିଲିୟା ହିଁ ଅନେକ ସାହାଯ୍ୟ କରିଥିଲା । ସେ ଏକାକୀ ରହିବାକୁ ଇଛା କରୁଥିଲେ ହେଁ ମୋତେ ଦେହଦାନ କରିବାକୁ ଅନିଛା ପ୍ରକାଶ କରୁ ନ ଥିଲା । ଯଦିଓ ରତିକ୍ରୀଡ଼ା ସମୟରେ ସେହିପରି ନିଷ୍‌କ୍ରିୟ ରହୁଥିଲା । ତେଣୁ ମନରେ ଜାଗୁଥିଲା ବିଦ୍ରୋହ । କେତୋଟି ଦିନ ଭିତରେ ତାହା ବି କ୍ରମେ ଦେହସୁହା ହୋଇଗଲା, ଏପରିକି ତୃପ୍ତିକର ମନେହେଲା । କେବଳ ସେହି ରାତିରେ ବାରବିଳାସିନୀ ଭଳି ବ୍ୟବହାର କରିଥିଲା ଏମିଲିୟା । ମାତ୍ର କେତୋଟି ଦିନ ଆଗେ ଏହି ଅବସ୍ଥାରେ ତା ସହିତ ଇନ୍ଦ୍ରିୟ ସଂଭୋଗ କରିବା ପାଇଁ ଟିକିଏ ବି ଆପତ୍ତି କରୁ ନ ଥିଲି । ଭୟ ହେଉଥିଲା—ସେ ବୋଧହୁଏ ଆଉ ମୋତେ ଚାହୁଁ ନାହିଁ । ତଥାପି ତାର ଔଦାସିନ୍ୟ ଓ ନିଷ୍‌କ୍ରିୟତା ପାଇଁ ତା ପାଖରେ କୃତଜ୍ଞ ରହିଲି ।

 

ଯଦି ଭାବୁଥାଆନ୍ତି ଏମିଲିୟା ମୋତେ ଆଗଭଳି ଭଲପାଉଛି ତେବେ ଉପଲବ୍‌ଧ କରିପାରନ୍ତି ଆମ ଭିତରେ କିଛି ପରିବର୍ତ୍ତନ ହୋଇ ନାହିଁ ।

 

ଥିୟେଟରର କାମ ଛାଡ଼ିଦେଇ ସିନେମାରେ କାମ କରୁଛି କେବଳ ଏମିଲିୟାର ଗୃହନିର୍ମାଣର ଇଚ୍ଛା ପୂରଣ କରିବା ପାଇଁ । ଯେତେଦିନ ମନରେ ଧାରଣ ଥିଲା ଯେ ଏମିଲିୟା ମୋତେ ଭଲପାଏ ସେତେଦିନ ଯାଏ ଚିତ୍ର ସମ୍ପାଦନା ଶ୍ରମସାଧ୍ୟ ବୋଲି ମନେ ହେଉ ନ ଥିଲା । ମନରେ ଥିଲା ଅକ୍ଳାନ୍ତ ଉତ୍ସାହ । କିନ୍ତୁ ସେଦିନ ସନ୍ଧ୍ୟାର ଘଟଣା ପରେ ନିରାଶ ହୋଇ ପଡ଼ିଲି । ପ୍ରକୃତରେ ସିନେମାର କାମ, ଏପରିକି ତାଠାରୁ ବି ଖରାପ କାମ ବୋଧହୁଏ ମିଲିୟାର ପ୍ରେମ ପାଇଁ ମୁଁ କରି ପାରିଥାନ୍ତି । ଏବେ ସେହି ପ୍ରେମ ନଷ୍ଟ ହେବାକୁ ଯାଉଛି । ଏ କେବଳ ନିପଟ ଦାସତ୍ୱ ଛଡ଼ା ଆଉ କିଛି ନୁହେଁ ।...

 

ମୋର ମନର ଅବସ୍ଥା ଆହୁରି ପରିଷ୍କାର ଭାବରେ ପ୍ରକାଶ କରିବାକୁ ହେଲେ ଏହି ପ୍ରସଙ୍ଗରେ ଚିତ୍ରସମ୍ପାଦକ କାର୍ଯ୍ୟ ସମ୍ବନ୍ଧରେ ପଦେଅଧେ ଉଲ୍ଲେଖ କରିବା ପ୍ରୟୋଜନ ।

 

ଚିତ୍ରନାଟ୍ୟ ହେଲା—ନାଟକ, ଦୃଶ୍ୟ ଓ ଚିତ୍ରଗ୍ରହଣ, ନିର୍ଦ୍ଦେଶନା ଓ ପରିଚାଳନା—ଏକାବେଳକେ ସମସ୍ତ । ଚିତ୍ର ସମ୍ପାଦକର କାମ ଗୁରୁତ୍ୱପୂର୍ଣ୍ଣ । ତାର ସ୍ଥାନ ଠିକ ଚିତ୍ର ପରିଚାଳକର ପରେ ।

 

କିନ୍ତୁ ଚିତ୍ର ସଂପାଦକ କେଉଁଠି ହେଲେ ମର୍ଯ୍ୟାଦା ପାଏନାହିଁ । ଆଙ୍ଗିକ ଦୃଷ୍ଟିରୁ ଶିଳ୍ପକୁ ବିଚାର କଲେ ଚିତ୍ର ସମ୍ପାଦକ ଜଣେ ନିପୁଣ ଶିଳ୍ପୀ । ଚିତ୍ର ମଧ୍ୟରେ ସେ ଜୀବନ ଦିଏ ଅଥଚ ମୋଟେ ଜାଣି ପାରେନା ସେହିଠାରେ ହିଁ ତାର ପ୍ରକୃତ ପ୍ରକାଶ । ସେହି ହେତୁରୁ ତାର ସାର୍ଥକ ସୃଷ୍ଟି ସତ୍ତେ ସେ ହୋଇଥାଏ କେବଳ ମାତ୍ର ଜଣେ ପ୍ରସ୍ତାବକ । ତାର ସ୍ଥାନ ଯବନିକାର ଅନ୍ତରାଳରେ, ଅଥଚ ସେ ଚିତ୍ରର ସଫଳତା ପାଇଁ ବୁକୁର ରକ୍ତ ଢାଳେ । ଏହି କାମରେ ସେ ଉତ୍‌କର୍ଷ ଲାଭ କରିପାରେ, ମୋଟା ଅର୍ଥ ବି ପାଏ କିନ୍ତୁ କେବେ ଦାବୀ କରି ପାରେନାହିଁ ଯେ ମୁଁ ଛବିଟି ପ୍ରସ୍ତୁତ କରିଛି— ନିଜକୁ ପ୍ରକାଶ କରିଛି—ଚିତ୍ରଟି ମୋ ଦ୍ୱାରା ଗଢ଼ା । ସେ କାମ କରେ ଅର୍ଥର ବିନିମୟରେ । ଚିତ୍ରସଂପାଦକର ମୋଟା ମୋଟି ଜୀବନ ହେଲା—ଶ୍ରମର ବିନିମୟରେ ଯାହାପାଏ ତହିଁରୁ ସମ୍ୱବ ହେଲେ ଆନନ୍ଦ ଉପଭୋଗ କରିବା । ଅବିଶ୍ରାନ୍ତ, ଅବିରାମ, କେତେବେଳେ ହାସ୍ୟ ରସାତ୍ମକ, କେତେବେଳେ କରୁଣ ରସତ୍ମାକ କେତେବେଳେ ବା ଦୁଃସାହସିକ ଅଭିଯାନ ପୂର୍ଣ୍ଣ କାହାଣୀର ରୁପାୟନ କରିଯିବା । ନର୍ସ ଗୋଟାଏ ଶିଶୁର ଯତ୍ନ ତ୍ୟାଗ କରି ଆଉ ଗୋଟିଏ ଶିଶୁକୁ ପାଳନ କରିବାର ଭାର ନିଏ ଆଉ ତାର ପରିଶ୍ରମର ଫଳ ଭୋଗ କରନ୍ତି ଶିଶୁର ଜନନୀ । ଏକମାତ୍ର ଜନନୀ ହିଁ ଶିଶୁକୁ ନିଜର ବୋଲି ଦାବୀ କରିପାରନ୍ତି । ଇୟେ ବି ଠିକ୍‌ ତାରି ଅନୁରୁପ । ଏହାବ୍ୟତୀତ ଚିତ୍ରସମ୍ପାଦକର କାମରେ ଆହୁରି ଅନେକ ଅସୁବିଧା ରହିଛି । ଚିତ୍ର ସମ୍ପାଦକ ଓ ସହଯୋଗୀ ଚିତ୍ରସମ୍ପାଦକର ଗୁଣ ଓ ପ୍ରକାର ଭେଦରେ ସେ ଅସୁବିଧାଗୁଡ଼ିକ କମ ବିରକ୍ତିକର ନୁହେଁ । ଚିତ୍ର ସମ୍ପାଦକର ସ୍ୱାଧୀନ ସତ୍ତା ନାହିଁ, ସ୍ୱାସ୍ଥ୍ୟ ଓ ରୁଚିର ଅନୁକୂଳ ପରିବେଶ ନାହିଁ । ନିଜର ଅଭିଜ୍ଞତା, ରୁଚି ଓ ସଂସ୍କୃତିର କଥା ପାଶୋରି ଯାଇ ଦିନ ପରେ ଦିନ ତାକୁ ଅର୍ଥ ଉପାର୍ଜନ ଆଉ କାମ କରିବାକୁ ପଡ଼େ । କିନ୍ତୁ ସବୁକ୍ଷେତ୍ରରେ ଯେ ଅନୁକୁଳ ପରିସ୍ଥିତି ନ ଥାଏ ଏକଥା କୁହା ଯାଇ ପାରେନା । ତେବେ ଉତ୍ତମ ଚିତ୍ର ଯେପରି ବିରଳ ସେହିପରି ପ୍ରକୃତ ସୁସ୍ଥ ପରିବେଶ ମଧ୍ୟ ଦେଖାଯାଏ କ୍ୱଚିତ ।

 

ଏଥର ବାତ୍ତିସତାଙ୍କ ବ୍ୟତୀତ ଆଉଜଣେ ଚିତ୍ର ନିର୍ମାତାଙ୍କ ସହିତ ଦ୍ୱିତୀୟ ଚିତ୍ରନାଟ୍ୟ ସମ୍ପାଦନାର ଚୁକ୍ତିପତ୍ର ସ୍ୱାକ୍ଷର କଲି । ମୁଁ ସଂକଳ୍ପ ଓ ଆଦର୍ଶଚ୍ୟୁତ ହୋଇପଡ଼ିଲି ।

 

ସକାଳୁ ନିଦରୁ ଉଠିବା ମାତ୍ରକେ ମନେ ହେଉଥିଲା—ସମସ୍ତ ଦିବସଟି ମରୁଭୂମି ଭଳି ଶୁଷ୍କ, ଚିନ୍ତା ବା ବିଶ୍ରାମର ମରୁଦ୍ୟାନ କେଉଁଠି ହେଲେ ନାହିଁ—ରହିଛି କେବଳ ଅନିଚ୍ଛାକୃତ ଚିତ୍ର ଅନୁପ୍ରେରଣାର ନିର୍ମମ ତପନର ପ୍ରଚଣ୍ଡ ତେଜ । ପରିଚାଳକଙ୍କ ଅଫିସରେ ପ୍ରବେଶ କଲା ମାତ୍ରକେ ସେ ପ୍ରଶ୍ନ କରୁଥିଲେ କାଲି ରାତ୍ରିରେ ଏ ବିଷୟରେ କିଛି ଚିନ୍ତା କରିଥିଲେ କି ? ......ସମାଧାନ କିଛି ହେଲା ?

 

ସେତେବେଳେ ମନ ବିଦ୍ରୋହ କରି ଉଠୁଥିଲା । ଚିତ୍ର ପରିଚାଳକ, ଚିତ୍ରସମ୍ପାଦକଙ୍କର ସୁଦୀର୍ଘ ଆଲୋଚନା ଓ ସହଯୋଗୀ ମାନଙ୍କ ମତାମତ ଶୁଣିବାକୁ ଭଲ ଲାଗୁ ନ ଥିଲା ଆଦୌ । ଏପରିକି ନିଜର ଉଦ୍‌ଭାବନୀ ଶକ୍ତି କିମ୍ବା ବିଚାର ବୁଦ୍ଧି, ପ୍ରଶଂସା ଓ ସ୍ତୃତିବାଦ ବିସ୍ୱାଦ ହୋଇ ପଡ଼ୁଥିଲା । ମନେ ହେଉଥିଲା—ନିଜକୁ ଯେମିତି ମୁଁ ବିକ୍ରୀ କରି ଦେଇଛି ।

 

ନୀତି ଦୃଷ୍ଟିରୁ ଏ କାମ ମୋର ଆଦୌ ପସନ୍ଦ ନୁହେଁ । ତଥାପି ତହିଁରେ ମୁଁ ନଷ୍ଟ କରୁଛି ମୋର ସର୍ବୋତ୍ତମ ବସ୍ତୁଟିର । ଅପବ୍ୟୟ କରୁଛି ମୋର ପ୍ରତିଭାର । କିନ୍ତୁ ଆଶ୍ଚର୍ଯ୍ୟ ଏତେ ବିଦ୍ୱେଷ ସତ୍ୱେ ବି କର୍ତ୍ତବ୍ୟରେ ଅବହେଳା କରି ପାରୁ ନ ଥିଲା । ଚିତ୍ରନାଟ୍ୟ କଲା ହେଉଛି ଆର୍ଟର ଗୋଟାଏ ଘୋଡ଼ାଗାଡ଼ି । କେବଳ ପରିଶ୍ରମୀ ବଳବାନ ଘୋଡ଼ା ଏହି ଗାଡ଼ି ଟାଣନ୍ତି । ବଳକାଘୋଡ଼ା ଗୁଡ଼ିକୁ ଟାଣନ୍ତି ତାଙ୍କର ସାଥି ଘୋଡ଼ା ଗୁଡ଼ିକ—ଯେଉଁମାନେ ଗାଡ଼ି ଓ ଘୋଡ଼ା ଉଭୟଙ୍କୁ ଟାଣନ୍ତି । ମନର ଅଧିରତା ଓ ବିରକ୍ତ ସତ୍ୱେ ମୁଁ ଥିଲି ଗାଡ଼ିଟଣା ଘୋଡ଼ା । ପରିଚାଳକ ଓ ସହଯୋଗୀମାନଙ୍କ ଅସୁବିଧା ଦେଖିବା ମାତ୍ରକେ ମୋତେ ଅପେକ୍ଷା କରି ରହିଥାନ୍ତି, ସମସ୍ୟାର ସମାଧାନ ପାଇଁ ମୋ ପାଖକୁ ଧାଇଁ ଆସନ୍ତି । ନିଜର ବିଚାର କ୍ଷମତା, ଓ ବୁଦ୍ଧିମତ୍ତାକୁ ଅଭିଶାପ ବୋଲି ମନେ କରୁଥିଲେ ହେଁ ବିନା ଦ୍ୱିଧାରେ ତତ୍‌କ୍ଷଣାତ ସମସ୍ୟାର ସମାଧାନ କରି ଦେଉଥିଲି । ନିଜର ବିଦ୍ୟା ଜାହିର କରିବା ପାଇଁ ନୁହେଁ ସତତା ଓ ସଦ୍‌ବୁଦ୍ଧି ପ୍ରାଣୋଦିତ ହୋଇ ତାହା କରୁଥିଲି । ପଇସା ନେଉଛି କାମ କରିବାକୁ ପଡ଼ିବ । କିନ୍ତୁ ପ୍ରତ୍ୟହ କ୍ଷୁର୍ଣ୍ଣ ମନରେ ଭାବୁଥିଲି ସାମାନ୍ୟ କେତୋଟି ମୁଦ୍ରାର ବିନିମୟରେ ମୁଁ ଏକ ଅମୂଲ୍ୟ ସମ୍ପଦର ଅପବ୍ୟବହାର କରୁଛି, ଅନ୍ୟ କ୍ଷେତ୍ରରେ ଯାର ସଦ୍‌ବ୍ୟବହାର କରାଯାଇ ପାରନ୍ତା ।

 

ଏ ଅସୁବିଧା ଗୁଡ଼ିକ ଜାଣି ପାରିଲି ଚୁକ୍ତିପତ୍ର ସ୍ୱାକ୍ଷର କରିବାର ଛମାସ ପରେ । ପ୍ରଥମରେ ମୁଁ ବୁଝି ପାରିନାହିଁ—ଏ ଅସୁବିଧା ଗୁଡ଼ିକ ଆଖିରେ ପଡ଼ିନାହିଁ କାହିଁକି ? କାହିଁକି ଏ ସମସ୍ତ ଆବିଷ୍କାର କରିବାକୁ ଦୀର୍ଘଦିନ ଲାଗିଲା ? ମନେହେଲା—ଯେଉଁ କାମରେ ଦିନେ ମୋର ଏତେ ଆଗ୍ରହ ଥିଲା—ତା’ ଉପରେ ମୋର ବିଦ୍ୱେଷ ଓ ଅସାଫଲ୍ୟ ଏମିଲିୟା ଓ ମୋର ସଂପର୍କ ଉପରେ ପୁରାପୁରି ନିର୍ଭରଶୀଳ । ଅନୁଭବ କଲି—ଏମିଲିୟା ମୋତେ ଭଲ ପାଏନା । ଅନ୍ତତଃ ସେଇୟା ହିଁ ମୋର ଧାରଣା । କାମ କରିବାକୁ ତେଣୁ ବିରକ୍ତ ଆସେ । ଯେତେଦିନଯାଏ ଏମିଲିୟାର ପ୍ରେମ ସମନ୍ଧରେ ମୁଁ ନିଶ୍ଚିନ୍ତ ଥିଲି ସେତେଦିନ ପର୍ଯ୍ୟନ୍ତ ବିଶ୍ୱାସ ଓ ସାହସର ସହିତ କାମ କରିଛି । ଏବେ ମୁଁ ଆଉ ନିଃସନ୍ଦେହ ନୁହେଁ । ବିଶ୍ୱାସ ଓ ମନର ବଳ ଆଉ ନାହିଁ । ମନେ ହେଉଛି—ଏ ଦାସତ୍ୱ, ପ୍ରତିଭାର ଅପଚୟ, ସମୟର ଅପବ୍ୟବହାର ।

 

ସମୟର ସ୍ରୋତ ବହି ଯିବାକୁ ଲାଗିଲା ।

 

ମୁଁ ଯେମିତି ଆସନ ବ୍ୟାଧିର ଅକ୍ଷମତାର ବୋଝ ବୋହି ବୁଲୁଛି ଅଥଚ ଡାକ୍ତର ପରାମର୍ଶ ନେବାର ସାହସ ନାହିଁ । ଇଚ୍ଛା ହେଲା ଯେତେଦିନ ସମ୍ଭବ ନିଶ୍ଚିନ୍ତ ରହିବାର ଚେଷ୍ଟା କରିବି । ମନର ଆକାଶଟା ସଂପୂର୍ଣ୍ଣ ରୂପେ ଆବୃତ୍ତ କରି ଦେଇଛି ସନ୍ଦେହର ମେଘ । ସନ୍ଦେହର କୀଟ ମନର ଫୁଲ କଳିଟିକୁ ଟିକି ଟିକି କରି କାଟି ଦେଇଛି । ତେଣୁ ଶଙ୍କିତ ହୋଇ ପଡ଼ିଲି । ଏମିଲିୟା ସହିତ ସୁସଂପର୍କ ରକ୍ଷାକରି ଚଳିବା ଦୁଃସହ, ତଥାପି ତା ସହିତ ବସବାସ କରିବାକୁ ଲାଗିଲା । ମିଛରେ ମନକୁ ପ୍ରବୋଧ ଦେବାକୁ ଲାଗିଲା । ଦିବସରେ ଅନିଚ୍ଛାରକୃତ ଆକସ୍ମିକ ଓ ଅସଂଲଗ୍ନ ଆଳାପ, ଇନ୍ଦ୍ରିୟତୃପ୍ତି ବା ଏମିଲିୟା ଉପରେ ଅତ୍ୟାଚାର; ଏଇତ ଆମର ସ୍ୱାଭାବିକ ଜୀବନ ।

 

ପୂର୍ଣ୍ଣ ଉଦ୍ୟମରେ କାମ କରିବାକୁ ଲାଗିଲି । କିନ୍ତୁ ଅନିଚ୍ଛା ଓ ବିଦ୍ୱେଷର ଘୁଣ କାଟିବାକୁ ଲାଗିଲା ଦିନ ପରେ ଦିନ । ସେତେବେଳେ ସାହାସ କରି ନିଜର କଥା ଚିନ୍ତା କରି ପାରୁଥିଲେ କାମ ଓ ଇନ୍ଦ୍ରିୟସଂଭୋଗ ଉଭୟ ପରିତ୍ୟାଗ କରିଥାନ୍ତି । କାହିଁକି ନା ଦିହିଙ୍କ ଭିତରେ କାହାରି ହେଲେ ଉତ୍ସାହ ବା ଆଗ୍ରହ ନ ଥିଲା । ଏକଥା ଅବଶ୍ୟ ବୁଝିଲି ଅନେକ ଦିନ ପରେ । ଭାବିଥିଲି କୌଣସି ଚେଷ୍ଟା ନ କଲେ ବି ସ୍ୱତଃ ଯଥା ସମୟରେ ସମସ୍ୟାର ସମାଧାନ ହୋଇଯିବ । ସମାଧାନ ବି ହୋଇଥିଲା, ତେବେ ମୁଁ ଯେମିତି ଚାହିଥିଲି ଠିକ୍‌ ସେଭଳି ଭାବରେ ନୁହେଁ ।

 

କ୍ଷୀଣ ଅସ୍ପଷ୍ଟ ଆଶାରେ ଦିନ ଗୁଡ଼ିକ କଟି ଯାଉଛି । ଏମିଲିୟା ମୋତେ ଅଗ୍ରାହ୍ୟ କରି ଚାଲିଛି । ମନଦେଇ କାମ ମୋଟେ କରି ପାରୁନାହିଁ । ମଝିରେ ମଝିରେ ଅତିଷ୍ଠ ହୋଇ ଉଠୁଛି । ମନରେ ଜାଗି ଉଠୁଛି ଦୁଶ୍ଚିନ୍ତା ।

 

ଏହାରି ଭିତରେ ବାତ୍ତିସତାଙ୍କ ଚିତ୍ରନାଟ୍ୟ ସଂପାଦନା ଶେଷ ହୋଇଗଲା । ମୋତେ ଆହୁରି ଗୋଟାଏ ଚିତ୍ର ସଂପାଦନା କଥା କହିଲେ ବାତ୍ତିସତା । ଆଗ ଅପେକ୍ଷା ଏହି କାମଟି କଠିଣ-। ସଚରାଚର ଚିତ୍ର ନିର୍ମାତାମାନଙ୍କ ଚରିତ୍ର ଯେଭଳି ହୋଇଥାଏ ବାତ୍ତିସତା ମଧ୍ୟ ସେହିଭଳି ଚଞ୍ଚଳ, ତାଙ୍କର କଥାବାର୍ତ୍ତା ରହସ୍ୟପୂର୍ଣ୍ଣ । ସେ କହିଲେ, ପ୍ରଥମ ଚିତ୍ରନାଟ୍ୟ ଅପେକ୍ଷା ଆପଣ ଏଥର ବେଶି ଟଙ୍କା ପାଇବେ ।

 

ଚିତ୍ରସଂପାଦନା କରିବାରେ ଆଉ ମୋର ଆଗ୍ରହ ନ ଥିଲା । ତଥାପି ସହଜ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ସର୍ବାଗ୍ରେ ମନରେ ପଡ଼ିଲା ସେହି ଫ୍ଲାଟଟିର କଥା । ତେଣୁ ବାତ୍ତିସତାଙ୍କ ପ୍ରସ୍ତାବରେ ଉତ୍‍ଫୁଲ୍ଲ ହୋଇ ଉଠିଲି । ଯାହାହେଉ ଚିତ୍ରଶିଳ୍ପର କାମଟାହିଁ ଏହିଭଳି, କାମ ନ ଥିଲେ ମନ ସଂଶୟାକୁଳ, ପଙ୍ଗୁ ହୋଇପଡ଼େ । କାମ ମିଳିଲେ ଉତ୍ସାହର ଅନ୍ତ ନ ଥାଏ ।

 

ଦୁଇଟି କାରଣରୁ ଏମିଲିୟାକୁ ବାତ୍ତିସତାଙ୍କ ନୂତନ ପ୍ରସ୍ତାବ ଜଣାଇଲି ନାହିଁ । ପ୍ରଥମତଃ ପ୍ରସ୍ତାବଟି ଗ୍ରହଣ କରିବି କି ନାହିଁ ସ୍ଥିର କରି ପାରିଲି ନାହିଁ । ଦ୍ୱିତୀୟତଃ ମୁଁ ନିଶ୍ଚିନ୍ତ ଯେ ମୋର କାର୍ଯ୍ୟରେ ଏମିଲିୟାର କୌଣସି କୌତୁହଳ ନାହିଁ । ତେଣୁ ସେ ସମ୍ବନ୍ଧରେ ତାକୁ କିଛି କହିବି ନାହିଁ ବୋଲି ଠିକ୍‌ କରିନେଲି, ଯେମିତି ମୁଁ ଆହୁରି ଗଭୀର ଭାବରେ ଉପଲବ୍‌ଧ କରି ପାରିବି ଯେ ସେ ନିର୍ବିକାର । ନା, ଏ ବିଷୟରେ ଖୁବ୍‌ବେଶି ଗୁରୁତ୍ୱ ଆରୋପ କରିବା ଅନୁଚିତ । ତେବେ ବି ଜାଣିଥିଲି ଏମିଲିୟାର ଭଲ ପାଇବା ବା ଉପେକ୍ଷା କରିବା ଉପରେ କାମଟା ଗ୍ରହଣ ନ କରିବା ସଂପୂର୍ଣ୍ଣ ନିର୍ଭର କରେ । ଏମିଲିୟା ମୋତେ ଆଉ ଭଲ ପାଉନାହିଁ । ତେଣୁ ସ୍ଥିର କରି ପାରି ନ ଥିଲି କାମଟା ଗ୍ରହଣ କରିବି କି ନାହିଁ ; ସେ ଯଦି ମୋତେ ଆଗଭଳି ଭଲ ପାଉଥାନ୍ତା ତେବେ ତାକୁ ଜଣାଇ ଥାନ୍ତି । ଆଉ ତାକୁ ଜଣାଇବା ଅର୍ଥ କାମଟା ଗ୍ରହଣ କରିବା ।

 

ବାତ୍ତିସତାଙ୍କ ପାଇଁ ଯେଉଁ ଚିତ୍ରନାଟ୍ୟଟି ଲେଖିଥିଲି ସେହି ଚିତ୍ରର ପରିଚାଳକଙ୍କ ସହିତ ଦେଖା କରିବା ଉଦ୍ଦେଶ୍ୟରେ ସେଦିନ ସକାଳୁ ବାହାରି ପଡ଼ିଲି । ଆଜିହିଁ ଶେଷ ହୋଇଯିବ—ଆଉ ଦୁଇ ପୁଷ୍ଟା ମାତ୍ର ବାକି । ତେଣୁ ମନରେ ଅପରିସୀମ ତୃପ୍ତି । କାମଟି ଶେଷ ହେବା ଉପରେ, ଯାହାହେଉ କିଛି ଦିନ ଶ୍ୱସ୍ତିରେ ରହିହେବ । ଚିତ୍ରନାଟ୍ୟ ଲେଖାରେ ଏହା ନିତ୍ୟନୈମିତ୍ତିକ ବ୍ୟାପାର-। ଦୁଇମାସ ବ୍ୟାପୀ ଏକାଦି କ୍ରମେ କାମ କରିବା ପରେ ଚିତ୍ରର ଚରିତ୍ର ଓ କାହାଣୀ ଉପରେ ବିରକ୍ତି ଆସିଯାଏ । ଶୀଘ୍ର ହୁଏତ ଆହୁରି ଗୋଟାଏ ବିରକ୍ତିର କାହାଣୀ ଓ କେତୋଟି ଚରିତ୍ରର କବଳରେ ପୁଣି ପଡ଼ିବି । ଆପାତତଃ ଗୋଟାକର ହାତରୁ ତ ମୁକ୍ତି ପାଉଛି ।

 

ଆସନ୍ନ ମୁକ୍ତିର ଆଶା ଓ ଆନନ୍ଦାତିଶଯ୍ୟରେ ଦ୍ୱିଗୁଣ ଉତ୍ସାହରେ କାମ କରିବାକୁ ଲାଗିଲି-। ପାଣ୍ଡୁଲିପିର କେତୋଟି ସ୍ଥାନରେ ଅଦଳ ବଦଳ କରିବାକୁ ପଡ଼ିଲା । ଏ ବିଷୟରେ କେତେଦିନ ଧରି ଆମ ଭିତରେ ଆମେ ଆଲୋଚନା କରୁଥିଲୁ ।

 

ଆଜି ଆଲୋଚନାକୁ ସହଜରେ ଠିକ୍‌ ପଥରେ ଚଳେଇ ନେଲି, ସମସ୍ୟାର ସମାଧାନ କରି ପକେଇଲି ପ୍ରଚଣ୍ଡ ଉତ୍ସାହରେ । ମାତ୍ର ଦୁଇ ଘଣ୍ଟା ଭିତରେ ମୁଁ ବୁଝି ପାରିଲି—ଚିତ୍ରନାଟ୍ୟ ସମ୍ପାଦନା ଶେଷ ହୋଇଛି । ପର୍ବତାରୋହୀ ଯେମିତି ତାର ହରାଇଥିବା ଲକ୍ଷ୍ୟ ପଥ ଦେଖି ଉତ୍‌ଫୁଲ୍ଲ ହୋଇ ଉଠେ, ଠିକ୍‌ ସେହିଭଳି ଗୋଟାଏ ସଂଳାପ ରଚନା କରି ସାରି ବିସ୍ମୟରେ କହି ଉଠିଲି....କାହିଁକି—ଏଇଠିତ ଶେଷ କରାଯାଇପାରେ ।

 

କୋଠରୀ ଭିତରେ ପରିଚାଳକ ପଦଚାରଣ କରୁଥିଲେ । ମୁଁ ଲେଖି ଯାଉଥିଲି, ସେ ପାଖକୁ ଆସି ଠିଆ ହେଲେ । ମୋର କାନ୍ଧ ଉପରେ ଝୁଙ୍କିପଡ଼ି ଲେଖାଟି ପଢ଼ି ଦେଖିଲେ । ପରମ ଉତ୍ସାହରେ କହିଲେ, ଠିକ କହିଛନ୍ତି—ସତରେ ଏଇଠି ଶେଷ କରି ଦିଆ ଯାଇ ପାରେ ।

 

ସୁତରାଂ ପାଣ୍ଡୁଲିପିର ଶେଷ ପୃଷ୍ଠାରେ ଲେଖିଲି ସ....ମା....ପ୍ତ । ତା’ପରେ ବନ୍ଦ କଲି ପାଣ୍ଡୁଲିପିଟି ।

 

ଦୁହେଁ ମୁହୂର୍ତ୍ତେ ପର୍ଯ୍ୟନ୍ତ ଠିଆ ହୋଇ ରହିଲୁ, କାହାରି ମୁହଁରେ ଭାଷା ନାହିଁ । ଦୁହିଁଙ୍କର ଦୃଷ୍ଟି ଡେକ୍‌ସ ନିବଦ୍ଧ—ଯେମିତି ଦୁଇଜଣ ଅବସନ୍ନ ପର୍ବତାରୋହୀ ଅତି କଷ୍ଟରେ ଗୋଟାଏ ଅପରିସର ହ୍ରଦ ବା ଚୂଡ଼ାକୁ ଆସି ମୁଗ୍‌ଧ ବିସ୍ମୟରେ ପରମ ତୃପ୍ତିରେ ଚାହିଁ ରହିଛୁ ।

 

ପରିଶେଷରେ ପରିଚାଳକ କହିଲେ, କାମ ଶେଷ ହେଲା ତାହାହେଲେ । ଟିକିଏ ପରେ ମୁରୁକି ହସି କହିଲେ, ଟଙ୍କା ଲୋଭରେ ଆପଣ ଶୀଘ୍ର କାମଟି ଶେଷ କରି ପାରିଲେ ନୁହେଁ ? ପରିଚାଳକଙ୍କ ନାମ ମି: ପାସେତ୍ତି । ସୁଦର୍ଶନ ତରୁଣ । ଚେହେରା ସୂକ୍ଷ୍ମ ଜ୍ୟାମିତିକ ବା ହିସାବ ରକ୍ଷକ ଭଳି—ଶିଳ୍ପୀ ଜନୋଚିତ ନୁହେଁ । ବୟସ ପ୍ରାୟ ମୋ ସହିତ ସମାନ । କିନ୍ତୁ ସେ ଚିତ୍ରନାଟ୍ୟ ପରିଚାଳକ ଆଉ ମୁଁ ଚିତ୍ରନାଟ୍ୟ ସମ୍ପାଦକ । ଦୁହିଁଙ୍କର ସମ୍ପର୍କ ପ୍ରଭୁ ଓ ଭୃତ୍ୟର ଅନୁରୂପ । କାହିଁକି ନା ଆମର ସହଯୋଗୀମାନଙ୍କର ତୁଳନାରେ ପରିଚାଳକଙ୍କର କ୍ଷମତା ହିଁ ବେଶି ।

 

ଯଦିଓ ପାସେତ୍ତିଙ୍କ ସାହଚର୍ଯ୍ୟ ମୋତେ ଭଲ ଲାଗୁଥିଲା, ମୋ ସହିତ ତାଙ୍କ ଜୀବନ ବା ଚରିତ୍ରର କୌଣସି ସାମଞ୍ଜସ୍ୟ ନ ଥିଲା । କଳ୍ପନା ଶକ୍ତି ଓ ସାହସ ନ ଥିଲେହେଁ ମୋଟାମୋଟି ଭଦ୍ରଲୋକଟି ଶିଷ୍ଟାଚାରୀ । ତାଙ୍କର ରସିକତାରେ ଗମ୍ଭୀର ଭାବରେ କହିଲି, ହଁ....ସେଇୟା ।

 

ସିଗାରେଟରେ ଅଗ୍ନି ସଂଯୋଗ କରି ସେ କହିଲେ, ତେବେ ମନେ କରନ୍ତୁ ନାହିଁ ଯେ କାମଟା ଶେଷ ହୋଇ ଯାଇଛି....ପ୍ରଧାନ ଅଂଶଟା ଶେଷ ହୋଇଛି କିନ୍ତୁ ସଂଳାପଟା ମୂଳରୁ ସଂଶୋଧନ କରିବାକୁ ପଡ଼ିବ—ଏ ପର୍ଯ୍ୟନ୍ତ ବି ଠିକ ଭାବରେ କୁହାଯାଇ ପାରିବ ନାହିଁ କେତେ ପରିମାଣରେ ଆପଣ ସଫଳ ହୋଇ ପାରିଛନ୍ତି ।

 

କହିଲି, କିଛି ମନେ କରିବେ ନାହିଁ । ଦରକାର ହେଲେ ଖବର ଦେବେ । ମୁଁ ନିଶ୍ଚୟ ଯିବି ।

 

ମୁଣ୍ଡ ହଲେଇ ପାସେତ୍ତି କହିଲେ, ନିଶ୍ଚୟ ମୁଁ ମଧ୍ୟ ମୋର କର୍ତ୍ତବ୍ୟ ସମ୍ୱନ୍ଧରେ ସଚେତନ–ଆପଣଙ୍କର ପ୍ରାପ୍ୟ ସମୁଦାୟ ନ ଦେଇ ହାତରେ କିଛି ରଖିବାକୁ ପଡ଼ିବ—ବୁଝିପାରିଲେ ତ-? ତାଙ୍କର ଏହି ସକୌତୁକ ଉକ୍ତିରେ ମୁଁ ଲକ୍ଷ୍ୟ କଲି କର୍ତ୍ତୃତ୍ୱର ସ୍ୱର । ତାଙ୍କ ଭଳି ତରୁଣର ମୁହଁରେ ଏ ଧରଣର ଉକ୍ତି ବିସ୍ମୟକର । ସିଏ ତାଙ୍କର ସହଯୋଗୀମାନଙ୍କୁ କେତେବେଳେ ପ୍ରଶଂସା କରନ୍ତି, ଅପର ମୁହୂର୍ତ୍ତରେ ସେମାନଙ୍କ ଉପରେ ଦୋଷାରୋପ କରନ୍ତି । ପୁଣି କେତେବେଳେ ତୋଷାମଦ କରନ୍ତି ତ କେତେବେଳେ ଆଦେଶର ଭଙ୍ଗିରେ ଅନୁରୋଧ କରନ୍ତି । ଏହି ହିସାବରେ ତାଙ୍କୁ ଜଣେ ସୁଦକ୍ଷ ପରିଚାଳକ କୁହା ଯାଇପାରେ । କାହିଁକିନା ପରିଚାଳକଙ୍କର କୃତିତ୍ୱ ଅନେକ ପରିମାଣରେ କାମ କରେଇ ନେବାର ଦକ୍ଷତା ଉପରେ ନିର୍ଭର କରେ ।

 

କହିଲି, ନା—ମୋର ସମୁଦାୟ ପ୍ରାପ୍ୟଟା ଦେଇଦେବା ପାଇଁ କହିବେ । ଆପଣଙ୍କୁ କଥା ଦେଉଛି—ଯେତେବେଳେ ଦରକାର ପଡ଼ିବ କାମ କରିଦେଇ ଆସିବି ।

 

ରସିକତା କରି ସେ କହିଲେ, ଦେଖନ୍ତୁ ମହାଶୟ ! ଆପଣ ଏତେ ଗୁଡ଼ିଏ ଟଙ୍କା ନେଇ କ’ଣ କରନ୍ତି ? ଆପଣଙ୍କୁ ଅର୍ଥର ଅନାଟନ ହୁଏ, ଯଦିଓ ଆପଣଙ୍କର ଋଣ ନାହିଁ, ଉପପତ୍ନୀ ନାହାନ୍ତି—ଏପରିକି ପିଲାଛୁଆ ବି ନାହାନ୍ତି ।...

 

ତାଙ୍କରି କଥାରେ ଅଳ୍ପ କ୍ଷୁଣ୍ଣ ହୋଇ କହିଲି, ଫ୍ଲାଟର କିସ୍ତି ଦେବାକୁ ହୁଏ ।

 

ଅନେକ ଟଙ୍କା ବାକି ପଡ଼ିଛି ବୋଧହୁଏ ? କହିଲେ ମି: ପାସେତ୍ତି ।

 

ପ୍ରାୟ ସବୁଯାକ ଟଙ୍କା ବାକି ପଡ଼ିଛି ।

 

ତଥାପି ବାଜିମାରି ମୁଁ କହିପାରେ—ପାଉଣା ଟଙ୍କା ଆଦାୟ କରି ନ ପାରିଲେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଧମକାନ୍ତି । ମୁଁ ସ୍ପଷ୍ଟ ଶୁଣି ପାରୁଛି ତାଙ୍କର କଣ୍ଠସ୍ୱର—ସେ ଆପଣଙ୍କୁ କହୁଛନ୍ତି ଦେଖ ରିକାର୍ଡୋ ! ଏମାନଙ୍କ ପାଖରୁ ସବୁ ଟଙ୍କା ନେଇ ଆସ...ନୁହେଁ ?

 

ଏଥର ମୋତେ ମିଥ୍ୟାର ଆଶ୍ରୟ ନେବାକୁ ପଡ଼ିଲା । କହିଲି, ହଁ, ମୋର ସ୍ତ୍ରୀ—କିନ୍ତୁ ଆପଣ ଜାଣନ୍ତି ସ୍ତ୍ରୀମାନଙ୍କ ସ୍ୱଭାବ । ଘର ସେମାନଙ୍କ ନିକଟରେ ଅତି ମୂଲ୍ୟବାନ ।

 

ଆପଣ ମୋତେ ଏକଥା କହୁଛନ୍ତି ? ସେ ତାଙ୍କର ସ୍ତ୍ରୀଙ୍କର ଗୁଣ ବ୍ୟାଖାନ କରିବାକୁ ଲାଗିଲେ । ପାସେତ୍ତିଙ୍କର ସେ ଯୋଗ୍ୟ ପତ୍ନୀ । ପାସେତ୍ତି ମନେ କରନ୍ତି ସେ ନିଜେ ଗୋଟାଏ ଚଞ୍ଚଳ ଜୀବ—ଅନେକ କିଛି ଆସ୍ୱାଭାବିକ, ଗୋଟାଏ ସ୍ତ୍ରୀଲୋକ....

 

ମନ ଉଡ଼ି ବୁଲୁଥିଲା ବହୁ ଦୂରରେ । ତଥାପି ଏଭଳି ଭାବ ଦେଖେଇଲି ଯେମିତି ତାଙ୍କ କଥା ମନଦେଇ ଶୁଣୁଛି । ହଠାତ୍‌ ସେ ତାଙ୍କର କଥାରେ ପୂର୍ଣ୍ଣଚ୍ଛେଦ ଟାଣିଲେ । ତେବେ ବେଶ୍‌ ଭଲ କଥା, କିନ୍ତୁ ମୁଁ ଜାଣେ, ଆପଣମାନେ ଚିତ୍ର ସଂପାଦକଗଣ କି ପ୍ରକାରର, ସମସ୍ତ ଠିକ୍‌ ଗୋଟାଏ ଧରଣର । ଅର୍ଥଟା ଆସିବା ମାତ୍ରକେ—ବେଶ୍‌....ଆପଣମାନଙ୍କ ଦେହର ଗନ୍ଧ ପାଇବା ମୁସ୍କିଲ । ଗୋଟାଏ କିସ୍ତିର ଟଙ୍କା ଯେମିତି ସେ ହାତରେ ରଖନ୍ତି ।

 

ଦେଖନ୍ତୁ ମୁଁ ଯାହା କହିଛି ଦୟାକରି ସେଇୟା କହିବେ ।

 

ଆଚ୍ଛା ! ବେଶ୍‌ ଚେଷ୍ଟା କରିବି । ତେବେ ବିଶେଷ ଭରସା କରି ବସି ରହିବେ ନାହିଁ । ପୁନରାୟ ଘଡ଼ିକୁ ଚାହିଁଲି । ତାଙ୍କୁ କର୍ତ୍ତୃତ୍ୱ ଦେଖାଇବାର ସୁଯୋଗ ଦେଇଛି, ସେହି ସୁଯୋଗ ସେ ଗ୍ରହଣ କରିଛନ୍ତି । ଯାହାହେଉ ଏଥର ଯିବାକୁ ପଡ଼ିବ । କହିଲି, ମୁଁ ବିଶେଷ ଖୁସି ଯେ କାମଟି ଶେଷ ହୋଇଛି । ଯିବାର ସମୟ ହୋଇ ଯାଇଛି ।

 

ବିନା ଚିନ୍ତାର ସ୍ଫୁର୍ତ୍ତିର ସଙ୍ଗେ ସେ କହିଲେ, ଆରେ ଇୟେ କଣ—ଆସନ୍ତୁ ଆମର ଆଗାମୀ ଚିତ୍ରର ସଫଳ ପାଇଁ ପାନାହାର କରାଯାଉ । ଚିତ୍ରନାଟ୍ୟ ଶେଷ ହେଲା ଆପଣଙ୍କୁ ତ ଆଉ ଏଭଳି ଛାଡ଼ି ଦିଆ ଯାଇ ପାରେନା—ମୋ ଘରକୁ ଯିବାକୁ ଆପଣଙ୍କର କୌଣସି ଆପତ୍ତି ନାହିଁ ତ-?

 

ନା...ନା....ଆପତ୍ତି କରିବି କାହିଁକି ?

 

ବେଶ୍‌—ଆସନ୍ତୁ ତାହାହେଲେ—ମୋରି ସ୍ତ୍ରୀ ଏ ଆନନ୍ଦରେ ଯୋଗ ଦେଇ ପାରିଲେ ଖୁସି ହେବ ।

 

ଗୋଟାଏ ସରୁଗଳି ଦେଇ ପାସେତ୍ତିଙ୍କ ସହିତ ଚାଲିଲି । ପାସେତ୍ତି ଆଗେ ଘର ଭିତରକୁ ପଶିଯାଇ ଡାକିଲେ ଲୁଇସ ! ...ମଲଟେନି ଓ ମୁଁ ଆମର ଚିତ୍ରନାଟ୍ୟ ଶେଷ କରିଛୁ–ବର୍ତ୍ତମାନ ଆମେ ଆମ ଭବିଷ୍ୟତ ସାଫଲ୍ୟର ପାଇଁ ପାନାହାର କରିବାକୁ ଚାହୁଁ ।

 

ଚୌକୀରେ ବସିଥିଲେ ମିସେସ୍‌ ପାସେତ୍ତି । ମି: ପାସେତ୍ତିଙ୍କ କଥା ଶୁଣି ସେ ଅଭ୍ୟର୍ଥନା କରିବାକୁ ଆଗେଇ ଆସିଲେ । ଭଦ୍ରମହିଳା ଖର୍ବକାୟା, ସ୍ଥୂଳାଙ୍ଗୀ, ଚୂର୍ଣ୍ଣକୁନ୍ତଳ ନଇଁ ଆସିଛି ବିବର୍ଣ୍ଣ ମୁହଁ ଉପରକୁ । ଆଖି ଦୁଇଟି ଗୋଲ, ଶେତା । ସ୍ୱାମୀଙ୍କ ଉପସ୍ଥିତିରେ ଜ୍ୱଳନ୍ତ ହୋଇପଡ଼େ—ଅନବରତ ଚାହିଁ ରହିଥାନ୍ତ ମି: ପାସେତ୍ତିଙ୍କୁ । କିନ୍ତୁ ସ୍ୱାମୀ ଚାଲିଗଲେ ଆଖି ଉଠେଇ କୌଣସି ଆଡ଼କୁ ଚାହାନ୍ତି ନାହିଁ....ଚାରିବର୍ଷର ଘରକରଣା ଭିତରେ ସେ ଚାରୋଟି ସନ୍ତାନର ଜନନୀ ।

 

ଆଜି ସମସ୍ତ ମିଶି ମନଇଚ୍ଛା ମଦପିଇବା...କଣ କହୁଛ ? ମିସେସ୍‌ ପାସେତ୍ତି ବିନୟ ସହକାରେ କହିଲେ, କିନ୍ତୁ ତୁମେ ତ ଜାଣ ମୁଁ ମଦ ଖାଏନା ।

 

ତେବେ ଆମ୍ଭେମାନେ ଖାଇବୁ । ମି: ପାସେତ୍ତି କହିଲେ ।

 

ଅଗ୍ନିକୁଣ୍ଡର ଅପରପାର୍ଶ୍ୱରେ ସେ ବସିଥିଲେ । ମିସେସ୍‌ ପାସେତ୍ତି ମୋ ସହିତ ଆଳାପ କରିବାର କୌଣସି ପ୍ରୟୋଜନ ମନେ କଲେ ନାହିଁ । ମୁହଁପୋତି କୋଳ ଉପରେ ହାତ ଦୁଇଟିକୁ ରଖି ସେ ସ୍ଥିର ଭାବରେ ବସି ରହିଲେ । ଦୁଇ ବୋତଲ ମଦ ଆଣି ଟେବୁଲ ଉପରେ ଥୋଇ ଦେଇ ମି: ପାସେତ୍ତି ବରଫ ଆଣିବାକୁ ବାହାରିଗଲେ ।

 

ନୀରବରେ କିଛି ସମୟ ବସି ରହିଲି । ତା ପରେ ହଠାତ୍‌ କହିଲି, ଜାଣନ୍ତି ମିସେସ୍‌ ପାସେତ୍ତି । ଆମର ଚିତ୍ରନାଟ୍ୟଟି ଶେଷ ହୋଇଛି ।

 

ଉପରକୁ ମୁହଁଟେକି ସେ ଜବାବ ଦେଲେ, ହଁ ଜିନୋ ପାଖରୁ ଶୁଣିଛି—

 

ଚିତ୍ରଟି ଯେ ଖୁବ୍‌ ସଫଳ ହେବ ଏ ବିଷୟରେ ମୋର ଟିକିଏ ବି ସନ୍ଦେହ ନାହିଁ ।

 

ମୋର ମଧ୍ୟ ନାହିଁ, ନ ହେଲେ କଣ ଜିନୋ ଏ ଚିତ୍ରର ଦାୟିତ୍ୱ ନେଇଥାନ୍ତେ ?

 

ଆଚ୍ଛା ! ଗଳ୍ପଟି ଆପଣ ଜାଣନ୍ତି ?

 

ଆପଣଙ୍କ ମନକୁ ପାଇଛି ?

 

ହଁ, ଜିନୋ କହିଛନ୍ତି ।

 

ଜିନୋ ଯେତେବେଳେ ପସନ୍ଦ କରିଛନ୍ତି ମୋତେ ଆଉ କଣ ଭଲ ଲାଗିବ ନାହିଁ ?

 

ସବୁ ସମୟରେ ଆପଣ ଦୁହିଁଙ୍କର ମତ ବୋଧହୁଏ ଏକ । ମୁଁ କହିଲି ।

 

ଜିନୋ ଓ ମୁଁ ? ହଁ—ନିଶ୍ଚୟ....ନିଶ୍ଚୟ ।

 

ତେବେ କାର ମତ ବେଶି ଗୃହୀତ ହୁଏ ।

 

କାହିଁକି ? ତାଙ୍କର ।

 

ଲକ୍ଷ୍ୟ କଲି ମିସେସ୍‌ ପାସେତ୍ତିଙ୍କ ମୁହଁରେ ଜିନୋ ଛଡ଼ା ଯେମିତି ଅନ୍ୟ କୌଣସି କଥା ନାହିଁ । ଅତି ଧୀର ଭାବରେ ସେ ମୋର କଥାର ଉତ୍ତର ଦେଉଥିଲେ ।

 

ବରଫ ଧରି ଫେରି ଆସି ମି: ପାସେତ୍ତି କହିଲେ, ରିକାର୍ଡୋ ତୁମର ସ୍ତ୍ରୀ ଟେଲିଫୋନ କରୁଛନ୍ତି ।...ମୋର ମନେହେଲା, ମୋର ସୁଖର ଦିନ ବୋଧହୁଏ ଅତର୍କିତ ଭାବରେ ଫେରି ଆସିଛି-। ବ୍ୟସ୍ତ ଭାବରେ ଠିଆ ହେଲି ।

 

ମି: ପାସେତ୍ତି କହିଲେ, ଟେଲିଫୋନ ଆରଘରେ ରହିଛି । ତେବେ ଏଠି ଥାଇ ବି ଆପଣ କଥାବାର୍ତ୍ତା କରି ପାରିବେ । ସୁଇଚ୍‌ ଦେଇ ଦେଉଛି ।

 

ଅଗ୍ନିକୁଣ୍ଡ ପାଖରେ ଗୋଟାଏ ବାକ୍‌ସ ଉପରେ ଟେଲିଫୋନଟି । ରିସିଭର କାନ ପାଖରେ ଦେବାମାତ୍ରକେ ଶୁଣିଲି ଏମିଲିୟାର କଣ୍ଠସ୍ୱର । ମୁଁ ମା ପାଖକୁ ଯାଉଛି । ତୁମେ ବାହାରେ ଖିଆପିଆ ସାରି ଆସ, ବୁଝିଲ, କିଛି ମନେ କରିବ ନାହିଁ ।

 

କିନ୍ତୁ ଆଗରୁ କାହିଁକି କହିନାହଁ ?

 

ତୁମର କାମରେ କାଳେ ବାଧା ପହଞ୍ଚିବ, ଏଇଥିପାଇଁ ।

 

ବେଶ ମୁଁ ରେସ୍ତୋରାଁରେ ଖାଇନେବି ।

 

ଆଚ୍ଛା ।

 

ରିସିଭରଟି ରଖିଦେଇ ମି: ପାସେତ୍ତିଙ୍କୁ ଚାହିଁଲି । ପାସେତ୍ତି ପ୍ରଶ୍ନ କଲେ, ଆପଣ କଣ ଆଜି ଘରକୁ ଫେରୁ ନାହାନ୍ତି । ଘରେ ଖାଇବେ ନାହିଁ ?

 

ମୁଁ ଉତ୍ତର ଦେଲି, ନା—ରେସ୍ତୋରାଁରେ ଖାଇବି ।

 

ସେ କଥା ପଟିବ ନାହିଁ—ଆମ ସଙ୍ଗରେ ଖାଇବେ...ସାଧାରଣ ଖାଦ୍ୟ...ତଥାପି ଆମେ ଦୁହେଁ ଖୁସି ହେବୁ ।

 

ଭାବିଥିଲି ଚିତ୍ରନାଟ୍ୟ ଶେଷ ହେବା ସଂବାଦଟି ଏମିଲିୟାକୁ ଦେବି । ତେଣୁ ଏକାକୀ ରେସ୍ତୋରାଁରେ ଖାଇବା କଥା ଚିନ୍ତା କଲା ବେଳକୁ ହତାଶ ହୋଇ ପଡ଼ିଲି । ହୁଏତ ଶେଷ ପର୍ଯ୍ୟନ୍ତ ତାକୁ କହି ନ ଥାନ୍ତି । ଏ ବିଷୟରେ ତାର ତ ମୋଟେ ଆଗ୍ରହ ନାହିଁ । ତଥାପି ଦୁହିଁଙ୍କର ପୁରାତନ ସଂପର୍କ କଥା ଆଦୌ ଭୁଲି ପାରିନାହିଁ ।

 

ପାସେତ୍ତିଙ୍କ ନିମନ୍ତ୍ରଣରେ ଖୁସି ହେଲି । କେବଳ ଆନନ୍ଦରେ ରାଜି ହେଲି କହିଲେ ଭୁଲ ହେବ, କୃତଜ୍ଞତା ପ୍ରକାଶ କଲି । ବୋତଲ ଦୁଇଟିର କର୍କ ଖୋଲି ଜିନ୍‌ ଓ ମଦ ମିଶେଇ ଚାମୁଚ ସାହାଯ୍ୟରେ ମିଳେଇବାକୁ ଲାଗିଲେ ମି: ପାସେତ୍ତି । ମିସେସ୍‌ ପାସେତ୍ତି ଅପଲକ ଦୃଷ୍ଟିରେ ସ୍ୱାମୀଙ୍କୁ ଚାହିଁ ରହିଲେ । ....ମିଶ୍ରିତସୁରା ଗ୍ଲାସରେ ଢାଳିବାକୁ ଲାଗିଲେ ମି: ପାସେତ୍ତି । ମିସେସ୍‌ ପାସେତ୍ତି ଅଧୀର ଭାବେ କହିଲେ, କେବଳ ଟୋପାଏ.....ଏତେ ବେଶି ଦିଅ ନାହିଁ....ଆଉ ତୁମେ ବି ବେଶି ଖାଅନା ଜିନୋ...ଅନିଷ୍ଟ ହୋଇପାରେ । ପାସେତ୍ତି ହସିଲେ । କହିଲେ, କଣ ଯେ କୁହ...ସବୁଦିନ ତ ଆଉ ଚିତ୍ରନାଟ୍ୟ ଶେଷ ହୁଏନା ।

 

ସେ ଦୁଇଟି ଗ୍ଲାସ ପୁରାପୁରି ଭର୍ତ୍ତି କରିନେଲେ । ଦ୍ୱିତୀୟ ଗ୍ଲାସଟିରେ ସ୍ତ୍ରୀଙ୍କ କହିବା ମୁତାବକ ଖୁବ୍‌ ଅଳ୍ପ । ତିନିହେଁ ଗ୍ଲାସ ଉଠାଇନେଲୁ ।

 

ଓଠ ଦୁଇଟି ଅଳ୍ପ ଓଦା କରି ଗ୍ଲାସଟି ଟେବୁଲ ଉପରେ ରଖି ମି: ପାସେତ୍ତି କହିଲେ, ଏମିତି ଆହୁରି ଅଜସ୍ର ଚିତ୍ରନାଟ୍ୟ ଯେମିତି ଆମେ ଶେଷ କରିପାରୁ....ଏକା ନିଶ୍ୱାସରେ ଶେଷ କରି ପକେଇଲି ପାନୀୟତକ । ଅଳ୍ପ ଅଳ୍ପ ଢୋକି ନେଇ ମିସେସ୍‌ ପାସେତ୍ତି କହିଲେ, ଏଥର ରୋଷେଇଘରକୁ ଯାଇ ଦେଖେ—ଚାକରାଣୀଟା କଣ କରୁଛି । କିଛି ମନେ କରିବେ ପାହିଁ । ମିସେସ୍‌ ପାସେତ୍ତି ବାହାରି ଗଲେ ।

 

ପାସେତ୍ତି ଚୌକୀରେ ବସିଲେ । ଆରମ୍ଭ ହେଲା ଅସରନ୍ତି ଗଳ୍ପ । ପାସେତ୍ତି ନିଜେ ବକ୍ତା-ତାଙ୍କର ବକ୍ତବ୍ୟ କେବଳ ଚିତ୍ରନାଟ୍ୟ ସମ୍ୱନ୍ଧରେ । ମୁଁ କେବଳ ନୀରବରେ ଶୁଣିବାକୁ ଲାଗିଲି ଆଉ ମଝିରେ ମଝିରେ ଅସ୍ପଷ୍ଟ କଣ୍ଠରେ ତାଙ୍କର ବକ୍ତବ୍ୟକୁ ସମର୍ଥନ କରିବାକୁ ଲାଗିଲି । ତିନି ଚାରି ଗ୍ଲାସ ମଦ ଖାଇଲି ତଥାପି ଟିକିଏ ହେଲେ ନିଶା ଧରିନାହିଁ, କେବଳ ବଢ଼ିଛି ମନର ଦୁଃଖ । ମନେ ପଡ଼ିଲା—ଅଳ୍ପ ଆଗରୁ ଶୁଣିଛି ଏମିଲିୟାର ଉଦାସ ଓ ଯୁକ୍ତିପୂର୍ଣ୍ଣ କଣ୍ଠସ୍ୱର । ମିସେସ୍‌ ପାସେତ୍ତିଙ୍କ ସହିତ ତାର କେତେ ତଫାତ୍‌ । ଯେମିତି ଠିକ୍‌ ଦୁଇଟି ଭିନ୍ନମୁଖୀ ନଦୀ । ଆଉ ଚିନ୍ତା କରି ପାରିଲି ନାହିଁ ।

 

ଅଳ୍ପ ସମୟ ପରେ ମିସେସ୍‌ ପାସେତ୍ତି ଫେରିଆସି ରାତ୍ରି ଭୋଜନର ନିମନ୍ତ୍ରଣ ଜଣାଇଲେ । ଡାଇନିଂ ହଲ୍‌ଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ । ଟେବୁଲ ଉପରେ ପରିଚାରିକାଟି ସନ୍ତର୍ପଣରେ ଭୋଜନସାମଗ୍ରୀ ଥୋଇ ଦେଇ ଗଲା । ମୁଁ ନୀରବରେ ଭୋଜନ କରିବାକୁ ଲାଗିଲି । ପାସେତ୍ତିଙ୍କୁ ତାଙ୍କର ଭବିଷ୍ୟତ ପରିକଳ୍ପନା ସମ୍ୱନ୍ଧରେ ପ୍ରଶ୍ନକଲି । ସେ ସ୍ୱାଭାବିକ ନିର୍ଲିପ୍ତ ଭଙ୍ଗିରେ ଉତ୍ତର ଦେଲେ । ତାଙ୍କର ପରିକଳ୍ପନା ମୋର ମନଃପୁତ୍ତ ହେଲାନାହିଁ । ଏହି ଚିରାଚରିତ କଥା ଶୁଣିବା ପାଇଁ ମୋତେ ଆଉ ଭଲ ଲାଗୁ ନ ଥିଲା । ମୋର ଦୃଷ୍ଟି ଚଞ୍ଚଳ ହୋଇ ଉଠିଲା । ହଠାତ୍‌ ମିସେସ୍‌ ପାସେତ୍ତିଙ୍କ ଉପରେ ଆଖି ପଡ଼ିବା ମାତ୍ରକେ ଦେଖିଲି ଆମର ଆଳାପ ସେ ମନଯୋଗ ସହକାରେ ଶୁଣୁଛନ୍ତି ଆଉ ଗାଲ ଉପରେ ହାତ ଥୋଇ ମି: ପାସେତ୍ତିଙ୍କୁ ଚାହିଁ ରହିଛନ୍ତି । ସେହି ଦୃଷ୍ଟି ପ୍ରଣୟାକୁଳ, ଅଭିଭୂତ, ଶ୍ରଦ୍ଧାଜଡ଼ିତ, କୃତଜ୍ଞାତାପୂର୍ଣ୍ଣ, ଭୀରୁ, ବିଷର୍ଣ୍ଣ ଓ ବିମୁଗ୍‌ଧ । ଏହି ରହସ୍ୟମୟ ଆବେଗ ଦେଖି ଅବାକ୍‌ ହୋଇଗଲି । ନାରୀର ଚିତ୍ତଜୟ କରିବାର କୌଣସି ଗୁଣ ପାସେତ୍ତିଙ୍କ ପାଖରେ ନାହିଁ । ତେଣୁ ମିସେସ୍‌ ପାସେତ୍ତିଙ୍କ ଏହି ଅସାଧାରଣ ଆକର୍ଷଣ ଦେଖି ନିଜର ଦୃଷ୍ଟିକୁ ବିଶ୍ୱାସ କରି ପାରିଲି ନାହିଁ । ତାପରେ ମନେ ମନେ ଭାବିଲି, ପୁରୁଷ ବୋଧହୁଏ ଏମିତି ଏକ ନାରୀ ଖୋଜେ ଯିଏ ତାକୁ ଜୀବନ ଦେଇ ଭଲ ପାଏ, ତାର ଗୁଣରେ ମୁଗ୍‌ଧ ବିସ୍ମୃତ ହୋଇପଡ଼େ । ନିଜ ମନର ମାପକାଠିରେ ଅନ୍ୟ ବ୍ୟକ୍ତିର ମନର ଗଭୀରତା ମୋଟେ କଳନା କରାଯାଇ ପାରେନା । ନିଷ୍କଳୁଷ ପତିଭକ୍ତି ପାଇଁ ମିସେସ୍‌ ପାସେତ୍ତିଙ୍କ ଉପରେ ସମବେଦନା ଜ୍ଞାପନ କଲି । ତାଙ୍କର ଏହି ଆଚରଣ ଅଦ୍ଭୁତ ହେଲେହେଁ ମୋତେ ଖୁବ୍‌ ଭଲ ଲାଗିଲା । ଶେଷରେ କ୍ଳାନ୍ତ ହୋଇ ପଡ଼ିଲି । ହୁଏତ ତନ୍ମୟ ହୋଇ ଏହି ନାରୀଟିର ଦୁଇ ଆଖିରେ ଫୁଟି ଉଠିଛି ସ୍ୱାମୀ ପ୍ରତି ଅକପଟ ସ୍ନେହ । ତାଙ୍କର ସ୍ୱାମୀ ତୃପ୍ତ ଓ ସନ୍ତୁଷ୍ଟ କାରଣ ପାସେତ୍ତିଙ୍କ ସ୍ତ୍ରୀ ତାଙ୍କୁ ଭଲପାଏ । କିନ୍ତୁ ଏମିଲିୟାର ଆଖିରେ ସେ ଆଶକ୍ତି ନାହିଁ...ଏମିଲିୟା ମୋତେ ଭଲ ପାଏନା ।

 

ହଠାତ୍‌ ଜ୍ୱରାକ୍ରାନ୍ତ ମଣିଷ ଭଳି ମୋର ସର୍ବଶରୀର କଂପିବାକୁ ଲାଗିଲା । ସେତେବେଳ ଯାଏ ପାସେତ୍ତି ଅନର୍ଗଳ କହି ଯାଉଥିଲେ । ତାଙ୍କରି କଥା ମୁଁ ମୋଟେ ଶୁଣି ପାରୁ ନ ଥିଲି । ମନେ ମନେ ନିଜର ଏହି ଦୁର୍ବୋଧ୍ୟ ବେଦନାର ଅନୁଭୂତି ବିଶ୍ଳେଷଣ କରିବାର ଚେଷ୍ଟା କରୁଥିଲି....। ନା...ନା ଏଭଳି ଭାବରେ ବସିରହିବା ଅସମ୍ଭବ । ଏମିଲିୟା ଠାରୁ କୈଫିୟତ ମାଗିବି—ପ୍ରୟୋଜନ ହେଲେ ତା ନିକଟରୁ ଚାଲିଯିବି, କାମବି ପରିତ୍ୟାଗ କରିବି ।

 

ବାରମ୍ୱାର ଚିନ୍ତାକଲି, ପ୍ରତିଜ୍ଞା କଲି ଗଭୀର ହତାଶାରେ । ତଥାପି ପୁରାପୁରି ବିଶ୍ୱାସ କରି ପାରିଲି ନାହିଁ ଏମିଲିୟାର ପ୍ରେମ ମୁଁ ହରେଇଛି ଆଉ ତାରି ନିକଟରୁ ମୋତେ ଅପସରି ଯିବାପାଇଁ ପଡ଼ିବ । ନିର୍ମମ ନିଶ୍ଚିତ ଏହି ଅଭିନବ ଅନୁଭୂତି ! କାହିଁକି ? କାହିଁକି ? ଏହି ମର୍ମନ୍ତୁଦ ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ବରୁ ପ୍ରମାଣ ଦରକାର, ଆହୁରି ସ୍ପଷ୍ଟ—ପ୍ରମାଣ । କାହିଁକି ସେ ମୋତେ ଭଲପାଏନା ? ତାର ନିଜ ମୁହଁରୁ ଶୁଣିବାକୁ ହେବ, ବିଚାର କରି ଦେଖିବାକୁ ପଡ଼ିବ । ଯେଉଁ କ୍ଷତଟାକୁ ଏତେଦିନ ଗ୍ରାହ୍ୟ କରିନାହିଁ ତାରି ଭିତରେ ଚଳେଇବା ପାଇଁ ହେବ ଶାଣିତ ଛୁରିକା । ମନେ ମନେ ଖୁବ୍‌ ଆନନ୍ଦିତ ହୋଇ ପଡ଼ିଲି । ତଥାପି ବୁଝିପାରିଲି ଚରମ ଅନୁସନ୍ଧାନ ପରେହିଁ ଏମିଲିୟା ନିକଟରୁ ବିଦାୟ ନେବାପାଇଁ ହେବ ।

 

ଯଥା ସମୟରେ ଭୋଜନ ସମାପ୍ତ ହେଲା । ବୈଠକଖାନାରେ ବସି ଆଉ କିଛି ସମୟ ଦୁହେଁ ଗଳ୍ପ କଲୁ । ତାପରେ ବ୍ୟସ୍ତତାର ଭାବ ନ ଦେଖେଇ ଚେୟାର ଛାଡ଼ି ଉଠିଲି । ପାସେତ୍ତିଙ୍କ ବଡ଼ ଝିଅଟାକୁ ସଙ୍ଗରେ ଧରି ଧାଇଁ ଆସି ଘର ଭିତରେ ପ୍ରବେଶ କଲା । ବାହାରକୁ ନେବା ଆଗରୁ ଝିଅଟିକି ବାପମାଙ୍କୁ ଦେଖେଇ ନେବାପାଇଁ ସେ ଆଣିଛି । ମିସେସ୍‌ ପାସେତ୍ତି କୋଳକୁ ଟେକିନେଇ ତାର ନରମ ଗାଲରେ ଚୁମ୍ୱନ କରିବାକୁ ଲାଗିଲେ । ଭାବିଲି ମୁଁ ଏମାନଙ୍କ ଭଳି କେବେହେଲେ ସୁଖି ହୋଇ ପାରିବି ନାହିଁ । ଏହି ଜନ୍ମରେ ଏମିଲିୟା ଆଉ ମୋର ସନ୍ତାନ ହେବନାହିଁ ।......

 

ଅପତ୍ୟ ସ୍ନେହର ଏହି ଅପୂର୍ବ ଦୃଶ୍ୟ ଆଉ ସହ୍ୟ କରି ପାରୁ ନ ଥିଲି । ଅଧିର ହୋଇ ଉଠିଲି । କହିଲି ଏଥର ଯିବି..... ।

 

ଗେଟ୍‌ ପର୍ଯ୍ୟନ୍ତ ମୋତେ ଆଗେଇଦେଲେ ମି: ପାସେତ୍ତି । ମିସେସ ପାସେତ୍ତି ମୋର ଅପ୍ରତ୍ୟାଶିତ ବିଦାୟରେ ବିସ୍ମୟ ପ୍ରକାଶ କଲେ । ହୁଏତ ଭାବିଲେ—ତାଙ୍କରି ମାତୃ ମମତାର ମଧୁର ଦୃଶ୍ୟ ଦେଖି କାହିଁକି ମୁଁ ଅଭିଭୂତ ହୋଇପଡ଼ିଲି ?

 

ସନ୍ଧ୍ୟା ଚାରିଟା ଯାଏ କୌଣସି କାମ ନାହିଁ । ଏଯାଏ ହାତରେ ଦେଢ଼ଘଣ୍ଟା ସମୟ ରହିଛି । ରାସ୍ତାକୁ ଆସି ସହଜାତ ପ୍ରବୃତ୍ତି ପରବଶ ହୋଇ ଘରମୁହାଁ ହୋଇ ପଡ଼ିଲି । ଜାଣେ ଘରେ ଏମିଲିୟା ଅନୁପସ୍ଥିତ । ସେ ଯାଇଛି ତାର ମା ପାଖକୁ । ତଥାପି ବିପନ୍ନ, ବିହ୍ୱଳ ହୋଇ ପଡ଼ିଥିଲି । ଆଶାକଲି ଏମିଲିୟା ହୁଏତ ହୁଏତ କୁଆଡ଼େ ନ ଯାଇ ଘରେ ରହିଛି । ଠିକ୍‌ କଲି ତା ସହିତ ସ୍ପଷ୍ଟ ଭାବରେ ଆଳାପ କରିନେବି । ତାରି ଉତ୍ତର ଉପରେହିଁ ସମସ୍ତ ନିର୍ଭର କରୁଛି । ଏହି ଶଂସୟ ଓ ମିଥ୍ୟା ଆଚରଣ ପରେ ଯେଉଁ ଦୁର୍ବିସହ ଅବସ୍ଥାରେ ଦିନ ଯାପନ କରୁଛି ହୁଏତ ଅନ୍ୟ ଯେ କୌଣସି ବିପଦ ଏହା ତୁଳନାରେ କମ କଷ୍ଟକର ହେବ । ହୁଏତ ବିଚ୍ଛେଦ ହେବ ଏମିଲିୟା ସହିତ । ବାତ୍ତିସତାଙ୍କର ଚିତ୍ରନାଟ୍ୟର ଭାର ନେବି ନାହିଁ । ସେ ହୁଏତ ବରଂ ମଙ୍ଗଳ । ମୋର ଅବସ୍ଥା ଅନିଶ୍ଚିତ—ଗୋଟାଏ ଦିଗରେ ମିଥ୍ୟା ଆଉ ଗୋଟାଏ ଦିଗରେ ଆତ୍ମଗ୍ଳାନି । ଏ ଅବସ୍ଥାରେ ପ୍ରକୃତ ସତ୍ୟହିଁ ମୋର ଏକମାତ୍ର କାମ୍ୟ ।

ଘରଟା ଯେତେ ପାଖେଇ ଆସିଲା ସେତେ ଚିନ୍ତିତ ହୋଇ ପଡ଼ିଲି । ଏମିଲିୟା ନିଶ୍ଚୟ ଘରେ ନାହିଁ । ନୂତନ ଫ୍ଲାଟରେ ପ୍ରବେଶ କଲା ମାତ୍ରକେ ମନ ବିମର୍ଷ ଆଉ ଚଞ୍ଚଳ ହୋଇ ପଡ଼ିବ । ତା ଅପେକ୍ଷା ବାହାରେ କୌଣସି କାଫେରେ ବସି ଦେଢ଼ଘଣ୍ଟା ସମୟ ବିତେଇ ଦେବା ଢେର ଭଲ ।

ହଠାତ୍‌ ମନେପଡ଼ିଲା—ବାତ୍ତିସତାଙ୍କୁ ମୁଁ କଥା ଦେଇଛି, ତାଙ୍କ ସହିତ କେତେବେଳେ ଦେଖା ହେବ ସେ ଟେଲିଫୋନ କରି ଜଣେଇ ଦେବେ । କାମଟି ବିଶେଷ ଜରୁରୀ । ବାତ୍ତିସତାଙ୍କୁ କହିଛି ଏହିକ୍ଷଣି ମୁଁ ଘରେ ଥିବି । ଅବଶ୍ୟ କୌଣସି କାଫେରୁ ତାଙ୍କୁ ଟେଲିଫୋନ କରାଯାଇପାରେ କିନ୍ତୁ ତାଙ୍କୁ ପାଇବା ସମ୍ଭବ କି ନୁହେଁ ସେ ବିଷୟ ଅନିଶ୍ଚିତ । ଯାହା ହେଉ ଏହି ବାହାନାରେ ମୁଁ ଘରକୁ ଫେରି ଯାଇପାରେ ।

ହଲ ଭିତରେ ପ୍ରବେଶ କରି ସୁଇଚ୍‌ ଟିପିବା ମାତ୍ରକେ ଲିଫ୍‌ଟଟା ଉପରକୁ ଉଠିବାକୁ ଲାଗିଲା । ବାତ୍ତିସତାଙ୍କ ସହିତ ଯୋଗାଯୋଗର ଆଉ ବା କି ପ୍ରୟୋଜନ, ସମସ୍ତ ଯେତେବେଳେ ନିର୍ଭର କରୁଛି ଏମିଲିୟା ସହିତ ମୋର ଶେଷ ସିଦ୍ଧାନ୍ତ ଉପରେ । ......ଜାଣେ ଏମିଲିୟା ଯଦି ସ୍ପଷ୍ଟ ଭାବରେ କୁହେ ଯେ—ସେ ମୋତେ ଭଲପାଏନା, ତାହାହେଲେ ଜୀବନରେ ଆଉ କେବେହେଲେ ଚିତ୍ରସଂପାଦନା କରିବି ନାହିଁ । ତେବେ ହଁ ଏମିଲିୟା ଘରେ ଅନୁପସ୍ଥିତ—ବାତ୍ତିସତାଙ୍କୁ ମୋର ସିଦ୍ଧାନ୍ତ ଜଣାଇ ହେବ ନାହିଁ । ସେଇୟା ଭଲ । ମୋର ଜୀବନରେ ଅନେକ ଅସଙ୍ଗତ ରହିଛି ତଥାପି ଏତେଦୂର ଅଗ୍ରସର ହୋଇ ପୁନରାୟ ପଛେଇ ଯିବା ଅସଙ୍ଗତ ହେବ । ଘୃଣା ଓ କ୍ରୋଧରେ ସମଗ୍ର ଅନ୍ତରଟା ଦିର୍ଣ୍ଣ ବିଦୀର୍ଣ୍ଣ ହୋଇଗଲା । ଲିଫ୍‌ଟର ସୁଇଚ୍‌ଟି ତଳକୁ ଟିପିଲି । ଏମିଲିୟା ସହିତ କଥାବାର୍ତ୍ତା କରି ବାତ୍ତିସତାଙ୍କୁ ଜଣାଇ ଦେବି କାମଟା ନେବି କି ନାହିଁ । ଲିଫ୍‌ଟ ତଳକୁ ଖସି ଆସିଲା-। କବାଟ ଖୋଲି ଓହ୍ଲେଇବା ପାଇଁ ଯାଉଛି...ଏହି ସମୟରେ ମନରେ ଆହୁରି ଏକ ପ୍ରଶ୍ନ ଉଠିଲା–ଆଚ୍ଛା ! ଏମିଲିୟା ଯଦି ନୂତନ ଭାବରେ ଭଲ ପାଇବାର ପ୍ରତିଶୃତି ଦିଏ ଆଉ ଟେଲିଫୋନରେ ବାତ୍ତିସତା ମୋତେ ନ ପାଆନ୍ତି ତାହାହେଲେ କାମଟି ମିଳିବ ନାହିଁ । ମୋର ଅଭିଜ୍ଞତା ଚିତ୍ରନିର୍ମାତାଗଣ ଅତି ମାତ୍ରାରେ ଖାମଖିଆଲି । ବାତ୍ତିସତା ହୁଏତ ମତ ପରିବର୍ତ୍ତନ କରି ଆଉ କାହାକୁ ଚିତ୍ରନାଟ୍ୟର ଦାୟିତ୍ୱ ଦେବେ । ମୁଣ୍ଡଟା ବୁଲିବାକୁ ଲାଗିଲା—ନିତାନ୍ତ ଅସହାୟ ବୋଧକଲି-। ସ୍ୱାର୍ଥ ଓ ପ୍ରେମର ମଝି ନଈରେ ଅଣନିଶ୍ୱାସି ହୋଇ ପଡ଼ୁଛି—କେଉଁ କୂଳ ଧରିବି ବୁଝି ପାରୁନାହିଁ-। ଲିଫ୍‌ଟରେ ସ୍ଥିର ଭାବରେ ଠିଆ ହୋଇ ରହିଲି । ହାତରେ କେତୋଟି ପୁଟୁଲି ନେଇ ଲିଫ୍‌ଟରେ ଉଠିଲେ ଜଣେ ତରୁଣୀ । ହଠାତ୍‌ ମୋତେ ଦେଖି ସେ ଚିତ୍କାର କରି ଉଠିଲେ । ତାପରେ ପ୍ରକୃତିସ୍ଥ ହୋଇ ସୁଇଚ୍‌ ଟିପିଲେ । ଲିଫ୍‌ଟ ଉପରକୁ ଉଠିବାକୁ ଲାଗିଲା ।

 

ଏଥର ଆଶ୍ୱସ୍ତ ହେଲି । ମନରେ ପ୍ରଶ୍ନ ଜାଗିଲା—ଛି—ଛି କାହିଁକି ଏମିତି କରୁଛି ? ହଠାତ୍‌ କେମିତି ଏତେ ନିଚ ସ୍ତରକୁ ଖସି ଆସିଲି । ଫ୍ଲାଟରେ ପ୍ରବେଶ କରି ଦେଖିଲି—ଗୋଟାଏ ସୋଫା ଉପରେ ଶୋଇ ଏମିଲିୟା ଖଣ୍ଡେ ମାସିକ ପତ୍ର ପଢ଼ୁଛି । ପାଖରେ ପଡ଼ିଛି ଦୁଇଟି ପ୍ଲେଟ ଓ ଭୁକ୍ତାବଶିଷ୍ଟ । ବାହାରକୁ ସେ ଯାଇନାହିଁ ବା ତା ମା ସହିତ ଖାଇ ନାହିଁ । ମୋତେ ସେ ମିଛ କହିଛି-

 

ମୋର ମୁହଁକୁ ଚାହିଁ ସେ ବ୍ୟଗ୍ରଭାବରେ ପ୍ରଶ୍ନକଲା, କଣ ହେଇଛି ତୁମର ?

 

ରୁଦ୍ଧ କଣ୍ଠରେ କହିଲି, ତମେ ତମର ମା ପାଖକୁ ଯାଇନା ?

 

ସହଜ ଓ ସ୍ପଷ୍ଟ କଣ୍ଠରେ କହିଲା ଏମିଲିୟା, ନା ପରେ ଟେଲିଫୋନ କରି ମା ବାରଣ କରିଥିଲେ ।

 

ମୋତେ କାହିଁକି ସେ କଥା ଜଣାଇନାହଁ ?

 

ଅନେକ ସମୟ ପରେ ସେ ଟେଲିଫୋନ କରିଥିଲେ—ଭାବିଲି ତମେ ସେତେବେଳକୁ ପାସେତ୍ତିର ଅଫିସରୁ ବାହାରି ଯାଇଛ ।

 

ନା—ମିଛ କହୁଛି ଏମିଲିୟା । କିନ୍ତୁ ତା’ରତ କୌଣସି ପ୍ରମାଣ ନାହିଁ । ତେଣୁ ମୁଁ ନୀରବରେ ସୋଫା ଉପରେ ବସି ରହିଲି । ଅନେକ ସମୟ ପରେ ମାସିକ ପତ୍ରର ଗୋଟାଏ ପୃଷ୍ଠା ଓଲଟେଇ ମୁହଁ ଉପରକୁ ନ ଟେକି ସେ ପ୍ରଶ୍ନକଲା ଆଉ ତୁମେ, ତୁମେ ଏତେବେଳ ଯାଏ କଣ କରୁଥିଲ ?

 

ପାସେତ୍ତି ଓ ତାଙ୍କର ପତ୍ନୀ ମୋତେ ଖାଇଦେଇ ଯିବାପାଇଁ କହିଲେ....

 

ପାଖଘରେ ଟେଲିଫୋନ ବାଜି ଉଠିଲା । ନିଶ୍ଚୟ ବାତ୍ତିସତା—ତାଙ୍କୁ କହିବି ମୁଁ କୌଣସି ପ୍ରକାରେ ଚିତ୍ରନାଟ୍ୟ ଲେଖିବି ନାହିଁ । ସମସ୍ତେ ନର୍କକୁ ଯାଆନ୍ତୁ—ଏମିଲିୟା ମୋତେ ତିଳେ ସୁଦ୍ଧା ଭଲ ପାଏନା ।

 

ଏମିଲିୟା ଅଳସ ଭାବରେ କହିଲା, ଦେଖନା କିଏ ଡାକୁଛି । ତୁମକୁ ଡାକୁଛି ନିଶ୍ଚୟ ! ଆର ଘରକୁ ଯାଇଁ ରିସିଭରଟି ଉଠାଇଲି । କିନ୍ତୁ ଏଯେ ମୋର ଶାଶୁଙ୍କର କଣ୍ଠସ୍ୱର । ସେ ପଚାରିଲେ, ଏମିଲୟା ଅଛି ରିକାର୍ଡୋ ?

 

ନା—ସେତ ଆପଣଙ୍କ ପାଖକୁ ଯାଇଛି—ସେ ଆପଣଙ୍କ ସହିତ ଖାଇବ । ବାହାରି ଯାଇଛି—ମୋର ଧାରଣା ଯେ ସେ ଆପଣଙ୍କ ସହିତ ଅଛି ।

 

କାହିଁକି ମୁଁ ତ ତାକୁ ଟେଲିଫୋନ କରି ଜଣାଇ ଦେଇଛି ଯେ ଆଜି ଚାକରାଣୀଟା ଆସିନାହିଁ । ଦେଖିଲି ଆରଘରେ ଶୋଇ ରହିଛି ଏମିଲିୟା ମୋରି ଉପରେ ତାର ଦୃଷ୍ଟି ନିବଦ୍ଧ । ଆଖିରେ ତାର ଅସନ୍ତୋଷ ଓ ଅବଜ୍ଞାର ଭାବ ।

 

ମୁଁ ମିଛ କହିଛି—ସେ ନୁହେଁ । ତା ଛଡ଼ା ସେ ଜାଣେ ମୁଁ କାହିଁକି ମିଛ କହିଲି । ତା ପରେ ଗୁଣ ଗୁଣ କରି ନିଜର ଭୁଲ ସଂଶୋଧନ କରି ମୁଁ କହିଲି, ନା...ସେ—ଏଇଯେ ଏମିଲିୟା ଆସୁଛି । ତାକୁ ଡାକି ଦେଉଛି । ଏମିଲିୟାକୁ ଇଙ୍ଗିତରେ ଡାକିଲି । ସୋଫା ଉପରୁ ଉଠି, ମୁହଁ ତଳକୁ ପୋତି ସେ ଆଗେଇ ଆସିଲା । ମୋତେ ଦୃଷ୍ଟି ନ ଦେଇ ସେ ଟାଣି ନେଲା ରିସିଭରଟା । ବେଡ଼ ରୁମ୍‌କୁ ମୁଁ ଚାଲି ଆସିଲି । ଏମିଲିୟା ଯେମିତି ମୋତେ ଦରଜାଟା ବନ୍ଦ କରିନେବାକୁ ନିର୍ଦ୍ଦେଶ ଦେଲା । ମୁଁ ଦରଜାଟା ବନ୍ଦ କରିନେଲି । ମୋର ମନ ମଧ୍ୟରେ ଆରମ୍ଭ ହେଲା ଆଲୋଡ଼ନ-। ନୀରବରେ ବସି ରହିଲି ସୋଫା ଉପରେ ।

 

ରିସିଭରଟିକୁ ଅନେକ ସମୟ ପର୍ଯ୍ୟନ୍ତ ଧରି ରହିଲା ଏମିଲିୟା । ଅଧୈର୍ଯ୍ୟ ହୋଇ ପଡ଼ିଲି । ମନେହେଲା ଇଚ୍ଛା କରି ସେ ଯେମିତି ବିଳମ୍ୱ କରୁଛି । ତଥାପି ମନକୁ ସାନ୍ତ୍ୱନା ଦେଲି—ସବୁ ସମୟରେ ସେ ତାର ମା’ଙ୍କ ସହିତ ଏମିତି ଭାବରେ କଥା କୁହେ । ମା’କୁ ସେ ଖୁବ୍‌ ଭଲ ପାଏ-। ମାଆ ତାର ବିଧବା । ଏମିଲିୟା ବ୍ୟତୀତ ସଂସାରରେ ତାଙ୍କର ଆଉ କେହି ନାହାନ୍ତି । ମା’କୁ ସେ ସବୁକଥା ଖୋଲାଖୋଲି କୁହେ, କୌଣସି କଥା ଗୋପନ ରଖେ ନାହିଁ ।

 

ପରିଶେଷରେ କବାଟଟି ଖୋଲି ଘର ଭିତରକୁ ଆସିଲା ଏମିଲିୟା । କିନ୍ତୁ ତାହାର ଚେହେରା ଦେଖି ବୁଝି ପାରିଲି ଯେ ସେ ମୋ ଉପରେ ଅସନ୍ତୁଷ୍ଟ ହୋଇଛି । ଟେବୁଲ ଉପରୁ ପ୍ଲେଟ ଓ ଚାମଚ ଗୁଡ଼ିକ କାଢ଼ି ନେଉ ନେଉ ସେ କହିଲା, ଆଚ୍ଛା କୁହତ ତମର କ’ଣ ମୁଣ୍ଡ ଖରାପ ହୋଇଛି ? ମା’କୁ କାହିଁକି କହିବାକୁ ଯାଉଥିଲ ଯେ ମୁଁ ଘରେ ନାହିଁ ? ନୀରବ ରହିଲି ।

 

ଏମିଲିୟା କହିବାକୁ ଲାଗିଲା, ମୋତେ ପରୀକ୍ଷା କରୁଥିଲ । ମୁଁ ଯେ ମା ପାଖକୁ ଯାଇ ପାରି ନାହିଁ । ଏକଥା ସତ କି ନୁହେଁ....ନା ?

 

ଦୟାକରି ଆଉ କେବେହେଲେ ଏମିତି କରିବ ନାହିଁ । ତା’ପରେ ରୁଦ୍ଧ କଣ୍ଠରେ ଉତ୍ତର ଦେଲି, ହୁଏତ ସେଇଆ । ତେଣୁ ଏ ସବୁ ମୁଁ ମୋଟେ ସହ୍ୟ କରି ପାରେନା....

 

ଦୃଢ଼କଣ୍ଠରେ ଏତକ କହି ପ୍ଲେଟ ସହିତ ଗ୍ଲାସ ଗୁଡ଼ିକ ଟ୍ରେରେ ନେଇ ବାହାରିଗଲା ଏମିଲିୟା !

 

ମୁଁ ଏକାକୀ ପଡ଼ି ରହିଲି । ମୁହୂର୍ତ୍ତକ ପାଇଁ ଅନୁଭବ କଲି ବିଜୟର ତିକ୍ତ ଆବେଗ । ତାହାହେଲେ ସତେରେ ଏମିଲିୟା ମୋତେ ଭଲ ପାଏ ନାହିଁ । ଆଗେ ତ ସେ କେବେହେଲେ ମୋତେ ଏମିତି କଥା କହୁ ନ ଥିଲା । ଶାନ୍ତ ମଧୁର ବିସ୍ମୟ ଜଡ଼ିତ କଣ୍ଠରେ ସେ କହିଲା, ତୁମେ ଭାବିଥିଲ, ମୁଁ ମିଥ୍ୟା କହିଛି ? ତା ପରେ ଶିଶୁ ସୁଲଭ ହସରେ ସେ ସମସ୍ତ ପରିବେଶକୁ ମୁଖରିତ କରି ତୋଳିଲା । ତୁମର ନିଶ୍ଚୟ ଈର୍ଷା ହେଉଛି ନୁହେଁ ? ଆଚ୍ଛା ! ତୁମେ କଣ ଜାଣନା ତୁମ ବ୍ୟତୀତ ମୁଁ ଆଉ କାହାକୁ ଭଲ ପାଏନା । ଏହି ପର୍ବ ଶେଷ ହୋଇଥିଲା ନିବିଡ଼ ଚୁମ୍ୱନରେ । ତା ଛଡ଼ା ତାକୁ ନଜର ଦେବାର କୌଣସି କଳ୍ପନା ବି ମୋର ନ ଥିଲା କାରଣ ମୁଁ ତାର କୌଣସି କଥାକୁ ଅବିଶ୍ୱାସ କରି ନ ଥିଲି । ଏବେ ସେ ଯେମିତି ପରିବର୍ତ୍ତନ ହୋଇ ଯାଇଛି—ତାର ପ୍ରେମ ନେଇଛି ଅନ୍ୟରୂପ । ମୁଁ ବଦଳି ଯାଇଛି । ସମସ୍ତ ଯେପରି ଧୀରେ ଧୀରେ ସଂପୂର୍ଣ୍ଣ ଅଦୃଶ୍ୟ ଭାବରେ ଆଗେଇ ଯାଉଛି ଏକ କୁପରିଣତି ପଥରେ । ଗଭୀର ହତାଶାର ଅନ୍ଧକାର ମଧ୍ୟରେ ବି ମଣିଷର ମନରେ ଜାଗି ଉଠେ ଏକ କ୍ଷୀଣ ଆଶାର ଆଲୋକ । ସୁସ୍ପଷ୍ଟ ପ୍ରମାଣ ରହିଛି—ଏମିଲିୟା ଆଉ ମୋତେ ଭଲ ପାଏ ନାହିଁ । ତଥାପି ସଂଶୟ—ସଂଶୟ ନୁହେଁ ଆଶା । ତଥାପି ଏମିଲିୟାର ମୁହଁରୁ ଶୁଣିବି ଏହି ନିର୍ମମ ସତ୍ୟ ଯେ ସେ ମୋତେ ଭଲ ପାଏନାହିଁ । ତାରି ନିକଟରୁ ପାଇବି ପ୍ରମାଣ—ଯାହା ଏ ଯାବତ୍‌ ପାଇନାହିଁ । ଶୂନ୍ୟ ଦୃଷ୍ଟିରେ ବାହାରକୁ ଚାହିଁ ରହି ଭାବିବାକୁ ଲାଗିଲି । ଦରଜା ଖୋଲି ପୁନରାୟ ଘର ଭିତରକୁ ପ୍ରବେଶ କଲା ଏମିଲିୟା । ମୋର ପଛ ପଟ ସୋଫାରେ ଦେହ ମେଲି ଦେଇ ସାମୟିକ ପତ୍ରଟି ହାତରେ ଟେକି ନେଲା । ତା ଆଡ଼କୁ ମୁହଁ ନ ବୁଲେଇ କହିଲି—ଆଉ ଗୋଟିଏ ଚିତ୍ରନାଟ୍ୟ ପାଇଁ ବର୍ତ୍ତମାନ ବାତ୍ତିସତାଙ୍କର ଟେଲିଫୋନ ଆସିବ । ଶାନ୍ତ କଣ୍ଠରେ ଏମିଲିୟା କହିଲା, ତୁମେ ତାହାହେଲେ ଖୁବ୍‌ ଖୁସି ହେଇଛ ନୁହେଁ ?

 

କହିଲି ସେ ଫିଲ୍‌ମଟି ଖୁବ ଚମତ୍କାର ହେବ । ଚିତ୍ରନାଟ୍ୟ ପାଇଁ ଅନେକ ଟଙ୍କା ମିଳିବ । ଲଜ୍‌ର ଦୁଇଟି କିସ୍ତି ଏକା ସଙ୍ଗରେ ଦେଇ ପାରିବ ।

 

ଏମିଲିୟା କୌଣସି ଉତ୍ତର ଦେଲା ନାହିଁ...କହିଲି ଏହି କାମଟି ସଫଳତାର ସହିତ କରି ପାରିଲେ ଆହୁରି ଅନେକ କାମ ମିଳିବ, ଚିତ୍ରଟି ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରିବ ।

 

ଅନ୍ୟ ମନସ୍କ ଭାବରେ ଏମିଲିୟା ପ୍ରଶ୍ନ କଲା, କି ଚିତ୍ର ?

 

କହିଲି, ଜାଣେନାହିଁ ।

 

କିଛି ସମୟ ନୀରବ ରହି କହିଲି, ତେବେ ଠିକ କରିଛି କାମଟି ନେବି ନାହିଁ । କାହିଁକି ? ଧୀର ଉଦାସ ତାର କଣ୍ଠସ୍ୱର ।

 

ଏମିଲିୟାର ମୁହାଁମୁହିଁ ସୋଫା ଉପରେ ଆସି ମୁଁ ବସିଲି । ସେ ମୋତେ ଚାହିଁଲା । କହିଲି, କାରଣ ତୁମେ ଜାଣ, ଏକାମ ମୋର ରୁଚି ସମ୍ମତ ନୁହେଁ; ତଥାପି ତୁମକୁ ଭଲ ପାଏ ବୋଲି ଫ୍ଲାଟର କିସ୍ତି ପରିଶୋଧ କରିବା ପାଇଁ.....କାହିଁକି ନା ଫ୍ଲାଟଟି ତୁମ ପାଖରେ ଅତି ମୂଲ୍ୟବାନ ତେଣୁ ଏତେ ଦିନ ଧରି ଏ କାମ ମୁଁ କରି ଆସିଛି....କିନ୍ତୁ ଏବେ ମୁଁ ଜାଣି ପାରିଛି ଯେ ତୁମେ ମୋତେ ଆଉ ଭଲ ପାଉନାହିଁ । ତେଣୁ ଏ ଅନର୍ଥକ ଧନ୍ଦାରେ ପଶିବା କୌଣସି ପ୍ରୟୋଜନ ନାହିଁ ।

 

ମୋତେ ନିରୀହ ଆଖିରେ ଚାହିଁ ରହିଲା ଏମିଲିୟା—ପଦହେଲେ କିଛି କହିଲା ନାହିଁ ।

 

ମୋତେ ତୁମେ ଆଉ ଭଲ ପାଉନା.....ଏକାମ ମୁଁ ଆଉ କରିବି ନାହିଁ । ଆଉ ଫ୍ଲାଟଟାକୁ ହୁଏତ ବିକ୍ରି ବା ବନ୍ଧକ କରିଦେବି । ଏଭଳି ଭାବରେ ମୁଁ କୌଣସି ପ୍ରକାରେ ରହି ପାରିବି ନାହିଁ । ତମର ଜାଣିବାର ସମୟ ଆସି ଯାଇଛି—ତେଣୁ କହୁଛି—ଏହିକ୍ଷଣି ବାତ୍ତିସତା ଟେଲିଫୋନ କରିବେ । ତାଙ୍କୁ ଜଣାଇ ଦେବି ଯେ ମୁଁ କାମଟା ନେବା ପାଇଁ ଅକ୍ଷମ । ମୋର ବକ୍ତବ୍ୟ ଶେଷ ହୋଇ ଗଲା । ମନ ହାଲୁକା ହୋଇ ଗଲା ଅନେକ ପରିମାଣରେ । ଉତ୍ତର ଅପେକ୍ଷାରେ ଉତ୍କଣ୍ଠିତ ଭାବରେ ଚାହିଁ ରହିଲି ଏମିଲିୟାର ମୁହଁକୁ । ମୋର ଏହି ଘୋଷଣାରେ ତାର ଅନ୍ତହୀନ, ସୀମାହୀନ ବିସ୍ମୟ । ପରିଶେଷରେ ଶୁଣି ପାରିଲି ତାର ପ୍ରଶ୍ନ—ତମେ କେମିତି ବୁଝିଲ ଯେ ମୁଁ ତୁମକୁ ଭଲ ପାଏନା ?

 

ଆବେଗ ମିଶା ସ୍ଵରରେ କହିଲି, ପ୍ରତ୍ୟେକ କଥା, ପ୍ରତ୍ୟେକଟି ଭଙ୍ଗି, ପ୍ରତ୍ୟେକଟି ଘଟଣାରେ ।

 

ଯେମିତି— ?

 

ପ୍ରଥମେ ତୁମେ କୁହ ମୋର ଏ ଅନୁମାନ ସତ କି ନୁହେଁ ?

 

ନା, ପ୍ରଥମରେ ତୁମେ କୁହ କେଉଁଥିରୁ ବୁଝିଲ ?

 

ସବୁ—ସବୁ କିଛିରେ ରହିଛି ତାର ପ୍ରତିଫଳନ—ତୁମର କଥାର ଭଙ୍ଗିରେ, ତୁମର ଆଖିର ଚାହାଣୀରେ, ବ୍ୟବହାରରେ । ମାସକ ଆଗେ ତୁମେ ଏକାକୀ ରହିବାକୁ ଚାହିଁଥିଲ—ତା ଆଗରୁ ତ କେବେ ଚାହିଁ ନ ଥିଲ । ସେ ପଥର ଭଳି ସ୍ଥିର ଓ କଠିଣ ଦୃଷ୍ଟିରେ ମୋ ଆଡ଼କୁ ଚାହିଁ ରହିଲା ।

 

ଦେଖିଲି ତାର ଦୁଇ ଚକ୍ଷୁତାରକା ହିଂସାରେ ଜଳି ଉଠୁଛି । ତେବେ, ତେବେ ସେ କ’ଣ ତାର କର୍ତ୍ତବ୍ୟ ଠିକ କରି ପକେଇଲା ? ହୁଏତ ଏମିଲିୟା ଆଉ ମତ ପରବର୍ତ୍ତନ କରିବ ନାହିଁ । ସ୍ନିଗ୍‌ଧ, ଶାନ୍ତ କଣ୍ଠରେ ଏମିଲିୟା ଉତ୍ତର ଦେଲା, ବିଶ୍ୱାସ କର ଝରକା ଖୋଲା ରଖିଲେ ମୋଟେ ମୋତେ ନିଦ ହୁଏନା । ନିର୍ଜ୍ଜନ ଓ ଅନ୍ଧକାର ନ ହେଲେ ମୁଁ ମୋଟେ ଶୋଇ ପାରେନା—ତୁମର ଦେହ ଛୁଇଁ କହିପାରେ ।

 

ମୁଁ ଝରକା ଗୁଡ଼ିକ ବନ୍ଦ କରିବାକୁ ରାଜି ଥିଲି ।

 

ଅଳ୍ପ ସମୟ ଭାବି ନେଲା ପରେ ସେ କହିଲା, ନିଦରେ ତୁମେ ନାକ ଘଡ଼ ଘଡ଼ କର ବେଶି—ପ୍ରତିଦିନ ରାତିରେ ନିଦ ଭାଙ୍ଗିଯାଏ—ତେଣୁ ଏକାକୀ ଶୋଇବାକୁ ଚାହିଁଥିଲି । ତାର କଥା ଶୁଣି ବିଚଳିତ ହୋଇ ପଡ଼ିଲି । କାହିଁ କେହିତ ଆଗରୁ ଏକଥା କେବେ କହି ନାହାନ୍ତି । ଆହୁରି ଅନେକଙ୍କ ସହିତ ଗୋଟାଏ ଶେଯରେ ରାତ୍ରି ଯାପନ କରିଛି । ଏମିଲିୟାର କଥାରେ ମୋଟେ ବିଶ୍ୱାସ ହେଲା ନାହିଁ । କହିଲି, ମୁଁ ଜାଣେ ତୁମେ ମୋତେ ଭଲ ପାଅ ନାହିଁ । ଯେଉଁ ସ୍ତ୍ରୀ ତାର ସ୍ୱାମୀକୁ ଭଲପାଏ ସେ ତୁମ ଭଳି ବ୍ୟବହାର କରେ ନାହିଁ ।

 

ବାଧା ଦେଇ ଏମିଲିୟା କହିଲା, ସତରେ ତୁମେ କ’ଣ ଚାହଁ ମୁଁ ଜାଣେ ନା । ଯେତେବେଳେ ତୁମେ ମୋତେ ପାଖରେ ପାଇବା ପାଇଁ ଚାହିଁଛ, ମୁଁ ନିର୍ବିବାଦରେ ସେହି ମୁହୂର୍ତ୍ତରେ ଧରା ଦେଇଛି ତୁମର ବାହୁ ବନ୍ଧନରେ । କେବେହେଲେ ତୁମକୁ କ’ଣ ମୁଁ ବିମୁଖ କରିଛି ?

 

ତାର କଥା ଶୁଣି ଭୀଷଣ ଲଜ୍ଜିତ ହୋଇ ପଡ଼ିଲି । ଏ ଭଳି ସ୍ପଷ୍ଟ କଥା ସେ ତ ଆଗେ କେବେ କହୁ ନ ଥିଲା । ଯେଉଁ ଏମିଲିୟା ଏତେ ଦିନ ସଂଯତ, ଗମ୍ଭୀର ଥିଲା—ସେ ଯେମିତି ତାର ଶାଳିନତା, ସାରଲ୍ୟତା ସବୁ ହରେଇ ଦେଇଛି । ସ୍ୱାଭାବିକ ଅଜ୍ଞତାହିଁ ହୁଏତ ଥିଲା ତାର ସର୍ବଶ୍ରେଷ୍ଠ ଆର୍କଷଣ । ଏବେ ତାର ଚରିତ୍ରରେ ସ୍ଥାନ ପାଇଛି କପଟତା । କହିଲି, ନା—ବିମୂଖ କରିନାହିଁ—କିନ୍ତୁ...... ।

 

ଯେତେବେଳେ ମୋତେ ଚାହିଁଛ ପାଇଛ ତୁମ ପାଖରେ, ଏଥରେ ବି ଖୁସି ନୁହଁ ? ତା ଛଡ଼ା......କେବଳ ସମ୍ଭୋଗରେ ତୃପ୍ତ ରହିବା ଲୋକ ତୁମେ ନୁହଁ । ତମେ ତ ଏହି କାମରେ ଓସ୍ତାଦ ।

 

ସତେ ନା.... ?

 

ହଁ—ଗୋ ହଁ, ତୁମକୁ ଭଲ ନପାଇଲେ ତୁମର ପ୍ରେମ ଲୀଳାରେ ଆପତ୍ତି କରନ୍ତି, ତୁମକୁ ଏଡ଼େଇ ଦେଇ ଚଳନ୍ତି.......ନାରୀ ଇଚ୍ଛା କଲେ ଗୋଟାଏ ନା ଗୋଟାଏ ବାହାନା କରି ପୁରୁଷକୁ ଏଡ଼େଇ ଦେଇ ପାରେ, ନୁହେଁ ।

 

ବୁଝିଲି—ତଥାପି ଯେ ଭଲ ପାଏ, ସେ ତୁମଭଳି ବ୍ୟବହାର କରେ ନାହିଁ ।

 

ମୁଁ କେମିତି ବ୍ୟବହାର କରେ ?

 

ଇଚ୍ଛା ହେଲା କହନ୍ତି, ବାର ବିଳାସିନୀ ଭଳି ସହଳ କାମଟା ଶେଷ କରିନେଇ ତୁମେ ଶ୍ୱସ୍ତି ପାଇବାକୁ ଚାହଁ । କିନ୍ତୁ ଏ କଥା କହିବା ଅର୍ଥ ଦୁହିଁଙ୍କର ସମ୍ମାନ ହାନୀ କରିବା । ତା ବ୍ୟତୀତ ଏଥିରେ ଲାଭ ନା କଣ ? ସେ ତ ମୋର କଥା ସତ ବୋଲି ସ୍ୱୀକାର କରିବ ନାହିଁ । କହିବ ମୁଁ ନୀଷ୍କ୍ରୀୟ ନ ରହି କେବଳ ଯେତିକି ଦରକାର ସେତିକି ସକ୍ରିୟତା ଦେଖାଇଛି । ମୁଁ ପ୍ରତ୍ୟୁତ୍ତର ଦେଇ ପାରିବି ଯାହା, ଫଳରେ ସେ ଅସନ୍ତୁଷ୍ଟ ହେବ ।

 

ଯାହା କୁହନା କାହିଁକି ଏ ବିଷୟରେ ମୋର ସନ୍ଦେହ ନାହିଁ—ବେଶ ।

 

ମୋର ମୁହଁରେ ଗମ୍ଭୀର ଭାବ ଏମିଲିୟା ଲକ୍ଷ୍ୟ କଲା । ଭାବିଲା, ମୁଁ କ’ଣ କରିବି ? ତାର ସୁନ୍ଦର ମୁହଁଟି କୁଞ୍ଚିତ ହୋଇ ପଡ଼ିଲା । ମୁଖ ଗହ୍ୱର ଯେମିତି ସ୍ଥାନାନ୍ତରିତ ହୋଇ ପଡ଼ିଲା, ଦୁଇ ଆଖିରେ ଫୁଟି ଉଠିଲା ବିସ୍ମୟ, ଗଣ୍ଡଦେଶ ହୋଇ ପଡ଼ିଲା ସ୍ଫିତ; ଚକ୍ଷୁ ତାରକା ମହମ ଭଳି ତରଳି ପଡ଼ିଲା କୋଟର ଭିତରେ । କୌଣସି ବିପଦରେ ପଡ଼ିଲେ କିମ୍ବା ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରିବା ପାଇଁ ହେଲେ ତାର ଏ ଭଳି ଅବସ୍ଥା ହୁଏ ।

 

ଦୁଇ ବାହୁ ଲତାରେ ମୋର କଣ୍ଠ ବେଷ୍ଟନ କରି ସେ କହିଲା, ଛି—ଏକଥା କାହିଁକି କହୁଛ ରିକାର୍ଡୋ—ମୁଁ ତୁମକୁ ଆଜିବି ଭଲ ପାଏ—ଭଲ ପାଏ ଠିକ ଆଗ ଭଳି ।

 

ଏମିଲିୟାର ଉଷ୍ଣ ନିଶ୍ୱାସ ମୋର କର୍ଣ୍ଣମୂଳ, କପାଳ ସ୍ପର୍ଶ କଲା । ଗାଲ ଓ କେଶ ଭିତରେ ଅନୁଭବ କଲି ତାର ସୋହାଗ ମିଶ୍ରିତ ହାତର କୋମଳ ସ୍ପର୍ଶ । ମୋର ମୁଁଣ୍ଡଟିକି ତାର ବୁକୁ ଉପରକୁ ଟାଣି ନେଇ ସେ ଚାପି ଧରିଲା ।

 

ମନେ ହେଲା ଏ କେବଳ ଛଳନା । ମୁଖର ଭାବ ଲୁଚେଇବା ପାଇଁ ସେ ମୋତେ ଆଲିଙ୍ଗନ କରୁଛି । କାମାତୁର ଭାବରେ ମୋର ମୁହଁଟାକୁ ଚାପି ରଖିଲି ତାର ନଗ୍ନ ବୁକୁ ଉପରେ । ନିଶ୍ୱାସ ପ୍ରଶ୍ୱାସ ସହିତ ସ୍ପନ୍ଦିତ ହୋଇ ପଡ଼ୁ ଥିଲା ତାର ଉନ୍ନତ ବକ୍ଷ । ଏହି ମୁହୂର୍ତ୍ତରେ କିଛି କହିବା ମାତ୍ରକେ ସେ ରାଗି ଉଠିବ ତେଣୁ ତାର ଏ ହାବଭାବ ଅର୍ଥପୂର୍ଣ୍ଣ ହେଲେ ସୁଦ୍ଧା ନୀରବ ରହିଲି ।

 

ସେ ସତର୍କ ଭାବରେ କହିଲା, ଆଚ୍ଛା ! ସତରେ ଯଦି ତୁମକୁ ମୁଁ ଭଲ ପାଇବି ନାହିଁ.....କ’ଣ କରିବ କୁହ ତ ?

 

ଭୁଲ କରି ନାହିଁ ତାହାହେଲେ । ଦୁଃଖ ପାଏ—କ୍ଷତି ନାହିଁ । ତଥାପି ମୁଁ ଜୟୀ । ଏମିଲିୟାର ମନୋଭାବ ପ୍ରକାଶ ପାଇଛି । ସେ ଜାଣିବାକୁ ଚାହେଁ ମୁଁ କ’ଣ କରିବି । ସେ ଯେମିତି ପରିମାପ କରିବାକୁ ଚାହେଁ, ଜାଣିବାକୁ ଚାହେଁ ତାର ବିପଦର ପରିମାଣ କେତେ । ତାର ନରମ ଉଷ୍ଣ ବୁକୁ ଉପରେ ମୁହଁ ରଖି କହିଲି, ତମକୁତ ପ୍ରଥମରୁ କହିଛି ବାତ୍ତିସତାଙ୍କ କାମ ନେବି ନାହିଁ ।

 

ଭାବିଲି ତାକୁ ଜଣାଇ ଦିଏ ତୁମ ପାଖରୁ ଦୂରକୁ ଘୁଞ୍ଚି ଯିବ । କିନ୍ତୁ ଏ କଥାଟି ସାହସ କରି କହି ପାରିଲି ନାହିଁ । ସେତେବେଳ ପର୍ଯ୍ୟନ୍ତ ମୋର ବିଶ୍ୱାସ ଥିଲା ଯେ ସେ ମୋତେ ଭଲ ପାଏ ।

 

ବିଚ୍ଛେଦର ଆଶଙ୍କାରେ ବୁକୁ ଥରି ଉଠିଲା । ମୋତେ ନିବିଡ଼ ଭାବରେ ତାର ବୁକୁ ଉପରକୁ ଟାଣିନେଲା ଏମିଲିୟା । ସତରେ ତୁମକୁ ମୁଁ ଭଲ ପାଏ....ଭଲ ପାଏ, ଏ ସବୁ ସତ ନୁହେଁ, କେବଳ ଅପପ୍ରଚାର, ମିଥ୍ୟା । ଏହିକ୍ଷଣି ତୁମର କର୍ତ୍ତବ୍ୟ କ’ଣ ଜାଣ ? ବାତ୍ତିସତାଙ୍କ ଫୋନ ଆସିଲେ, ତାଙ୍କ ସହିତ ସାକ୍ଷାତ୍‌ କାରର ସମୟ ଠିକ କରି ନିଅ—ତାପରେ କାମଟି ଆରମ୍ଭ କର ।

 

ଉତ୍ତେଜିତ ଭାବରେ କହିଲି, ନା—ତୁମେ ମୋତେ ଭଲ ପାଅ ନାହିଁ, କାହିଁକି, କାହିଁକି ମୁଁ ତୁମ କଥା ଶୁଣିବି ?

 

କହିଛି ତ ତୁମକୁ ମୁଁ ଭଲପାଏ—ତଥାପି ତୁମେ କାହିଁକି ବାରମ୍ବାର ସେହି କଥାଟି କହିବା ପାଇଁ ଚାହଁ । ମୁଁ ତୁମ ସହିତ ଏକତ୍ର ରହିଛି, ଏହା କ’ଣ ତାର ଯଥେଷ୍ଟ ପ୍ରମାଣ ନୁହେଁ । ଯଦି ମୁଁ ତୁମକୁ ଭଲ ପାଉନାହିଁ ଭାବି ନେଇ କାମଟା ନେଉନାହଁ ତେବେ ଭୁଲ କରୁଛ ।

 

ମନ ଆଶାନ୍ୱିତ ହୋଇ ଉଠିଲା—ସେ ମିଥ୍ୟା କହୁନାହିଁ । ତଥାପି ତାର ପ୍ରେମର ଅକାଟ୍ୟ ପ୍ରମାଣ ପାଇବାକୁ ଚାହେଁ ।

 

ସେ ଯେପରି ନିମିଷକରେ ବୁଝି ପାରିଲା ମୋର ମନର କଥା । ବାହୁବନ୍ଧନ ଶିଥିଳ କରି ନେଇ ଧୀରେ ଧୀରେ କହିଲା, ଗୋଟାଏ ଚୁମ୍ବନ ଦିଅନା ପ୍ରିୟ, ଚୁମ୍ବନ ବି କରିବ ନାହିଁ ବୋଧହୁଏ-?

 

ଚୁମ୍ବନ ଦେବାପାଇଁ ତାର ମୁହଁଟିକି ତୋଳି ଧରିଲି । ଏ କ’ଣ ତାର ମୁହଁରେ ଅବସାଦର ଛାୟା । ଯେମିତି ସେ କ୍ଳାନ୍ତ ହୋଇପଡ଼ିଛି । ମୋତେ ଆଦର କରି ବୁକୁଉପରେ ତୋଳି ନେଇ ମୋ ସହିତ କଥା କହୁଛି । ତାର ଚିବୁକଟି ଧରି ଓଠ ପାଖକୁ ନେଇ ଆସିଲି ।

Unknown

 

...କ୍ରିଂ.......ଟେଲିଫୋନ ବାଜି ଉଠିଲା ।

 

ବାତ୍ତିସତା ।

 

ନିଜକୁ ଛଡ଼େଇ ନେଇ ଚାଲିଗଲା ଏମିଲିୟା । ମୁଁ ସୋଫା ଉପରେ ବସି ରହିଲି । ଖୋଲା ଦରଜା ଦେଇ ଦେଖିଲି ଏମିଲିୟା ରିସିଭରଟି ଉଠେଇ ନେଲା । ପଦେ ଦୁଇପଦ କଥାବାର୍ତ୍ତା ପରେ କହିଲା, ହଁ...ହଁ...ଘରେ ଅଛନ୍ତି । ଏହିକ୍ଷଣି ଦେଉଛି...ଆପଣ କେମିତି ଅଛନ୍ତି...ଆମେ ଟିକକ ଆଗରୁ ଆପଣଙ୍କର ଆଗାମୀ ଚିତ୍ର ସମ୍ବନ୍ଧରେ କଥାବାର୍ତ୍ତା କରିଥିଲୁ ।

 

ସହଳ ଦେଖା ହେବ.....ଆଚ୍ଛା.......ଏଥର ଆପଣ ରିକାର୍ଡୋ ସହିତ କଥାବାର୍ତ୍ତା କରନ୍ତୁ ମି: ବାତ୍ତିସତା... ।

 

ଆଗେଇ ଆସି ରିସିଭରଟି ଧରିଲି ।

 

ବାତ୍ତିସତା କହିଲେ, ତାପର ଦିନ ଯେମିତି ତାଙ୍କର ଅଫିସକୁ ଯାଇ ଦେଖାକରେ । କହିଲି, ଯିବି । ତାପରେ ପଦେଅଧେ ସାଧାରଣ କଥାବାର୍ତ୍ତା ପରେ ସଶବ୍ଦରେ ରିସିଭରଟି ରଖିଦେଲି ।

 

ଦେଖିଲି ଏହାର ଭିତରେ ଅଦୃଶ୍ୟ ହୋଇ ଯାଇଛି ଏମିଲିୟା । ସେ ତାର କାମ ଆଦାୟ କରି ନେଇଛି, ବାତ୍ତିସତାଙ୍କ ସହିତ ଦେଖା କରିବାକୁ ମୋତେ ସମ୍ମତ କରି ପାରିଛି । ଏହିକ୍ଷଣି ତାର ଉପସ୍ଥିତି ବା ସୋହାଗର କୌଣସି ପ୍ରୟୋଜନ ନାହିଁ । ତା ପରଦିନ ନିର୍ଦ୍ଦିଷ୍ଟ ସମୟରେ ବାତ୍ତିସତାଙ୍କ ସହିତ ସାକ୍ଷାତ କରିବାକୁ ଗଲି । ଗୋଟାଏ ପୁରାତନ ଅମଳର କୋଠାର ଦ୍ଵିତୀୟ ମହଲାରେ ତାଙ୍କର ଅଫିସ । ବଡ଼ବଡ଼ ଗମ୍ବୁଜ ଆଉ କାନ୍ଥର ଚେହେରା ଦେଖି ପୁରାପୁରି ବୁଝାପଡ଼େ ଯେ ଏହି ପ୍ରାସାଦରେ ଦିନ କୌଣସି ଏକ ଅଭିଜାତ ପରିବାର ବାସ କରୁଥିଲେ । ଏହିକ୍ଷଣି ଅନେକ ଗୁଡ଼ିଏ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନର କେନ୍ଦ୍ର ଏଇଠି ସ୍ଥାପିତ ହୋଇଛି । ପ୍ରଶସ୍ତ ଘର ଗୁଡ଼ିକରେ କାଠର ପାର୍ଟିସନ ଦିଆଯାଇ ଛୋଟ ଛୋଟ କୋଠରୀ କରା ଯାଇଛି । କୋଠରୀ ଗୁଡ଼ିକରେ ସ୍ୱଚ୍ଛ ବାୟୁ ଆଉ ଆଲୁଅର ଅଭାବ, ବାହାରୁ ସେଗୁଡ଼ିକ ସେତେ ପରିଷ୍କାର ପରିଚ୍ଛନ୍ନ ବି ଦେଖାଯାଏ ନାହିଁ-

 

ବୟସ ଦୃଷ୍ଟିରୁ ବାତ୍ତିସତା ତରୁଣ କିନ୍ତୁ ବର୍ଷ କେତୋଟି ଭିତରେ ବେଶ ଉନ୍ନତି କରି ପାରିଛନ୍ତି । ତାଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରଗୁଡ଼ିକ ଉଇକୋଟୀର ନ ହେଲେହେଁ ବ୍ୟବସାୟ ଦୃଷ୍ଟିରୁ ଆୟ ହେଉଛି ପ୍ରଚୁର । ତାଙ୍କ ଚିତ୍ର ପ୍ରତିଷ୍ଠାନର ନାମ ବିଜୟ ଫିଲମ୍‌ସ । ଏହି ପ୍ରତିଷ୍ଠାନଟି ହେଲା ଏ ଯୁଗର ଅନ୍ୟତମ ଶ୍ରେଷ୍ଠ ଚିତ୍ର ପ୍ରତିଷ୍ଠାନ ।

 

ବାହାର ଘରଟିରେ ସେତେବେଳକୁ ବେଶ ଭିଡ଼ ଜମିଛି । ଏ ଦିଗରେ ମୋର କିଛି କିଛି ଅଭିଜ୍ଞତା ରହିଛି । ମୁହଁ ଦେଖିଲେ ଚିହ୍ନି ହୋଇ ଯାଏ, କହି ଦେଇ ପାରେ କିଏ କେଉଁ ଉଦ୍ଦେଶ୍ୟରେ ଆସିଛି । ଭିଜିଟର ମାନଙ୍କ ଉପରେ ଥରେ ଆଖି ବୁଲେଇ ନେଲି । ଦେଖିଲି ସେମାନଙ୍କ ଭିତରେ ରହିଛନ୍ତି ଦୁଇ ତିନି ଜଣ ଚିତ୍ର ନାଟ୍ୟକାର । କ୍ଳାନ୍ତ ଓ ଅଧ୍ୟବସାୟୀ ଦୃଷ୍ଟି, ପାଖରେ ଖାତାପତ୍ର, ପୋଷାକ ପରିଚ୍ଛଦ ଓ ହାବଭାବ ଦେଖିବା ମାତ୍ରକେ ସେମାନଙ୍କୁ ମୁଁ ଚିହ୍ନି ପକେଇଲି । ଦୁଇ ତିନି ଜଣ ସିନେମା ଅର୍ଗେନାଇଜର ବା ମେନେଜରଙ୍କୁ ବି ଦେଖିଲି । ଗାଁର ମୁଖିଆ କିମ୍ବା ଦଲାଲ ଭଳି ସେମାନଙ୍କର ଚେହେରା । ଦୁଇ ତିନୋଟି ତରୁଣୀ ବି ଆଖିରେ ପଡ଼ିଲେ । ଏମାନେ ହେଉଛନ୍ତି ଭାବି ଅଭିନେତ୍ରୀ । ତରୁଣୀ ଓ ସୁନ୍ଦରୀ ହେଲେ ହେଁ ଭାବଭଙ୍ଗିରେ, ଅତିରିକ୍ତ ପ୍ରସାଧନ ଫଳରେ ଓ ପୋଷାକ ପରିଚ୍ଛଦର ଚାକଚକ୍ୟରେ ସେମାନେ କିମ୍ଭୁତ କିମାକାର ଦେଖା ଯାଉଥିଲେ । ଆହୁରି ଅନେକ ଲୋକ ରହିଛନ୍ତି ଯେଉଁମାନେ ସାଧାରଣତ ଏଭଳି ଜାଗାରେ ଦେଖା ଯାଆନ୍ତି ଅଥଚ ସେମାନଙ୍କ ବର୍ଣ୍ଣନା ଠିକ୍‍ ଠିକ୍‍ ଦେବା ଅସମ୍ଭବ । ଯେମିତି ବେକାର, ଅଭିନେତା, ପରାମର୍ଶଦାତା, ଆର୍ଟିଷ୍ଟ, ମିସ୍ତ୍ରୀ ଇତ୍ୟାଦି । ଏମାନଙ୍କ ଭିତରୁ କେତେଜଣ ପଦଚାରଣ କରୁଥିଲେ, କିଏ କିଏ ଚେଆର ଉପରେ ବସି ଅଳସରେ ହାଇ ତୋଳୁଥିଲେ । କେହି କେହି ଧୂମ୍ରପାନ କରି ନିଜ ନିଜ ଭିତରେ ଗଳ୍ପ କରୁଥିଲେ । ....ଆଗରେ ବସି ରହିଛନ୍ତି ଦୁଇ ଜଣ ମହିଳା । ଟେଲିଫୋନ ଘନ ଘନ ବାଜିଉଠୁଛି ଏବଂ ସେମାନେ ଯୋଗାଯୋଗ ରକ୍ଷା କରୁଛନ୍ତି । ଟେଲିଫୋନ ବନ୍ଦ ହୋଇଗଲେ ନୀରବରେ ବସିରହି କେତେବେଳେ ଉଦାସ ଦୃଷ୍ଟିରେ, କେତେବେଳେ ବା ଆଡ଼ଚକ୍ଷୁରେ ଭିଜିଟରମାନଙ୍କୁ ଚାହୁଁଛନ୍ତି । ମଝିରେ ମଝିରେ ଖୁବ୍‌ ଜୋରରେ କଲିଂବେଲ ବାଜିଉଠୁଛି, ସେମାନେ ଜଣକ ପରେ ଜଣେ ଭିଜିଟରଙ୍କ ନାମ ଧରି ଡାକୁଛନ୍ତି । ସେହି ଡାକ ଶୁଣିବା ମାତ୍ରକେ ଚଞ୍ଚଳ ଗତିରେ ଡେଇଁପଡ଼ି ଧଳା ଆଉ ସୁନେଲି ପରଦାର ଅନ୍ତରାଳରେ ଅଦୃଶ୍ୟ ହୋଇ ଯାଉଛନ୍ତି ଜଣକ ପରେ ଜଣେ ଭିଜିଟର ।

 

ମୋର ନାଁଟି ଲେଖେଇ ନେଇ ଘରର ଶେଷ ଭାଗରେ ଯାଇ ବସିଲି । ମୋର ମନୋଭାବ ଅପରିବର୍ତ୍ତିତ ରହିଛି । ଭାବି ଦେଖିଛି, ଏମିଲିୟା ମୋତେ ଭଲ ପାଏନା.....ଏ କଥା ସତ ନୁହେଁ । ତଥାପି ସ୍ଥିର କରିଛି ବାତ୍ତିସତାଙ୍କର କାମଟି ଗ୍ରହଣ କରିବି । ଏମିଲିୟା ପାଖର ତାର ମନର କଥା ବୁଝି ନେଇ ଦରକାର ହେଲେ କାମଟି ଛାଡ଼ି ଦେଇ ପାରିବି । ତହିଁରେ କୌଣସି ଅସୁବିଧା ହେବନାହିଁ । ଏହି ସମାଧାନଟି ବେଶି ନାଟକୀୟ ହେବ ବୋଲି ମନେ ହେଲା । ଆର୍ଥିକ କ୍ଷତି ଫଳରେ ନେରାଶ୍ୟ ଆସିବ । ଆଉ ତା ସହିତ ମନର ସଂଶୟ ଓ ଆପୋଷ ମିଳାମିଶାର ଆକାଂକ୍ଷା ଦୂର ହେବ ।

 

ଅନେକ ପରିମାଣ ଶାନ୍ତ ହୋଇ ଅପେକ୍ଷା କରିଛି । କିନ୍ତୁ ଜାଣେ ଏ ଅବସ୍ଥା ବେଶି ଦିନ ରହିବ ନାହିଁ—ବେଦନା, ବିଷନ୍ନତା ଓ ବିଦ୍ରୋହର ଭାବ ଜାଗି ଉଠିବ ମନରେ । ଏ ଯେମିତି ବଜ୍ରପାତ ପୂର୍ବର ସ୍ତବ୍‌ଧତା । ଏତେବେଳ ଯାଏ କେବଳ ଭାବନା କରିଛି, ଏମିଲିୟା ମୋତେ ଭଲ ପାଏ କି ନାହିଁ । ଏଥର ମନେହେଲା—ନା, ସେ ସମ୍ବନ୍ଧରେ କୌଣସି ସନ୍ଦେହ ନାହିଁ । ଏହି ଆବିଷ୍କାରରେ ଆଶ୍ଚର୍ଯ୍ୟ ହୋଇଗଲି । କିନ୍ତୁ କାହିଁକି—କାହିଁକି ସେ ମୋତେ ଭଲ ପାଏ ନା ? ତାର ଅବଜ୍ଞାର କାରଣ ଜାଣି ପାରିଲେ ଜୋର କରି ତା ପାଖରୁ କୈଫିୟତ ଆଦାୟ କରାଯାଇ ପାରିବ ।

 

ତଥାପି ବିଶ୍ୱାସ ହେଲା ନାହିଁ । ନା.....ନା କୌଣସି ପ୍ରକାରେ ଏହା ସମ୍ଭବ ନୁହେଁ । ମୋତେ ଭଲ ନ ପାଇବାର କୌଣସି କାରଣ ଥାଇ ପାରେନା ! କାହୁଁ ଆସିଲା ଏହି ଦୃଢ଼ ବିଶ୍ୱାସ ? ତେବେ—ହଁ ଅକାରଣରେ ସେ ମୋତେ ଭଲ ପାଏନା । ପରିଶେଷରେ ମନକୁ ମନ କହିଲି—ଧରା ଯାଉ କୌଣସି କାରଣ ନାହିଁ—ଯଦିଓ ନିଶ୍ଚୟ ଗୋଟାଏ ହେଲେ କାରଣ ରହିଛି । ଏଥର ଦେଖାଯାଉ—କାରଣଟା କ’ଣ ହୋଇପାରେ ? ଯେଉଁଠି ଯେତେ ବେଶି ସଂଶୟ ସେଇଠି ମଣିଷ ସେତେ ବେଶୀ ମିଥ୍ୟା ବିଶ୍ୱାସକୁ ଆଶ୍ରୟ କରେ, ଯାହା କିଛି ଅସ୍ପଷ୍ଟ ଓ ଅନ୍ଧକାରଚ୍ଛନ୍ନ ହୋଇଯାଇଛି–ମନର ଆବେଗରେ ଯାହା କିଛି ଅସ୍ପଷ୍ଟ ତାକୁ ଯେମିତି ଯୁକ୍ତିର କ୍ଷୁର ଧାରରେ ଖଣ୍ଡନ କରିବାକୁ ଚାହେଁ ।

 

ଡିଟେକ୍‌ଟିଭ ଗଳ୍ପର ଗୋଇନ୍ଦା ଭଳି ମୁଁ ତଦନ୍ତ କରିବି ।

 

ଗୋଟାଏ ଖୁନ ହେଇଛି, କିନ୍ତୁ କାହିଁକି ଖୁନ କରାଗଲ—ଖୁନ କରିବାର ଉଦ୍ଦେଶ୍ୟ କ’ଣ-? ଉଦ୍ଦେଶ୍ୟ ନିର୍ଣ୍ଣୟ କରି ପାରିଲେ ଅସଲ ଅପରାଧୀର ସନ୍ଧାନ କାରାଯାଇ ପାରିବ ।

 

ଏମିଲିୟା ମୋତେ ଭଲ ପାଏନାହିଁ—ତାର ଉଦ୍ଦେଶ୍ୟ କ’ଣ ?... ସେ ହୁଏତ ଆଉ କାହାକୁ ଭଲ ପାଏ ।

 

ଏ ଧାରଣାକୁ ସହଜରେ ନାକଚ କରାଯାଇ ପାରେ କାରଣ ତାର ବ୍ୟବହାରରେ ଟିକିଏ ବି ସନ୍ଦେହ ହୁଏ ନାହିଁ ଯେ ତାର ଜୀବନ ସହିତ ଅପର କେଉଁ ପୁରୁଷ ଜଡ଼ିତ । ବରଂ ସାଧାରଣ ବ୍ୟବହାର ସଂପୂର୍ଣ୍ଣ ବିପରୀତ ଲକ୍ଷ୍ୟ କରା ଯାଇଛି । ପ୍ରାୟ ସେ ଏକାକୀ ରୁହେ, ମୋ ଉପରେ ନିର୍ଭର କରେ ବେଶି । ସବୁବେଳେ ଘରେ ଥାଏ, ଅଳ୍ପ ବହୁତ ପଢ଼ା ପଢ଼ି କରେ ନ ହେଲେ ତାର ମା’କୁ ଟେଲିଫୋନ କରେ । ମତେ ସଙ୍ଗରେ ନ ନେଲେ ବାହାରକୁ ବାହାରି ପାରେନା । ତାର ଜଣେ ଦୁଇଜଣ ବାନ୍ଧବୀ ଥିଲେ । ବିବାହ ପରେ କିଛିଦିନ ଯାଏ ବନ୍ଧୁତ୍ୱ ବଜାୟ ରହିଲା, କିନ୍ତୁ ଶେଷ ପର୍ଯ୍ୟନ୍ତ ଛିନ୍ନ ହୋଇଗଲା ପ୍ରୀତିର ଡୋରି । ସେ କେବଳ ମୋତେ ଆଶ୍ରୟ କରି ପଡ଼ି ରହିଲା । ମୋ ଉପରେ ଏକାନ୍ତ ଭାବେ ନିର୍ଭରଶୀଳ ହୋଇ ପଡ଼ିଲା । ତହିଁରେ ମୁଁ ବିରକ୍ତ ହୋଇ ପଡ଼ିଲି । ତଥାପି ତାର ନିର୍ଭରଶୀଳତା ଟିକିଏ ବି କମିଲା ନାହିଁ, ଏମିଲିୟା ଆଉ କାହାକୁ ଖୋଜିଲା ନାହିଁ । ଆଜିବି ଠିକ ଆଗଭଳି ମୋର ପ୍ରତୀକ୍ଷାରେ ବସିରହେ, ମୋ ଉପରେ ନିର୍ଭରତା କରେ—କେବଳ ପ୍ରେମ ଟିକକ ନାହିଁ । ଏହି ପ୍ରେମ ବିହୀନ ନିର୍ଭରତା ଭିତରେ ରହିଛି ଏକ କରୁଣ ବିଷଣ୍ଣତା, ବିଶ୍ୱାସର କାରଣ ନ ଥିଲେ ବି ସେ ଆପଣାର ଗୁଣରେ ସେ ବିଶ୍ୱାସୀ ହୋଇ ରହିଛି । ଗୋଟାଏ କଥାରେ ମୋଉପରେ ତାର ଆକର୍ଷଣ ନ ଥିଲେ ମଧ୍ୟ ଏହା ନିଶ୍ଚିତ ଯେ ମୋ ବ୍ୟତୀତ ଏମିଲିୟାର ଜୀବନରେ ଦ୍ୱିତୀୟ ପୁରୁଷର ସ୍ଥାନ ନାହିଁ । ତା ବ୍ୟତୀତ ଆହୁରି ଗୋଟାଏ ପ୍ରମାଣ ରହିଛି—ଏମିଲିୟା ମିଛ କହି ପାରେନା । ଇୟେ ହେଲା ତାର ଚରିତ୍ରର ବୈଶିଷ୍ଟ । ସେ ରକମର ସରଳ ମିଥ୍ୟାତାର ଅସହ୍ୟ । ତାର କଳ୍ପନା ଶକ୍ତି ନାହିଁ, ଯାହା ସତ ନୁହେଁ ବା ଯାର ଅସ୍ଥିତ୍ୱ ନାହିଁ ତାକୁ ବନେଇ ଚୁନେଇ କହି ପାରେନା । ତେଣୁ ସନ୍ଦେହ ରହିଲା ନାହିଁ ଯେ କାହାର ପ୍ରେମରେ ପଡ଼ିଥିଲେ ସେ ମୋତେ ସବୁ କଥା ଖୋଲି କହି ଥାଆନ୍ତା । ତା’ଛଡ଼ା ସେ ମୋର ଆଚରଣ ସମ୍ବନ୍ଧରେ କୌଣସି ପ୍ରତିବାଦ କରୁନାହିଁ । ନୀରବ ରହିବା ତା ପକ୍ଷରେ ତିଳେହେଲେ କଠିଣ ନୁହେଁ । ଏକାବେଳକେ ଅସମ୍ଭବ ନ ହେଲେହେଁ ସହଜରେ ସେ ପ୍ରବଞ୍ଚନାର ଆଶ୍ରୟ ନେବ ଏହା ଅବିଶ୍ୱାସ୍ୟ-। ତାର ଏହି ଔଦାସିନ୍ୟର ଅର୍ଥ ପରପୁରୁଷର ଆକର୍ଷଣ ନୁହେଁ । ଯଦି କିଛି କାରଣ ଥାଏ ତେବେ ତାହା ଖୋଜିବାକୁ ପଡ଼ିବ—ଏମିଲିୟାର ଜୀବନରେ ନୁହେଁ, ମୋର ଜୀବନରେ... ।

ଚିନ୍ତାର ସମୁଦ୍ରରେ ମୁଁ ପୁରାପୁରି ମଗ୍ନ । ଶୁଣି ପାରୁ ନ ଥିଲି—ମୋରି ସାମନାରେ ଠିଆ ହୋଇ ମୁରୁକି ମୁରୁକି ହସି ବାତ୍ତିସତାଙ୍କ ସେକ୍ରେଟେରୀ ବାରମ୍ବାର କହୁଛନ୍ତି, ମି: ମଲଟେନି, ଆପଣଙ୍କ ପାଇଁ ଅପେକ୍ଷା କରିଛନ୍ତି ଡା: ବାତ୍ତିସତା ।

ପ୍ରକୃତିସ୍ଥ ହୋଇ ସହଳ ପାଦ ବଢ଼େଇଲି....।

ସୁନ୍ଦର ଗୋଟାଏ ସୁସଜ୍ଜିତ କକ୍ଷରେ ବସିଥିଲେ ମି: ବାତ୍ତିସତା । ଘରଟିର ଛାତ ଓ କାନ୍ଥ ଚକ୍‌ଚକ୍‌ କରୁଛି । ବାତ୍ତିସତାଙ୍କ ଆଗରେ ପଡ଼ିଛି ଗୋଟାଏ ପିତଳର ଟେବୁଲ ।

ବାତ୍ତିସତା ମୋଟେ ଲମ୍ବା ନୁହନ୍ତି, କାନ୍ଧ ଦୁଇଟି ପ୍ରଶସ୍ତ, ଦେହଟା ସ୍ଥୂଳ, ତାରି ତୁଳନାରେ ପାଦ ଦୁଇଟି ସରୁ ଓ ଛୋଟ । ମାଙ୍କଡ଼ ସହିତ ତାଙ୍କର ଏହି ସାଦୃଶ୍ୟ ଫଳରେ କେହି କେହି ତାଙ୍କୁ କହୁଥିଲେ ବାନର, ଗରିଲା ଆଉ କେତେ କ’ଣ । କିନ୍ତୁ ମୁଁ କେବେ ତାଙ୍କୁ ଏହି ନାମରେ ଡାକି ପାରିନାହିଁ କାରଣ ମୋର ରୁଚି ଓ ଶିଷ୍ଟାଚାରରେ ଆଘାତ ଲାଗିଛି । ...ବାତ୍ତିସତାଙ୍କର ମୁଣ୍ଡ ଚନ୍ଦା, ଗହଳ ଭୁରୁ, ଆଖି ଯୋଡ଼ାକ ଛୋଟ, ମୋଟାନାକ, ମୁହଁ ଉପରେ କୌଣସି ବୈଶିଷ୍ଟ୍ୟ ନାହିଁ । ହାତ ଦୁଇଟି ଛୋଟ, ଦେହସାରା କଳା କଳା ଲୋମ । ତାକୁ ଦେଖିଲେ ମନେହୁଏ ବାତ୍ତିସତା ଯେମିତି ଏକ ବନ୍ୟପଶୁର ରୂପାନ୍ତର । କିନ୍ତୁ ତାର କଣ୍ଠସ୍ୱର ମଧୁର, ଉଚ୍ଚାରଣ ସ୍ପଷ୍ଟ ଓ ସୁନ୍ଦର । ତାଙ୍କର କଥା ଶୁଣିଲେ ବୁଝାଯାଏ—ସେ ବିଚକ୍ଷଣ ଓ ତୀକ୍ଷ୍‌ଣ ବୁଦ୍ଧିସଂପନ୍ନ ବ୍ୟକ୍ତି ।

ଅଫିସ ଭିତରେ ବାତ୍ତିସତା ଏକାକୀ ନ ଥିଲେ, ତାଙ୍କର ମୁହାମୁହିଁ ବସିଥିଲେ ଜଣେ ଅପରିଚିତ ବ୍ୟକ୍ତି । ମି: ବାତ୍ତିସତା ଭଦ୍ରବ୍ୟକ୍ତିଙ୍କ ସହିତ ମୋର ପରିଚୟ କରେଇ ଦେଲେ : ଇୟେ ହେଉଛନ୍ତି ରେନ୍‌ଗୋଲ୍‍ଡ...

ପ୍ରଥମ ସାକ୍ଷାତ ହେଲେ ମଧ୍ୟ ନାମ ଶୁଣିବା ମାତ୍ରେକେ ଚିହ୍ନି ପାରିଲି । ପ୍ରାକ୍‌—ମହାଯୁଦ୍ଧର ଯୁଗରେ ସେ ଜର୍ମାନ ଚିତ୍ର ନିର୍ଦ୍ଦେଶକ ଭାବରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ନିର୍ଦ୍ଦେଶିତ ଚିତ୍ରଗୁଡ଼ିକ ପେଶାଦାରୀ ବା ମାମୁଲି ଚିତ୍ର ନୁହେଁ—ବେଶ୍‌ ଗୁରୁଗମ୍ଭୀର । ହିଟଲରର ଅଭ୍ୟୁଦୟ ପରେ ଆଉ ତାଙ୍କର ନାମ ଶୁଣା ଯାଉନାହିଁ । ସେ କୁଆଡ଼େ ହଲିଉଡରେ ଥିଲେ କିନ୍ତୁ ତାଙ୍କର ନିର୍ଦ୍ଦେଶିତ କୌଣସି ଚଳଚିତ୍ର ଏଯାବତ୍‌ ଇଟାଲିରେ ପ୍ରଦର୍ଶିତ ହୋଇନାହିଁ ।

ମୋ ସହିତ କରମର୍ଦ୍ଦନ କରିବାକୁ ରେନ୍‌ଗୋଲ୍‌ଡ ଠିଆହେଲେ । ବିନୀତ ଭାବରେ ସମ୍ଭାଷଣ ଜଣାଇ ସେ ପୁନରାୟ ଆସନ ଗ୍ରହଣ କଲେ ।

ବାତ୍ତିସତା କହିଲେ, ରେନ୍‌ଗୋଲ୍‌ଡ ଓ ମୁଁ କ୍ୟାପ୍ରି ସମ୍ବନ୍ଧରେ କଥାବାର୍ତ୍ତା କରୁଥିଲୁ । କ୍ୟାପ୍ରି ସମ୍ବନ୍ଧରେ ଆପଣ ଜାଣନ୍ତିତ ମି: ମଲ୍‌ଟେନି ?

ହଁ ।

ବାତ୍ତିସତା କହିଲେ, ଜାଣନ୍ତି ସେଇଠି ମୋର ଗୋଟାଏ ପ୍ରମୋଦ ପ୍ରାସାଦ ଅଛି....ଏଇକ୍ଷଣି ମୁଁ ରେନ୍‌ଗୋଲ୍‌ଡଙ୍କୁ କହୁଥିଲି—ସତରେ ସ୍ଥାନଟା କେତେ ମନୋରମ; ପ୍ରକୃତିର ସେ ସୌନ୍ଦର୍ଯ୍ୟ ଭିତରେ ମୋ ଭଳି ନୀରସ ବ୍ୟବସାୟୀର ମଧ୍ୟ କାବ୍ୟ ଚର୍ଚ୍ଚା କରିବାକୁ ଇଚ୍ଛା ହୁଏ । ସୌନ୍ଦର୍ଯ୍ୟ ଓ ଆଦର୍ଶ ଉପରେ ଏଭଳି ଶ୍ରଦ୍ଧା ଓ ଆଗ୍ରହ ପ୍ରଦର୍ଶନ କରିବା ମି: ବାତ୍ତିସତାଙ୍କ ଅଭ୍ୟାସ-। ତାଙ୍କରି ଏହି ଆଗହ ଅକପଟ ହେଲେ ହେଁ ପୁରାପୁରି ସ୍ୱାର୍ଥବର୍ଜିତ ନୁହେଁ । ତେଣୁ ମୁଁ ବିଚଳିତ ହୋଇ ପଡ଼ିଲି । ଅଳ୍ପକ୍ଷଣ ପରେ ନିଜ କଥାରେ ନିଜେ ମୁଗ୍‌ଧ ହୋଇ ବାତ୍ତିସତା କହିଲେ, ନୟନାଭିରାମ ପ୍ରକୃତି, ଉଦାର ସ୍ଵଚ୍ଛ ଆକାଶ, ଚିର ନୀଳ ସମୁଦ୍ର—ଆଉ ଅଜସ୍ର ଫୁଲ—ସବୁଆଡ଼େ ଫୁଲର ଅପୂର୍ବ ସମାରୋହ....ଆପଣଙ୍କ ଭଳି ଲେଖକ ହେଇଥିଲେ ମୁଁ କ୍ୟାପ୍ରିରେହି ବାସକରି ପ୍ରେରଣା ନିଅନ୍ତି । ସତରେ ଅବାକ୍‌ ଲାଗେ—ଶିଳ୍ପୀଗଣ କ୍ୟାପ୍ରିର ପ୍ରାକୃତିକ ଦୃଶ୍ୟର ଚିତ୍ର ଅଙ୍କନ ନ କରି ଏମିତି ସବୁ ଚିତ୍ର ଅଙ୍କନ କରନ୍ତି—ଯାର କୌଣସି ଅର୍ଥ ହୁଏନାହିଁ...କହିବାକୁ ଗଲେ କ୍ୟାପ୍ରିରେ ପ୍ରାକୃତିକ ଚିତ୍ର ଅଙ୍କିତ ହୋଇ ରହିଛି କେବଳ କ୍ୟାମେରାରେ । ଧରିନେଲେ ହେଲା.... ।

 

କୌଣସି ପ୍ରକାର ମନ୍ତବ୍ୟ ନ ଦେଇ ରେନ୍‌ଗୋଲ୍‌ଡଙ୍କୁ କଣେଇ ଚାହିଁଲି । ଦେଖିଲି, ବାତ୍ତିସତାଙ୍କ କଥାରେ ମୁଣ୍ଡ ହଲେଇ ସେ ସମ୍ମତି ପ୍ରକାଶ କଲେ । ଆକାଶର ବଙ୍କିମ ଚନ୍ଦ୍ର ଭଳି ଦେଖାଗଲା ତାଙ୍କରି ମୁହଁର ଦରହାସ । ବାତ୍ତିସତା କହିବାକୁ ଲାଗିଲେ, ଜାଣନ୍ତି—ସମୟ ସମୟୁରେ ଭାବେ ସମସ୍ତ କାମଦାମ ଛାଡ଼ି ଦେଇ ସେଇଠି କିଛିଦିନ ରହନ୍ତି—ମାତ୍ର ସୁବିଧା ଓ ସୁଯୋଗ ହୁଏନା—ଏଇଠି—ସହରରେ ଆମେ ଯେଉଁ ଜୀବନଯାପନ କରୁ ତା ସହିତ ସେଠାକାର ପ୍ରକୃତିର କୌଣସି ସାମଞ୍ଜସ୍ୟ ନାହିଁ । ଅଫିସର ଫାଇଲ ପାହାଡ଼ ତଳେ ନିଜକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରି ସମୟ ବିତେଇ ଦେବା ପାଇଁ ମଣିଷର ଜନ୍ମ ନୁହେଁ....ତା’ଛଡ଼ା କ୍ୟାପ୍ରିର ଲୋକେ ଆମଠାରୁ ଢ଼େର ସୁଖୀ....ଅପରାହ୍ନରେ ଚତୁର୍ଦ୍ଦିଗ ଉଜ୍ୱଳ ହସରେ ମୁଖରୀତ କରି ରଙ୍ଗିନ ପ୍ରଜାପତି ଭଳି ଘୁରି ବୁଲନ୍ତି ତରୁଣ ତରୁଣୀଗଣ । କି ଅପୂର୍ବ ସେହି ଦୃଶ୍ୟ । ତାଙ୍କର ଜୀବନ ଏମିତି ଆନନ୍ଦ ମୁଖରିତ କାହିଁକି ଜାଣନ୍ତି ? ....ସେମାନେ ଉଚ୍ଚାଭିଳାଷୀ ବା ସ୍ୱାର୍ଥପର ନୁହନ୍ତି, ତେଣୁ ସେମାନଙ୍କର ଦୁଃଖ ଓ ଅଭାବର ମାତ୍ରା ମଧ୍ୟ କମ୍‌....ସତରେ ସେମାନେ କେଡ଼େ ସୁଖୀ......

 

କିଛି ସମୟ ନୀରବ ରହିଲେ ମି: ବାତ୍ତିସତା, ତାପରେ ପୁନରାୟ ଆରମ୍ଭ କଲେ, ମୁଁ ଯାହା କହୁଥିଲି....ମୋର ଗୋଟାଏ ପ୍ରମୋଦ ପ୍ରାସାଦ ଅଛି କ୍ୟାପ୍ରିରେ....ମୁଁ ସେଠିକି କେବେହେଲେ ଯାଇନାହିଁ—କି ଦୁର୍ଭାଗ୍ୟ ଦେଖନ୍ତୁତ ପ୍ରାସାଦଟା ଯେତେବେଳେ ଅନ୍ତତଃ ନେଉଛି ସେଠି କିଛିଦିନ ରହିବା ଦରକାର—ତେଣୁ ମି: ରେନ୍‌ଗୋଲ୍‌ଡଙ୍କୁ କହୁଥିଲି ଚିତ୍ରନାଟ୍ୟ ରଚନା ପାଇଁ କେବଳମାତ୍ର କ୍ୟାପ୍ରି ହିଁ ସର୍ବୋତ୍ତମ ସ୍ଥାନ....ବାହ୍ୟ ପ୍ରକୃତିରୁ ପ୍ରେରଣା ମିଳିପାରିବ ଯଥେଷ୍ଟ....ବିଶେଷ ଭାବରେ—ରେନ୍‌ଗୋଲ୍‌ଡଙ୍କୁ କହୁଥିଲି ସେଠିକାର ବର୍ହିପ୍ରକୃତି ସହିତ ଆମ ଚିତ୍ରଟିର ବିଷୟବସ୍ତୁର ସାମଞ୍ଜସ୍ୟ ରହିଛି !

 

ରେନ୍‌ଗୋଲ୍‌ଡ କହିଲେ, ଦେଖନ୍ତୁ ମି: ବାତ୍ତିସତା, କାମ ଯେଉଁଠି ଇଚ୍ଛା ସେଇଠି କରାଯାଇପାରେ....ତେବେ କ୍ୟାପ୍ରି ଆମରି କାମ ପାଇଁ ବିଶେଷ ଉପଯୋଗୀ ହେଇପାରେ ଯଦି ନେପଲ୍‌ସ ଉପସାଗରକୁ ଯାଇ, କେତୋଟି ଶର୍ଟ ନିଆଯାଏ ।

 

ନିଶ୍ଚୟ.....ରେନ୍‌ଗୋଲ୍‌ଡ କହୁଛନ୍ତି ସେ କୌଣସି ଗୋଟାଏ ହୋଟେଲରେ ରହିବେ । ତାଙ୍କର କେତୋଟି ବ୍ୟକ୍ତିଗତ ଅସୁବିଧା ରହିଛି—ତା’ଛଡ଼ା ନିର୍ଜ୍ଜନରେ ରହି ନିଜର କାମ ସମ୍ବନ୍ଧରେ ଚିନ୍ତା କରିବାକୁ ସେ ଭଲପାଆନ୍ତି ତେଣୁ ଆପଣ ଓ ଆପଣଙ୍କ ସ୍ତ୍ରୀ ଯାଇ ମୋର ପ୍ରମୋଦ ପ୍ରାସାଦରେ ରହନ୍ତୁନା ମି: ମଲଟେନି । ଅନ୍ତତଃ କେହି ଜଣେ ସେଇଠି ରହିଲେ ମୁଁ ଖୁସିହେବି...କିଛି ଅସୁବିଧା ହେବନାହିଁ......ସେଠି ସବୁ ସୁବିଧା ରହିଛି—ଚାକର ଚାକରାଣୀ ପାଇବାକୁ କୌଣସି କଷ୍ଟ ହେବ ନାହିଁ ।

ଏମିଲିୟା କଥା ମୋର ମନେପଡ଼ିଲା । ଭାବିଲି କ୍ୟାପ୍ରିର ମନୋରମ ପରିବେଶ ମଧ୍ୟରେ ସେହି ପ୍ରମୋଦ ପ୍ରାସାଦକୁ ଗଲେ ଅନେକ ଅସୁବିଧା ଦୂର ହୋଇଯିବ । କାହିଁକି କହି ପାରିବି ନାହିଁ ଏ ସମ୍ବନ୍ଧରେ ମୋର ଧାରଣା ନିଶ୍ଚିତ ହୋଇଗଲା । ତେଣୁ ମି: ବାତ୍ତିସତାଙ୍କୁ ଧନ୍ୟବାଦ ଜଣାଇଲି । କହିଲି ଚିତ୍ରନାଟ୍ୟ ରଚନା ପକ୍ଷରେ କ୍ୟାପ୍ରି ଯେ ପ୍ରଶସ୍ତ ଏଥିରେ ମୋର କୌଣସି ସନ୍ଦେହ ନାହିଁ—ଆପଣଙ୍କର ପ୍ରମୋଦପ୍ରାସାଦରେ ବାସ କରିବାର ସୌଭାଗ୍ୟ ଲାଭ କଲେ ମୁଁ ଓ ମୋର ପତ୍ନୀ ଉଭୟେ ଖୁସିହେବୁ । ମୋର ହାତଧରି ବାତ୍ତିସତା ଉତ୍ତେଜିତ ଭାବରେ କହିଲେ ବେଶ୍‌ ଆପଣମାନେ କ୍ୟାପ୍ରିକୁ ଯିବେ । ମୁଁ ଆପଣମାନଙ୍କ ସହିତ ସେଠି ଦେଖା କରିବି....ବେଶ୍‌....ବେଶ୍‌ ଏଥର ଆମର ଚିତ୍ର ସମ୍ବନ୍ଧରେ ଆଲୋଚନା କରାଯାଉ ।

ବାତ୍ତିସତାଙ୍କର ମୁହଁକୁ ଚାହିଁ ରହିଲି ।

କାହିଁକି ତାଙ୍କର ଆମନ୍ତ୍ରଣ ଗ୍ରହଣ କଲି ? ମୋର ଏ ହଠକାରିତା ଏମିଲିୟା ନିଶ୍ଚୟ ଗ୍ରହଣ କରିବ ନାହିଁ । ମୋ ପକ୍ଷରେ ଏତେ ଆଗ୍ରହ ପ୍ରକାଶ କରିବା ସତରେ ଠିକ୍‌ ହୋଇନାହିଁ । କହିବା ଉଚିତ ଥିଲା ଭାବି ଦେଖେ । ତେଣୁ ଲଜ୍ଜା ବୋଧ କଲି ।

ବାତ୍ତିସତା କହିଲେ, ଆମେ ସମସ୍ତେ ଏକମତ ଯେ ଚିତ୍ରଶିଳ୍ପରେ ନୂତନତ୍ୱ ଆଣିବାକୁ ପଡ଼ିବ—ଯୁଦ୍ଧୋତ୍ତର ଯୁଗ ଶେଷ ହୋଇଛି....ଜନସାଧାରଣ ବର୍ତ୍ତମାନ ନୂନତ ଜିନିଷ ଚାହାନ୍ତି କାରଣ ସମସ୍ତେ ଏହି ଅତ୍ୟାଧୁନିକ ବାସ୍ତବବାଦ ଭିତରେ କ୍ଳାନ୍ତ ହୋଇ ପଡ଼ିଛନ୍ତି......କାହିଁକି ଆମେ ବାସ୍ତବଧର୍ମୀ ଆଧୁନିକ ଚିତ୍ର ଉପରେ ବିତଶ୍ରଦ୍ଧ ହୋଇପଡ଼ିଛୁ ? ତାର କାରଣ କଣ ? .....ଅଳ୍ପ ଚିନ୍ତା କରି ଦେଖିଲେ ବୁଝି ପାରିବେ.....ଆଜିକାର ଦର୍ଶକ ସମାଜ କ’ଣ ଚାହାଁନ୍ତି ?

ବାତ୍ତିସତା ପ୍ରତ୍ୟକ୍ଷ ଆକ୍ରମଣର ପକ୍ଷପାତି ନୁହନ୍ତି । ସେ ଛିଦ୍ରାନ୍ୱେଷୀ ନୁହନ୍ତି—ହୁଏତ ନିଜକୁ ସେ ସେହି ଭାବରେ ପ୍ରକାଶ କରିବାକୁ ଚାହାନ୍ତି । ତେଣୁ କୌଣସି ସ୍ପଷ୍ଟ ଭାବରେ କହିବା ତାଙ୍କର ସ୍ୱଭାବ ବିରୁଦ୍ଧ । ଅନ୍ୟାନ୍ୟ ଚିତ୍ର ନିର୍ମାତା ମାନଙ୍କ ପରି ଲାଭ ଉପରେ ଷୋହଳ ଅଣା ଦୃଷ୍ଟି ରହିଥିଲେ ବି ସେ ଅନ୍ୟରକମର ଭାବ ଦେଖାନ୍ତି । ଗୋଟାଏ ଛଳନାର ମୁଖ । ତାରିତଳେ ଆତ୍ମ ଗୋପନ କରି ନିଜର ଅଭିଷ୍ଟ ସିଦ୍ଧି କରି ନେବାରେ ସେ ସଦାସର୍ବଦା ତତ୍ପର । କୌଣସି ଚିତ୍ରର ବିଷୟ ବସ୍ତୁ ବା କାହାଣୀ ପସନ୍ଦକୁ ନ ଆସିଲେ ସାଧାରଣତ ସବୁ ଚିତ୍ର ପରିଚାଳକ ଯେମିତି କହନ୍ତି ଏଥିରେ ପଇସା ମିଳିବ ନାହିଁ ବା ବକ୍‌ସ–ଅଫିସ ହିଟ୍‌ ହୋଇ ପାରିବନି ସେ ଠିକ୍‌ ସେମିତି ସ୍ପଷ୍ଟ ଭାଷାରେ କହନ୍ତି ନାହିଁ । କହନ୍ତି ଏଇ ଏଇ କାରଣରୁ କାହାଣୀଟି ମୋର ମନକୁ ପାଉନାହିଁ । ଏମିତି ସବୁ ଯୁକ୍ତି ବାଡ଼ି ବସନ୍ତି—ଯାହା ଶୁଣିଲେ ମନେହେବ ଅବାଧ୍ୟ ରାଜପୁତ୍ର ମାନଙ୍କୁ ପଣ୍ଡିତ ମହାଶୟ ହିତୋପଦେଶ ଶୁଣାଉଛନ୍ତି ।

ଅଳ୍ପ ଚିନ୍ତା କରି ବାତ୍ତିସତା କହିଲେ, ମୋର ମତରେ ଜନସାଧାରଣ ବର୍ତ୍ତମାନ ଆଉ ସେହି ଚର୍ବିତ ଚର୍ବଣ ଉଗ୍ର ଆଧୁନିକ ବାସ୍ତବ ଧର୍ମୀ ଚିତ୍ର ପସନ୍ଦ କରନ୍ତି ନାହିଁ—କାହିଁକିନା ଏସବୁ ଚିତ୍ର ସ୍ୱାସ୍ଥ୍ୟକର ନୁହେଁ ।

ସେ ମୁଁହ ବୁଲେଇ ଥରେ ରେନ୍‌ଗୋଲ୍‌ଡଙ୍କୁ ଚାହିଁଲେ । ନିଷ୍କଳଙ୍କ ତାଙ୍କର ଦୃଷ୍ଟି । ହୁଏତ ସ୍ୱାସ୍ଥ୍ୟକର କଥାଟି ଉପରେ ଜୋର ଦେବା ଫଳରେ ଅଳ୍ପ ରହିଯାଇ ବାତ୍ତିସତା କହିଲେ, ଆଧୁନିକ ବାସ୍ତବଧର୍ମୀ ଚିତ୍ର ଭଲ ନୁହେଁ କାରଣ ଏହି ଧରଣର ଚିତ୍ର ମଣିଷକୁ ଜିଇ ରହିବାର ପ୍ରେରଣା ଦିଏନା, ଜୀବନ ଉପରେ ଆସ୍ଥା ସ୍ଥାପନ କରିବାର ସାହସ ଦିଏନା—ଚିତ୍ର ମାଧ୍ୟମରେ ରୂପାୟିତ କରେ କେବଳ ହତାଶା, ଦୁଃଖବାଦ ଓ ନିରାଶା । ସେଇଠି କେବଳ ଜୀବନର ଅନ୍ଧକାରମୟ ଦିଗଟା ହିଁ ପ୍ରତିଫଳିତ ହୁଏ । ମାନବ ଜୀବନର କଦର୍ଯ୍ୟତମ, ଅସ୍ୱାଭାବିକ ଅବସ୍ଥା ଉପରେ ଆଧୁନିକ ଚିତ୍ରନିର୍ମାତା ଗଣ ଜୋର ଦିଅନ୍ତି ସବୁଠୁ ବେଶୀ । ଏହି ସମସ୍ତ ଚିତ୍ର ସୁସ୍ଥ ଆନନ୍ଦମୟ ଜୀବନ ଯାପନର ପଥ ନିର୍ଦ୍ଦେଶ କରେ ନାହିଁ ।

ମି: ବାତ୍ତିସତାଙ୍କର ମୁହଁକୁ ଚାହିଁ ଦେଖିଲି । ସେ ଯାହା କହୁଛନ୍ତି ଠିକ୍‌ ବୁଝିପାଇଲି ନାହିଁ ସେ ନିଜେ ତାହା ବିଶ୍ୱାସ କରନ୍ତି କି ନାହିଁ । ତେବେ ହଁ ତାର ଉକ୍ତି ଭିତରେ ରହିଛି ଆନ୍ତରିକତା ।

ବାତ୍ତିସତା କହିଲେ, ମି: ରେନ୍‌ଗୋଲ୍‌ଡ ଗୋଟାଏ ପ୍ରସ୍ତାବ କରିଛନ୍ତି—ପ୍ରସ୍ତାବଟି ମନ୍ଦ ନୁହେଁ । ସେ କହିଛନ୍ତି ଆଜି ପର୍ଯ୍ୟନ୍ତ ବାଇବେଲ ଅବଲମ୍ବନରେ ଯେଉଁ କେତୋଟି ଚିତ୍ର ନିର୍ମିତ ହୋଇଛି ସେ ସମସ୍ତ ବେଶ ସଫଳ ହୋଇଛି କାହିଁକି ? ...କାରଣ ବାଇବେଲ ଭଳି ସରଳ ଓ ଦ୍ୱୀପ୍ତ ଆଉ କିଛି ନାହିଁ । ତେଣୁ ରେନ୍‌ଗୋଲ୍‌ଡ କହିଛନ୍ତି, ଆଙ୍ଗ୍ଲୋସାକସନ ମାନଙ୍କର ବାଇବେଲ ଆଉ ଭୂମଧ୍ୟସାଗରୀୟ ଦ୍ୱୀପପୁଞ୍ଜର ହୋମର.....ସେଇୟା ନା ?

ମି: ରେନ୍‌ଗୋଲ୍‌ଡ ମୁରୁକି ମୁରୁକି ହସି କହିଲେନିଶ୍ଚୟ......ନିଶ୍ଚୟ........

ମି: ବାତ୍ତିସତା କହିଲେ, ସେ କହିଛନ୍ତି—ଆପଣମାନଙ୍କର........ ମାନେ ଭୂମଧ୍ୟସାଗରୀୟ ଅଞ୍ଚଳର ଜାତିପୁଞ୍ଜ ନିକଟରେ ‘ହୋମର’ ଆଙ୍ଗ୍ଲୋସାକ୍‌ସନ ମାନଙ୍କର ବାଇବେଲ ସଦୃଶ—ଯେମିତି ଧରନ୍ତୁ ହୋମରଙ୍କର ‘ଓଡ଼ିସି’......... ଆପଣମାନେ ‘ଓଡ଼ିସି’ର ଚିତ୍ର ରୂପାୟନ କରୁନାହାନ୍ତି କାହିଁକି ?

ସେ ନୀରବ ରହିଲେ । ଅବାକ୍‌ ହୋଇ ପ୍ରଶ୍ନ କଲି, ସମଗ୍ର ‘ଓଡ଼ିସି’ ନା ତାର କୌଣସି ଉପାଖ୍ୟାନ ? ମି: ବାତ୍ତିସତା କହିଲେ, ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିଛୁ । ସମଗ୍ର ‘ଓଡ଼ିସି’ଟା ନେଲେ ଭଲ ହେବ କିନ୍ତୁ ସେଇଟା ବଡ଼ କଥା ନୁହେଁ.... । ତାପରେ ମୁହଁ ଉଠେଇ କହିଲେ, ବଡ଼କଥା ହେଲା ଓଡ଼ିସିଟାକୁ ଆଉଥରେ ଭଲ ଭାବରେ ପଢ଼ିବା.....ଏଥର ବୁଝି ପାରିଛି.....ଏତେଦିନ କ’ଣ ଚାହିଁଛି ଅଥଚ ବୁଝି ପାରିନାହିଁ....ବୁଝିଛି.........ଅତି ସ୍ତବ୍‌ଧଧର୍ମୀ ଚିତ୍ରରେ ପ୍ରକୃତରେ କେଉଁ ଜିନିଷର ଅଭାବ ଯେମିତି ଆପଣ ଯେଉଁ ବିଷୟବସ୍ତୁର କଥା କହୁଛନ୍ତି—ତା ଭିତରେ ଯାହା ମୁଁ କେବେହେଲେ ପାଇନି ଏମିତି ଗୋଟାଏ ଜିନିଷ ଯାହା ଅନୁଭବ କରୁଛି ଅଥଚ ପ୍ରକାଶ କରି ପାରୁନାହିଁ, ଯାହା ଜୀବନ ଆଉ ଚିତ୍ରଶିଳ୍ପରେ ସମଭାବରେ ପ୍ରୟୋଜନୀୟ—ସେ ହେଲା କାବ୍ୟ ।

ସେତେବେଳ ଯାଏ ରେନ୍‌ଗୋଲ୍‌ଡଙ୍କ ଓଠରୁ ହସର ରେଖାଟା ସଂପୂର୍ଣ୍ଣ ପୋଛି ହୋଇ ଯାଇନାହିଁ । ସାହସ କରି କହିଲି, ଓଡ଼ିସିରେ କାବ୍ୟର ଅଭାବ ହୁଏତ ନାହିଁ କିନ୍ତୁ ଅସଲ ଅସୁବିଧା ହେଲା ତାର ଚିତ୍ର ରୂପାୟନ.....

ବାତ୍ତିସଭା କହିଲେ, ବେଶ୍‌ତ—ସେକାମ ପାଇଁ ଆପଣମାନେ ରହିଛନ୍ତି—ଆପଣ ଓ ରେନ୍‌ଗୋଲ୍‌ଡ ? ଜାଣେ ଓଡ଼ିସିରେ କାବ୍ୟ ରହିଛି ଏବଂ ଆପଣମାନେ ସେହି କାବ୍ୟରସକୁ ଆହରଣ କରିବେ ।

କହିଲି, ଓଡ଼ିସି ହେଲା ଗୋଟାଏ ସ୍ୱତନ୍ତ୍ର ଜଗତ—ତହିଁରୁ ମଣିଷ ଯାହା ଚାହେଁ ତାହା ପାଇପାରେ....ତେବେ ଆହରଣଟା ଅନେକ ପରିମାଣରେ ନିର୍ଭର କରେ ରୁଚି ଓ ଦୃଷ୍ଟିଭଙ୍ଗି ଉପରେ-

 

ମୋର ଉତ୍ସାହର ଅଭାବ ଦେଖି ମି: ବାତ୍ତିସତା ବିଚଳିତ ହୋଇ ପଡ଼ିଲେ । ମୋର ଔଦାସିନ୍ୟର କାରଣ ସେ ଖୋଜି ପାଇଲେ ନାହିଁ । ଚୌକିରୁ ଉଠିପଡ଼ି ଘର ଭିତରେ ପଦାଚରଣ କରୁ କରୁ କହିଲେ, ଓଡ଼ିସି ପଢ଼ି ମୋର ମନେ ହେଉଛି ତାର କାବ୍ୟସୌନ୍ଦର୍ଯ୍ୟ ଅତୁଳନୀୟ, ଅପରୂପ......ତହିଁରେ ଏମିତି ସବୁ ଦୃଶ୍ୟ ରହିଛି ଯାହାର ଆବେଦନ ସାର୍ବଜନୀନ.....ବିଜୟ ଫିଲମ୍‌ସ ଆଧୁନିକ ରୁଚିର ଅନୁକୂଳରେ ରୂପ ଦେବ ଓଡ଼ିସିର ସେହି ଅଭିନବ ଦୃଶ୍ୟଗୁଡ଼ିକ ।

 

ମୁଁ ନୀରବ ରହିଲି । ବୁଝି ପାରିଲି କାବ୍ୟ କହିଲେ ମୋର ଯାହା ଧାରଣା ମି: ବାତ୍ତିସତାଙ୍କ ଧାରଣା ସହିତ ତାର କୌଣସି ସାମଞ୍ଜସ୍ୟ ନାହିଁ । ତାଙ୍କରି ବିଜୟ ଫିଲମ୍‌ସର ଓଡ଼ିସି ହେବ ବାଇବେଲ ଅବଲମ୍ବନରେ ହଲିଉଡରେ ତିଆରି ହେଉଥିବା ଚିତ୍ରର ଅନୁରୂପ । ମୂଳ କଥାବସ୍ତୁ ସହିତ ତାର କୌଣସି ସଂପର୍କ ରହିବ ନାହିଁ । ତହିଁରେ ରହିବ ଦୈତ୍ୟ ଦାନବ, ନଗ୍ନନାରୀ ନାରୀ ହରଣ, ପାପ ଆଉ ଦୁଷ୍କର୍ମର ଦୃଶ୍ୟ, ପ୍ରେମ, ପ୍ରତିହିଂସା ଆଉ ବାଗାଡ଼ମ୍ବର । ଏହାଠାରୁ ଆଉ ଅନ୍ୟଥା ହେବ କେମିତି ?

 

ଚୌକି ଉପରେ ବସି ବାତ୍ତିସତା କହିଲେ, ଆପଣ କଣ କହୁଛନ୍ତି ମି: ମଲଟେନୀ ?

 

ଚତ୍ରନାଟ୍ୟ ଲେଖକ ହିସାରେ ମୋର ଅଭିଜ୍ଞତା ରହିଛି । ଏ ଚିତ୍ର କେବେହେଲେ ଶେଷ ହୋଇ ପାରିବ ନାହିଁ । କାମ କରିବି କିନ୍ତୁ ଶେଷରେ ଟଙ୍କା ମିଳବ ନାହିଁ । ତେଣୁ ଭାବିଲି ଆଗରୁ ସତର୍କ ହେବା ଦରକାର । କହିଲେ, ଆଇଡିଆଟି ତ ବେଶ୍‌ ଚମତ୍କାର ବୋଲି ମନେ ହେଉଛି ।

 

କିନ୍ତୁ ଆପଣଙ୍କ ସେଭଳି ବିଶେଷ ଆଗ୍ରହ ଦେଖୁନାହିଁ କାହିଁକି ?

 

ମୁଁ ଭାବୁଛି—ବିଷୟ ବସ୍ତୁଟି ମୋ ପକ୍ଷରେ ଅଳ୍ପ କଠିଣ ହେବ.....ମୁଁ ହୁଏତ ପାରିବି ନାହିଁ....ମୋର କ୍ଷମତାର ବହିର୍ଭୁତ ହୋଇପାରେ ବୋଲି ମୋର ଧାରଣା ।

 

ମି: ବାତ୍ତିସତା ଉତ୍ତେଜିତ ହୋଇ କହିଲେ, କାହିଁକି—ଆପଣତ ଉଚ୍ଚକୋଟୀର ଚିତ୍ର କଥା କହନ୍ତି—ବର୍ତ୍ତମାନ ଆପଣଙ୍କୁ ସୁଯୋଗ ଦେଉଛି ଆଉ ଆପଣ ପଛେଇ ଯାଉଛନ୍ତି ?

 

ଦେଖନ୍ତୁ ମି: ବାତ୍ତିସତା ମନସ୍ତତ୍ତ୍ୱମୂଳକ ଚିତ୍ରରେ ମୋର ଆକର୍ଷଣ ବେଶି । ମୋର ମନେହୁଏ—ଆପଣଙ୍କର ପ୍ରସ୍ତାବିତ ଚିତ୍ରରେ ଦୃଶ୍ୟ ବ୍ୟତୀତ ଆଉ କିଛି ନାହିଁ ।

 

ମି: ବାତ୍ତିସତା ଏହାର କୌଣସି ଉତ୍ତର ଦେଇ ପାରିଲେ ନାହିଁ । ମି: ରେନ୍‌ଗୋଲ୍‌ଡ ହଠାତ୍‌ କହି ଉଠିଲେ, ମି: ବାତ୍ତିସତା ଚିତ୍ରଟି ସମ୍ବନ୍ଧରେ ଆପଣଙ୍କୁ ବିଶଦ ଭାବରେ କହିଛନ୍ତି—ଅବଶ୍ୟ ସେ କହିଛନ୍ତି ଚିତ୍ରନିର୍ମାତା ହିସାବରେ—ତେଣୁ ଆପଣଙ୍କୁ ଠିକ୍‌ ଭାବରେ ବୁଝେଇ ପାରି ନାହାନ୍ତି—କିନ୍ତୁ ଆପଣ ଯଦି ମନସ୍ତତ୍ତ୍ୱ ଚାହାଁନ୍ତି, ନିଃସନ୍ଦେହରେ କାମଟା ନେଇ ପାରନ୍ତି, କାହିଁକିନା ଚିତ୍ରଟି ଭିତରେ ଇଉଲିସିସ ଓ ପେନିଲୋପର ମନସ୍ତତ୍ତ୍ୱ ଗୌଣ ନୁହେଁ—ମୁଖ୍ୟ....ମୁଁ ଚିତ୍ରଟି ତିଆରି କରିବି ଏମିତି ଚରିତ୍ରକୁ କେନ୍ଦ୍ରକରି ଯେ ତାର ପତ୍ନୀକୁ ଭଲପାଏ କିନ୍ତୁ ପ୍ରତିଦାନରେ ସ୍ତ୍ରୀର ପ୍ରେମ ସେ ପାଏନା ।

 

ମି: ବାତ୍ତିସତାଙ୍କ ଓଠତଳେ ଚହଲି ଗଲା ଧାରେ ହସ......ମି: ରେନ୍‌ଗୋଲଡ ମଧ୍ୟ ମୁରୁକି ମୁରୁକି ହସିଲେ । ଉଜ୍ୱଳ ହୋଇଗଲା ତାଙ୍କର ମୁଖମଣ୍ଡଳ । କଣ ଉତ୍ତର ଦେବି ଠିକ୍‌ କରି ପାରିଲି ନାହିଁ । କହିବାକୁ ଚାହିଁଲି, ‘ପେନିଲୋପ ଉଇଲିସିସକୁ ଭଲ ପାଏନା, ଏହା ମିଥ୍ୟା ।’ ଚିତ୍ର ନିର୍ଦ୍ଦେଶକ ମି: ରେନ୍‌ଗୋଲ୍‌ଡଙ୍କ କଥା ମନେ ପଡ଼ିଲା—‘ଯେ ତାର ସ୍ତ୍ରୀକୁ ଭଲ ପାଏ ମାତ୍ର ବିନିମୟରେ ସ୍ତ୍ରୀର ପ୍ରେମ ସେ ପାଏନା ।’ ଏମିଲିୟା ସହିତ ମୋର ସଂପର୍କର କଥା ବି ମନେ ପଡ଼ିଲା । ମନରେ ପ୍ରଶ୍ନ ଉଠିଲା, ଏମିଲିୟା ମୋତେ ଭଲ ପାଏନାହିଁ କାହିଁକି ?

 

ମାନସ ଚକ୍ଷୁରେ ଦେଖିଲି—

 

ମୁଁ ପଢ଼ାଘରେ ବସି ଗୋଟାଏ ଚିତ୍ରନାଟ୍ୟ ଲେଖୁଛି....ବିଗତ କେତେଦିନ ଧରି କାମଟା ଚାଲିଛି । କାମଟା ପ୍ରାୟ ଶେଷ ହୋଇ ଆସୁଛି । କାର୍ଯ୍ୟବ୍ୟସ୍ତତା ଭିତରେ ମୁଁ ମୋର ଟାଇପିଷ୍ଟ ବାଳିକାଟିକୁ ଥରେ ସୁଦ୍ଧା ଚାହିଁ ଦେଖିବାର ଅବସର ପାଇନାହିଁ । ....ସେ କଣ ଗୋଟାଏ ଲାଇନ ଟାଇପ କରୁଥିଲା, ତାର ପଛପଟରୁ କାନ୍ଧ ଉପରେ ଝୁଙ୍କିପଡ଼ି ଦେଖିଲି—ଗୋଟାଏ ଭୁଲ ହୋଇଛି । .....ଟାଇପ ମେସିନର ଚାବିଟା ଟିପିନେଇ ଭୁଲଟା ସଂଶୋଧନ କରିବାକୁ ଚାହିଁଲା । ହଠାତ୍‌ ହାତରେ ଲାଗିଗଲା ମୋର ହାତର ସ୍ପର୍ଶ । ସେ ହାତଟି ଖସେଇ ନେଲା । ମୁଁ ଗୋଟିଏ ନୂତନ ଶବ୍ଦ ଟାଇପ କଲି । ଏଇଥର ଜାଣି ଶୁଣି ତାର ଆଙ୍ଗୁଳି ସ୍ପର୍ଶକଲି, ଚାହିଁଲି ତାର ମୁହଁକୁ । ଦେଖିଲି ସେ ଏକ ଦୃଷ୍ଟିରେ ମୋତେ ଚାହିଁ ରହିଛି । ଯେମିତି ନୀରବ ଆହ୍ୱାନ ଜଣାଉଛି । ଚାରି ଆଖିର ମିଳନ ହେବା ମାତ୍ରକେ କହିଲା, କ୍ଷମା କରିବେ, ଭୁଲଟା ଆଖିରେ ପଡ଼ିନାହିଁ । ଶୁଷ୍କ, ସ୍ପଷ୍ଟ ତାର ସ୍ୱର । ତା ମୁହଁକୁ ପୁନରାୟ ଚାହିଁଲି । ଭାବିଲି ମୁଁ କଣ କୌଣସି ଆବେଗ ପ୍ରକାଶ କରିଛି ? ସେଦିନଠାରୁ କେତୋଟି ଦିନ ଦୁହେଁ ଦୁହିଙ୍କୁ ଚାହିଁ ଚାହିଁ ସମୟ କଟେଇଲୁ । ପରିଶେଷରେ ସେ ଯାହା ଚାହିଁଥିଲା–ତାହାହିଁ ହେଲା । .....ସେ ଦିନ ବି ଗୋଟାଏ ଭୁଲ ସଂଶୋଧନ କରିଥିଲି । ଦୁହିଁଙ୍କର ଦୃଷ୍ଟି ବିନିମୟ ହେଲା—ବ୍ୟାକୁଳ ଭାବରେ ତାର ରକ୍ତିମ ଓଠରେ ଗୋଟାଏ ଚୁମ୍ବନଦେଲି-। ତାର କୋମଳ ଶରୀରକୁ ମୋର ବଳିଷ୍ଠ ପାଶରେ ଆବଦ୍ଧ କରି ରଖିଲି ଅନେକ ସମୟ । ସେ ଯେମିତ ଭାବିଲା....ମୋତେ ସେ ଆୟତ୍ତରେ ପାଇଛି । ପୁନରାୟ ମୁହଁ ତଳକୁ ପୋତି ଟାଇପ କରିବାକୁ ଲାଗିଲା । ମୁଁ ବିବ୍ରତ ହୋଇ ପଡ଼ିଲି । ତରୁଣୀଟି ଲୋଭନୀୟ ନିଶ୍ଚୟ । ନ ହେଲେ ତାକୁ ଚୁମ୍ବନ କଲି କାହିଁକି ? ତାଛଡ଼ା ଜାଣେ ଯେ ମୁଁ ତାକୁ ଭଲ ପାଏନା, ମୋ ପାଖରୁ ସେ ଜୋରକରି ଚୁମ୍ବନ ଆଦାୟ କରିଛି, ଖର୍ବ କରି ଦେଇଛି ମୋର ପୌରୁଷର ଅଭିମାନ । ଦେଖିଲି ସେ ନିର୍ବିକାର ଭାବରେ ଟାଇପ କରି ଯାଉଛି । ସେ ଅପୂର୍ବ ସୁନ୍ଦର ଦେଖା ଯାଉଥିଲା । ଜାଣିଶୁଣି ତରୁଣୀଟି ପୁନରାୟ ଗୋଟାଏ ଭୁଲ କରି ପକେଇଲା । ପୁନରାୟ ଭୁଲଟି ସଂଶୋଧନ କରିବା ଉଦ୍ଦେଶ୍ୟରେ ଝୁଙ୍କି ପଡ଼ିଲି । କିନ୍ତୁ ମୋର ଅସ୍ଥିରତା ତାର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ମୁହଁଟି ମୁହଁ ପାଖକୁ ନେବାମାତ୍ରକେ ସେ ମୋତେ ଆଲିଙ୍ଗନ କରି ପକେଇଲା, ଓଠରେ ଓଠ ଚାପିରଖି ଦୁହେଁ ଦୁହିଁଙ୍କି ନିବିଡ଼ ଭାବରେ ଆଲିଙ୍ଗନ କରି ରହିଲୁ । ଠିକ୍‌ ସେହି ମୁହୁର୍ତ୍ତରେ ଦରଜା ଖୋଲିଗଲା, ଏମିଲିୟା ପଶି ଆସିଲା ଘର ଭିତରକୁ, ତାପରେ ତତ୍‌କ୍ଷଣାତ୍‌ ଦରଜା ବନ୍ଦ କରି ଦେଇ ବାହାରି ଗଲା-

 

ତରୁଣୀଟିକୁ କହିଲି ଆଉ କାମ ଏତିକିରେ ଥାଉ, ଏଥର ଘରକୁ ଯାଅ । ...ଶଙ୍କିତ ଚିତ୍ତରେ ଶୋଇବା ଘରେ ପ୍ରବେଶ କଲି । ଛି......ଛି କଣ ଭାବିଥିବ ଏମିଲିୟା ? ହୁଏତ ତରୁଣୀଟି ଉପରେ ତାର ଈର୍ଷା ଜାଗିଥିବ । କିନ୍ତୁ ମୋତେ ଦେଖି ଏମିଲିୟା କହିଲା, ଓଠର ନାଲି ରଙ୍ଗଟା ଅନ୍ତତଃ ପୋଛି ପକାଅ । ରୁମାଲରେ ଓଠ ପୋଛି ନେଇ ତାରି ପାଖରେ ବସିଲି । ପ୍ରମାଣ କରିବାକୁ ଚାହିଁଲି ମୁଁ ନିର୍ଦ୍ଦୋଷ । ସନ୍ଦେହ ଓ ଅବିଶ୍ୱାସର ଦୃଷ୍ଟିରେ ମୋତେ ଚାହିଁଲା ଏମିଲିୟା । କହିଲା, ସତରେ ଯଦି ଏହି ଟାଇପିଷ୍ଟ ଗାର୍ଲର ପ୍ରେମରେ ପଡ଼ିଥାଅ ମୋତେ କ

ହିଲେ କୌଣସି କ୍ଷତି ନାହିଁ—ବିବାହ—ବିଚ୍ଛେଦର ପ୍ରସ୍ତାବ ମୁଁ ଆନନ୍ଦରେ ଗ୍ରହଣ କରିନେବି ।

 

କରୁଣ, ବିଷାଦ ଭରା ତାର କଣ୍ଠସ୍ୱର । ସେ ଯେମିତି ମୋ ପାଖରୁ କୈଫିୟତ ଚାହେଁ ! କେତେ ରକମରେ ତାକୁ ବୁଝେଇଲି—କହିଲି ମୋର ଅନ୍ୟାୟ ହୋଇଛି....ମୋତେ କ୍ଷମା କର—ସାମୟିକ ଉତ୍ତେଜନା ଓ ଦୁର୍ବଳତା ପାଇଁ ଭୁଲ ବୁଝନାହିଁ ।.....

 

ସେ କୌଣସି କଥା ଶୁଣିବାକୁ ଚାହିଁଲା ନାହିଁ । ପରିଶେଷରେ ମୋତେ କ୍ଷମା କରିବାକୁ ରାଜି ହେଲା ।

 

ଏମିଲିୟା ମୋତେ ତ୍ୟାଗକରି ଚାଲିଯିବ—ଏହା କଳ୍ପନାତୀତ ! ସେହି ଦିନହିଁ ତରୁଣୀଟିକୁ ଏମିଲିୟା ଆଗରେ ଟେଲିଫୋନ କରି ଜଣେଇ ଦେଲି—ତାର ଚାକିରିର ଆଉ ପ୍ରୟୋଜନ ନାହିଁ । ବାହାରେ କେଉଁଠି ମୋ ସହିତ ଦେଖା କରିବାକୁ ତରୁଣୀଟି ଚାହିଁଲା, କିନ୍ତୁ ତାକୁ ଏଡ଼େଇ ଗଲି । ତା ସହିତ ଆଉ କେବେହେଲେ ଦେଖା କରିନାହିଁ ।

 

ଗାଁରେ ବିଜୁଳି ଭଳି ଏହି ଦୃଶ୍ୟଟି ମୋର ସ୍ମୃତିପଟରେ ଭାସି ଉଠିଲା, ଟାଇପିଷ୍ଟ ଗାର୍ଲକୁ ଚୁମ୍ଭନ କରୁଛି, ଠିକ୍‌ ସେହି ମୁହୁର୍ତ୍ତରେ ଦରଜା ଖୋଲୁଛି ଏମିଲିୟା.....

 

ଆଗେ ଏକଥା କାହିଁକି ଭାବି ନାହିଁ ?

 

ଏମିଲିୟା ସେତେବେଳେ ଏମିତି ଭାବି ଦେଖେଇଛି, ଘଟଣାଟି ଯେପରି କିଛି ନୁହେଁ କିନ୍ତୁ ତାର ଅଜ୍ଞାତସାରରେ ଚଞ୍ଚଳ ହୋଇ ପଡ଼ିଥିଲା ତାର ଅନ୍ତର । ସେ ନୀରବରେ ମାନି ନେଇଥିଲା ଏହା ମୋର ସାମୟିକ ଦୁର୍ବଳତା ଛଡ଼ା ଆଉ କିଛି ନୁହେଁ କିନ୍ତୁ ଏ ଘଟଣାରେ ସେ ବ୍ୟଥା ଅନୁଭବ କରିଥିଲା ।

 

ସ୍ୱପ୍ନରାଜ୍ୟରେ ମୁଁ ବିଚରଣ କରୁଥିଲି । ମୋର ଚାରିପାଖରେ ଘେରି ରହିଥିଲା ଘନ କୁୟାଶାର ମାୟା ଜାଲ ।

 

ହଠାତ୍‌ ମି: ରାନ୍‌ଗୋଲଡଙ୍କ କଣ୍ଠସ୍ୱର ଶୁଣିଲି ! ଶୁଣୁଛନ୍ତି ମି: ମିଲଟେନି !

 

ସ୍ୱପ୍ନର ମୋହ ତୁଟିଗଲା । ମୁଁ ସଜାଗ ହୋଇ ପଡ଼ିଲି ।

 

ମୋ ଆଗରେ ଦେଖିବାକୁ ପାଇଲି ମି: ବାତ୍ତିସତାଙ୍କ ହସ ହସ ମୁହଁ ଖଣ୍ଡକ । କହିଲି, କ୍ଷମା କରନ୍ତୁ । ଭାବିଥିଲି—ରେନ୍‌ଗୋଲ୍‌ଡଙ୍କ ସେହି କଥାଟି—ଯେ ତାର ପତ୍ନୀକୁ ଭଲ ପାଏ ମାତ୍ର ବିନିମୟରେ ସ୍ତ୍ରୀ ପ୍ରେମ ପାଏନା, କିନ୍ତୁ...କିନ୍ତୁ.....

 

ଆଉ କ’ଣ କହିବି, ମୋଟେ ଭାବି ପାରିଲି ନାହିଁ । ତଥାପି, ମୋର ନିଜର ମତ ପ୍ରକାଶ କଲି ! କିନ୍ତୁ କାବ୍ୟର ଇଉଲିସିସ୍‌କୁ ତାର ପତ୍ନୀ ପେନିଲୋପ ଭଲପାଏ....ଗୋଟାଏ ହିସାବରେ । ଇଉଲିସିସ ପ୍ରତି ପେନିଲୋପର ପ୍ରେମ ହିଁ ହେଲା ସମଗ୍ର ଓଡ଼ିସିର ମୂଳଭିତ୍ତି ।...

 

ସ୍ମିତ ହସି ମୋର ଏହି ଉକ୍ତିକୁ ଖଣ୍ଡନ କଲେ ମି: ରେନ୍‌ଗୋଲ୍‌ଡ ! ପ୍ରେମ ନୁହେଁ ମି: ମଲଟେନି, ଆନୁଗତ୍ୟ......ପେନିଲୋପ ଇଉଲିସିସର ଇନୂଗତା....କିନ୍ତୁ ଆମେ ଜାଣୁନା ସେ କେତେ ପରିମାଣରେ ତାକୁ ଭଲ ପାଉଥିଲା—ଆପଣତ ଜାଣନ୍ତି ପ୍ରେମ ନ ଥିଲେ ବି ଆନୁଗତ୍ୟ ଥିବା ଅସମ୍ଭବ ନୁହେଁ.....କୌଣସି କୌଣସି ସ୍ଥଳରେ ଆନୁଗତ୍ୟ ମଧ୍ୟ ଗୋଟାଏ ରକମର ପ୍ରତିହିଂସା–ଜୋର କରି ପ୍ରେମ ଆଦାୟ କରିବା ହେଲା ତାର ଅନ୍ୟ ନାମ । ଆନୁଗତ୍ୟ ଆଉ ପ୍ରେମ ଏକ ନୁହେଁ......ସତରେ ତ ! ପୁନରାୟ ମନେ ପଡ଼ିଲା ଏମିଲିୟାର କଥା । ଆନୁଗତ୍ୟ ଓ ଔଦାସିନ୍ୟର ସ୍ଥାନରେ ଯଦି ହୁଅନ୍ତା ବିଶ୍ୱାସ ଘାତକତା—ତାହାହେଲେ ବି ଦୁଃଖ ନ ଥାନ୍ତା । ଯଦି ଅବିଶ୍ୱାସିନୀ ଏମିଲିୟାର ଆଗକୁ ଯାଇ ଠିଆ ହୋଇ ପାରନ୍ତି ! କିନ୍ତୁ ତାର ପରିବର୍ତ୍ତେ ମୁଁ ତା ନିକଟରେ ବିଶ୍ୱାସଘାତକା ହୋଇ ପଡ଼ିଛି ।

 

ମନ କେଉଁ ଏକ ଅଜଣା ରାଇଜରେ ଘୁରି ବୁଲୁଥିଲା ମି: ବାତ୍ତିସତାଙ୍କ କଣ୍ଠସ୍ୱରରେ ଚଞ୍ଚଳ ହୋଇ ପଡ଼ିଲି, ତା ହେଲେ ଆପଣ ରେନ୍‌ଗୋଲ୍‌ଡଙ୍କ ସହିତ କାମ କରିବାକୁ ରାଜି ଅଛନ୍ତି ମି: ମଲଟେନି ?

 

ହଁ......ହଁ......ରାଜି ।

 

ଉଲ୍ଲାସ ଓ ତୃପ୍ତିରେ କହିଲେ ମି: ବାତ୍ତିସତା, ବେଶ.......ବେଶ—ସେୟା ମୁଁ ଚାହେଁ । ତେବେ ସେ ଅନୁସାରେ ମୁଁ ସମସ୍ତ ବ୍ୟବସ୍ଥା କରି ନେଉଛି । ରେନ୍‌ଗୋଲ୍‌ଡ଼ କାଲି ସକାଳେ ପାରିସ ଯାତ୍ରା କରୁଛନ୍ତି, ସେଇଠି ସେ ଗୋଟାଏ ସପ୍ତାହ ରହିବେ...ଆଉ ଆପଣ ଏହାରି ଭିତରେ ଓଡ଼ିସିର ଗୋଟାଏ ସଂକ୍ଷିପ୍ତସାର ତିଆରି କରି ପକାନ୍ତୁ.......ରେନ୍‌ଗୋଲ୍‌ଡ ଫେରି ଆସିବା ମାତ୍ରକେ ଆମ୍ଭେମାନେ କ୍ୟାପ୍ରିକୁ ଚାଲିଯିବା...ବିଳମ୍ବ ନ କରି କାମ ଆରମ୍ଭ କରି ପକେଇବା ।....

 

ମି: ରେନ୍‌ଗୋଲ୍‌ଡ ଉଠି ଠିଆ ହେଲେ । ମୁଁ ମଧ୍ୟ ଯନ୍ତ୍ରଚାଳିତ ଭଳି ଆସନ ତ୍ୟାଗ କଲି-। ଯିବା ସମୟରେ ଅସ୍ପଷ୍ଟ କଣ୍ଠରେ କହିଲି, ମୋର ଚିକ୍ତି ପତ୍ରଟା—

 

ଅପ୍ରତ୍ୟାଶିତ ଭଙ୍ଗିରେ ନିର୍ଲିପ୍ତ କଣ୍ଠରେ କହିଲେ, ମି: ବାତ୍ତିସତା, ଚୁକ୍ତିପତ୍ର ତ ତିଆରି ହୋଇ ରହିଛି—ତାଛଡ଼ା ସଙ୍ଗେ ସଙ୍ଗେ ଆପଣଙ୍କର ପାରିଶ୍ରମିକଟା ବି ଦେବାର ବନ୍ଦୋବସ୍ତ କରାଯାଇଛି—କେବଳ ଥରେ ମାତ୍ର ସେକ୍ରେଟାରୀଙ୍କ ପାଖକୁ ଯାଇ ଦସ୍ତଖତ କରି ଆପଣଙ୍କୁ ଟଙ୍କାଟା ନେବାପାଇଁ ପଡ଼ିବ ।

 

ବିସ୍ମୟରେ ସ୍ତବ୍‌ଧ ହୋଇ ପଡ଼ିଲି । ମୋ ସହିତ ଥରେ ହେଲେ ଆଲୋଚନା ନ କରି ମି: ବାତ୍ତିସତା ଟଙ୍କାଟା ଦେଇ ପକେଇଛନ୍ତି । ତେଣୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କଲି । ତାପରେ ସେକ୍ରେଟେରୀଙ୍କର ଅଫିସକୁ ଯାଇ ଚୁକ୍ତିନାମାଟା ଦସ୍ତଖତ କରି ଚେକ୍‌ଟା ନେଇ ଆସିଲି ।

 

ମି: ବାତ୍ତିସତା ରେନ୍‌ଗୋଲ୍‌ଡଙ୍କର କରମର୍ଦ୍ଦନ କଲେ, ତାପରେ ମୋର କାନ୍ଧରେ ମୃଦୁ ଆଘାତ କରି ଏହି ନୂତନ କାମଟିର ସଫଳତା ପାଇଁ ତାଙ୍କର ଶୁଭେଚ୍ଛା ଜ୍ଞାପନ କଲେ । ବାତ୍ତିସତା ନିଜ ଅଫିସରେ ପ୍ରବେଶ କଲେ । ହାତଟି ବଢ଼େଇ ମି: ରେନ୍‌ଗୋଲ୍‌ଡ କହିଲେ, ପାରିସରୁ ଫେରିଲେ ପୁନରାୟ ଦେଖା ହେବ । ଆପଣ ସଂକ୍ଷିପ୍ତସାରଟା ତିଆରି କରି ରଖିଥବେ—ଯେମିତି ମି: ବାତ୍ତିସତା ସହିତ ସେ ସମ୍ବନ୍ଧରେ ଆଲୋଚନା କରା ଯାଇପାରେ ।

 

ମୁଁ ସ୍ଵୀକୃତି ଜଣାଇଲି ।

 

ଅବାକ୍‌ ହୋଇ ତାଙ୍କୁ ଚାହିଁ ରହିଲି । ସେ ଯେମିତି ମୋର ଅପାଦମସ୍ତକ ନିରୀକ୍ଷଣ କରି ନେଲେ, ଲକ୍ଷ୍ୟ କଲେ ମୋର ଦୃଷ୍ଟି । ତାପରେ ମୋତେ ଜଡ଼େଇ ଧରି କାନ ପାଖରେ ମୁହଁ ରଖି କହିଲେ, କିଛି ଚିନ୍ତା କରିବେ ନାହିଁ ମହାଶୟ...ବାତ୍ତିସତା ଯାହା କହୁଛନ୍ତି କୁହନ୍ତୁ...ଆମେ ମନସ୍ତତ୍ତ୍ୱମୂଳକ ଚିତ୍ର ହିଁ ତିଆରି କରିବା...ପୁରାପୁରି ମନସ୍ତତ୍ତ୍ୱମୂଳକ...

 

ମୋ ସହିତ କରମର୍ଦ୍ଦନ କରି ସେ ଆଗେଇ ଚାଲିଲେ । ମୁଁ ମଧ୍ୟ ଆଗକୁ ପାଦ ବଢ଼େଇଲି । ସେକ୍ରେଟେରୀଙ୍କ ଗଲା ଶୁଣିବାକୁ ପାଇଲି, ଦୟାକରି ଏଇଠି ଆଉ ଗୋଟାଏ ଦସ୍ତଖତ କରିଦେଇ ଯାଆନ୍ତୁ ମି: ମଲଟେନି ।

 

ପ୍ରାୟ ସନ୍ଧ୍ୟା ସାତଟା ବେଳକୁ ଘରକୁ ଫେରି ଡାକିଲି, ଏମିଲିୟା ।

 

କୌଣସି ଉତ୍ତର ପାଇଲି ନାହିଁ । ବୁଝି ପାରିଲି ସେ ବାହାରକୁ ଯାଇଛି, ଦୁଇଘଣ୍ଟା ପୂର୍ବରୁ ଫେରିବ ନାହିଁ । ଗଭୀର ହତାଶାରେ ବିଷାକ୍ତ ହୋଇ ଉଠିଲା ମନ । ଭାବିଥିଲି ସେହି ଟାଇପିଷ୍ଟ ଗାର୍ଲ ସମ୍ବନ୍ଧରେ ଆଜି ତାକୁ କହିବି । ସନ୍ଦେହ ନାହିଁ ଯେ—ସେହି ଚୁମ୍ବନ ହିଁ ଅସନ୍ତୋଷର ମୂଳ କାରଣ । କେତୋଟି କଥା କହି ଏମିଲିୟାର ମନରୁ ଅପସାରଣ କରି ପକେଇବ ସନ୍ଦେହର ମେଘ—ତାପରେ ତାକୁ ଦେବି ଏହି ସୁସମ୍ବାଦ । କହିବି ‘ଓଡ଼ିସି’ ଚିତ୍ର ନାଟ୍ୟର କଥା—ଅଗ୍ରୀମ ଟଙ୍କା ପାଇବାର କଥା, କ୍ୟାପ୍ରିକୁ ଯିବାର କଥା ।

 

ଏହିକ୍ଷଣି ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ । ତଥାପି ଅମଙ୍ଗଳର ଆଶଙ୍କା କଲି । ଦୁଇଘଣ୍ଟା ପରେ ହୁଏତ ମୋର ଏ ମନୋବଳ ନ ଥିବ । ଚାବିଟା ଖୋଜି ପାଇଛି—ଅର୍ଥାତ ଏମିଲିୟା ମୋତେ ଆଉ ଭଲ ପାଏନାହିଁ ! ତଥାପି ସଂଶୟ । ଚଞ୍ଚଳ ଓ ବିରକ୍ତ ହୋଇ ପଡ଼ିଲି ।

 

ଉଦ୍ଦେଶ୍ୟହୀନ ଭାବରେ ଘରଭିତରକୁ ପଶି ସେଲ୍‌ଫରୁ ଓଡ଼ିସିର ଅନୁବାଦଟି ଖୋଜି ବାହାର କରିନେଲି । ତାପରେ ଟାଇପ ରାଇଟରରେ କାଗଜ ଲଗେଇ, ଗୋଟାଏ ସିଗାରେଟରେ ଅଗ୍ନି ସଂଯୋଗ କରି ସଂକ୍ଷିପ୍ତସାର ତିଆରି କରିବାକୁ ବସିଗଲି । ଏଇଥିରେ ହୁଏତ ମୋର ଉତ୍କଣ୍ଠା କମି ଯାଇ ପାରେ । ପ୍ରଥମ ସର୍ଗଟି ଥରେ ପଢ଼ି ନେଲି । କାଗଜ ଉପରେ ଶିରୋନାମା ଲେଖିଲି, ଓଡ଼ିସିର ସଂକ୍ଷିପ୍ତ ସାର । ତଳେ ଲେଖିଲି—

 

ଟ୍ରୟେର ଯୁଦ୍ଧ ଶେଷ ହୋଇଛି—ଯୁଦ୍ଧରେ ଯୋଗଦାନ କରିଥିବା ବୀରଗଣ ଘରକୁ ଫେରି ଯାଇଛନ୍ତି—ସମସ୍ତେ ଫେରି ଯାଇଛନ୍ତି—କିନ୍ତୁ ଫେରି ନାହାନ୍ତି କେବଳ ଜଣେ........ସେ ରହିଛନ୍ତି ଦୂରେ—ଆତ୍ମୀୟ ପରିଜନ ମାନଙ୍କଠାରୁ ବହୁଦୂରେ...

 

ଭାବିବାକୁ ଲାଗିଲି—ଦେବତାମାନଙ୍କର ମନ୍ତ୍ରଣା ସଭାର କଥା ଉଲ୍ଲେଖ କରିବି କି ନାହିଁ-। ମିଃ ବାତ୍ତିସତାଙ୍କର କଥା ମନେ ପଡ଼ିଲା । ସେ ହୁଏତ ଚିତ୍ରରେ ଦେବତା ମାନଙ୍କର ଅବତାରଣା ପସନ୍ଦ କରିବେ ନାହିଁ । ତା ଛଡ଼ା ରେନ୍‌ଗୋଲ୍‌ଡ ଇଂଗିତରେ ଜଣାଇ ଦେଇଛନ୍ତି—ଚିତ୍ରଟି ହେବ ମନସ୍ତତ୍ତ୍ୱ ମୂଳକ । ମନସ୍ତତ୍ତ୍ୱ ଭିତରେ ଦେବତା ବା ନିୟତିର ସ୍ଥାନ ନାହିଁ । ଶ୍ରାନ୍ତ ହୋଇ ଉଠିଲି–ବିକ୍ଷିପ୍ତ ହୋଇ ପଡ଼ିଲା ଚିନ୍ତାଧାରା । ଟାଇପ କରିବାକୁ ଚାହିଁଲି ମାତ୍ର ଟିକିଏ ହେଲେ ଚଞ୍ଚଳ ହେଲା ନାହିଁ ହାତ । ବସି ରହି କେବଳ ଭାବିବାକୁ ଲାଗିଲି । ନାନା ଚିନ୍ତା ମନ ଭିତରେ ଜମିଗଲା-। ଅବସନ୍ନ ମନ ଯେପରି ଉନ୍ନତ ହୋଇ ପଡ଼ିଛି, କୌଣସି ପ୍ରକାରେ ଆୟତ୍ତକୁ ଆସୁନାହିଁ-। ଗୋଟାଏ ମଦମତ୍ତ ହସ୍ତୀ ଯେପରି ମାହନ୍ତର ଆଙ୍କୁଶକୁ ଭ୍ରୂକ୍ଷେପ ନ କରି ମାଡ଼ି ଚାଲିଛି-। ସରୋବରର ସ୍ଥିର ବୁକୁରେ ଯେମିତି ଅସଂଖ୍ୟ ବୁଦ୍‌ବୁଦ୍‌ର ସୃଷ୍ଟି ହୁଏ, ଠିକ୍‌ ସେହିଭଳି ମୋର ମନରେ ଜାଗି ଉଠିଲା ଏକ ନିଶ୍ଚିନ୍ତ ଧାରଣା । ଚିତ୍ରରେ ରୂପାୟିତ କରିବାକୁ ପଡ଼ିଲେ, ‘ଓଡ଼ିସି’କୁ ନିର୍ମମ ଭାବରେ ହତ୍ୟା କରିବାକୁ ହେବ । ଚିତ୍ରନାଟ୍ୟ ଶେଷ ହେବା ମାତ୍ରକେ ବହିଟିକୁ ଅନ୍ୟାନ୍ୟ ପୁସ୍ତକ ସହିତ ରଖିଦେବା ପାଇଁ ହେବ ।

 

ନିଜର ଏହି ବୃଦ୍ଧି ଉପରେ ବିତୃଷ୍ଣା ଆସିଗଲା । ଆସିବ ନାହିଁ । ମୁଁ ଜାଣେ ଯେ ଏମିଲିୟା ମୋତେ ଭଲ ପାଏନା । ଏତେଦିନ କେବଳ ମାତ୍ର ଖୁସି କରିବା ପାଇଁ କାମ କରି ଆସିଛି-। ମୋ ଉପରେ ଆଉ ତାର ଟିକିଏ ହେଲେ ପ୍ରେମ ନାହିଁ । ବର୍ତ୍ତମାନ କାମ କରିବାରେ ଆଉ ଲାଭ କଣ ?

କେତେ ସମୟ ଏମିତି ଭାବରେ ବାହାରକୁ ଚାହିଁ ବସିଥିଲି ଜାଣେ ନାହିଁ । ଫ୍ଲାଟ୍‌ର ଆଗ ଦରଜା ଖୋଲା ହେବାର ଶବ୍ଦ ଓ ତା ସହିତ ପଦଧ୍ୱନି ଶୁଣି ବୁଝି ପାରିଲି—ଏମିଲିୟା ଆସିଛି । ନିଶ୍ଚଳ ଭାବରେ ବସି ରହିଲି । ଏମିଲିୟା କହିଲା, ତୁମେ ଏଇଠି ! ବସି ବସି କଣ କରୁଛ ? କାମ କରୁଛ ବୋଧହୁଏ ? ପଛକୁ ଫେରି ଚାହିଁଲି ହାତରେ ଗୋଟାଏ ପୁଟୁଳି ଧରି ଏମିଲିୟା ଠିଆ ହୋଇଛି । ସହଜ ଭାବରେ କହିଲି, ନା କାମ କରୁନାହିଁ.....ଭାବୁଛି ମି: ବାତ୍ତିସତାଙ୍କର ନୂତନ ଚିତ୍ରଟି ସଂପାଦନା ଭାର ନେବି କି ନାହିଁ ।

ଦରଜାଟି ବନ୍ଦ କରିଦେଇ ଏମିଲିୟା ମୋ ପାଖକୁ ଚାଲି ଆସିଲା । କହିଲା, ବାତ୍ତିସତାଙ୍କ ସହିତ ଦେଖା କରିଛ ?

ହଁ ।

ଚୁକ୍ତିନାମା ହୋଇଛି ? ବେଶି ଟଙ୍କା ଦେବାକୁ ବୋଧହୁଏ ଚାହାନ୍ତି ନାହିଁ ?

ନା—ଅନେକ ଟଙ୍କା ଦେବେ—ଚୁକ୍ତିନାମା ହୋଇ ଯାଇଛି ।

ତେବେ—ବିଷୟବସ୍ତୁଟି କଣ ତମର ମନ ମୁତାବକ ନୁହେଁ ?

ନା—ବିଷୟବସ୍ତୁ ବେଶ୍‌ ଚମତ୍କାର ।

କାହାଣୀଟି... ?

ଓଡ଼ିସି.... ।

ଓଃ........ସେହି ଓଡ଼ିସି, ଯେଉଁ କାହାଣୀଟା ସ୍କୁଲରେ ପଢ଼ା ହୁଏ । ଚମତ୍କାର ଗଳ୍ପ—ତେବେ ତୁମେ କାମ କରିବାକୁ ରାଜି ନୁହଁ କାହିଁକି ?

ଇଚ୍ଛା ହେଉନାହିଁ... ।

କିନ୍ତୁ ଆଜି ସକାଳ ପର୍ଯ୍ୟନ୍ତ ତୁମର ଇଚ୍ଛା ଥିଲା ।

ଏହି ସମୟଟା ତା ସହିତ ରଫା କରି ନେବାର ଗୋଟାଏ ସୁବର୍ଣ୍ଣ ସୁଯୋଗ ! ଚୌକୀ ଉପରୁ ଉଠି ତାର ହାତଟା ଧଇଲି । କହିଲି, ଆର ଘରକୁ ଚାଲ.....ତୁମ ସହିତ ଜରୁରୀ କଥା ଅଛି । ଏମିଲିୟା ଡରିଗଲା—ମୋର କଥାରେ ନୁହେଁ, ବ୍ୟବହାରରେ । କହିଲା, ତୁମର କଣ ହେଇଛି ? ପୁଣି ଏକି ପାଗଳାମୀ ?କୁହନା ତମର କଣ ହେଇଛି ?

ମୁଁ ପାଗଳ ହୋଇନାହିଁ—ଆର ଘରକୁ ଚାଲ କହୁଛି ।

ତାକୁ ଜୋରରେ ଟାଣି ନେଇ ଆସି ଗୋଟାଏ ଚୌକି ଉପରେ ଫିଙ୍ଗି ଦେଲି । କହିଲି—ବସ । ନିଜେ ତାର ମୁହାଁମୁହିଁ ଗୋଟାଏ ଚୌକୀରେ ବସି କହିଲି, ଏଇଥର ଶୁଣ ।

 

ମୋ ଆଡ଼କୁ ଅସହିଷ୍ଣୁ ଭାବରେ ଚାହିଁ ଏମିଲିୟା କହିଲା, କୁହ...ତାର ଭୟର ଭାବଟା ସେଯାଏ ଯାଇ ନ ଥାଏ ।

 

ମନେପଡ଼ୁଛି କାଲି ତୁମକୁ କହିଥିଲି—ତୁମେ ମୋତେ ଭଲପାଅ କି ନାହିଁ ଠିକ୍‌ ଜାଣି ନାହିଁ ବୋଲି ଚିତ୍ରନାଟ୍ୟ ସଂପାଦନା କରିବାର ଭାର ନେବାର ଇଚ୍ଛା ନାହିଁ....ତୁମେ କହିଥିଲ....ମୋତେ ଭଲ ପାଅ.....କାମଟି ନେବା ଉଚିତ...ନୁହେଁ ?

 

ହଁ...... ।

 

କିନ୍ତୁ ମୁଁ ଭାବିଥିଲି.....ମୋର ଧାରଣା........ତୁମେ ମିଥ୍ୟା କହିଛ, ମୋ ପ୍ରତି ସମବେଦନାରେ, କରୁଣାରେ କିମ୍ବା ନିଜର ସ୍ୱାର୍ଥରେ ।

 

ବାଧା ଦେଇ କର୍କଶ କଣ୍ଠରେ କହିଲା ସ୍ଵାର୍ଥ.......କି ପ୍ରକାର ସ୍ୱାର୍ଥ ?

 

ତୁମର ପ୍ରିୟ ଏହି ଫ୍ଲାଟରେ ବାସ କରିବାପାଇଁ.....

 

ଆଶ୍ଚର୍ଯ୍ୟ ପ୍ରତିକ୍ରିୟା ଦେଖାଦେଲା—ସହଜ ଘରେ ବସି ପାଟି କରି କହିଲା ଏମିଲିୟା, କିଏ ତୁମକୁ କହିଛି ? ଏ ଫ୍ଲାଟ୍‌ଟି ଛାଡ଼ି ଯେ କୌଣସି ଯାଗାରେ ରହିବାକୁ ମୁଁ ରାଜି ଅଛି........ମୋତେ ତୁମେ ଜାଣନା.......ଫ୍ଲାଟ୍‌ଟି ମୋ ପାଖରେ ଅତି ତୁଚ୍ଛ ।

 

କେହି ଯଦି ଯଥେଷ୍ଟ କ୍ଷତି ସ୍ୱୀକାର କରି କୌଣସି ଉପହାର ସଂଗ୍ରହ କରେ ଆଉ ତାହା ଘୃଣାଭରେ ପ୍ରତ୍ୟାଖ୍ୟାତ ହୁଏ, ସେତେବେଳେ ଦାତାର । ମନରେ ଯେଉଁ କଷ୍ଟ ହୁଏ, ଠିକ୍‌ ସେହିଭଳି ତୀବ୍ର ବେଦନା ବୋଧକଲି । କେବଳ ଏହି ଫ୍ଲାଟଟି ପାଇଁ ମୁଁ କଣ କରିନାହିଁ ? ଆଦର୍ଶ ବିସର୍ଜ୍ଜନ ଦେଇଛି । ଉଚ୍ଚାକାଂକ୍ଷା କରି ଚିତ୍ର ସଂପାଦକ ବୃତ୍ତି ଗ୍ରହଣ କରିଛି । ଏହା ଯେ ମୋର ସ୍ୱପ୍ନାତୀତ ।

 

ଶୁଷ୍କ କଣ୍ଠରେ କହିଲି, ଫ୍ଲାଟ୍‌ଟି ତୁମ ପାଖରେ କିଛି ନୁହଁ ।

 

ନା....ନା....ନା....ବୁଝିଲ ?

 

କିନ୍ତୁ କାଲି କହିଥିଲ—ତୁମେ ଏଠି ରହିବାକୁ ଚାହଁ ।

 

କହିଥିଲି, ତୁମକୁ ଖୁସି କରିବାପାଇଁ....ଭାବିଥିଲି ଏ ବିଷୟରେ ତୁମର ନିଜର ମଧ୍ୟ ଆଗ୍ରହ ରହିଛି ।

 

ବିସ୍ମୟର ସୀମା ରହିଲା ନାହିଁ । ମୋର ଆଗ୍ରହ ? ସବୁ ପରିତ୍ୟାଗ କରିଛି ଏହି ଫ୍ଲାଟଟି ଯୋଗାଡ଼ କରିବା ପାଇଁ । ସେ କଣ କେବଳ ମୋର ଆଗ୍ରହରେ ? ନା, ଏମିଲିୟା ମୋ ସହିତ ପ୍ରତାରଣା କରୁଛି । ପ୍ରତିବାଦ କରିବା ପାଇଁ ହେଲା ନାହିଁ । ନିଜକୁ ସଂଯତ କରି ନେଇ ଶାନ୍ତ କଣ୍ଠରେ କହିଲି, ଆଚ୍ଛା ସେ କଥା ଥାଉ......ଫ୍ଲାଟ୍‌ର କଥା ମୁଁ କହିବାକୁ ଚାହିନି—କହିବାକୁ ଚାହୁଁଥିଲି ମୋ ପ୍ରତି ତୁମର ମନୋଭାବର କଥା । କାଲି କେଉଁ କାରଣରୁ କହିଛ......ମୋତେ ଭଲପାଅ.....ଏକଥା ସତ ନୁହେଁ........ତେଣୁ ଏ କାମରେ ଆଉ ଉତ୍ସାହ ନାହିଁ । କାମଟା କରି ଲାଭ ବା କଣ ?

 

କେଉଁଥିରୁ ବୁଝିଲ ଯେ ମୁଁ ମିଥ୍ୟା କହିଛି ?

 

କେଉଁଥିରୁ ନୁହେଁ ?...କାଲି ବି ସେ କଥା କହିଛି....ଆଜି ଆଉ କହିବାକୁ ଚାହେଁନା....ସବୁ କଥା ତ ଆଉ ଥରକୁ ଥର କହିବାକୁ ପଡ଼େନା....ଏମିତି ବୁଝାଯାଏ....ଏଁ ବୁଝେ ତୁମେ ଆଉ ମୋତେ ଭଲ ପାଅନା ।

 

ଝରକା ଦେଇ ସୁଦୂର ଆକାଶକୁ ଚାହିଁ କ୍ଳାନ୍ତ, ବେଦନାର୍ତ୍ତ କଣ୍ଠରେ ସେ କହିଲା, କାହିଁକି ତୁମେ ଏସବୁ ଜାଣିବାକୁ ଚାହଁ ? କାହିଁକି ? ...ଏ ବିଷୟ ନେଇ ଆଉ ମୁଣ୍ଡ ଘୁରାଅ ନାହିଁ ତହିଁରେ ଦୁହିଙ୍କର ମଙ୍ଗଳ ହେବ ।

 

ତା’ହେଲେ ସ୍ୱୀକାର କରୁଛ—ମୋର କଥା ସତ୍ୟ—

 

କିଛି ସ୍ୱୀକାର କରେ ନାହିଁ—କେବଳ ଟିକିଏ ଶାନ୍ତିରେ ରହିବାକୁ ଚାହେଁ—ଏଥର ମୁଁ ଯାଏ...ଏଯାଏ ପୋଷାକପତ୍ର ପରିବର୍ତ୍ତନ କରା ହୋଇନାହିଁ ।...

 

ଉଠି ଝରକା ଆଡ଼କୁ ଆଗେଇଗଲା ଏମିଲିୟା । ତାର ହାତଟି ଧରି ପକେଇଲି । ଏହା ଆଗରୁ ବି ଅନେକ ଥର ଏମିତି କରିଛି । ମୋ ପାଖରୁ ଚାଲିଯିବାପାଇଁ ଚାହିଁଲେ ତାର କବ୍‌ଜ ଧରି ପକାଏ । କିନ୍ତୁ ସେତେବେଳେ ତାକୁ ଧରୁଥିଲି ମୋର ଅତି ନିକଟରେ ପାଇବାର ଉନ୍ମାଦ କାମନାରେ । ସେ ତାହା ଜାଣୁଥିଲା, ବିନା ପ୍ରତିବାଦରେ ଆତ୍ମସମର୍ପଣ କରୁଥିଲା । କିନ୍ତୁ ଆଜି ମୋର ଉଦ୍ଦେଶ୍ୟ ସଂପୂର୍ଣ୍ଣ ଅଲଗା । ସେ ବାଧା ଦେଲା ନାହିଁ । ନୀରବରେ କେବଳ କ୍ରୋଧରେ ଚାହିଁ ରହିଲା । କହିଲା, କୁହ ତୁମେ କଣ ଚାହଁ ?

 

ସତ କଥାଟି ଜାଣିବାକୁ ଚାହେଁ ।

 

ମାନେ ଗୋଟାଏ ଗୋଳମାଳ କରିବାକୁ ଚାହଁ ।

 

ତେବେ—ସତ କଥା କହିଲେ ମୁଁ ଖୁସି ହୋଇ ପାରିବି ନାହିଁ....

 

ନା—ମୁଁ କିଛି କହିବି ନାହିଁ ।

 

ତମେ ଯେ କହିଲ ମୁଁ ଗୋଳମାଳ କରିବାକୁ ଚାହେଁ...

 

ଓ...ହଁ ମୋର କେତୋଟି କଥା କହିବାର ଥିଲା...ଯାଉ, ଏଥର ମୋତେ ଛାଡ଼ିଦିଅ ।

 

ସେ ତାର ହାତ ଛଡ଼େଇ ନେବାପାଇଁ ଚାହିଲା ନାହିଁ—ପାଦେ ହେଲେ ଘୁଞ୍ଚିଲା ନାହିଁ । ଏହି ଅବଜ୍ଞାପୂର୍ଣ୍ଣ ଆତ୍ମସମର୍ପଣ ଅପେକ୍ଷା ସେ ଯଦି ବିଦ୍ରୋହ କରିଥାନ୍ତା ତେବେ ଭଲ ଥିଲା । ଇଛାହେଲା ତାର ହାତ ଛାଡ଼ି ଦେଇ ଜୋରରେ ଚାପି ଧରନ୍ତି । ସେଇୟା ବି କଲି । ତାର ଦେହ ମିଶି ଯାଇଛି ଦେହ ସହିତ । ହଠାତ୍‌ ଉତ୍ତେଜନା ଅନୁଭବ କଲି । ପର ମୁହୂର୍ତ୍ତରେ ମନରେ ଜାଗି ଉଠିଲା ନିରାଶାର ସ୍ୱର ।

 

ପ୍ରଶ୍ନ କଲି, ମୋର ବିରୁଦ୍ଧରେ ତମର କଣ କିଛି କହିବାର ଅଛି ?

 

କିଛି ନାହିଁ....ଏଥର ଛାଡ଼ିଦିଅ, ସୁନାଟା ପରା ।

 

ତାକୁ ଆହୁରି ଜୋରରେ ଚାପିଧରି କହିଲି....ନା....ନା ତମକୁ ଯିବାକୁ ଦେବିନାହିଁ.....ଏହିକ୍ଷଣି ସତ କଥା କହିବାକୁ ପଡ଼ିବ,....ସତ କଥା ନ କହିବା ଯାଏ ଏ ଘରୁ ବାହାରି ପାରିବ ନାହିଁ ।

 

ମୋତେ ଚାହିଁ ରହିଲା ଏମିଲିୟା । ତାକୁ ମୁଁ ସିଧା ଚାହିଁ ପାରିଲି ନାହିଁ । ମୋର ମୁଣ୍ଡ ଉପରେ ମୁଁ ଅନୁଭବ କଲି ତାର ଚଞ୍ଚଳ ଦୃଷ୍ଟି । ପରିଶେଷରେ ସେ କହିଲା, ବେଶ ତ—ତୁମେ ଯେତେବେଳେ ଜାଣିବାକୁ ଚାହଁ—ଶୁଣ—ଭାବିଥିଲି ଯେମିତି ଚାଲୁଛି ଚାଲୁ.....କିନ୍ତୁ....ସତରେ ତୁମକୁ ଭଲ ପାଇବା ମୋ ପକ୍ଷରେ ସଂପୂର୍ଣ୍ଣ ଅସମ୍ଭବ ।

 

କୌଣସି ଅପ୍ରୀତିକର ଘଟଣା ସମ୍ବନ୍ଧରେ ବସି ବସି ଭାବନା କରାଯାଇ ପାରେ, ତାର କାଳ୍ପନିକ ରୂପ ପ୍ରତ୍ୟକ୍ଷ୍ୟ କରାଯାଇ ପାରେ । କିନ୍ତୁ ସେହି କଳ୍ପନା ଯେତେବେଳେ ସତ୍ୟର ନିର୍ମମ ରୂପ ଧାରଣ କରେ ସେତେବେଳେ ସମଗ୍ର ମନ ବେଦନାରେ ଅବସନ୍ନ ହୋଇଯାଏ । ବିଶ୍ୱାସ ହୁଏନା ଏ କଥା ସତ୍ୟ ! ଜାଣେ—ମୋ ଉପରେ ଏମିଲିୟାର ପ୍ରେମ ନାହିଁ । ତଥାପି ତାର ମୁହଁରେ ଏକଥା ଶୁଣି ଛାତି ଥରି ଉଠିଲା । ଦିନେ ଯାହା କେବଳ ଥିଲା କଳ୍ପନା, ଆଜି ଏମିଲିୟାର ମୁହଁରେ ତାହା ଉଚ୍ଚାରିତ ହୋଇଛି । ଏହାର ଗୁରୁତ୍ୱ ସ୍ୱତନ୍ତ୍ର । ଏହା କଳ୍ପନା ନୁହେଁ, ଅବାଞ୍ଛିତ ସତ୍ୟ ।

 

ସ୍ନାନ କରିବା ପୂର୍ବରୁ ଦେହରେ ପାଣିର ଛିଟିକା ଲାଗିଲେ ସ୍ନାନାର୍ଥୀ ଯେମିତି ଉଠେ ଠିକ ସେମିତି ଚମକି ଉଠିଲି । ପ୍ରକୃତିସ୍ଥ ହୋଇ ଯଥାସମ୍ଭବ ଧୀର କଣ୍ଠରେ କହିଲି ଆସ—ବସ.....କୁହ, ମୋତେ କାହିଁକି ଭଲ ପାଅନା ?

 

ସେଇଠି ବସିରହି ଏମିଲିୟା ବିରକ୍ତିଭରା କଣ୍ଠରେ ଜବାବ ଦେଲା କଣ ଆଉ କହିବି.........ତୁମକୁ ମୁଁ ଭଲ ପାଏନା, ଆଉ କିଛି କହିବାର ନାହିଁ । ପ୍ରାଣପଣେ ଯୁକ୍ତିପରାୟଣ ହେବାର ଚେଷ୍ଟା କଲି । କିନ୍ତୁ ସୀମାହୀନ ଅବ୍ୟକ୍ତ ବେଦନା ସର୍ବାଙ୍ଗରେ କଣ୍ଟା ଭଳି ବିନ୍ଧିବାକୁ ଲାଗିଲା । ମୁହଁ ଉପରେ ମ୍ଳାନ ହସ ଫୁଟେଇ କହିଲି, ଅସ୍ୱୀକାର କରିବ ନାହିଁ । ନିଶ୍ଚୟ ଯେ କାରଣଟା ମୋତେ ଜଣାଇବା ଦରକାର......ଗୋଟାଏ ଚାକରକୁ ମଧ୍ୟ କାମରୁ ବାହାର କରିବା ଆଗରୁ କାରଣଟା ଜଣାଇ ଦିଆଯାଏ ।

 

ତୁମକୁ ମୁଁ ଆଉ ଭଲ ପାଏନା....ଏହା ବ୍ୟତୀତ ମୋର ଆଉ କିଛି କହିବାର ନାହିଁ ।

 

କିନ୍ତୁ ତୁମେତ ମୋତେ ଆଗରୁ ଭଲ ପାଉଥିଲ—

 

ହଁ, କିନ୍ତୁ ଏବେ ଆଉ ପାଉନାହିଁ—ବର୍ତ୍ତମାନ ସବୁ ଶେଷ ହୋଇ ଯାଇଛି । କାହିଁକି ? କୌଣସି କାରଣ ନିଶ୍ଚୟ ରହିଛି ।

 

ହୁଏତ ଅଛି.....କିନ୍ତୁ କି କାରଣ ଜାଣେନା—କେବଳ ଜାଣେ ମୁଁ ତୁମକୁ ଭଲ ପାଏନା ।

 

ନା....ନା....ବାରମ୍ବାର ସେ କଥାଟି କୁହନାହିଁ.......ଏମିତି ଭାବରେ କୁହନାହିଁ !

 

ତୁମେ ନିଜେତ କହିବା ପାଇଁ ବାଧ୍ୟ କରୁଛ......ବିଶ୍ୱାସ କରୁନାହଁ ତେଣୁ ବାରମ୍ବାର କହିବାକୁ ପଡ଼ୁଛି ।

 

ବର୍ତ୍ତମାନ ମୋର ଆଉ କୌଣସି ସନ୍ଦେହ ନାହିଁ ।

 

ଦୁହେଁ ନୀରବ । ଏମିଲିୟା ଗୋଟାଏ ସିଗାରେଟରେ ନିଆଁ ଲଗେଇଲା । ମୁଣ୍ଡଟି ହାତ ଉପରେ ରଖି ଚୁପ୍‌ କରି ବସି ରହିଲି ।

 

ଟିକକ ପରେ କହିଲି, ଯଦି ତୁମକୁ କୁହେ—ମୋତେ ଭଲ ନପାଇବା କାରଣଟା କଣ........

 

କିନ୍ତୁ ମୁଁ ନିଜେ ତାହା ଜାଣେନା ।

 

ଯଦି ମୁଁ ତୁମକୁ କହିଦିଏ.....ତେବେ ସତକଥା କହିବ ?

 

ବେଶ୍‌ ତେବେ କୁହ.....କୁହନା ମୁଁ ଶୁଣେ ।

 

ତାର କଣ୍ଠ ସ୍ଵରରେ ମୁଁ ଅବାକ୍‌ ହୋଇଗଲି । ନିଜକୁ ସଂଯତ କରିନେଇ କହିଲି କାରଣ ମୋର ଚିତ୍ରନାଟ୍ୟଟାଇପ କରୁଥିବା ତରୁଣୀଟିକୁ ମୁଁ ଚୁମ୍ବନ କରିଥିଲି—କେବଳ ଗୋଟାଏ ଚୁମ୍ବନ–ପ୍ରଥମ ଓ ଶେଷ ଚୁମ୍ବନ....ଏଥର ସତକରି କୁହତ ସେହି ଚୁମ୍ବନଟା କଣ ଆମରି ଭିତରେ ବ୍ୟବଧାନ ସୃଷ୍ଟି କରିନାହିଁ ?

 

ଏମିଲିୟାର ମୁହଁରେ ଫୁଟି ଉଠିଲା ବିସ୍ମୟ ଓ ଅସ୍ୱୀକୃତିର ଚିହ୍ନ । ନା—ମୋର ଅନୁମାନ ସତ୍ୟ ନୁହେଁ । କଣ ଯେମିତି ତାର ମନେପଡ଼ିଲା । ମୁହଁର ଭାବ ଧୀରେ ଧୀରେ ପରିବର୍ତ୍ତନ ହୋଇ ଗଲା, କହିଲା ଆଚ୍ଛା ଯଦି ତାହା ସତ୍ୟ ହୁଏ ତେବେ ଜାଣି ଲାଭ କଣ ?

 

ବୁଝି ପାରିଲି ତୁଚ୍ଛ ଗୋଟାଏ ଚୁମ୍ବନ ତାର ପ୍ରେମ ହରେଇବାର କାରଣ ନୁହେଁ ଆହୁରି ଗୁରୁତର କାରଣ ରହିଛି । ମୋର ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ତାର କିଛି ପରିମାଣରେ ଶ୍ରଦ୍ଧା ରହିଛି–ତେଣୁ ସେ ଅସଲ କଥାଟି କହି ପାରୁନାହିଁ । ଏମିଲିୟା ନିଷ୍ଠୁର ନୁହେଁ । କାହାକୁ ସେ ବ୍ୟଥା ଦେବାକୁ ଚାହିଁ ନାହିଁ । ମୁଁ ବ୍ୟଥା ପାଇବି ବୋଲି ସେ କହୁନାହିଁ—ସତ୍ୟ ପ୍ରକାଶ କରୁନାହିଁ-

 

ସହଜ କଣ୍ଠରେ ମୁଁ କହିଲି ନା ତୁମେ ସତକଥା କହୁନାହଁ........ଆହୁରି କୌଣସି କାରଣ ରହିଛି ।

 

ଜାଣେନାହିଁ ତମେ କଣ କହିବାକୁ ଚାହଁ ।

 

ଭଲ ଭାବରେ ଜାଣ ।

 

ବିଶ୍ୱାସ କର ଜାଣେ ନାହିଁ ।

 

ମୁଁ କହୁଛି—ତୁମେ ଜାଣ ।

 

ମା ଯେମିତି ଅଶାନ୍ତ ଶିଶୁକୁ ନେଇ ବିବ୍ରତ ହୋଇ ପଡ଼େ, ଠିକ୍‌ ସେହିଭଳି ଅତିଷ୍ଠ ହୋଇ ଉଠିଲା ଏମିଲିୟା ।

 

ଏସବୁ ତୁମେ କାହିଁକି ଜାଣିବାକୁ ଚାହଁ ?.....ତମେତ ଆଚ୍ଛା ମଣିଷ, ତମର ସ୍ୱଭାବ ସବୁ କଥାରେ ମୁଣ୍ଡ ଘୁରେଇବା.......ତହିଁରେ ତମର ବା ଯାଏ ଆସେ କେତେ ?

 

ମୁଁ ସତ୍ୟ ଆବିଷ୍କାର କରିବାକୁ ଚାହେଁ—ତା ଛଡ଼ା ଅସଲ କଥାଟି ।

 

ତୁମେ ବୁଦ୍ଧିମାନ ଏ କଥା ସ୍ୱୀକାର କରିବାକୁ ପଡ଼ିବ !

 

ମାନେ ?

 

କହିଛି ନା—ତୁମେ ବୁଦ୍ଧିମାନ....କହିଲି, ତୁମର ବୁଦ୍ଧି ଥିଲା ।

 

ଇଚ୍ଛା ହେଲା କୁହନ୍ତି—ଏହାର ଅର୍ଥ, ଆଗେ ମୋ ସମ୍ବନ୍ଧରେ ତୁମର ଭଲ ଧାରଣା ଥିଲା...ପରେ ଖରାପ ହୋଇ ଯାଇଛି—ଫଳରେ ତୁମେ ମୋତେ ଭଲ ପାଉ ନାହିଁ । କିନ୍ତୁ କହିଲି–ହୁଏତ ତୁମର କଥାହିଁ ସତ । ନ ଜାଣିଲେ—କେତେ କଣ କଳ୍ପନା କରିବି—ହୁଏତ ଅନେକ ଖରାପ କଥା ଚିନ୍ତା କରିବାକୁ ପଡ଼ିବ ।

 

ମୋ ଆଡ଼କୁ ସେ ଅଦ୍‌ଭୁତ ଭାବରେ ଚାହିଁଲା ।

 

କହିଲା ତୁମର କଣ ହେଇଛି....ତୁମର ବିବେକ ବୋଲି କିଛି ଅଛି ନା ନାହିଁ ?

 

ଅଛି....ନିଶ୍ଚୟ ଅଛି ।

 

ତେବେ ଏ ଘଟଣାରେ ମୁଣ୍ଡ ଘୁରାଉଛ କାହିଁକି ?

 

ତମେ ତ ଜାଣ—ବେଳେବେଳେ ନିଜର ବିବେକ ମଧ୍ୟ ନିଜକୁ ଛଳନା କରେ ।

 

ତୁମର ବିବେକ ତୁମକୁ ନିଶ୍ଚୟ ଛଳନା କରିବ ନାହିଁ ? ଶ୍ଳେଷ ମିଶ୍ରିତ କଣ୍ଠରେ କହିଲା ଏମିଲିୟା । ତାର ଉଦାସିନତାରେ ଯେତେ ପରିମାଣ ବ୍ୟଥା ପାଇନାହିଁ ଏହି କଥାରେ ତାଠାରୁ ବି ବେଶୀ ଆଘାତ ପାଇଲି ।

 

ଏମିଲିୟା ଏଥର କହିଲା, ଦେଖ ବର୍ତ୍ତମାନ ମୁଁ ଯିବି—ତୁମର ଆଉ କିଛି କହିବାର ନାହିଁ ତ ?

 

ନା—ସତ କଥା ନ କହି ଯାଇ ପାରିବ ନାହିଁ ।

 

କହିଛି ତ—ତୁମକୁ ଭଲପାଏ ନାହିଁ ।

 

ଏହି ତିନୋଟି ଶବ୍ଦରେ କେତେ ଗଭୀର ପ୍ରତିକ୍ରୟା ସୃଷ୍ଟି ନ ହେଲା—ମୁହଁ କାଗଜ ଭଳି ସାଦା ହୋଇ ପଡ଼ିଲା । ଏମିଲିୟାକୁ ମିନତୀ କଲି—ତୁମକୁତ ମୁଁ କେତେଥର ଏହି କଥାଟି କହିବାପାଇଁ ବାରଣ କରିଛି କାରଣ ଏଥିରେ ମୁଁ ବ୍ୟଥା ଅନୁଭବ କରେ ।

 

ତମେତ ମୋତେ ବାଧ୍ୟ କରୁଛ—ଏ କଥା ଗୁଡ଼ିକ କହିବା ପାଇଁ ମୋତେ ବି ଭଲ ଲାଗେ ନାହିଁ । ତେବେ କାହିଁକି ତୁମେ ମୋତେ ବିଶ୍ୱାସ କରେଇବା ପାଇଁ ଚାହଁ ଯେ ସେହି ଚୁମ୍ବନ ପାଇଁ ତୁମେ ମୋତେ ଆଉ ଭଲ ପାଉ ନାହଁ । ସେତ ଗୋଟାଏ ଚୁମ୍ବନ ଛଡ଼ା ଆଉ କିଛି ନୁହେଁ....ସେ ଝିଅଟି ସହିତ ସେହିଦିନ ଠାରୁ ଆଉ ଦେଖା ହୋଇନାହିଁ....ତୁମେ ତ ଜାଣ, ସବୁ କିଛି ବୁଝ...ନା...ନା......ଅନ୍ୟ କୌଣସି କାରଣ ରହିଛି...ନିଶ୍ଚୟ ଅଛି—ଯାହା ଫଳରେ ତୁମର ମନୋଭାବ ପରିବର୍ତ୍ତନ ହୋଇ ଯାଇଛି ।

 

ତାପରେ ହଠାତ୍‌ କୋଧାନ୍ୱିତ ହୋଇ କହିଲି...କ’ଣ ଭାବିଛ....ତୁମ ସହିତ କ’ଣ ଖୁସି ଗପ କରିବାକୁ ଏଠିକି ଆସିଛି ? ଅଜେୟ ବିକ୍ରମରେ ଏମିଲିୟାର ଗଲାଧରି ଭୂଇଁ ଉପରେ ଠେଲି ଦେଇ ଗର୍ଜନ କରି ଉଠିଲି: କୁହ...ଏହିକ୍ଷଣି କୁହ...ଅସଲ କାରଣଟା କ’ଣ ?

 

ମୋର ପ୍ରିୟତମା ଏମିଲିୟାର ଦେହଟି ଭୁଲୁଣ୍ଠିତ ହୋଇ ପଡ଼ିଲା । ସେ ନିଜକୁ ମୁକ୍ତ କରି ନେବାର ଚେଷ୍ଟା କଲା...ତାର ସମଗ୍ର ମୁଖମଣ୍ଡଳ ରକ୍ତିମ ହୋଇ ଉଠିଲା ।

 

ଜୋରରେ ତାର ଗଳା ଟିପି ଧରି କହିଲି, କୁହ...ଶେଷଥରକ ପାଇଁ କୁହ...ଏଥର ଆହୁରି ଜୋରରେ ଟିପିବାକୁ ଲାଗିଲି । ଖୁନ...ତାକୁ ମୁଁ ଖୁନ୍‌ କରି ପକେଇବି । ଚିରଦିନର ଶତ୍ରୁକୁ ପୋଷି ରଖିବା ଅପେକ୍ଷା ଖୁନ୍‌କରି ପକେଇବା ଶ୍ରେୟଷ୍କର ।

 

ମୋତେ ପ୍ରଚଣ୍ଡ ଗୋଟାଏ ଧକ୍‌କାମାରି ନିଜକୁ ଅଳ୍ପ ଛଡ଼େଇ ନେଇ ଏମିଲିୟା କହିଲା, ନା.....ନା.....ନା, ତୁମକୁ ମୁଁ ଭଲ ପାଏନା........

 

ଇୟେ ଯେପରି ପ୍ରବଳତର ଶତ୍ରୁର ନିର୍ମମତମ ଆଘାତ !

 

ଖୁନ୍‌ର ନିଶା କମି ଆସିଲା । ଶିଥିଳ ହୋଇପଡ଼ିଲା ମୁଷ୍ଟି ।

 

ନିଜକୁ ସଂପୂର୍ଣ୍ଣ ରୂପେ ମୁକ୍ତ କରି ନେଲା ଏମିଲିୟା । ଧକେଇ ଧକେଇ କହିଲା, ମୁଁ ତୁମକୁ ଘୃଣା କରେ...ତେଣୁ ଆଉ ପ୍ରେମ କରେନା.....ତମର ସ୍ପର୍ଶ ବିରକ୍ତି ଆଣେ.....ଏ ହେଲା ନିରାଟ ସତ କଥା ।....

 

ଠିଆହୋଇ ରହିଥିଲି । ଟେବୁଲ ଉପରୁ ଆଷ୍ଟ୍ରେଟି ନେବାପାଇଁ ହାତ ବଢ଼େଇଲି । ଏମିଲିୟା ବୁଝିଲା...ମୁଁ ତାକୁ ଖୁନ୍‌ କରିବାକୁ ଯାଉଛି । ଆର୍ତ୍ତନାଦ କରି ସେ ଦୁଇହାତ ପାପୁଲିରେ ତାର ମୁହଁ ଢାଙ୍କିଦେଲା ।

 

ବିଧାତା ଯେପରି ମୋ ଉପରେ ସଦୟ ହେଲେ.....ଜାଣେନା ମୁଁ କେମିତି ଭାବରେ ନିଜକୁ ସଂଯତ କରି ନେଲି ।

 

ଆଷ୍ଟ୍ରେଟି ଟେବୁଲ ଉପରେ ରଖି ଘରୁ ନୀରବରେ ବାହାରି ଆସିଲା ।

 

ଏମିଲିୟା ବେଶି ଶିକ୍ଷିତ ନୁହେଁ । ପ୍ରାଥମିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ କିଛିଦିନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପଢ଼ିଥିଲା । ତାପରେ ପଢ଼ା ଛାଡ଼ିଦେଇ ଶିଖିଲା ଟାଇପ ଓ ସର୍ଟହ୍ୟାଣ୍ଡ । ମାତ୍ର ଷୋହଳ ବର୍ଷ ବୟସରେ କୌଣସି ଗୋଟାଏ ବ୍ୟବସାୟ ପ୍ରତିଷ୍ଠାନରେ ସେ କାମ ଆରମ୍ଭ କରିଥିଲା । ତେବେ ସଦ୍‌ବଂଶରେ ତାର ଜନ୍ମ ! ସେମାନଙ୍କର ପରିବାର ଦିନେ ସଙ୍ଗତି—ସଂମ୍ପନ୍ନ ଥିଲା କିନ୍ତୁ ତାର ପିତାମହଙ୍କର ଅମଳରେ ନାନା କାରଣରୁ ଅବସ୍ଥା ଖରାପ ହୋଇ ପଡ଼େ । ତାର ପିତା ଅର୍ଥବିଭାଗର ସାମାନ୍ୟତମ କିରାନୀ । ଦାରିଦ୍ର୍ୟ ଓ ଅଭାବ ଅନାଟନ ଭିତରେ ବଡ଼ ହେଇଛି ଏମିଲିୟା । ଶ୍ରମଜୀବିଙ୍କ ପରି ତାର ଶିକ୍ଷା ଓ ଚିନ୍ତା ଧାରାର ମାନ ଉଚ୍ଚ ନୁହେଁ । ସାଧାରଣଜ୍ଞାନ ହିଁ ତାର ଏକମାତ୍ର ସମ୍ବଳ । ଏହି ଜ୍ଞାନ ଟିକକ ପୁଣି ଏତେ ସ୍ଥୂଳ ଯେ ସମୟ ସମୟରେ ମନେ ହୁଏ.....ତାର କୌଣସି ବୁଦ୍ଧିନାହିଁ କିମ୍ବା ସେ ସଂକୀର୍ଣ୍ଣମନା । ତଥାପି ଏହାରି ଉପରେ ନିର୍ଭର କରି କେତେ କେତେ ବେଳେ ସେ ଏମିତି ଆଶ୍ଚର୍ଯ୍ୟ ସିଦ୍ଧାନ୍ତ କରି ପାରୁଥିଲା ଯେ ତହିଁରେ ମୁଁ ଅବାକ ହୋଇ ଯାଉଥିଲି । ଏହା ମଧ୍ୟ ଶ୍ରମଜୀବିମାନଙ୍କ ଏକ ବୈଶିଷ୍ଟ୍ୟ । କାହିଁକି ନା ପ୍ରକୃତି ସହିତ ସେମାନଙ୍କର ଆତ୍ମୀୟତା ସୁଗଭୀର, ସେମାନଙ୍କର ମନ ସଂସ୍କାର ଓ ଦେଶାଚାରର ପ୍ରଭାବ ମୁକ୍ତ ନୁହେଁ । ଏମିଲିୟା କୌଣସି ବିଷୟରେ ଅଳ୍ପ ଚିନ୍ତାକରି ସତ୍ୟଭଳି ଅଭ୍ରାନ୍ତ ଅଭିମତ ପ୍ରକାଶ କରି ପାରୁଥିଲା । କିନ୍ତୁ ନିଜେ ସେ ତାହା ବୁଝି ପାରୁ ନ ଥିଲା ଏଣୁ ଆତ୍ମପ୍ରସାଦ ଲାଭ କରିବା ସୁଯୋଗ ତାର ନ ଥିଲା । ତାର ସାରଲ୍ୟ ଓ ଅଜ୍ଞତାରୁ ଏ କଥା ସ୍ପଷ୍ଟ ଭାବରେ ବୁଝା ପଡ଼ୁଥିଲା ଯେ ସେ ଯାହା କହିଛି କୌଣସି ପ୍ରକାରେ ତାର ଅନ୍ୟଥା ହୋଇ ପାରିବ ନାହିଁ ।

 

ତେଣୁ ଯେଉଁଦିନ ଏମିଲିୟା ଘୋଷଣା କଲା ଯେ ମୁଁ ତୁମକୁ ଭଲ ପାଏ ନାହିଁ, ଘୃଣାକରେ—ସେହିଦିନ ଠାରୁ ମୋର ମନରେ ବିନ୍ଦୁ ମାତ୍ର ସନ୍ଦେହ ରହିଲା ନାହିଁ ଯେ ତାର ଏହି ଉକ୍ତିରେ ତିଳେ ହେଲେ ମିଥ୍ୟାର ସ୍ଥାନ ଅଛି । ତାର କଥା କେବେହେଲେ ମିଥ୍ୟା ହୋଇ ପାରେ ନା-। ତାର ଚରିତ୍ର ମୁଁ ଜାଣେ—ଏହା ଯେପରି ତାର ଅନ୍ତରର ଅନ୍ତରତମ ପ୍ରଦେଶର ଅକୁହା କଥା-। ଏହି ସ୍ୱତଃସ୍ଫୁର୍ତ୍ତ ସ୍ପଷ୍ଟୋକ୍ତି ଅବିଶ୍ୱାସ୍ୟ ହେଲେ ହେଁ ସତ୍ୟ । ମୁର୍ଖବ୍ୟକ୍ତିର ମୁହଁରୁ ନୀତିକଥା ଶୁଣିଲେ ସହଜରେ ବିଶ୍ୱାସ ହୁଏ ନାହିଁ । ତଥାପି ଲକ୍ଷ୍ୟ କଲି—ସେ ଯେଉଁଦିନ ମୋତେ ପ୍ରଥମଥର ପାଇଁ ତାର ପ୍ରେମ ନିବେଦନ କରିଥିଲା, ସେଦିନ ଯେମିତି ଅକପଟ ଭାବରେ କହିଥିଲା, ମୁଁ ତୁମକୁ ଭଲ ପାଏ—ଆଜି ବି ଠିକ ସେମିତି ସରଳ ଭାବରେ ଆନ୍ତରିକତା ସହ କହିଛି—ମୁଁ ତୁମକୁ ଘୃଣାକରେ-

 

ଘର ଭିତରେ ପଦଚାରଣ କରିବାକୁ ଲାଗିଲି । ହାତ ଦୁଇଟି ଥରିବାକୁ ଲାଗିଲା, ଝାପ୍‌ସା ହୋଇ ପଡ଼ିଲା ଦୃଷ୍ଟି, ତାର କଥାଗୁଡ଼ିକ ତୀକ୍ଷ୍‌ଣ ଧାର କଣ୍ଟକ ଭଳି ବିଦ୍ଧ କରିବାକୁ ଲାଗିଲା ସମଗ୍ର ଅନ୍ତର । ମୁଁ ଯେମିତି ମୋର ସମସ୍ତ ଜ୍ଞାନ ହରେଇ ପକେଇଲି ।...କେବଳ ଯେ ତାର ପ୍ରେମ ମୁଁ ହରେଇଛି ତାହା ନୁହେଁ...କାହିଁକି ଜାଣେ ନା ତାର ଘୃଣାର ପାତ୍ର ମଧ୍ୟ ହୋଇ ପଡ଼ିଛି । ଭାବିଲି–ଏହା ଅନ୍ୟାୟ, ମୋ ଉପରେ ସେ ଘୋର ଅବିଚାର କରିଛି । –ନା ଏହା ଭିତରେ ଅନ୍ୟାୟ ବା ରହିଲା କେଉଁଠି ? ଏହାର କୌଣସି ଅଜ୍ଞାତ ରହସ୍ୟ ରହିଛି । ଏମିଲିୟାର କଥାରେ ମୋ ନିଜ ସମ୍ବନ୍ଧରେ ଯେଉଁ ଧାରଣା ଥିଲା ତାହା ପରିବର୍ତ୍ତନ ହୋଇଗଲା । ବିତ୍ତହୀନ ହେଲେ ମଧ୍ୟ ଏତେଦିନ ଯାଏ ନିଜ ଉପରେ ଶ୍ରଦ୍ଧା ଥିଲା । ଜୀବନରେ ଆଜି ସର୍ବ ପ୍ରଥମ ଅନୁଭବ କଲି ଯେ, ଏ ଯାବତ୍‌ କେବଳ ମୁଁ ନିଜକୁ ମିଥ୍ୟା ତୋଷାମୋଦ କରି ଆସିଛି ।

 

ବାଥରୁମ ଭିତରେ ପ୍ରବେଶ କରି ମୁଣ୍ଡଟାକୁ ଭଲଭାବରେ ତିନ୍ତେଇ ନେଲି । ମସ୍ତିଷ୍କଟା ଯେମିତି ଅଗ୍ନି ଶିଖା ଭଳି ଲାଲ ହୋଇ ଯାଇଛି—ଦାବାନଳ ଜଳି ଉଠୁଚି ମସ୍ତିଷ୍କ ଭିତରେ । ହାତ ମୁହଁ ଧୋଇ, ମୁଣ୍ଡ କୁଣ୍ଡେଇ ବେଡ ରୁମକୁ ପ୍ରବେଶ କଲି । ଟେବୁଲ ଉପରେ ଦୃଷ୍ଟି ପଡ଼ିବା ମାତ୍ରକେ ମନଟା ବିଦ୍ରୋହୀ ହୋଇ ଉଠିଲା । ଆଗଭଳି ସେଇଠି ଦୁହେଁ ବସି ଆଉ ଭୋଜନ କରିପାରିବୁ ନାହିଁ । ଏହି କୋଠରୀର ଶୂନ୍ୟତା ଭିତରେ ବି ଧ୍ୱନିତ ହୋଇ ଉଠୁଛି ସେ ଭୟଙ୍କର ଶବ୍ଦଗୁଡ଼ିକ—ଯାହା ଶୁଣି ମୁଁ ଅଭିଭୂତ ହୋଇ ପଡ଼ିଛି ।.......

 

ଏମିଲିୟା ଦରଜା ଖୋଲି ଦେଖିଲା । ତାର ମୁଖମଣ୍ଡଳ ବେଶ ପ୍ରଶାନ୍ତ—ଯେମିତି କୌଣସି ଘଟଣା ଘଟିନାହିଁ । ତାକୁ ମୋଟେ ନ ଚାହିଁ କହିଲି ଆଜି ସନ୍ଧ୍ୟାରେ ଆମେ ଏଠି ଖାଇବା ନାହିଁ—ଚାକରାଣୀକି କହିଦିଅ ଆଉ ବାହାରକୁ ଯିବାପାଇଁ ପ୍ରସ୍ତୁତ ହୋଇପଡ଼ ।

 

ସେ ଅବାକ ହୋଇ ପ୍ରଶ୍ନକଲା—କାହିଁକି ?....ରୋଷେଇ ଶେଷ ହୋଇ ଯାଇଛି, ତାହେଲେ ଜିନିଷ ଗୁଡ଼ିକ ସବୁ ନଷ୍ଟ ହେଇଯିବ ।

 

ଆଃ......ନଷ୍ଟ ହେଲେ ହେବ......ତୁମେ ଚଞ୍ଚଳ ବାହାରି ପଡ଼ । ଏମିଲିୟା ମୋଟେ ଫେରି ଚାହିଁଲା ନାହିଁ । କେବଳ ଶୁଣିବାକୁ ପାଇଲି ତାର କଣ୍ଠସ୍ୱର, କି ଅଦ୍ଭୁତ ଲୋକରେ ବାବା !

 

ପୁନରାୟ ଦରଜାଟା ବନ୍ଦ କରିଦେଲା ଏମିଲୟା.....

 

ଅଳ୍ପସମୟ ପରେ ବାହାରିଲୁ । ଗାଡ଼ିଟା ବାହାରେ ଥିଲା, ଦୁହେଁ ନୀରବରେ ସେ ଆଡ଼କୁ ଅଗ୍ରସର ହେବାକୁ ଲାଗିଲୁ ।

 

ଗାଡ଼ିରେ ଉଠିଲୁ, ମୋ ପାଖକୁ ଲାଗି ଏମିଲିୟା ବସି ପଡ଼ିଲା । ହାତ ବଢ଼େଇ ସଶଦ୍ଦେ ଗାଡ଼ିର ଦରଜାଟା ବନ୍ଦ କରି ଦେଲି ।

 

ଆଗେ ଗାଡ଼ିର ଦରଜା ବନ୍ଦ କରିନେବା ଅବସରରେ ତାର ନରମ ଓଠରେ ଚୁମ୍ବନ କରୁଥିଲି, ଆଜି ଜାଣିଶୁଣି ତାକୁ ସ୍ପର୍ଶ କଲିନାହିଁ ।

 

ଗାଡ଼ିରେ ଷ୍ଟାର୍ଟ ଦେଲି । ଏମିଲିୟା ପ୍ରଶ୍ନ କଲା, ଆମେ କେଉଁଠିକି ଯିବା ? କୌଣସି ଚିନ୍ତା ନ କରି କହିଲି, ‘‘ଭାୟା ଆପିୟା ।’’

 

ବର୍ତ୍ତମାନ ଯାଏ ସେଠିକି ଯିବାର ସମୟ ହୋଇନାହିଁ......ବହୁତ ଶୀତ.....ତାଛଡ଼ା ବର୍ତ୍ତମାନ ସ୍ଥାନଟି ଜନଶୂନ୍ୟ ।

 

କିଛି ଯାଏ ଆସେ ନା ! ଆମେ ସେହିଠିକି ହିଁ ଯିବା ।

 

ଏମିଲିୟା କୌଣସି ପ୍ରତିବାଦ କଲାନାହିଁ । ଆପିୟା ରାସ୍ତାରେ ଗାଡ଼ି ଚଳେଇବାକୁ ଲାଗିଲି । ନଗରୀର ରାଜପଥ ତ୍ୟାଗ କରି, ଶିଉଳୀ ମଖା ପ୍ରାଚୀନ ପ୍ରାଚୀର, ଉଦ୍ୟାନ, ଫଳ ବଗିଚା ଓ ଛାୟାଘନ ପ୍ରମୋଦପ୍ରାସାଦ ପାରିହୋଇ ପହଞ୍ଚିଲୁ ପ୍ରବେଶ ଦ୍ୱାରରେ । କ୍ଷୀଣ ଆଲୋକ ବିସ୍ତାର କରି ଭିତରେ ଦୁଇଟି ପ୍ରଦୀପ ଜଳୁଛି । ଏମିଲିୟା ଠିକ କହିଛି—ଏଠିକି ଆସିବାର ସମୟ ଏ ଯାଏଁ ହୋଇନି—ଏଠି କେହି ନାହାନ୍ତି ।

 

ରେସ୍ତୋରାଁରେ ପ୍ରବେଶ କରି ଦେଖିଲି ଟେବୁଲ ଖାଲି । ବେହେରା ମାନେ ଅଳସ ଭାବରେ ଗପସପ କରୁଛନ୍ତି । ଖରିଦଦାର ବା ଗ୍ରାହକ କହିଲେ କେବଳ ଆମେ ଦୁହେଁ । ନିର୍ଜ୍ଜନ କକ୍ଷରେ କେବଳ ବେହେରାମାନଙ୍କ ବ୍ୟତୀତ ଆଉ କେହି ନାହାନ୍ତି ।

 

ଆମଭିତରେ ସେଠି କୌଣସି ପ୍ରକାର ଆଲୋଚନା ହେବା ଅସଙ୍ଗତ । ମନେପଡ଼ିଲା–ଦୁଇବର୍ଷ ତଳେ ଯେତେବେଳେ ଆମ ଭିତରେ ଥିଲା ସୁନିବିଡ଼ ପ୍ରେମ ସେତେବେଳେ ଏହି ରେସ୍ତୋରାଁରେ ଆମେ ଖାଉଥିଲୁ । ଅଜସ୍ର ରେସ୍ତୋରାଁ ଥାଉଣୁ ଏଠିକି ଆଜି କାହିଁକି ଆସିଲୁ ?

 

ବେହେରା, ମେନ୍ୟୁ ନେଇ ଆସିଲା । ଡିନର ପାଇଁ ଅର୍ଡର ଦେଲି । ତାଲିକା ପଢ଼ି ଏମିଲିୟାକୁ ଶୁଣେଇଲି । ସେ ତଳକୁ ମୁହଁ ପୋତି ସଂକ୍ଷେପରେ ଉତ୍ତର ଦେବାକୁ ଲାଗିଲା—ହଁ......ନା......ବେଶ । ଏମିଲିୟା ମଦ ଖାଇବ ନାହିଁ ଜାଣି ସୁଦ୍ଧା ବୋତଲେ ଦାମୀ ମଦ ପାଇଁ ଅର୍ଡର ଦେଲି । କହିଲି, ମୁଁ ନିଜେ ଖାଇବି । ମୋତେ ଚାହିଁ ବେହେରାଟା ଅଳ୍ପ ହସିଲା ।

 

ଖାଦ୍ୟ ପଦାର୍ଥ ପରିବେଷଣ ହେବାପରେ ଦୁହେଁ ଖାଇବାକୁ ଲାଗିଲୁ । ଏତେଦିନ ଯାଏ ସବୁକିଛି ହେଉଥିଲା ସହଜ ଭାବରେ । ଛୋଟ ଘଟଣା ଗୁଡ଼ିକ ପ୍ରତି ମୋଟେ ଖିଆଲ ରହୁ ନ ଥିଲା, ଗୋଟାଏ କିଛି କାମ ଶେଷ କରିଦେବା ପରେ ମୋର ଚୈତନ୍ୟ ହେଉଥିଲା । ଆଜି ଏମିଲିୟାର ପ୍ରେମ ନିଃଶେଷ ହୋଇଯିବା ପରେ ମୁଁ ପ୍ରତିଟି କାମରେ ଯେମିତି ସଚେତନ ହୋଇ ପଡ଼ିଛି । ଏମିଲିୟାକୁ ଲୁଣ ଶିଶିଟା ବଢ଼େଉ ଦେଲି, ଗ୍ଲାସଟା ତା ପାଖକୁ ଠେଲି ଦେଇ ଥରେ ଚାହିଁଲି । ମୋର ପ୍ରତିଟି ଭଙ୍ଗିରେ ଯେମିତି ରହିଛି ଗୋଟାଏ ବେଦନାମୟ ଅର୍ଥହୀନ ଅକାରଣ ଅସମର୍ଥ ଚେତନା । ଅବଶ ଓ ସ୍ତବ୍‌ଧ ହୋଇ ପଡ଼ିଲି । ଯେମିତି ମୁଁ ଶୃଙ୍ଖଳିତ ହୋଇ ପଡ଼ିଛି ! ବାରମ୍ବାର ଭାବିବାକୁ ଲାଗିଲି କିଛି ଭୁଲ କରୁ ନାହିଁ ତ ? ସତରେ ମୁଁ ଆତ୍ମବିଶ୍ୱାସ ହରେଇ ଦେଇଛି । ଅପରିଚିତ ପାଖରେ ବିଶ୍ୱାସ ହରେଇଲେ ଫେରେଇ ଆଣିବାର ଆଶା କରାଯାଏ କିନ୍ତୁ ଏମିଲିୟା ପାଇଁ ସେ ଗୋଟାଏ ପୁରାତନ ଅଭିଜ୍ଞତା ଛଡ଼ା ଆଉ କିଛି ନୁହେଁ । ଏ କ୍ଷେତ୍ରରେ କୌଣସି ଆଶା ନାହିଁ । ଦୁହେଁ ନୀରବ, ମଝିରେ ମଝିରେ ଖାପଛଡ଼ା କଥାବାର୍ତ୍ତା—ତୁମର ରୁଟି ଦରକାର....ମଦ....ମାଂସ....

 

ଯାହା କହିବାକୁ ଚାହିଁଥିଲି ତାହା କୁହା ହୋଇ ପାରିଲା ନାହିଁ । ଅସହ୍ୟ ନୀରବତା ଭିତରେ ସବୁ ଯେମିତି ଚାପା ପଡ଼ିଗଲା । ସେତେବେଳେ ମୋର ମନର ଅବସ୍ଥା ଯାହା ଠିକ ମୁଁ ପ୍ରକାଶ କରି ପାରୁନାହିଁ । ତାକୁ ଅନ୍ୟ ଭାଷାରେ ବିରୁଦ୍ଧ ମୌନତା କୁହା ଯାଇ ପାରେ । ଦୁହିଁଙ୍କ ମଧ୍ୟରେ କୌଣସି ବୈରଭାବ ନାହିଁ—ଅନ୍ତତଃ ମୋ ଦିଗରୁ ତ ନାହିଁ—ରହିଛି କେବଳ ଅକ୍ଷମତା । ଅନେକ କିଛି କହିବାକୁ ଚାହେଁ—କିନ୍ତୁ କହିପାରୁ ନାହିଁ । କ’ଣ କହିବି ମୋଟେ ଭାବି ପାରୁ ନାହିଁ ।

 

ତେଣୁ ମନର ସକଳ ଆବେଗକୁ ରୁଦ୍ଧ କରି ନୀରବ ରହିଲି । କୌଣସି ପ୍ରକାରେ ସହ୍ୟ କରି ପାରୁ ନ ଥିଲି—ତଥାପି ମନେ ହେଲା ନୀରବ ରହିବା ବାଞ୍ଛନୀୟ । ମୌନତା ପରିହାର କରିବା ମାତ୍ରକେ ଗୋଟାଏ ତିକ୍ତ ଆଲୋଚନା ଭିତରକୁ ନିଜକୁ ଟାଣି ନେବାକୁ ପଡ଼ିବ ।

 

କିନ୍ତୁ ବେଶି ସମୟ ନୀରବ ରହି ପାରିଲି ନାହିଁ । କହିଲି—ତୁମେ ନୀରବ କାହିଁକି ଏମିଲିୟା ?

 

କ’ଣ କହିବି କୁହ....କହିବା ପାଇଁ ତ କିଛି ନାହିଁ ।

 

ଶାନ୍ତ ସ୍ଵାଭାବିକ ତାର କଣ୍ଠସ୍ୱର । ସତ୍ୟ ଭଳି ସ୍ପଷ୍ଟ ତାର ଉକ୍ତି । କହିଲି କାହିଁକି—ଅଳ୍ପ ଆଗରୁ ଯାହା କହିଛ, ସେ ସମ୍ବନ୍ଧରେ ତ ଘଣ୍ଟା ଘଣ୍ଟା ଧରି ଆଲୋଚନା କରା ଯାଇପାରେ ।

 

ଭୁଲି ଯାଅ ସେ କଥା—ଧରି ନିଅ ମୁଁ କିଛି କହି ନାହିଁ ।

 

ଆଶାରେ ଦୀପ୍ତ ହୋଇ ଉଠିଲା ଅନ୍ତର । କହିଲି, ଭୁଲିବି କାହିଁକି ? ହଁ ଭୁଲିଯିବି....ଯଦି ଜାଣେ ତାହା ସତ ନୁହେଁ—ତମେ ରାଗରେ କହି ପକେଇଛ.......

 

ଏଥର ଏମିଲିୟା କିଛି କହିଲା ନାହିଁ । ପୁନରାୟ ଆଶା—ହୁଏତ ତାର କଥା ସତ । ତା’ଉପରେ ବଳ ପ୍ରୟୋଗ କରିଥିଲେ ତେଣୁ ସେ ମୋତେ ଘୃଣା କରିଥିଲା ।

 

ସତର୍କ ଭାବରେ କହିଲି ତେବେ କୁହ—ଆଜି ଯେଉଁ ଭୟଙ୍କର ଉକ୍ତିଟି ଶୁଣେଇଛି ତାହା ସତ ନୁହେଁ.......କେବଳ କୁହ ଯେ ତମେ ସେହି ମୁହୂର୍ତ୍ତକ ପାଇଁ ମୋତେ ଘୃଣା କରିଥିଲ । ମୋତେ ସେ ଚାହିଁଲା । କିନ୍ତୁ ଏ କ’ଣ ? ଭୁଲ କରିନାହିଁ ତ । ଭଲଭାବରେ ଚାହିଁ ଦେଖିଲି । ନା ତିଳେହେଲେ ସନ୍ଦେହ ନାହିଁ । ତାର ଦୁଇ ଆଖି ଅଶ୍ରୁ ସଜଳ ।

 

ଉତ୍ସାହିତ ହୋଇ ଏମିଲିୟାର ହାତଟି ମୋ ହାତରେ ତୋଳି ଧଇଲି । କହିଲି, କୁହ ପ୍ରିୟତମା କୁହ—ସତ ନୁହେଁ—ସତ ନୁହେଁ ତୁମର ସେ ଉକ୍ତି.....ଗୋଟାଏ ଝଟକାରେ ସେ ତାର ହାତ ହଟେଇ ନେଲା । କହିଲା....ସୁଦୁ ସତ.....ଏଥିରେ ତିଳେ ହେଲେ ମିଛ ନାହିଁ ।

 

ତାର ଉତ୍ତରରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସେ ଜାଣେ—ପଦେ ମିଛ କଥାରେ ସମସ୍ତ ଗୋଳମାଳର ଇତି ହୋଇଯିବ । ତେଣୁ ସେ ଯେମିତି ଭାବିଲା ମିଛ କହିବ—କିନ୍ତୁ ପର ମୁହୂର୍ତ୍ତରେ ମନ ସ୍ଥିର କରି ନେଇ ଏ କଥାଟି କହିଲା । ପୁନରାୟ ନୂତନ ଭାବରେ ବ୍ୟଥା ଅନୁଭବ କଲି, ତୀବ୍ରତର ହୋଇ ଉଠିଲା ମନର ବେଦନା । ମୁହଁ ତଳକୁ ପୋତି ଦାନ୍ତ ଉପରେ ଦାନ୍ତଚାପି କହିଲି, କିନ୍ତୁ ତୁମେତ ଜାଣ—ଏଭଳି ଅନେକ କଥା ରହିଛି ଯାହା ଅକାରଣରେ କାହାକୁ କୁହାଯାଇ ପାରେନା.....କାହାରିକି ନୁହେଁ......ସ୍ୱାମୀକି ତ ମୋଟେ ନୁହେଁ । ନୀରବରେ ଶଙ୍କାଜଡ଼ିତ ଆଖିରେ ମୁହଁ ଟେକି ଚାହିଁଲା ଏମିଲିୟା । ହୁଏତ କ୍ରୋଧରେ ମୋର ମୁହଁ ବିକୃତ ହୋଇ ପଡ଼ିଥିଲା । ଧୀରେ ଧୀରେ କହିଲା, ତୁମେ ଜାଣିବାକୁ ଚାହିଁଥିଲ ତେଣୁ କହିଥିଲି ।

 

କିନ୍ତୁ ସବୁ ବିଷୟ ପରିଷ୍କାର ଭାବରେ କହିବାକୁ ପଡ଼ିବ ।

 

ଆଉ କେମିତି ଭାବରେ କହିବି ?

 

କହିବାକୁ ପଡ଼ିବ—ତୁମେ କାହିଁକି ମୋତେ ଘୃଣା କର ।

 

ନା କହିବି ନାହିଁ.....ପ୍ରାଣ ବାହାରିଗଲେ ବି ନୁହେଁ ।

 

ତାର କଣ୍ଠସ୍ୱର ମୋର ମନରେ ଭରିଦେଲା ଅଜସ୍ର ବିସ୍ମୟ । କିନ୍ତୁ ସେ ଭାବ ସ୍ଥାୟୀ ହେଲା ନାହିଁ । କ୍ରୋଧରେ ହଠାତ୍‌ କାଣ୍ଡଜ୍ଞାନ ହରେଇ ପକେଇଲି । ତାର ହାତଟିକି ଖପ୍‌ କରି ଧରି ପକେଇ କହିଲି.......କୁହ.......କାହିଁକି ମୋତେ ଘୃଣା କର ?

 

କୁହ........ସତ କରି କୁହ !

 

ନା—କହିବି ନାହିଁ ।

 

କୁହ—ନ ହେଲେ ମାରିବି ।

 

କ୍ରୋଧରେ ଜୋର୍‌ରେ ତାର ଅଙ୍ଗୁଳି ଉପରେ ଚାପ ଦେବାକୁ ଲାଗିଲି ।

 

ଉଃ........ଏମିଲିୟାର ମୁଖମଣ୍ଡଳ ବେଦନାରେ କୁଞ୍ଚିତ ହୋଇପଡ଼ିଲା । ରୁଦ୍ଧ କଣ୍ଠରେ କହିଲା, ରୁହ......ରୁହ.......ଛି........ମୋତେ ଆହୁରି ବ୍ୟଥା ଦେବାପାଇଁ ଚାହଁ ?

 

ଏମିଲିୟାର କଥା ଶୁଣି ଶ୍ୱାସରୁଦ୍ଧ ହୋଇ ଆସୁଥିଲା । ଏହାର ଅର୍ଥ ଏମିଲିୟାକୁ ଯେପରି ଏହା ଆଗରୁ ବି ବ୍ୟଥା ଦେଇଛି । ତଥାପି ତାର ହାତ ଛାଡ଼ିଲି ନାହିଁ ।

 

ଏମିଲିୟା କହିଲା.....ଛି...ଛି....ତୁମର କଣ ମୋଟେ ଲାଜ ନାହିଁ । ବେହେରାମାନେ ଦେଖୁଛନ୍ତି ଯେ !

 

କାହିଁକି ଘୃଣା କର କୁହ ?

 

ଆଉ ବୋକାମୀ କରନାହିଁ.........ମୋତେ ଛାଡ଼ିଦିଅ.........ଛାଡ଼ କହୁଛି !

 

ଆଙ୍ଗୁଠି ଘୂରେଇ ହାତଟା ଛଡ଼େଇ ନେଲା ଏମିଲିୟା । ଗୋଟାଏ ଗ୍ଲାସ ଚଟାଣ ଉପରେ ଗଡ଼ି ପଡ଼ିଲା । ଗ୍ଲାସ ଭାଂଗିବାର ଶବ୍ଦ ହେଲା ।

 

ଗୋଟାଏ ନିଶ୍ୱାସରେ ଦରଜା ପାଖକୁ ଆଗେଇ ଯାଇ ଏମିଲିୟା କହିଲା, ମୁଁ ଗାଡ଼ିରେ ଅଛି, ବିଲ୍‌ଟା ଚୁକ୍ତି କରିଦେଇ ତୁମେ ଆସ ।

 

ଏମିଲିୟା ବାହାରିଗଲା । ମୁଁ ନିଶ୍ଚଳ ଭାବରେ ବସି ରହିଲି ।

 

ବେହେରାମାନେ ବସି ବସି ଆମକୁ ଲକ୍ଷ୍ୟ କରୁଥିଲେ । ତେଣୁ ଲଜ୍ଜା ଅପେକ୍ଷା ବେଶି ଅପମାନ ବୋଧ କଲି । ଏହା ଆଗରୁ କେବେହେଲେ ଏମିତି ଘଟଣା ଘଟି ନାହିଁ । ଗୋଟାଏ ଅପ୍ରୀତିକର ପ୍ରହେଳିକା ଭଳି କାନରେ ପ୍ରତିଧ୍ୱନିତ ହେବାକୁ ଲାଗିଲା ସେହି ଶବ୍ଦଟି—‘‘ଆହୁରି’’ । ଆଉ ତାକୁ କେବେ ମୁଁ ବ୍ୟଥା ଦେଲି ? ବିଲ୍‌ଟି ଦେଇ ସାରି ରେସ୍ତୋରାଁରୁ ବାହାରି ଆସିଲି ।

 

ବାହାରେ ଟିପି ଟିପି ବର୍ଷା । ମୁଣ୍ଡ ଉପରେ ଭେଳା ଭେଳା ମେଘ ଛାଇ ଯାଇଛି ସାରା ଆକାଶ । ଦେଖିଲି ଗାଡ଼ି ପାଖରେ ଠିଆ ହୋଇଛି ଏମିଲିୟା । ଗାଡ଼ିର ଦରଜା ତାଲା ବନ୍ଦ । ତେଣୁ ବାହାରେ ଠିଆ ହୋଇ ସେ ତିନ୍ତୁଛି । ସହଳ ଆଗେଇ ଆସି କଂପିତ କଣ୍ଠରେ କହିଲି, ଇସ୍‌, ପୁରାପୁରି ପାଶୋରି ଯାଇଥିଲି ଯେ ଗାଡ଼ିର ଦରଜା ବନ୍ଦ ରହିଛି....କିଛି ମନେକରିବ ନାହିଁ.... ।

 

ସେ ଶାନ୍ତ କଣ୍ଠରେ କହିଲା, ବର୍ଷା ତ ସାମାନ୍ୟ.....ସେଥିରେ କିଛି ଯାଏ ଆସେନା ।

 

ଗାଡ଼ିର ଦରଜା ଖୋଲି ଭିତରେ ବସିଲି, ପାଖକୁ ଲାଗି ଆସି ବସିଲା ଏମିଲିୟା । ଗାଡ଼ି ତୀର ବେଗରେ ଚଳେଇବାକୁ ଲାଗିଲି । ଅତର୍କିତ ଭାବରେ ଗଭୀର ଉଲ୍ଲାସରେ ପ୍ରଶ୍ନ କଲି, ଏଥର କେଉଁଠିକି ଯିବାକୁ ଚାହଁ ?

 

ଜାଣେନା......ତମର ଇଚ୍ଛା ।

 

ଅସୀମ ଉତ୍ସାହରେ ଗାଡ଼ି ଚଲେଇବାକୁ ଲାଗିଲି । ହୁଏତ ସମସ୍ତ ଘଟଣାକୁ କୌତୁକ ବୋଲି ଉଡ଼େଇ ଦେଇ ହେବ । ଏମିଲିୟା ସହିତ ମୋର ସଂପର୍କର ସମସ୍ୟାଟା ମେଣ୍ଟେଇ ଦିଆ ଯାଇ ପାରିବ ।

ଅଳ୍ପ ରସିକତା କରି କହିଲି, ବେଶ୍‌ ତେବେ ଚାଲ.....ନିୟତିର ଇଚ୍ଛା.....କଣ ହେଉଛି ଦେଖାଯାଉ.....

ଏକଥା କହିବା ପରେ ମନଟା କଦର୍ଯ୍ୟ ହୋଇ ପଡ଼ିଲା । ପଙ୍ଗୁର ନୃତ୍ୟ ଭଳି ଏ ଯେମିତି ହାସ୍ୟକର କିନ୍ତୁ ଏମିଲିୟା ନୀରବ । ଟିପିଟିପି ବର୍ଷା ଭିତରେ ଗାଡ଼ି ପହଁରି ଯାଉଛି । ଗାଡ଼ିର ସାମନା ଆଲୁଅରେ ଦେଖା ଯାଉଛି ଧାଡ଼ି ଧାଡ଼ି ସାଇପ୍ରେସ, ପାଷାଣ ସ୍ତୁପ, ଶଙ୍ଖଧବଳ ମାର୍ବଲ ପ୍ରତିମୂର୍ତ୍ତ ଓ ପ୍ରଶସ୍ଥ ରାଜପଥ । କିଛିଦୂର ଆଗେଇ ଆସିଲା ପରେ କୃତ୍ରିମ ଉଲ୍ଲାସ ପ୍ରକାଶ କରି କହିଲି.......ଚାଲ ଏଥର ଆମେ ନିଜକୁ ଭୁଲିଯିବା.....ମନେକର—ଆମେ ଦୁଇଜଣ ତରୁଣ ଛାତ୍ରଛାତ୍ରୀ......ଦୁହେଁ ଖୋଜି ବୁଲୁଛୁ ଗୋଟିଏ ନିର୍ଜ୍ଜନ ସ୍ଥାନ ଯେଉଁଠିକି ପହଞ୍ଚି ପାରିବ ନାହିଁ କାହାରି ଦୃଷ୍ଟି । ନିଶ୍ଚିନ୍ତ ଆନନ୍ଦରେ ରଚନା କରିପାରିବା ଜୀବନର ପ୍ରଥମ ନିଭୃତ ମିଳନ—କୁଞ୍ଜ........

ତଥାପି ଏମିଲିୟା କିଛି କହିଲା ନାହିଁ । ସାହସ ପାଇ ଗାଡ଼ି ବନ୍ଦ କଲି । ମୁଷଳଧାରରେ ବର୍ଷା ହେଉଛି । ଅନିଶ୍ଚିତ କଣ୍ଠରେ ପୁନରାୟ କହିଲି......ମନେକର ମୁଁ ମୋର ଓ ଆଉ ତୁମେ ମେରିୟା.......ପରିଶେଷରେ ଆବିଷ୍କାର କରିଛି ଗୋଟାଏ ବୃଷ୍ଟିଶିକ୍ତ ନିର୍ଜ୍ଜନ ସ୍ଥାନ......କିନ୍ତୁ ଆମେତ ଗାଡ଼ିରେ ରହିଛୁ....ଆସ......ଟିକିଏ.....ଆଦର କରିନିଅ.....

ଦୁଇ ବାହୁରେ ତାର କଣ୍ଠ ବେଷ୍ଟନ କରି ଚୁମ୍ବନ କରିବାକୁ ଚାହିଁଲେ । ଏମିଲିୟା ନିଜକୁ ବନ୍ଧନ ମୁକ୍ତ କରିନେବାର ଚେଷ୍ଟାକଲା । ମେତେ ଠେଲି ଦେଇ କହିଲା ଛି...ତୁମେ କଣ ପାଗଳ ହୋଇଯାଇଛ ନା ମାତାଲ ହୋଇ ପଡ଼ିଛ ?

ନା ମାତାଲ ହୋଇନାହିଁ ବା ପାଗଳ ହୋଇନାହିଁ...କେବଳ ଗୋଟାଏ ଚୁମ୍ବନ କରିବାକୁ ଦିଅ ।

ଆବେଗ ମିଶା କଣ୍ଠରେ ସେ କହିଲା, ମୁଁ ଏକଥା ସ୍ୱପ୍ନରେ ବି କଳ୍ପନା କରି ପାରେନା...ଯେତେବେଳେ କୁହେ ଯେ ମୁଁ ତୁମକୁ ଘୃଣା କରେ, ସେତେବେଳେ ତୁମେ ଅବାକ୍‌ ହୋଇଯାଅ...କିନ୍ତୁ ଏତେଦୂର ହେଲା ପରେ ବି...ଯେତେବେଳେ ଏମିତି ବ୍ୟବହାର କର...

କିନ୍ତୁ ତମକୁ ଯେ ମୁଁ ଭଲପାଏ !

ମୁଁ ତମକୁ ଭଲପାଏ ନାହିଁ ।

ମନରେ ଧିକ୍‌କାର ଆସିଲା । ତଥାପି କହିଲି...ଥରେ ଚୁମ୍ବନ କର ଯଦିଓ ଭଲ ପାଅନା ତଥାପି ନ ହେଲେ ଛାଡ଼ିବି ନାହିଁ ।

ଏମିଲିୟାର ଦେହ ଉପରେ ଝାମ୍ପି ପଡ଼ିଲି । ସେ ନୀରବରେ ଗାଡ଼ି ଦରଜା ଖୋଲି ବାହାରି ଗଲା । ବାହାରେ ବୃଷ୍ଟିର ବେଗ କମିନାହିଁ । ରାସ୍ତା ଉପରେ ସେ ଛୁଟି ଚାଲିଛି । ମୁଁ ମଧ୍ୟ ଗାଡ଼ିରୁ ଓହ୍ଳାଇ ଆସିଲି । ରାସ୍ତାରେ ପାଦ ପକେଇବା ମାତ୍ରକେ ପାଦ ଦୁଇଟି ପାଣିରେ ବୁଡ଼ିଗଲା । ଉତ୍ତେଜିତ ହୋଇ ଡାକିଲି...ଏମିଲିୟା...ଏମିଲିୟା...ଫେରିଆସ...କୌଣସି ଭୟ ନାହିଁ...ତୁମକୁ ଆଉ ସ୍ପର୍ଶ କରିବି ନାହିଁ । ଅନ୍ଧକାର ଭିତରେ କୌଣସି ବସ୍ତୁ ସ୍ପଷ୍ଟ ଭାବରେ ଦେଖା ଯାଉ ନ ଥିଲା । ଅଦୂରରେ ତାର କଣ୍ଠସ୍ୱର ଶୁଣାଗଲା...ତୁମେ ଆସ ନାହିଁ, ସେଇଠି ଥାଅ ନ ହେଲେ ପାଦରେ ଚାଲି ଚାଲି ରୋମକୁ ମୁଁ ଫେରିଯିବି ।

 

କଂପିତ କଣ୍ଠରେ କହିଲି, ବେଶ୍‌ ତୁମେ ଯାହା କହୁଛ ତାହା ହେବ ।

 

ବୃଷ୍ଟିରେ ଶାର୍ଟ ଖଣ୍ଡକ ତିନ୍ତି ଗଲା, ଦେହରୁ ଟପ ଟପ କରି ପାଣି ପଡ଼ିବାକୁ ଲାଗିଲା । ଗାଡ଼ିର ଆଲୁଅ ବେଶିଦୂର ଦେଖା ଯାଉ ନ ଥଲା । ଚେଷ୍ଟା ସତ୍ତ୍ୱେ ଓ ଏମିଲିୟାକୁ ଦେଖି ପାରିଲି ନାହିଁ । ହତାଶ ହୋଇ ଡାକିଲି—

 

‘‘ଏମିଲିୟା....ଏମିଲିୟା...

 

ମୋର ଦୁଇ ଆଖିରେ ଉଦ୍‌ଗତ ଅଶ୍ରୁ ।

 

ଅନ୍ଧାକାର ଭିତରୁ ବାହାରି ଆସି ଏମିଲିୟା ମୋ ଆଗରେ ଠିଆହେଲା । କହିଲା ଶପଥ କରି କୁହ...ମୋତେ ସ୍ପର୍ଶ କରିବ ନାହିଁ ?

 

ହଁ...କହୁଛି—ସ୍ପର୍ଶ କରିବି ନାହିଁ ।

 

ଏମିଲିୟା ଉଠିଆସି ଗାଡ଼ି ଭିତରେ ବସିଲା । କହିଲା ଇୟେ ପୁଣି କି ପ୍ରକାର ରସିକତା...ଦେହ ତିନ୍ତି ପାଣିରେ ଜୁଡ଼ୁବୁଡ଼ୁ...ମୁଣ୍ଡରୁ ପଡ଼ୁଛି ଟୋପା ଟୋପା ପାଣି...କାଲି ସକାଳୁ ପୁଣି ବାଳ ‘ଡ୍ରେସ୍‌’ କରେଇବା ପାଇଁ ପଡ଼ିବ ।

 

ପୁନରାୟ ଗାଡ଼ି ଚଳେଇବାକୁ ଲାଗିଲି । ଥରେ ଦୁଇଥର ଏମିଲିୟା କାଶିଲା । ଦେଖେଇବା ପାଇଁ ଚାହିଁଲା—ଯେମିତି ମୋରି ପାଇଁ ତାର ଶର୍ଦ୍ଦି ହୋଇଛି ।

 

ଗାଡ଼ି ଚଳଉ ଚଳଉ ଗୋଟାଏ ସ୍ୱପ୍ନ ଦେଖିଲି—ଅତି କଦର୍ଯ୍ୟ ସ୍ୱପ୍ନ । ମୁଁ ରିକାର୍ଡୋ, ମୋର ପତ୍ନୀର ନାଁ ଏମିଲିୟା—ମୁଁ ତାକୁ ଭଲପାଏ...ସେ ମୋତେ ଭଲ ପାଏନା—ଘୃଣା କରେ ।

ତା ଆରଦିନ ସକାଳେ ନିଦ ଭାଜିଲା । ନିସ୍ତେଜ ଅବସନ୍ନ ହୋଇ ପଡ଼ିଛି, ସମଗ୍ର ଶରୀରରେ ଅସହ୍ୟ ବେଦନା । ଆଗଦନିର ଘଟଣା ଓ ଭବିଷ୍ୟତର ଚିନ୍ତାରେ ମନରେ ଜାଗିଛି ଅସୀମ ଘୃଣା । ଏମିଲିୟା ସେ ପର୍ଯ୍ୟନ୍ତ ଶୋଇଛି । ଛାୟାନ୍ଧକାର ଭିତରେ କିଛି ସମୟ ଶୋଇ ରହିଲି । ଧୀରେ ଧୀରେ ନିଦରେ ଭୁଲି ଯାଇଥିବା ବାସ୍ତୁବତା ସମ୍ବନ୍ଧରେ ସଚେତନ ହୋଇ ଉଠିଲି । ଠିକ କରିବା ପାଇଁ ହେବ—ଓଡ଼ିସିର ଚିତ୍ର ସମ୍ପାଦନାର ଭାର ନେବି କି ନାହିଁ, ଜାଣିବାକୁ ହେବ ଏମିଲିୟା ମୋତେ କାହିଁକି ଘୃଣା କରେ—ଚିନ୍ତା କରିବାକୁ ହେବ ତାର ପ୍ରେମ ଓ ସୋହାଗ ଫେରି ପାଇବାର ଉପାୟ ।

ଆଖି ବୁଜି ଶୋଇ ଶୋଇ ଭାବିବାକୁ ଲାଗିଲି—

ଆମ ଜୀବନର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଏମିତି ଭାବରେ ସମାଧାନ କରିବାର ଚେଷ୍ଟା କ’ଣ କେବଳ ଶକ୍ତିର ଅପଚୟ ନୁହେଁ ? ବୁଝି ପାରିଲ ଏ ସବୁ ପ୍ରଶ୍ନର ଉତ୍ତର ଚିନ୍ତା କରିବା ସଙ୍ଗେ ସଙ୍ଗେ ମୋର କଳ୍ପନା ବାସ୍ତବର ସୁଦୃଢ଼ ଭିତ୍ତି ପରିତ୍ୟାଗ କରି ଉଚ୍ଚାଶାର ଶୂନ୍ୟମାର୍ଗରେ ଉର୍ଦ୍ଧଗାମୀ ହୋଇ ପଡ଼ିଛି ।

କଳ୍ପନାରେ ଦେଖିଲି—ମୁଁ ଓଡ଼ିସିର ଚିତ୍ରନାଟ୍ୟ ରଚନା କରୁଛି...ଏମିଲିୟା ସହିତ ମୋର କୌଣସି ମତାନୈକ ନାହିଁ...ମୋ ପ୍ରତି ତାର ଅବଜ୍ଞା ଶିଶୁସୁଲଭ ଚପଳତା ଆଉ ଭୁଲ ବୁଝାମଣା ଛଡ଼ା ଆଉ କିଛି ନୁହେଁ...ତହିଁରେ ତିଳେ ମାତ୍ର ସତ୍ୟ ନାହିଁ...ତା ସହିତ ପୁଣି ମୋର ଭଲପାଇବା ଆରମ୍ଭ ହୋଇଛି ।

ମୁଁ ଯେପରି ମୋଟାଏ ପ୍ରୀତିକର ଉପସଂହାର କାମନା କରୁଛି । କିନ୍ତୁ ସେହି ଉପସଂହାର ଓ ବର୍ତ୍ତମାନ ଅବସ୍ଥା ମଝିରେ ଯେଉଁ ବିରାଟ ଶୂନ୍ୟତା ବର୍ତ୍ତମାନ ତାକୁ କୌଣସି ପ୍ରକାରେ ପୂରଣ କରି ପାରୁନାହିଁ । ମୁଁ ଚାହେଁ ମୋର ଅନୁକୂଳରେ ସମସ୍ୟାଟା ସମାଧାନ ହେଉ—କିନ୍ତୁ ଜାଣେନା—ଏହା କେମିତି ଭାବରେ ସମ୍ଭବ ।

ଅଳ୍ପ ତନ୍ଦ୍ରା ମାଡ଼ି ଆସିଲା । ତାପରେ ଜାଣେନା କେତେବେଳେ ଗଭୀର ନିଦ୍ରାରେ ହୋଇ ପଡ଼ିଛି । ହଠାତ୍‌ ନିଦରୁ ଉଠି ଦେଖିଲି ଏମିଲିୟା ପ୍ରସାଧନ ଶେଷକରି ମୋର ପାଦ ପାଖରେ ବସିଛି । ଝରକା ଗୁଡ଼ିକ ସବୁ ବନ୍ଦ—ତେଣୁ ସମଗ୍ର କୋଠରୀଟିରେ ବିସ୍ତାର ଲାଭ କରି ରହିଛି ଗୋଟାଏ ପାତଲା ଅନ୍ଧକାର । ଟେବୁଲ ଉପରେ ଲ୍ୟାମ୍ପଟା ଜଳୁଛି । ମୋଟେ ସୂଚନା ପାଇନାହିଁ ଏମିଲିୟା ଲ୍ୟାମ୍ପଟିକୁ ତେଜି ଦେଇ କେତେବେଳେ ଆସି ମୋ ପାଖରେ ବସିଛି ।

ତାକୁ ଏହି ଚିରପରିଚିତ ବେଶରେ ଦେଖି ମୁଗ୍‌ଧ ହୋଇ ପଡ଼ିଲି । ମନେ ପଡ଼ିଲା ଅତୀତର ମଧୁମୟ ସ୍ମୃତି । ରୁଦ୍ଧ କଣ୍ଠରେ କହିଲି—କୁହ...କୁହ ଏମିଲିୟା, ତୁମେ କ’ଣ ମୋତେ ଭଲ ପାଅ...

ସେ ମୋ ପ୍ରଶ୍ନର କୌଣସି ଉତ୍ତର ଦେଲାନାହିଁ । ଅଳ୍ପକ୍ଷଣ ପରେ କହିଲା, ତୁମ ସହିତ ମୋର କେତୋଟି କଥା ଅଛି ।

ସ୍ତବ୍‌ଧ ହୋଇ ପଡ଼ିଲି । କହିବାକୁ ଇଚ୍ଛା ହେଲା—ତୁମ ସହିତ ମୁଁ କୌଣସି କଥାବାର୍ତ୍ତା ହେବାକୁ ଚାହେଁନା...ମୋତେ ଟିକିଏ ଶାନ୍ତିରେ ରହିବାକୁ ଦିଅ । କିନ୍ତୁ ତା ବଦଳରେ ପ୍ରଶ୍ନ କଲି, କେଉଁ କଥା ?

ଆମ ସମ୍ବନ୍ଧରେ ।

କିନ୍ତୁ ଆଉ ତ କିଛି କହିବାର ନାହିଁ—ତୁମେ ମୋତେ ଭଲ ପାଅନା—ଘୃଣା କର ।

ଶାନ୍ତି ସହଜ ଭାବରେ ସେ କହିଲା, ସେ କଥା ନୁହେଁ...କହୁଥିଲି—ମୁଁ ଆଜି ମା’ ପାଖକୁ ଯାଉଛି । ମା’କୁ ଟେଲିଫୋନ କରିବା ପୂର୍ବରୁ ତୁମକୁ କହିବା ପାଇଁ ଆସିଲି ।

ଅନ୍ୟାୟ ଓ ଅପ୍ରତ୍ୟାଶିତ ନ ହେଲେ ମଧ୍ୟ ତାର ଏ ଘୋଷଣାରେ ଆଶ୍ଚର୍ଯ୍ୟ ହେଲି । ଏମିଲିୟା ମୋତେ ଛାଡ଼ି ଚାଲିଯିବ ଏ ଧାରଣା ମନରେ କେବେହେଲେ ଜାଗି ନାହିଁ । ମୋ ପ୍ରତି ତାର ନିଷ୍ଠୁରତା ଚରମ ସୀମାରେ ଆସି ପହଞ୍ଚିଛି ତଥାପି ତା’ର କଥାର ଅର୍ଥ ବୁଝି ପାରିଲି ନାହିଁ ।

ତୁମେ ମୋତେ ଛାଡ଼ିଯିବ—କହୁଛ ?

ହଁ ।

ମୁହୂର୍ତ୍ତେ ନୀରବ ରହି ଝରକାଗୁଡ଼ିକ ଖୋଲି ଦେବାପାଇଁ ଆଗେଇ ଗଲି । ପଛକୁ ଫେରିଚାହିଁ କହିଲି—ଏମିତି ଭାବରେ ତୁମେ ଯାଇ ପାରିବ ନାହିଁ—ମୁଁ ଚାହେନା ଯେ ତୁମେ ଯାଅ-

ପିଲାଙ୍କ ଭଳି କଥା କୁହନାହିଁ । ବିଚ୍ଛେଦ ଛଡ଼ା ଅନ୍ୟ ଉପାୟ ନାହିଁ । ଆମ ଭିତରେ ଆଉ କିଛି ଅବଶେଷ ନାହିଁ...ଅନ୍ତତଃ ମୋର ତ ନାହିଁ...ଏଥିରେ ଦୁହିଙ୍କର ମଙ୍ଗଳ ହେବ.......

ଠିକ୍‌ ମନେନାହିଁ ତାର ଏ ଉକ୍ତିପରେ ମୁଁ କ’ଣ କହିଥିଲି । ତେବେ ଯେତେଦୂର ମନେପଡ଼େ ପ୍ରଳାପ କରିଥିଲି—ଅଙ୍ଗଭଙ୍ଗି କରିଥିଲି ସଂପୂର୍ଣ୍ଣ ଅଚେତନ ଅବସ୍ଥାରେ ! ହୁଏତ ଘର ଭିତରେ ପଦ ଚାରଣ କରିଥିଲି । ଏମିଲିୟାକୁ କହିଥିଲି ଯାଅନାହିଁ...ଯାଅନାହିଁ । ତାକୁ ଜଣାଇଥିଲି ମୋର ଅବସ୍ଥାର କଥା । କାହାକୁ ଉଦ୍ଦେଶ୍ୟ ନ ରଖି ଆପଣ ମନକୁମନ କେତେକଥା କହିଥିଲି ।

କଳ୍ପନା କରି ପାରୁ ନ ଥିଲି ଯେ ସଂପୂର୍ଣ୍ଣ ନିଃସଙ୍ଗ ଅବସ୍ଥାରେ ଏହି ଘରେ ବାସ କରିବାକୁ ପଡ଼ିବ । ନିଶ୍ୱାସ ରୁଦ୍ଧ ହୋଇ ଆସୁଥିଲା...

ନିଃସଙ୍ଗତା ଓ ବିଚ୍ଛେଦର ଚିନ୍ତାରେ ବିଦ୍ରୋହୀ ହୋଇ ଉଠିଲା ମୋର ସକଳ ସତ୍ତା । କୌଣସି ପ୍ରକାରେ ବିଶ୍ୱାସ ହେଲାନାହିଁ । ମୋର ସମଗ୍ର ଚିନ୍ତା ଆଚ୍ଛନ୍ନ କରି ରଖିଛି ଆଶଙ୍କା ଓ ବିଚ୍ଛେଦର ମାଘ, ତାରି ମଝିରେ ଦେଖା ଯାଉଛି ଏମିଲିୟାର ମୁହଁ । ନିଶ୍ଚଳ ଭାବରେ ଏକ ପ୍ରସ୍ତରମୂର୍ତ୍ତି ଭଳି ସେ ବସି ରହିଛି ।

ସେ କହିଲା ଅବିବେକିତାର ପରିଚୟ ଦିଅନାହିଁ ରିକାର୍ଡୋ...ଏଇହେଲା ଆମର ଏକମାତ୍ର ପଥ ।

ତା ସାମନାରେ ଠିଆ ହୋଇ କହିଲି—କିନ୍ତୁ ମୁଁ ତୁମକୁ ଯେ ତ୍ୟାଗ କରିବାକୁ ନାରାଜ–କୌଣସି ଉପାୟରେ ଛାଡ଼ିବି ନାହିଁ ।

କାହିଁକି ଛାଡ଼ିବ ନାହିଁ...ମୋଟେ ଅବୁଝା ହୁଅନାହିଁ ।

ଯାହା କହିବାକୁ ଚାହିଁଥିଲି ଯେମିତି ଠିକ୍‌ ତାହା କରି ପାରିନାହିଁ । ବହୁ କଷ୍ଟରେ ଆତ୍ମଦମନ କରି ପୁଣି ବିଛଣା ଉପରେ ଆସି ବସିଲି ।

କହିଲି କେତେବେଳେ ଯିବାକୁ ଚାହିଁ ?

ଆଜି—ମୋ ଆଡ଼କୁ ଦୃଷ୍ଟିପାତ ନ କରି ଚଞ୍ଚଳ ପଦକ୍ଷେପରେ ଘର ଭିତରୁ ବାହାରିଗଲା ଏମିଲିୟା । ହାତ ପାପୁଲି ଉପରେ ମୁହଁଟି ଥୋଇ ବସି ରହିଲି । କେବେ କଳ୍ପନା ସୁଦ୍ଧା କରିନାହିଁ ଯେ ସେ ଏମିତି କହିବ ବା କରିବ ।

ଏ ଯେମିତି ମୋ ନିଜର ଭୁଲ ! ଘରର ଚାରିଆଡ଼କୁ ଚାହିଁ ଦେଖିଲି । ତୀବ୍ର ଉତ୍ତେଜନାରେ ମନେହେଲା ଘରର ରୂପ ଯେମିତି ବଦଳି ଯାଇଛି—ଘରଟି ସଙ୍କୁଚିତ ହୋଇ ପଡ଼ିଛି-। ଏମିଲିୟା ଯେଉଁ ଘରେ ବସିଥିରା ଇୟେ ସେହି ଘର ନୁହେଁ । ଇୟେ ସେହି ଘର–ଯେଉଁଠି ଏମିଲିୟା ନାହିଁ—ଆଉ କେବେ ହେଲେ ଫେରି ଆସିବ ନାହିଁ—ଯେଉଁଠି ଅନିର୍ଦ୍ଦିଷ୍ଟ କାଳ ଧରି ମୋତେ ବାସ କରିବାକୁ ପଡ଼ିବ ନିଃସଙ୍ଗ, ଏକାକୀ । ଆଖି ଆଗରେ ଭବିଷ୍ୟତର ଛବି ସ୍ପଷ୍ଟତର ହୋଇ ଉଠିଲା । ଦେହରେ ସ୍ୱେଦର ଧାରା । ନିଭୃତ ହୃଦୟରୁ ବାହାରି ଆସିଲା ଦୀର୍ଘଶ୍ୱାସ, ଦୁଇ ଆଖିରୁ ଝରି ପଡ଼ିଲା ଅବିରଳ ଅଶ୍ରୁଧାରା ।

ଆଉ ସେଇଠି ରହି ପାରିଲି ନାହିଁ । ଉନ୍ମାଦଭଳି ଚାଲି ଆସିଲି ବେଡ଼ ରୁମକୁ । ଆଲୁଅରେ ଆଖି ଝଲସି ଗଲା । ଏତେବେଳ ଯାଏ ଅସ୍ପଷ୍ଟ ଆଲୁଅରେ ବସିରହି ଥିଲି । ଏହି ମୁକ୍ତ ଆଲୋକ ଅସହ୍ୟ ବୋଧ ହେଲା ।

ଦେଖିଲି ମଳିନ ଶଯ୍ୟା ଉପରେ ବସି ଏମିଲିୟା ଟେଲିଫୋନ କରୁଛି । କେବଳ ପଦେ କଥା ଶୁଣି ବୁଝି ପାରିଲି ଯେ ସେ ତାର ମା’ ସହିତ କଥାବାର୍ତ୍ତା କରୁଛି । ତାର ମୁହଁ ଉପରେ ଉଦବେଗର ଚିହ୍ନ ସ୍ପଷ୍ଟ, ସେ ବିଚଳିତ ହୋଇ ପଡ଼ିଛି । ଅଦୂରେ ମୁହଁଟାକୁ ଦୁଇ ହାତର ପାପୁଲିରେ ଢାଙ୍କିରଖି ବସି ରହିଲି । ସେତେବେଳ ଯାଏ ଏମିଲିୟା ରିସିଭରଟା ଛାଡ଼ି ନାହିଁ । ଯେମିତି ତାର ମା’ ତା ସହିତ ଅନେକ କଥା କହୁଛନ୍ତି । ଝାପସା ଦୃଷ୍ଟିରେ ଦେଖିଲି ପ୍ରକୃତି ଉପରେ କଲା ମେଘର ଛାୟା ଭଳି ଏମିଲିୟାର ମୁହଁରେ ଫୁଟି ଉଠିଲା ଗୋଟାଏ ନିରାଶା ଓ ରୁଷ୍ଟ ଭାବ । ସେ କହିଲା...ବେଶ...ବୁଝିଲି...ଆଉ କେବେହେଲେ ତୁମକୁ ଏ କଥା କହିବି ନାହିଁ...। କିନ୍ତୁ କଣ କହିବେ ତାର ମା’ । କଥାଟା ସେ ଶୁଣି ପାରିଲା ନାହିଁ...ତାର ଆଉ ଧୈର୍ଯ୍ୟ ନ ଥିଲା । କହିଲା, ଏକଥା ତ ଆଗରୁ କହିଛ...ସବୁ ବୁଝିଲି...ଆଚ୍ଛା—ଆଚ୍ଛା— ।

ପୁନରାୟ ସେ କଣ କହିବାକୁ ଚାହିଁଲେ । ରିସିଭରଟା ରଖି ଦେଇ ଏମିଲିୟା ମୋତେ ଚାହିଁଲା । ସେ ଯେମିତି ହତବୁଦ୍ଧି ହୋଇ ପଡ଼ିଛି । ତାର ହାତଧରି କହିଲି, ଯାଅନାହିଁ...ଯାଅନାହିଁ...ସୁନାଟା ପରା—

ଶିଶୁ, ନାରୀ ଓ କାପୁରୁଷ ଗଣ ଭାବନ୍ତି ଅଶ୍ରୁର ଆବେଦନ ଗଭରୀ । ଅଶ୍ରୁଧାରାରେ ସହଜରେ ମଣିଷର ମନ ତରଳି ଯାଇପାରେ । ମନର ଦୁଃଖରେ ମୁଁ କାନ୍ଦୁଥିଲି । ଆଉ କାପୁରୁଷ ଭଳି ଅଶ୍ରୁ ବିସର୍ଜନ କରୁଥିଲି । ଆଶାଥିଲା ମୋର ଅଶ୍ରୁ ଏମିଲିୟାକୁ ବାଧା ଦେବ । ତେଣୁ ଆଶାନ୍ୱିତ ହୋଇ ପଡ଼ିଥିଲି । ପରକ୍ଷଣରେ ମନେହେଲା—ଏମିଲିୟାକୁ ଛଳନା କରିବା ପାଇଁ ଅଶ୍ରୁ ବିସର୍ଜ୍ଜନ କରିଛି । ତେଣୁ ଲଜ୍ଜିତ ହୋଇ ପଡ଼ିଲି । ସହଳ ଘରୁ ବାହାରି ପେଣ୍ଟଲୁମ୍‌ ପିନ୍ଧିଦେଇ ଗୋଟାଏ ସିଗାରେଟରେ ଅଗ୍ନି ସଂଯୋଗ କଲି । ତାପରେ ଚୌକିରେ ଆସି ବସିଲି । ଏମିଲିୟା ଆସି କହିଲା, କୌଣସି ଚିନ୍ତାନାହିଁ, ଭୟର କୌଣସି କାରଣ ନାହିଁ—ମୁଁ ଯାଉନାହିଁ...ଯାଉନାହିଁ ।

ତାର କଣ୍ଠସ୍ୱରରେ ହତାଶା, ତିକ୍ତତା ଓ ଔଦାସିନ୍ୟ । ଏମିଲିୟା ବିବ୍ରତ ଓ ବିଚଳିତ ଦେଖାଯାଉଛି । ସେ ଆଖିତଳକୁ ପୋତି କଣ ଯେମିତି ଚିନ୍ତାକଲା । ଦେଖିଲି ଏମିଲିୟାର ରକ୍ତିମ ଓଠ ଦୁଇଟି ଥରି ଉଠୁଛି, ସେ ଅସହିଷ୍ଣୁ ହୋଇ ପଡ଼ିଛି ।

ବାଷ୍ପାକୁଳ କଣ୍ଠରେ ଏମିଲିୟା କହିଲା ମୋର ମା ମୋତେ ଚାହାନ୍ତି ନାହିଁ—ସେ କହିଲେ, ମୋର ଘରଟି ସେ ଭଡ଼ା ଦେଇଛନ୍ତି—ପ୍ରଥମରୁ ଦୁଇଜଣ ଭଡ଼ା ନେଇଥିଲେ ବର୍ତ୍ତମାନ ତିନିଜଣ ରହିଛନ୍ତି—ଗୋଟାଏ ହେଲେ ଘର ଖାଲିନାହିଁ—ମୁଁ ଯେ ସତରେ ଯିବାକୁ ଚାହୁଁଛି ଏକଥା ସେ ବିଶ୍ୱାସ କରୁ ନାହାନ୍ତି—କେହି ମୋତେ ଚାହାନ୍ତି ନାହିଁ—ତୁମ ସହିତ ରହିବାକୁ ମୁଁ ବାଧ୍ୟ ହେବି–

କେମିତି ଏକ ନିଦାରୁଣ ଉକ୍ତି—ମୋର ହୃଦୟରେ କିଏ ଯେମିତି ଛୁରିକାଘାତ କଲା । ଘୃଣାରେ କହିଲି—ମୋ ସହିତ ଏମିତି କଥା କହୁଛ କାହିଁକି ? ବାଧ୍ୟ ବା ହେବ କାହିଁକି ? ମୁଁ ତମର କି କ୍ଷତି କରିଛି ? ତୁମେ କାହିଁକି ମୋତେ ଏମିତି ଘୃଣା କର ?

ଏଥର ଏମିଲିୟା ଫୁଲି ଫୁଲି କାନ୍ଦି ଉଠିଲା । ଦୁଇ ହାତରେ ଆଖିର ଲୁହ ପୋଛି କହିଲା, ତୁମେତ ମୋତେ ଛାଡ଼ିବାକୁ ନାରାଜ । ବେଶ୍‌ ମୁଁ ତ ରହିଛି—ତୁମରତ ଖୁସି ହେବା ଉଚିତ–ନୁହେଁ ?

ଅତୀତର ସମସ୍ତ କଥା ଭୁଲିଯାଇ ତାକୁ ଜଡ଼େଇ ଧଇଲି—ସତରେ ମୁଁ ଚାହେଁ ତମେ ଏଇଠି ରୁହ—କିନ୍ତୁ ବାଧ୍ୟ ହୋଇ ନୁହେଁ—କୁହ ଏମିଲିୟା...ମୁଁ କଣ କରିଛି ଯାହାପାଇଁ ତୁମେ ମୋ ସହିତ ଏଭଳି ବ୍ୟବହାର କରୁଛ ?

ଏମିଲିୟା କହିଲା, ତୁମେ ଯଦି ଚାହଁ—ମୁଁ ଚାଲିଯିବି—କେଉଁଠି ଗୋଟାଏ ଛୋଟ ଘର ଭଡ଼ା ନେଇ ପୁନରାୟ ଟାଇପିଷ୍ଟ ହେବି—ମୋତେ ବେଶି ଦିନ ସାହାଯ୍ୟ କରିବାକୁ ତୁମକୁ ପଡ଼ିବ ନାହିଁ—ଗୋଟାଏ କାମ ପାଇବା ମାତ୍ରକେ ତୁମ ପାଖରୁ ମୁଁ ଆଉ କିଛି ଚାହିଁବି ନାହିଁ ।

କହିଲି—ନା...ନା—ନା ଏମିଲିୟା—ମୁଁ ଚାହେଁ, ତୁମେ ଏଇଠି ରୁହ କିନ୍ତୁ ପୁନରାୟ କହୁଛି, ବାଧ୍ୟ ହୋଇ ନୁହେଁ—ବାଧ୍ୟ ହୋଇ ନୁହେଁ ।

ସେ ଯାଏ ସେ କାନ୍ଦୁଥିଲା । କହିଲା, କିନ୍ତୁ ତୁମେତ ବାଧ୍ୟ କରୁ ନାହିଁ, ବାଧ୍ୟ କରୁଛି ମୋର ଜୀବନ ।

ପୁନର୍ବାର ତାକୁ ବୁକୁ ଉପରେ ଜଡ଼େଇ ଧଇଲି । ଇଚ୍ଛା ହେଲା ପ୍ରଶ୍ନ କରନ୍ତି କୁହ—ମୋର ଦୋଷ କେଉଁଠି—କାହିଁକି ମୋତେ ଘୃଣା କର ? କିନ୍ତୁ ବର୍ତ୍ତମାନ ପ୍ରଶ୍ନ କରିବାର ସମୟ ନୁହେଁ । କହିଲି, ଆଉ ଆଲୋଚନା କରି କୌଣସି ଲାଭ ନାହିଁ ତା ଫଳରେ କେବଳ ଦୁଃଖର ମାତ୍ରା ବଢ଼ିବ—ବର୍ତ୍ତମାନ ତମ ପାଖରୁ ମୁଁ ଆଉ କିଛି ଜାଣିବାକୁ ଚାହେଁନା, ତେବେ ଗୋଟାଏ କଥା ମୁଁ ଓଡ଼ିସି ଚିତ୍ରନାଟ୍ୟର ଭାର ନେଇଛି...କିନ୍ତୁ ମି: ବାତ୍ତିସତା କହିଛନ୍ତି ନେପଲସ ଉପସାଗରକୁ ଯାଇ ପ୍ରାକୃତିକ ଦୃଶ୍ୟଗୁଡ଼ିକୁ ଉଠେଇବା ପାଇଁ ହେବ...ତେଣୁ ଠିକ୍‌ ହୋଇଛି ଆମେ କ୍ୟାପ୍ରିକୁ ଯିବା—ସେଇଠି ତୁମେ ତୁମର ମନଖୁସି ନିଶ୍ଚିନ୍ତ ଭାବରେ ଦିନ କଟେଇ ପାରିବ...ସମୁଦ୍ରରେ ସ୍ନାନ କରି ପାରିବ, ବୁଲି ପାରିବ—ତୁମକୁ କେହି ବାଧା ଦେବେ ନାହିଁ—ତୁମର ମା’ ଠିକ୍‌ କହିଛନ୍ତି—ଚିନ୍ତା କରି ଦେଖିବା ଉଚିତ—ଏହି ତିନି ଚାରି ମାସ ମଧ୍ୟରେ ତୁମେ ତୁମର ସଂକଳ୍ପ ମୋତେ ଜଣାଇ ଦେଇ ପାରିବ...ତା ଆଗରୁ ତୁମକୁ ସେ ସମ୍ବନ୍ଧରେ ମୁଁ ପଦେହେଲେ ଜିଜ୍ଞାସା କରିବି ନାହିଁ ।

ଏମିଲିୟା ମୁହଁ ବୁଲେଇ ବସିଥିଲା ଯେମିତି ସେ ମୋତେ ଦେଖିବାକୁ ନ ପାଏ । ମୋ କଥାରେ ଆଶ୍ୱସ୍ତ ହୋଇ କହିଲା, ଆମେ କେବେ ଯିବା ?

ଖୁବ୍‌ଶୀଘ୍ର ଅର୍ଥାତ ପ୍ରାୟ ଦଶଦିନ ଭିତରେ—ପରିଚାଳକ ପ୍ୟାରିସରୁ ଫେରି ଆସିବା ପରଦିନ ।

ସେତେବେଳଯାଏ ଏମିଲିୟାର ନରମ ବୁକୁଟି ମୋ ବୁକୁ ଉପରେ ଲାଗି ରହିଛି । ଭାବିଲି ଗୋଟାଏ ଚୁମ୍ବନ ଦେବାର ଦୁଃସାହସ ପୁଣି କରିବି କି ନାହିଁ । ମୋର ଆଲିଙ୍ଗନ ଭିତରେ ସେ ନିର୍ବିକାର ଭାବରେ ରହିଛି । ଇୟେ ଯେମିତି ତାର ନୀରବ ଆତ୍ମା—ସମର୍ପଣ ।

ଧୀର କଣ୍ଠରେ ପ୍ରଶ୍ନ କଲା ଏମିଲିୟା, ସେଇଠି ଆମେ କେଉଁଠି ରହିବା ? ହୋଟେଲରେ ?

ତାକୁ ଖୁସି କରିବା ପାଇଁ କହିଲି, ହୋଟେଲ ଅପେକ୍ଷା ଖୁବ୍‌ ଭଲ ଯାଗା ମିଳିଛି...ହୋଟେଲରେ କଣ ରୁହା ଯାଇପାରେ ? ମି: ବାତ୍ତିସତା ତାଙ୍କର ପ୍ରମୋଦ—ପ୍ରାସାଦଟା ଦେବେ...ସେଇଠି ହିଁ ଆମେ ରହିବା ।

 

ସେଦିନ ମି: ବାତ୍ତିସତାଙ୍କର ଚିତ୍ରନାଟ୍ୟ ଲେଖିବା ପାଇଁ ରାଜି ହେବା ତାର କଣ୍ଠସ୍ୱରରେ ହତାଶା, ତିକ୍ତତା ଓ ଔଦାସିନ୍ୟ । ଏମିଲିୟା ବିବ୍ରତ ଓ ବିଚଳିତ ଦେଖାଯାଉଛି । ସେ ଆଖିତଳକୁ ପୋତି କଣ ଯେମିତି ଚିନ୍ତାକଲା । ଦେଖିଲି ଏମିଲିୟାର ରକ୍ତିମ ଓଠ ଦୁଇଟି ଥରି ଉଠୁଛି, ସେ ଅସହିଷ୍ଣୁ ହୋଇ ପଡ଼ିଛି ।

 

ବାଷ୍ପାକୁଳ କଣ୍ଠରେ ଏମିଲିୟା କହିଲା ମୋର ମା ମୋତେ ଚାହାନ୍ତି ନାହିଁ—ସେ କହିଲେ, ମୋର ଘରଟି ସେ ଭଡ଼ା ଦେଇଛନ୍ତି—ପ୍ରଥମରୁ ଦୁଇଜଣ ଭଡ଼ା ନେଇଥିଲେ ବର୍ତ୍ତମାନ ତିନିଜଣ ରହିଛନ୍ତି—ଗୋଟାଏ ହେଲେ ଘର ଖାଲିନାହିଁ—ମୁଁ ଯେ ସତରେ ଯିବାକୁ ଚାହୁଁଛି ଏକଥା ସେ ବିଶ୍ୱାସ କରୁ ନାହାନ୍ତି—କେହି ମୋତେ ଚାହାନ୍ତି ନାହିଁ—ତୁମ ସହିତ ରହିବାକୁ ମୁଁ ବାଧ୍ୟ ହେବି–

 

କେମିତି ଏକ ନିଦାରୁଣ ଉକ୍ତି—ମୋର ହୃଦୟରେ କିଏ ଯେମିତି ଛୁରିକାଘାତ କଲା । ଘୃଣାରେ କହିଲି—ମୋ ସହିତ ଏମିତି କଥା କହୁଛ କାହିଁକି ? ବାଧ୍ୟ ବା ହେବ କାହିଁକି ? ମୁଁ ତମର କି କ୍ଷତି କରିଛି ? ତୁମେ କାହିଁକି ମୋତେ ଏମିତି ଘୃଣା କର ?

 

ଏଥର ଏମିଲିୟା ଫୁଲି ଫୁଲି କାନ୍ଦି ଉଠିଲା । ଦୁଇ ହାତରେ ଆଖିର ଲୁହ ପୋଛି କହିଲା, ତୁମେତ ମୋତେ ଛାଡ଼ିବାକୁ ନାରାଜ । ବେଶ୍‌ ମୁଁ ତ ରହିଛି ତୁମର ତ ଖୁସି ହେବା ଉଚିତ–ନୁହେଁ ?

 

ଅତୀତର ସମସ୍ତ କଥା ଭୁଲିଯାଇ ତାକୁ ଜଡ଼େଇ ଧଇଲି—ସତରେ ମୁଁ ଚାହେଁ ତମେ ଏଇଠି ରୁହ—କିନ୍ତୁ ବାଧ୍ୟ ହୋଇ ନୁହେଁ—କୁହ ଏମିଲିୟା...ମୁଁ କଣ କରିଛି ଯାହାପାଇଁ ତୁମେ ମୋ ସହିତ ଏଭଳି ବ୍ୟବହାର କରୁଛ ?

 

ଏମିଲିୟା କହିଲା, ତୁମେ ଯଦି ଚାହଁ—ମୁଁ ଚାଲିଯିବି—କେଉଁଠି ଗୋଟାଏ ଛୋଟ ଘର ଭଡ଼ା ନେଇ ପୁନରାୟ ଟାଇପିଷ୍ଟ ହେବି—ମୋତେ ବେଶି ଦିନ ସାହାଯ୍ୟ କରିବାକୁ ତୁମକୁ ପଡ଼ିବ ନାହିଁ—ଗୋଟାଏ କାମ ପାଇବା ମାତ୍ରକେ ତୁମ ପାଖରୁ ମୁଁ ଆଉ କିଛି ଚାହିଁବି ନାହିଁ ।

 

କହିଲି—ନା...ନା—ନା ଏମିଲିୟା—ମୁଁ ଚାହେଁ, ତୁମେ ଏଇଠି ରୁହ କିନ୍ତୁ ପୁନରାୟ କହୁଛି, ବାଧ୍ୟ ହୋଇ ନୁହେଁ—ବାଧ୍ୟ ହୋଇ ନୁହେଁ ।

 

ସେ ଯାଏ ସେ କାନ୍ଦୁଥିଲା । କହିଲା, କିନ୍ତୁ ତୁମେତ ବାଧ୍ୟ କରୁନାହିଁ, ବାଧ୍ୟ କରୁଛି ମୋର ଜୀବନ ।

 

ପୁନର୍ବାର ତାକୁ ବୁକୁ ଉପରେ ଜଡ଼େଇ ଧଇଲି । ଇଚ୍ଛା ହେଲା ପ୍ରଶ୍ନ କରନ୍ତି—ମୋର ଦୋଷ କେଉଁଠି—କାହିଁକି ମୋତେ ଘୃଣା କର ? କିନ୍ତୁ ବର୍ତ୍ତମାନ ପ୍ରଶ୍ନ କରିବାର ସମୟ ନୁହେଁ । କହିଲି, ଆଉ ଆଲୋଚନା କରି କୌଣସି ଲାଭ ନାହିଁ ତା ଫଳରେ କେବଳ ଦୁଃଖର ମାତ୍ରା ବଢ଼ିବ–ବର୍ତ୍ତମାନ ତମ ପାଖରୁ ମୁଁ ଆଉ କିଛି ଜାଣିବାକୁ ଚାହେଁନା, ତେବେ ଗୋଟାଏ କଥା ମୁଁ ଓଡ଼ିସି ଚିତ୍ରନାଟ୍ୟର ଭାର ନେଇଛି...କିନ୍ତୁ ମି: ବାତ୍ତିସତା କହିଛନ୍ତି ନେପଲସ ଉପସାଗରକୁ ଯାଇ ପ୍ରାକୃତିକ ଦୃଶ୍ୟଗୁଡ଼ିକୁ ଉଠେଇବା ପାଇଁ ହେବ...ତେଣୁ ଠିକ୍‌ ହୋଇଛି ଆମେ କ୍ୟାପ୍ରିକୁ ଯିବା—ସେଇଠି ତୁମେ ତୁମର ମନଖୁସି ନିଶ୍ଚିନ୍ତ ଭାବରେ ଦିନ କଟେଇ ପାରିବ...ସମୁଦ୍ରରେ ସ୍ନାନ କରିପାରିବ, ବୁଲି ପାରିବ—ତୁମକୁ କେହି ବାଧା ଦେବେ ନାହିଁ—ତୁମର ମା’ ଠିକ୍‌ କହିଛନ୍ତି—ଚିନ୍ତା କରି ଦେଖିବା ଉଚିତ—ଏହି ତିନି ଚାରି ମାସ ମଧ୍ୟରେ ତୁମେ ତୁମର ସଂକଳ୍ପ ମୋତେ ଜଣାଇ ଦେଇ ପାରିବ...ତା ଆଗରୁ ତୁମକୁ ସେ ସମ୍ବନ୍ଧରେ ମୁଁ ପଦେହେଲେ ଜିଜ୍ଞାସା କରିବି ନାହିଁ ।

 

ଏମିଲିୟା ମୁହଁ ବୁଲେଇ ବସିଥିଲା ଯେମିତି ସେ ମୋତେ ଦେଖିବାକୁ ନ ପାଏ । ମୋ କଥାରେ ଆଶ୍ୱସ୍ତ ହୋଇ କହିଲା, ଆମେ କେବେ ଯିବା ?

 

ଖୁବ୍‌ଶୀଘ୍ର ଅର୍ଥାତ ପ୍ରାୟ ଦଶଦିନ ଭିତରେ—ପରିଚାଳକ ପ୍ୟାରିସରୁ ଫେରିଆସିବା ପରଦିନ ।

 

ସେତେବେଳଯାଏ ଏମିଲିୟାର ନରମ ବୁକୁଟି ମୋ ବୁକୁ ଉପରେ ଲାଗି ରହିଛି । ଭାବିଲି ଗୋଟାଏ ଚୁମ୍ବନ ଦେବାର ଦୁଃସାହସ ପୁଣି କରିବି କି ନାହିଁ । ମୋର ଆଲିଙ୍ଗନ ଭିତରେ ସେ ନିର୍ବିକାର ଭାବରେ ରହିଛି । ଇୟେ ଯେମିତି ତାର ନୀରବ ଆତ୍ମସମର୍ପଣ ।

 

ଧୀର କଣ୍ଠରେ ପ୍ରଶ୍ନ କଲା ଏମିଲିୟା, ସେଇଠି ଆମେ କେଉଁଠି ରହିବା ? ହୋଟେଲରେ ?

 

ତାକୁ ଖୁସି କରିବା ପାଇଁ କହିଲି, ହୋଟେଲ ଅପେକ୍ଷା ଖୁବ୍‌ ଭଲ ଯାଗା ମିଳିଛି...ହୋଟେଲରେ କଣ ରୁହା ଯାଇପାରେ ? ମି: ବାତ୍ତିସତା ତାଙ୍କର ପ୍ରମୋଦ—ପ୍ରାସାଦଟା ଦେବେ...ସେଇଠି ହିଁ ଆମେ ରହିବା ।

 

ସେଦିନ ମି: ବାତ୍ତିସତାଙ୍କର ଚିତ୍ରନାଟ୍ୟ ଲେଖିବା ପାଇଁ ରାଜି ହେବା ପରେ ଯାହା ଅନୁଭବ କରିଥିଲି—ଆଜି ମଧ୍ୟ ଠିକ୍‌ ସେହି ଅନୁଭୂତି ମୋର ହେଲା...ଏ ପରିକଳ୍ପନାଟି ଏମିଲିୟାର ମନଃପୁତ୍ତ ହୋଇନାହିଁ ।

 

ମୋର ବାହୁ ବନ୍ଧନରୁ ନିଜକୁ ସେ ମୁକ୍ତ କରିନେଇ କହିଲା, ମି: ବାତ୍ତିସତାଙ୍କର ପ୍ରମୋଦ—ପ୍ରାସାଦ ! ତୁମେ ରାଜି ହୋଇଛ ?

 

ଭାବିଥିଲି, ତୁମେ ଖୁସି ହେବ...ହୋଟେଲ ଅପେକ୍ଷା ପ୍ରମୋଦ—ପ୍ରାସାଦଟା କଣ ଭଲ ନୁହେଁ ?

 

କୁହନା—ତମେ ରାଜି ହୋଇଛ କି ନାହିଁ ?

 

ହଁ ।

 

ପରିଚାଳକ ବି ସେଇଠି ରହିବେ ?

 

ନା—ରେନ୍‌ଗୋଲ୍‌ଡ ହୋଟେଲରେ ରହିବେ ।

 

ମି: ବାତ୍ତିସତା ଯିବେ ?

 

ମି: ବାତ୍ତିସତା ! ହଁ ସମୟ ସମୟରେ...ସପ୍ତାହରେ ଥରେ ଦୁଇ ଥର ଅଳ୍ପ ସମୟ ପାଇଁ ଯାଇପାରନ୍ତି । ସେ କେବଳ ଦେଖିବେ କାମଟା କେମିତି ଆଗଉଛି ।

 

ଆଉ କୌଣସି କଥା ନ କହି ପକେଟରୁ ରୁମାଲ ଖଣ୍ଡକ କାଢ଼ି ଏମିଲିୟା ନାକ ପୋଛିବାକୁ ଲାଗିଲା । ତାର ପିନ୍ଧିଥିବା ଜାମା ଖଣ୍ଡକ ଅଣ୍ଟା ପର୍ଯ୍ୟନ୍ତ ଖୋଲିଗଲା । ଇୟେ ଯେମିତି ଏକ ମୌନ ଇଂଗିତ । ଇଚ୍ଛା ହେଲା—ତାକୁ ପାଖକୁ ଟାଣି ନିଅନ୍ତି । କିନ୍ତୁ ଠିକ୍‌କଲି ଆକାଂକ୍ଷା ଯେତେ ତୀବ୍ର ହେଉନା କାହିଁକି—ତାକୁ ସ୍ପର୍ଶ କରିବି ନାହିଁ । ତାକୁ ଚାହିଁ ରହିଲି, ଛାତି ଥରିବାକୁ ଲାଗିଲା—ଯଦି ମୁହାଁମୁହିଁ ହୋଇଯାଏ ।

 

ଯାହା ଆଶଙ୍କା କରିଥିଲି ତାହା ଘଟିଲା ।

 

ନାକପୋଛି ନେଇ ମୁହଁରେ ମ୍ଳାନ ହସର ରେଖାଟିଏ ଅଙ୍କନ କରି ଏମିଲିୟା ସହଜ ଶାନ୍ତ କଣ୍ଠରେ କହିଲା—ତୁମେ ଦେଖୁଛି ବର୍ତ୍ତମାନ ନିଜ ସ୍ତ୍ରୀର ନଗ୍ନ ରୂପ ଦେଖିବାରେ ଆଦୌ ଲଜ୍ଜିତ ନୁହଁ—ଅବଶ୍ୟ ଲୁକ୍‌କାୟିତ ଭାବରେ ।

 

ତାପରେ ପୋଷାକ ସଜାଡ଼ି ନେଇ ସେ କହିଲା—ମୁଁ କ୍ୟାପ୍ରିକୁ ଯିବା ପାଇଁ ରାଜି ମାତ୍ର ଗୋଟାଏ ସର୍ତ୍ତରେ ।

 

କୌଣସି ସର୍ତ୍ତ କଥା କୁହ ନାହିଁ—ଏଥିରେ କୌଣସି ସର୍ତ୍ତ ନାହିଁ ।

 

କ୍ୟାପ୍ରି ଯାତ୍ରା କରିବାଦିନ ସକାଳୁ ରାସ୍ତାକୁ ଆସି ଦେଖିଲି—ମୋର ଛୋଟ ଗାଡ଼ିଟି ପାଖରେ ଠିଆ ହୋଇଛି ମି: ବାତ୍ତିସତାଙ୍କର ଲାଲ ମୋଟର ଗାଡ଼ିଟି । ମି: ବାତ୍ତିସତା ଆମ୍ଭମାନଙ୍କ ସହିତ ଯିବେ । ଆମେ ତାଙ୍କର ଅତିଥି ତେଣୁ ତାଙ୍କ ବ୍ୟତୀତ ଆମର ଯିବା ଅସମ୍ଭବ । କିଏ ସେଇଠି ଆମର ଅଭ୍ୟର୍ଥନା କରିବ ? ନୂତନ ଜାଗା—ସେ ସବୁ ବନ୍ଦୋବସ୍ତ କରିଦେଇ ଆସିବେ ।

 

ଜୁନ୍‌ ମାସର ଆୟମାରମ୍ଭ । କିନ୍ତୁ ଆକାଶ ମେଘାଚ୍ଛନ୍ନ—ସୁଲୁ—ସୁଲିଆ ଥଣ୍ଡା ପବନ ବୋହୁଛି । ମି: ବାତ୍ତିସତା ଅଳ୍ପଦୂରରେ ଠିଆ ହୋଇ ରେନ୍‌ଗୋଲ୍‌ଡଙ୍କ ସହିତ ଆଲୋଚନା କରୁଛନ୍ତି-। ମୁଁ ଓ ଏମିଲିୟା ଆଗେଇ ଆସିଲୁ ।

 

ମି: ବାତ୍ତିସତା ଆମ୍ଭମାନଙ୍କୁ ସ୍ୱାଗତ କରି କହିଲେ, ଏଥର କୁହନ୍ତୁ ବ୍ୟବସ୍ଥାଟା କେମିତି କରାଯାଇ ପାରେ ? ମୋର ଉତ୍ତରକୁ ଅପେକ୍ଷା ନ କରି ସେ ନିଜେ କହିଲେ, ମୁଁ ପ୍ରସ୍ତାବ କରୁଛି ମିସେସ୍‌ମଲଟେନି ମୋର ଗାଡ଼ିରେ ଯିବେ ଆଉ ଆପଣ ରେନ୍‌ଗୋଲ୍‌ଡଙ୍କ ସହିତ ଯାଆନ୍ତୁ—ରାସ୍ତାରେ ଚିତ୍ରଟି ସମ୍ବନ୍ଧରେ ଆପଣମାନେ ନିଜ ଭିତରେ ଆଲୋଚନା କରିପାରିବେ । ତାପରେ ମୁରୁକି ମୁରୁକି ହସି ଗମ୍ଭୀର କଣ୍ଠରେ କହିଲେ, କାହିଁକିନା—କହିବାକୁ ଗଲେ କାମଟା ଆଜିଠୁ ଆରମ୍ଭ ହେଲା—ଦୁଇମାସ ଭିତରେ ଚିତ୍ରନାଟ୍ୟଟି ମୋର ଦରକାର ।

Unknown

 

ଏମିଲିୟାକୁ ଚାହିଁ ଦେଖିଲି । ତାର ମୁହଁରେ ଉଦବେଗ ଓ ଅବଜ୍ଞାର ଭାବ । ମୁଁ ଦେଖି ବି ଯେମିତି ଦେଖି ପାରିଲି ନାହିଁ । ମି: ବାତ୍ତିସତାଙ୍କ ପ୍ରସଙ୍ଗ ଯୁକ୍ତିସଙ୍ଗତ । ତେଣୁ ଥରେ ହେଲେ ଚିନ୍ତା କଲିନାହିଁ ଯେ—ଏମିଲିୟାର ଅବସ୍ଥା ସହିତ ମି: ବାତ୍ତିସତାଙ୍କ ପ୍ରସ୍ତାବର କୌଣସି ସମ୍ପର୍କ ଅଛି କି ନାହିଁ... ।

 

ଏମିଲିୟା କହିଲା, ଆପଣ ପବନ ବେଗରେ ଗାଡ଼ି ଚଲାନ୍ତି, ମୋର ଭୟହୁଏ ।

 

ତାର ହାତ ଧରି ମି: ବାତ୍ତିସତା କହିଲେ, ଆସନ୍ତୁ...ମୁଁ ଥିବାଯାଏ ଭୟର କୌଣସି କାରଣ ନାହିଁ...ତା’ଛଡ଼ା...ଏତେ ଭୟ କେଉଁଥି ପାଇଁ...? ଆପଣଙ୍କର କ’ଣ ଧାରଣା ମୋର ଜୀବନର ମାୟା ନାହିଁ ?

 

ମି: ବାତ୍ତିସତା ଯେମିତି ଏକ ପ୍ରକାର ଟାଣିଟାଣି ତାକୁ ଗାଡ଼ି ପାଖକୁ ନେଇଗଲେ । ଏମିଲିୟା ଜିଜ୍ଞାସୁ, ବିହ୍ୱଳ ଦୃଷ୍ଟିରେ ମୋତେ ଚାହିଁଲା । ଥରେ ଚିନ୍ତାକଲି ମୋ ସହିତ ଆସିବାକୁ ତାକୁ କହିବି କି ନାହିଁ । କିନ୍ତୁ ତହିଁରେ ମି: ବାତ୍ତିସତା ଅସନ୍ତୁଷ୍ଟ ହେବେ । ତେଣୁ କିଛି କହିଲି ନାହିଁ ।

 

ଏମିଲିୟା ପୁଣି ମୃଦୁ ପ୍ରତିବାଦ ଜଣାଇଲା—ମୋ ପକ୍ଷରେ ମି: ମଲ୍‌ଟେନିଙ୍କ ସାଥିରେ ଗଲେ ଭଲ ହୁଅନ୍ତା...

 

ମି: ବାତ୍ତିସତା ରସିକତା କରି କହିଲେ, ସତରେ ଆପଣ ଅତି ମାତ୍ରାରେ ସ୍ୱାମୀ ସୋହାଗିନୀ । ସବୁବେଳେ ସ୍ୱାମୀଙ୍କ ସହିତ କଟେଇବେ କାହିଁକି ? ଆସନ୍ତୁ ନୋହିଲେ କିନ୍ତୁ ଅଭିମାନ କରିବି ।

 

ମି: ବାତ୍ତିସତା ଗାଡ଼ିର ଦରଜା ଖୋଲି ଧଇଲେ—ଏମିଲିୟା ଭିତରକୁ ଯାଇ ବସିଲା । ମି: ବାତ୍ତିସତା ଗାଡ଼ିରେ ଉଠିପଡ଼ି ତା ପାଖରେ ବସିଲେ । ମି: ରେନ୍‌ଗୋଲ୍‌ଡ ଓ ମୁଁ ଆମ ଗାଡ଼ିରେ ବସିଲୁ । ଦୁଇଟିଯାକ ଗାଡ଼ି ଚାଲିଲା । ଅଳ୍ପ ସମୟ ପରେ ମି: ବାତ୍ତିସତାଙ୍କ ଗାଡ଼ି ତୀର ବେଗରେ ଆମକୁ ପଛରେ ପକେଇ ବାହାରିଗଲା ।

 

ମି: ବାତ୍ତିସତା କହିଛନ୍ତି—ଆମେ ରାସ୍ତାରେ ଯେମିତି ଚିତ୍ରନାଟ୍ୟ ସମ୍ବନ୍ଧରେ ଆଲୋଚନା କରୁ । ଏକଥା କହିବାର କୌଣସି ପ୍ରୟୋଜନ ନ ଥିଲା । ନଗରୀର ସୀମା ପାରି ହୋଇ ଆସିଲୁ । ମି: ରେନ୍‌ଗୋଲ୍‌ଡ ଏଥର ମୁହଁ ଫିଟେଇଲେ, ସେଦିନ ମି: ବାତ୍ତିସତାଙ୍କ ଅଫିସରେ ଆପଣ ଭୟ ପାଇଥିଲେ ବୋଧହୁଏ...ଭାବିଥିଲେ ଏଭଳି ଗୋଟାଏ ଅସାମାନ୍ୟ ଚିତ୍ରର ଦାୟିତ୍ୱ ଆପଣଙ୍କ ଉପରେ ଲଦି ଦିଆଯାଉଛି—ନୁହେଁ ? ସେ ଅସାମାନ୍ୟ ଶବ୍ଦଟି ଉପରେ ଟିକିଏ ବିଶେଷ ଜୋର ଦେଇ ହସିବାକୁ ଲାଗିଲେ ।

 

ଅନ୍ୟମନସ୍କ ଭାବରେ କହିଲି, ବର୍ତ୍ତମାନ ପର୍ଯ୍ୟନ୍ତ ମୋର ଭୟ ପୁରାପୁରି କଟିନାହିଁ ।

 

କଣ୍ଠରେ କର୍ତ୍ତୃତ୍ୱର ସୁର ଫୁଟେଇ ମି: ରେନ୍‌ଗୋଲ୍‌ଡ କହିଲେ—ଆପଣଙ୍କର କୌଣସି ଭୟ ନାହିଁ...ମନସ୍ତତ୍ତ୍ୱମୂଳକ ଚିତ୍ର ହିଁ ଆମେ ପ୍ରସ୍ତୁତ କରିବା...ଆପଣଙ୍କୁ ଯେମିତି ପ୍ରତିଶ୍ରୃତି ଦେଇଛି ଠିକ୍‌ ସେମିତି । ଆଉ ଜାଣନ୍ତି ମି: ମଲଟେନି, ଅନ୍ୟାନ୍ୟ ଚିତ୍ରନିର୍ମାତାଗଣ ଯେମିତି ଭୟ କରନ୍ତି...ସେମିତି ଭୟ ମୋର ନାହିଁ...ମୁଁ କଣ ଚାହେଁ ଜାଣନ୍ତି...ଚଳଚିତ୍ରର ଦୃଶ୍ୟସଜ୍ଜାର ସଂପୂର୍ଣ୍ଣ କର୍ତ୍ତୃତ୍ୱ ରହିବ ଆମ ହାତରେ—ନ ହେଲେ ଚିତ୍ର ନିଆ ହେବନାହିଁ...ଏହି ହେଲା ମୋର ସ୍ପଷ୍ଟ କଥା–ବୁଝିଲେ ?

 

—ନିଶ୍ଚୟ । ତାଙ୍କର କଥାଶୁଣି ଆନନ୍ଦିତ ହେଲି । ଆଶା ହେଲା ବାତ୍ତିସତାଙ୍କ ଚିତ୍ରପାଇଁ କାମ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ...

 

ଅଳ୍ପ ସମୟ ପରେ ମି: ଗେନ୍‌ଗୋଲ୍‌ଡ କହିଲେ, ଏଥର ଶୁଣନ୍ତୁ ମୋର ଆଇଡିଆଟି...ଗାଡ଼ି ଚଳଉ ଚଳଉ ଶୁଣି ପାରିବେତ ?

 

ନିଶ୍ଚୟ, ନିଶ୍ଚୟ...ଆପଣ କହନ୍ତୁନା...ମୁଁ ଶୁଣୁଛ ।

 

ଦେଖନ୍ତୁ ମି: ମଲଟେନି କ୍ୟାପ୍ରିକୁ ଆସିବା ପାଇଁ ହେଇଛି—ବର୍ହି—ଦୃଶ୍ୟଗୁଡ଼ିକ ନେପଲ୍‌ସ ଉପସାଗରରେ ହିଁ ନିଆହେବ—କିନ୍ତୁ ଦୃଶ୍ୟଗୁଡ଼ିକ ହେବ କେବଳ ପଟ୍ଟଭୂମି—ଅନ୍ୟ ଅଶଂଗୁଡ଼ିକ ପାଇଁ ରୋମରେ ହିଁ ରହିବାକୁ ହେବ—ଇଉଲିସିସ ନାଟକଟି କୌଣସି ନାବୀକ, ସୈନିକ ବା ଆବିଷ୍କାରଙ୍କର କାହାଣୀ ନୁହେଁ—ଏହି ନାଟକଟି ସର୍ବକାଳରେ ସର୍ବ ମଣିଷଜାତିର କାହାଣୀ—ଇଉଲିସିସର ରୂପକଥା ଅନ୍ତରାଳରେ ରହିଛି ସମାଜର ଗୋଟିଏ ଶ୍ରେଣୀରେ ବାସକରୁଥିବା ପୁରୁଷ ଓ ସ୍ତ୍ରୀଙ୍କ ପ୍ରକୃତ ଜୀବନ କାହାଣୀ ।

 

କୌଣସି ଚିନ୍ତା ନକରି ଗ୍ରୀକ୍‌ ଉପକଥା ମାତ୍ରକେ ମଣିଷର ଜୀବନାଟ୍ୟ—କାଲାତୀତ, ସ୍ଥାନାତୀତ, ଚିରନ୍ତନ ।

 

ସତରେ ସେଇୟା...କହିବାକୁ ଗଲେ ପ୍ରତ୍ୟେକଟି ଗ୍ରୀକ୍‌ ଉପକଥା ମଣିଷ ଜୀବନର ଆଦର୍ଶ ରୂପକ...ଏହି ପ୍ରାଚୀନ, ବିସ୍ମୃତପ୍ରାୟ ଉପକଥା ବଞ୍ଚେଇ ରଖିବା ପାଇଁ ବର୍ତ୍ତମାନ ଏଯୁଗରେ ଆମକୁ କଣ କରିବାକୁ ହେବ । ଉପକଥାଗୁଡ଼ିକ ଉପରେ ଭିତ୍ତିକରି ରଚିତ ଗ୍ରୀକ୍‌ ସାହିତ୍ୟର ସର୍ବୋତ୍‌କୃଷ୍ଟି ସୃଷ୍ଟି ମଧ୍ୟରେ ନିଜର ଅସ୍ତିତ୍ୱ ହରେଇ ନଦେଇ ଆଧୁନିକ ଜଗତ୍‌ ଓ ଜୀବନ ସହିତ ତାର ଯୋଗସୂତ୍ର ସ୍ଥାପନ କରିବାକୁ ପଡ଼ିବ, ସଂପୂର୍ଣ୍ଣ ସ୍ୱାଧୀନ ଦୃଷ୍ଟି ଭଙ୍ଗିରେ ଯୁଗୋପଯୋଗୀ କରି ରୁପାୟିତ କରିବାକୁ ପଡ଼ିବ...ଜୀବନ୍ତ କରି ତୋଳିବାକୁ ପଡ଼ିବ...ଯେମିତି ଧରନ୍ତୁ ଓନୀଲର ‘ମର୍ଣ୍ଣି ବିକମସ୍‌ ଇଲେକ୍‌ଟ୍ରା’...ଓନୀଲ ବୁଝି ପାରିଥିଲେ ଯେ ପ୍ରାଚୀନ ଉପକଥା ଗୁଡ଼ିକର ଆଧୁନିକ ଭାଷ୍ୟ ପ୍ରୟୋଜନ । ତେବେ ଏହି ଚିତ୍ରଟି ସମ୍ବନ୍ଧରେ ମୁଁ ମୋଟେ ଚିନ୍ତା କରୁନାହିଁ । କାହିଁକି ଜାଣନ୍ତି ? କାହାଣୀଟିକୁ ସେ ପୁରାପୁରି ଅବିକୃତ ରଖିଛନ୍ତି—ଏ ଯେମିତି ରୁଲଟଣା ଖାତା ଉପରେ ଲେଖା...ଲାଇନଗୁଡ଼ିକ ସ୍ପଷ୍ଟ ଦେଖା ଯାଇଛି ।

 

 

ଓନୀଲଙ୍କର ସମାଲୋଚନା କରି ମି: ରେନ୍‌ଗୋଲ୍‌ଡ ଗଭୀର ଆତ୍ମପ୍ରସାଦ ଲାଭକଲେ-। ତାଙ୍କର ହସର ଝଙ୍କାର କାନରେ ଆସି ବାଜିଲା ।

 

ଆମେ ନଦୀ କୂଳରେ ଆସି ପହଞ୍ଚି ଯାଇଛୁ । ପାଚିଲା ଧାନକ୍ଷେତର ସୁନେଲି ଆସ୍ତରଣ ଆଉ ପିଙ୍ଗଳ ପାହାଡ଼ ଭିତର ଦେଇ ଆମେ ଅଗ୍ରସର ହେଉଛୁ—ମଝିରେ ମଝିରେ ଆଖିରେ ପଡ଼ୁଛି ଗୋଟାଏ ଦୁଇଟି ଗଛ...ସବୁଜ ପତ୍ରରେ ଶ୍ରୀମଣ୍ଡିତ ।

 

ମି: ବାତ୍ତିସତାଙ୍କ ଅନେକ ପଛରେ ଆମେ ପଡ଼ି ଯାଇଛୁ । ଦୃଷ୍ଟି ସୀମା ଭିତରେ—ନିର୍ଜନ ଶୂନ୍ୟ ରାସ୍ତା, ଜନମାନବର ଚିହ୍ନବର୍ଣ୍ଣ ନାହିଁ ।

 

ମି: ରେନ୍‌ଗୋଲ୍‍ଡ ପୁନରାୟ କହିବାକୁ ଲାଗିଲେ—ଓନୀଲ ଯଦି ବୁଝି ପାରିଥାନ୍ତେ ଉପକଥା ଗୁଡ଼ିକର ଆଧୁନିକ ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିବାକୁ ହେବ ! ବିଷୟ ବସ୍ତୁ ଉପରେ ତାଙ୍କର ପ୍ରାଧାନ୍ୟ ଦେବା ଉଚିତ ନଥିଲା—ପ୍ରୟୋଜନ ଥିଲା ନୂତନ ଜୀବନର ଅବତାରଣା । ସେ ତାହା କରିନାହାନ୍ତି—ତେଣୁ ତାଙ୍କର ଚିତ୍ରଟିରେ କୌଣସି ଆବେଦନ ନାହିଁ...ଚିତ୍ରଟି ସ୍କୁଲର ପାଠ୍ୟ ପୁସ୍ତକ ଭଳି ହୋଇ ପଡ଼ିଛି ।

 

ପ୍ରତିବାଦ କରି କହିଲି, ମୋର ତ ମନେହୁଏ...ସେ ଚିତ୍ରଟି ବରଂ ସୁନ୍ଦର ହୋଇଛି । ମି: ରେନ୍‌ଗୋଲ୍‍ଡ ମୋ କଥାରେ କର୍ଣ୍ଣପାତ କଲେ ନାହିଁ । କହିଲେ ବର୍ତ୍ତମାନ ଆମେ ଓଡ଼ିସିକୁ ଏମିତି ରୂପ ଦେବାପାଇଁ ଯାଉଛୁ—ଯାହା ଓନୀଲ କରିବା ପାଇଁ ଚାହିଁନାହାନ୍ତି କିମ୍ବା କଳ୍ପନା କରି ପାରି ନାହାନ୍ତି...ପୋଷ୍ଟମର୍ଟମ ଘରେ ଯେମିତି ଭାବରେ ମଣିଷର ଦେହକୁ ଟିକି ଟିକି ଦେହର ଆଭ୍ୟନ୍ତରୀଣ ଗଠଣର ପରୀକ୍ଷା କରାହୁଏ—ଠିକ୍‌ ସେମିତି ଭାବରେ ଖୋଲିବା ପାଇଁ ହେବ ଓଡ଼ିସିଟାକୁ...ତାପରେ ଯୁଗୋପଯୋଗୀ ଯୋଡ଼ି ନେବାପାଇଁ ପଡ଼ିବ...

 

ରେନ୍‌ଗୋଲଡ୍‍ଙ୍କର କଥା ଠିକ୍‌ଭାବରେ ବୁଝି ପାରିଲି ନାହିଁ । ଅସଂଲଗ୍ନ ଭାବରେ କହିଲି ଓଡ଼ିସିର ଉଦ୍ଦେଶ୍ୟ ସର୍ବଜନ ପରିଚିତ—ଗୃହ ପରିବାର ଓ ଜନ୍ମଭୂମିକୁ ଫେରି ଆସିବାର ଦୁର୍ବାର ଆକାଂକ୍ଷା ଆଉ ପ୍ରତ୍ୟାବର୍ତ୍ତନର ପଥରେ ଅଗଣିତ ବାଧା ଓ ଦୁଃଖର ତୁଳନା...ହୁଏତ ଯେଉଁସବୁ ଯୁଦ୍ଧବନ୍ଦୀ ଓ ରଣନିପୁଣ ଯୋଦ୍ଧା କୌଣସି କାରଣରୁ ନିଜର ଜନ୍ମଭୂମିର ବହୁଦୂରରେ ପଡ଼ି ରହିଥାନ୍ତି ସେମାନେ ପ୍ରତ୍ୟେକ ଜଣେ ଜଣେ ଛୋଟ ଧରଣର ଇଉଲିସିସ୍‌ ।

 

କୁକୁଡ଼ାର ଡାକ ଭଳି ହସି ଉଠିଲେ ମି: ରେନ୍‌ଗୋଲ୍‍ଡ...ମୁ ମଧ୍ୟ ସେଇଆ ଆଶା କରିଥିଲି...ରଣନିପୁଣ, ବନ୍ଦୀ ! ...ନା...ନା ସେୟା ନୁହେଁ ମଲଟେନି...ଇୟେ କେବଳ ବାହ୍ୟିକ ଘଟଣା—ତହିଁରେ ଓଡ଼ିସି ହେବ ବିରାଟ ଗୋଟାଏ ଅଭିଯାନର ଚିତ୍ର...ମି: ବାତ୍ତିସତା ଯେମିତି ମନେ କରନ୍ତି...ଠିକ୍‌ ସେହିଭଳି...କିନ୍ତୁ ବାତ୍ତିସତା ହେଉଛନ୍ତି ଚିତ୍ର ନିର୍ମାତା ଆପଣ ତାହା ନୁହନ୍ତି...ଆପଣ ଜ୍ଞାନୀ, ରୁଚିବାନ, ବୁଦ୍ଧିମାନ...ମୁଣ୍ଡ ଖର୍ଚ୍ଚ କରିବାକୁ ହେବ ଆପଣଙ୍କୁ ।

 

ସେଇୟାତ କରୁଚି ।

 

ନା—କରୁ ନାହାନ୍ତି । ଭଲଭାବରେ ଦେଖନ୍ତୁ—ପ୍ରଥମେ ଲକ୍ଷ୍ୟ କରନ୍ତୁ—ଇଉଲିସିସ୍‌ର ମୂଳ କାହାଣୀ ହେଲା ତା ସହିତ ତାର ସ୍ତ୍ରୀ ପେନିଲୋପର ସଂପର୍କ...

 

ଏଥର କିଛି କହିଲି ନାହିଁ ।

 

ମି: ରେନ୍‌ଗୋଲ୍‍ଡ କହିଲେ ଓଡ଼ିସିରେ କେଉଁ ବିଷୟଟା ସେବା ଆଗରେ ଆଖିରେ ପଡ଼େ ?

 

ସେଇଟା ହେଲା ଇଉଲିସିସ୍‌ର ବିଳମ୍ବିତ ପ୍ରତ୍ୟାବର୍ତ୍ତନ—ଫେରି ଆସିବାକୁ ଲାଗିଛି ଦୀର୍ଘ ଦଶ ବର୍ଷ—ଏହି ଦଶ ବର୍ଷ ଭିତରେ ତା ପ୍ରତି ପେନିଲପର ପ୍ରେମ ଥିବା ସତ୍ତ୍ୱେ ଓ ସେ ବାରମ୍ବାର ସୁଯୋଗର ଅବହେଳା କରିଛି—ବିଶ୍ୱାସ ଘାତକତା କରିଛି ହୋମର କହିଛନ୍ତି ଇଉଲିସିସର ମନରେ ପେନିଲୋପ ବ୍ୟତୀତ ଆଉ କୌଣସି ଚିନ୍ତାର ସ୍ଥାନ ନ ଥିଲା—ତାର ଏକମାତ୍ର କାମନା ଥିଲା ପେନିଲୋପ ସହିତ ପୁନର୍ମିଳନ...କିନ୍ତୁ ଆମେ ବି କଣ ବିଶ୍ୱାସ କରିବା ହୋମରଙ୍କର ଏଇ କଥା ?

 

ଅଳ୍ପ କୌତୁକ କରି କହିଲି, ଯଦି ହୋମର ଅବିଶ୍ୱାସର ପାତ୍ର, ତେବେ ଆଉ କାହାକୁ ବିଶ୍ୱାସ କରିବି କହନ୍ତୁ ?

 

କାହିଁକି ? ନିଜକୁ—ଆଧୁନିକ ଯୁଗର ଲୋକମାନଙ୍କୁ, ଯେଉଁମାନେ ଉପକଥାର ଅନ୍ତର୍ନିହିତ ସତ୍ୟକୁ ଆବିଷ୍କାର କରିପାରନ୍ତି—ସେମାନଙ୍କୁ । ଦେଖନ୍ତୁ ମି: ମଲଟେନି, ଏକାଧିକବାର ‘ଓଡ଼ିସି’ ପାଠ କରି ମୁଁ ଏହି ଅଭ୍ରାନ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ ଜାଣିଶୁଣି ଇଉଲିସିସ ଗୃହକୁ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି—ଆପଣ ଯାହା କହନ୍ତୁନା କାହିଁକି ପେନିଲୋପ ସହିତ ପୁନର୍ମିଳନର ଆକାଂକ୍ଷା ମୋଟେ ନ ଥିଲା... ।

 

ମୁଁ ନୀରବ ରହିଲି ।

 

ମୋର ନୀରବତା ଫଳରେ ଯେମିତି ସାହସ ପାଇ ମି: ରେନ୍‌ଗୋଲ୍‍ଡ କହିବାକୁ ଲାଗିଲେ—ସତରେ ଇଉଲିସିସ ଏମିତି ଗୋଟାଏ ଲୋକ ଯିଏ ନିଜର ସ୍ତ୍ରୀ ପାଖକୁ ଫେରିଯିବା ପାଇଁ ଭୟ ପାଉଥିଲେ । ପରେ ବିଚାର କରିବା—ତାର କାରଣ କଣ । ଅବଚେତନ ମନର ସେହି ଭୟ ହିଁ ତାଙ୍କର ପ୍ରତ୍ୟାବର୍ତ୍ତନ ପଥରେ ବାଧା ସୃଷ୍ଟି କରିଥିଲା—ତାଙ୍କର ଅଭିଯାନର ଉତ୍ସାହ ନିଜର ଯାତ୍ରାପଥ ଦୀର୍ଘତର କରିବା ପାଇଁ ଗୋଟାଏ ଅପରିଜ୍ଞାତ କାରଣ ଛଡ଼ା ଆଉ କିଛି ନୁହେଁ । ସାଇଲା ଓ ସେରିବ୍‌ଡିସ୍‌, କ୍ୟାଲିପସୋ, ପଲିଫେମାସ, ଚାର୍ଟି ଓ ଦେବ ଦେବତାଗଣ ତାଙ୍କରି ଅବଚେତନ ମନ । ତେଣୁ ସେ କେଉଁଠି ବର୍ଷେ କେଉଁଠି ବା ଦୁଇବର୍ଷ ରହି ଯାଇଥିଲେ । ଓଡ଼ିସିର ଏଭଳି ଭାଷ୍ୟ ମୁଁ କେବେହେଲେ କଳ୍ପନା କରିନାହିଁ । ତେଣୁ ଆଶ୍ଚର୍ଯ୍ୟ ହୋଇଗଲି—ଇଉଲିସିସ ଭଳି ଗୋଟାଏ ସହଜ ସରଳ ଚରିତ୍ରର ଏମିତି ଜଟିଳ ବିଶ୍ଳେଷଣ । ମି: ରେନ୍‌ଗୋଲ୍‌ଡ ମନସ୍ତତ୍ତ୍ୱ ନେଇ କାରବାର କରିଛନ୍ତି ତେଣୁ ତାଙ୍କ ପାଖରେ ଏହା ଅସ୍ୱାଭାବିକ ନୁହେଁ ।

 

ଶୁଷ୍କ କଣ୍ଠରେ କହିଲି, ଆପଣଙ୍କର କଥାଟି ଠିକ୍‌...କିନ୍ତୁ ମୁଁ ତ ଭାବି ପାରୁନାହିଁ...କେମିତି ଭାବରେ...

 

ତାହାହେଲେ ସ୍ପଷ୍ଟ ଭାବରେ ପ୍ରମାଣିତ ହେଲା—ଆଧୁନିକତମ ମନସ୍ତାତ୍ତ୍ୱିକ ଆବିଷ୍କାର ଅନୁସାରେ ମୋର ଭାଷ୍ୟଟି ନିର୍ଭୁଲ...ଓଡ଼ିସି ଦାମ୍ପତ୍ୟ ବିରୋଧହିଁ କାହାଣୀ—ଏହି ଦାମ୍ପତ୍ୟ ବିରୋଧ ସମ୍ବନ୍ଧରେ ବହୁ ଦିନ ବିତର୍କ ହୋଇଛି, ବହୁ ପରୀକ୍ଷା ହୋଇଛି—ତାପରେ ସୁଦୀର୍ଘ ଦଶବର୍ଷ ଆତ୍ମ ସଂଗ୍ରାମ ପରେ ଘୁଞ୍ଚିଛି ତାଙ୍କର ସନ୍ଦେହ ଆଉ ଯେଉଁ ଅବସ୍ଥା ଇଉଲିସିସ ଏହି ସଂଶୟ ପାଇଁ ଦାୟୀ ତାହା ସ୍ୱୀକାର କରିନେଇ ସେ ତାର ଅବସାନ ଘଟାଇ ଥିଲେ...। ଦଶବର୍ଷ ଧରି ଯେତେ ପ୍ରକାର ସମ୍ଭବ ସେ ବିଳମ୍ବ କରିଥିଲେ—ଦାମ୍ପତ୍ୟ ଜୀବନକୁ ଫେରି ନ ଆସିବାର ଛଳନା କରିଥିଲେ ଏଭଳିକି ଆଉ ଏକ କନ୍ୟାର ପାଣିଗ୍ରହଣ କଳ୍ପନା କରିଥିଲେ । ପରିଶେଷରେ ଆତ୍ମଦମନ କରି ନ ପାରି ଫେରି ଆସିଥିଲେ...ତାଙ୍କର ଏହି ପ୍ରତ୍ୟାବର୍ତ୍ତନର ଅର୍ଥ ହେଲା—ଯେଉଁ ଅବସ୍ଥା ଚକ୍ରରେ ଗୃହତ୍ୟାଗ କରିଥିଲେ, ଦେଶକୁ ଫେରି ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ତାକୁ ସ୍ୱୀକାର କରିନେବା...

 

କେଉଁ ଅବସ୍ଥା ? ଇଉଲିସିସ କଣ ଟ୍ରୟ ଯୁଦ୍ଧରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ଗୃହତ୍ୟାଗ କରି ନାହାନ୍ତି ?

 

ଅଧୀର ଭାବରେ ରେନ୍‌ଗୋଲ୍‌ଡ କହିଲେ, ମୁଁ କେବଳ ବାହ୍ୟିକ ଅବସ୍ଥାର କଥାହିଁ କହୁଛି । ତେବେ ଗୋଟାଏ କଥା ମନେ ରଖିବେ—ଇଉଲିସିସ କୌଣସି ଭୌଗଳିକ ଅବସ୍ଥାନ ମଧ୍ୟରେ ସଙ୍ଗଠିତ ଦୁଃସାହସିକ ଅଭିଯାନର କାହାଣୀ—ଇଉଲିସିସ ହେଲା—ଇଉଲିସିସର ହିଁ ମନର ନାଟକ—ତହିଁରେ ଯାହା ଘଟିଛି ସେ ସବୁ ହେଲା ଇଉଲିସିସର ଅବଚେତନ ମନର ପ୍ରତୀକ...ଆପଣ ଫ୍ରୟେଡ଼ ପଢ଼ିଛନ୍ତି ନିଶ୍ଚୟ ?

 

ହଁ...କେତୋଟି ବହି ପଢ଼ିଛି ।

 

ବେଶ୍‌ ଫ୍ରୟେଡହିଁ ହେବେ ଇଉଲିସିସର ମନୋରାଜ୍ୟର ପ୍ରଦର୍ଶକ...ଭୂମଧ୍ୟ ସାଗର ପରିବର୍ତ୍ତରେ ଆମେ ଦେଖିବା ଇଉଲିସିସର ଅନ୍ତର୍ଜଗତ ବା ଅବଚେତନ...

 

ତେବେ ଏହି ଗ୍ରାହସ୍ଥ୍ୟ ନାଟକ ପାଇଁ କ୍ୟାପ୍ରିକୁ ଆସିବାର ପ୍ରୟୋଜନ କଣ ଥିଲା ? ରୋମର ଯେ କୌଣସି ପ୍ରାସାଦରେ ବସି ଏ କାମ କରାଯାଇ ପରିଥାନ୍ତା ।

 

ମି: ରେନ୍‌ଗୋଲ୍‌ଡ ମୋତେ ବିସ୍ମୟ ଓ ବିରକ୍ତିରେ ଚାହିଁ ରହିଲେ । ତାପରେ ହସିଲେ–ଯେମିତି ଏ ପରିବେଶଟାକୁ ସଂପୂର୍ଣ୍ଣ ହାଲୁକା କରିଦେବାକୁ ଚାହାନ୍ତି ।

 

କହିଲେ କ୍ୟାପ୍ରିକୁ ଆମେ ଯାଇ ପୁନରାୟ ଧୀର ମସ୍ତିଷ୍କରେ ଏ ସମ୍ବନ୍ଧରେ ଆଲୋଚନା କରିବା—ମୋଟର ଚାଳନା ଓ ଓଡ଼ିସି ସମ୍ବନ୍ଧରେ ଆଲୋଚନା ଏକା ସଙ୍ଗରେ ହୁଏ ନାହିଁ ମି: ମଲଟେନି—ଆପଣ ବରଂ ମନୋଯୋଗ ଦେଇ ଗାଡ଼ି ଚଲାନ୍ତୁ—ମୁଁ ବାହାରର ପ୍ରାକୃତିକ ଦୃଶ୍ୟଟା ଉପଭୋଗ କରେ ।

 

ପ୍ରାୟ ଘଣ୍ଟାଏ କାଳ ନୀରବରେ ଆମେ ଆଗେଇଲୁ । ସମୁଦ୍ର କୂଳରେ ରାସ୍ତା ଆର ପାଖରେ ଛୋଟ ଛୋଟ ଶିଳାମୟ ପାହାଡ଼—ପାହାଡ଼ ଉପରେ ଝିଲିମିଲି ସୂର୍ଯ୍ୟକିରଣ । ସମୁଦ୍ର ସ୍ଥିର ନୁହେଁ । ଇଷତ୍‌ ପୀତ ଆଉ କଳା ବାଲିର ପାହାଡ଼ ଉପରେ ଫିକା ସବୁଜ ରଙ୍ଗର ଜଳ । ଅବସନ୍ନ ଭାବରେ ଭାଙ୍ଗି ପଡ଼ୁଛି ଢେଉ ଉପରେ ଢେଉ । ସାବୁନ ଫେଣ ପରି ଧଳା ପାଣି ଛୁଇଁ ଯାଉଛି ତୀରଭୂମି ଅଳ୍ପ ଦୂରରେ ସମୁଦ୍ର ଗତିଶୀଳ କିନ୍ତୁ ନିସ୍ତରଙ୍ଗ । ସେଇଠି ସବୁଜ ରଙ୍ଗ ନୀଳାଭ, ତା’ ଉପରେ ଖେଳୁଛି ଶୁଭ୍ର ଫେନପୁଞ୍ଜ । ଆକାଶରେ ବି ସେହିଭଳି ଅସ୍ଥିରତା ଓ ବିଶୃଙ୍ଖଳା । ଚାରି ପାଖରେ ଘୁରି ବୁଲୁଛି ଶୁଭ୍ର ମେଘ, ଅନନ୍ତ ନୀଳ ଆକାଶ ଉଜ୍ୱଳରେ ଉଦ୍ଭାସିତ । ସାମୁଦ୍ରିକ ପକ୍ଷୀଗଣ ବୁଲୁଛନ୍ତି, ଉଡ଼ୁଛନ୍ତି, ଯେମିତି ଦମକାଏ ପବନ, ଘୂର୍ଣ୍ଣିର ଅନୁକରଣରେ ସେମାନେ ବ୍ୟସ୍ତ-

 

ସମୁଦ୍ର ଉପରେ ଦୃଷ୍ଟି ରଖି ଗାଡ଼ି ଚଳାଉ ଥିଲି । ମି: ରେନ୍‌ଗୋଲ୍‍ଡ ମୁହଁରୁ ଓଡ଼ିସିର ବ୍ୟାଖ୍ୟା ଶୁଣି ତାଙ୍କର ଅରିକଳ୍ପିତ ନାଟକଟିକୁ ଗ୍ରାହ୍ୟସ୍ଥ ନାଟକ ବୋଲି ହୁଏତ କୌଣସି ଭୁଲ କରିନାହିଁ । ଉଜ୍ଜଳ ନୀଳ ଆକାଶ ତଳେ ଏହି ବିକ୍ଷିପ୍ତ ସମୁଦ୍ରର ବର୍ଣ୍ଣାଢ଼୍ୟ ତରଙ୍ଗରାଜୀ ମଧ୍ୟରେ, ଭୂମଧ୍ୟ ସାଗରର ବୁକୁରେ ଅଜ୍ଞାତ ଅପରିଚିତ ରାଜ୍ୟ ସନ୍ଧାନୀ ଇଉଲିସିସର ଅର୍ଣ୍ଣବପୋତ କଳ୍ପନା କରିବା କଠିଣ ନୁହେଁ । ଏଇଠି ସବୁ ରହିଛି । ମି: ରେନ୍‌ଗୋଲ୍‌ଡ ଏହି ଦୀପ୍ତମୟ, ରୌଦ୍ରଜଳ ବାୟୁଭଟ୍ଟ ଜୀବଧାତ୍ରୀ ବସୁନ୍ଧରାକୁ ରୌଦ୍ରହୀନ, ଅନ୍ଧକାର, ବାୟୁହୀନ, ପ୍ରାଣ ସ୍ପନ୍ଦନହୀନ ଗୋଟାଏ ଅବାସ୍ତବ ନିଭୃତ ମନୋରାଜ୍ୟରେ ରୂପାନ୍ତରିତ କରିବାକୁ ଚାହାନ୍ତି । ତାଙ୍କ ପାଖରେ ‘ଓଡ଼ିସି’ ମନସ୍ତତ୍ତ୍ୱର ଅସଙ୍ଗତ ମଧ୍ୟରେ ଜଡ଼ିତ ଗୋଟିଏ ଆଧୁନିକ ମଣିଷର ଅନ୍ତର—ରାଜ୍ୟର ନାଟକ । ମନେ ମନେ ଭାବିଲି—ଏହାଠାରୁ ନିକୃଷ୍ଟତମ ଚିତ୍ରନାଟ୍ୟ କଳ୍ପନା କରାଯାଇ ପାରେନା । ସିନେମାର ଉପଯୋଗୀ କରିବା ପାଇଁ ହେଲେ ପ୍ରୟୋଜନ ନ ଥିଲେ ମଧ୍ୟ ସବୁ ପରିବର୍ତ୍ତନ କରିବାକୁ ହୁଏ । କିନ୍ତୁ ଏସ୍ଥଳରେ ‘ଓଡ଼ିସି’ ଭଳି ଗୋଟାଏ ସାର୍ଥକ ଓ ବାସ୍ତବ ଶିଳ୍ପକୀର୍ତ୍ତିକୁ କେବଳ ଅବାସ୍ତବ କରିବାକୁ ପଡ଼ିବ ନାହିଁ, ତା ଭିତରେ ସୂକ୍ଷ୍ମ ମନସ୍ତତ୍ତ୍ୱର ଅବତାରଣା କରିବାକୁ ପଡ଼ିବ । ଏହାଠାରୁ ଜଘନ୍ୟ ଆଉ କ’ଣ ହୋଇପାରେ ?

 

ଅଦୂରରେ ସମୁଦ୍ର । ରାସ୍ତା କଡ଼ରେ ବାଲୁକାମୟ କ୍ଷେତ୍ରରେ ଦେଖା ଯାଉଛି ଅଜସ୍ର ଅଙ୍ଗୁର ଲତା । ତା’ପରେ ଅଳ୍ପ ବେଳାଭୂମି...ସେଇଠି ଆହତ ହୋଇ ଫେରୁଛି ତରଙ୍ଗ । ସ୍ଥାନଟା ତେଣୁ କଳା ପଡ଼ି ଯାଇଛି, ସ୍ତପୀକୃତ ହୋଇଛି ଜଞ୍ଜାଳ ।

 

ଉତ୍ସାହିତ ହୋଇ କହିଲି, ଦେଖନ୍ତୁ ମି: ରେନ୍‌ଗୋଲ୍‌ଡ—ଏଥର ଟିକିଏ ବିଶ୍ରାମ ନେଲେ ଭଲ ହୁଅନ୍ତା—ହାତଗୋଡ଼ ଦରଜ ହୋଇ ଗଲାଣି ।

 

ଗାଡ଼ିରେ ବ୍ରେକ ଦେଲି । ବାହାରି ଆସି ଅଙ୍ଗୁର କ୍ଷେତ ଭିତର ଦେଇ ସମୁଦ୍ର ଆଡ଼କୁ ଆଗେଇବାକୁ ଲାଗିଲି । କହିଲି ଆଠମାସ ହେଲା ଘରୁ ପଦାକୁ ଗୋଡ଼ କାଢ଼ି ନାହିଁ...ଗତ ଗ୍ରୀଷ୍ମ ୠତୁ ପରେ ଆଜି ପ୍ରଥମ ସମୁଦ୍ର ଦେଖୁଛି...ଚାଲନ୍ତୁନା ସମୁଦ୍ର କୂଳରେ ଯାଇ କିଛି ସମୟ ବସିବା...ଆସନ୍ତୁ, ଆସନ୍ତୁ...

 

ମି: ରେନ୍‌ଗୋଲ୍‌ଡ ନୀରବରେ ମୋର ଅନୁସରଣ କରିବାକୁ ଲାଗିଲେ । ଭାବିଲି ମୋ ଉପରେ ସେ ଅସନ୍ତୁଷ୍ଟ ହୋଇଛନ୍ତି । ତେଣୁ କହିଲି, କିଛି ମନେକରିବେ ନାହିଁ...ମୁଁ ଅତ୍ୟନ୍ତ ଦୁଃଖିତ...ହୁଏତ ଯାହା ଭୂମଧ୍ୟ ସାଗର ପରିବର୍ତ୍ତରେ ଆମେ ଦେଖିବା ଇଉଲିସିସର ଅନ୍ତର୍ଜଗତ ବା ଅବଚେତନ....

 

ତେବେ ଏହି ଗ୍ରାହସ୍ଥ୍ୟ ନାଟକ ପାଇଁ କ୍ୟାପ୍ରିକୁ ଆସିବାର ପ୍ରୟୋଜନ କଣ ଥିଲା ? ରୋମର ଯେ କୌଣସି ପ୍ରାସାଦରେ ବସି ଏ କାମ କରାଯାଇ ପାରିଥାନ୍ତା ।

 

ମି: ରେନ୍‌ଗୋଲ୍‌ଡ ମୋତେ ବିସ୍ମୟ ଓ ବିରକ୍ତିରେ ଚାହିଁ ରହିଲେ । ତାପରେ ହସିଲେ–ଯେମିତି ଏ ପରିବେଶଟାକୁ ସଂପୂର୍ଣ୍ଣ ହାଲୁକା କରିଦେବାକୁ ଚାହାନ୍ତି ।

 

କହିଲେ କ୍ୟାପ୍ରିକୁ ଆମେ ଯାଇ ପୁନରାୟ ଧୀର ମସ୍ତିଷ୍କରେ ଏ ସମ୍ବନ୍ଧରେ ଆଲୋଚନା କରିବା—ମୋଟର ଚାଳନା ଓ ଓଡ଼ସି ସମ୍ବନ୍ଧରେ ଆଲୋଚନା ଏକା ସଙ୍ଗରେ ହୁଏ ନାହିଁ ମି: ମଲଟେନି—ଆପଣ ବରଂ ମନୋଯୋଗ ଦେଇ ଗାଡ଼ି ଚଳାନ୍ତୁ—ମୁଁ ବାହାରର ପ୍ରାକୃତିକ ଦୃଶ୍ୟଟା ଉପଭୋଗ କରେ ।

 

ପ୍ରାୟ ଘଣ୍ଟାଏ କାଳ ନୀରବରେ ଆମେ ଆଗେଇଲୁ । ସମୁଦ୍ର କୂଳରେ ରାସ୍ତା । ଆର ପାଖରେ ଛୋଟ ଛୋଟ ଶିଳାମୟ ପାହାଡ଼ ଉପରେ ଝିଲିମିଲି ସୂର୍ଯ୍ୟକିରଣ । ସମୁଦ୍ର ସ୍ଥିର ନୁହେଁ । ଇଷତ୍‌ ପୀତ ଆଉ କଳା ବାଲିର ପାହାଡ଼ ଉପରେ ଫିକା ସବୁଜ ରଙ୍ଗର ଜଳ । ଅବସନ୍ନ ଭାବରେ ଭାଙ୍ଗି ପଡ଼ୁଛି ଢେଉ ଉପରେ ଢେଉ । ସାବୁନ ଫେଣ ପରି ଧଳା ପାଣି ଛୁଇଁ ଯାଉଛି ତୀରଭୂମି ଅଳ୍ପ ଦୂରରେ ସମୁଦ୍ର ଗତିଶୀଳ କିନ୍ତୁ ନିସ୍ତରଙ୍ଗ । ସେଇଠି ସବୁଜ ରଙ୍ଗ ନୀଲାଭ, ତା’ ଉପରେ ଖେଳୁଛି ଶୁଭ୍ର ଫେନପୁଞ୍ଜ । ଆକାଶରେ ବି ସେହିଭଳି ଅସ୍ଥିରତା ଓ ବିଶୃଙ୍ଖଳା । ଚାରି ପାଖରେ ଘୁରି ବୁଲୁଛି ଶୁଭ୍ର ମେଘ, ଅନନ୍ତ ନୀଳ ଆକାଶ ଉଜ୍ଜ୍ୱଳରେ ଉଦ୍ଭାସିତ । ସାମୁଦ୍ରିକ ପକ୍ଷୀଗଣ ବୁଲୁଛନ୍ତି, ଉଡ଼ୁଛନ୍ତି, ଯେମିତି ଦମକାଏ ପବନ, ଘୂର୍ଣ୍ଣିର ଅନୁକରଣରେ ସେମାନେ ବ୍ୟସ୍ତ ।

 

ସମୁଦ୍ର ଉପରେ ଦୃଷ୍ଟି ରଖି ଗାଡ଼ି ଚଲାଉ ଥିଲି । ମି: ରେନ୍‍ଗୋଲ୍‌ଡ ମୁହଁରୁ ଓଡ଼ିସିର ବ୍ୟାଖ୍ୟା ଶୁଣି ତାଙ୍କର ଅରିକଳ୍ପିତ ନାଟକଟିକୁ ଗ୍ରାହ୍ୟସ୍ଥ ନାଟକ ବୋଲି ହୁଏତ କୌଣସି ଭୁଲ କରିନାହିଁ । ଉଜ୍ଜ୍ୱଳ ନୀଳ ଆକାଶ ତଳେ ଏହି ବିକ୍ଷିପ୍ତ ସମୁଦ୍ରର ବର୍ଣ୍ଣାଢ଼୍ୟ ତରଙ୍ଗରାଜୀ ମଧ୍ୟରେ, ଭୂମଧ୍ୟ ସାଗରର ବୁକୁରେ ଅଜ୍ଞାତ ଅପରିଚିତ ରାଜ୍ୟ ସନ୍ଧାନୀ ଇଉଲିସିସର ଅର୍ଣ୍ଣବପୋତ କଳ୍ପନା କରିବା କଠିଣ ନୁହେଁ । ଏଇଠି ସବୁ ରହିଛି । ମି: ରେନ୍‌ଗୋଲ୍‌ଡ ଏହି ଦୀପ୍ତମୟ, ରୌଦ୍ରଜ୍ଜଳ ବାୟୁଭରା ଜୀବଧାତ୍ରୀ ବସୁନ୍ଧରାକୁ ରୌଦ୍ରହୀନ, ଅନ୍ଧକାର, ବାୟୁହୀନ, ପ୍ରାଣ ସ୍ପନ୍ଦନହୀନ ଗୋଟାଏ ଅବାସ୍ତବ ନିଭୃତ ମନୋରାଜ୍ୟରେ ରୂପାନ୍ତରିତ କରିବାକୁ ଚାହାନ୍ତି । ତାଙ୍କ ପାଖରେ ‘ଓଡ଼ିସି’ ମନସ୍ତତ୍ତ୍ୱର ଅସଙ୍ଗତ ମଧ୍ୟରେ ଜଡ଼ିତ ଗୋଟିଏ ଆଧୁନିକ ମଣିଷର ଅନ୍ତର ରାଜ୍ୟର ନାଟକ । ମନେ ମନେ ଭାବିଲି—ଏହାଠାରୁ ନିତ୍କୃଷ୍ଟତମ ଚିତ୍ରନାଟ୍ୟ କଳ୍ପନା କରାଯାଇ ପାରେନା । ସିନେମାର ଉପଯୋଗୀ କରିବା ପାଇଁ ହେଲେ ପ୍ରୟୋଜନନ ଥିଲେ ମଧ୍ୟ ସବୁ ପରିବର୍ତ୍ତନ କରିବାକୁ ହୁଏ । କିନ୍ତୁ ଏସ୍ଥଳରେ ‘ଓଡ଼ିସି’ ଭଳି ଗୋଟାଏ ସାର୍ଥକ ଓ ବାସ୍ତବ ଶିଳ୍ପକୀର୍ତ୍ତିକୁ କେବଳ ଅବାସ୍ତବ କରିବାକୁ ପଡ଼ିବ ନାହିଁ, ତା ଭିତରେ ସୂକ୍ଷ୍ମ ମନସ୍ତତ୍ତ୍ୱର ଅବତାରଣା କରିବାକୁ ପଡ଼ିବ । ଏହାଠାରୁ ଜଘନ୍ୟ ଆଉ କ’ଣ ହୋଇପାରେ ?

 

ଅଦୂରରେ ସମୁଦ୍ର । ରାସ୍ତା କଡ଼ରେ ବାଲୁକାମୟ କ୍ଷେତ୍ରରେ ଦେଖା ଯାଉଛି ଅଜସ୍ର ଅଙ୍ଗୁର ଲତା । ତାପରେ ଅଳ୍ପ ବେଳାଭୂମି....ସେଇଠି ଆହତ ହେଇ ଫେରୁଛି ତରଙ୍ଗ । ସ୍ଥାନଟା ତେଣୁ କଳା ପଡ଼ି ଯାଇଛି, ସ୍ତପୀକୃତ ହୋଇଛି ଜଞ୍ଜାଳ ।

 

ଉତ୍ସାହିତ ହୋଇ କହିଲି, ଦେଖନ୍ତୁ ମି: ରେନ୍‌ଗୋଲ୍‌ଡ—ଏଥର ଟିକିଏ ବିଶ୍ରାମ ନେଲେ ଭଲ ହୁଅନ୍ତା—ହାତଗୋଡ଼ ଦରଜ ହୋଇ ଗଲାଣି ।

 

ଗାଡ଼ିରେ ବ୍ରେକ୍‌ ଦେଲି । ବାହାରି ଆସି ଅଂଗୁର କ୍ଷେତ ଭିତର ଦେଇ ସମୁଦ୍ର ଆଡ଼କୁ ଆଗେଇବାକୁ ଲାଗିଲି । କହିଲି ଆଠମାସ ହେଲା ଘରୁ ପଦାକୁ ଗୋଡ଼ କାଢ଼ି ନାହିଁ....ଗତ ଗ୍ରୀଷ୍ମ ଋତୁ ଉପରେ ଆଜି ପ୍ରଥମ ସମୁଦ୍ର ଦେଖୁଛି....ଚାଲନ୍ତୁନା ସମୁଦ୍ର କୂଳରେ ଯାଇ କିଛି ସମୟ ବସିବା...ଆସନ୍ତୁ, ଆସନ୍ତୁ...

 

ମି: ରେନ୍‌ଗୋଲ୍‌ଡ ନୀରବରେ ମୋର ଅନୁସରଣ କରିବାକୁ ଲାଗିଲେ । ଭାବିଲି ମୋ ଉପରେ ସେ ଅସନ୍ତୁଷ୍ଟ ହୋଇଛନ୍ତି । ତେଣୁ କହିଲି, କିଛି ମନେ କରିବେ ନାହିଁ....ମୁଁ ଅତ୍ୟନ୍ତ ଦୁଃଖିତ...ହୁଏତ ଯାହା କରିବାକୁ ଚାହିଁଥିଲି ସ୍ପଷ୍ଟ ଭାବରେ କହି ପାରିନାହିଁ....ତେବେ ଆପଣଙ୍କ ବ୍ୟାଖ୍ୟା ସହିତ ପୁରାପୁରି ଏକମତ ହୋଇ ପାରୁନାହିଁ...ଯଦି ଶୁଣିବାକୁ ଚାହାନ୍ତି, ତେବେ କହିବାରେ ଦ୍ୱିଧା ନାହିଁ ମୁଁ କାହିଁକି ଆପଣଙ୍କ ସହିତ ଏକମତ ନୁହେଁ ।

 

ଉତ୍କଣ୍ଠିତ ଭାବରେ ମି: ରେନ୍‌ଗୋଲ୍‌ଡ କହିଲେ, ବେଶ୍‌ ! କୁହନ୍ତୁନା ।

 

ଦେଖନ୍ତୁ ସମସ୍ତ ବିଶ୍ୱାସ କରି ପାରୁନାହିଁ....ତେବେ ମୋର ମତ ନୁହେଁ ଯେ ଆପଣଙ୍କର ବ୍ୟାଖ୍ୟା ଏକାଥରରେ ଅଚଳ....ହୋମରୀୟ କାବ୍ୟର ସାଧାରଣତ ରସୋତ୍ତୀର୍ଣ୍ଣ ସୃଷ୍ଟି ମାତ୍ରକେ—ବିଶେଷ ଗୁଣ ହେଲା ତାର ଅନ୍ତର୍ନିହିତ ଭାବ...ଯାହାର ହଜାର ରକମର ଅର୍ଥ ଆମେ କରି ପାରିବା-। ମୁଁ କହିବାକୁ ଚାହେଁ—‘ଓଡ଼ିସି’ ର ପ୍ରକୃତ ସୌନ୍ଦର୍ଯ୍ୟ ହେଲା ପ୍ରତ୍ୟକ୍ଷ ବାସ୍ତବ ଉପରେ ବିଶ୍ୱାସ–ତହିଁରେ କୌଣସି ଭାଷ୍ୟ ବା ବିଶ୍ଳେଷଣର ସ୍ଥାନ ନାହିଁ । ହୋମର ସେହି ଯୁଗରେ ଜନ୍ମ ଗ୍ରହଣ କରିଥିଲେ, ଯେଉଁ ଯୁଗରେ ସଭ୍ୟତାର ବିକାଶ ଘଟିଥିଲା ପ୍ରକୃତି ସହିତ ଯୋଗସୂତ୍ର ସ୍ଥାପନ କରି–ବିରୋଧୀତା କରି ନୁହେଁ । ହୋମର ତେଣୁ ବିଶ୍ୱାସ କରୁଥିଲେ ଦୃଶ୍ୟମାନ ଜଗତର ସତ୍ୟକୁ....ଆଖି ଆଗରେ ସେ ଯାହା ଦେଖୁଥିଲେ ସେହି ଚିତ୍ର ସେ ଅଙ୍କନ କରି ଯାଇଛନ୍ତି । ତାର ତାତ୍ପର୍ଯ୍ୟ ନିର୍ଣ୍ଣୟ କରିବାର କୌଣସି ଚେଷ୍ଟା ନ କରି ଅବିକଳ ଯେମିତି ରହିଛି ସେଇଭଳି ଗ୍ରହଣ କରିବା ଉଚିତ...ଏତକ କହିସାରି ଶାନ୍ତ ହୋଇ ରହି ପାରିଲି ନାହିଁ । ମି: ରେନ୍‌ଗୋଲ୍‌ଡଙ୍କୁ ବୁଝେଇବା ଅର୍ଥ ପଣ୍ଡଶ୍ରମ ଛଡ଼ା ଆଉ କିଛି ନୁହେଁ ।

 

ମି: ରେନ୍‌ଗୋଲ୍‍ଡ ହୋ ହୋ ହୋଇ ହସି ଉଠି କହିଲେ, ବର୍ହିମୂଖୀ...ସଂପୂର୍ଣ୍ଣ ବର୍ହିମୁଖୀ ଆପଣଙ୍କର ଦୃଷ୍ଟି...ଯେଉଁମାନଙ୍କର ଦୃଷ୍ଟି ଅନ୍ତର୍ମୁଖୀ ସେମାନଙ୍କୁ ଆପଣ ବୁଝି ପାରନ୍ତି ନାହିଁ....ଅବଶ୍ୟ ତହିଁରେ କୌଣସି କ୍ଷତି ନାହିଁ, ଆପଣଙ୍କ ଓ ମୋର ମଧ୍ୟରେ ତଫାତ୍‌ ରହିଛି । ତେଣୁ ଆପଣଙ୍କୁ ଖୋଜି ନେଇଛି । ଆପଣଙ୍କର ବର୍ହିମୁଖିତା ମୋର ଅନ୍ତର୍ମୁଖିତା ସହିତ ସମତା ରକ୍ଷା କରିବ । ଦେଖିବେ, ଆମେ ଦୁହେଁ ମିଶି କରିବା ଏକ ଅତ୍ୟାଶ୍ଚର୍ଯ୍ୟ ଶିଳ୍ପ–ସୃଷ୍ଟି....

 

ତାଙ୍କର ଏହି ସ୍ଥୂଳତାରେ ବିରକ୍ତ ହୋଇ ପଡ଼ିଲି—ଭାବିଲି ଏମିତି କିଛି କୁହେ, ଯାହା ଶୁଣି ସେ ଅସନ୍ତୁଷ୍ଟ ହୁଅନ୍ତୁ । ପଛରୁ ଶୁଣାଗଲା ପରିଚିତ କଣ୍ଠସ୍ୱର—ରେନ୍‌ଗୋଲ୍‌ଡ, ମଲଟେନି—ଆପଣମାନେ ଏଇଠି କଣ କରୁଛନ୍ତି—ସମୁଦ୍ର–ପବନ ସେବନ କରୁଛନ୍ତି ବୋଧହୁଏ ।

 

ପଛକୁ ଚାହିଁ ଦେଖିଲି, ମି: ବାତ୍ତିସତା ଓ ଏମିଲିୟା । ମି: ବାତ୍ତିସତା ହାତ ହଲେଇ ଓହ୍ଲେଇ ଆସୁଛନ୍ତି ଗୋଟାଏ ବାଲୁକା ସ୍ତୁପରୁ, ତାଙ୍କର ପଛରେ ଆସୁଛି ଏମିଲିୟା । ମି: ବାତ୍ତିସତାଙ୍କର ସର୍ବାଙ୍ଗରେ ଉଲ୍ଲାସର ଉଚ୍ଛ୍ୱସିତ ତରଙ୍ଗ । ଅତୃପ୍ତ, ବିବ୍ରତ ଓ ଚିନ୍ତାକୁଳ ଦେଖାଯାଉଛି ଏମିଲିୟା ।

 

କହିଲି, ଆମେ ଭାବିଥିଲୁ ଆପଣ ଅନେକ ଦୂର ଚାଲି ଯାଇଛନ୍ତି ଏହା ଭିତରେ ।

 

ମି: ବାତ୍ତିସତା କହିଲେ, ଆମେ ଅନେକ ଦୂର ବୁଲି ଆସିଲୁ ରୋମର ପାଖାପାଖି ଗୋଟାଏ ସ୍ଥାନ ଦେଖେଇ ଆଣିଛି ଆପଣଙ୍କର ପତ୍ନୀଙ୍କୁ...ସେଇଠି ଗୋଟାଏ କୋଠା କରୁଛି କିନା ! ତାଛଡ଼ା ରେଲଲାଇନ ଉପରେ ଯେଉଁ ରାସ୍ତାଟି...ସେଟା ବନ୍ଦ ଥିଲା....

 

ଆଚ୍ଛା ମି: ରେନ୍‌ଗୋଲ୍‌ଡ ସବୁ କୁଶଳ ତ ? ଓଡ଼ିସି ସମ୍ବନ୍ଧରେ ଆପଣମାନେ ଆଲୋଚନା କରିଛନ୍ତି ତ ?

 

ହଁ....ସଂକ୍ଷିପ୍ତ ଭାବରେ ଉତ୍ତର ଦେଲେ ମି: ରେନ୍‌ଗୋଲ୍‌ଡ । ମି: ବାତ୍ତିସତାଙ୍କ ଆବିର୍ଭାବରେ ସେ ଯେମିତି ବିରକ୍ତ ହୋଇ ପଡ଼ିଛନ୍ତି । ମୋ ସହିତ ଏକାନ୍ତରେ ବସି ହୁଏତ ତାଙ୍କର ଆଲୋଚନା କରିବାର ଇଚ୍ଛା ଥିଲା ।

 

ବାଃ.....ବେଶ୍‌......ବେଶ୍‌..... ।

 

ଅଦୂରରେ ଠିଆ ହୋଇଥିଲା ଏମିଲିୟା...ତା ଆଡ଼କୁ ମି: ବାତ୍ତିସତା ଆଗେଇ ଆସି କହିଲେ, ତାପରେ ମହାଶୟା ! ଏଥର ଆପଣ କୁହନ୍ତୁ...ଆମର ଲନ୍‌ଚଟା କେଉଁଠି ହେବ, ନେପଲସ ନା ଫର୍ମିୟାରେ ?

 

ଚମକି ପଡ଼ି ଏମିଲିୟା କହିଲା, ଆପଣମାନେ ଠିକ୍‌ କରନ୍ତୁ ନା । ଯେଉଁଠି ହେଲେ ସୁଦ୍ଧା ମୋର କୌଣସି ଆପତ୍ତି ନାହିଁ ।

 

ନା.....ନା....ତାହା କ’ଣ ହୋଇପାରେ,...ଆପଣ କହନ୍ତୁ.....ଆପଣଙ୍କୁ କହିବାକୁ ପଡ଼ିବ-। ମି: ବାତ୍ତିସତାଙ୍କ ଆଗ୍ରହାନ୍ୱିତ ଅନୁରୋଧ ଏଡ଼େଇ ନ ପାରି ଏମିଲିୟା କହିଲା...ତାହାହେଲେ ନେପଲ୍‌ସରେ କରାଯାଉ...ବର୍ତ୍ତମାନ ମୋଟେ ଭୋକ ହେଇନି ।

 

ବେଶ୍‌...ତାହାହେଲେ ନେପଲ୍‍ସରେ କରାଯିବ କହିଲେ ମି: ବାତ୍ତିସତା ।

 

କ୍ୟାପ୍ରି ବାହୀ ଷ୍ଟିମର କେତେବେଳେ ବାହାରିବ—ପ୍ରଶ୍ନ କଲେ ମି: ରେନ୍‌ଗୋଲ୍‌ଡ ।

 

ଅଢ଼େଇଟାରେ.....ଆସନ୍ତୁ ଏଥର ବାହାରିବା ।

 

ମି: ବାତ୍ତିସତା ଆଗେ ବାହାରି ପଡ଼ିଲେ । ଏମିଲିୟା ଯେଉଁଠି ଠିଆ ହୋଇଥିଲା ସେଇଠି ନିଶ୍ଚଳ ଭାବରେ ଠିଆ ହୋଇ ରହିଲା । ପାଖକୁ ଆସିବା ମାତ୍ରକେ ମୋର ହାତ ଧରି ପକେଇ ଧୀର ଗଳାରେ କହିଲା, ମୁଁ ଏଥର ତୁମର ଗାଡ଼ିରେ ଯାଉଛି....ଆପତ୍ତି କରନାହିଁ ସୁନାଟା ପରା ।

 

ତାର ବଚନଭଙ୍ଗୀରେ ଆଶ୍ଚର୍ଯ୍ୟ ହୋଇଗଲି ।

 

—କାହିଁକି—କଣ ହୋଇଛି ?

 

କିଛି ହୋଇ ନାହିଁ, ବାତ୍ତିସତା ଖୁବ୍ ଜୋରରେ ଗାଡ଼ି ଚଳାନ୍ତି କିନା ।

 

ନୀରବରେ ଆଗେଇବାକୁ ଲାଗିଲି । ଦୁଇଟିଯାକ ଗାଡ଼ି ଠିଆ ହୋଇଥିଲା । ଏମିଲିୟା ମୋ ଗାଡ଼ି ପାଖକୁ ଚାଲି ଆସିଲା । ନିଜ ଗାଡ଼ିର କବାଟଟା ଖୋଲି ଧରିଥିଲେ ମି: ବାତ୍ତିସତା । କହିଲେ...ଆପଣ କଣ ମୋ ଗାଡ଼ିରେ ଆସୁ ନାହାନ୍ତି ?

 

ଧୀର କଣ୍ଠରେ ଏମିଲିୟା ଜବାବ ଦେଲା...ମୁଁ ମି: ମଲଟେନିଙ୍କ ସହିତ ଯିବି...ନେପଲ୍‌ସରେ ପହଞ୍ଚି ପୁନରାୟ ଦେଖାହେବ ।

 

ଦୌଡ଼ି ଆସି ମି: ବାତ୍ତିସତା କହିଲେ, ମିସେସ୍‌ ମଲଟେନି, ଆପଣତ କ୍ୟାପ୍ରିରେ ପହଞ୍ଚି ଆପଣଙ୍କ ସ୍ୱାମୀଙ୍କ ସହିତ ଦୁଇମାସ ରହିବେ, ଆଉ ମୁଁ.... ? ଧୀର ଗଳାରେ କହିଲେ, ଜାଣନ୍ତି ମି: ରେନ୍‌ଗୋଲଡ୍‍ଙ୍କ ସହିତ ରୋମରେ ଅନେକଦିନ କଟେଇଛି...ସତରେ ତାଙ୍କ ସହିତ ଏକତ୍ର ରହିବା କେତେ କଷ୍ଟକର....ଆପଣ ମୋ ସହିତ ଯାଉଛନ୍ତି ବୋଲି ଆପଣଙ୍କ ସ୍ୱାମୀ ନିଶ୍ଚୟ ଆପତ୍ତି କରୁ ନାହାନ୍ତି...କଣ କହୁଛନ୍ତି ମି: ମଲଟେନି ।

 

ଜୋରରେ କହିଲି...ନା...ନା, ତାହା ନୁହେଁ—ତେବେ ଏମିଲିୟା କହୁଥିଲା ଆପଣ ଖୁବ୍‌ ଜୋରରେ ଗାଡ଼ି ଚଲାନ୍ତି ।

 

ମି: ବାତ୍ତିସତା ଉତ୍ସାହିତ ହୋଇ ପଡ଼ିଲେ । ପରିହାସ କରି ଏମିଲିୟାକୁ କହିଲେ, ଏଥର କଚ୍ଛପ ଗତିରେ ଯିବି...ତଥାପି ଆପଣଙ୍କ ରାଣ; ମୋତେ ରେନ୍‌ଗୋଲ୍‍ଡଙ୍କ ସାଥିରେ ପଠାନ୍ତୁ ନାହିଁ-। ଯଦି ଜାଣନ୍ତେ ତାଙ୍କ ସହିତ ଯିବା କି କଷ୍ଟକର ! କେବଳ ଫିଲମ୍‌....ଫିଲ୍‌ମ ବ୍ୟତୀତ ଆଉ କୌଣସି କଥା ସେ କହନ୍ତି ନାହିଁ ।

 

ମୋର କଣ ହେଲା.....ମୁଁ ନିଜେ ଜାଣେନା । ଗୋଟାଏ ସାମାନ୍ୟ କାରଣ ପାଇଁ ମି: ବାତ୍ତିସତାଙ୍କୁ ଅସନ୍ତୁଷ୍ଟ କରିବା ଠିକ୍‌ ନୁହେଁ । ଟିକିଏ ହେଲେ ଚିନ୍ତା ନ କରି କହିଲି, ଆସ ଏମିଲିୟା...ମି: ବାତ୍ତିସତାଙ୍କ ପାଇଁ ଏଇ ଟିକେ କଷ୍ଟ ସ୍ୱୀକାର କଣ କରି ପାରିବ ନାହିଁ ? ସେ ସତକଥା କହିଛନ୍ତି...ରେନ୍‌ଗୋଲ୍‌ଡଙ୍କ ସହିତ ଫିଲମ ବ୍ୟତୀତ ଅନ୍ୟ କୌଣସି କଥା କୁହା ଯାଇ ପାରେନା ।

 

ମି: ବାତ୍ତିସତା ଖୁସି ହୋଇ କହିଲେ...ସତରେ ସେଇୟା ।

 

ଏମିଲିୟାର ହାତଧରି ଧୀରେ ଧୀରେ କହିଲେ...ଆସନ୍ତୁ...ଆସନ୍ତୁ...ମୋ ଉପରେ ନିଷ୍ଠୁର ହୁଅନ୍ତୁ ନାହିଁ....କଥା ଦେଉଛି ଖୁବ୍‌ ମନ୍ଥର ଗତିରେ ଗାଡ଼ି ଚଳେଇବି...ଆପଣଙ୍କର ମନେହେବ ଯେମିତି ପାଦରେ ଚାଲି ଚାଲିଯାଉଛି ।

 

ଏମିଲିୟା ମୋ ଆଡ଼କୁ ଥରେ ଚାହିଁଲା...ତାର ଦୃଷ୍ଟିର ଅର୍ଥ ବୁଝିପାରିଲି ନାହିଁ....ବେଶ୍‌ ଆପଣ ଯେତେବେଳେ କହୁଛନ୍ତି....ଆସନ୍ତୁ ।

ମି: ବାତ୍ତିସତାଙ୍କ ପାଖାପାଖି ଚାଲିବାକୁ ଲାଗିଲା ଏମିଲିୟା । ମି: ବାତ୍ତିସତା ତା ଅପେକ୍ଷା ଖର୍ବାକାର । ଏମିଲିୟା ମନ୍ଥର ଗତିରେ, ଅଳସ ଭାବରେ, ଅସନ୍ତୁଷ୍ଟ ଚିତ୍ତରେ ଚାଲିଛି । ସେ ଦେଖା ଯାଉଛି ଅପୂର୍ବ ସୁନ୍ଦରୀ । ଯେଉଁ ଆକାଶ ଓ ସମୁଦ୍ର ମଝିରେ ସେ ଠିଆ ହୋଇଛି ତା ସହିତ ସାମଞ୍ଜସ୍ୟ ରଖି କେଉଁ କଳାକାର ଯେମିତି ଆଙ୍କିଛି ଏହି ମୂର୍ତ୍ତି । ତାକୁ ଚାହିଁ ମନେହେଲା...ସେ ଖୁସି ନୁହେଁ । କିନ୍ତୁ କାହିଁକି ? ମୁଁ କେଡ଼େ ବୋକା...ହୁଏତ ସେ ମୋ ସହିତ ରହିବାକୁ ଚାହିଁଥିଲା...କହିବାକୁ ଚାହିଁଥିଲା...ମୁଁ ତୁମକୁ ଭଲପାଏ । ଆଉ ମୁଁ...ମୁଁ ତାକୁ ଛାଡ଼ି ଦେଇଛି ବାତ୍ତିସତାଙ୍କ ସହିତ ।

ଅନୁଶୋଚନାରେ ଭରି ଉଠିଲା ସମଗ୍ର ମନ । ଏମିଲିୟାକୁ ଡାକିବା ପାଇଁ ଯେମିତି ହାତ ବଢ଼େଇଲି । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ଯାଇଛି । ସେ ବାତ୍ତିସତାଙ୍କ ସହିତ ଗାଡ଼ିରେ ଉଠି ଯାଇଛି... ।

ମି: ବାତ୍ତିସତାଙ୍କ ଗାଡ଼ି ଚାଲିଲା—ଆମେ ବହୁ ପଛରେ ରହିଗଲୁ । ଶେଷରେ ଗାଡ଼ି ଖଣ୍ଡିକ ଦୃଷ୍ଟିରେ ସୀମା ଅତିକ୍ରମ କରି ଚାଲିଗଲା ।

ରେନ୍‌ଗୋଲ୍‌ଡ ହୁଏତ ମୋର ମନର ଅବସ୍ଥା ବୁଝି ପାରିଥିଲେ । ଆଶଙ୍କା କରିଥିଲି ସେ ପୁନରାୟ ‘ଓଡ଼ିସି’ କଥା ଉଠେଇବେ । ତା ନ କରି ସେ ଟୋପିଟା ତଳକୁ ଖସେଇ ନେଇ ନୀରବରେ ବସି ରହିଲେ । ତାପରେ ଅଳ୍ପ ସମୟ ଭିତରେ ଶୋଇ ପଡ଼ିଲେ ।

ନିଶବ୍ଦରେ ଫୁଲସ୍ପିଡରେ ଗାଡ଼ିଟି ଚଳେଇବାକୁ ଲାଗିଲି । ମନଟା ଖରାପ ହୋଇଗଲା । ସମୁଦ୍ର ପାରିହେଇ ରୌଦ୍ରସ୍ମାତ ଗ୍ରାମାଞ୍ଚଳରେ ଆସି ପହଞ୍ଚି ଯାଇଛି । ଚାରିଆଡ଼େ ସବୁଜ ଜୀବନର ସ୍ପନ୍ଦନ । ରଙ୍ଗିନ ପାହାଡ଼ ତଳେ ଯେତେ ଦୂର ଦୃଷ୍ଟି ପଡ଼ୁଛି କେବଳ ଧୂସର ‘ଅଲିଭ’ ଗଛର ଧାଡ଼ି । ସୁନେଲି ରଙ୍ଗରେ ଝିଲିମିଲି କମଳା ଗଛର କୁଞ୍ଚ । ପୁରାତନ ଖଳାରେ ହଳଦିଆ ପାଳର ଗଦା...ଛାୟାଭରା, ମାୟାମୟ ପ୍ରାକୃତିକ ସୌନ୍ଦର୍ଯ୍ୟ ।

ଏହି ନୟନାଭିରାମ ଦୃଶ୍ୟ ଦେଖି ବି ଦେଖି ପାରିଲି ନାହିଁ । ମନର ବିଦ୍ୱେଷଭାବ ଧୀରେ ଧୀରେ ବଢ଼ିବାକୁ ଲାଗିଲା । କାହିଁକି ଏମିଲିୟାକୁ ଚାଲିଯିବା ପାଇଁ ସୁଯୋଗ ଦେଲି ? ତାର କାରଣ ଖୋଜି ପାଇଲି ନାହିଁ । ମନଟା ଧୂମାଚ୍ଛନ୍ନ ହୋଇ ରହିଲା ।

ବିସ୍ତୀର୍ଣ୍ଣ ପ୍ରାନ୍ତର, ବନଭୂମି, ସମତଳଭୂମି ଓ ପାହାଡ଼ ଭିତର ଦେଇ ଯାଉ ଯାଉ ଧୀରେ ଧୀରେ ଉପଶମ ହୋଇ ଆସିଲା ମନର ଏ ଅସ୍ଥିରତା ।

ନେପଲସର ପାଖାପାଖି ଆସିବା ମାତ୍ରକେ ସମଗ୍ର ପ୍ରକୃତିର ପରିବର୍ତ୍ତନ ହୋଇଗଲା । ରାଜପଥଟି ବଙ୍କେଇ ଯାଇଛି ସମୁଦ୍ର ଆଡ଼କୁ, ଆମେ ଚାଲିଛୁ ପାହାଡ଼ର ପାଦଦେଶରେ, ପାଇନବଣ ଭିତରେ ଦେଖା ଯାଉଛି ଉପସାଗରର ଉଜ୍ୱଳ ନୀଳ ଜଳ । ଅବଶ ହୋଇ ପଡ଼ିଥିଲି । ହଠାତ୍‌ ଥର ଥର ହୋଇ କମ୍ପି ଉଠିଲା ସମଗ୍ର ମନ ଓ ଶରୀର । ବୁଝି ପାରିଲି ନାହିଁ....ମୋର କଣ ହେଲା ?

କ୍ୟାପ୍ରିକୁ ଆସି ଜାଣିଲି ଯେ—ବହୁଦୂରରେ, ଉପକୂଳରେ ଗୋଟାଏ ନିର୍ଜନ ପ୍ରାନ୍ତରେ ମି: ବାତ୍ତିସତାଙ୍କ ପ୍ରମୋଦ–ପ୍ରାସାଦ । ମି: ରେନ୍‌ଗୋଲ୍‌ଡଙ୍କୁ ହୋଟେଲରେ ପହଞ୍ଚେଇ ଦେଇ ମି: ବାତ୍ତିସତା, ଏମିଲିୟା ଓ ମୁଁ ଗୋଟାଏ ଅପ୍ରଶସ୍ତ ରାସ୍ତାରେ ପ୍ରମୋଦ–ପ୍ରାସାଦ ଉଦ୍ଦେଶ୍ୟରେ ଚାଲିଲୁ-। ଦ୍ୱୀପଟି ଚାରିପାଖରେ ଛାୟାଘେରା ପଥ । ସେହି ରାସ୍ତାରେ ପାହାଡ଼ ପାଖକୁ ଚାଲି ଆସିଲୁ-। ସୂର୍ଯ୍ୟ ସେତେବେଳକୁ ଅସ୍ତୋନ୍ମୁଖ, ରାସ୍ତାରେ ଲୋକ ଚଳାଚଳ ନାହିଁ କହିଲେ ଚଳେ । ପାଇନ ଗଛର ଅନ୍ତରାଳରେ ଆଖିରେ ପଡ଼ୁଛି ଅସ୍ତଗାମୀ ସୂର୍ଯ୍ୟର ମ୍ଳାନ ଆଲୋକରେ ଦୀପ୍ତ ଘନ ନୀଳ ସମୁଦ୍ର । ମି: ବାତ୍ତିସତା ଓ ଏମିଲିୟାର ପଛରେ ମୁଁ ରହିଛି । ମୁଗ୍‌ଧ ବିସ୍ମୟରେ ଉପଭୋଗ କରୁଛି ନିଃସର୍ଗ ଶୋଭା । ବିଶେଷ ଖୁସି ନ ହେଲେହେଁ ଶାନ୍ତ ଓ ପ୍ରକୃତିସ୍ଥ ବୋଧକଲି ।

 

ରାସ୍ତାଟି ପାରିହୋଇ ଆଉ ଗୋଟାଏ ଅପ୍ରଶସ୍ତ ରାସ୍ତା ଉପରକୁ ଆସିବା ମାତ୍ରକେ ଏମିଲିୟାର ବିସ୍ମୟ ଓ ହର୍ଷଧ୍ୱନି ଶୁଣି ପାରିଲି । ଏହା ଆଗରୁ ଦୁଇଟି ଏଠାକୁ କେବେ ହେଲେ ଆସି ନାହିଁ । ଏଠାରୁ ସମୁଦ୍ର ଉପରେ ଦୁଇଟି ଲାଲ ପାହାଡ଼ ବିଚିତ୍ର ବିସ୍ମୟକର ଦେଖାଯାଏ । ମନେ ହୁଏ...ଦର୍ପଣ ଉପରେ ଦୁଇଟି ଉଲ୍‌କାପିଣ୍ଡ ଆକାଶରୁ ଖସି ପଡ଼ିଛି । ଉଲ୍ଲସିତ ହୋଇ ଏମିଲିୟାକୁ କହିଲି—ଜାଣ, ଏଇଠି ଗୋଟାଏ ରକମର ନୀଳ ଝିଟିପିଟି ଅଛନ୍ତି । ପୃଥିବୀରେ ଅନ୍ୟ କୌଣସିଠାରେ ଏମିତି ଝିଟିପିଟି ନାହାନ୍ତି—କାରଣ ଏମାନେ ନୀଳସମୁଦ୍ର ଆଉ ଆକାଶର ମଝିରେ ରହନ୍ତି ।

 

ସେ ମୋର କଥା କୌତୂହଳୀ ହୋଇ ଶୁଣିଲା—ଯେମିତି ମୂହୁର୍ତ୍ତକ ପାଇଁ ଭୁଲିଗଲା ଯେ ସେ ମୋତେ ଭଲ ପାଏନା, ଘୃଣାକରେ । ସେତେବେଳେ ମୋର ମନରେ ବି ଜାଗି ଉଠିଲା ନୂତନ ଆଶା—ଏହି ନୀଳ ଝିଟିପିଟି ଭଳି ଆମରି ଅନ୍ତର ହେବ ପବିତ୍ର, ନୀଳ, ପୋଛି ହୋଇଯିବ ଚିନ୍ତାର ମସୀରେଖା, ଅନ୍ତରରେ ଫୁଟିଉଠିବ ନୀଳ ଆଲୋକ; ଝିଟିପିଟି, ସମୁଦ୍ର ଆଉ ଆକାଶ ଭଳି ଉଜ୍ଜ୍ୱଳ, ଆନନ୍ଦମୟ, ନିର୍ମଳ ହେବ ଆମର ଜୀବନ ।

 

ପଥରର ପାହାଡ଼ ଭିତର ଦେଇ ବୁଲି ଯାଇଛି ରାସ୍ତାଟି । ତାହାରି ଅଦୂରରେ ଗୋଟାଏ ଧଳା ପ୍ରାସାଦ, ପ୍ରାସାଦର ବାରଣ୍ଡାଟି ଝୁଲୁଛି ସମୁଦ୍ର ଉପରେ । ଏଇଟା ହିଁ ମି: ବାତ୍ତିସତାଙ୍କର ପ୍ରମୋଦ—ପ୍ରାସାଦ । ଘରଟି ମୋଟେ ବଡ଼ ନୁହେଁ—ଗୋଟାଏ ବେଡ୍‍ରୁମ୍‌ ବ୍ୟତୀତ ଆଉ ତିନୋଟି ଛୋଟ ଛୋଟ ରୁମ୍‌ । ମି: ବାତ୍ତିସତା ଆଗେ ଆଗେ ଚାଲିଲେ । କହିଲେ ପକେଟରୁ ପଇସା ଖର୍ଚ୍ଚ କରି ଘରଟି କିଣା ହୋଇ ନାହିଁ । ଜଣକ ପାଖରୁ କିଛି ଟଙ୍କା ପାଇବାର ଥିଲା, ଟଙ୍କା ପରିବର୍ତ୍ତେ ପାଇଲି ଏହି ଘରଟି...ଆସନ୍ତୁ....ଥରେ ସବୁ ରୁମ୍ ଗୁଡ଼ିକ ଦେଖି ନେଇ ପରେ ବିଶ୍ରାମ କରିବେ ।

 

ମି: ବାତ୍ତିସତାଙ୍କ ପଛରେ ଚାଲିଲୁ । ଦେଖିଲୁ ଆୟୋଜନର କୌଣସି ତ୍ରୂଟି ସେ କରି ନାହାନ୍ତି । ଶୋଇବା ଘରର ଫୁଲଦାନୀରେ ଫୁଲ ସଜାହୋଇଛି, ଚକ ଚକ କରୁଛି ଚଟାଣ, ରେଷେଇ ଶାଳାରେ ଆରମ୍ଭ ହୋଇଛି ବ୍ୟସ୍ତତା; ତାଙ୍କରି ପ୍ରାସାଦରେ ଆଜି ଯେମିତି ଉତ୍ସବ ।...

 

ଫେରି ଆସି ବସିଲି । ଏମିଲିୟା କହିଲା ଏଥର ପୋଷାକ ପରିବର୍ତ୍ତନ କରିବି । ସେ ବାହାରକୁ ଚାଲିଗଲା । ଭାବିଲି, ମୁଁ ବି ତାର ଦୃଷ୍ଟାନ୍ତ ଅନୁସରଣ କରିବି । କିନ୍ତୁ ମି: ବାତ୍ତିସତା କହିଲେ ‘ବସନ୍ତୁନା’ । ଖଣ୍ଡେ ସିଗେରେଟରେ ଅଗ୍ନିସଂଯୋଗ କରି ବିନା ଭୂମିକାରେ ସେ ପ୍ରଶ୍ନ କଲେ, ଦେଖନ୍ତୁ ମି: ମଲଟେନି, ମି: ରେନ୍‌ଗୋଲ୍‌ଡଙ୍କ ସମ୍ବନ୍ଧରେ ଆପଣଙ୍କର ଧାରଣା କ’ଣ ?

 

ଅଳ୍ପ ଆଶ୍ଚର୍ଯ୍ୟ ହୋଇ କହିଲି, ସତରେ—ଜାଣେନା...ତାଙ୍କୁ କେତେ ସମୟ ଅବା ବୁଝିଛି.....କେମିତି ଭାବରେ କହିବି...ତେବେ ମନେହୁଏ ଖୁବ୍‌ ‘ସିରିୟାସ୍‌’ ଚିତ୍ର—ନିର୍ଦ୍ଦେଶକ ହିସାବରେ ସମସ୍ତେ ତାଙ୍କରି ସୁନାମ କରନ୍ତି ।

 

କଣ ଯେମିତି ଚିନ୍ତାକରି ମି: ବାତ୍ତିସତା କହିଲେ, ଦେଖନ୍ତୁ ମି: ମଲ୍‌ଟେନି, ମୁଁ ମଧ୍ୟ ତାଙ୍କୁ ଭଲ ଭାବରେ ଜାଣେନା—ତେବେ ତାଙ୍କର ଚିନ୍ତା ଓ ଉଦ୍ଦେଶ୍ୟ କଣ ଜାଣେ—ତାଛଡ଼ା ସେ ହେଉଛନ୍ତି ଜର୍ମାନ ଆଉ ଆମେ—ଆପଣ ଓ ମୁଁ ଇଟାଲୀୟ.....ଦୁଇଟି ସଂପୂର୍ଣ୍ଣ ସ୍ୱତନ୍ତ୍ର ଜଗତ, ଅନୁଭୂତି ଓ ଜୀବନ ବୋଧ ସ୍ୱତନ୍ତ୍ର...

 

ନୀରବରେ ଶୁଣିବାକୁ ଲାଗିଲି ।

 

ଦେଖନ୍ତୁ ମି: ମଲଟେନି ଆପଣଙ୍କୁ—ମାନେ ଜଣେ ଇଟାଲୀୟକୁ ଜର୍ମାନ ରେନ୍‌ଗୋଲ୍‌ଡଙ୍କ ସହିତ ରଖିବାକୁ ଚାହେଁ—କାହିଁକି ଜାଣନ୍ତି ? ତାଙ୍କ ସହିତ ଆମର ଅନେକ ତଫାତ୍‌ ରହିଛି...ଆପଣଙ୍କୁ ମୁଁ ବିଶ୍ୱାସ କରେ, ତେଣୁ ଭାବିଛି ଯିବା ପୂର୍ବରୁ (ମୋତେ ତ ସହଳ ଫେରିଯିବା ପାଇଁ ପଡ଼ିବ) ଆପଣଙ୍କୁ କେତୋଟି କଥା କହି ଦେଇ ଯିବି ।

 

ବେଶ୍‌ କୁହନ୍ତୁନା ।

 

ଏହି ଫିଲ୍ମ ସମ୍ବନ୍ଧରେ ଆଲୋଚନା କଲାବେଳକୁ ଦେଖିଛି—ମି: ରେନ୍‌ଗୋଲ୍‌ଡ ମୋର ମତର ସମର୍ଥନ କରନ୍ତି ନ ହେଲେ ନୀରବ ରହନ୍ତି, ନିଜେ କିଛି କହନ୍ତି ନାହିଁ...କିନ୍ତୁ ମୁଁ ତ ଲୋକ ଚିହ୍ନି ପାରେ...ଯାର ଏମିତି ମନୋଭାବ ତା ଉପରେ କେମିତି ଭରସା କରିବି ? ଆପଣମାନେ ବିଦଗ୍‍ଧ...ଆପଣମାନେ ଭାବନ୍ତି—ଚିତ୍ର ନିର୍ମାତାଗଣ କେବଳ ବ୍ୟବସାୟୀ ଛଡ଼ା କିଛି ନୁହନ୍ତି, ବ୍ୟବସାୟହିଁ ସେମାନଙ୍କର ସର୍ବସ୍ୱ—ଆଉ ସେମାନେ କିଛି ବୁଝନ୍ତି ନାହିଁ । ରେନ୍‌ଗୋଲ୍‌ଡ ଠିକ୍‌ ସେୟା ମନେ କରନ୍ତି—ତାଙ୍କର ଧାରଣା ନୀରବ ରହିଲେ ହିଁ ସହଜରେ ବୋକା ବନା ଯାଇ ପାରେ...କିନ୍ତୁ ପ୍ରକୃତରେ ମୁଁ ହୁସିଆର ଏକଥା ଭୁଲିଗଲେ ଚଳିବ ନାହିଁ ।

 

ତାର ଅର୍ଥ ଆପଣ ମି: ରେନ୍‌ଗୋଲଡ୍‍ଙ୍କୁ ବିଶ୍ୱାସ କରନ୍ତି ନାହିଁ ?

 

ବିଶ୍ୱାସ କରେ—ପୁଣି କରେନାହିଁ....ଶିଳ୍ପୀ ଓ ବ୍ୟବସାୟୀ ହିସାବରେ ତାଙ୍କ ଉପରେ ମୋର ଆସ୍ଥା ରହିଛି...ଜର୍ମାନ ହିସାବରେ ଆମଠାରୁ ଭନ୍ନ ଏକ ଜଗତର ମଣିଷ ହିସାବରେ ତାଙ୍କ ଉପରେ ଭରସା କରି ପାରୁନାହିଁ—

 

ଆଷ୍ଟ୍ରେଟି ଉପରେ ଜ୍ୱଳନ୍ତ ସିଗାରେଟ ଖଣ୍ଡକ ଥୋଇ ମୋତେ ଚାହିଁ କହିଲେ ଏଥର କଥାଟା ପରିଷ୍କାର ଭାବରେ କହିବା ଦରକାର । ମୁଁ ଚାହେଁ, ଅନେକଟା ହୋମରଙ୍କ ‘ଓଡ଼ିସି’ ଭଳି ଗୋଟାଏ ଫିଲମ । ଅବଶ୍ୟ ଯେତେଦୂର ସମ୍ଭବ । ହୋମରଙ୍କ ‘ଓଡ଼ିସି’ ର ଉଦ୍ଦେଶ୍ୟ କଣ ? ହୋମର କହିବାକୁ ଚାହିଁଥିଲେ—ଗୋଟାଏ ଅଭିଯାନର କାହାଣୀ ଯାହା ପ୍ରଥମରୁ ତାର ପାଠକ ସମାଜକୁ ଗଭୀର ଉତ୍କଣ୍ଠା ଭିତରେ ବୁଡ଼େଇ ରଖିବା—ଗୋଟାଏ କଥାରେ ସେ ସୃଷ୍ଟି କରିବା ପାଇଁ ଚାହିଁଥିଲେ ଅଭିନବ ଗୋଟାଏ କାହାଣୀ—ତାଙ୍କର ଆଉ କୌଣସି ଉଦ୍ଦେଶ୍ୟ ନଥିଲା—ମୁଁ ଚାହେଁ ଆପଣ ହୋମର ମଧ୍ୟରେହିଁ ସୀମିତ ରହନ୍ତୁ—ହୋମର ତାଙ୍କର କାହାଣୀ ମଧ୍ୟରେ ଦାନବ, ଆଲୌକିକ ଘଟଣା, ଝଡ଼, ଡାହାଣୀ ଓ ଚମକପ୍ରଦ ଦୃଶ୍ୟର ଅବତାରଣା କରିଛନ୍ତି....ଆପଣ ମଧ୍ୟ ସେୟା କରନ୍ତୁ....

 

ଅଳ୍ପ ବିସ୍ମିତ ହୋଇ କହିଲି, ଆମ୍ଭେମାନେ ମଧ୍ୟ ଠିକ୍‌ ସେୟା କରିବୁ ।

 

ହଁ....ହଁ...ସେୟା କରନ୍ତୁ...ଆପଣ ହୁଏତ ଭାବୁଛନ୍ତି ମୁଁ ବୋକା କିନ୍ତୁ ଜାଣି ରଖନ୍ତୁ ମୁଁ ବୋକା ନୁହେଁ...।

 

ମୋ ଆଡ଼କୁ ସେ ହିଂସ୍ର ଦୃଷ୍ଟିରେ ଚାହିଁ ରହିଲେ । ଧୀର କଣ୍ଠରେ କହିଲି, ଆପଣ କାହିଁକି ମନେ କରୁଛନ୍ତି ଯେ ଆମେ ଆପଣଙ୍କୁ ନିର୍ବୋଧ ମନେ କରୁଛୁ ।

 

ଆପଣମାନଙ୍କର ବ୍ୟବହାରରେ ତ ସେୟା ମନେ ହେଉଛି ।

 

ଆପଣଙ୍କର ଇଙ୍ଗିତଟା ଠିକ୍‌ ବୁଝି ପାରିଲି ନାହିଁ ।

 

ଅଳ୍ପ ଶାନ୍ତ ଗଳାରେ ଆଉ ଗୋଟାଏ ସିଗାରେଟରେ ଅଗ୍ନି ସଂଯୋଗ କରି ସେ କହିଲେ ଆପଣଙ୍କର ମନେ ପଡ଼ୁଛି—ମୋର ଅଫିସରେ ଯେଉଁଦିନ ମି: ରେନ୍‌ଗୋଲ୍‌ଡଙ୍କ ସହିତ ଆପଣଙ୍କର ପ୍ରଥମ ପରିଚୟ ହୋଇଥିଲା ସେହିଦିନ ଆପଣ କହିଥିଲେ, ଏମିତି ଗୋଟାଏ କଠିଣ ଚିତ୍ରନାଟ୍ୟ ଆପଣ ଲେଖି ପାରିବେ ନାହିଁ.... ?

 

ହଁ ।

 

ରେନ୍‌ଗୋଲ୍‍ଡ କଣ କହିଥିଲେ ?

 

ଠିକ୍‌ ମନେ ପଡ଼ୁନାହିଁ ।

 

ଆଚ୍ଛା ରୁହନ୍ତୁ—ମୁଁ କହି ଦେଉଛି....ରେନ୍‌ଗୋଲ୍‍ଡ ଆପଣଙ୍କୁ କହିଥିଲେ—ଆପଣଙ୍କୁ କିଛି ଭାବନା କରିବାକୁ ପଡ଼ିବ ନାହିଁ—ସେ ଗୋଟାଏ ମନସ୍ତତ୍ତ୍ୱ ମୂଳକ ଚିତ୍ର ଉଠେଇବେ—ଇଉଲିସିସ୍‌ ଓ ପେନିଲୋପର ଦାମ୍ପତ୍ତ୍ୟ ଜୀବନ ସମ୍ବନ୍ଧରେ ନୁହେଁ ?

 

ଆଶ୍ଚର୍ଯ୍ୟ ! ମୁଁ ଯେମିତି କଳ୍ପନା କରିଥିଲି ମି: ବାତ୍ତିସତା ଠିକ୍‌ ସେମିତି ନୁହନ୍ତି ।

 

କହିଲି, ହଁ ଏହି ଧରଣର କିଛି ଗୋଟାଏ ସେ କହିଥିଲେ ।

 

ବେଶ୍‌—ବର୍ତ୍ତମାନ ଦେଖୁଛି....ଚିତ୍ରନାଟ୍ୟ ପ୍ରସ୍ତୁତ ହୋଇନାହିଁ...ଆରମ୍ଭ ବି ହୋଇ ନାହିଁ-। ତେଣୁ ଆପଣଙ୍କୁ ଜଣାଉଛି—‘ଓଡ଼ିସି’ ମୋ ପାଖରେ ଇଉଲିସିସ୍‌ ବା ପେନିଲୋପର ଦାମ୍ପତ୍ୟ–ଜୀବନର ଚିତ୍ର ନୁହେଁ...ଆଧୁନିକ ଯୁଗର କୌଣସି ସ୍ୱାମୀ–ସ୍ତ୍ରୀ ସମ୍ପର୍କରେ କୌଣସି ଚିତ୍ର ନିର୍ମାଣ କରିବାକୁ ହେଲେ ଖଣ୍ଡେ ଆଧୁନିକ ଉପନ୍ୟାସ ନେଇ ରୋମର ଯେ କୌଣସି ଅଭିଜାତ ପ୍ରାସାଦର ବେଡ଼ ରୁମ୍‌ ଆଉ ଡ୍ରଇଁ ରୁମ୍‌ର ଚିତ୍ର ତୋଳିନେଲେ ଯଥେଷ୍ଟ—ଯଦି ସେଇୟା ଚାହୁଁଥାନ୍ତି–ହୋମର ଓ ‘ଓଡ଼ିସି’ ସମ୍ବନ୍ଧରେ ମୁଣ୍ଡ ଘୁରାନ୍ତୁ ନାହିଁ...ବୁଝିଲେ, ମି: ମଲଟେନି ?

 

ହଁ ।

 

ସ୍ୱାମୀ–ସ୍ତ୍ରୀ ସମ୍ବନ୍ଧରେ ମୋର କୌଣସି କୌତୁହଳ ନାହିଁ—‘ଓଡ଼ିସି’ ହେଉଛି କେବଳ ଗୋଟାଏ ଦୁଃସାହସିକ ଅଭିଯାନର କାହାଣୀ...ଏ ସଂପର୍କରେ ଆପଣମାନଙ୍କର ଯେମିତି ବିନ୍ଦୁମାତ୍ର ସନ୍ଦେହ ନ ରହେ ସେଇଥିପାଇଁ କହୁଛି...ମୁଁ ଚାହେଁ ସଂପୂର୍ଣ୍ଣ ନୂତନ ଧରଣର ଗୋଟାଏ ଚିତ୍ର...

 

ଆପଣ ନିଶ୍ଚିନ୍ତ ରୁହନ୍ତୁ...ସେୟା ହେବ...ଏଥିରେ କୌଣସି ସନ୍ଦେହ ନାହିଁ ।

 

ଅର୍ଦ୍ଧଦଗ୍‌ଧ ସିଗାରେଟ ଖଣ୍ଡକ ଫିଙ୍ଗିଦେଇ ସ୍ୱାଭାବିକ କଣ୍ଠରେ ମି: ବାତ୍ତିସତା କହିଲେ, ସନ୍ଦେହ କରୁନାହିଁ ତେବେ ଅର୍ଥଟା ମୁଁ ଖଟୋଉଛି । ଏକଥାଟା ମନେ ରଖିବେ—ଆପଣଙ୍କୁ ସବୁକଥା ଖୋଲା ଖୋଲି କହିଲି ଯେମିତି ଆମ ଭିତରେ ଅପ୍ରିୟ, ଭୁଲ ବୁଝାବଣା ନ ହୁଏ...କାଲି ସକାଳୁ ଆପଣ କାମ ଆରମ୍ଭ କରନ୍ତୁ...ଆପଣଙ୍କ ନିଜର ସ୍ୱାର୍ଥ ଦୃଷ୍ଟିରୁ ସମୟ ଥାଉଣୁ କେବଳ ସତର୍କ କରିଦେଲି....ମୁଁ ସତରେ ଆପଣଙ୍କୁ ଗଭୀର ଭାବରେ ବିଶ୍ୱାସ କରେ—ମି: ରେନ୍‌ଗୋଲଡ୍‍ଙ୍କ ପାଖରେ ଆପଣହିଁ ହେବେ ମୋର ମୁଖପାତ୍ର....ପ୍ରୟୋଜନ ହେଲେ ତାଙ୍କୁ ସ୍ମରଣ କରେଇ ଦେବେ—‘ଓଡ଼ିସି’ ଯୁଗ ଯୁଗ ଧରି ନର ନାରୀର ମନୋରଞ୍ଜନ କରିଛି...ଚିରଦିନ କରିବ...ତାର କାରଣ ତହିଁରେ ରହିଛି କାବ୍ୟ....ମୁଁ ଚାହେଁ ସେହି କାବ୍ୟ ଯେମିତି ସବୁଗୁଡ଼ିକ ରହିବ ମୋର ଚିତ୍ରରେ ।

 

ବୁଝି ପାରିଲି ମି: ବାତ୍ତିସତା ଏଥର ଶାନ୍ତ ହୋଇଛନ୍ତି । ସେ ଆଉ ସେ ବସ୍ମୟକର ଫିଲ୍ମ ସମ୍ବନ୍ଧରେ ଆଲୋଚନା କରୁନାହାନ୍ତି....କହୁଛନ୍ତି କାବ୍ୟ ସମ୍ବନ୍ଧରେ....ବାସ୍ତବତାରେ ସୀମା ପରିତ୍ୟାଗ କରି ଆମେ ଚାଲି ଆସିଛୁ ଶିଳ୍ପ ଓ ଆତ୍ମାର ଉର୍ଦ୍ଧ୍ୱଲୋକକୁ । ମୁହଁରେ ହସ ଫୁଟେଇ କହିଲି ଆପଣ କିଛି ଭାବନା କରନ୍ତୁ ନାହିଁ ମି: ବାତ୍ତିସତା...ହୋମରଙ୍କ ସମସ୍ତ କାବ୍ୟରସ ଆପଣ ପାଇବେ...ତା ଭିତରେ ଆମେ ଯେତେ ଖୋଜି ପାଉଁ ସବୁତକ ।

 

ବା...ବା, ଚମତ୍କାର...ଏତେ ଦରକାର...ଆଉ କହିବାକୁ ପଡ଼ିବ ନାହିଁ ?

 

ଚେୟାର ଛାଡ଼ି ମିଃ: ବାତ୍ତିସତା ଉଠିଲେ । ଘଡ଼ିକୁ ଚାହିଁ କହିଲେ, ମୁଁ ହାତମୁହଁ ପରିଷ୍କାର କରିନେଇ ଆସୁଛି । ମୋତେ ଏକାକୀ ଛାଡ଼ି ସେ ବାହାରି ଗଲେ ।

 

ଭାବିଥିଲି କୋଠରୀ ଭିତରକୁ ଫେରିଯାଇ ପୋଷାକ ପରିବର୍ତ୍ତନ କରି ପୁଣି ଆସିବି, କିନ୍ତୁ ମି: ବାତ୍ତିସତାଙ୍କ କଥାରେ ଏତେ ଉତ୍ତେଜିତ ହୋଇ ପଡ଼ିଥିଲି ଯେ ସେ କଥା ଭୁଲି ଯାଇ ଅସ୍ଥିର ଭାବରେ ପଦଚାରଣ କରିବାକୁ ଲାଗିଲି । ମି: ବାତ୍ତିସତା ଆଜି ପ୍ରଥମ ଥର ପାଇଁ ଇଙ୍ଗିତରେ ଜଣାଇ ଦେଲେ ଅର୍ଥ ପାଇଁ ନିରୁଦ୍‌ବେଗରେ ଯେଉଁ କାମଟା ମୁଁ ହାତରେ ନେଇଛି ତାହା କେତେ ଦୂରୁହ । ଚିତ୍ରନାଟ୍ୟଟି ଲେଖିବା ପାଇଁ କଠୋର ପରିଶ୍ରମ କରିବାକୁ ପଡ଼ିବ । ସେକଥା ଚିନ୍ତାକରି ସମଗ୍ର ଶରୀର ରୋମାଞ୍ଚିତ ହୋଇ ପଡ଼ିଲା । କାହିଁକି ? କାହିଁକି ମୁଁ ଏ ଅନ୍ୟାୟ କାମ କରିବାକୁ ଯିବି ? ମି: ବାତ୍ତିସତାଙ୍କ ସହିତ ଆଲୋଚନା ବା କାହିଁକି କରିବି ? ମି: ରେନ୍‌ଗୋଲ୍‍ଡ ଓ ମୋ ଭିତରେ ଯେଉଁ ଆଲୋଚନା ହେବ ତାହା ଗୋପନ ରଖିବି କାହିଁକି ? କାହିଁକି ଆପେକ୍ଷ ମୀମାଂସାର ଚେଷ୍ଟା କରିବି ? ଗୋଟାଏ ପେଶାଦାର ଚିତ୍ର ସହିତ କାହିଁକି ନିଜକୁ ଜଡ଼ିତ କରିବି ? କାହିଁକି.....କାହିଁକି ଏସବୁ.....?

 

ଅଳ୍ପସମୟ ପୂର୍ବରୁ କ୍ୟାପ୍ରି ମୋ ପାଖରେ ପରମ ରମଣୀୟ ଓ ଶୋଭନୀୟ ମନେ ହେଇଥିଲା । କିନ୍ତୁ ବର୍ତ୍ତମାନ ଗୋଟାଏ ଅନିଶ୍ଚିତ କାମର ଦୁର୍ଭାବନାରେ—ମୋ ଭଳି ରୁଚି ସଂପନ୍ନ ବ୍ୟକ୍ତିର ମନର ଚାହିଦା ସହିତ ଚିତ୍ର ନିର୍ମାତାଙ୍କର ଚାହିଦାର ସଙ୍ଗତି ରକ୍ଷା କରିବାକୁ ଯାଇ—ସେହି କ୍ୟାପ୍ରିର ରୂପ ଯେମିତି ପରିବର୍ତ୍ତନ ହୋଇ ଯାଇଛି । ଗଭୀର ମନୋଭାବନା ସହିତ ମନେ ପଡ଼ିଲା ମି: ବାତ୍ତିସତା ପ୍ରଭୁ ଆଉ ମୁଁ ଭୃତ୍ୟ । ପ୍ରଭୁର ଆଦେଶ ପାଳନ ପାଇଁ ସବୁକିଛି କରିବାକୁ ପଡ଼ିବ । ପ୍ରଭୁର କର୍ତ୍ତବ୍ୟ ଏଡ଼େଇବା ପାଇଁ ଶଠତା ଓ ତୋଷାମୋଦକାରୀତାର ଆଶ୍ରୟ ନେବା ଆହୁରି ଅସମ୍ମାନକର । ଗୋଟାଏ କଥାରେ ଚୁକ୍ତିପତ୍ରରେ ସ୍ୱାକ୍ଷର କରି ମୁଁ ମୋର ମନ ବିକ୍ରି କରି ଦେଇଛି ଗୋଟାଏ ସଇତାନ ପାଖରେ । ଯେ କୌଣସି ସଇତାନ ଭଳି ସେ ନୀଚ—ମୋ ପାଖରୁ କଡ଼ା ଗଣ୍ଡା ଆଦାୟ ନ କରି ମୋତେ ଛାଡ଼ିବ ନାହିଁ । ସହଜ, ସରଳ ସ୍ପଷ୍ଟ କଣ୍ଠରେ ମି: ବାତ୍ତିସତା କହିଛନ୍ତି ଟଙ୍କାଟା ମୁଁ ଦେଉଛି ।

 

ବାରମ୍ବାର କାନ ପାଖରେ ଏହି କେତୋଟି କଥା ପ୍ରତିଧ୍ୱନିତ ହେବାକୁ ଲାଗିଲା । କଳ୍ପନା କରୁକରୁ ନିଶ୍ୱାସ ରୁଦ୍ଧ ହୋଇ ଆସୁଥିଲା । ମି: ବାତ୍ତିସତାଙ୍କ ନିକଟରୁ ଦୂରକୁ ଚାଲିଯିବା ପାଇଁ ଇଚ୍ଛାହେଲା । ଝରକାଟି ଖୋଲି ଛାତ ଉପରେ ଆସି ଠିଆହେଲି ।

 

ରାତ୍ରିର ଆକାଶ ବୁକୁରେ ଅବଶ୍ୟ ଚନ୍ଦ୍ରର ମୃଦୁ ଆଲୋକରେ ସମଗ୍ର ଛାତିଟି ହସି ଉଠିଛି-। ଛାତରୁ ରାସ୍ତା ଉପରକୁ ନଇଁ ଯାଇଛି ଗୋଟାଏ ସିଡ଼ି । ରାସ୍ତାଟି ବୁଲି ଯାଇଛି ଦ୍ୱୀପର ଚତୁର୍ଦ୍ଦିଗରେ । ଭାବିଲି ତଳକୁ ଓହ୍ଲେଇ ବୁଲିବି—କିନ୍ତୁ ବର୍ତ୍ତମାନ ଆଉ ସମୟ ନାହିଁ—ରାତି ହୋଇ ଯାଇଛି, ରାସ୍ତା ନିର୍ଜନ । ବର୍ତ୍ତମାନ ଛାତ ଉପରେ ରହିବା ହିଁ ବାଞ୍ଛନୀୟ । ନିଶ୍ଚଳ ଭାବରେ ଠିଆ ହୋଇ ଅନ୍ଧକାର ରଜନୀକୁ ଦେଖିବାକୁ ଲାଗିଲି । ନକ୍ଷତ୍ର ଖଚିତ ଆକାଶତଳେ ଦ୍ୱୀପ ଉପରେ ମୁଣ୍ଡ ଟେକି ଠିଆ ହୋଇଛି ଉଚ୍ଚ, କଳା ପାହାଡ଼ ଗୁଡ଼ିକ । ତଳର ପର୍ବତଶ୍ରେଣୀ ଉପର ପାଖର ପର୍ବତ ଗୁଡ଼ିକ ଅପେକ୍ଷା ଅସ୍ପଷ୍ଟ । ଦିଗନ୍ତରେ ସୀମାହୀନ ଅନ୍ଧକାର, ଅନନ୍ତ ନୀରବତା । ଅନେକ ତଳେ ଛୋଟ ଖଡ଼ି ପଥରର ବେଳା ଭୂମିରୁ ଶୁଣାଯାଉଛି ଢେର ଅସ୍ପଷ୍ଟ କୋଳାହଳ । ନା, ହୁଏତ ମୁଁ ଭୁଲ କରୁଛି । ଜୁଆରର ଗତି ସହିତ ଉଚ୍ଛ୍ୱସିତ, ପ୍ରସାରିତ ଶାନ୍ତ ସମୁଦ୍ରର ନିଶ୍ୱାସ ଛଡ଼ା ଆଉ କିଛି ନାହିଁ-। ସମସ୍ତ ନିସ୍ତବ୍‌ଧ, ନିଝୁମ । ଏପରିକି ଟିକିଏ ହେଲେ ପବନ ନାହିଁ । ଆଖି ଟେକି ସୁଦୂର ଦିଗନ୍ତକୁ ଚାହିଁଲି । ଆଖିରେ ପଡ଼ିଲା ବତୀଘରର କ୍ଷୀଣ ଆଲୋକ । ମିଟ୍‌ ମିଟ୍‌ କରି ପୁନରାୟ ଆଲୋକଟି ଉଜ୍ଜ୍ୱଳ ଭାବରେ ଜଳି ଉଠୁଛି । ରହି ରହି ଅସ୍ପଷ୍ଟ ଭାବରେ ଦେଖା ଯାଉଛି ସେହି ଆଲୋକ, ପୁନରାୟ ହଜି ଯାଉଛି ଅନନ୍ତ ରାତ୍ରିର ଦିଗନ୍ତ ପ୍ରସାରି ଅନ୍ଧକାର ଭିତରେ । ଚାରିଆଡ଼େ ଏହା ବ୍ୟତୀତ ଜୀବନର ଲେଶମାତ୍ର ଚିହ୍ନ କେଉଁଠି ହେଲେ ନାହିଁ ।

 

ନୀରବ ରାତ୍ରିର ପ୍ରଭାବରେ ମନଟା ଶାନ୍ତ ହୋଇ ଉଠିଥିଲା । ତଥାପି ସ୍ପଷ୍ଟ ଭାବରେ ବୁଝି ପାରିଲି ମୋର ଜୀବନରେ ଗୋଟାକ ପରେ ଗୋଟାଏ ଦୁଃଖର ଆଘାତ ଆସୁଛି, ହୁଏତ ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ଏହି ଅଖଣ୍ଡ ବେଦନାର ପଥରେ କ୍ଷଣିକ ପାଇଁ ବାଧା ସୃଷ୍ଟି କରିପାରେ–ତଥାପି ମୋର ଦୁଃଖରେ ଏହି ତିମିର ରାତ୍ରିର ଅବସାନ କେବେ ହେଲେ ହେବ ନାହିଁ-

 

କେତେ ସମୟ ଧରି ଏମିତି ଭାବରେ ଅନ୍ଧକାର ଭିତରକୁ ଚାହିଁ ରହିଥିଲି ଜାଣେନା । ହଠାତ୍‌ ମନରେ ଜାଗିଉଠିଲା ସେହି ଅବାଞ୍ଛିତ ଚିନ୍ତା—ଏମିଲିୟାର ଚିନ୍ତା ।...ମି: ବାତ୍ତିସତା ଓ ରେନ୍‌ଗୋଲ୍‍ଡଙ୍କ ସହିତ ମୋର ଆଲୋଚନା ହୋଇଛି—ମୁଁ ରହିଛି ହୋମରଙ୍କ କାବ୍ୟ ବର୍ଣ୍ଣିତ ଗୋଟାଏ ସ୍ଥାନରେ । ତେଣୁ ‘ଓଡ଼ିସି’ ଚିତ୍ରନାଟ୍ୟ ସହିତ ଜଡ଼ିତ ହୋଇ ପଡ଼ିଲା ମୋର ମନ । ସ୍ମୃତିର କେଉଁ ଏକ ଅଜ୍ଞାତ ଉତ୍ସରୁ ବାହାରି ଆସିଲା ଓଡ଼ିସିର ଶେଷ ସର୍ଗର ଅଂଶଟି—ଯେଉଁଠି ଆତ୍ମପରିଚୟ ପ୍ରସଙ୍ଗରେ ତାର ପରିଣୟଶଯ୍ୟାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଦେଇଛନ୍ତି ଇଉଲିସିସ, ଆଉ ପେନିଲୋପ ଚିହ୍ନିପାରି ସ୍ୱାମୀର କଣ୍ଠଲଗ୍ନା ହୋଇ ପେନିଲୋପ ତାକୁ ସାନ୍ତ୍ୱନା ଦେଉଛି । ବାରମ୍ବାର ପଢ଼ି ଓ ମନେ ମନେ ଆବୃତ୍ତି କରି କଣ୍ଠସ୍ଥ ହୋଇ ଯାଇଛି ପେନିଲୋପର ସେହି ଉକ୍ତି ।

 

ମୋ ଉପରେ ଅଭିମାନ କରନାହିଁ ଇଉଲିସିସ...ତୁମର ପ୍ରତ୍ୟକଟି କାମରେ ତ ତୁମେ ବିଜ୍ଞତାର ପରିଚୟ ଦିଅ—ଆମର ଏହି ଦୁର୍ଭାଗ୍ୟ ପାଇଁ ଦାୟୀ ଦେବତାଗଣ—ସେମାନଙ୍କର ଇଚ୍ଛା ନ ଥିଲା ଯେ ଆମର ଯୌବନର ସ୍ୱପ୍ନରଙ୍ଗିନ ଦିନଗୁଡ଼ିକ ମିଳନର ମଧୁର ଆନନ୍ଦରେ କଟିଯାଉ । ଆମେ ଯଥାରୀତି ଦେଖୁ ଜରାର ଆକ୍ରମଣରେ ଶୁଭ୍ର ହୋଇ ପଡ଼ିଛି ଦୁହିଁଙ୍କର କେଶଦାମ ତଥାପି ପ୍ରେମବନ୍ଧନ ଟିକିଏ ହେଲେ ଶିଥିଳ ହେଉ ନାହିଁ—ଅମଳିନ ରହିଛି ଆମର ପ୍ରେମ...ତେଣୁ ଦେବତାଗଣ ଆମ ଜୀବନରେ ଆଣି ଦେଇଛନ୍ତି ଏ ଦୁର୍ଭାଗ୍ୟ ।

 

ଅନୁବାଦରେ ହୋମରଙ୍କ ଭାଷାର ଅବିକଳ ଧ୍ୱନିମାଧୁର୍ଯ୍ୟ ନ ଥିଲେ ହେଁ ଏହି ଉକ୍ତି ମଧ୍ୟରେ ଯେଉଁ ଆବେଗ ରହିଛି ତହିଁରେ ଯଥେଷ୍ଟ ଆନନ୍ଦ ମିଳୁଥିଲା । ଏଇଠି ଦେଖିବାକୁ ମିଳେ—ଅକୃତ୍ରିମ ପ୍ରେମାବେଗ—ଯାହା ବାର୍ଦ୍ଧକ୍ୟରେ ମଧ୍ୟ ଚିର ଅମିଳନ । ଆମ ଜୀବନରେ ସେ ଆଶା ଆଉ ନାହିଁ । ହାୟ ! ଯଦି ଆମ ସମ୍ପର୍କ ଭିତରେ ଏଭଳି ସମ୍ଭାବନା ଥାଆନ୍ତା ! କୌଣସି ଗୋଟାଏ ଦୁର୍ଜ୍ଞେୟ ବିପର୍ଯ୍ୟୟର ସଫଳ ହୋଇ ପାରୁନାହିଁ ମୋର ସ୍ୱପ୍ନ । କାହିଁକି ? ମନେ ହେଲା ପ୍ରମୋଦ–ପ୍ରାସାଦର ଯେଉଁ କକ୍ଷଟିର ଏମିଲିୟା ରହିଛି ସେଇଠୁ ମିଳିବ ଏହାର ଯଥାର୍ଥ ଉତ୍ତର-

 

ସମୁଦ୍ର ଆଡ଼କୁ ପଛ କରି ଝରକା ପାଖକୁ ଗଲି । ଠିଆ ହୋଇ ରହିଲି ଛାତର ଗୋଟାଏ କୋଣରେ । ସେଠୁ ଡାଇନିଂହଲର ଭିତରଟା ଦେଖାଯାଏ ଅଥଚ ଘର ଭିତରୁ ବାହାରର କିଛି ଦେଖା ଯାଏନା ।

 

ଦେଖିଲି ମି: ବାତ୍ତିସତାଙ୍କ ସହିତ ସେ ଘରେ ଏମିଲିୟା ରହିଛି । ଗୋଟାଏ ସୁରାଦାନୀ ପାଖରେ ଠିଆ ହୋଇଛି ଏମିଲିୟା, ଗୋଟାଏ କାଚ ଗ୍ଲାସରେ ସରବତ ତିଆରି କରୁଛନ୍ତି ମି: ବାତ୍ତିସତା । ଏମିଲିୟା ତାଙ୍କୁ ଚାହିଁ ରହିଛି ଉଦ୍ଧତ, ଉଦ୍‌ବିଗ୍ନ ଦୃଷ୍ଟିରେ ଯେମିତି ସେ ମି: ବାତ୍ତିସତାଙ୍କ ହାତରୁ ଗ୍ଲାସଟି ନେବାକୁ ଚାହେଁ । ଲକ୍ଷ୍ୟ କଲି ତାର ଦୃଷ୍ଟିରେ ସନ୍ଦେହ ଓ ହତାଶା । ସରବତ ତିଆରି ହେଲା, ଗୋଟାଏ ଗ୍ଲାସ ଏମିଲିୟା ଆଡ଼କୁ ବଢ଼େଇ ଧଇଲେ ମି: ବାତ୍ତିସତା । ଚମକି ପଡ଼ିଲା ଏମିଲିୟା—ଯେମିତି ତାର ଧ୍ୟାନ ଭଙ୍ଗ ହେଲା । ଗୋଟାଏ ହାତ ଚୌକୀ ଉପରେ ଭରାଦେଇ ଆର ହାତରେ ସେ ଗ୍ଲାସଟି ଧଇଲା । ଆଗ ପଟକୁ ବୁକୁଟା ଝୁଙ୍କେଇ ସେ ଠିଆ ହୋଇଛି । ଠିଆ ହେବାର ଭଙ୍ଗି ଦେଖି ମନେ ହେଲା ସେ ଦେହ ଦାନ କରିବାକୁ ପ୍ରସ୍ତୁତ । କିନ୍ତୁ ତାର ମୁହଁ ଉପରର ଅସ୍ଥିର ଭାବ ମୋର ଦୃଷ୍ଟି ଏଡ଼େଇ ପାରିଲା ନାହିଁ । ଦୁଃସହ ନୀରବତା ହାତରୁ ରକ୍ଷା ପାଇବା ପାଇଁ ଏମିଲିୟା ଯେମିତି କହିଲା ତାପରେ ସନ୍ତର୍ପଣରେ ଗ୍ଲାସଟି ଧରି ଆଗକୁ ଚାଲି ଆସିଲା ।

 

ଯାହା ଭାବିଥିଲି ଠିକ୍‌ ସେୟା ! ଘର ମଝିକୁ ଆସି ଏମିଲିୟାର ମୁହଁ ପାଖକୁ ନିଜର ମୁହଁ ଆଣିଲେ ମି: ବାତ୍ତିସତା । ଏମିଲିୟା ମୃଦୁ ଆପତ୍ତି କଲା, ଇସାରାରେ ଗ୍ଲାସଟି ଦେଖାଇଲା । ବାତ୍ତିସତା ମୁଣ୍ଡ ହଲେଇଲେ ଆଉ ଆହୁରି ପାଖକୁ ଏମିଲିୟାକୁ ଟାଣି ନେଲେ । ଗ୍ଲାସଟି ଲେଉଟି ପଡ଼ିଲା । ଭାବିଲି—ଏଥର ଚୁମ୍ବନ ପର୍ବ ଆରମ୍ଭ ହେବ । କିନ୍ତୁ ବାତ୍ତିସତାଙ୍କର ଚରିତ୍ର ଓ ପାଶବିକତା ଠିକ୍‌ ଅନୁଧାବନ କରି ପାରିଲି ନାହିଁ । ସେ ଚୁମ୍ବନ କଲେ ନାହିଁ । ଏକା ଟାଣରେ ଏମିଲିୟାର ଦେହର ଉର୍ଦ୍ଧ୍ୱାଂଶର ଆବରଣଟି ଛିଣ୍ଡେଇ ପକେଇଲେ, ଏମିଲିୟାର ଗୋଟାଏ ସ୍ତନ ପୁରାପୁରି ନଗ୍ନ ହୋଇଗଲା । ବାତ୍ତିସତାଙ୍କର ମୁହଁଟି ନଇଁ ଆସିଲା ଏମିଲିୟାର ନଗ୍ନ ବୁକୁ ଉପରକୁ-। ଏମିଲିୟା ନିଶ୍ଚଳ, ଯେମିତି ସେ ଶେଷ ପର୍ବର ଅପେକ୍ଷା କରି ରହିଛି । ଚୁମ୍ବନ କଲା ସମୟକୁ ମଧ୍ୟ ଦେଖିଲି, ଏମିଲିୟାର ମୁହଁ ଓ ଆଖିର ଦୃଷ୍ଟି ସେହିଭଳି ଅଧୀର ଓ ଉଦ୍‌ବିଗ୍ନ ।

 

ହଠାତ୍ ଝରକା ଆଡ଼କୁ ଚାହିଁଲା । ସେ ଯେପରି ମୋତେ ଦେଖି ପାରିଲା । ଅବଜ୍ଞା ସୂଚକ ଭଙ୍ଗିରେ ଦେହର ନଗ୍ନ ଅଂଶତକ ଆବୃତ୍ତ କରି ସେ ସହଳ ଘର ଭିତରୁ ବାହାରି ଗଲା ।

 

ମୁହଁ ଫେରେଇ ନେଇ ଛାତ ଉପରେ ପୁନରାୟ ପଦଚାରଣ କରିବାକୁ ଲାଗିଲି । ସ୍ତମ୍ଭିତ, ବିହ୍ୱଳ ହୋଇ ପଡ଼ିଲି । ଯାହା ଜାଣେ, ଯାହା ଭାବିଛି—ଇୟେ ତା ଅପେକ୍ଷା ବି ଭୟଙ୍କର ! ଏମିଲିୟା ଆଉ ମୋତେ ଭଲ ପାଏନା—ତାର ନିଜର ଭାଷାରେ କହିବାକୁ ଗଲେ—ଘୃଣା କରେ । କିନ୍ତୁ ଆଜି ସେ ମୋ ସହିତ ପ୍ରତାରଣା କରିଛି । ମୋର ଭୁଲ ଭାଙ୍ଗିଛି—ଉଦ୍ଧାର କରିଛି ସତ୍ୟ । ଅକାରଣରେ ଅବଜ୍ଞର ବୋଝହୋଇ ମୁଁ ବୁଲୁଛି । ଆଜି ମୁଁ ତାକୁ ଅବଜ୍ଞ କରିପାରେ । ମୋ ପ୍ରତି ତାର ଆଚରଣ ଯେମିତି ଗୋଟାଏ ଷଡ଼ଯନ୍ତ୍ର । ଆବିଷ୍କାର କରିଛି ଏମିଲିୟାର ବିଶ୍ୱାସ ଘାତକତା । ଏହି ନିର୍ମମ ଓ ଯୁକ୍ତିପୂର୍ଣ୍ଣ ଚିନ୍ତାରେ ଆତ୍ମଭିମାନ କ୍ଷୂର୍ଣ୍ଣ ହେଲା । ଛାତ ଉପରେ ପାହାଚ ପାଖକୁ ଆସିବା ମାତ୍ରକେ ମନେ ହେଲା, ନା...ନା...ଯାହା ଦେଖୁଛି ତାହା ସତ ନୁହେଁ...ସତ ହୋଇ ପାରେନା ! ହଁ ବାତ୍ତିସତାଙ୍କୁ ଚୁମ୍ବନ କରିବା ପାଇଁ ଦେଇଛି ଏମିଲିୟା । ତା ଫଳରେ କଣ ମୋର ଦୋଷ କଟି ଗଲା ? ତାକୁ ସତରେ କ’ଣ ମୋର ଘୃଣା କରିବାର ଅଧିକାର ରହିଛି ? ଅଛି—ଅବ୍ୟାହତ ରହିଛି ମୋର ପୂର୍ବ ଅଧିକାର । ନା, ମୁଁ ନିଜେ ଭୁଲ କରିଛି । ସେ ଅବିଶ୍ୱାସିନୀ ନୁହେଁ, ବିଶ୍ୱାସଘାତକତାର ମୂଳ ଏଯାଏ ଅନାବିଷ୍କୃତ ରହିଛି ।

 

ମନେ ପଡ଼ିଲା—ବାତ୍ତିସତାଙ୍କ ପ୍ରତି ସର୍ବଦା ଅବ୍ୟକ୍ତ ଘୃଣାର ଭାବ ଦେଖେଇଛି ଏମିଲିୟା । ସକାଳେ ମଧ୍ୟ ମି: ବାତ୍ତିସତାଙ୍କ ସହିତ ଆସିବାକୁ ସେ ଆପତ୍ତି ଜଣାଇଛି—ଦୁଇଥର କହିଛି ଯେ ତାଙ୍କ ସହିତ ରହିବାକୁ ଚାହେଁନା । ତାର ସେହି ଆଚରଣ ଓ ଏହି ଚୁମ୍ବନର ସାଦୃଶ୍ୟ କେଉଁଠି ? ନିଃସନ୍ଦେହରେ କୁହା ଯାଇପାରେ ଏହା ପ୍ରଥମ ଚୁମ୍ବନ । ଏମିଲିୟାକୁ ଏକାକୀ ପାଇ ସୁଯୋଗର ସଦ୍‌ବ୍ୟବହାର କରିଛନ୍ତି ମି: ବାତ୍ତିସତା । ସୁତରାଂ ବର୍ତ୍ତମାନ ମଧ୍ୟ ସମୟ ଅଛି । ଜାଣିବାକୁ ପଡ଼ିବ ମି: ବାତ୍ତିସତାଙ୍କୁ ଚୁମ୍ବନ ଦେବା ପାଇଁ ସେ ସ୍ୱୀକୃତି ଦେଲା କାହିଁକି ? ବାରମ୍ବାର ମନେ ହେଲା ସେହି ଚୁମ୍ବନ ସତ୍ତ୍ୱେ ଆମର ସମ୍ପର୍କ ଅପରିବର୍ତ୍ତିତ ରହିଛି । ତେବେ ପୂର୍ବପରି ମୋତେ ଭଲ ନ ପାଇବାର ବା ଘୃଣା କରିବାର ଅଧିକାର ଏମିଲିୟାର ରହିଛି ।

 

ଏହି ମୁହୂର୍ତ୍ତରେ ପ୍ରେମିକ—ପ୍ରେମିକା ପାଖରେ ଆତ୍ମ ପ୍ରକାଶ କରିବା ଇଚ୍ଛା ପ୍ରକାଶ ପାଇବା ଅସ୍ୱାଭାବିକ ନୁହେଁ । ଭାବିବାକୁ ଲାଗିଲି ଏମିଲିୟା ଏମିତି କଲା କାହିଁକି ? ତଥାପି ତାକୁ ଅପ୍ରସ୍ତୁତ କରିବା ପାଇଁ ପ୍ରବୃତ୍ତି ହେଲା ନାହିଁ । ମୋର ଅତର୍କିତ ଆବିର୍ଭାବରେ ସତକଥା ଆବିଷ୍କାର କରିବାର ଆଶା ନିର୍ମୂଳ ହୋଇଯିବ । ଚିରଦିନ ପାଇଁ ଏମିଲିୟାକୁ ଫେରି ପାଇବାର ଆଶା ଲୁପ୍ତ ହୋଇଯିବ । ସୁତରାଂ ବିଚକ୍ଷଣତା ଓ ସତର୍କତାର ସହିତ କାମ କରିବାକୁ ପଡ଼ିବ । ତାଛଡ଼ା ଘଟଣାସ୍ଥଳରେ ଆତ୍ମ ପ୍ରକାଶ ନ କରିବାର ଆହୁରି ଗୋଟାଏ କାରଣ ରହିଛି । ଓଡ଼ିସି ଚିତ୍ର ନାଟ୍ୟ ରଚନା କରିବା ହାତରୁ ରକ୍ଷା ପାଇବାର ଇୟେ ଗୋଟାଏ ସୁଯୋଗ । ଯେଉଁ ଚୁମ୍ବନ ପର୍ବ ନିଜର ଆଖିରେ ଦେଖିଛି—ତାହା ପ୍ରକୃତରେ ଗୋଟାଏ ଚରମ ମିଥ୍ୟାଚାର । ସେହି ମିଥ୍ୟାଚାର ସହିତ ଦ୍ୱନ୍ଦ କରୁଛି ମୋର ସମଗ୍ର ଜୀବନ—ମୋ ସହିତ ଏମିଲିୟାର ସମ୍ପର୍କ ଓ କାମରେ । ସେହି ମିଥ୍ୟାକୁ ଚିରଦିନ ପାଇଁ ଦୂର କରି ଦେବାର ସମ୍ଭାବନା ଦେଖି ପାରୁଛି ।

 

ଝଡ଼ ଭଳି ଏ ସମସ୍ତ ଚିନ୍ତା ମୋ ମନରେ ଉଦୟ ହେଲା । ଝରକା ଖୋଲିବା ମାତ୍ରକେ ପ୍ରବଳ ପବନରେ ବାହାରର ଧୂଳିମଳି ଆବର୍ଜନା ଯେମିତି ଘର ଭିତରକୁ ପଶିଯାଏ ପୁନରାୟ ଝରକା ବନ୍ଦ କଲେ ସମସ୍ତ ନୀରବ, ନିସ୍ତବ୍‌ଧ ହୋଇପଡ଼େ—ଇୟେ ବି ଠିକ୍‌ ସେମିତି ।

 

ସେଇଠି ଅନ୍ଧକାର ଭିତରେ ଠିଆ ହୋଇ ରହିଲି ।

 

ବୁଝି ପାରିଲି ମନର ଚିନ୍ତା ଆବେଗ ଆଉ ନାହିଁ । ସଂପୂର୍ଣ୍ଣ ଅଜ୍ଞାତସାରେ ଝରକା ପାଖକୁ ଆସି ଝରକା ଖୋଲି ଖାଇବାକୁ ପଶି ଆସିଲି । ହୁଏତ ଛାତ ଉପରେ ଅନେକ ସମୟ ଥିଲି-। ଆସି ଦେଖିଲି ମି: ବାତ୍ତିସତା ଓ ଏମିଲିୟା ଖାଇବା ପାଇଁ ବସିଛନ୍ତି, ଅର୍ଦ୍ଧେକ ଭୋଜନ ଶେଷ ହୋଇ ଯାଇଛି । ଏହାରି ଭିତରେ ଛିଣ୍ଡା ବ୍ଲାଉଜ ଖଣ୍ଡକ ଏମିଲିୟା ବଦଳେଇ ନେଇଛି । ତାର ବିଶ୍ୱାସଘାତକତାର ଏହି ମର୍ମାନ୍ତିକ ଜାଜ୍ଜ୍ୱଲ୍ୟ ପ୍ରମାଣ ପାଇ ବ୍ୟଥିତ ହୋଇ ପଡ଼ିଲି ।

 

ମୋତେ ଦେଖିବା ମାତ୍ରେ ମି: ବାତ୍ତିସତା ପରମ ଉତ୍ସାହରେ କହି ଉଠିଲେ, ଆମେ ଭାବିଥିଲୁ ଆପଣ ନୈଶ ସନ୍ତରଣରେ ଯାଇଛନ୍ତି...ଏତେ ସମୟ କେଉଁଠି ଆତ୍ମଗୋପନ କରିଥିଲେ କୁହନ୍ତୁ ତ ?

 

ଧୀର ଗଳାରେ କହିଲି ଟିକିଏ ବାହାରକୁ ଯାଇଥିଲି ।

 

ମୋତେ ଅଳ୍ପ ଚାହିଁ ମୁହଁ ତଳକୁ ପୋତିଦେଲା ଏମିଲିୟା ।

 

ସନ୍ଦେହ ରହିଲା ନାହିଁ ଯେ ଛାତ ଉପରୁ ମୁଁ ତାଙ୍କର ଗତିବିଧି ଲକ୍ଷ୍ୟ କରିଥିବାର ସେ ଦେଖିଛି ।

 

ନିର୍ବିକାର ଭାବରେ ବସି ନିଶବ୍ଦରେ ଖାଉଛି ଏମିଲିୟା । ମୋର ବିସ୍ମୟର ସୀମା ରହିଲା ନାହିଁ । ଭାବିଥିଲି ସେ ଅପ୍ରତିଭ ହୋଇ ପଡ଼ିବ । ମୋର ଧାରଣା ଥିଲା ସେ ଛଳନା କରି ଜାଣେନା-। ଆଜି ମୋର ସେହି ଧାରଣା ମିଥ୍ୟା ପ୍ରମାଣିତ ହୋଇଗଲା ।

 

ମନର ନିଦାରୁଣ ସ୍ଫୁର୍ତ୍ତି ଗୋପନ ରଖି ବିଜୟ ଉଲ୍ଲାସରେ ଅନର୍ଗଳ ବକି ଯାଉଛନ୍ତି, ଭୋଜନ କରୁଛନ୍ତି, ସୁରାପାନ କରୁଛନ୍ତି ମି: ବାତ୍ତିସତା । ଭଦ୍ରଲୋକଙ୍କର ଅମିତ୍ୱ ଗର୍ବ ଦେଖି ମନେ ହେଉଛି—ତାଙ୍କର ଦୃଢ଼ ଧାରଣା, ସେ ଏମିଲିୟାକୁ ଜୟ କରିଛନ୍ତି । ତେଣୁ ମୟୂର ଭଳି ଗର୍ବସହକାରେ ପକ୍ଷବିସ୍ତାର କରି ତାଙ୍କର ବିଚିତ୍ର ସୁନ୍ଦର ଚନ୍ଦ୍ରିକା ପ୍ରଦର୍ଶନ କରୁଛନ୍ତି ବିଜିତକୁ । ସ୍ୱୀକାର କରିବାକୁ ହେବ—ମି: ବାତ୍ତିସତା ମୋଟେ ନିର୍ବୋଧ ନୁହନ୍ତି । ପରିହାସର ମାଧ୍ୟମରେହିଁ ସେ ତାଙ୍କର ଗର୍ବ ପ୍ରକାଶ କରୁଛନ୍ତି । ବେଶ୍‌ ରସାଳ କଥା ସେ କହୁଛନ୍ତି । ତାଙ୍କର ଆମେରିକା ଭ୍ରମଣ ଓ ହଲିଉଡ଼ର ଷ୍ଟୁଡ଼ିଓ ପରିକ୍ରମା ସମ୍ବନ୍ଧରେ ଗଳ୍ପ କରୁଛନ୍ତି । ତଥାପି ବିରକ୍ତ ହୋଇ ପଡ଼ିଲି । ମନେହେଲା—ଯାହା ଦେଖିଛି ତା ସତ୍ତ୍ୱେ ବି ଏମିଲିୟା ଯେମିତି ତାଙ୍କ ଉପରେ ବିରୂପ । ନା...ନା....ମୋ ନିଜର ଭୁଲ । ଏମିଲିୟା ତାଙ୍କ ଉପରେ ବିରୂପ ନୁହେଁ ବରଂ ସନ୍ତୁଷ୍ଟ । ଦେଖିଲି ମି: ବାତ୍ତିସତା ଯେତେବେଳେ ଗଳ୍ପ କରୁଛନ୍ତି ସେତେବେଳେ ଠିକ୍‌ କାମାର୍ତ୍ତ ନ ହେଲେହେଁ କୌତୁହଳୀ, ବିସ୍ମୟାକୂଳ ଓ ଶ୍ରଦ୍ଧାପୂର୍ଣ୍ଣ ହୋଇ ଉଠୁଛି ଏମିଲିୟାର ଦୃଷ୍ଟି । ତାହା ମି: ବାତ୍ତିସତାଙ୍କର ପୌରୁଷର ଅହଙ୍କାର ଭଳି ଅସହ୍ୟ ମନେହେଲା । ମନେ ପଡ଼ିଲା—ଠିକ୍‌ ଏହାରି ଅନୁରୂପ ଆହୁରି ଗୋଟାଏ ଦୃଷ୍ଟି । କିନ୍ତୁ କେଉଁଠି ଦେଖିଛି ସେ ଦୃଷ୍ଟି ସ୍ମରଣ କରି ପାରିଲି ନାହିଁ । ଡିନର ଶେଷରେ ମନେ ପଡ଼ିଗଲା । ଅନେକ ଦିନେ ତଳେ ଫିଲ୍‌ମ ଡିରେକ୍ଟର ମି: ପାତ୍ତେଙ୍କ ଘରେ ଯେତେବେଳେ ଭୋଜନ କରୁଥିଲି ସେତେବେଳେ ତାଙ୍କର ସ୍ତ୍ରୀଙ୍କ ଆଖିରେ ଅନୁରୂପ ଦୃଷ୍ଟି ଲକ୍ଷ୍ୟ କରିଥିଲି । ସେ ଦୃଷ୍ଟିରେ ଥିଲା ପ୍ରେମ, ବିସ୍ମୟ, ଶ୍ରଦ୍ଧା ଓ ଆତ୍ମନିବେଦନ । ମି: ବାତ୍ତିସତାଙ୍କ ସହିତ ଏମିଲିୟା ଏ ପର୍ଯ୍ୟନ୍ତ ସେହି ଅବସ୍ଥାରେ ପହଞ୍ଚି ନାହିଁ, କିନ୍ତୁ ବୁଝି ପାରିଲି—ତାର ଦୃଷ୍ଟି ମଧ୍ୟରେ ମିସେସ୍‌ ପାସେତ୍ତିଙ୍କର ମନୋଭାବର ବୀଜ ଲୁକ୍‌କାୟିତ ରହିଛି । ମି: ବାତ୍ତିସତା ନିଜକୁ ପ୍ରକାଶ କରିଛନ୍ତି–ଏମିଲିୟା କେତେକ ପରିମାଣରେ ବଶୀଭୂତ ହୋଇଛି, ପୂର୍ଣ୍ଣ ବଶ୍ୟତା ସ୍ୱୀକାର ଆସନ୍ନା ଏମିଲିୟା ଓ ମି: ବାତ୍ତିସତାଙ୍କୁ ଚୁମ୍ୱନରତ ଅବସ୍ଥାରେ ଦେଖି ଯେତେ କଷ୍ଟ ପାଇଥିଲି ତାଠାରୁ ବେଶି କଷ୍ଟ ଅନୁଭବ କରିବାକୁ ଲାଗିଲା ।

 

ବେଦନାର ଛାୟା ଫୁଟି ଉଠିଲା ମୋର ମୁହଁ ଉପରେ । ମି: ବାତ୍ତିସତା ହୁଏତ ଲକ୍ଷ୍ୟ କଲେ । ମୋ ଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିପାତ କରି ହଠାତ୍‌ ପ୍ରଶ୍ନ କଲେ, କଣ ହେଇଛି ମି: ମଲଟେନି ? ...କ୍ୟାପ୍ରିକୁ ଆସି ଆପଣ ଖୁସି ନୁହନ୍ତି ? ...କିଛି ଖରାପ ହୋଇନାହିଁ ତ ?

 

କାହିଁକି... ?

 

ଆପଣ ବିମର୍ଷ ଦେଖା ଯାଉଛନ୍ତି...

 

ମି: ବାତ୍ତିସତାଙ୍କ ଆକ୍ରମଣ କରିବା ଧରଣହିଁ ଏହି ରକମ । ସେ ଜାଣନ୍ତି ପ୍ରଥମେ ଆକ୍ରମଣ କରିବାହିଁ ଆତ୍ମରକ୍ଷାର ସର୍ବୋତ୍ତମ ଉପାୟ ।

 

କହିଲି, ଛାତ ଉପରେ ଠିଆହୋଇ ସମୁଦ୍ରକୁ ଚାହିଁ ରହିଥିଲି...ସେତେବେଳକୁ ଅକାରଣରେ ମନଟା ଖରାପ ହୋଇଛି—

 

ନିଜର ଏହି ଅଭାବନୀୟ ଚାହିଁ ଦୃଢ଼ କଣ୍ଠରେ ସେ କହିଲେ...କାହିଁକି ? ଏମିଲିୟାକୁ ଚାହିଁଲି । ସେ ବିନ୍ଦୁ ମାତ୍ର ବିଚଳିତ ନୁହେଁ । ସେମାନେ ଦୁହେଁ ପୁରାପୁରି ନିଃସେନ୍ଦିଗ୍‌ଧ । ଏମିଲିୟା ନିଶ୍ଚୟ ମୋତେ ଦେଖିଛି ଆଉ ଏକଥା କହିଛି ମି: ବାତ୍ତିସତାଙ୍କୁ । ତଥାପି ସେମାନେ ନିର୍ବିକାର, ନିଶ୍ଚିନ୍ତ । ହଠାତ୍‌ କହି ପକେଇଲି ଆପଣଙ୍କୁ ମୋର କିଛି କହିବାର ଅଛି ।

 

ନିଶ୍ଚୟ...ନିଶ୍ଚୟ...କହିବେ ନାହିଁ କାହିଁକି...ମୁଁ ସଦାସର୍ବଦା ସହଜ ଓ ସ୍ପଷ୍ଟ କଥା ପସନ୍ଦ କରେ...

 

ଦେଖନ୍ତୁ ଯେତେବେଳେ ମୁଁ ସମୁଦ୍ରକୁ

 

ଚାହିଁ ରହିଥିଲି—ସେତେ ବେଳେ ମନେହେଲା ଯେ, ମୁଁ ନିଜ ସ୍ୱାର୍ଥରେ ହିଁ ଏଠାକୁ ଆସିଛି...ଆପଣତ ଜାଣନ୍ତି, ମୋ ଜୀବନର ଆକାଂକ୍ଷା...ରଙ୍ଗମଞ୍ଚର ଉପଯୋଗୀ ନାଟକ ଲେଖିବା...ତେଣୁ ଭାବିଥିଲି—ମୋର କାମ ପାଇଁ ଏ ସ୍ଥାନଟି ପ୍ରଶସ୍ତ ହେବ । ଏଇଠି ସୌନ୍ଦର୍ଯ୍ୟ, ନୀରବତା, ଶାନ୍ତି ସବୁ ରହିଛି ଆଉ ସଙ୍ଗରେ ରହିଛି ମୋର ସ୍ତ୍ରୀ...କୌଣସି ଭାବନା ନାହିଁ । ତାପରେ ମନେହେଲା—ଏହି ରମଣୀୟ ସ୍ଥାନକୁ ଆସିଛି ନିଜପାଇଁ ନୁହେଁ ଆସିଛି ଗୋଟାଏ ଫରମାୟେସି ଚିତ୍ରନାଟ୍ୟ ଲେଖିବାକୁ । ଚିତ୍ରନାଟ୍ୟଟି ବେଶ୍‌ ଚମତ୍କାର ହେବ କିନ୍ତୁ ତହିଁରେ ମୋର କୌଣସି ସ୍ୱାର୍ଥ ନାହିଁ...ମୁଁ ଚିତ୍ରନାଟ୍ୟଟିକୁ ସାଧ୍ୟମତେ ଭଲ କରିବାକୁ ଚେଷ୍ଟା କରିବି, ତାପରେ ଦେବି ମି: ରେନ୍‌ଗୋଲ୍‌ଡଙ୍କୁ । ରେନ୍‌ଗୋଲ୍‌ଡ ତାଙ୍କର ମନଖୁସି ବ୍ୟବହାର କରିବେ ଚିତ୍ରନାଟ୍ୟଟି...ମୁଁ ମୋର ପାରିଶ୍ରମିକ ପାଇବି—ଜୀବନରେ ତିନି ଚାରୋଟି ମାସ ନଷ୍ଟ ହେବ । ଜାଣେ—ଏସବୁ କଥା କହିବା ଉଚିତ ନୁହେଁ—ତଥାପି କହୁଛି, ଆପଣ କହିବାକୁ କହିଛନ୍ତି, ତେଣୁ...ଏଥର ନିଶ୍ଚୟ ବୁଝି ପାରିଛନ୍ତି—ମୋର ମନ ଖରାପ ହେବାର କାରଣ କଣ...।

 

କିନ୍ତୁ ଏ କଣ ? ଯାହା କହିବାକୁ ଚାହିଁଥିଲି ! ମୋର ସ୍ତ୍ରୀ ସହିତ ତାଙ୍କର ଆଚରଣ କଥା ନ କହି ଏ କଥା କହିଲି କାହିଁକି ? ଜାଣେନା, ହୁଏତ ଦୁର୍ବଳ ହୋଇ ପଡ଼ିଥିଲି । ଦୁର୍ବଳତା ପାଇଁ ଏପରି ପରୋକ୍ଷ ଭାବରେ ଏମିଲିୟାର ବିଶ୍ୱାସ ଘାତକତା ପାଇଁ ଇଂଗିତ କଲି । ମୋର ଏହି ଅଶୁଭ ଭୂମିକାରେ ତିଳେମାତ୍ର ଅସ୍ୱସ୍ତିର କାରଣ ବାତ୍ତିସତା ଦେଖି ପାରିଲେ ନାହିଁ । ଏମିଲିୟା ବି ମୋଟେ ପ୍ରକାଶ କଲାନାହିଁ । ଗମ୍ଭୀର ଭାବରେ ମି: ବାତ୍ତିସତା କହିଲେ, ମୁଁ ଜାଣେ ମି: ମଲଟେନି...ଆପଣ ଅନବଦ୍ୟ ଚିତ୍ରନାଟ୍ୟ ଲେଖିବେ...

 

ସତରେ ଭୁଲ କରି ପକେଇଛି । ତେଣୁ ପ୍ରାୟ ରୁଦ୍ଧ କଣ୍ଠରେ କହିଲି...ଦେଖନ୍ତୁ ମୁଁ ପେଶାଦାର ଚିତ୍ରନାଟ୍ୟର ରଚୟିତା ନୁହେଁ...ଥିୟେଟରର ନାଟକ ଲେଖିବାହିଁ ମୋର ଅଭ୍ୟାସ-। ...ମୋର ଜୀବନରେ ଗୋଟାଏ ମାତ୍ର ଆଦର୍ଶ ରହିଛି...ସେ ଆଦର୍ଶ ହେଲା ରଙ୍ଗ ମଞ୍ଚର ଉପଯୋଗୀ ନାଟକ ରଚନା...ମୁଁ ତାହା ପାରୁନାହିଁ କାହିଁକି ? କାରଣ ଆଜିର ପୃଥିବୀଟା ଏମିତି ଭାବରେ ତିଆରି ଯେ କେହି ନିଜର ଇଚ୍ଛାନୁସାରେ କିଛି କରିପାରେ ନାହିଁ...ଅପରର ଇଚ୍ଛାରେ ତାକୁ ଚଳିବାକୁ ପଡ଼େ-। ତାର କାରଣ—ଅର୍ଥର ପ୍ରଶ୍ନଟାହିଁ ସବୁ ସମୟରେ ବଡ଼ ହୋଇ ଉଠେ...ଆମର କାମରେ, ଅସ୍ତିତ୍ତ୍ୱରେ, ଉଚ୍ଚାକାଂକ୍ଷାରେ...ଏଭଳିକି...ପ୍ରମିକା ସହିତ ସଂପର୍କ ସ୍ଥାପନ ପାଇଁ ସର୍ବାଗ୍ରେ ଆସେ ଟଙ୍କାର ପ୍ରଶ୍ନ...

 

ବୁଝି ପାରିଲି, ଉତ୍ତେଜିତ ହୋଇ ପଡ଼ିଛି । ଯିଏ ମୋ ପାଖରୁ ମୋ ନିଜ ସ୍ତ୍ରୀକୁ ଛଡ଼େଇ ନେଇ ଯାଉଛି ତାକୁ ଏ ସବୁ କଥା କହୁଛି କାହିଁକି ?

 

କିନ୍ତୁ ଏଇ ତୁଚ୍ଛ କଥାରେ ମି: ବାତ୍ତିସତା ମୋଟେ ମୁଣ୍ଡ ଘୁରନ୍ତି ନାହିଁ । ସେ କହିଲେ, ଦେଖନ୍ତୁ ମି: ମଲଟେନି, ଆପଣଙ୍କ କଥା ଶୁଣି ମୋର ସେ ସମୟର କଥା ମନେପଡ଼େ—ଯେତେବେଳେ ମୁଁ ଆପଣଙ୍କ ଭଳି ତରୁଣ...

 

ଓଃ—ସତରେ କହୁଛନ୍ତି ମି: ବାତ୍ତିସତା ?

 

ହଁ, ମୁଁ ଦରିଦ୍ର ଥିଲି...ଆପଣଙ୍କ ଭଳି ମୋର ମଧ୍ୟ ଗୋଟାଏ ଆଦର୍ଶ ଥିଲା...ନା...ନା, ଅନେକ ଗୁଡ଼ାଏ ଆଦର୍ଶ ଥିଲା...ତେବେ, ଜାଣି ନ ଥିଲି—ସେ ଆଦର୍ଶ ଗୁଡ଼ିକ କଣ । ତାପରେ ଜଣକ ସାଥିରେ ସାକ୍ଷାତ ହେଲା...ସେ ମୋତେ କେତୋଟି ଉପଦେଶ ଦେଇଥିଲେ ସେଥିପାଇଁ ମୁଁ ତାଙ୍କ ପାଖରେ କୃତଜ୍ଞ...

 

ଟିକିଏ ନୀରବ ରହିଲେ ମି: ବାତ୍ତିସତା । ଭାବିନେଲି ନିଶ୍ଚୟ କୌଣସି ଚିତ୍ର ନିର୍ମାତାର କଥା ସେ କହିବେ । ବାତ୍ତିସତାଙ୍କ ଜୀବନ ନିଶ୍ଚୟ ତା ସହିତ ଆରମ୍ଭ ହୋଇଥିଲା । ଆଜି ମୋତେ ଆପଣ ଯେଉଁ କଥା କହୁଛନ୍ତି ମୁଁ ତାଙ୍କୁ ଠିକ୍‌ ଏହିକଥା କହିଥିଲି...ସେ ମୋତେ କହିଥିଲେ, ଯେତେବେଳ ଯାଏ ଜଣେ ଉପଲବ୍‌ଧ କରି ପାରେ ନାହିଁ ଯେ ସତରେ ସେ କଣ ଚାହେଁ, ସେତେବେଳ ଯାଏ କୌଣସି ଆଦର୍ଶ କଥା ଚିନ୍ତା ନ କରିବା ଭଲ—ନିଜ ଗୋଡ଼ରେ ନିଜେ ଠିଆ ହେବାର ଶକ୍ତି ସଂଚୟ କଲା ସଙ୍ଗେ ସଙ୍ଗେ ଆଦର୍ଶକୁ ସ୍ମରଣ କରି ପାଳନ କରିବା ଦରକାର—ତାଙ୍କର ଉପଦେଶ ପାଳନ କରିଥିଲି—ବର୍ତ୍ତମାନ ଯାଏ କୌଣସି ଅସୁବିଧାରେ ପଡ଼ିନାହିଁ । ତେବେ ହଁ, ଆପଣଙ୍କ ଆଦର୍ଶ କଣ ?ଆପଣଙ୍କ ଆଦର୍ଶ ରଚନା, ବେଶ୍‌ ଲେଖନ୍ତୁ, ଅସୁବିଧା କିଛି ନାହିଁ ।

 

ନାଟକ ଲେଖିବି ?

 

ହଁ, ହଁ, ଲେଖିବେ, ଲେଖିବାର ଇଚ୍ଛାଥିଲେ ଲେଖି ପାରିବେ ଏ କାମ ଥିବା ସତ୍ତ୍ୱେ ଓ...ସାଫଲ୍ୟର ଗୁପ୍ତମନ୍ତ୍ର କଣ. ଜାଣନ୍ତି ମି: ମଲଟେନି ?

 

କଣ ?

 

ଷ୍ଟେସନରେ ବୁକିଂ ଅଫିସ ଆଗରେ ସମସ୍ତେ ଟିକଟ ପାଇଁ ଲାଇନ ଧରି ଠିଆ ହୁଅନ୍ତି, ପାଳି ପଡ଼ିବା ମାତ୍ରକେ ଯିଏ ଯାର ଗନ୍ତବ୍ୟ ସ୍ଥାନର ଟିକଟ କିଣି ପାରନ୍ତି—ଯେମିତି ଧରନ୍ତୁ ଯେ ଅଷ୍ଟ୍ରେଲିୟାର ଟିକଟ ପାଏ, ଆଉ ଯେଉଁମାନେ ବେଶିଦୂର ଯିବାକୁ ଚାହାନ୍ତି ନାହିଁ—ସେମାନେ ହୁଏତ କ୍ୟାପ୍ରିର ଟିକଟ ବି ପାଇଥାଆନ୍ତି...ବୁଝିଲେ ?

 

ହୋ...ହୋ ହୋଇ ହସି ଉଠିଲେ ମି: ବାତ୍ତିସତା । କହିଲେ, ଆପଣ ବି ଅନେକ ଦୂର ଦେଶର ଟିକଟ ପାଇ ପାରନ୍ତି...ଆମେରିକା କେମିତି ହେବ ?...ତେବେ ହିଁ ଠିକ୍‌ ସେହିଭଳି...ଜୀବନରେ ବି ଲାଇନ୍‌ ଧରି ଠିଆ ହେବାକୁ ପଡ଼ିବ...ଏଥର ବୁଝି ପାରିଲେ ତ ?

 

ସ୍ମିତ ହସିଲେ ମି: ବାତ୍ତିସତା । ଏମିଲିୟାର ଓଠରେ ବିମ୍ଳାନ ହସର ରେଖା ଦେଖି ବୁଝିଲି—ବାତ୍ତିସତାର ପ୍ରତି ତାର ବିଦ୍ୱେଶ ରୂପାନ୍ତରିତ ହେଇଛି ପ୍ରେମରେ । ମିସେସ ପାସେତ୍ତିଙ୍କ ଦୃଷ୍ଟି ନୂତନ ଭାବରେ ଦେଖିବାକୁ ପାଇଲି ଏମିଲିୟାର ଆଖିରେ । ବ୍ୟଥାର କଣ୍ଟକ ମୋର ହୃଦୟ ରକ୍ତାକ୍ତ କରି ତୋଳିଲା, ଦୁର୍ବିସହ ମର୍ମବେଦନାରେ ଲୁପ୍ତ ହୋଇଗଲା ମୋର ଈର୍ଷା ।

 

କ୍ଳାନ୍ତ ହୋଇ ପଡ଼ିଲି...ବିଷାଦରେ ଭରି ଉଠିଲା ସମଗ୍ର ଅନ୍ତର । ଅପ୍ରତ୍ୟାଶିତ ଭାବରେ ଡିନର ଶେଷ ହେଲା । ମି: ବାତ୍ତିସତାଙ୍କ କଥା ଗୁଡ଼ିକ ମନଯୋଗ ସହକାରେ ଶୁଣିବା ପରେ ଏମିଲିୟାର କଥା ମୋର ମନେ ପଡ଼ିଲା । କିନ୍ତୁ ସେ ଏମିତି ଭାବ ଦେଖେଇଲା ଯେ ତହିଁରେ ମୋର ଅସ୍ଥିରତା ଆହୁରି ବଢ଼ିଗଲା ।

 

ଏମିଲିୟାକୁ କହିଲି...ଥରୁଟେ ଛାତ ଉପରକୁ ଚାଲ ଯିବା ଆକାଶରେ ଜ୍ୟୋତ୍ସ୍ନାର ଜୁଆର ।

 

ସେ ଶୁଷ୍କ କଣ୍ଠରେ କହିଲା—ମୁଁ ଯିବି ନାହିଁ—ନିଦ ଆସିଲାଣି—ବଡ଼ କ୍ଳାନ୍ତ ହୋଇ ପଡ଼ିଛି ।

 

ଆଉ କିଛି ନକହି ଆକସ୍ମିକ ଭାବରେ ବିଦାୟ ନେଲା ଏମିଲିୟା ।

 

ତୃପ୍ତ ଉତ୍‌ଫୁଲ୍ଲ ଦେଖା ଯାଉଥିଲେ ମି: ବାତ୍ତିସତା ! ଏମିଲିୟାର ମନରେ ସେ ଯେ ବିପର୍ଯ୍ୟୟ ସୃଷ୍ଟି କରିବା ପାଇଁ ଚାହାନ୍ତି—ଇୟେ ଯେମିତି ତାର ଇଙ୍ଗିତ । କିନ୍ତୁ ମୋର ଅଧୀରତା ଦ୍ୱିଗୁଣ ବଢ଼ିଗଲା । କୌଣସି ପ୍ରକାରେ କ୍ଳାନ୍ତ ହୋଇଥିଲେ ମଧ୍ୟ ସ୍ୱସ୍ତି ପାଉ ନ ଥିଲି । ଶୋଇବା ବାହାନାରେ ମି: ବାତ୍ତିସତାଙ୍କ ପାଖରୁ ବିଦାୟ ନେଇ ଚାଲି ଆସିଲି...

 

ଭିତରେ କବାଟ ଦେଇ ଏମିଲିୟାର ଶୟନକକ୍ଷରେ ଆସି ଉପସ୍ଥିତ ହେଲି । ଦରଜା ଉପରେ ମୃଦୁ କରାଘାତ କରିବା ମାତ୍ରକେ ଏମିଲିୟା ଆସି ମୋତେ ଡାକିଲା । ବିଛଣା ଉପରେ ସେ ଚିନ୍ତିତ ଭାବରେ ବସିଥିଲା ମୋତେ ଦେଖିବା ମାତ୍ରକେ ବିରକ୍ତ ଓ କ୍ଳାନ୍ତ କଣ୍ଠରେ ପ୍ରଶ୍ନ କଲା, ମୋ ପାଖରୁ ଆଉ କଣ ଚାହିଁ କୁହତ ?

 

କିଛି ନାହିଁ—କେବଳ ରାତିକ ପାଇଁ ତୁମଠାରୁ ବିଦାୟ ନେବା ପାଇଁ ଆସିଥିଲି ।

 

ନା, ଜାଣିବାକୁ ଚାହିଁ—ଆଜି ସନ୍ଧ୍ୟାରେ ମି: ବାତ୍ତିସତାଙ୍କ ସହିତ ତୁମର ଆଲୋଚନାରେ ମୋର ମତାମତ କଣ ? ଯଦି ଜାଣିବାକୁ ଚାହିଁ—ଶୁଣ ; ତୁମର କଥାବାର୍ତ୍ତା ଯେ କେବଳ ସମୟୋଚିତ ନୁହେଁ ଏ କଥା ନୁହେଁ—ହାସ୍ୟକର ମଧ୍ୟ ହୋଇପଡ଼ିଛି ।

 

କାହିଁକି ?

 

ତୁମକୁ ମୁଁ ବୁଝି ପାରେ ନାହିଁ...ସତରେ ବୁଝି ପାରେନାହିଁ...ଚିତ୍ର ନାଟ୍ୟ ଲେଖି ଅର୍ଥ ଉପାର୍ଜନ କରୁଛ...ତଥାପି କହୁଛ—ଏକାମ ତୁମକୁ ଭଲ ଲାଗୁନାହିଁ...ଥିଏଟର ପାଇଁ ନାଟକ ଲେଖିବାହିଁ ତୁମର ଇଚ୍ଛା...କିନ୍ତୁ ତମେ କଣ ଏହି ସହଜ କଥାଟି ବୁଝି ପାରୁନାହଁ...ଆଜି ଭଦ୍ରତା ଖାତିରରେ ହେଉ ବା ଚକ୍ଷୁ ଲଜ୍ଜାରେ ହେଉ କିଛି ନ କହିଲେ ହେଁ ହୁଏତ କାଲି ବାତ୍ତିସତା ଏ ସମ୍ୱନ୍ଧରେ ଚିନ୍ତା କରିବେ...ଯେମିତି ତୁମକୁ ଆଉ କାମ ଦିଆ ନଯାଏ ?

 

ସିଦ୍ଧାନ୍ତ କରିଥିଲି ନୀରବ ରହିବି ।

 

କିନ୍ତୁ ତାର ଏହି ଅବଜ୍ଞା ଭରା କଣ୍ଠସ୍ୱର ଶୁଣି କୌଣସି ବିଷୟ ଚିନ୍ତା ନ କରି କହିଲି ତେବେ ଏକଥା ଜାଣିରଖ...ଯାହା କହିଛି, ଠିକ୍‌ହିଁ କହିଛି...ଏ କାମ ମୋତେ ଭଲ ଲାଗେ ନାହିଁ...କେବେ ବି ଭଲ ଲାଗିନାହିଁ ତାଛଡ଼ା, ଏକଥା ବି ଠିକ୍‌ ନୁହେଁ ଯେ ମୁଁ ଏହି କାମଟି କରିବି ।

 

ନିଶ୍ଚୟ କରିବ ।

 

ତା ପାଖରୁ ଏମିତି ଅବମାନ ଆଶା କରି ନ ଥିଲି । ଓଠ କାମୁଡ଼ି ନିଜକୁ ଅଳ୍ପ ସଂଯତ କରି ନେଲି । କହିଲି...କରିବି ନ ପାରେ...ଅବଶ୍ୟ କାଲି ସକାଳ ଯାଏ ଭାବିଥିଲି—କରିବି...କିନ୍ତୁ ଆଜି ଦିନକ ଭିତରେ ଏମିତି ସବୁ ଘଟଣା ଘଟିଛି ଯା’ ଫଳରେ ହୁଏତ କାଲି ସକାଳୁ ଜଣାଇ ଦେବା ପାଇଁ ହେବ...କାମ ଛାଡ଼ି ଦେଲି ।

 

ପ୍ରତିହିଂସା ନେବା ଇଚ୍ଛାରେ କଥା ଗୁଡ଼ିକ କହିଲି । ଏମିଲିୟା ମୋତେ ବ୍ୟଥା ଦେଇଛି । ତେଣୁ ଝରକା ଭିତରେ ଦେଇ ଯାତ୍ରା ଦେଖିଛି ଇଙ୍ଗିତରେ ତାହା ଜଣାଇ ଦେଇ ଏମିଲିୟାକୁ ବ୍ୟଥା ଦେବାକୁ ଚାହିଁଲି ।

 

ମୋ ଆଡ଼କୁ ଚାହିଁ ଶାନ୍ତ କଣ୍ଠରେ ଏମିଲିୟା କହିଲା, ପୁଣି କଣ ସବୁ ଘଟଣା ଘଟିଲା ?

 

ଅନେକ...ଅନେକ ଘଟଣା ।

 

କିନ୍ତୁ ଘଟଣାଟା କଣ—ଖୋଲି କରି କହୁନା ।

 

ତାକୁ ଏଡ଼ାଇ ଯିବାପାଇଁ ଚାହିଁଲି । କହିଲି, ଫିଲ୍‌ମ ସଂକ୍ରାନ୍ତୀପ ଘଟଣା, ସେ ସବୁ ତୁମକୁ କହି କୌଣସି ଲାଭ ନାହିଁ ।

 

କଣ ହେଇଛି—କହିବାକୁ ଚାହୁଁନା କାହିଁକି ?

 

ସେ ସବୁ ତୁମକୁ ଭଲ ଲାଗିବ ନାହିଁ ।

 

ବୋଧହୁଏ ସତ...ତେବେ, କାମଟା ଛାଡ଼ି ଦେବାର ସାହସ ତୁମର ନାହିଁ...ମୁଁ ଜାଣେ ତୁମେ ଠିକ୍‌ ଠିକ୍‌ କାମଟା କରିଯିବ ।

 

ସେ କଥା କାହିଁକି ଭାବୁଛ ?

 

କାରଣ—ମୁଁ ତୁମକୁ ଜାଣେ...କେତେଥର ତ ଶୁଣିଛି...ଏ କାମ ତୁମେ କରିବା ପାଇଁ ଅନିଚ୍ଛୁକ, କିନ୍ତୁ ଦେଖୁଛି...ତମେ ନିର୍ବିବାଦରେ କରି ଯାଉଛ...ଚିତ୍ରନାଟ୍ୟ ସମ୍ପାଦନାର ସବୁ ଅସୁବିଧା ଶେଷ ପର୍ଯ୍ୟନ୍ତ ଦୂର ହୋଇଯାଏ ।

 

ହୋଇ ପାରେ...କିନ୍ତୁ ଏଥରର ଅସୁବିଧାଟା ଚିତ୍ରନାଟ୍ୟ ନେଇ ନୁହେଁ ।

 

ତେବେ କେଉଁଠି ?

 

ଅସୁବିଧାଟା ହେଲା ସଂପୂର୍ଣ୍ଣ ବ୍ୟକ୍ତିଗତ ।

 

ମାନେ ?

 

ଏହାର ଠିକ୍‌ ଉତ୍ତର ହେବ ଯଦି କୁହେ...ମି: ବାତ୍ତିସତା ତୁମକୁ ଚୁମ୍ୱନ କରିଛନ୍ତି—ସେଇଥିପାଇଁ...

 

କିନ୍ତୁ ନା ଆତ୍ମଦମନ କଲି ! ଏମିତି କେତେ ଅକୁହା କଥା ତ ଆମ ଭିତରେ ରହିଛି ।

 

ମାନେ ତୁମେ ଭଲ ଭାବରେ ଜାଣ...ଡିନର ଟେବୁଲରେ ତ କହିଛି...ଅନ୍ୟ ପାଇଁ ମୁଁ କାମ କରି ପାରୁ ନାହିଁ...ନିଜ ପାଇଁ କାମ କରିବାକୁ ଚାହେଁ ।

 

ତୁମକୁ କିଏ ମନା କରିଛି ?

 

ତୁମେ ନିଜେ...ତେବେ ପ୍ରତ୍ୟକ୍ଷ ଭାବରେ ନୁହେଁ...ମୋର ଜୀବନରେ ତୁମର ଉପସ୍ଥିତି–ଆମର ବର୍ତ୍ତମାନ ସମ୍ପର୍କ...ପ୍ରଥମରୁ ତ କହିଛି ତୁମେ ମୋର ବିବାହିତା ପତ୍ନୀ...ତୁମ ପାଇଁ କେବଳ ମୁଁ ଏ ସମସ୍ତ କାମ କରେ...ତୁମେ ବି ତାହା ଭଲଭାବରେ ଜାଣ...ତାଛଡ଼ା କରଜ ଅନେକ ରହିଛି...ଫ୍ଲାଟ ଓ ଗାଡ଼ିର କିସ୍ତି ପରିଶୋଧ କରିବାକୁ ପଡ଼ିବ...ତେଣୁ ଚିତ୍ରନାଟ୍ୟ ଲେଖେ...ବର୍ତ୍ତମାନ ତୁମ ପାଖରେ ଗୋଟାଏ ପ୍ରସ୍ତାବ କରିବି ।

 

କି ପ୍ରସ୍ତାବ–ଶୁଣେ ?

 

ତୁମେ ହିଁ କୁହ—କାମଟା କରିବି କି ନାହିଁ...ଯଦି ମନା କର...କାଲି ସକାଳ ବାତ୍ତିସତାଙ୍କୁ ଜଣାଇ ଦେବି, ପ୍ରଥମ ଷ୍ଟିମାରରେ ଜ୍ୟାପ୍ରି ପରିତ୍ୟାଗ କରି ଚାଲିଯିବା ।

 

ଏମିଲିୟା ଅଳ୍ପ ଚିନ୍ତା କରି କହିଲା, ତୁମେ ବଡ଼ ଧୂର୍ତ୍ତ !

 

କାହିଁକି ?

 

ପରେ ଅସୁବିଧା ହେଲେ ଯେମିତି କହିପାରିବ...ଦୋଷ ମୋର ନିଜର ।

 

ନା—ନା, କେବେହେଲେ କହିବି ନାହିଁ...ମୁଁ ନିଜେ ଯେତେବେଳେ ତୁମର ମତ ଚାହୁଁଛି-

 

ଏମିଲିୟା ପୁନରାୟ ଲାଗିଲା ।

 

ତାର ଉତ୍ତର ଉପରେ ସବୁ କିଛି ନିର୍ଭର କରୁଛି । ଅଧୈର୍ଯ୍ୟ ଭାବରେ ତାର ମୁହଁକୁ ଚାହିଁ ରହିଲି ।

 

ଏମିଲିୟା କହିଲା—ଏ ସବୁ ବ୍ୟାପାରରେ ଅନ୍ୟର ମତାମତ ନେବା ଠିକ୍‌ ନୁହେଁ ।

 

କିନ୍ତୁ ମୁଁ କହୁଛି—

 

ତେବେ—ମୁଁ କହିବି—ଥରେ ଯେତେବେଳେ କାମଟା ଗ୍ରହଣ କରିଛି, ଛାଡ଼ି ଦେବା ଉଚିତ୍‌ ହେବ ନାହିଁ ।

 

ବେଶ୍‌ ! ପରେ ଯେମିତି ତୁମେ ନ କୁହ ଯେ ଏହି କାମରେ ମୋର ଆଗ୍ରହ ଦେଖି ହିଁ ଏକଥା କହିଛି । ସତରେ କହୁଛି, ମୋର ତିଳେ ହେଲେ ଆଗ୍ରହ ନାହିଁ ।

 

ବିଛଣା ଛାଡ଼ି ଠିଆ ହୋଇ ଏମିଲିୟା କହିଲା...ଓଃ ମୋତେ କ୍ଳାନ୍ତ କରିଛି...ଏ ତ ମୋର ଉପଦେଶ ଛଡ଼ା ଆଉ କିଛି ନୁହେଁ...ତୁମେ ତୁମର ଯାହା ଇଚ୍ଛା କରିପାର...ମୋର ଆପତ୍ତି ନାହିଁ...ତଥାପି ମୋତେ ରିହାଇ ଦିଅ ମୁକ୍ତି ଦିଅ ।

 

ତାର କଥାରେ ଅବଜ୍ଞାର ସୂର । ଯେଉଁଦିନ ରୋମରେ ମୋ ମୁହଁ ଉପରେ ଏମିଲିୟା କହିଥିଲା—ମୁଁ ତୁମକୁ ଘୃଣା କରେ, ସେଦିନ ଯେଉଁ ବ୍ୟଥା ପାଇଥିଲି ଆଜି ତା ଅପେକ୍ଷା ବି ବେଶି କଷ୍ଟ ପାଇଲି । କହିଲି, ଆଉ କାହିଁକି ଏମିଲିୟା...ଆଉ କାହିଁକି ଏ ସବୁ କରୁଛ ? କାହିଁକି ଆମ ଭିତରେ ଏହି ବିରୋଧ ?

 

ଅନ୍ୟମନସ୍କ ଭାବରେ ସେ କହିଲା, ହୁଏତ ଜୀବନଟା ହିଁ ଏହିଭଳି...

 

ଏଥର ସ୍ତମ୍ଭିତ, ସ୍ତବ୍‌ଧ ହୋଇ ପଡ଼ିଲି ! ଏମିତି ଗଭୀର ଔଦାସିନ୍ୟର ସହିତ ସେ ତ କେବେହେଲେ ଏ କଥା କହିନାହିଁ । ଇଚ୍ଛା ହେଲା କୁହନ୍ତି—ମୁଁ ତାକୁ ମି: ବାତ୍ତିସତାଙ୍କ ସହିତ ଦେଖିଛି, ତାର ମତାମତ ଜାଣିବାକୁ ଚାହିଁ କେବଳ ତାକୁ ପରୀକ୍ଷା କରୁଥିଲି । ଆମ ପ୍ରଶ୍ନର ସମାଧାନ ହୁଏତ ଏଯାଏ ହୋଇ ପାରି ନାହିଁ । କିନ୍ତୁ ଅସଲ କଥାଟି କୁହା ହୋଇ ପାରିଲା ନାହିଁ ।

 

ଶଙ୍କିତ ଭାବରେ କହିଲି, ଯେତେଦିନ ଯାଏ ମୁଁ କ୍ୟାପ୍ରିରେ ରହିଛି ସେତେଦିନ ଯାଏ ତ ଚିତ୍ରନାଟ୍ୟ ନେଇ ବ୍ୟସ୍ତ ରହିବି...ତୁମେ ସେତେବେଳେ କଣ କରିବ ?

 

ବିଶେଷ କିଛି ନୁହେଁ...ଘୂରି ବୁଲିବି, ସନ୍ତରଣ କରିବି; ସମସ୍ତେ ଯେମିତି କରନ୍ତି ମୁଁ ବି ତାର ବ୍ୟତିକ୍ରମ କରିବି ନାହିଁ ।

 

ଏକାକୀ !

 

ହଁ... ।

 

ଦେହଘଷା ହୋଇ ପଡ଼ିବ ନାହିଁ ?

 

ନା—କେବେହେଲେ କୌଣସି ବିଷୟ ମୋର ଦେହ ଘଷା ହୁଏନା...ମୋର ଅନେକ କଥା ଚିନ୍ତା କରିବାର ରହିଛି ।

 

ମୋର କଥା କେବେ ଚିନ୍ତା କର ?

 

ନିଶ୍ଚୟ !

 

ଏମିଲିୟାର ହାତଟା ଟାଣି ନେଇ କହିଲି, କଣ ଭାବ ?

 

ହାତଟା ଛଡ଼େଇ ନେଇ କହିଲା, ଅନେକଥର ସେ କଥା କହିଛି ।

 

ବର୍ତ୍ତମାନ ବି ଠିକ୍‌ ଆଗଭଳି ଭାବ ?

 

ଅନ୍ୟମନସ୍ଥ ଭାବରେ ଏଥର ଏମିଲିୟା କହିଲା...ଯାଅ ଶୋଇବ...ମୁଁ ଜାଣେ, ତୁମେ କେତେ ଜିନିଷ ପସନ୍ଦ କରନାହିଁ...ତାହା ସ୍ୱାଭାବିକ ମଧ୍ୟ...ତା’ ଛଡ଼ା ଏହା ଆଗରୁ ଯାହା କହିଛି ତାର ପୁନରାବୃତ୍ତି ମଧ୍ୟ କରିପାରେ...ସେ ସବୁ କହି ଲାଭ କଣ ?

 

କିନ୍ତୁ, ମୁଁ ପୁନରାୟ ଶୁଣିବାକୁ ଚାହେଁ ।

 

କାହିଁକି ? ଆଗେ ଯାହା ଅନେକ ଥର କହିଛି, ସେ କଥା ତ ପୁନର୍ବାର କହିବି...କ୍ୟାପ୍ରିକୁ ଆସିଛି ବୋଲି ମୋର ମତ ତ ଆଉ ବଦଳି ଯାଇନାହିଁ ।

 

ମାନେ... ?

 

ମୋର ତିଳେ ହେଲେ ପରିବର୍ତ୍ତନ ହୋଇନି...ମୁଁ ଆଗଭଳି ରହିଛି ।

 

ମୋ ସମ୍ୱନ୍ଧରେ ତୁମର ଠିକ୍‌ ଆଗ ଧାରଣା ରହିଛି । ନୁହେଁ ?

 

ଅଶ୍ରୁ ରୁଦ୍ଧ କଣ୍ଠରେ ଏମିଲିୟା କହିଲା—କୁହତ—ତୁମେ ମୋତେ ଏମିତି ଭାବରେ ଜଳେଇ ପୋଡ଼େଇ ମାର କାହିଁକି ?....ତୁମେ କଣ ମନେକର ଏସବୁ କଥା ଶୁଣେଇ ମୁଁ ଆନନ୍ଦ ପାଏ ।...ଏ ସବୁକୁ ତୁମ ଅପେକ୍ଷା ମୁଁ ବେଶି ନାପସନ୍ଦ କରେ ।

 

ତାର କଣ୍ଠରେ ବେଦନାର ଆଭାସ ପାଇ ଅଭିଭୂତ ହୋଇ ପଡ଼ିଲି । ପୁଣି ତାର ହାତ ଧରି କହିଲି–ମୁଁ କେବଳ ତୁମ କଥା ଭାବେ...ଚିରଦିନ ଭାବିବି...ଯାହା ବି ଘଟୁନା କାହିଁକି...

 

ଶେଷୋକ୍ତ କଥାରେ ଏମିଲିୟାକୁ ବୁଝେଇବା ପାଇଁ ଚାହିଁଲି ଯେ ପ୍ରକୃତରେ ତାର ବିଶ୍ୱାସ ଘାତକତା ମଧ୍ୟ ମୁଁ କ୍ଷମା କରିଛି ।

 

ଏମିଲିୟା କୌଣସି ଉତ୍ତର ଦେଲା ନାହିଁ । ସେ କେବଳ ଅପେକ୍ଷା କରି ରହିଲା ମୁଁ କେତେବେଳେ ବାହାରି ଯିବି ।

 

ଉଦାସ ଭାବରେ ବାହାରକୁ ଚାହିଁ ରହି କୌଶଳରେ ହାତଟି ଛଡ଼େଇ ନେବାର ଚେଷ୍ଟା ସେ କରିବାକୁ ଲାଗିଲା । ଅବସ୍ଥା ବୁଝିପାରି ରାତିକ ପାଇଁ ତା ପାଖରୁ ବିଦାୟ ନେଇ ବାହାରି ଆସିଲି । ସଙ୍ଗେ ସଙ୍ଗେ ତାଲାରେ ଚାବି ଲଗେଇବାର ଶବ୍ଦ ହେଲା ।

 

ତୀବ୍ରତର, ନୂତନତର ହୋଇ ଉଠିଲା ମୋର ବେଦନା ।

 

ତା ଆରଦିନ ସକାଳୁ ମି: ବାତ୍ତିସତା ଓ ଏମିଲିୟାର କୌଣସି ଖବର ନ ନେଇ ଘରୁ ବାହାରିଲି...ଅନ୍ୟ ଭାଷାରେ ପଳାୟନ କଲି । ସାରା ରାତ୍ରି ବିଶ୍ରାମ ନେବା ପରେ ଗତ ଦିବସର ଘଟଣା ଓ ମୋର ଆଚରଣ ଅବିଶ୍ୱାସ୍ୟ ମନେ ହେବାକୁ ଲାଗିଲା । ଅସମ୍ଭବ...ସବୁକିଛି ଅସମ୍ଭବ, ମିଥ୍ୟା । ବର୍ତ୍ତମାନ ସ୍ଥିର ଭାବରେ ଚିନ୍ତା କରିବା ଉଚିତ । ବିବେଚନା ନ କରି କିଛି ଗୋଟାଏ କରିବା ଉଚିତ ହେବ ନାହିଁ । ତେଣୁ ଘର ଛାଡ଼ିଲି ।

 

ମି: ରେନ୍‌ଗୋଲ୍‌ଡଙ୍କ ହୋଟେଲ୍‌କୁ ଆସି ଖବର ପାଇଲି ଯେ ସେ ବଗିଚାରେ ରହିଛନ୍ତି-। କିଛି ଦୂର ଆଗେଇ ଯାଇ ଦେଖିଲି—ରସ୍ତାର ଶେଷ ପ୍ରାନ୍ତରେ ସ୍ନିଗଧ ରୌଦ୍ରୋଜ୍ୱଳ ସମୁଦ୍ର ଆଉ ଆକାଶର ବାଧାହୀନ ଆଲୋକସ୍ନାତ ଗୋଟାଏ ପ୍ରାଚୀର ଆଗରେ କେତୋଟି ଚେୟାର ଟେବୁଲ ସଜ୍ଜିତ ହୋଇ ରହିଛି । ଟେବୁଲ ଉପରେ ଗୋଟାଏ ପୋର୍ଟଫୋଲିଓ, କାଗଜ ଓ କଲମ । ସେ ଆଡ଼କୁ ଯିବା ମାତ୍ରକେ ଚେୟାରରୁ ଉଠିପଡ଼ି ମି: ରେନ୍‌ଗୋଲ୍‌ଡ ମୋତେ ଅଭ୍ୟର୍ଥନା କଲେ-। ବେଶ୍‌ ପ୍ରଫୁଲ୍ଲ ଦେଖା ଯାଉଥିଲେ ସେ । ମୋତେ ପ୍ରଶ୍ନ କଲେ, କହନ୍ତୁ ତ ମି: ମଲ୍‌ଟେନି ଏମିତି ସକାଳୁ ଆପଣଙ୍କୁ କେମିତି ଲାଗେ ?

 

ଚମତ୍କାର !

 

ମୋର ହାତ ଧରି ପ୍ରାଚୀର ଆଡ଼କୁ ମୁହଁ ବୁଲେଇ କହିଲେ, ବର୍ତ୍ତମାନ ସବୁକାମ ପଛକୁ ପକେଇ ନୌକାରେ ଦ୍ୱୀପଟା ଥରେ ବୁଲି ଆସିଲେ କେମିତି ହୁଏ ? ଖୁବ୍‌ ଭଲ ଲାଗିବ, ନୁହେଁ ?

 

ଭାବିଲି ମି: ରେନ୍‌ଗୋଲ୍‌ଡଙ୍କ ସହିତ ଗଲେ ସେମିତି କିଛି ଆନନ୍ଦ ଦାୟକ ହେବ ନାହିଁ-। ତେଣୁ ବିଶେଷ ଉତ୍ସାହ ନ ଦେଖେଇ କହିଲି, ହଁ ଗୋଟାଏ ଦିଗରୁ ମନ୍ଦ ହେବ ନାହିଁ-। ରେନ୍‌ଗୋଲ୍‍ଡ ବିଜୋୟୋଲ୍ଲାସରେ କହି ଉଠିଲେ, ଆପଣ ଠିକ୍‌ କହିଛନ୍ତି...କିନ୍ତୁ କେଉଁ ଦିଗରୁ-। ଜୀବନ କହିଲେ ଆମେ ଯାହା ବୁଝୁ ସେ ଦିଗରୁ ନୁହେଁ, ନିଶ୍ଚୟ...କାରଣ ଆମ ପାଖରେ ଜୀବନର ଅର୍ଥ ହେଲା କର୍ତ୍ତବ୍ୟ...ନୁହେଁ ? କର୍ତ୍ତବ୍ୟ ଆଗେ, ସୁତରାଂ କାମ କରିବାକୁ ହେବ ।

 

ପ୍ରାଚୀରଟା ପାଖରେ ଆସି ପୁନରାୟ ଚୌକୀରେ ବସିଲେ ମି: ରେନ୍‍ଗୋଲ୍‌ଡ । ଗମ୍ଭୀର ଭାବରେ କହିଲେ, ଆସନ୍ତୁ, ଆଗକୁ ଆସି ବସନ୍ତୁ । ଆଜି ହିଁ ଆମେ ଆଳାପ ଆଲୋଚନା କରିବା, ଆପଣଙ୍କ ସହିତ ଅନେକ କଥା ଅଛି । ମୁଣ୍ଡର ଟୋପିଟା ମୁହଁ ଉପରକୁ ଟାଣିଆଣି ମି: ରେନ୍‍ଗୋଲ୍‌ଡ କହିଲେ, ଆପଣଙ୍କର ମନେ ଅଛି—ନେପଲ୍‌ସ ଆସିବା ବାଟରେ ‘ଓଡ଼ିସି’ ସମ୍ୱନ୍ଧରେ ମୋର ନିଜର ଅଭିମତ ଓ ବ୍ୟାଖ୍ୟା ଆପଣଙ୍କୁ ଶୁଣାଇ ଥିଲି ।

 

ହଁ ।

 

ଏକଥା ବି ହୁଏତ ମନେ ଅଛି—‘ଓଡ଼ିସି’ ର ଉତ୍ସ ଓ ମୂଳଗତ ଭାବ ସମ୍ୱନ୍ଧରେ ଆପଣଙ୍କୁ କହିଥିଲି । କିନ୍ତୁ ସେତେବେଳେ ମୋର ବକ୍ତବ୍ୟ ଶେଷ କରି ପାରି ନାହିଁ । ଇଉଲିସିସ ତାଙ୍କର ଅବଚେତନ ମନରେ ଅନିଚ୍ଛା ପୋଷଣ କରିଥିଲେ—ତେଣୁ ଘରକୁ ଫେରିବାକୁ ବିଳମ୍ୱ କରିଥିଲେ—ସୁଦୀର୍ଘ ଦଶଟି ବର୍ଷ—

 

ହଁ— ।

 

ଏଥର ଆପଣଙ୍କୁ କହିବି—ମୋର ମତରେ କାହିଁକି ସେ ଘରକୁ ଫେରି ଆସିବାକୁ ଚାହୁଁ ନ ଥିଲେ । କାହିଁକି ନା ସ୍ତ୍ରୀ ପେନିଲୋପଙ୍କ ସହିତ ତାଙ୍କର ସମ୍ପର୍କ ମଧୁର ବା ପ୍ରୀତିକର ନ ଥିଲା—ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଦୁହିଁଙ୍କ ଭିତରେ ଏହି ମାନସିକ ବିରୋଧିତା ଦେଖା ଦେଇଥିଲା । ତା’ଛଡ଼ା, ଗୃହର ଅଶାନ୍ତି ହିଁ ଥିଲା ତାଙ୍କର ଯୁଦ୍ଧଯାତ୍ରାର ପ୍ରଧାନ କାରଣ—ସ୍ତ୍ରୀ ସହିତ ମଧୁର ସମ୍ପର୍କ ନ ଥିବାରୁ ପାରିବାରିକ ଜୀବନରେ ଇଉଲିସିସ ମୋଟେ ସୁଖୀ ନ ଥିଲେ ।

 

ଚକ୍ଷୁ ବିସ୍ପୋରିତ କରି ଚାହିଁ ରହିଲି ।

 

ରେନ୍‍ଗୋଲ୍‌ଡ କହିବାକୁ ଲାଗିଲେ—ପେନିଲୋପ ସହିତ ତାଙ୍କର ସମ୍ପର୍କ ଯଦି ପ୍ରୀତିକର ହୋଇଥାନ୍ତା ତେବେ ସେ ନିଜ ଦେଶରୁ ଦୂରରେ ରହିଥାନ୍ତେ—ଦର୍ପା ବା ଯୁଦ୍ଧ ବ୍ୟବସାୟୀ ସେ ନ ଥିଲେ—ସେ ଥିଲେ ବିଚକ୍ଷଣ, ଜ୍ଞାନୀ ଓ ସାବଧାନୀ । ପତ୍ନୀ ସହିତ ସଦ୍‌ଭାବ ଥିଲେ କେବଳ ବୀରତ୍ୱର ଖ୍ୟାତି ଅର୍ଜନ ପାଇଁ ସେ ଗୃହତ୍ୟାଗ କରି ନ ଥାନ୍ତେ । ଯୁଦ୍ଧର ସୁଯୋଗ ପାଇବା ମାତ୍ରକେ ସେ ତାଙ୍କ ସ୍ତ୍ରୀଙ୍କ ପାଖରୁ ପଳାୟନ କରିଥିଲେ ।

 

ଆପଣଙ୍କର ଉକ୍ତି ସଂପୂର୍ଣ୍ଣ ଯୁକ୍ତିପୂର୍ଣ୍ଣ ।

 

ମୋର ଉକ୍ତିରେ ଶ୍ଳେଷର ସୂଚନା ପାଇ ଯେମିତି ସେ କହିଲେ ତାହେଲେ ସ୍ୱୀକାର କରୁଛନ୍ତି—ଗଭୀର ସନସ୍ତତ୍ତ୍ୱ ମୂଳକ—ସତରେ ସେୟା...ତେବେ ମନେରଖିବେ ମନସ୍ତତ୍ତ୍ୱ ଉପରେ ହିଁ ସବୁ ନିର୍ଭର କରୁଛି...ମନସ୍ତତ୍ତ୍ୱ ଛଡ଼ା କୌଣସି ଚରିତ୍ର ହୋଇ ପାରେନା...ଚରିତ୍ର ଛଡ଼ା ଗଳ୍ପ ହୁଏନା...ତେବେ ଇଉଲିସିସ ଆଉ ପେନିଲୋପର ମନସ୍ତତ୍ତ୍ୱଟା କ’ଣ ? ସେଇଟା ହେଲା—ପେନିଲୋପ ହେଉଛନ୍ତି—ପ୍ରାଚୀନ ରାଜତାନ୍ତ୍ରିକ, ଅଭିଜାତ ଗ୍ରୀସର ପରମ୍ପରାଗତ ନାରୀ...ସେ ଧର୍ମପରାୟଣା, ମହିମାମୟୀ, ଗର୍ବିତା, ସୂଗୃହିଣୀ, ଜନନୀ ଓ ଜାୟା...ଆଉ ଇଉଲିସିସର ଚରିତ୍ର ହେଉଛି ପରବର୍ତ୍ତି ଯୁଗର ସୁଫୀ ଓ ଦାର୍ଶନିକ ମତବାଦୀ ଗ୍ରୀସର ଜନସାଧାରଣଙ୍କ ଚରିତ୍ରର ପୂର୍ବ ରୂପାୟନ...ଇଉଲିସିସ ସଂସ୍କାରମୁକ୍ତ, ସୁଚତୁର, କୁଣ୍ଠାହୀନ, ଯୁକ୍ତିପରାୟଣ, ବୁଦ୍ଧିମାନ, ନାସ୍ତିକ, ସନ୍ଦେହବାଦୀ...କେତେବେଳେ ବା ମାନବ ବିଦ୍ୱେଷୀ ।

 

ବାଧା ଦେଇ କହିଲି, ମୋର ମନେ ହୁଏ—ଆପଣ ଇଉଲିସିସଙ୍କ ଚରିତ୍ରକୁ କଳଙ୍କିତ କରୁଛନ୍ତି...ଓଡ଼ିସିରେ...

 

‘ଓଡ଼ିସି’ ସମ୍ୱନ୍ଧରେ ଆମେ ଟିକିଏ ହେଲେ ମୁଣ୍ଡ ଘୂରେଇବାକୁ ଚାହୁଁନା—ଚାହୁଁ ଓଡ଼ିସିର ମର୍ମାର୍ଥ ଉଦ୍‌ଘାଟନ କରିବାକୁ—ଓଡ଼ିସିକୁ ସଂପ୍ରସାରଣ କରିବାକୁ—ଆମେ ଚିତ୍ର ନିର୍ମାଣ କରିବାକୁ ଯାଉଛେ—ଓଡିସି ରଚିତ ହୋଇ ଯାଇଛି କିନ୍ତୁ ଆମର ଫିଲ୍‍ମ ଏ ଯାଏ ପ୍ରସ୍ତୁତ ହୋଇ ନାହିଁ ବା ଆରମ୍ଭ ହୋଇନି— ।

 

କିଛି ସମୟ ନୀରବ ରହି ରେନ୍‍ଗୋଲ୍‌ଡ କହିଲେ—ଇଉଲିସିସ ଆଉ ପେନିଲୋପ ମଧ୍ୟରେ ବିରୋଧର କାରଣ ହେଲା—ଦୁହିଁଙ୍କର ଚାରିତ୍ରିକ ଅସଙ୍ଗତ—ଟ୍ରୟ ଯୁଦ୍ଧ ହେବା ଆଗରୁ ଇଉଲିସିସ ଏମିତି ଗୋଟାଏ କିଛି କରିଥିଲେ ଯାହାଫଳରେ ପେନିଲୋପ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ—ତେବେ କଣ କରିଥିଲେଜଣା ନାହିଁ—ଏଇଠି ମନରେ ଆସନ୍ତି ପେନିଲୋପଙ୍କର ପାଣିପ୍ରାର୍ଥୀଗଣ—ଓଡ଼ିସିରେ ଦେଖିବାକୁ ପାଉଁ—ପ୍ରାର୍ଥୀଗଣ ଇଉଲିସିସଙ୍କ ଆପଣା ଗୃହରେ ସ୍ୱଚ୍ଛନ୍ଦରେ ବାସ କରୁଛନ୍ତି—ଏହି ପରିବେଶଟା ପରିବର୍ତ୍ତନ କରିଦେବା ପାଇଁ ହେବ—

 

ସ୍ତବ୍‌ଧ ଭାବରେ ଚାହିଁରହିଲି ତାଙ୍କୁ ।

 

ରେନ୍‍ଗୋଲ୍‌ଡ଼ ପ୍ରଶ୍ନକଲେ ବୁଝିଲେ ? ଶୁଣନ୍ତୁ ଆହୁରି ପରିଷ୍କାର ଭାବରେ କହୁଛି—ପେନିଲୋପଙ୍କ ପାଣିପ୍ରାର୍ଥୀଗଣ ଟ୍ରୟ ଯୁଦ୍ଧ ଆଗରୁ ତାଙ୍କର ପ୍ରଣୟାସକ୍ତ । ଗ୍ରୀସର ପ୍ରଚଳିତ ପ୍ରଥାନୁସାରେ ସେମାନେ ପେନିଲୋପଙ୍କ ପାଖକୁ ଉପହାର ପଠାନ୍ତି—ଗର୍ବଦୃପ୍ତା ଆଉ ମର୍ଯ୍ୟାଦାଭିମାନୀ ପେନିଲୋପ ସେମାନଙ୍କର ଉପହାର ଘୃଣାଭରେ ପ୍ରତ୍ୟାଖାନ କରିବାକୁ ଚାହାନ୍ତି–ତାର ଇଚ୍ଛା–ଇଉଲିସିସ ଏହି ଅବାଞ୍ଚିତ ପ୍ରାର୍ଥୀମାନଙ୍କୁ ଦୂର କରିଦିଅନ୍ତୁ କିନ୍ତୁ କେଉଁ କାରଣରୁ ଏ ବ୍ୟାପାର ଉପରେ ଗୁରୁତ୍ୱ ଆରୋପ କରନ୍ତି ନାହିଁ ଇଉଲିସିସ—ସେ ଯୁକ୍ତିବାନ, ସେ ଜାଣନ୍ତି ଯେ ପେନିଲୋପ ତାଙ୍କର ଅନୁଗତା ତେଣୁ ସେ ପ୍ରାର୍ଥୀଗଣଙ୍କୁ ମୋଟେ ଖାତିର କରନ୍ତି ନାହିଁ–ସେ ସମ୍ୱନ୍ଧରେ କୌଣସି ଆଲୋଚନା ବା ବିବାଦ ସୃଷ୍ଟି କରିବା ତେଣୁ ତାଙ୍କର ଇଚ୍ଛା ନୁହେଁ-। ସେ ଶାନ୍ତିମୟ ଜୀବନର ପକ୍ଷପାତ—ଚିରଦିନଧରି କଳଙ୍କକୁ ତାଙ୍କର ଭୟ । ଇଉଲିସିସର ଏହି ନିଷ୍‌କ୍ରିୟତାରେ ବିରକ୍ତ ହୋଇ ଉଠନ୍ତି ପେନିଲୋପ—ମନରେ ତାଙ୍କର ଜାଗେ ଅବିଶ୍ୱାସ–ସେ ପ୍ରତିବାଦ ଜଣାନ୍ତି—ବିଦ୍ରୋହ କରନ୍ତି, କିନ୍ତୁ ଇଉଲିସିସ ଅବିଚଳ, ନିଷ୍‌କ୍ରିୟ, ପାଣିପ୍ରାର୍ଥୀମାନଙ୍କ ବିରୁଦ୍ଧରେ ବ୍ୟବସ୍ଥା ଗ୍ରହଣ ପାଇଁ କୌଣସି ଯୁକ୍ତି ସେ ଖୋଜି ପାଆନ୍ତି ନାହିଁ—ପେନିଲୋପକୁ ଉପଦେଶ ଦିଅନ୍ତି—ଉପହାର ଗ୍ରହଣ କର, ସେମାନଙ୍କ ସହିତ ଭଦ୍ର ବ୍ୟବହାର କର—ତହିଁରେ କ୍ଷତି ବା କ’ଣ ? ସ୍ୱାମୀର ଆଦେଶ ପାଳନ କରନ୍ତି ପେନିଲୋପ, କିନ୍ତୁ ତାର ମନର ବିଦ୍ୱେଷ ଧୂମାୟିତ ହେଉଥାଏ—ଭାବନ୍ତି—ସେ ଆଉ ଇଉଲିସିସଙ୍କୁ ଭଲ ପାଇ ପାରିବେ ନାହିଁ; କେବଳ ତାହା ନୁହେଁ ତାଙ୍କୁ ଏ କଥା ଜଣାନ୍ତି—ସେତେବେଳେ ଇଉଲିସିସ ଅନୁଭବ କରନ୍ତି—ନିଜର ଅପରିଣାମଦର୍ଶିତା ଫଳରେ ସେ ପେନିଲୋପର ପ୍ରେମ ହରେଇଛନ୍ତି—ପ୍ରତିକାର କରିବାକୁ ଚାହାନ୍ତି, ଫେରି ପାଇବାକୁ ଚାହାନ୍ତି ନିଜର ସ୍ତ୍ରୀକୁ—କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବ୍ୟର୍ଥ ହୁଏ—ବିଷମୟ ହୋଇ ଉଠେ ତାଙ୍କର ଜୀବନ—ତାଙ୍କ ପକ୍ଷରେ ଇଥାକାରେ ବାସକରିବା ସୁଃସାଧ୍ୟ ହୋଇପଡ଼େ—ଏବେ ଶେଷରେ ଟ୍ରୟ ଯୁଦ୍ଧର ସୁଯୋଗରେ ସେ ଗୃହତ୍ୟାଗ କରନ୍ତି—ସାତ ବର୍ଷ ପରେ ଯୁଦ୍ଧ ଶେଷ ହୋଇଯାଏ—ସମୁଦ୍ରପଥରେ ଗୃହାଭିମୁଖେ ଯାତ୍ରାରମ୍ଭ କରନ୍ତି ଇଉଲସିସ—କିନ୍ତୁ ସେ ଜାଣନ୍ତି—ସ୍ତ୍ରୀ ତାଙ୍କୁ ଭଲପାଏନା, ତେଣୁ ନିଜ ଅଜ୍ଞାତସାରରେ ଫେରି ନ ଆସିବାର ଉପାୟ ସେ ଖୋଜୁଥାନ୍ତି, ତଥାପି ଦିନ ତାକୁ ଫେରିବାକୁ ପଡ଼ିଲା, ତାଙ୍କର ପ୍ରତ୍ୟାବର୍ତ୍ତନ ପରେ ପେନିଲୋପ ପ୍ରମାଣ କଲେ, ଯେ, ସେ ପତିପରାୟଣା, ଜଣାଇଲେ, ସ୍ୱାମୀ ପ୍ରତି ତାଙ୍କର ଆନୁଗତ୍ୟ ପ୍ରେମ ନୁହେଁ, ଧର୍ମ କହିଲେ, ସେ ପୁନରାୟ ତାଙ୍କର ସ୍ୱାମୀକୁ ଭଲପାଆନ୍ତି କିନ୍ତୁ ଗୋଟାଏ ସର୍ତ୍ତରେ, ପାଣିପ୍ରାର୍ଥୀଗଣଙ୍କୁ ହତ୍ୟା କରିବାକୁ ହେବ...ଆମେ ଜାଣୁ ଇଉଲିସିସ ହିଂସ୍ର, ରକ୍ତପିପାସୁ ନୁହନ୍ତି...ତାଙ୍କର ମନରେ ପ୍ରତିହିଂସାର ତୃଷା ନାହିଁ...ଶାନ୍ତି ଭିତରେ ଘଟଣାଟାର ନିଷ୍ପତ୍ତି କରିପାରିଲେ ସେ ଖୁସି ହୁଅନ୍ତେ...କିନ୍ତୁ ଏଥର ବୁଝି ପାରିଲେ ପ୍ରାଣିପ୍ରାର୍ଥୀମାନଙ୍କୁ ହତ୍ୟା କରିବା ଉପରେ ନିର୍ଭର କରୁଛି ପେନିଲୋପର ପ୍ରେମ, ଶ୍ରଦ୍ଧା । ମନ ସ୍ଥିର କରି ନେଲେ ଇଉଲିସିସ...ପ୍ରାର୍ଥୀମାନଙ୍କୁ ହତ୍ୟାକଲେ...ପେନିଲୋପ ଆଉ ତାଙ୍କୁ ଘୃଣା କଲେ ନାହିଁ...ଜଣାଇଲେ ତାଙ୍କର ଅକୃତ୍ରିମ ପ୍ରେମ...ତା’ପରେ ଦୀର୍ଘ ବିବାହପରେ ସାଧିତ ହେଲା ଇଉଲିସିସ ଓ ପେନିଲୋପଙ୍କର ପ୍ରଣୟ ମଧୂର ମିଳନ...ସେମାନେ ସେମାନଙ୍କର ଶୁଭପରିଣୟ ଉତ୍ସବ ସଂପନ୍ନ କଲେ, ଅନୁଷ୍ଠିତ ହେଲା ସେମାନଙ୍କର ପ୍ରକୃତ ଶୋଣିତ-ପରିଣୟ...ଏଥର ବୁଝିପାରିଲେ ମି: ମଲଟେନି ? ଗୋଟାଏ କଥାରେ ଇଉଲିସିସ ମଣିଷ ଭଳି, ରାଜା ଭଳି ଆଚରଣ କରି ନ ଥିଲେ ବୋଲି ପେନିଲୋପ ତାଙ୍କୁ ଘୃଣା କରିଥିଲେ...ସେହି ଘୃଣା ତାଙ୍କୁ ନେଇ ଯାଇଥିଲା ଟ୍ରୟ ଯୁଦ୍ଧକୁ...ପତ୍ନୀର ପ୍ରେମ-ନିର୍ଝରିଣୀ ଯେଉଁଠି ଶୁଷ୍କ ସେହି ଗୃହକୁ ଫେରି ଆସିବାକୁ ଇଉଲିସିସ ଚାହିଁ ନାହାନ୍ତି...ଆଉ ଶେଷରେ ପେନିଲୋପର ଶ୍ରଦ୍ଧା ଓ ପ୍ରେମ ପାଇଁ ସେ ନିର୍ମମ ହତ୍ୟା କାର୍ଯ୍ୟ ଲିପ୍ତ ହୋଇଥିଲେ...ବୁଝି ପାରିଥିଲେ ?

 

କହିଲି, ହଁ...ବୁଝିଛି ।

 

ଏହି ବ୍ୟାଖ୍ୟା ଶୁଣି ମନର ପୁଞ୍ଜୀଭୂତ ଘୃଣା ତୀବ୍ରତର ହୋଇପଡ଼ିଲା ।

 

ରେନ୍‍ଗୋଲ୍‌ଡ କହିଲେ, ଜାଣନ୍ତି କେମିତି ଭାବରେ ମୁଁ ଏହି ପରିବେଶ କଳ୍ପନା କଲି-? ...ଓଡ଼ିସିରେ ପାଣିପ୍ରାର୍ଥୀ ମାନଙ୍କର ହତ୍ୟା କାଣ୍ଡ ଦେଖି...ଇଚ୍ଛା କରିଥିଲେ ଇଉଲିସିସ ଏହି ହତ୍ୟାରୁ ନିବୃତ୍ତ ରହି ଥାଇ ପାରିଥାଆନ୍ତି...କିନ୍ତୁ ହତ୍ୟା କଲେ କାହିଁକି ? ତାଙ୍କର ନିଷ୍ଠୁର ଆଚରଣ ଦ୍ୱାରା ପ୍ରମାଣ କଲେ—ସେ ଶଠ, ନମନୀୟ, ବିଚକ୍ଷଣ ନୁହନ୍ତି ପ୍ରୟୋଜନ ହେଲେ ହିଂସ୍ର ଯୁକ୍ତିହୀନ ହୃଦୟହୀନ ବି ହୋଇ ପାରନ୍ତି । କାହା ପାଖରେ ପ୍ରମାଣ କଲେ ? ...କାହିଁକି ପେନିଲୋପ ପାଖରେ...ହଁ...ପେନିଲୋପ ପାଖରେ...ଇଉରେକା ! ଇଉରେକା !

 

ନୀରବ ରହିଲି । ମି: ରେନ୍‌ଗୋଲ୍‌ଡଙ୍କର ଯୁକ୍ତି ଚମତ୍କାର ଓଡ଼ିସିକୁ ମନସ୍ତତ୍ତ୍ୱମୂଳକ କାହାଣୀରେ ରୂପାନ୍ତରିତ କରିବା ଆକାଂକ୍ଷା ଅନୁରୂପ । କେବଳ ଏହି କାରଣରୁ ମୋର ମନରେ ଜାଗିଉଠିଲା ବିଦ୍ୱେଷ ଭାବ—ଯେମିତି କଳୁଷିତ ହୋଇ ପଡ଼ିଛି ମୋର ଅନ୍ତର । ହୋମର ମଧ୍ୟରେ ସବୁକିଛି ସରଳ, ସହଜ, ପବିତ୍ର ଓ ମହାନ । ମନନ୍‌ଶୀଳତାର, ଉତ୍କର୍ଷତାର ଗଣ୍ଡି ମଧ୍ୟରେ ସମସ୍ତ ଅପୂର୍ବ କାବ୍ୟ ରସମୟ ହୋଇରହିଛି । କିନ୍ତୁ ମି: ରେନ୍‍ଗୋଲ୍‌ଡଙ୍କ ବ୍ୟାଖ୍ୟାରେ ସବୁ ନଇଁ ଆସିଛି ଆଧୁନିକ ନାଟକର ପର୍ଯ୍ୟାୟକୁ, ଅକାରଣରେ ନୀତି ଓ ମନସ୍ତତ୍ତ୍ୱର ଅବତାରଣା କରା ହୋଇଛି । ଏଥର ଉପସଂହାର କଲେ ମି: ରେନ୍‍ଗୋଲ୍‌ଡ—ଦେଖିଲେ ତ ମି: ମଲଟେନି...ଚିତ୍ରଟି ପୁରାପୁରି ରହିଛି...କେବଳ ରେଖାରେ ଫୁଟାଇ ପାରିଲେ ହେଲା ।

 

କହିଲି, ଆପଣଙ୍କର ବ୍ୟାଖ୍ୟା ସମର୍ଥନ କରି ପାରୁ ନାହିଁ ।

 

ବିସ୍ମୟରେ ଆଖି ଦୁଇଟି କପାଳ ଉପରକୁ ଟେକି ମି: ରେନ୍‍ଗୋଲ୍‍ଡ କହିଲେ, ସମର୍ଥନ କରୁନାହାନ୍ତି ! କାହିଁକି ?

 

କାରଣ, ଆପଣଙ୍କ ବ୍ୟାଖ୍ୟାରେ ଇଉଲିସିସଙ୍କର ମୂଳ ଚରିତ୍ରର ମର୍ଯ୍ୟାଦା କ୍ଷୁର୍ଣ୍ଣ କରାହୋଇଛି...ଏକ ଆଦର୍ଶ ପୁରୁଷକୁ ଜଣେ ସାଧାରଣ ବ୍ୟକ୍ତି ହିସାବରେ ବର୍ଣ୍ଣନା କରିଛନ୍ତି ଆପଣ-

 

ମି: ରେନ୍‍ଗୋଲ୍‌ଡଙ୍କ ଓଠ କୋଣର ହସ ଟିକକ ଧୀରେ ଧୀରେ ମିଳେଇ ଗଲା । କର୍କଶ କଣ୍ଠରେ ସେ କହିଲେ ଦେଖନ୍ତୁ ମି: ମଲଟେନି, ଆପଣ କିଛି ବୁଝି ନାହାନ୍ତି...ବୁଝି ବି ପାରିବେ ନାହିଁ ।

 

ମାନେ ?

 

ତେବେ ଶୁଣନ୍ତୁ...କାହିଁକି ଏ କଥା କହିଲି । ଆପଣ ଯେମିତି ମନେ କରିଛନ୍ତି ସେମିତି ମର୍ଯ୍ୟାଦାହୀନ, ଶିଷ୍ଟାଚାରହୀନ ଭାବରେ ଇଉଲିସିସଙ୍କୁ ଚିତ୍ରଣ କରିବାକୁ ମୁଁ ଚାହେଁନା ।...ଓଡ଼ିସିରେ ଯେଉଁ ଭାବରେ ଚିତ୍ରଣ କରାଯାଇଛି ଠିକ୍‌ ଯେମିତି ଭାବରେ ମୁଁ ଦେଖେଇବାକୁ ଚାହେଁ...ଓଡ଼ିସିରେ ଇଉଲିସିସ କିଏ ? ...ସେ ହେଲେ...ମାର୍ଜିତ ରୁଚିର ପୁରୁଷ, ସଭ୍ୟତାର ପ୍ରତୀକ...ତାଙ୍କର ସଭ୍ୟତା କାହିଁ ? ଇଉଲିସିସଙ୍କ ସଭ୍ୟତାର ପ୍ରମାଣ—ତାଙ୍କର ଯୁକ୍ତିପୂର୍ଣ୍ଣ ଓ ବିଜ୍ଞାନ ସମ୍ମତ ଆଚରଣ, ମର୍ଯ୍ୟାଦା ଓ ସୌନ୍ଦର୍ଯ୍ୟାବୋଧ, ବୁଦ୍ଧିମତା, ବସ୍ତୁତାନ୍ତ୍ରିକତା...କିନ୍ତୁ ସଭ୍ୟତାର ଅସୁବିଧା ମଧ୍ୟ ରହିଛି-। ପେନିଲୋପ ସୁଶିକ୍ଷିତା ନୁହନ୍ତି...ସେ ହେଉଛନ୍ତି ପରମ୍ପରାଗତ ନାରୀ...ସେ ଯୁକ୍ତିର ଧାର ଧାରନ୍ତି ନାହିଁ...ପ୍ରେରଣା, ଶୋଣିତ, ଗର୍ବ...ଏଇ ହେଲା ତାଙ୍କର ସର୍ବସ୍ୱ...ସଂକ୍ଷେପରେ କହିବାକୁ ଗଲେ ‘ଓଡ଼ିସି’ରେ ପେନିଲୋପ ବର୍ବରତା ଓ ଇଉଲିସିସ ସଭ୍ୟତାର ପ୍ରତିମୂର୍ତ୍ତି...ଭାବିଥିଲି ଆପଣମଧ୍ୟ ଇଉଲିସିସଙ୍କ ଭଳି ସୁସଭ୍ୟ ଓ ସଂସ୍କୃତି ସଂପନ୍ନ...କିନ୍ତୁ ଦେଖୁଛି—ଆପଣ ତର୍କ କରୁଛନ୍ତି ଅମାର୍ଜିତ ରୁଚି ପେନିଲୋପ ଭଳି ।...

 

ଆତ୍ମତୃପ୍ତିର ହସ ହସିଲେ ମି: ରେନ୍‍ଗୋଲ୍‌ଡ ।

 

ବିସ୍ୱାଦ ମନେହେଲା ତାଙ୍କର ଏହି ତୁଳନା । କ୍ରୋଧରେ ବିବର୍ଣ୍ଣ ହୋଇପଡ଼ିଲା ମୋର ମୁହଁ । କଂପିତ କଣ୍ଠରେ କହିଲି, ଯଦି ମନେ କରି ଥାଆନ୍ତି—ସଭ୍ୟତା ଓ ସଂସ୍କୃତିର ଅର୍ଥ ଏହା ଯେ ସ୍ୱାମୀ ତାର ସ୍ତ୍ରୀର ପ୍ରଣୟୀକୁ ପୋଷଣ କରିବ, ତେବେ ମୁଁ ଅମାର୍ଜିତ ରହିବାକୁ ପ୍ରସ୍ତୁତ ମି: ରେନ୍‍ଗୋଲ୍‌ଡ...।

 

ଆଶ୍ଚର୍ଯ୍ୟ ଏଥର ମଧ୍ୟ ମି: ରେନ୍‍ଗୋଲ୍‌ଡ ଟିକିଏ ହେଲେ କ୍ରୋଧ ପ୍ରକାଶ କଲେ ନାହିଁ । ହାତ ଟେକି କହିଲେ, ଆପଣ ଆଜି ମୋଟେ ଯୁକ୍ତିର ଧାର ଧରୁ ନାହାନ୍ତି । ପେନିଲୋପଙ୍କ ଭଳି ଆପଣଙ୍କ କଥାଗୁଡ଼ିକ ଅଯୌକ୍ତିକ ମନେ ହେଉଛି...ଗୋଟିଏ କାମ କରନ୍ତୁ ଘରକୁ ଫେରିଯାଇ ସ୍ଥିରମନରେ ପୁଣି ଭାବି ଦେଖନ୍ତୁ । କାଲି ସକାଳେ ଚିନ୍ତାର ଜଣାଇବେ...କେମିତି ?

 

ବେଶ !

 

ରେନ୍‍ଗୋଲ୍‌ଡ ଉଠିଲେ, ମୁଁ ବି ଠିଆ ହେଲି ।

 

ଗମ୍ଭୀର ଭାବରେ ମି: ରେନ୍‍ଗୋଲ୍‌ଡ କହିଲେ, ମୋର ବିନ୍ଦୁମାତ୍ର ସନ୍ଦେହ ନାହିଁ ଯେ ଟିକିଏ ଚିନ୍ତାକଲେ ଆପଣ ମୋ ସହିତ ଏକମତ ହୋଇ ପାରିବେ ।

 

ମୋର ବିଶ୍ୱାସ ହେଉନାହିଁ ।

 

ହୋଟେଲ ଆଡ଼କୁ ଦୁହେଁ ଅଗ୍ରସର ହେଲୁ ।

 

ମି: ରେନ୍‌ଗୋଲ୍‌ଡଙ୍କ ସହିତ ପ୍ରାୟ ଘଣ୍ଟାଏ ଖଣ୍ଡେ ଥିଲି । ସୁତରାଂ ତାଙ୍କର ବ୍ୟାଖ୍ୟା ମାନିବି କି ନାହିଁ—ଆଉ ଥରେ ଭାବି ଦେଖିବାର ସମୟ ଯଥେଷ୍ଟ ରହିଛି କିନ୍ତୁ ବାହାରକୁ ଆସି ତାଙ୍କର କଥା ଚିନ୍ତା କରିବାର ପ୍ରବୃତ୍ତି ହେଲା ନାହିଁ...ପ୍ରକୃତିର ସୌନ୍ଦର୍ଯ୍ୟ ଏକାଗ୍ର ଚିତ୍ତରେ ଉପଭୋଗ କରିବାର ଇଚ୍ଛା ହେଲା । ମି: ରେନ୍‌ଗୋଲ୍‌ଡଙ୍କର କଳ୍ପନା ଚିତ୍ରନିର୍ମାଣର ଗଣ୍ଡି ଛାଡ଼ି ଅନେକ ଦୂର ଚାଲି ଯାଇଛି । ସେ କହିଛନ୍ତି ଏମିତି କିଛି ଯାହା ଅବ୍ୟକ୍ତ, ଅବର୍ଣ୍ଣନୀୟ । ତେଣୁ ମୋତେ ଆଉ ଥରେ ଭାବି ଦେଖିବାକୁ ପଡ଼ିବ ।

 

ସକାଳୁ ଘରୁ ବାହାରିବା ସମୟରେ ଦେଖିଛି ଗୋଟାଏ ନିର୍ଜନ ଛୋଟ ଜାଗା...ବାତ୍ତିସତାଙ୍କ ପ୍ରାସାଦର ଠିକ୍‌ ତଳକୁ । ସ୍ଥିର କଲି ସେଇଠିକି ଯିବି । ସେଇଠି ବସି ଭାବିପାରିବି ଆଉ ନ ପାରିଲେ ସନ୍ତରଣ କରିବି ।

 

ସେଯାଏ ସକାଳ ଯାଇନି । ରାସ୍ତା ଉପରେ ଖୋଲା ପାଦରେ ଗୋଟାଏ ଦୁଇଟି ପିଲା ଘୂରି ବୁଲୁଛନ୍ତି—ଶୁଣା ଯାଉଛି ସେମାନଙ୍କର ପଦଧ୍ୱନି, ଚତୁର୍ଦ୍ଦିଗ କଳରବରେ ମୁଖର କରି ହାତ ଧରାଧରି ହୋଇ ଚାଲିଛନ୍ତି କେତୋଟି ଛୋଟ ଝିଅ । ସେମାନଙ୍କର ନୀଳ ଛୋଟ ଛୋଟ ଆଖି ଆନନ୍ଦ ଉଜ୍ଜ୍ୱଳ । କେତେଜଣ ବୃଦ୍ଧା ଭଦ୍ରମହିଳା କୁକୁରମାନଙ୍କୁ ସାଙ୍ଗରେ ଧରି ବୁଲି ବାହାରିଛନ୍ତି । ଛାୟାଘେରା ଜନବିରଳ ପଥ । ଯେଉଁ ରାସ୍ତା ଦେଇ ଯାଇଥିଲି ସେହି ରାସ୍ତାରେ ଫେରିଲି । ଯେଉଁ ରାସ୍ତାଟି ଦ୍ୱୀପକୁ ବେଷ୍ଟନ କରି ରହିଛି ତାକୁ ପାରି ହୋଇ ଗୋଟିଏ ସରୁ ଗଳିକୁ ଚାଲି ଆସିଲି । ଗଳି ପାରିହୋଇ ଆସି ଗୋଟାଏ ନୂତନ ରାସ୍ତାଟି ଗ୍ରୀଷ୍ମବାସର ଆଡ଼କୁ ଯାଇଛି । ପରିଶେଷରେ ସେହି ପଥରେ ଆଗେଇଲି । ଗ୍ରୀଷ୍ମାବାସକୁ ଆସି ତଳକୁ ଚାହିଁ ଦେଖିଲି । ତିନିଶହ ଫୁଟ ତଳେ ସମୁଦ୍ର ଯେପରି ଥରୁଛି, ସୂର୍ଯ୍ୟାଲୋକରେ ଝଲମଲ କରୁଛି...ପବନର ଗତି ସହିତ ପରିବର୍ତ୍ତନ ହେଉଛି ରଙ୍ଗର...କେଉଁଠି ନୀଳ, କେଉଁଠି ସବୁଜ ଜଳ...ଦୂରେ ଅନେକ ଦୂରେ । ଏହି ଦୂର ଅଚଞ୍ଚଳ ସମୁଦ୍ର ଭିତର ଦ୍ୱୀପରୁ ସମ-ବିଳମ୍ୱିତ ପାହାଡ଼ଗୁଡ଼ିକ ପକ୍ଷ ବିସ୍ତାର କରି ଯେମିତି ମୋ ଆଡ଼କୁ ଉଡ଼ି ଆସୁଛନ୍ତି, ତୀର ଭଳି ଉପରକୁ ଦଳ ଦଳ ହୋଇ ଉଠୁଛନ୍ତି । ସେମାନଙ୍କର ଉନ୍ନତି, ଉନ୍ମକ୍ତ ଶିରରେ ସୁନେଲି ଆଲୋକର ପ୍ଳାବନ ।

 

ଅତର୍କିତ ଭାବରେ ଆତ୍ମହତ୍ୟାର ଆକାଂକ୍ଷା ମନେ ଜାଗିଉଠିଲା ଇଚ୍ଛା ହେଲା ଆଲୋକର ଏହି ପ୍ରାଚୁର୍ଯ୍ୟ ଭିତରେ ଚିରଦିନ ପାଇଁ ଶୋଇ ରହନ୍ତି । ଜୀବନର ଯେଉଁ ପତିବ୍ରତା ରକ୍ଷା କରି ପାରିନାହିଁ ମୃତ୍ୟୁରେହିଁ ତାହା ଅର୍ଜ୍ଜନ କରିବାକୁ ପଡ଼ିବ । ମୃତ୍ୟୁହିଁ ମୋର ପରମ ଶାନ୍ତି, ଏକମାତ୍ର କାମ୍ୟ ।

 

ଆତ୍ମହତ୍ୟାର ଏହି ପ୍ରଲୋଭନରେ ଉନ୍ମାଦ ହୋଇ ପଡ଼ିଲି । କ୍ଷଣିକ ପାଇଁ ମୋର ଜୀବନ ବିପନ୍ନ ହୋଇପଡ଼ିଲା । ମନେ ପଡ଼ିଲା ଏମିଲିୟାର କଥା । ଭାବିଲି ମୋର ମୃତ୍ୟୁ ସଂବାଦ ସେ କେମିତି ଭାବରେ ଗ୍ରହଣ କରିବ ? ନିଜକୁ ଉଦ୍ଦେଶ୍ୟ କରି କହିଲି—ଜୀବନରେ କ୍ଳାନ୍ତି ହୋଇ ତୁମେ ଆତ୍ମହତ୍ୟା କରିବାକୁ ଚାହଁ ନା ଆତ୍ମଘାତୀ ହେବାକୁ ଚାହୁଁଛ ଏମିଲିୟା ପାଇଁ ।...

Unknown

 

ବିଚଳିତ ହୋଇପଡ଼ିଲି । ବିତୃଷ୍ଣାର ଭାବ କଟିଗଲା ।

 

ତୁମେ କାହିଁକି ମରିବାକୁ ଚାହଁ ? ଏମିଲିୟା ପାଇଁ ଜୀବନ ଦେବାକୁ ଚାହଁ, ନା ଏମିଲିୟା ତୁମକୁ ଏହି ଜୀବନ ଉପରେ ବିତଶ୍ରଦ୍ଧର କାରଣ ?

 

ମୁଁ ମରିବାକୁ ଚାହେଁ...କାହିଁକି ନା ମୃତ୍ୟୁର ପରେ ବି ହୁଏତ ମୁଁ ଏମିଲିୟାର ଶ୍ରଦ୍ଧା ଅର୍ଜ୍ଜନ କରିପାରିବି...ସେ ମୋତେ ଅନ୍ୟାୟ ଭାବରେ ଘୃଣା କରେ, ତେଣୁ ଅନୁତପ୍ତ କରିବାକୁ ଚାହେଁ—

 

ଏକଥା ମନେ ପଡ଼ିବା ମାତ୍ରକେ ମୋର ବର୍ତ୍ତମାନ ଅବସ୍ଥାର ଚିତ୍ରଟି ସଂପୂର୍ଣ୍ଣ ହୋଇ ଉଠିଲା ।

 

ତୁମ ଭିତରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି କାହିଁକି ?

 

ତାର କାରଣ—ଇଉଲିସିସ୍‌ ଓ ପେନିଲୋପର ସଂପର୍କ ବର୍ଣ୍ଣନା କରିବାକୁ ଯାଇ ଅଜ୍ଞାତସାରରେ ତୁମର ଓ ଏମିଲିୟାର ସମ୍ୱନ୍ଧରେ ହିଁ କହିଛନ୍ତି । ଇଉଲିସିସ୍‌ ପ୍ରତି ପେନିଲୋପର ଅବସ୍ଥାର ଅବଜ୍ଞା କଥା ଯେତେବେଳେ ସେ କହିଥିଲେ ତୁମର ସେତେବେଳେ ମନେ ପଡ଼ିଛି ଏମିଲିୟାର କଥା । ତୁମେ ସେ କଥାରେ ବେଦନା ଅନୁଭବ କରିଛ ତେଣୁ ତା’ର ପ୍ରତିବାଦ କରିଛ । ତୁମେ ଭୁଲ କରିଛ । ବର୍ତ୍ତମାନ ସୁଦ୍ଧା ତୁମେ ବୁଝିପାରିନ ଯେ—ଏମିଲିୟାର ଶ୍ରଦ୍ଧା ଅର୍ଜ୍ଜନ କରିବାକୁ ହେଲେ ଆତ୍ମହତ୍ୟାର କୌଣସି ପ୍ରୟୋଜନ ନାହିଁ । ପେନିଲୋପର ପ୍ରେମ ଫେରିପାଇବା ପାଇଁ ଇଉଲିସିସ୍‌ ପ୍ରଣୟୀମାନଙ୍କୁ ହତ୍ୟା କରିଥିଲେ । ସେ ଦିଗରୁ ଦେଖିବାକୁ ଗଲେ ମି: ବାତ୍ତିସତାଙ୍କୁ ତୁମର ହତ୍ୟା କରିବା ଉଚିତ । କିନ୍ତୁ ବର୍ତ୍ତମାନ ଯୁଗ ସହିତ ‘ଓଡ଼ିସି’ ଯୁଗର ତୁଳନା ଅଚଳ । ଆମେ ଗୋଟାଏ ଭିନ୍ନ ପୃଥିବୀରେ ବାସକରି ରହିଛୁ । ଆମେ ଚାହୁଁ ଶାନ୍ତି ।...ବର୍ତ୍ତମାନ ତୁମର କର୍ତ୍ତବ୍ୟ ହେବ—ମି: ରେନ୍‍ଗୋଲ୍‌ଡଙ୍କ ସହିତ ସମସ୍ତ ସଂମ୍ପର୍କ ଛିନ୍ନ କରି କାଲି ପ୍ରଭାତରୁ ହିଁ ରୋମକୁ ଫେରିଯିବା । ଏମିଲିୟାର କୌଣସି ଉପଦେଶ ତୁମେ ଶୁଣିବ ନାହିଁ । କାମ କରିବ ବୀର ଇଉଲିସିସ୍‍ ଭଳି...

 

ହଁ...ହଁ—ଠିକ ସତରେ ତ !

 

ଆଦ୍ୟପ୍ରାନ୍ତ ଆଲୋଚନା କରି ଦେଖିଲି । ନା, ଚିନ୍ତାକରି ଆଉ କୌଣସି ଲାଭ ନାହିଁ । ବର୍ତ୍ତମାନ ହିଁ ମି: ରେନ୍‍ଗୋଲ୍‌ଡଙ୍କୁ ଜଣାଇଦେବି...ମୋର ଅଭିପ୍ରାୟ । ତେବେ ହଁ,—ଏତେ ତରତର କାହିଁକି ? ଦ୍ୱିପହରରେ ଜଣାଇଲେ ବି ଚଳିବ । ଘରକୁ ଫେରି ଏମିଲିୟାକୁ କହିବି ଜିନିଷପତ୍ର ସବୁ ବନ୍ଧାବନ୍ଧି କରିନିଅ । ମି: ବାତ୍ତିସତାଙ୍କୁ କିଛି କହିବି ନାହିଁ । ପ୍ରଭାତରୁ ହିଁ ଏମିଲିୟାକୁ ନେଇ ଚାଲିଯିବି । ଯିବା ପୂର୍ବରୁ କାଗଜରେ ଲେଖି ଦେଇଯିବ—ମୋର ମତ ସହିତ ମି: ରେନ୍‍ଗୋଲ୍‌ଡଙ୍କ ମତ ମିଳୁନାହିଁ । ବାତ୍ତିସତାଙ୍କ ସହିତ ଦେଖା ନ କରିବାହିଁ ମଙ୍ଗଳ । ସେ ଧୂର୍ତ୍ତ, ସବୁ ବୁଝି ପକେଇବେ...

 

ଭାବୁ ଭାବୁ ଉଦ୍ଦେଶ୍ୟହୀନ ଭାବରେ ଅଗ୍ରସର ହେବାକୁ ଲାଗିଲି । ଗୋଟାଏ ସରୁ ଗଳି ପାରିହୋଇ ଉଦ୍ୟାନ ବାଟିକାର ନିମ୍ନଦେଶକୁ ଆସିଲି । ଢାଲୁ ରାସ୍ତାର ତଳକୁ ଓହ୍ଲେଇବା ଫଳରେ ଧଇଁସଇଁ ହୋଇପଡ଼ିଲି । ପଥର ଉପରେ ଠିଆ ହୋଇ ଅଳ୍ପ ବିଶ୍ରାମ ନେଲି ।

 

ସମୁଦ୍ରତୀରରେ ବିକ୍ଷିପ୍ତ ଭାବରେ ରହିଛି ବଡ଼ ବଡ଼ ପଥର ଖଣ୍ଡ । ପଥର ଗୁଡ଼ିକ ଅଳ୍ପ ଆଗରୁ ଯେମିତି ତଳକୁ ଗଡ଼ି ଆସିଛି...ସ୍ୱଚ୍ଛ ଜଳ ରାଶିର ସୀମା ପାରିହୋଇ ଚାଲି ଯାଇଛି ଦୁଇଟି ଶିଳାମୟ ଅନ୍ତରୀପ, ସୂର୍ଯ୍ୟଲୋକରେ ପାଣିତଳର ଛୋଟ ଛୋଟ ପଥର ଖଣ୍ଡ ଦେଖା ଯାଉଛି । ତା’ପରେ ଆଖିରେ ପଡ଼ିଲା...ଶିଉଳୀ ଲଗା, ବାଲି ଆଉ ପାଣିରେ ଅର୍ଦ୍ଧମଗ୍ନ ଖଣ୍ଡିଏ କଳାପଥର । ଏହି ପଥରର ପଛକୁ ଯାଇ ଶୋଇ ପଡ଼ିବି ।

 

ପଥରଟିର ପଛକୁ ଯାଇ ଦେଖିଲି...ସେଇଠି ଶୋଇ ରହିଛି ଏମିଲିୟା, ତାର ସର୍ବାଙ୍ଗ ଅନାବୃତ୍ତ ।

 

ପ୍ରଥମେ ଏମିଲିୟାକୁ ଚିହ୍ନି ପାରିଲି ନାହିଁ । ତାର ମୁହଟା ଗୋଟାଏ ଖଡ଼ର ଟୋପିରେ ଢଙ୍କା । ଇଚ୍ଛାହେଲା ନିଶବ୍ଦରେ ଫେରି ହୁଏତ କୌଣସି ଅପରିଚିତା ସ୍ନାନାର୍ଥିନୀର ନିକଟକୁ ପହଞ୍ଚି ଠିଆ ହୋଇଛି । ତାପରେ ଦୃଷ୍ଟିପଡ଼ିଲା—ବାଲି ଉପରେ ଲୁଣ୍ଠିତ ଦୁଇ ବାହୁ ଉପରେ । ଦେଖିଲି ତାର ହାତରେ ରହିଛି ଗୋଟାଏ ସୁବର୍ଣ୍ଣ ଅଙ୍ଗୁରୀୟ । କିଛିଦିନ ଆଗରୁ ପରିଣୟ-ଉପହାର ସଦୃଶ ଆଙ୍ଗୁରୀୟଟି ଏମିଲିୟାକୁ ଦେଇଥିଲି । ଠିକ୍‌ ତାରି ପଛରେ ମୁଁ ଠିଆ ହୋଇଥିଲି । ସମସ୍ତ ବସ୍ତ୍ର ପରିତ୍ୟାଗ କରି ଅଦୂରରେ ରହିଛି ଏମିଲିୟା । ତାର ନଗ୍ନ ଦେହ ବିଶାଳ ଦେଖାଯାଉଛି । ବକ୍ଷ, ଉରୁ, ନିତମ୍ୱ, ଅଣ୍ଟା, ଯୁଗ୍ମସ୍ତନ...ସବୁକିଛି ଅସ୍ୱାଭାବିକ । ମନେହେଲା—ଆକାଶ ଓ ସମୁଦ୍ରର ଅସୀମତାର ଛାୟା ତାର ଦେହରେ ପଡ଼ିଛି । କିନ୍ତୁ କାହିଁକି ଏମିତି ମନେ ହେଉଛି ? ଏହି ଅପ୍ରତ୍ୟାଶିତ ମୁହୂର୍ତ୍ତରେ ମୋର ଦେହର କାମନାରୁ ଯେମିତି ଜାଗିଛି ଏହି ଭାବ । ଏମିଲିୟା ସହିତ ଦୈହିକ ମିଳର ତୀବ୍ର ଆକାଂକ୍ଷା ହେଲା । କିନ୍ତୁ ତାହା ନିର୍ଭର କରୁଛି ତାର ସମ୍ମତି ଉପରେ...ନା, ନା, ସେ ରାଜି ହେବ ନାହିଁ । ଯେମିତି ଏ ସବୁ ମୋର ଭୁଲ !

 

ସ୍ପଷ୍ଟ କଣ୍ଠରେ ଡାକିଲି, ଏମିଲିୟା !

 

ସେ ଚମକି ପଡ଼ିଲା । ପଛକୁ ନ ଚାହିଁ ସଂକୁଚିତ ଭାବରେ ତାର ଦେହାଭରଣ ନେବାପାଇଁ ହାତ ବଢ଼େଇଲା ।

 

କହିଲି, ଭୟ ନାହିଁ, ମୁଁ—ରିକାର୍ଡୋ ।

 

ସେ ମୁହଁ ଫେରେଇ ମୋତେ ଥରେ ଦେଖିଲା...ଲଜ୍ଜା ନିବାରଣ ପାଇଁ ଆଉ ବ୍ୟସ୍ତତା ଦେଖେଇଲା ନାହିଁ ।

 

କହିଲି ପ୍ରାୟ ପାଞ୍ଚମିନିଟ ଧରି ତୁମକୁ ଦେଖୁଥିଲି....ମନେ ହେଉଥିଲା ଯେମିତି ଆଜି ପ୍ରଥମ ଦେଖୁଛି...।

 

ଏମିଲିୟା କିଛି କହିଲା ନାହିଁ । ନୀରବରେ ଅଳ୍ପ ଆଗେଇ ଆସିଲା—ଯେମିତି ମୋତେ ଭଲ ଭାବରେ ଆଉଥରେ ଦେଖିନେଲା । ସେ ହୁଏତ ଭାବିଥିଲା କେହି ଅପରିଚିତ ବ୍ୟକ୍ତି ଆସିଛି । ମୋତେ ଦେଖି ତାର ଭୟ ଦୂରୀଭୂତ ହୋଇଗଲା ।

 

କହିଲି—ମୁଁ ଏଠି ରହିବି ନା ଚାଲିଯିବି ?

 

ଅଳ୍ପ ଚିନ୍ତାକଲା ଏମିଲିୟା । ତାପରେ ଶାନ୍ତ ଭାବରେ ଖରାରେ ମେଲେଇ ଦେଲା ତାର, ନଗ୍ନ ଦେହ ବଲ୍ଲରୀ । କହିଲା, ଇଚ୍ଛା ହେଲେ ରହିପାର—ତେବେ ଛାଇ କରିବ ନାହିଁ ଯେମିତି ।

 

ତାହାହେଲେ ସତରେ ସେ କଣ ମନେକରେ—ମୋର ଅସ୍ତିତ୍ୱ ନାହିଁ, ମୁଁ କେବଳ ଗୋଟାଏ ଛାୟାମୟ ଦେହ—ଯାହାକୁ ଉଜ୍ଜ୍ୱଳ ସୂର୍ଯ୍ୟ ଓ ଏମିଲିୟାର ନଗ୍ନ ଦେହ ମଝିରେ ନିର୍ଭୟରେ ରଖା ଯାଇପାରେ, ଯଦିଓ ମୋର ଦୈହିକ ଉତ୍ତେଜନା ସହିତ ତାର ଦେହରେ ମଧ୍ୟ ଉତ୍ତେଜନା ଜାଗିବାର କଥା । ଏହି ଔଦାସିନ୍ୟରେ ବ୍ୟଥିତ, ବିଚଳିତ ହୋଇପଡ଼ିଲି । ଆଶଙ୍କାରେ ଶୁଖିଗଲା ମୁହଁଖଣ୍ଡକ । କହିଲି ଜାଗାଟା ଚମତ୍କାର...ମୁଁ ମଧ୍ୟ ସୂର୍ଯ୍ୟସ୍ନାନ କରିବି ।

 

ଅଦୂରେ ଗୋଟାଏ ପଥର ଉପରେ ଆଉଜେଇ ବସିଲି ।

 

ଦୁହେଁ ନୀରବ । ସୁନେଲୀ ଆଲୋକର ଅବାରିତ ଅନନ୍ତ ସ୍ରୋତ ମୋତେ ଘେରି ପକେଇଲା । କଲ୍ୟାଣ ଓ ଶାନ୍ତିର ଅନୁଭୂତିରେ ମୋର ଆଖି ଦୁଇଟି ବୁଜି ହୋଇ ଆସିଲା । କେବଳ କଣ ଖରା ପୋଇଁବାର ଉଦ୍ଦେଶ୍ୟରେ ଏଠିକି ଆସିଛି ? ଯଦି ଏମିଲିୟା ମୋତେ ଭଲ ନ ପାଏ, ତେବେ ରୌଦ୍ର ଉପଭୋଗର ଆନନ୍ଦ ପାଇ ପାରିବି ନାହିଁ ।

 

କହିଲି—ମନେହୁଏ ବିଶେଷ ଭାବରେ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ସ୍ଥାନଟା ତିଆରି-

 

ଏମିଲିୟା କହିଲା, ହଁ ସତରେ ସେୟା ।

 

ତେବେ—ଆମ ପାଇଁ ନୁହେଁ—ଆମ ଭିତରେ ତ ଆଉ ପ୍ରେମ ନାହିଁ ଏମିଲିୟା କିଛି କହିଲା ନାହିଁ ।

 

ତା ଆଡ଼କୁ ଚାହିଁ ରହିଲି । ତାକୁ ଦେଖି ଯେଉଁ କାମନା ଜାଗି ଉଠିଥିଲା ପୁଣି ତାହା ପ୍ରବଳ ହୋଇ ଉଠିଲା ।

 

ଗଭୀର ଆବେଗର ଧର୍ମ ଏହା ଯେ ଆମେ ଆବେଗ ଚାଳିତ ହୋଇ ସମ୍ପୂର୍ଣ୍ଣ ଅଜ୍ଞାତସାରରେ ଓ ଇଚ୍ଛାରେ ବିରୁଦ୍ଧରେ କାମ କରିବସୁ । ଦେଖିଲି, କେମିତି ଭାବରେ ଜାଣେନା ଏମିଲିୟାର ପାଖକୁ ଆସି ଯାଇଛି, ତାରି ପାଖରେ ବସିଛି, ତାର ମୁହଁ ପାଖରେ ମୋର ମୁହଁ, ସେ ନିଶ୍ଚଳ ନିଦ୍ରାମଗ୍ନ । ଭୋଜ୍ୟ ପଦାର୍ଥ ମୁହଁରେ ଦେବା ଆଗରୁ କ୍ଷୁଧିତ ଯେମିତି ଆହାର୍ଯ୍ୟ ଆଡ଼କୁ ଚାହେଁ, ସେମିତି ଆକୁଳ ଲୋଲୁପ ଦୃଷ୍ଟିରେ ଦେଖୁଛି ଏମିଲିୟାର ମୁହଁ । ତାକୁ ଚୁମ୍ୱନ କରିବି । କେତେଦିନ ଏହି ଗଣ୍ଡଦେଶରେ ଚୁମ୍ୱନ କରିନାହିଁ ! ଅର୍ଦ୍ଧ ନିଦ୍ରା ଆଉ ଅର୍ଦ୍ଧ ଜାଗରଣରେ ସେ ଯଦି ସେ ଚୁମ୍ୱନ ଫେରାଇ ଦିଏ ତେବେ ତାର ସ୍ୱାଦ ଓ ଗନ୍ଧ ପୁରାତନ ସୁରା ଭଳି ହୋଇପଡ଼ିବ । ହୁଏତ ମୁହୂର୍ତ୍ତେ ମାତ୍ର ସେହି ମୁହଁକୁ ଚାହିଁଥିଲି । ଧୀରେ ଧୀରେ ଏମିଲିୟାର ଓଠ ପାଖକୁ ଓଠ ନେଇ ଆସିଲି । କିନ୍ତୁ ଚୁମ୍ୱନ କଲିନାହିଁ, କିଛି ସମୟ ମୁଗ୍‌ଧ ହୋଇ ରହିଥିଲି । ସଙ୍ଗେ ସଙ୍ଗେ ଅନୁଭବ କଲି ମୃଦୁ ନିଶ୍ୱାସ ଓ ଉତ୍ତପ୍ତ ଓଷ୍ଠର ଉଷ୍ଣତା । ଜାଣେ, ଏହି ଦୁଇ ଓଠ ତଳେ—ଏମିଲିୟା ମୁହଁ ଭିତରେ ରହିଛି ଲାଳର ସ୍ନିଗ୍‌ଧତା—ରୌଦ୍ରଦଗ୍‌ଧ ମାଟିର ଫାଟ ଭିତରେ ସଞ୍ଚିତ ବରଫ ଭଳି । ସେହି ସ୍ୱାଦ କଥା କଳ୍ପନା କରିକରି ଏମିଲିୟାର ଓଠରେ ଓଠ ମିଳେଇଲି । ସେହି ସ୍ପର୍ଶରେ ଟିକିଏ ହେଲେ ଚେଇଁ ପଡ଼ିଲା ନାହିଁ ଏମିଲିୟା, ଟିକିଏ ହେଲେ ବିସ୍ମୟ ପ୍ରକାଶ କଲା ନାହିଁ । ପୁନରାୟ ଓଠରେ ଓଠ ଲଗେଇଲି, ମୃଦୁ ଚାପରୁ ଜୋରରେ ଚାପିଧଇଲି । ତଥାପି ସେ ନିଶ୍ଚଳ, ସ୍ଥିର । ତେଣୁ ଗୋଟାଏ ନିବିଡ଼ ଚୁମ୍ୱନ ଅଙ୍କନ କରିଦେଲି । ସେ ଧୀରେ ଧୀରେ ମୁହଁ ଖୋଲିଲା, ତାର ମାଡ଼ି ଉପରେ ଆସି ଲାଗିଲା ମୋର ଓଠ ଦୁଇଟି, ଅନୁଭବ କଲି—ଗୋଟାଏ କୋମଳ ବାହୁ ମୋର କଣ୍ଠ ବେଷ୍ଟନ କଲା ।

 

ହଠାତ୍‌ ଗୋଟାଏ ତୀବ୍ର ଧକ୍‌କାରେ ସମାଧିରୁ ଉଠି ବସିଲି । ମୋ ଆଗରେ ଠିକ୍‌ ପୂର୍ବପରି ଶୋଇରହିଛି ଏମିଲିୟା, ତାର ମୁହଁ ଟୋପିରେ ସଂପୂର୍ଣ୍ଣ ଢାଙ୍କି ହୋଇ ପଡ଼ିଛି ।

 

ବୁଝିଲି, ସେହି ଚୁମ୍ୱନର ସ୍ୱପ୍ନ ଦେଖିଛି । ହୁଏତ ବା ଉନ୍ମତ୍ତ ଆକାଂକ୍ଷାର ଅବାନ୍ତର, ଆକର୍ଷଣୀୟ ମୋହରେ ଚୁମ୍ୱନର ଅଭିଜ୍ଞତା ସଂଚୟ କରିଛି...ମୁଁ ଚୁମ୍ୱନ କରିଛି ସେ ମୋତେ ପ୍ରତିଚୁମ୍ୱନ କରିଛି । କିନ୍ତୁ ଯେ ଚୁମ୍ୱନ କରିଛି ଓ ଯିଏ ତାର ପ୍ରତିଦାନ ଦେଇଛି—ସେମାନେ ଦୁହେଁ ମୋର ଆକାଂକ୍ଷାରେ ଗଢ଼ା ସ୍ୱପ୍ନପ୍ରତିମା—ମୁଁ ଓ ଏମିଲିୟା ନୋହୁଁ ।

 

ଏମିଲିୟାକୁ ଚାହିଁ ଚାହିଁ ଭାବିଲି—ବର୍ତ୍ତମାନ ଯଦି ସତରେ ତାକୁ ଚୁମ୍ୱନ କରିବାକୁ ଚାହେଁ ?...ମନକୁ ମନ କହିଲି..ନା । ତେବେ କଣ ମୁଁ ପଙ୍ଗୁ ହୋଇପଡ଼ିଛି ? ମୋର ଉପରେ ଏମିଲିୟାର ଘୃଣା କଥା ଚିନ୍ତା କରି କ’ଣ ଅବଶ ହୋଇ ପଡ଼ିଲି ?

 

ଅସ୍ପଷ୍ଟ କଣ୍ଠରେ ଡାକିଲି, ଏମିଲିୟା !

 

କଣ ?

 

ଶୋଇ ଶୋଇ ଦେଖୁଥିଲି ଯେ ମୁଁ ତୁମକୁ ଚୁମ୍ୱନ କରୁଛି ।

 

ଏମିଲିୟା ନୀରବ ରହିଲା । ତାର ଏହି ମୌନତାରେ ଶଙ୍କିତ ହୋଇ ପଡ଼ିଲି ।

 

ତେଣୁ ଅନ୍ୟ ପ୍ରସଙ୍ଗକୁ ଯିବାପାଇଁ ଚେଷ୍ଟାକଲି । ପ୍ରଶ୍ନକଲି...ମି: ବାତ୍ତିସତା ବର୍ତ୍ତମାନ କେଉଁଠି ?

 

ଶାନ୍ତ କଣ୍ଠରେ ଉତ୍ତର ଦେଲା ଏମିଲିୟା, ଜାଣେନା...ତେବେ ହଁ ଏତିକି ଜାଣେ ଯେ ସେ ଆମ ସହିତ ଭୋଜନ ନ କରି ମି: ରେନ୍‌ଗୋଲ୍‍ଡ ସହିତ ଖାଇବେ ।

 

ହଠାତ୍‌ କହି ପକେଇଲି—ଦେଖ ଏମିଲିୟା କାଲି ସନ୍ଧ୍ୟାରେ ଦେଖିଲି ମି: ବାତ୍ତିସତା ତୁମକୁ ଆଦର କରୁଥିଲେ ।

 

ସ୍ୱାଭାବିକ ଭାବରେ ସେ କହିଲା, ଜାଣେ, ତୁମେ ଦେଖିଛ...ମୁଁ ମଧ୍ୟ ତୁମକୁ ଦେଖିଛି । ଏମିଲିୟାର କଥା ଶୁଣି ବିଚଳିତ ହୋଇ ପଡ଼ିଲି, ଅଳ୍ପ ବିବ୍ରତ ମଧ୍ୟ ବୋଧକଲି । ଭାବିଥିଲି—ସ୍ତବ୍‌ଧ ସୂର୍ଯ୍ୟାଲୋକ ଓ ସମୁଦ୍ରର ନୀରବତାରେ ଘୁଞ୍ଚି ଯାଇଛି ଆମର ବିରୋଧ । ଦାମ୍ପତ୍ୟ–କଳହ ସ୍ୱାଭାବିକ ଦମ୍ଭ ଓ ଔଦାସିନ୍ୟର ସ୍ତରକୁ ପହଞ୍ଚି ଯାଇଛି । ତଥାପି ଅତି କଷ୍ଟରେ କହିଲି, ତୁମ ସହିତ ଗୋଟାଏ କଥା ଅଛି ଏମିଲିୟା ବର୍ତ୍ତମାନ ନୁହେଁ...ମୁଁ କିଛି ସମୟ ଖରାରେ ରହିବି ।

 

ତେବେ, ଉପରଓଳି—

 

ବେଶ ।

 

ପଛକୁ ଥରେ ହେଲେ ଫେରି ନ ଚାହିଁ ପ୍ରମୋଦ-ପ୍ରସାଦ ଆଡ଼କୁ ଯାଇଥିବା ରାସ୍ତାରେ ଆଗେଇବାକୁ ଲାଗିଲି ।

 

ଲଞ୍ଚ ସମୟରେ କୌଣସି କଥାବାର୍ତ୍ତା ହେଲା ନାହିଁ । ମଧ୍ୟାହ୍ନର ପ୍ରଦୀପ୍ତ ଆଲୋକ ପ୍ରମୋଦ—ପ୍ରାସାଦ ଭିତରେ ଯେମିତି ଆଣିଛି ଅଖଣ୍ଡ ମୌନତା । ଖୋଲା ଝରକା ଦେଇ ଦେଖାଯାଉଛି ଆକାଶ ଓ ସମୁଦ୍ର । ଏମିଲିୟା ଓ ମୋ ମଝିରେ ଯେମିତି ସୃଷ୍ଟି ହୋଇଛି ଅନନ୍ତ ବ୍ୟବଧାନ । ଏହି ସୀମାହୀନ ନୀଳିମା ଯେମିତି ସମୁଦ୍ର ଗଭୀରତା ଭଳି ଗୋଟାଏ ତରଳ ପଦାର୍ଥ । ଦୁହେଁ ବସି ରହିଛୁ ସମୁଦ୍ରର ନିମ୍ନଦେଶରେ, ଉଜ୍ଜ୍ୱଳ ଗତିଶୀଳ ପଦାର୍ଥଟି ରହିଛି ଆମରି ମଝିରେ, ଦୁହେଁ ନିର୍ବାକ ।...ସ୍ଥିର କରିଛି ଉପର ବେଳା ଆଗରୁ ଏମିଲିୟାକୁ କିଛି କହିବି ନାହିଁ । ମୁହାଁମୁହିଁ ବସି ରହିଛୁ ଅଥଚ ଗୋଟାଏ ଜରୁରୀ ଆଲୋଚନା ମୁଲତବି ରହିଛି । ମି: ବାତ୍ତିସତାଙ୍କ ଚୁମ୍ୱନ ବା ଆମର ସଂମ୍ପର୍କ କଥା ମୋଟେ ଚିନ୍ତା କଲି ନାହିଁ । ଏମିଲିୟା ମଧ୍ୟ ସେକଥା ନିଶ୍ଚୟ ଚିନ୍ତା କଲାନାହିଁ-। ସମୁଦ୍ର ସୈକତରେ ଯେଉଁ ସାନନ୍ଦ କୌତୁହଳ, ଜଡ଼ତା ଓ ଔଦାସିନ୍ୟରେ ନୀରବ ରହିଥିଲି ଏଯାଏଁ ସେ ଭାବ କଟିନାହିଁ । ଲଞ୍ଚ ଶେଷ ହେବାପରେ ଏମିଲିୟା କହିଲା ବର୍ତ୍ତମାନ ମୁଁ ଅଳ୍ପ ସମୟ ପାଇଁ ବିଶ୍ରାମ କରିବାକୁ ଯାଉଛି ।

 

ଏମିଲିୟା ବାହାରିଗଲା ।

 

ଏକାକୀ ବସିରହି କିଛି ସମୟ ଖୋଲା ଝରକା ଦେଇ ବାହାରକୁ ଚାହିଁ ରହିଲି—ସ୍ୱଚ୍ଛ, ଆଲୋକ ଉଦ୍‌ଭାସିତ ଦିଗନ୍ତକୁ—ଯେଉଁଠି ସମୁଦ୍ରର ନୀଳ ସହିତ ମିଳନ ହୋଇଛି—ଆକାଶର ଗାଢ଼ନୀଳିମାର । ସୀମାରେଖା ଧରି ଗୋଟାଏ କଳାଜାହାଜ ଅଗ୍ରସର ହେଉଛି ଯେମିତି ସୁତା ଉପରେ ଗୋଟାଏ ମାଛି ଚାଲୁଛି । ଛୋଟ ଜାହାଜଟା ଯେମିତି ଗୋଟାଏ କଳାଦାଗ । କିନ୍ତୁ ପାଖକୁ ଗଲାମାତ୍ରକେ ଦେଖାଯିବ—ପ୍ରକୃତରେ ଜାହାଜଟା ଛୋଟ ନୁହେଁ । ସେଇଠି ରହିଛନ୍ତି ସଜୀବ ମଣିଷ ଓ ମଣିଷର ଭାଗ୍ୟ । ଯାତ୍ରୀମାନେ ଯେମିତି କ୍ୟାପ୍ରିର ଉପକୂଳକୁ ଚାହିଁ ରହିଛନ୍ତି । ସେମାନ ଉପକୂଳ ଦେଖିବାକୁ ପାଇବେ । ଗୋଟାଏ ଧଳା ଦାଗ, ବୁଝିପାରିବେ ନାହିଁ ଯେ...ଏଠି ରହିଛି ବାତ୍ତିସତାଙ୍କର ପ୍ରମୋଦ-ପ୍ରାସାଦ...ଆମେ ରହିଛୁ ତାହାରି ଭିତରେ...ଅଳ୍ପ ସମୟ ଆଗରୁ ଏମିଲିୟା ଥିଲା ମୋରି ନିକଟରେ...ଆମ ଭିତରେ ପ୍ରେମ ନାହିଁ, ଏମିଲିୟା ମୋତେ ଘୃଣା କରେ, ଆଉ—ମୁଁ ଜାଣେନା, କେମିତି ଭାବରେ ଫେରିପାଇବି ତାର ପ୍ରେମ, ଶ୍ରଦ୍ଧା ଓ ସୋହାଗ ।

 

ତନ୍ଦ୍ରା ଘୋଟିଆସିଲା । ଭାବିଲି ରେନ୍‌ଗୋଲଡ୍‍ଙ୍କୁ ମୋର ସଂକଳ୍ପ କଥା ଜଣାଇ ଦେଇ ଆସିବି । ମୋର ଦେହରେ କିଏ ଯେପରି ବାଲଟିଏ ଥଣ୍ଡା ପାଣି ଅଜାଡ଼ି ଦେଲା । ତନ୍ଦ୍ରା କଟିଗଲା । ମୁଁ ଘରୁ ବାହାରି ଆସିଲି ।

 

ମି: ରେନ୍‌ଗୋଲଡ୍‍ଙ୍କ ହୋଟେଲକୁ ଆସିବାକୁ ପ୍ରାୟ ଅଧଘଣ୍ଟା ଲାଗିଲା ।

 

ହଲ ଭିତରକୁ ପଶି ତାଙ୍କ ପାଖକୁ ଖବର ପଠେଇଲି । ଚଞ୍ଚଳ ହେଲେ ମଧ୍ୟ ମନଟା ଯେମିତି ପରିଷ୍କାର ହୋଇ ପଡ଼ିଛି । ସ୍ୱସ୍ତି ବୋଧ କଲି, ଆନନ୍ଦ ବି ଲାଗିଲା । ହୁଏତ ଏଥର ଠିକ ରାସ୍ତାରେ ଚାଲିଛି ।

 

ମୋତେ ଦେଖି ମି: ରେନ୍‌ଗୋଲ୍‍ଡ ଅବାକ ହୋଇଗଲେ...ଅଶୁଭ ସମ୍ୱାଦର ଆଶଙ୍କାରେ ଯେପରି ବ୍ୟାକୁଳ ବି ହୋଇପଡ଼ିଲେ ।

 

କହିଲି—କ୍ଷମା କରିବେ...ଆପଣଙ୍କ ବିଶ୍ରାମରେ ବ୍ୟାଘାତ ସୃଷ୍ଟି କଲି...ଶୋଇଥିଲେ ବୋଧହୁଏ ।

 

ନା....ନା...ଦିନବେଳେ ମୁଁ ଶୁଏନା...ଏଆଡ଼କୁ ଆସିବାରେ ବସା ଯାଉ ।

 

ବାର ଭିତରେ ପଶିଲୁ...ସେଠି କେହି ନାହିଁ, ନିର୍ଜନ ।

 

ରେନ୍‌ଗୋଲ୍‍ଡ କହିଲେ କିଛି ଖାଇବେ ତ ?

 

ନା, କିଛି ଦରକାର ନାହିଁ ।

 

ଏତେ ସହଳ ଆପଣଙ୍କ ପାଖକୁ ଫେରି ଆସିଛି ବୋଲି ଆପଣ ନିଶ୍ଚୟ ଅବାକ୍‌ ହୋଇ ପଡ଼ିଛନ୍ତି, ଗୋଟାଏ ଦିନ ଭାବି ପାରିଥାନ୍ତି, କିନ୍ତୁ ମନେହେଲା କାଲିଯାଏଁ ଅପେକ୍ଷା କରି ରହିବାର କୌଣସି ପ୍ରୟୋଜନ ନାହିଁ...ଏ ସମ୍ୱନ୍ଧରେ ଅନେକ ଚିନ୍ତା କରିଛି...ଆପଣଙ୍କୁ ମୋର ଫଳାଫଳ ଶୁଣେଇବାକୁ ଆସିଲି...କୁହନ୍ତୁ ।

 

ଏହି ଚିତ୍ରନାଟ୍ୟ ଲେଖି ପାରିବି ନାହିଁ...ଚାକିରି ଛାଡ଼ି ଦେବି ।

 

ମି: ରେନ୍‌ଗୋଲ୍‌ଡ ନିଃସନ୍ଦେହରେ ତାହା ଆଶା କରିଥିଲେ । ତେଣୁ ସେ ବିସ୍ମିତ ବା ବିଚଳିତ ହେଲେନାହିଁ । କହିଲେ ଆମ ଭିତରେ ଆନ୍ତରିକ ଓ ସୁସ୍ପଷ୍ଟ ଆଳାପ ହେବା ଦରକାର ।

 

ମୋର ମନେହୁଏ—ମୁଁ ଆନ୍ତରିକତାର ସହିତ କହୁଛି ଯେ ‘ଓଡ଼ିସି’ ଚିତ୍ରନାଟ୍ୟ ମୁଁ ଲେଖିବି ନାହିଁ ।

 

କିନ୍ତୁ କାହିଁକି ଦୟାକରି କହନ୍ତୁ !

 

କାରଣ ଆପଣ ଯେଉଁ ବ୍ୟାଖ୍ୟା କରିଛନ୍ତି ତାହା ମୋର ମନଃପୁତ ନୁହେଁ ।

 

ଆପଣ ତାହାହେଲେ ମି: ବାତ୍ତିସତାଙ୍କ ସହିତ ଏକମତ ?

 

ଏହି ଅପ୍ରତ୍ୟାଶିତ ଅଭିଯୋଗରେ ବିରକ୍ତିବୋଧ କଲି । ରୁଷ୍ଟ ଭାବରେ କହିଲି, ଏହା ସହିତ ମି: ବାତ୍ତିସତାଙ୍କ ସଂପର୍କ କେଉଁଠି ? ଆପଣଙ୍କୁ ତ କହିଛି, ତାଙ୍କ ସହିତ ବି ମୁଁ ଏକମତ ନୁହେଁ...ତଥାପି, ମି: ବାତ୍ତିସତାଙ୍କ ଆଇଡିଆଟା ଆପଣଙ୍କ ଅପେକ୍ଷା ଶ୍ରେୟ...ଯାହାହେଉ...ମୁଁ ଏହି କାମ କରି ପାରୁନାହିଁ...ତେଣୁ ମୁଁ ଦୁଃଖିତ—ତେବେ କହିବି...ଚିତ୍ର ଯଦି ତିଆରି କରିବାର କୌଣସି ଅର୍ଥ ନାହିଁ...ନଗ୍ନନାରୀ, କିଂ କଂ, ଅଶ୍ଳିଳ ନୃତ୍ୟ, ଦୈତ୍ୟ ଦାନବ ଆଉ ଛଦ୍ମବେଶଧାରୀଙ୍କୁ ନେଇ ଗୋଟିଏ ରଙ୍ଗିନ ଛାୟାଚିତ୍ର—

 

ତାହା ମୁଁ କହିନାହିଁ...କହିଛି—ହୋମରଙ୍କ ‘ଓଡ଼ିସି’ ।

 

ତା’ପରେ ଦୃଢ଼ତା ସହକାରେ କହିଲେ ମି: ରେନ୍‌ଗୋଲ୍‌ଡ, ମୁଁ ଯେଉଁ ଓଡ଼ିସି କଥା କହିଛି ସିଏବି ହେଲେ ହୋମରଙ୍କର ‘ଓଡ଼ିସି’ ।

 

ନା । ଆପଣ ମୋତେ କହିବାକୁ ବାଧ୍ୟ କରିଛନ୍ତି...ଆପଣଙ୍କର ‘ଓଡ଼ିସି’ ହୋମରଙ୍କର ‘ଓଡ଼ିସି’ ନୁହେଁ...ହୋମରଙ୍କର ଓଡ଼ିସି ମୋତେ ମୁଗ୍‍ଧ କରେ, ଆପଣଙ୍କର ‘ଓଡ଼ିସି’ ବିରକ୍ତ ଆଶେ ।

 

ମଲ୍‌ଟେନି !

 

ମି: ରେନ୍‌ଗୋଲ୍‌ଡ ଉତ୍ତେଜିତ ଦେଖା ଯାଉଥିଲେ । ମୁଁ ମଧ୍ୟ ଉତ୍ତେଜିତ ହୋଇ କହିଲି–ଏହା ଅସହ୍ୟ...ହୋମରଙ୍କ ସୃଷ୍ଟି ସଦୃଶ ଚିତ୍ର ରୂପାୟନର ଅକ୍ଷମତାରେ ହୋମରଙ୍କ ନାୟକକୁ ହୀନ ପ୍ରତିପନ୍ନ କରିବାର ଏହି ସୁପରିକଳ୍ପିତ ପ୍ରଚେଷ୍ଟା ମୋ ନିକଟରେ ବିରକ୍ତିକର...ମୁଁ କୌଣସି ମତେ ଏହି କାମରେ ଅଂଶଗ୍ରହଣ କରି ପାରିବିନାହିଁ ଆପଣଙ୍କର ପରକଳ୍ପନାରେ ପ୍ରସାରତା ନାହିଁ....ଏଥର ବୁଝି ପାରିଲେତ, କାହିଁକି ମୁଁ ଏହି ଚିତ୍ରନାଟ୍ୟ ରଚନା କରିବାକୁ ଚାହେଁନା-?

 

ମୋର ସର୍ବାଙ୍ଗ ଘର୍ମାକ୍ତ ହୋଇପଡ଼ିଲା । ମି: ରେନ୍‌ଗୋଲ୍‍ଡ ମୋ ଆଡ଼କୁ କଟାକ୍ଷପାତ କରି କହିଲେ—ଆପଣ ଯେ ମି: ବାତ୍ତିସତାଙ୍କ ସହିତ ଏକମତ ଏକଥା ସେ କାଲି ଲଞ୍ଚରେ ଆସିବା ସମୟରେ ମୋତେ ଜଣେଇଛନ୍ତି...ମୋର ମତ ସହିତ ଆପଣଙ୍କର ମତ ମିଳିବ କେମିତି ? ...ଶିଳ୍ପ ଆପଣଙ୍କ ପାଖରେ ବଡ଼ ନୁହେଁ...ଆପଣ ଚାହାନ୍ତି କେବଳ ଅର୍ଥ...ଯେ କୌଣସି ଉପାୟରେ ଅର୍ଥାଗମ ହେଲେ ହେଲା ।

 

ଗର୍ଜି ଉଠିଲି—ରେନ୍‌ଗୋଲ୍‍ଡ !

 

ବୁଝିଛି ବନ୍ଧୁ ବୁଝିଛି—ଆପଣ କେବଳ ଅର୍ଥଟାକୁହିଁ ବଡ଼ବୋଲି ମନେ କରନ୍ତି ।

 

ନିଶ୍ୱାସ ବନ୍ଦ ହୋଇ ଯାଉଥିଲା । କାଗଜ ଭଳି ସାଦା ହୋଇଗଲା ମୁଖମଣ୍ଡଳ । ପନରାୟ କହିଲି, ରେନ୍‌ଗୋଲ୍‍ଡ !

 

ଅନୁଭବ କଲି ମୋର କଣ୍ଠସ୍ୱରରେ ଫୁଟି ଉଠୁଛି ଏକ ଅବ୍ୟକ୍ତ ବେଦନା ଓ ଅନୁନ୍ୱୟ । ମୋର କଣ୍ଠସ୍ୱର ଲକ୍ଷ୍ୟ କଲେ ମି: ରେନ୍‌ଗୋଲ୍‍ଡ । ଟିକିଏ ପଥକୁ ଚାଲିଆସି ବିନୀତ କଣ୍ଠରେ କହିଲେ, କ୍ଷମା କରନ୍ତୁ ମି: ମଲଟେନି...ହଠାତ୍‌ କଥା କହି ପକେଇଛି ।

 

ଚକିତ ଚପଳ ଭାବରେ କହିଲି...ହଁ...ହଁ କ୍ଷମାକଲି ।

 

ମୋର ଚକ୍ଷୁ ଦୁଇଟି ଅଶ୍ରୁରେ ଝଲମଲ କରୁଛି ।

 

ଅଳ୍ପ ସମୟ ପରେ ମି: ରେନ୍‌ଗୋଲଡ କହିଲେ, ବେଶ୍‌ ବୁଝିଲି—ଚିତ୍ରନାଟ୍ୟ ଲେଖିବେ ନାହିଁ ବୋଲି ମି: ବାତ୍ତିସତାଙ୍କୁ ଜଣାଇଛନ୍ତି ?

 

ନା ।

 

ଜଣେଇବେ ତ ?

 

ଆପଣହିଁ ତାଙ୍କୁ ଜଣେଇବେ...ହୁଏତ ତାଙ୍କ ସହିତ ଆଉ ସାକ୍ଷାତ ହେବନାହିଁ...କହିବେ...ସେ ଅନ୍ୟ କାହାଦ୍ୱାରା ଚିତ୍ରନାଟ୍ୟଟି ଯେମିତି ଲେଖଇ ନିଅନ୍ତି...ମି: ରେନ୍‌ଗୋଲଡ୍‍ଙ୍କ ଆଖି ଦୁଇଟି ଅନୁଭୂତିର ଆଲୋକରେ ଉଦ୍‌ଭାସିତ ହୋଇଉଠିଲା । ତଥାପି ସେ ସତର୍କଭାବରେ ପ୍ରଶ୍ନକଲେ, ଆଚ୍ଛା କୁହନ୍ତୁ ତ, ଆପଣ କେବଳ ମୋର ପରିକଳ୍‌ପିତ ଚିତ୍ରଟିକୁ କରିବାକୁ ଚାହାନ୍ତି ନାହିଁ ନା ଅନ୍ୟ କୌଣସି ରକମରେ କରିବାକୁ ଚାହାନ୍ତି ନାହିଁ ?

 

ଅଳ୍ପ ଚିନ୍ତାକରି କହିଲି, କହିଛିତ—ଆପଣଙ୍କର ପ୍ରସ୍ତାବିତ ଚିତ୍ରନାଟ୍ୟ ମୁଁ ଲେଖିବାକୁ ଚାହେଁନା...ସ୍ପଷ୍ଟ ଭାବରେ ଅସ୍ୱୀକାର କଲେ ହୁଏତ ଆପଣଙ୍କର ଅସୁବିଧା ହୋଇପାରେ, ତେଣୁ ଘୁରେଇ କହୁଛି...ମି: ବାତ୍ତିସତାଙ୍କୁ କହିବେ ମୁଁ ଏକାମ କରିପାରିବି ନାହିଁ...ଆପଣମାନେ ‘ଓଡ଼ିସି’ ର ଯେ କୌଣସି ବ୍ୟାଖା କରନ୍ତୁନା କାହିଁକି...ମୋର ଇଚ୍ଛା ନାହିଁ...ମୋର ଶରୀର ଅସୁସ୍ଥ...

 

କିନ୍ତୁ ମି: ବାତ୍ତିସତା କ’ଣ ବିଶ୍ୱାସ କରିବେ ?

 

କରିବେ ନିଶ୍ଚୟ, ସେଥିପାଇଁ ଚିନ୍ତା କରିବେ ନାହିଁ ।

 

ଦୁହେଁ ଚଞ୍ଚଳ କିନ୍ତୁ କାହାରି ମୁହଁରେ ଭାଷା ନାହିଁ ।

 

ପରିଶେଷରେ ମି: ରେନ୍‌ଗୋଲ୍‍ଡ କହିଲେ, ତଥାପି ମୁଁ ଅତ୍ୟନ୍ତ ଦୁଃଖିତ ଯେ ଆପଣଙ୍କ ସହଯୋଗୀତାରୁ ବଞ୍ଚିତ ହେଉଛି—ଆମ ଭିତରେ କଣ କୌଣସି ଆପୋଷ ମିମାଂଶା ହୋଇପାରିବ ନାହିଁ ?

 

ଏହା ଆପଣଙ୍କର ଭୁଲ ଧାରଣା ମି: ରେନ୍‌ଗୋଲ୍‍ଡ । ଆପୋଷ ସମ୍ଭବ ନୁହେଁ...ମୁଁ ଯାହା ଚାହେଁ ଆପଣ ତାହା ଚାହାନ୍ତି ନାହିଁ ।

 

ଆମରି ମତର ବ୍ୟବଧାନଟା ହୁଏତ ବେଶି ନୁହେଁ ।

 

ନା, ମି: ରେନ୍‌ଗୋଲ୍‍ଡ—ଭୟଙ୍କର ବେଶି...ହୁଏତ ଆପଣ ‘ଓଡ଼ିସି’କୁ ଯେଉଁ ଦୃଷ୍ଟିଭଙ୍ଗି ନେଇ ବିଚାର କରୁଛନ୍ତି ତାହା ଠିକ୍‌...ତଥାପି ଏ ଯାଏଁ ମୋର ଦୃଢ଼ଧାରଣା—ହୋମର ଯେମିତି ଲେଖୁଛନ୍ତି ଅବିକଳ ସେହିପରି ଭାବରେ ‘ଓଡ଼ିସି’କୁ ଛାୟା ଚିତ୍ରରେ ରୂପାୟିତ କରା ଯାଇପାରେ ।

 

ଏହା ଆପଣଙ୍କର ଦୁରାଶା, ମି: ମଲଟେନି...ଆପଣ ଚାହାନ୍ତି ହେମରଙ୍କ ଜଗତ ଅନୁରୂପ ଗୋଟାଏ ଜଗତ । ...ଦୁଃଖର ବିଷୟ, ତାହା ସମ୍ଭବ ନୁହେଁ ।

 

ଆପଣ...ଆପଣ ବି କଣ ସେହି ଜଗତ ଚାହାନ୍ତି ନାହିଁ ?

 

ନିଶ୍ଚୟ ଚାହେଁ...କିନ୍ତୁ ଚିତ୍ର ନିର୍ବାଚନ କରିବାକୁ ହେଲେ କେବଳ ବ୍ୟକ୍ତିଗତ ରୁଚି ଯଥେଷ୍ଟ ନୁହେଁ...

 

ମି: ରେନ୍‍ଗୋଲ୍‌ଡ ଯେମିତି ମୋର ଯୁକ୍ତି ଅନୁଧାବନ କଲେ କିନ୍ତୁ ତାଙ୍କର ମନର ସଂଶୟ ପୁରାପୁରି ଅପସାରିତ ହେଲା ନାହିଁ ।

 

ହଠାତ୍‌ ପ୍ରଶ୍ନ କଲି—ଆଚ୍ଛା ମି: ରେନ୍‍ଗୋଲ୍‌ଡ ! ଦାନ୍ତେଙ୍କର କାବ୍ୟରେ ଇଉଲିସିସ ସର୍ଗଟି ନିଶ୍ଚୟ ପଢ଼ିଛନ୍ତି ?

 

ହଁ ।

 

ଏହି ସର୍ଗଟିରେ ଦାନ୍ତେ ଇଉଲିସିସର ମୁହଁରେ ତାଙ୍କ ନିଜର ଓ ସଙ୍ଗୀମାନଙ୍କର ଧ୍ୱଂସର କଥା କହିଛନ୍ତି ।

 

ଜାଣେ ।

 

ଏ ଅଂଶଟି ଆବୃତ୍ତି କରି ଆପଣଙ୍କୁ ଶୁଣାଇପାରେ ।

 

ବେଶ, ଶୁଣାନ୍ତୁନା ।

 

ମୁହଁ ତଳକୁ କରି ଆବୃତ୍ତି କରିବାକୁ ଲାଗିଲି । ସହଜ ସ୍ୱାଭାବିକ ଶାନ୍ତ ମୋର କଣ୍ଠସ୍ୱର-। ଆବୃତ୍ତି ଶେଷକରି ଠିଆ ହେଲି । ମି: ରେନ୍‍ଗୋଲ୍‌ଡ ମଧ୍ୟ ଠିଆ ହୋଇ କହିଲେ–ଆଚ୍ଛା, କେବଳ ଏହି ଅଂଶଟି ବାଛିନେଲେ କାହିଁକି କହନ୍ତୁତ ? ଏ ଅଂଶଟି ନିଃସନ୍ଦେହରେ ସୁନ୍ଦର, ତଥାପି କେଉଁ ଉଦ୍ଦେଶ୍ୟରେ ଅଂଶଟା ଆବୃତ୍ତି କଲେ ?

 

ଠିକ ଏହିଭଳି ଗୋଟାଏ ଇଉଲିସିସ ମୁଁ ସୃଷ୍ଟି କରିବାକୁ ଚାହିଁଥିଲି । ମୋର କଳ୍ପନାରେ ରହିଛି ଏହି ଇଉଲିସିସ...ଆବୃତ୍ତିର ମାଧ୍ୟମରେ ସେହି କଥାଟାହିଁ କହି ଦେଲି । କିନ୍ତୁ ଦାନ୍ତେ ମଧ୍ୟ ଯୁଗର ଲୋକ, ଆଉ ଆପଣ ହେଲେ ଆଧୁନିକ ଯୁଗର । ଏ କଥାରେ କୌଣସି ଉତ୍ତର ଦେଲେ ନାହିଁ । ମି: ରେନ୍‍ଗୋଲ୍‌ଡଙ୍କର କରମର୍ଦ୍ଦନ କରି କହିଲି—ପୁଣି କେବେ ଆପଣଙ୍କ ସହିତ କାମ କରିବି—ପରିଚୟ ତ ହେଇଗଲା ଆଜି ଆସୁଛି ।

 

ସହଳ ‘ବାର’ ବାହାରକୁ ଚାଲି ଆସିଲି । ମି: ରେନ୍‍ଗୋଲ୍‌ଡ ହାତ ଦୁଇଟି ବଢ଼େଇ ଟେବୁଲ ଆଗରେ ବସି ରହିଲେ । ଯେମିତି ସେ କହିବାକୁ ଚାହିଁଲେ...କାହିଁକି...କାହିଁକି ଯାଉଛନ୍ତି ?

 

ସିଧା ସଳଖ ଘରକୁ ଫେରି ଆସିଲି ।

 

ମାନସିକ ଅସ୍ଥିରତା ଓ ବିଚିତ୍ର ଉଲ୍ଲାସରେ କିଛି ହେଲେ ସ୍ଥିର ଭାବରେ ଭାବି ପାରି ନାହିଁ-। ପ୍ରଚଣ୍ଡ ରୌଦ୍ର ଉପେକ୍ଷା କରି ଚାଲି ଆସିଛି, ଚିନ୍ତା କରିବାର ଅବକାଶ ପାଇନି—କଣ ହେଇଛି । ତେବେ ହଁ—ଭାଙ୍ଗି ପକେଇଛି–ଦୁଃସହ ଅବସ୍ଥାର ଅଚଳାୟତନ । ଅବିଲମ୍ୱେ ଜାଣି ପାରିବି–ଏମିଲିୟା ମୋତେ କାହିଁକି ଭଲ ପାଏ ନାହିଁ, ଶୁଣିବି ତାର ଅକୁହା କଥା । ଏହା ଅପେକ୍ଷା ମୋର ଚିନ୍ତା ବେଶି ଦୂର ଅଗ୍ରସର ହୋଇପାରିଲା ନାହିଁ । କୌଣସି କାମ କରିବା ଠିକ ଆଗେ ଓ ପରେ ଏମିତି ଚିନ୍ତା ଆସେ । ବିସ୍ତୃତ ଅତୀତର ଭାବନା ଅନ୍ତରରେ ଯେଉଁ ଆବେଗ ଜଗାଏ ତାରି ଫଳରେ ଆମେ କାମକରୁ । ବସ୍ତୁତ ସମୟ ଚିନ୍ତାର ଅସ୍ତିତ୍ୱ ନ ଥାଏ । ଏତେବେଳ ଯାଏ କାମ କରୁଥିଲି ତେଣୁ କିଛି ଭାବି ନାହିଁ ଜାଣେ କାମ ଶେଷ ହୋଇଯିବା ମାତ୍ରକେ ସବୁକଥା ପୁଣି ଭାବିବି-। ଘରକୁ ଫେରିଆସି ସିଡ଼ି ପାରିହୋଇ ଶୋଇବା ଘରକୁ ଆସି ଦେଖିଲି—କେହି ନାହାନ୍ତି । ଚେୟାର ଉପରେ ଗୋଟାଏ ସାମୟିକ ପତ୍ର ଖୋଲା ହୋଇ ପଡ଼ିଛି, ଆଷ୍ଟ୍ରେରୁ ଉଠୁଛି ଅର୍ଦ୍ଧଦଗ୍‌ଧ ସିଗାରେଟର ଧୂଆଁ, ରେଡିଓରୁ ବାହାରି ଆସୁଛି ନାଚ ଗୀତର ଆବାଜ । ବୁଝା ପଡ଼ୁଛି, ଅଳ୍ପ ଆଗରୁ ଏମିଲିୟା ଏଇଠି ଥିଲା ।

 

ଅପରାହ୍ନର ମ୍ଳାନ ଆଲୋକରେ, ହୁଏତ ବା ମୃଦୁ ସଙ୍ଗୀତର ମୂର୍ଚ୍ଛନାରେ ଅତର୍କିତ ଭାବରେ ମନଟା ଶାନ୍ତ ହୋଇ ପଡ଼ିଲା । ଘରଟିର ଏହି ମୋହମୟ ପରିବେଶ ଆଶ୍ଚର୍ଯ୍ୟ ମନେହେଲା । ଆମେ ଯେମିତି ଏଠି ଅନେକ ଦିନ ଧରି ବାସ କରିଛୁ । ଏମିଲିୟା ଘରଟିକୁ ଏକାନ୍ତ ଆପଣାର କରି ନେଇଛି । ହଠାତ୍‌ ମନେପଡ଼ିଲା ଗୃହପ୍ରତି ଏମିଲିୟାର ଅନୁରାଗ କଥା, ତାର ନାରୀ ସୁଲଭ-ଆକାଂକ୍ଷାରେ କଥା । ଲକ୍ଷ୍ୟ କଲି, ଏତେ ଘଟଣା ଘଟିବା ସତ୍ତ୍ୱେ ସେ ଏଠି ଦୀର୍ଘଦିନ ଧରି ରହିବାର ବ୍ୟବସ୍ଥା କରିଛି । ସତରେ, କ୍ୟାପ୍ରିକୁ ଆସି ଏମିଲିୟା ଖୁସି ହୋଇଛି, ମି: ବାତ୍ତିସତାଙ୍କ ପ୍ରାସାଦରେ ରହିବା ସୁଯୋଗ ପାଇ ତୃପ୍ତି ଲାଭ କରିଛି ଆହୁରି ବେଶି ! ଆଉ ମୁଁ ତାକୁ ଜଣାଇବାକୁ ଆସିଛି—ଏଥର ଯିବାକୁ ହେବ ।

 

ଉଦ୍‌ବିଗ୍ନ ଭାବରେ ଏମିଲିୟାର ଶୋଇବା ଘରର ଦରଜା ଫିଟେଇଲି । ଏମିଲିୟା ନାହିଁ-। ବିଛଣା ପାଖର ଚୌକୀ ଉପରେ ପଡ଼ିଛି ତାର ଗାଉନ୍‌, ଚଟାଣରେ ସ୍ଲିପର । ଦର୍ପଣ ଆଗରେ ଡ୍ରେସିଂ ଟେବୁଲ ଉପରେ ପ୍ରାସାଧନ ସାମଗ୍ରୀ ପରିଚ୍ଛନ ଭାବରେ ସଜ୍ଜିତ । ଅଦୂରେ ଟେବୁଲ ଉପରେ ଖଣ୍ଡେ ଇଂରାଜୀ ବ୍ୟାକରଣ—କେତେଦିନ ଧରି ବହିଟି ପଢ଼ୁଛି ଏମିଲିୟା । ରୋମରୁ ଯେଉଁ ସୁଟକେଶଟି ସେ ଆଣିଥିଲା ତାର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ପାଇଲି ନାହିଁ-। ଏମିଲିୟାର ପରିଚ୍ଛଦ ଗୁଡ଼ିକ ଝୁଲୁଛି, ସେଲ୍‌ଫରେ ରହିଛି ଛୋଟ ବଡ଼ି ରୁମାଲ, କମରପଟି ଆଉ ଅନେକ ଯୋଡ଼ା ଜୋତା ।

 

ଭାବିଲି ବାତ୍ତିସତା କିମ୍ୱା ମୁଁ—ଯାହାକୁ ହେଉ ସେ ଭଲପାଉ, ତହିଁରେ କିଛି ଯାଏ ଆସେ ନାହିଁ । ସମ୍ପୂର୍ଣ୍ଣ ନିଜସ୍ୱ ଗୋଟିଏ ଗୃହ, ନିଶ୍ଚିନ୍ତ ନୀରବ ଶାନ୍ତ ଗୋଟାଏ ଆଶ୍ରୟ ନୀଡ଼ହିଁ ଏମିଲିୟା ପାଖରେ ବେଶି ମୂଲ୍ୟବାନ ।

 

ରୋଷେଇଘର ଆଡ଼କୁ ଗଲି । ଶୋଇବାଘରର ଠିକ୍‌ ପଛପଟକୁ ରୋଷେଇଘର । ବାରଣ୍ଡାକୁ ଆସି ଏମିଲିୟା ଗଲା ଶୁଣିବାକୁ ପାଇଲି । ସେ ପରିଚାରିକାକୁ ଉପଦେଶ ଦେଉଛି...ମଲଟେନି ସାଧାରଣ ଜିନିଷ ପସନ୍ଦ କରନ୍ତି ବେଶି...ଝୋଳ ବା ରାଗ ସେ ବେଶି ଖାଇବାକୁ ପସନ୍ଦ କରନ୍ତି ନାହିଁ । ସିଝା ହୋଇଗଲେହିଁ ଚଳିବ...ଏଥିରେତ ତୁମର ଖାଟୁଣି କମ, ସୁବିଧା କଣ କହୁଛ ଏଗ୍‌ନେସିନା ?

 

ତେବେ କାମ କଣ କମ୍‌ ?...ସାଧାରଣ ରୋଷେଇରେ ହେଲେ କମ୍‌ ପରିଶ୍ରମ ?

 

...ତାହାହେଲେ କଣ କଣ ରୋଷେଇ ହେବ ଏ ଓଳି ?

 

ଏମିଲିୟା କଣ ଯେମିତି ଚିନ୍ତା କଲା । ତାପରେ ପ୍ରଶ୍ନକଲା, ବର୍ତ୍ତମାନ କଣ ମାଛ ମିଳିବ-? ...ଶୁଣ, ଗୋଟାଏ କାମ କର...ଯେଉଁମାନେ ହୋଟେଲରେ ମାଛ ଦିଅନ୍ତି, ସେମାନଙ୍କ ପାଖରୁ ଯଦି ମିଳିବ ବେଶ୍‌ ବଡ଼ ଦେଖି ଗୋଟାଏ ଭଲ ମାଛ ନେଇଆସ, ତେବେ ହଁ ଭଲ ହେବା ଦରକାର...କଣ୍ଟାବାଲା ମାଛ ଯେମିତି ନ ଆଣ...ମୋଟ କଥାରେ ଯେତିକି ଭଲମାଛ ମିଳିବ...ମାଛଟା ଆଣି ଭାଜି ଦେଇପାର...ସିଝେଇ ଦେଲେ ମଧ୍ୟ ଚଳିବ...ତୁମେ ଚଟଣି ତିଆରି କରି ଜାଣ ତ ?

 

—ହଁ ଜାଣେ ।

 

ବେଶ ସିଝେଇ ଦେଇ ଚଟଣି କରି ପକାଅ...ଆଉ ସାଲାଡ...ଶାଗ ସବ୍‌ଜି ସିଝା—ଗାଜର, ଡିମ...ଯାହା ମିଳିବ, ନାନାପ୍ରକାର ଫଳ, ବଜାରରୁ ଆଣି ବରଫ ଭିତରେ ରଖିଦେବ ଯେମିତି ଖାଇବା ବେଳକୁ ଥଣ୍ଡା ହୋଇଥିବ ।

 

ସନ୍ଧ୍ୟାରେ କଣ ଖାଇବାକୁ ଦେବି ?

 

ଓ, ହଁ ଆଜିର ରାତ୍ରିଭୋଜନବି ସାଧାରଣ, ମାଂସ ଆଉ ଡିମିରି । ଆଚ୍ଛା ଡିମିରି ଏଠି ମିଳେତ ?

 

—ହଁ ।

 

କାହିଁକି ଜାଣେନା, ଏହି ଘରୋଇ ଆଲୋଚନା ଶୁଣୁ ଶୁଣୁ ହଠାତ୍‌ ମନେପଡ଼ିଲା ମି: ରେନଗୋଲ୍‍ଡଙ୍କ ଆଳାପର ଶେଷ ଅଂଶଟିକ । ସେ କହିଛନ୍ତି ‘ହୋମର’ର ଓଡ଼ିସିରେ ବର୍ଣ୍ଣିତ ଜଗତ ଆଉ ଆଧୁନିକ ଜଗତ ଏକ ନୁହେଁ, ହୋମରଙ୍କ ପୃଥିବୀ ଏ ଯୁଗରେ କଳ୍ପନା କରା ଯାଇ ପାରେନାହିଁ । କିନ୍ତୁ ମୋର ମନେହେଲା—ଏହି ଜଗତରେହିଁ ରହିଛି ଏମିତି ଗୋଟିଏ ପରିବେଶ—ଯାହା ହଜାର ହଜାର, ବର୍ଷ ପୂର୍ବେ ହୋମରଙ୍କ ଯୁଗରେ ମଧ୍ୟ କଳ୍ପନା କରିବା ସମ୍ଭବ ଥିଲା, ଗୃହକର୍ତ୍ତା ପରିଚାରିକାକୁ ଭୋଜନ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

 

ଯାଦୁମନ୍ତ୍ର ପ୍ରଭାବରେ ଯେମିତି ମନେହେଲା—ମି: ବାତ୍ତିସତାଙ୍କର ପ୍ରମୋଦ ପ୍ରସାଦଟି ଇଥାକାର ଗୃହ, ଏମିଲିୟା ପେନିଲୋପ, ସେ ତାର ପରିଚାରିକା ସହିତ କଥାବାର୍ତ୍ତା କରୁଛି ।

 

ହଁ, ସବୁ ଅବିକଳ—ଯେମିତି ରହିଛି, ଯେମିତି ହେଇ ପାରନ୍ତା । କିନ୍ତୁ ସବୁ ଯେମିତି ଭିନ୍ନ ।

 

ଝରକା ପାଖକୁ ଯାଇ ଡାକିଲି, ଏମିଲିୟା !

 

ମୋ ଆଡ଼କୁ ମୋତେ ନ ଚାହିଁ ସେ କହିଲା, କଣ ?

 

ମନେ ଅଛି—ତୁମ ସହିତ ମୋର କଥା ଅଛି ?

 

ଘରେ ଯାଇ ବସ, ଏହା ସହିତ କାମଟା ଶେଷ କରିଦେଇ ଆସୁଛି ।

 

ଖାଇବା ଘରକୁ ଫେରିଆସି ଗୋଟିଏ ଚୌକୀରେ ବସିରହିଲି । ଯାହା କରିବାକୁ ଯାଉଛି ସେ କଥା ଭାବି ବିମର୍ଷ ବୋଧ କଲି । ହୁଏତ ଏହି ପ୍ରମୋଦ ପ୍ରାସାଦରେହିଁ ରହିବାକୁ ଚାହେଁ ଏମିଲିୟା, ଆଉ ମୁଁ ତାକୁ ଜଣାଇବାକୁ ଆସିଛି ଏଠୁ ଚାଲିଯିବାର କଥା । ଯେଉଁ ଦୁର୍ବିସହ ପରିବେଶ ବିରୁଦ୍ଧରେ ସେ ବିଦ୍ରୋହ କରିଥିଲା, ବର୍ତ୍ତମାନ ତା ସହିତ ନିଜକୁ ଖାପଖୁଏଇ ନେଇଛି ଏମିଲିୟା । ତଥାପି, ଏହା ଯେ ବିଦ୍ରୋହ ଅପେକ୍ଷା ବି ଅସ୍ୱସ୍ତିକର । ଇୟେ କେବଳ ମୋ ପ୍ରତି ଅବଜ୍ଞା ନୁହେଁ, ତା ନିଜ ପ୍ରତି ବି ତୀବ୍ର ଘୃଣାର ପ୍ରତୀକ । ହଁ ସତରେ ଆମକୁ ଯିବାକୁ ପଡ଼ିବ—ଉଭୟଙ୍କର ମଙ୍ଗଳ ପାଇଁ ଯିବାକୁ ହେବ । ଏମିଲିୟାକୁ ଜଣାଇବା ପାଇଁ ହେବ—ଏଠୁ ଆମେ ଶୀଘ୍ର ଚାଲିଯାଉଛୁ ।

 

ଅଳ୍ପ ସମୟ ପରେ ଏମିଲିୟା ଆସି ରେଡ଼ିଓ ପାଖରେ ବସିଲା । କହିଲା କଣ କହିବା ପାଇଁ ଚାହୁଁଥିଲ କୁହ ।

 

ତୁମର ଜିନିଷ ପତ୍ର ସବୁ କଣ ଖୋଲି ପକେଇଛ ?

 

ହଁ କାହିଁକି ?

 

ସେ ଗୁଡ଼ିକ ପୁଣି ବାନ୍ଧିବାକୁ ହେବ...ଆମେ କାଲି ସକାଳୁ ରୋମକୁ ଫେରିଯିବା । ନୀରବରେ ଭାବିବାକୁ ଲାଗିଲା ଏମିଲିୟା....ଯେମିତି ମୋ କଥା ସେ ବୁଝି ପାରିନାହିଁ । ତା’ପରେ କର୍କଶ କଣ୍ଠରେ କହିଲା...ଏଠି ପୁଣି କଣ ହେଲା ?

 

ଚୌକୀରୁ ଉଠି ଦରଜାଟି ବନ୍ଦ କରିଦେଇ କହିଲି...ଚିତ୍ରନାଟ୍ୟଟି ନ ଲେଖିବା ପାଇଁ ସ୍ଥିର କରିଛି, ଏସବୁ ଛାଡ଼ି ଦେଇ ରୋମକୁ ଫେରି ଯାଉଛି ।

 

ଭ୍ରୁକୁଟି କରି ଏମିଲିୟା କହିଲା, କିନ୍ତୁ—କାହିଁକି ଶୁଣେ ?

 

ଶୁଷ୍କ କଣ୍ଠରେ କହିଲି...ତୁମରି କଥାରେ ଆଶ୍ଚର୍ଯ୍ୟ ହେଉଛି...କାଲି ଝରକା ଦେଇ ଯାହା ଦେଖିଛି ତାପରେ ହୁଏତ...ଏହା ବ୍ୟତୀତ ମୁଁ ଆଉ କିଛି ଭାବି ପାରୁନାହିଁ ।

 

ମି: ବାତ୍ତିସତା ଏକଥା ଜାଣନ୍ତି ?

 

ନା, ତେବେ ମି: ରେନ୍‌ଗୋଲ୍‍ଡ ଜାଣନ୍ତି—ଏଇମାତ୍ର ତାଙ୍କୁ କହି ଦେଇ ଆସିଛି ।

 

ତୁମେ ଭଲ କରିଛ ।

 

କାହିଁକି ? ବିରକ୍ତ ହୋଇ ଯେମିତି ଏମିଲିୟା କହିଲା, ଫ୍ଲାଟ୍‌ର କିସ୍ତି ଦେବା ପାଇଁ ହେବ–ତା ଛଡ଼ା ତୁମେ ନିଜେତ କହିଛ ଚୁକ୍ତି ଭଙ୍ଗ କରିବାମାନେ ଭବିଷ୍ୟତର ପଥରେ ବାଥା ସୃଷ୍ଟି କରିବା—

 

ସତରେ ତୁମେ ଭୁଲ କରିଛ ?

 

ଉତ୍ତେଜିତ ହୋଇ କହିଲି, କିନ୍ତୁ ତୁମେ କଣ ଜାଣନା ? ଏ ସବୁ ଯେ ମୁଁ ଆଉ ସହ୍ୟକରି ପାରୁନାହିଁ—ଯିଏ ମୋର ସ୍ତ୍ରୀକୁ ଫୁସୁଲେଇ ନେବାର ବ୍ୟବସ୍ଥା କରୁଛି, ତା ପାଖରୁ ମୁଁ ଅର୍ଥ ଗ୍ରହଣ କରିପାରିବି ନାହିଁ ।

 

ନୀରବ ରହିଲା ଏମିଲିୟା । କହିଲି କାମଟା କାହିଁକି ଛାଡ଼ି ଦେଉଛି ଜାଣ ? ଏ କାମ କରିବା ଆମ ପକ୍ଷରେ ଭଲ ହେବ ନାହିଁ...ଆଉ ଛାଡ଼ି ଦେଉଛି ତମ ପାଇଁ...ଯେମିତି ମୋ ସମ୍ୱନ୍ଧରେ ତୁମର ଧାରଣାଟା ବଦଳି ଯାଏ....କାହିଁକି ଜାଣେନା, ବର୍ତ୍ତମାନ ତୁମେ ଭାବୁଛ—ଏ ଅବସ୍ଥାରେ ମଧ୍ୟ ମୁଁ ଏଇଠି ରହିପାରେ...କିନ୍ତୁ ତୁମର ଧାରଣା ଭୁଲ...ମୁଁ ସେଭଳି ମଣିଷ ନୁହେଁ ।

 

ଏମିଲିୟାର ଦୁଇ ଚକ୍ଷୁ ତାରକା ଜଳି ଉଠିଲା । ସେ କହିଲା ଯଦି ତୁମେ ତମର ନିଜ ପାଇଁ ଏ ସିନ୍ଧାନ୍ତ ଗ୍ରହଣ କରିବାକୁ ଚାହଁ—ମୋର କିଛି କହିବାର ନାହିଁ...ଯଦି କୁହେ ଯେ ମୋ ପାଇଁ କରୁଛ, ତେବେ କହୁଛି—ବର୍ତ୍ତମାନ ମଧ୍ୟ ସମୟ ଅଛି...ମତ ପରିବର୍ତ୍ତନ କର...ଏମିତି କାମ କର ନାହିଁ...ତହିଁରେ ତୁମ ନିଜର କ୍ଷତି ହେବ ।

 

ମାନେ ?

 

କହୁଛି–ତହିଁରେ ଲାଭ ହେବ ନାହିଁ ।

 

ମଳିନ ହୋଇପଡ଼ିଲା ତାର ମୁହଁ । ପ୍ରଶ୍ନ କଲି ତାପରେ ?

 

ଆଗେ କୁହ—ତମର ଏହି ସ୍ୱାର୍ଥ ତ୍ୟାଗରେ କଣ ଲାଭ ହେବ ?

 

ବୁଝିପାରିଲି ଚରମ ମୁହୂର୍ତ୍ତ ଉପଗତ । କହିଲି, ମୋର ଏହି ସିନ୍ଧାନ୍ତରେ ପ୍ରମାଣ କରିବାକୁ ଚାହେଁ...ତୁମେ ଯେମିତି ମନେକର ସେମିତି ନୀଚ, ଘୃଣ୍ୟ ମୁଁ ନୁହେଁ ।

 

ସୁଯୋଗ ଲାଭ କରି ଖୁସି ହୋଇ ବିଜୟ ଗର୍ବରେ କହିଲା ଏମିଲିୟା, ଏଥିରେ କିଛି ପ୍ରମାଣ ହୋଇପାରିବ ନାହିଁ—ତେଣୁ କହୁଛି...ତୁମର ସଂକଳ୍ପ ଛାଡ଼ ।

 

କଣ କହୁଛ ତୁମେ ? କିଛି ପ୍ରମାଣ ହେବ ନାହିଁ ?

 

ପୁନରାୟ ବସିଲି । ହାତ ବଢ଼େଇ ଏମିଲିୟାର ହାତଟି ଧରି କହିଲି, କୁହ ଏମିଲିୟା !

 

ଅଦ୍ଭୁତ ଭାବରେ ହାତଟା ଟାଣି ନେଇ ଏମିଲିୟା କହିଲା, ଛାଡ଼ିଦିଅ...ସତରେ କହୁଛି—ମୋତେ ସ୍ପର୍ଶ କରନାହିଁ...ମୁଁ ତୁମକୁ ଭଲ ପାଏ ନାହିଁ...ଆଉ ଭଲ ପାଇ ପାରିବି ନାହିଁ ।

 

ହାତଟା ଖସେଇ ରୁଷ୍ଟ କଣ୍ଠରେ କହିଲି, ପ୍ରେମ ବା ସୋହାଗର କଥା କୁହନା—ସେକଥା ଥାଉ—ତୁମର ଘୃଣା ସମ୍ୱନ୍ଧରେ ହିଁ ଆଲୋଚନା ହେଉ—ଏ କାମଟ ଛାଡ଼ିଦେଲେ ବି କଣ ତୁମେ ମୋତେ ଘୃଣା କରିବ ?

 

ହଠାତ୍‌ ଅଧୈର୍ଯ୍ୟ ହୋଇ ଡେଇଁ ପଡ଼ିଲା ଏମିଲିୟା । କହିଲା, ହଁ, ନିଶ୍ଚୟ—ବର୍ତ୍ତମାନ ମୋତ ମୁକ୍ତି ଦିଅ ।

 

କିନ୍ତୁ କାହିଁକି—କାହିଁକି ତୁମେ ମୋତ ଘୃଣା କର ?

 

ତୁମକୁ ଘୃଣା କରେ, କାରଣ ତୁମେ ଘୃଣାର ଯୋଗ୍ୟ—ଶତ ଚେଷ୍ଟା କରି ମଧ୍ୟ ନିଜକୁ ସୁଧୁରେଇ ପାରେନା ।

 

ମୁଁ ଘୃଣାର ଯୋଗ୍ୟ ? କଣ ସୁଧୁରେଇ ପାରେନା ?

 

ଜାଣେନା । ସେ ସବୁତ ତୁମର ଜାଣିବାର କଥା—ମୁଁ କେବଳ ଜାଣେ ତୁମେ ପୁରୁଷ ନୁହଁ—ତୁମର ଆଚରଣ ପୁରୁଷୋଚିତ ନୁହେଁ ।

 

ତାର କଥାରେ ଅବାକ ହୋଇପଡ଼ିଲି ।

 

କ୍ରୋଧ ଓ ଶ୍ଳେଷ ମିଶ୍ରିତ କଣ୍ଠରେ କହିଲି, ପୁରୁଷ ନୁହେଁ...ମାନେ ?

 

ବୋକା ! ଜାଣନା...ତାର କୌଣସି ମାନେ ନାହିଁ ।

 

ମୁହଁ ଫେରେଇ ଝରକା ପାଖରେ ଠିଆହେଲା ଏମିଲିୟା । ଠିକ୍‌ ଏମିତି ଭାବରେ ଯେମିତି ମୋ ପାଖରୁ ସେ ଫେରେଇ ନେଇଛି ତାର ଅନ୍ତର । ତାର କାରଣ ସେ ନିଜେ ବି ଜାଣେନା, ଏ ଅବଜ୍ଞାର କୌଣସି କାରଣ ହୁଏତ ରହିଛି, କିନ୍ତୁ ତାହା ନିଜେ ସେ ପରିଷ୍କାର ଭାବରେ କହିପାରେ ନାହିଁ । ମୋର ମଧ୍ୟ କୌଣସି ଦୋଷ ଥାଇପାରେ ।

 

ବିସ୍ମୟର ସହିତ ଭାବିବାକୁ ଲାଗିଲି—ଗତ କେତେ ମାସ ଧରି ମି: ବାତ୍ତିସତା ଏମିଲିୟାକୁ ପ୍ରେମ ନିବେଦନ କରୁଛନ୍ତି—ମୁଁ ତାର ସୁଯୋଗ ନେବାର ଚେଷ୍ଟା କରୁଛି, ନିଜର ସ୍ୱାର୍ଥ ଦୃଷ୍ଟିରୁ କୌଣସି ପ୍ରତିବାଦ କରୁନାହିଁ ।

 

ମନେପଡ଼ିଲା—କେତୋଟି ଘଟଣା, ଯେଉଁଦିନ ମି: ବାତ୍ତିସତାଙ୍କ ଘରକୁ ଯାଇଥିଲି ସେଦିନ ଟ୍ୟାକ୍‌ସି ଦୁର୍ଘଟଣା ହେବା ଫଳରେ ମୋର ଡେରି ହୋଇ ଯାଇଥିଲା, ଏମିଲିୟା ଭାବିଛି–ତାହା ବାତ୍ତିସତା ନିକଟରେ ତାକୁ ଏକାକୀ ରଖିବାର କେବଳ ଛଳନା ଛଡ଼ା ଆଉ କିଛି ନୁହେଁ ।

 

ହଠାତ୍‌ ବୁଲିପଡ଼ି ଏମିଲିୟା କହିଲା, ଯେମିତି ଧର—କାଲି ସନ୍ଧ୍ୟାରେ ତୁମେ ଯାହା ଦେଖିଛ, ପ୍ରକୃତ ପୁରୁଷ ତାହା ଦେଖି ତୁମ ଭଳି ବ୍ୟବହାର କରି ନଥାନ୍ତା...ତୁମେ ମୋ ପାଖକୁ ଆସିଥିଲ, ଜାଣିବାକୁ ଚାହିଁଥିଲ ମୋର ମତ । ଛଳନା କରିଥିଲ...ଯେମିତି କିଛି ଜାଣନାହିଁ...ଭାବିଥିଲି, ମୁଁ ତୁମକୁ ଚିତ୍ରନାଟ୍ୟଟି ଲେଖିବାପାଇଁ ଅନୁରୋଧ କରିବି, ସେଥିପାଇଁ କହିଥିଲି ତୁମେ ଯେମିତି ଚାହିଁଥିଲ ଠିକ୍‌ ସେଇୟା...ଆଉ ତୁମେ ମୋର ମତଟା ମାନି ନେଇଥିଲି...ତାପରେ ଜାଣେନା—ଆଜି ଏହି ଜର୍ମାନଟାର ସଙ୍ଗରେ ତୁମର କଣ କଥାବାର୍ତ୍ତା ହେଇଛି, ଆଜି କହୁଛ—ମୋର ପାଇଁ, ମୁଁ ତୁମକୁ ଘୃଣାକରେ ବୋଲି—କାମଟା ଛାଡ଼ୁଛ—ଏତେଦିନ ପରେ ତୁମକୁ ଚିହ୍ନି ପାରିଲି—ତେବେ ମୁଁ ସ୍ପଷ୍ଟ ଦେଖି ପାରୁଛି—ତୁମେ କୌଣସି ପ୍ରକାରେ କାଟା ଛାଡ଼ିବାକୁ ଚାହଁନା, କେହି ତୁମକୁ ବାଧ୍ୟ କରୁଛି—ଇଚ୍ଛା ହେଲେ—ପୃଥିବୀର ସବୁକାମ ଛାଡ଼ି ଦେଇପାର କିନ୍ତୁ ମୁଁ ମୋର ମତ ପରିବର୍ତ୍ତନ କରିପାରିବି ନାହିଁ—ତୁମକୁ ଭଲ ପାଇ ପାରିବି ନାହିଁ—ତେଣୁ କହୁଛି ଗଣ୍ଡଗୋଳ କରନାହିଁ, କାମଟି ଯେମିତି କରୁଛ କର, ମୋତେ ଟିକିଏ ଶାନ୍ତିରେ ରହିବାକୁ ଦିଅ—

 

ମୋତେ ଏମିଲିୟା ଘୃଣା କରେ । କିନ୍ତୁ କାହିଁକି ? ତାର ଘୃଣାର ଉତ୍ସ ସନ୍ଧାନ କରିବାର ଚେଷ୍ଟା କରିବାକୁ ଲାଗିଲି । କଣ ଆଉ କରିବି ? ଯଥାସମ୍ଭବ ସ୍ଥିର ଭାବରେ କହିଲି—ଦେଖ ଏମିଲିୟା, ତୁମେ ମୋତେ ଘୃଣାକର, କିନ୍ତୁ ଘୃଣାର କାରଣଟା କହୁନାହିଁ—ଯଦିଓ ତାହା ଜାଣିବାର ଅଧିକାର ମୋର ରହିଛି—ତେଣୁ କହୁଛି, ତୁମର କଥା ସତ ନୁହେଁ—ନିଜକୁ ମୁଁ ସମର୍ଥ କରି ପାରୁନାହିଁ—ଆଚ୍ଛା, ମୁଁ ନିଜେ ଯଦି ତୁମର ଘୃଣାର କାରଣଟା ଜଣାଏ, ତାହେଲେ ତୁମେ କହିବ—ମୋର କଥା ସତ କି ନୁହେଁ ?

 

ନିଶ୍ଚଳ ଭାବରେ ଠିଆ ହୋଇଥିଲା ଏମିଲିୟା । କ୍ଳାନ୍ତ, ରୁଷ୍ଟ କଣ୍ଠରେ କହିଲା—କିଛି କହିପାରିବି ନାହିଁ—ତମ ରାଣ, ମୋତେ ମୁକ୍ତି ଦିଅ...ମୁକ୍ତି ଦିଅ—

 

କହିଲି, ତୁମେ ଭାବିଛ—ମୁଁ ବାତ୍ତିସତାର ଚରିତ୍ର ସମ୍ୱନ୍ଧରେ ଆଗରୁ ଜାଣିଥିଲି—ନିଜର ସ୍ୱାର୍ଥପାଇଁ ଚୁପ୍‌ ରହିଥିଲି—ତୁମକୁ ଠେଲି ଦେଇଥିଲି ତାରୁ ବାହୁ ଭିତରକୁ ନୁହେଁ ?

 

ଏମିଲିୟା ନିରୁତ୍ତର ।

 

ଲଜ୍ଜାରେ ଆରକ୍ତିମ ହୋଇପଡ଼ିଲା ମୋର ଦୁଇକାନ । କଣ ମୁଁ କହି ପକେଇଲି ? ଏହା ଫଳରେ ଯେ ତାର ଘୃଣାର ଭିତ୍ତି ଆହୁରି ଦୃଢ଼ ହୋଇ ପଡ଼ିଲା ।

 

ହତାଶ ହୋଇ କହିଲି, କିନ୍ତୁ ଏ କଥା ଯଦି ସତ ହୁଏ, ତେବେ ଜାଣିରଖ ଏମିଲିୟା ଯେ ତୁମେ ଭୁଲ କରିଛ...କାଲି ସନ୍ଧ୍ୟା ପୂର୍ବରୁ ମୁଁ ବାତ୍ତିସତା ସମ୍ୱନ୍ଧରେ କିଛି ଜାଣି ନ ଥିଲି...ମୋତେ ବିଶ୍ୱାସ କର...ଯଦି ବିଶ୍ୱାସ ନ କର ତେବେ ବୁଝିନେବି ଯେ ତୁମେ ଯେମିତି ଭାବରେ ହେଉ ମୋତେ ଅବଜ୍ଞା କରିବାକୁ ଚାହିଁ...କୌଣସି ପ୍ରକାରେ ମୋ କଥା ଶୁଣିବାକୁ ଚାହଁନା ।

 

ତଥାପି ଏମିଲିୟା ନୀରବ । ମନେହେଲା...ଲକ୍ଷ୍ୟ ଭେଦ କରିଛି । ହୁଏତ ସେ ଜାଣେନା, ଜାଣିବାକୁ ବି ଚାହେଁନା—କାହିଁକି ମୋତେ ଅବଜ୍ଞା କରେ, ଅକାରଣରେ କେବଳ ଘୃଣା କରେ । ତାର ହାତ ଧରି କହିଲି, କୁହ...ଏମିଲିୟା, କାହିଁକି ତୁମେ ମୋତେ ଘୃଣାକର ? ମୁହୂର୍ତ୍ତକ ପାଇଁ ସେକଥା କାହିଁକି ଭୁଲି ପାରୁନାହିଁ ?

 

ମୁହଁ ବୁଲେଇଲା ଏମିଲିୟା—ଯେମିତି ମୁହଁ ଲୁଚେଇବା ପାଇଁ ଚାହିଁଲା, ମୋତେ ବାଧା ଦେଲା ନାହିଁ । ଆହୁରି ପାଖକୁ ଚାଲି ଆସିଲି, ସେ ଘୁଞ୍ଚିଗଲା ନାହିଁ । ମନରେ ସାହସ ଆସିଲା, ତାର କଟି ବେଷ୍ଟନ କରି ଜଡ଼େଇ ଧଇଲି । ଦେଖିଲି ଆଖିର ଅଶ୍ରୁର ତିନ୍ତିଯାଇଛି ତାଉ ଗଣ୍ଡ ଦେଶ-। ଏମିଲିୟା କହିଲା, ତୁମକୁ ମୁଁ କ୍ଷମା କରିପାରିବି ନାହିଁ ତୁମେ ହିଁ ନଷ୍ଟ କରିଛ ଆମର ପ୍ରେମ...ଓଃ, ତୁମକୁ ଏତେ ଭଲ ପାଉଥିଲି...ଆଉ କାହାକୁ କେବେହେଲେ ଏତେ ଭଲପାଇନି...କାହାକୁ ଭଲପାଇବା ସମ୍ଭବ ମଧ୍ୟ ନୁହେଁ...ତୁମର ସ୍ୱଭାବ ଦୋଷରେ ତୁମେ ସବୁ ନଷ୍ଟ କରିଛ । ଆମେ ସୁଖି ହୋଇ ପାରିଥାନ୍ତେ, କିନ୍ତୁ ଆଜି ଆଉ ସମ୍ଭବ ନୁହେଁ...ଆଉ କେମିତି ଭାବରେ ମୁଁ ସେ ସବୁ ଭୁଲି ଯାଇ ପାରିବି । କେମିତି ତୁମକୁ ଘୃଣା ନ କରି ରହିପାରିବି ?

 

ମନରେ ଜଳି ଉଠିଲା କ୍ଷୀଣ ଆଶାର ପ୍ରଦୀପ...। ତଥାପି ସେତ କହିଛି...ମୋତେ ଭଲ ପାଉଥିଲା, ଆଉ କାହାକୁ ଭଲ ପାଇନି—ଭଲ ପାଇବ ନାହିଁ ! ଏମିଲିୟାକୁ କୋଳ ଉପରକୁ ଟାଣି ନେଇ କହିଲି, ଶୁଣ ବିଛଣାପତ୍ର ବାନ୍ଧି ନିଅ...କାଲି ସକାଳୁ ଆମେ ଯିବା...ରୋମକୁ ଫେରିଯାଇ ସବୁ କଥା କହିବି...ତାହା ହେଲେ ତୁମର ବିଶ୍ୱାସ ହେବ...

 

ଗୋଟାଏ ଝଟକାରେ ଏମିଲିୟା ନିଜକୁ ଛଡ଼େଇ ନେଇ କହିଲା, ନା, ନା, ମୁଁ ଯିବି ନାହିଁ-। ରୋମକୁ ଫେରିଯାଇ କଣ ହେବ ? ଫାଟଟା ଛାଡ଼ିଦେବାକୁ ପଡ଼ିବ...ମା ମୋତେ ଚାହାନ୍ତି ନାହିଁ...ଭଡ଼ାଘରେ ରହିବାକୁ ପଡ଼ିବ...ପୁଣି ଟାଇପିଷ୍ଟର ଜୀବନଯାପନ କରିବାକୁ ହେବ । ନା, ମୁଁ ଯିବିନାହିଁ...ଏଇଠାରେ ହିଁ ରହିବି..ମି: ବାତ୍ତିସତା କହିଛନ୍ତି—ଯେତେଦିନ ଖୁସି ଏଇଠି ରହି ପାରିବି...ରହିବି...ମୁଁ ଏଇଠି ହିଁ ରହିବି ।

 

ରାଗିଯାଇ ଚିତ୍କାର କରି ଉଠିଲି, କାଲି ସକାଳେ ମୋ ସହିତ ତୁମକୁ ଯିବାକୁ ପଡ଼ିବ, ବୁଝିଲ ?

 

ଭୁଲ, —ଭୁଲ କରୁଛ ତୁମେ...ମୁଁ ଯିବି ନାହିଁ—କୌଣସି ପ୍ରକାରେ ଯିବି ନାହିଁ ।

 

ବେଶ୍‌, ତେବେ ମୁଁ ବି ରହିବି...ଦେଖିବି—ବାତ୍ତିସତା ଯେମିତି ଦୁହିଁଙ୍କୁ ବହିଷ୍କାର କରି ଦିଅନ୍ତି ।

 

ନା, ତୁମେ ରହିପାରିବ ନାହିଁ ।

 

ନିଶ୍ଚୟ ପାରିବି ।

 

ଥରେ କଟମଟ୍‌ କରି ମୋ ଆଡ଼କୁ ଚାହିଁ ନୀରବରେ ଘରଛାଡ଼ି ଚାଲିଗଲା ଏମିଲିୟା ।

 

ସଶବ୍ଦରେ ବନ୍ଦହେଲା ଘରର ଦରଜା । ତାଲାରେ ଚାବି ବୁଲେଇ ବାର ଆବାଜ କାନରେ ବାଜିଲା ।

 

ଉତ୍ତେଜନାର ମୁହୂର୍ତ୍ତରେ କହି ପକେଇଛି—ଏଇଠି ରହିବି ! ଏମିଲିୟା ଚାଲି ଯିବା ପରେ ବୁଝି ପାରିଲି—ମୋ ପକ୍ଷରେ ଏଠି ରହିବା ଆଉ ସମ୍ଭବ ନୁହେଁ । ମୋତେ ଯିବାକୁହିଁ ପଡ଼ିବ-। ରେନ୍‍ଗୋଲ୍‌ଡ, ବାତ୍ତିସତା—ଏ ଭଳିକି ଏମିଲିୟା ସହିତ ବି ମୋର କୌଣସି ସଂପର୍କ ନାହିଁ-। ଗୋଟିଏ କଥାରେ ମୁଁ ବର୍ତ୍ତମାନ ଅବାଞ୍ଛିତ । ମନର କ୍ଷୀଣ ଆଶାର ଶିଖା ସେ ଯାଏ ସଂପୂର୍ଣ୍ଣ ଭାବରେ ନିର୍ବାପିତ ହୋଇନାହିଁ, ତେଣୁ କହିଛି—ଏଠି ରହିବି । ଏଭଳି ଅବସ୍ଥା ହାସ୍ୟକର—କିନ୍ତୁ ମୋର ମନର ଏ ଅବସ୍ଥା ଗଭୀର ବେଦନାଦାୟକ, ଦୁର୍ଗମ ପଥର ଅଭିଯାତ୍ରୀ ଯେମିତି ପର୍ବତର ବିପଜ୍ଜନକ ସ୍ଥାନକୁ ଉଠିଆସି ବୁଝିପାରିଛି ଯେ—ସ୍ଥାନଟି ନିରାପଦ ନୁହେଁ, ଅଥଚ ଆଗେଇ ଯିବାର ବା ପଛକୁ ଫେରିଆସିବାର କୌଣସି ଉପାୟ ନାହିଁ ।

 

ଚିନ୍ତା ଓ ଉତ୍ତେଜନାରେ ଘର ଭିତରେ ଛୁଟା ଛୁଟି କରିବାକୁ ଲାଗିଲି । ବର୍ତ୍ତମାନ କର୍ତ୍ତବ୍ୟ କଣ ? ବାତ୍ତିସତା ଓ ଏମିଲିୟା ସହିତ ଆଜି ଗୋଟାଏ ଟେବୁଲରେ ବସି ଖାଇ ପାରିବି ନାହିଁ । ଭାବିଲି—ବାହାରେ କେଉଁଠି ଖାଇବି, ଡେରିକରି ଘରକୁ ଫେରିବି । କିନ୍ତୁ ପ୍ରଖର ରୌଦ୍ରରେ ଗୋଟାଏ ରାସ୍ତାରେ ଚାରିଥର ଯିବା ଆସିବା ପରେ କ୍ଳାନ୍ତ ହୋଇ ପଡ଼ିଛି । ତେଣୁ ଆଉ ବାହାରିବାକୁ ଇଚ୍ଛା ହେଲା ନାହିଁ ।

 

ଘଡ଼ିକୁ ଚାହିଁ ଦେଖିଲି—ମାତ୍ର ଛ’ଟା । ବର୍ତ୍ତମାନ କରେ କଣ ? ଅବଶେଷରେ କର୍ତ୍ତବ୍ୟ ଠିକ୍‌ କରି ପକେଇଲି । ଘରେ ତାଲା ବନ୍ଦ କରି, ଝରକା ଦେଇ ବିଛଣାରେ ଶୋଇ ପଡ଼ିଲି । ଅଳ୍ପ ସମୟ ପରେ ଗଭୀର ନିଦ୍ରାରେ ଅଚେତନ ହୋଇଗଲି ।

 

ନିର୍ଭୟରେ କିଛି ସମୟ ଶୋଇ ରହିଲି । ମନେହେଲା ଅନେକ ରାତି ହୋଇ ଯାଇଛି । ବିଛଣାରୁ ଉଠି ଝରକା ଖୋଲି ଦେଖିଲି—ଚାରିଆଡ଼େ ନୀରବ ଅନ୍ଧକାର । ଆଲୁଅ ଲଗେଇ ଘଡ଼ି ଦେଖିଲି—ରାତି ନ’ଟା । ତିନିଘଣ୍ଟା ଶୋଇଛି । ଭାବିଲି, ଡିନର ଟେବୁଲକୁ ଯାଇ ବାତ୍ତିସତାଙ୍କ ସହିତ ଝଗଡ଼ା କରିବି...ଯହିଁରେ ସେ ମୋତେ ଘରୁ ତଡ଼ି ଦେବା ପାଇଁ ବାଧ୍ୟ ହେବେ ।

 

ଖାଇବା ଘରକୁ ଆସି ଦେଖିଲି—କେହି ନାହାନ୍ତି । ଗୋଟାଏ କୋଣରେ ଗୋଟାଏ ଛୋଟ ଟେବୁଲ ଉପରେ କେବଳ ଜଣକ ପାଇଁ ଭୋଜନର ବ୍ୟବସ୍ଥା କରା ହୋଇଛି । ଚାକର ଆସି ଜଣାଇଲା, ବାତ୍ତିସତା ଓ ଏମିଲିୟା ବାହାରି ଯାଇଛନ୍ତି । ଇଚ୍ଛା ହେଲେ ମୁଁ ରେସ୍ତୋରାଁକୁ ଯାଇ ତାଙ୍କ ସହିତ ଖାଇପାରେ, ନ ହେଲେ ଘରେ ବି ଖାଇପାରେ...ଡିନର ପ୍ରସ୍ତୁତ ହୋଇ ରହିଛି ।

 

ବାତ୍ତିସତା ଓ ଏମିଲିୟା ତାହେଲେ ଭାବିଛନ୍ତି—ମୁଁ ବର୍ତ୍ତମାନ କଣ କରିବି ? କିନ୍ତୁ ମୋତେ ଏକାକୀ ଛାଡ଼ି ଦେଇ ସେମାନେ ତାଙ୍କରି ସମସ୍ୟାର ସମାଧାନ କରିଛନ୍ତି । ଇର୍ଷା, ବିରକ୍ତି ଜାଗିଲା ମନରେ, ଅସହ୍ୟ ମର୍ମବେଦନା ଅନୁଭବ କଲି । ଇୟେ ଯେମିତି ମୋତେ ତଡ଼ିବାର ଗୋଟାଏ ଫନ୍ଦି !

 

ପରଚାରକକୁ କହିଲି, ମୁଁ ଏଇଠି ହିଁ ଖାଇବି ।

 

ଡାଇନିଂ ଟେବୁଲରେ ଆସି ବସିଲି, ଖାଇବାର ପ୍ରବୃତ୍ତି ହେଲାନାହିଁ । ଅଳ୍ପ କେଇମିନିଟ୍‌ ଭିତରେ ଭୋଜନ ଶେଷ କରିନେଲି । ପରିଚାରକକୁ ଛୁଟି ଦେଇ ବାରଣ୍ଡାକୁ ଆସିଲି । କାନ୍ଥ ପାଖକୁ ଗୋଟାଏ ଚେୟାର ଟାଣିନେଇ ଅଦୃଶ୍ୟ ସମୁଦ୍ର ଆଡ଼କୁ ମୁହଁ କରି ଅନ୍ଧକାର ଭିତରେ ବସି ରହିଲି । ମି: ରେନ୍‌ଗୋଲ୍‍ଡଙ୍କ ପାଖରୁ ଫେରିଆସି ଭାବିଥିଲି—ଏମିଲିୟା ସହିତ କଥାବାର୍ତ୍ତା କରିବି, ତାପରେ ସ୍ଥିର ମସ୍ତିଷ୍କରେ ସବୁ ଠିକ୍‌ କରିବି । ଏମିଲିୟାର ଉତ୍ତର ଶୁଣି ମନର ଅସ୍ପଷ୍ଟତା ଓ ଆଶଙ୍କା ଦୂର ହୋଇଯିବ । କିନ୍ତୁ ଯାହା ଭାବିଥିଲି ତାହା ହୋଇ ପାରିନି, ଯେତେ ଜାଣିଥିଲି ତା ଅପେକ୍ଷା ଟିକିଏ ବି ଅଧିକ ଜାଣି ପାରି ନାହିଁ, ବୁଝି ପାରିଛି—ଆମର ଅତୀତ ସମ୍ପର୍କ ଟିକକ ଅନୁଧାବନ କଲେ ହିଁ ହୁଏତ ମୋ ଉପରେ ଏମିଲିୟାର ବିଦ୍ୱେଷର କାରଣ ନିର୍ଣ୍ଣୟ କରି ପାରନ୍ତି । କିନ୍ତୁ ଏମିଲିୟା ତାହା ଚାହେଁନା, ସେ ଅକାରଣରେ ମୋତେ ଘୃଣା କରିବାକୁ ଚାହେଁ ମୋର ପ୍ରେମରୁ ନିଜକୁ ମୁକ୍ତ କରି ରଖିବାକୁ ।

 

ବୁଝିପାରିଲି ତାର ଏହି ଘୃଣାର ମୂଳରେ କୌଣସି ଯୁକ୍ତି ବା ସତ୍ୟ ନାହିଁ । ଜାଣେନା, ସେଥିପାଇଁ ମୋର ଆଚରଣ ଦାୟୀ କି ନୁହେଁ । କଷଟି ପଥରରେ ଘଷି ସୁନା ଖାଣ୍ଟି କି ନୁହେଁ ବୁଝାଯାଏ । ଠିକ ସେହିଭଳି ଦୁଇଟି ଚରିତ୍ରର ଦୈନନ୍ଦିନ ସଂଘର୍ଷରୁ ଜନ୍ମିଛି ତାର ସତ୍ୟ ଧାରଣା ବାତ୍ତିସତା ସହିତ ତାର ଆଚରଣ ସମ୍ୱନ୍ଧରେ ମୁଁ ଯେଉଁ ଅମୂଳକ ସନ୍ଦେହ କରିଛି ତାରି ଫଳରେ ମୋତେ ଅବଜ୍ଞା କରିବା ପାଇଁ ଆରମ୍ଭ କରିଛି ଏମିଲିୟା । ଅବଶ୍ୟ ସେ କୌଣସି ପ୍ରତିବାଦ କରିନାହିଁ, କେବଳ ନୀରବ ରହିଛି । ପ୍ରଥମରୁ ସେ ଯେମିତି ଧାରଣା କରି ଆସିଛି ମୁଁ ଏହିଭଳି—ଘୃଣା ହିଁ ମୋର ନ୍ୟାଯ୍ୟ ପ୍ରାପ୍ୟ । ମୋର କାମରେ ଆହୁରି ବଦ୍ଧମୂଳକ ହୋଇଛି ତାର ସେ ଧାରଣା-। ହୁଏତ ସେ ମୋତେ ଅନ୍ୟଭାବରେ ବିଚାର କରିଛି । ଏମିଲିୟାର ଅଦ୍ଭୁତ ଆଚରଣ ତାର ପ୍ରମାଣ-। ପ୍ରଥମରୁ ଏ ଭୁଲ ବୁଝାମଣାର ସେ ପ୍ରତିରୋଧ କରି ପାରିଥାନ୍ତା, ସବୁ କଥା ସ୍ପଷ୍ଟ ଭାବରେ କହି ଆମର ପ୍ରଣୟ ସମ୍ପର୍କ ଅତୁଟ ରଖି ପାରିଥାଆନ୍ତା । ସେ ତାହା କରି ନାହିଁ । ପ୍ରତାରିତ ହେବାକୁ ସେ ଚାହେଁନା, ସେ ମୋତେ ଘୃଣା କରିବାକୁ ଚାହେଁ ।

 

ଏତେ ସମୟ ଧରି ଡେକ୍‌ ଚେୟାରରେ ଶୋଇଥିଲି, କିନ୍ତୁ ମନର ଚିନ୍ତା ଓ ଉତ୍ତେଜନା ଅସହ୍ୟ ବୋଧ ହେଲା । ତେଣୁ ବାରଣ୍ଡାରେ ଆସି ଠିଆହେଲି । ରାତ୍ରିର ମୌନ ଶାନ୍ତିର କଥା ଭାବି ହୁଏତ ନିଜକୁ ଶାନ୍ତ କରିବାକୁ ଚାହିଁଲି । ତପ୍ତ ମୁଖମଣ୍ଡଳରେ ସମୁଦ୍ରର ବୁକୁ ଉପରୁ ଉଠି ଆସୁଥିବା ପବନର ଶୀତଳ ସ୍ପର୍ଶ ପାଇବାକୁ ଉତ୍ସୁକ ହୋଇ ପଡ଼ିଲି । କିନ୍ତୁ ମୁଁ ଯେପରି ଶ୍ୱସ୍ତି ପାଇବାର ଯୋଗ୍ୟ ନୁହେଁ । ମୁଁ ଅବଜ୍ଞାର ପାତ୍ର ଶାନ୍ତି ପାଇବି କେମିତି ? ଶେଷ ବିଚାରର ଦିନରେ ପାପୀମାନଙ୍କ ଭଳି ଅବଜ୍ଞାତ ବି ପ୍ରାର୍ଥନା କରିପାରେ, ହେ ନଗରାଜି ! ଭାଙ୍ଗିପଡ଼ ମୋର ମୁଣ୍ଡ ଉପରେ, ହେ ନୀଳ ପାହାଡ଼ ! ମୋତେ ଆବୃତ କର...କିନ୍ତୁ ଘୃଣା । ତାକୁ କୌଣସି ପ୍ରକାରେ ଛାଡ଼ିବ ନାହିଁ, ସୁଦୂର ଗୋପନ ନିଭୃତ ମଧ୍ୟରେ ବି ଅନୁସରଣ କରିବ...ଯେଉଁଠାକୁ ଗଲେ ବି ସଙ୍ଗେ ସଙ୍ଗେ ରହିବ ।

 

ମୁଁ ଅବଜ୍ଞାତ, ମୋର ଜୀବନରେ ଶାନ୍ତିର ଆଶା ନାହିଁ ।

 

ଫେରିଯାଇ କଂପିତ ହସ୍ତରେ ସିଗାରେଟ ଲଗେଇଲି । ନା, —ଘୃଣାର୍ହ ହେଲେ ହେଁ ମୁଁ ନଗଣ୍ୟ ନୁହେଁ, ବୁଦ୍ଧିଭ୍ରଂଶ ବି ହୋଇନାହିଁ । ଏମିଲିୟା ମୋର ଏ ଗୁଣ ସ୍ୱାକାର କରିଛି ! ଏଇତ ମୋର ଗର୍ବ । ମୋତେ ଭାବିବା ପାଇଁ ପଡ଼ିବ । ସ୍ଥିର ଚିନ୍ତା ଓ ବୁଦ୍ଧି ଛଡ଼ା କୌଣସି ରହସ୍ୟ ଉଦ୍‌ଘାଟନ କରାଯାଇ ପାରେ ନାହିଁ । ବୁଦ୍ଧି ନ ଖଟାଇଲେ ହିଁ ଏହି ଅକାରଣ ଅବମାନନାର ବୋଝ ବୋହି ବୁଲିବାକୁ ହେବ ।

 

ଦୃଢ଼ପ୍ରତିଜ୍ଞ ହୋଇ ଭାବିବାକୁ ଲାଗିଲି—କାହିଁକି—କାହିଁକି ମୋର ଏହି ଘୃଣ୍ୟ ଅବସ୍ଥା-? ମନେପଡ଼ିଲା—ଇଉଲିସିସଙ୍କ ସହିତ ପେନିଲୋପର ସମ୍ପର୍କ କଥା କାହାକୁ ଯାଇ ମୋ ସହିତ ଏମିଲିୟାର ସମ୍ପର୍କ ନେଇ ମି: ରେନଗୋଲ୍‍ଡ଼ ଯେଉଁ କଥାଗୁଡ଼ିକ କହିଛନ୍ତି...ଇଉଲିସିସ ହେଉଛନ୍ତି ସୁସଭ୍ୟ ପୁରୁଷ, ଆଉ ପେନିଲୋପ ଆଦିମ ନାରୀ...

 

ଓଡ଼ିସିର କେନ୍ଦୁଗତ ଭାବ ବିଶ୍ଲେଷଣ ପ୍ରସଙ୍ଗରେ ମୋର ଓ ଏମିଲିୟାର ସମ୍ପର୍କର ଚରମତମ ସଂକଟ ମୁହୂର୍ତ୍ତଟିକୁ ଅଜ୍ଞାତସାରରେ ସେ ଟାଣି ଆଣିଥିଲେ । ମି: ରେନ୍‌ଗୋଲ୍‍ଡଙ୍କ ମତରେ ମୁଁ ଘୃଣ୍ୟ ନୁହେଁ...ସୁସଭ୍ୟ । ଏହା କେବଳ ମୋର ସାନ୍ତ୍ୱନା । ସତରେ ମୁଁ ଜଣେ ସୁସଭ୍ୟ ମଣିଷ, ଆଦିମ ଯୁଗର ମଣିଷ ଯେଉଁ ଅବସ୍ଥାରେ ଶାଣିତ ତରବାରୀର ଆଶ୍ରୟ ଗ୍ରହଣ କରନ୍ତା ସେ ଅବସ୍ଥାରେ ମଧ୍ୟ ଯୁକ୍ତି ପ୍ରୟୋଗ କରିବାକୁ ଚାହେଁ.... । ନା, ନା...ଏହା ଆଉ ଐତିହାସିକ ବ୍ୟାଖ୍ୟା ନୁହେଁ...ତହିଁରେ ମୁଁ ସନ୍ତୁଷ୍ଟ ରହିପାରିବି ନାହିଁ । ତା’ଛଡ଼ା, ସତରେ ଇଉଲିସିସ ଓ ପେନିଲୋପ ମଧ୍ୟରେ ଯେଉଁ ସମ୍ପର୍କ ଚିତ୍ର ପରିଚାଳକ କଳ୍ପନା କରିଛନ୍ତି, ମୋର ଆଉ ଏମିଲିୟା ମଧ୍ୟରେ କଣ ସେହି ସମ୍ପର୍କ ହିଁ ଥିଲା ? ମଣିଷ ବିବେକର ଜଗତ ସ୍ଥାନ ଓ କାଳର ସୀମା ପାରେଇ ଯାଏ ସେଇଠି ଐତିହାସିକ ବ୍ୟାଖ୍ୟା ଖାଟେ ନାହିଁ, ଅନ୍ତରରୁ ହିଁ ନିର୍ଦ୍ଦେଶ ଆସେ... ।

 

ହଁ, ଇତିହାସ କେବଳ ମୋତେ ତାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ରଖିପାରେ-। କିନ୍ତୁ ବର୍ତ୍ତମାନ ଯେଉଁ ଅବସ୍ଥାରେ ରହିଛି ତାର ଯେ କୌଣସି ଐତିହାସିକ ବ୍ୟାଖ୍ୟା କରେ ନା କାହିଁକି...ସେ ଅବସ୍ଥାରେ ମୁଁ ବାସ କରିବାକୁ ଚାହେଁ ନାହିଁ ।

 

ତେବେ ଏମିଲିୟା ମୋତେ କାହିଁକି ଭଲ ପାଏନାହିଁ ? କାହିଁକି ସେ ମୋତେ ଘୃଣା କରେ ? ତହିଁରେ ତାର ପ୍ରୟୋଜନ ବା କଣ ? ମନେପଡ଼ିଲା ତାର ସୁସ୍ପଷ୍ଟ ମନ୍ତବ୍ୟ—ତୁମେ ପୁରୁଷ ନୁହଁ !...ଏହି ଭକ୍ତି ମଧ୍ୟରେ ହିଁ ଫୁଟି ଉଠିଛି ଏମିଲିୟାର କଳ୍ପିତ ଆଦର୍ଶ ପୁରୁଷର ମୂର୍ତ୍ତି । ଏହାହିଁ ହେଲା ତାର ଘୃଣାର ମୂଳ । ମୋ ମଧ୍ୟରେ ସେ ଖୋଜି ପାଇନାହିଁ ତାର ଇପ୍‌ସିତ ଆଦର୍ଶ ପୁରୁଷଟିକୁ । ଏ ରୂପ କେବଳ ତାର କଳ୍ପନାରେ ଗଢ଼ା ନୁହେ । ଯେଉଁ ପୃଥିବୀରେ ସେ ଏତେ ଦିନ ବାସକରି ଆସିଛି ତାର ସଂସ୍କାରରୁ ଏହାର ଜନ୍ମ । ସେ ଜଗତରେ ପୁରୁଷ ଭଳି ପୁରୁଷ ହେଲା—ପଶୁ ଭଳି ବଳବାନ ଓ ସାଫଲ୍ୟ ଗୌରବଦୃପ୍ତ ବାତ୍ତିସତା । ତାର ପ୍ରମାଣ ପାଇଛି ମି: ବାତ୍ତିସତା ପ୍ରତି ଏମିଲିୟାର ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟିରେ, ଆଉ ତାର ଆତ୍ମଦାନର ଦୃଶ୍ୟ ଦେଖି । ବାତ୍ତିସତାଙ୍କର ଜଗତ ସହିତ ସେ ଜଡ଼େଇ ହୋଇ ପଡ଼ିଛି । ସେ ଜଗତରେ ରହିଛି ଧନୀର ହାତରୁ ନିର୍ଦ୍ଧନର ମୁକ୍ତି ଅଥବା ପୁରୁଷ ହେବାର କାଳ୍ପନିକ ଅକ୍ଷମତା । ସାରଲ୍ୟ ଓ ଅସ୍ପଷ୍ଟତା ସତ୍ତ୍ୱେ ବି ଏମିଲିୟା ମୋତେ ଘୃଣା କରେ—ଘୃଣା କରିବାକୁ ଚାହେଁ । ଜାଣେନା ଆପଣାର ସ୍ୱାର୍ଥ ପାଇଁ ମୁଁ ବାତ୍ତିସତାଙ୍କୁ ସମର୍ଥନ କରେ—ଏକଥା ସନ୍ଦେହ ସେ ପୋଷଣ କରେ କି ନାହିଁ । ଯଦି ସେୟା ହୁଏ–ତେବେ ସେ ଭାବିଛି–ରିକାର୍ଡ଼ୋ । ବାତ୍ତିସତାଙ୍କର ମୁଖାପେକ୍ଷୀ, ବାତ୍ତିସତା ମୋତେ ପ୍ରେମ ନିବେଦନ କରୁଛି...ରିକାର୍ଡୋ ଚାହେଁ ଯେ ମୁଁ ବାତ୍ତିସତାର ଉପପତ୍ନୀ ହୁଏଁ ।

 

ଆଶ୍ଚର୍ଯ୍ୟ ! ଆଗେ କାହିଁକି ଏକଥା ଭାବିନାହିଁ । ବାତ୍ତିସତା ଓ ରେନ୍‌ଗୋଲ୍‌ଡ ଓଡ଼ିସିର ଯେଉଁ ବାଖ୍ୟା କରିଛନ୍ତି ତହିଁରୁ ବୁଝିପାରିଛି ସେମାନଙ୍କର ଦୃଷ୍ଟିଭଙ୍ଗି ସଂପୂର୍ଣ୍ଣ ସ୍ୱତନ୍ତ୍ର । କିନ୍ତୁ କାହିଁକି ବୁଝି ପାରିନାହିଁ ଏମିଲିୟା ବି ଠିକ୍‌ ସେଇମାନଙ୍କର ଦୃଷ୍ଟିଭଙ୍ଗି ନେଇ କଳ୍ପନା କରେ ମୋର ମୂର୍ତ୍ତି, ତଫାତ୍‌ କେବଳ ଏତିକି ଯେ ସେମାନେ ଦୁଇଟି କାଳ୍ପନିକ ମୂର୍ତ୍ତିର ସମର୍ଥନରେ ଯୁକ୍ତି ଦେଖେଇଛନ୍ତି, କିନ୍ତୁ ଅବଜ୍ଞା ଭିତର ଦେଇ ଏମିଲିୟା ପ୍ରକାଶ କରିଛି ତାର ମନର ଭାବ ।

 

ଏମିଲିୟାର ପ୍ରକୃତି ସରଳ କିନ୍ତୁ ତାରି ମଧ୍ୟରେ ରହିଛି ଔଦ୍ଧତ୍ୟ । ନିଜର ସାରଲ୍ୟ ଓ ଔଦ୍ଧତ୍ୟର ସଂମିଶ୍ରଣରେ ହୁଏତ ତାର ମନରେ ଧାରଣା ଜନ୍ମିଛି ଯେ ମୁଁ ତାକୁ ବାତ୍ତିସତା ପାଖକୁ ଠେଲି ଦେଇଛି । ହୁଏତ ରେନ୍‌ଗୋଲ୍‌ଡଙ୍କର ମନସ୍ତାତ୍ତ୍ୱିକ ବ୍ୟାଖ୍ୟାହିଁ ମାନି ନେଇଛି ଏମିଲିୟା, ମୋର ଭାଷ୍ୟ ସେ ବୁଝି ପାରୁନାହିଁ । ଦାନ୍ତେ ଓ ହୋମରଙ୍କ ସ୍ତରକୁ ସେ ଉଠିବାରେ ଅକ୍ଷମ, କାରଣ ସେ ଆଦର୍ଶର ଜଗତରେ ବାସ କରେନାହିଁ, ବାସକରେ—ବାତ୍ତିସତା ଓ ରେନ୍‌ଗୋଲ୍‌ଡ ଭଳି ଲୋକଙ୍କର ଜଗତରେ ।

 

ତଥାପି—ତଥାପି ଏହି ଏମିଲିୟା ହିଁ ଥିଲା ମୋର ସ୍ୱପ୍ନ । ଆଉ ସେହି ଆଜି ମୋର ବିଚାର କରିଛି, ଗୋଟାଏ ତୁଚ୍ଛ ଘଟଣା ପାଇଁ ମୋତେ ଘୃଣା କରିଛି ।

 

ପେନିଲୋପ ତାର ଅନୁପସ୍ଥିତ ସ୍ୱାମୀର ଅନୁଗତା ଥିଲା ସୁଦୀର୍ଘ ଦଶଟି ବର୍ଷ, କିନ୍ତୁ ଏମିଲିୟା ମୋତେ ଅକାରଣରେ ଘୃଣା କରୁଛି । ତାକୁ ଭଲ ପାଇବା ପାଇଁ ଓ ତାକୁ ବୁଝେଇବାକୁ ଆକୁଳତା ମୁଁ ଯାହା କରିଛି ତାକୁ ସେଇହିଁ ସେ ମୋର ବିଚାର କରିଛି । ସେହି ପୃଥିବୀରୁ ଏମିଲିୟାକୁ ଦୂରକୁ ଘୁଞ୍ଚେଇ ଆଣିବାକୁ ହେବ, ତା ସହିତ ପରିଚୟ କରେଇଦେବା ପାଇଁ ପଡ଼ିବ ଆହୁରି ଏକ ଜଗତର—ଯେଉଁଠି ଅର୍ଥର କୌଣସି ମୂଲ୍ୟନାହିଁ, ବାଣୀ ଯେଉଁଠି ସୁସ୍ପଷ୍ଟ ଓ ତ୍ରୁଟିହୀନ-। ମୋର ଅଭିପ୍‌ସିତ ଯେଉଁ ଜଗତ—ଯାହାର ଅସ୍ତିତ୍ୱ ନାହିଁ, ସେଇଠିକି ନେଇ ଆସିବାକୁ ହେବ ଏମିଲିୟାକୁ ।

 

ଆପାତତଃ ବାତ୍ତିସତା ଓ ରେନ୍‌ଗୋଲ୍‌ଡଙ୍କର ଜଗତରେ ରହିବାକୁ ପଡ଼ିବ । ବର୍ତ୍ତମାନ କଣ କରିଛି ? ହଁ ମନର ସଂକୋଚ କଟେଇ ନେବା ପାଇଁ ହେବ—ମୋର ଆଚରଣ ପାଇଁ ନୁହେଁ, ପ୍ରକୃତିଗତ ଦୁର୍ବଳତା ପାଇଁ ସେ ମୋତେ ଘୃଣା କରେ ।

 

ଓଡ଼ିସି ସମ୍ୱନ୍ଧରେ ମୋର କଳ୍ପିତ ରୂପଟିହିଁ ସତ୍ୟ, ପ୍ରକୃତରେ ସେହିଟାହିଁ ହେଲା ହୋମରଙ୍କ ଆଦର୍ଶ । ବାତ୍ତିସତା, ରେନ୍‍ଗୋଲ୍‌ଡ ଓ ମୁଁ ଇଉଲିସିସକୁ ସ୍ୱତନ୍ତ୍ର ଦୃଷ୍ଟି ଭଙ୍ଗିରେ ଦେଖିଛୁ–କାହିଁକି ନା ଆମମାନଙ୍କର ଜୀବନ ଓ ଆଦର୍ଶ ଏକ ନୁହେଁ । ବାତ୍ତିସତା ନିଜ ବ୍ୟକ୍ତିଗତ ଜୀବନ ଓ ଆଦର୍ଶ ବା ସ୍ୱାର୍ଥସହିତ ସାମଞ୍ଜସ୍ୟ ରଖି ସେ କଳ୍ପନା କରିଛନ୍ତି ଇଉଲିସିସକୁ । ମି: ରେନ୍‌ଗୋଲ୍‌ଡଙ୍କର କଳ୍ପିତ ରୂପ ଆହୁରି ବାସ୍ତବ ଓ ସ୍ଥୂଳତାର ଭବିଷ୍ୟତ ସମ୍ଭାବନାରହିଁ ଅନୁକୂଳ, ଆଉ ମୋର ରୂପ ହେଲା—ମହାନ୍‌ ଅଥଚ ସ୍ୱାଭାବିକ, ବାସ୍ତବ । ଅର୍ଥ ଯେ ଜୀବନକୁ କଳଙ୍କିତ ବା ସଂକୁଚିତ କରିପାରେ ନାହିଁ କିମ୍ୱା ଯେଉଁ ଜୀବନ କେବେହେଲେ ଦୈହିକ ଓ ପାର୍ଥିବ ସ୍ତରକୁ ଓହ୍ଲେଇ ଆସିପାରେ ନାହିଁ—ସେହିଭଳି ଗୋଟାଏ ଜୀବନର ନିଷ୍ଫଳ ଅଥଚ ଆନ୍ତରିକ ଅଭିଳାସରୁ ମୋର ଏ ରୂପ କଳ୍ପନା ।

 

ହୁଏତ ଚିତ୍ର ନାଟ୍ୟରେ ଏହି ରୂପ ଫୁଟେଇ ହେବନାହିଁ ତଥାପି ଠିକ୍‌ ସେହିଭଳି ଜୀବନ ଯାପନର ଚେଷ୍ଟା କରିବାକୁ ପଡ଼ିବ ମୋତେ । ଏହିଭଳି ଭାବରେ ଫେରେଇ ଆଣିବାପାଇଁ ପଡ଼ିବ ଏମିଲିୟାର ଶ୍ରଦ୍ଧା ଓ ପ୍ରେମ ।

 

କିନ୍ତୁ କେମିତି ଭାବରେ ? କେଉଁ ଉପାୟରେ ?

 

ତାକୁ ଆହୁରି ଗଭୀର ଭାବରେ ଭଲପାଇବାକୁ ହେବ । ଯେତେବେଳେ ଲୋଡ଼ା, ଯେତେଥର ପ୍ରୟୋଜନ ସେତେଥର—ମୋର ପ୍ରେମର ପବିତ୍ରତା ଓ ନିଃସ୍ୱାର୍ଥତାର ପ୍ରମାଣ ଦେବାକୁ ପଡ଼ିବ ।

 

ତେବେ ହଁ । ବର୍ତ୍ତମାନ ଏମିଲିୟା ଉପରେ ଜୋର ଖଟେଇଲି ସୁଫଳ ହେବ ନାହିଁ । ଆଜି ଏଇଠିହିଁ ରହିବି, କାଲି ଚାଲିଯିବି । ରୋମରୁ ସବୁକଥା ଚିଠି ଲେଖି ଜଣାଇବି—ଯାହା ମୁହଁରେ କହି ପାରିନାହିଁ ।

 

ବାରଣ୍ଡା ତଳେ ଏମିଲିୟା ଓ ବାତ୍ତିସତାର କଣ୍ଠସ୍ୱର ଶୁଣିଲି । ଶୀଘ୍ର ଘର ଭିତରକୁ ପଶିଯାଇ ଦରଜା ବନ୍ଦ କରିନେଲି ମାତ୍ର ନିଦ ହେଲା ନାହିଁ । ମନେହେଲା—ଏମାନେ ଦୁହେଁ ପ୍ରମୋଦ ପ୍ରାସାଦରେ ବୁଲି ବୁଲି ମୋର ଚାରିପଟେ ଗୁଞ୍ଜନ ତୋଳିବେ । ମୁଁ ସହିପାରିବି ନାହିଁ ।

 

କିଛିଦିନ ଧରି ଭଲ ଭାବରେ ନିଦ ହେଉ ନ ଥିଲା, ତେଣୁ ରୋମରୁ ଆସିବାବେଳକୁ ନିଦପାଇଁ ଗୋଟାଏ ଶିଶି ଔଷଧ କିଣି ନେଇ ଆସିଥିଲି । ଏକାସାଥିରେ ଦୁଇମାତ୍ର ଔଷଧ ଢାଳି ଖାଇ ପକେଇଲି ।

 

ପ୍ରାୟ ସଙ୍ଗ ସଙ୍ଗେ ନିଦରେ ଅଚେତନ ହୋଇ ପଡ଼ିଲି ।

 

ଏମିଲିୟା ଓ ବାତ୍ତିସତାଙ୍କର ଗୁଞ୍ଜନଧ୍ୱନି ଆଉ ଶୁଣାଗଲାନାହିଁ ।....

 

ନିଦ ଭାଜିଗଲା । ଝରକା ଦେଇ ଉଙ୍କିମାରୁଛି ସୂର୍ଯ୍ୟାଲୋକ । ବୁଝିପାରିଲି, ଅନେକ ସମୟ ହୋଇଛି । ବିଛଣାରେ ଶୋଇ ଶୋଇ ଚାରିଆଡ଼ର ମୌନତାର ଭାଷା ଶୁଣିଲି । ନଗରର ନୀରବତା ସହିତ ଏହାର ଟିକିଏ ମଧ୍ୟ ସାମଞ୍ଜସ୍ୟ ନାହିଁ । ସେଠାକାର ପରିପୂର୍ଣ୍ଣ ପବିତ୍ରତା ମଧ୍ୟରେ ବି ଯେମିତି ରହିଛି ଅତୀତର କ୍ଷତ ଓ ବେଦନାର ପ୍ରତିଧ୍ୱନି । ବିଛଣା ଉପରେ ବସି କାନପାତି ଶୁଣିଲି—ଆହୁରି ନିବିଷ୍ଟ ଭାବରେ ଶୁଣିଲି ।

 

ହଠାତ୍‌ କୌଣସି ଜିନିଷର ଅଭାବ ବୋଧକଲି । ଏଇଠି ଯେମିତି କିଛି ଗୋଟାଏ ଅପରିହାର୍ଯ୍ୟ ବସ୍ତୁ ନାହିଁ । ଇୟେ ଯେମିତି ଲୋକାଳୟର ନୀରବତା ନୁହେଁ, ଜଡ଼ ଜଗତର ନିର୍ଜନତା-। ବିଛଣାରୁ ଡେଇଁପଡ଼ି ଏମିଲିୟାର ଦରଜା ପାଖକୁ ଗଲି । ଦରଜା ଖୋଲିବା ମାତ୍ରକେ ଆଖିରେ ପଡ଼ିଲା ଖଣ୍ଡେ ଚିଠି । ପରିତ୍ୟକ୍ତ ଅବିନ୍ୟସ୍ତ ଶଯ୍ୟା ଉପରେ ତକିଆ ତଳେ ରଖା ହୋଇଥିବା ଚିଠି ଖଣ୍ଡିକ ପଢ଼ିଲି । ସଂକ୍ଷିପ୍ତ ଏକ ଲିପି—

 

ପ୍ରିୟ ରିକାର୍ଡୋ !

 

ଦେଖିଲି ତୁମେ ଯିବାକୁ ଚାହଁନା, ତେଣୁ ମୁଁ ଯାଉଛି । ଏକାକୀ ଯିବାର ସାହସ ହୋଇ ନ ଥାନ୍ତା । ବାତ୍ତିସତା ଯାଉଛନ୍ତି । ଏହି ସୁଯୋଗଟାହିଁ ଗ୍ରହଣ କଲି । ଏକା ଏକା ମୋତେ ଭୟ ଲାଗେ । ତା ଛଡ଼ା, ଏକାବେଳକେ ନିଃସଙ୍ଗ ହେବା ଅପେକ୍ଷା ମି: ବାତ୍ତିସତାଙ୍କର ସାନିଧ୍ୟ ମନ୍ଦ ନୁହେଁ-। ରୋମରେ ପହଞ୍ଚି ତାଙ୍କ ପାଖରୁ ଚାଲିଯିବି, ନିଜେହିଁ ନିଜର ଜୀବିକା ଉପାର୍ଜ୍ଜନ କରିବି । ତେବେ, ଯଦି ଶୁଣିବାକୁ ପାଅ ବାତ୍ତିସତାଙ୍କର ଉପପତ୍ନୀ ହୋଇଛି, ଆଶ୍ଚର୍ଯ୍ୟ ଯେମିତି ନ ହୁଅ ରକ୍ତମାଂସରେ ଗଢ଼ା ମଣିଷ ମୁଁ । ସେତେବେଳେ ବୁଝିନେବ ଯେ ମୁଁ ନିଜକୁ ବଞ୍ଚେଇ ପାରିନାହିଁ ।

 

ଏମିଲିୟା

 

ବିଛଣା ଉପରେ ବସି ଉଦାସ ଦୃଷ୍ଟିରେ ଚାହିଁ ରହିଲି । ଚିଠି ଖଣ୍ଡିକ ହାତରେହିଁ ରହିଲା ।

 

ଖୋଲା ଝରକା ଦେଇ ବାହାରକୁ ଚାହିଁଲି—ବାହାରେ କେତୋଟି ପାଇନ ଗଛ, ତାରି ପଛରେ ପ୍ରାଚୀର । ଆଖି ବୁଲେଇ ଘରଭିତରଟା ଆଉ ଥରେ ଦେଖିନେଲି । ସମସ୍ତ ଅସ୍ତବ୍ୟସ୍ତ, ଶୂନ୍ୟ—ସ୍କାର୍ଟ, ସେମିଜ, ଜୋତା, ପ୍ରସାଧନ ସାମଗ୍ରୀ...କିଛି ନାହିଁ । ଗତ କେତେଦିନ ଧରି ଯେଉଁ ବିପଦର ଆଶଙ୍କାରେ ଦିନ କଟେଇଛି, ସେ ବିପଦ ଆଜି ଆସିଛି । ଛିନ୍ନମୂଳ ତରୁର ଯଦି ଅନୁଭବ ଶକ୍ତି ଥାଏ, ତାହାହେଲେ ସେ ତାର ମୂଳ ଭିତରେ ଯେଉଁ ବେଦନା ବୋଧ କରେ, ଠିକ୍‌ ସେହିଭଳି ମର୍ମାନ୍ତିକ ବେଦନା ଅନୁଭବ କଲି । ସତରେ ଅତର୍କିତ ଭାବରେ ମୁଁ ଛିନ୍ନମୂଳ ହୋଇ ପଡ଼ିଛି, ବୃକ୍ଷ ଭଳି ମୋର ମୂଳ ଉତ୍‌ପାଟିତ ହୋଇଛି, ମୋର ମୃତ୍ତିକା ଏମିଲିୟା—ଯିଏ ତାର ପ୍ରେମ ଦେଇ ମୂଳଗୁଡ଼ିକୁ ସତେଜ ଓ ସଜୀବ କରିଥିଲା ସେ ଆଜି ଦୂରକୁ ଅପସରି ଯାଇଛି । ମୂଳ ଆଉ ସେହି ପ୍ରେମର ସ୍ପର୍ଶ ପାଇବନାହିଁ, ଆହରଣ କରିପାରିବ ନାହିଁ ମାଟିର ରସ ସୁଧା—ନିଷ୍ପ୍ରାଣ ଶୁଷ୍କ ହୋଇଯିବ ଧୀରେ ଧୀରେ ।

 

ବିଷର୍ଣ୍ଣ, ବ୍ୟଥିତ ଚିତ୍ତରେ ଘରକୁ ଫେରିଆସିଲି । ସଙ୍ଗେ ସଙ୍ଗେ ଜାଗିଉଠିଲା ବିସ୍ମୟ । ମୁଁ ଯେମିତି ଅନେକ ଉଚ୍ଚରୁ ତଳକୁ ଖସି ପଡ଼ିଛି । ହିଂସ୍ର ପଶୁର ନିଶ୍ଚିତ ଆକ୍ରମଣ ପୂର୍ବରୁ ଅସହାୟ ଜୀବ ବ୍ୟାକୁଳ ଦୃଷ୍ଟିରେ ନିହନ୍ତାକୁ ଚାହିଁ ଯେଉଁ ମର୍ମବେଦନା ଅନୁଭବ କରେ: ଠିକ୍‌ ସେହିଭଳି ନିଦାରୁଣ ବ୍ୟଥା ଜାଗିଉଠିଲା ବୁକୁରେ ।

 

ସନ୍ତରଣ ପୋଷାକଟି ନେଇ ରାସ୍ତାକୁ ବାହାରି ଆସିଲି । ବଜାରକୁ ଆସି ଗୋଟାଏ ସମ୍ୱାଦପତ୍ର କିଣି କାଫେରେ ବସିଲି । କି ଆଶ୍ଚର୍ଯ୍ୟ ! ଅଳ୍ପ ସମୟ ମଧ୍ୟରେ ସଂବାଦପତ୍ର ପଢ଼ିବା ଶେଷ ହୋଇଗଲା । ନିଷ୍ଠୁର ଶିଶୁ ଯେତେବେଳେ କଙ୍କିଟିଏ ଧରି ତାର ପକ୍ଷ ଛିଣ୍ଡାଇ ଦିଏ କଙ୍କିଟା ଟେର ପାଏ ନାହିଁ, ସେହି ଅବସ୍ଥାରେ କିଛିଦୂର ଆଗେଇଯାଏ, ତାପରେ ନିଶ୍ଚଳ ହୋଇପଡ଼େ । ମୋର ବର୍ତ୍ତମାନ ଅବସ୍ଥା ସହିତ କଙ୍କିର ଅବସ୍ଥା ତୁଳନୀୟ ।....

 

ଦ୍ୱି ପ୍ରହର । ସମୁଦ୍ରତୀରଗାମୀ ବସ୍‌ ଛାଡ଼ୁଛି । ବସ୍‌ରେ ଉଠିପଡ଼ିଲି । ଟିକିଏ ପରେ ରୌଦ୍ରୋଜ୍ଜଳ ଖୋଲା ପ୍ରାନ୍ତର ଆଖିରେ ପଡ଼ିଲା । ଧୀରେ ଧୀରେ ଗାଧୋଇବା ଘାଟକୁ ଆସି ସିଡିରେ ତଳକୁ ଓହ୍ଲେଇ ଆସିଲି । ଦେଖିଲି—ଶୁଭ୍ର ବେଳାଭୂମି, ପ୍ରଶାନ୍ତ ଆକାଶତଳେ ନିର୍ମଳ ଗଭୀର ନୀଳ ସମୁଦ୍ର—ସ୍ଥିର ଦିଗନ୍ତଲୀନ ।

 

ସମୁଦ୍ରର ଜଳ ରେଶମି ଭଳି ଚକ ଚକ କରୁଛି । ଲହର ଗୁଡ଼ିକ ଆଳସ୍ୟଭରେ ଘୁରି ଘୁରି ଚାଲୁଛି । ଭାବିଲି, ନୌକାରେ ଚଢ଼ିବି । ପାଲ ଟାଣିଲେ ମନର ଚିନ୍ତା ହାଲୁକା ହୋଇଯିବ, ତା ଛଡ଼ା ଏକା ରହିବାର ସୁଯୋଗ ପାଇବି । ଘାଟକୁ ଆସି ରକ୍ଷିକୁ ନୌକା ଆଣିବା ପାଇଁ ଆଦେଶ ଦେଲି । ବୃଦ୍ଧ ରକ୍ଷୀଟି ମୁଣ୍ଡ ଉପରକୁ ଟୋପିଟା ଉଠେଇ ନେଇ, ନୌକାଟି ଆଣ୍ଠୁଏ ପାଣିକୁ ଠେଲି ଦେଇ ଠିଆ ହୋଇ ରହିଲା । ଦେଖିଲି—ନୌକାରେ ସ୍ଥିର ଭାବରେ ବସି ରହିଛି ଏମିଲିୟା । ତାର ଦେହରେ ମୋର ବହୁ ପରିଚିତ ସବୁଜ ପୋଷାକ । ପାଦ ଦୁଇଟି ଏକତ୍ରିତ କରି ହାତ ଦୁଇଟି ବିସ୍ତାରିତ କରି, ଅଣ୍ଟାଟା ଅଳ୍ପ ସଂକୁଚିତ କରି ସେ ବସି ରହିଛି । ଅପୂର୍ବ ସୁନ୍ଦର ସେ ଦେଖାଯାଉଛି ।

 

ମୋର ବିସ୍ମୟ ଦେଖି ସେ ମୁରୁକି ମୁରୁକି ହସୁଛି, ମୋ ଆଖିରେ ଆଖି ରଖି ଚାହିଁ ରହିଛି–ଆଖିର ନୀରବ ଭାଷାରେ ସେ ଯେମିତି କହିବାକୁ ଚାହେଁ—ମୁଁ ଏଇଠି ହିଁ ରହିଛି...ମୋତେ କିଛି କୁହନାହିଁ; ଆଜି ଆଉ କୌଣସି କଥା ନୁହେଁ ।

 

ତାର ଅବ୍ୟକ୍ତ ଆଦେଶ ପାଳନ କଲି । ମନରେ ଜାଗି ଉଠିଲା ଆଲୋଡ଼ନ । ରକ୍ଷୀ ହାତଟା ବଢେଇ ଠିଆ ହୋଇଥିଲା । ତାର ହାତ ଧରି ନୌକା ଉପରେ ଉଠିପଡ଼ି ମୁହଁ ତଳକୁ ପୋତି ପାଲ ଟାଣିବାକୁ ଲାଗିଲି । ପ୍ରାୟ ଦଶ ମିନିଟ ଭିତରେ ଅନ୍ତରୀପରେ ଆସି ପହଞ୍ଚିଲୁ । ଏତେବେଳ ପର୍ଯ୍ୟନ୍ତ ଏମିଲିୟାକୁ ଚାହିଁନି, ପଦେ ହେଲେ କଥା କହିନି । ନିଜକୁ ସଂଯତ କରି ନେଇଥିଲି । ଏମିଲିୟା ସହିତ ନିର୍ଜନରେ ବସି ଆଳାପ କରିବା ମୋର ଅଭ୍ୟାସ, ବାତ୍ତିସତାଙ୍କ ପ୍ରମୋଦ-ପ୍ରାସାଦ ମଧ୍ୟ ଏହି ପୁରାତନ ଅଭ୍ୟାସର ବ୍ୟତିକ୍ରମ ହୋଇନି ।

 

ପାଲ ଟାଣୁ ଟାଣୁ ବିଚିତ୍ର, ଅଭିନବ ଆନନ୍ଦ ମିଶ୍ରିତ ବେଦନାର ଅନୁଭୂତିରେ ଦୁଇ ଆଖିରୁ ଅଶ୍ରୁ ବହିବାକୁ ଲାଗିଲା । ଆଖିର ଲବଣାକ୍ତ ଅଶ୍ରୁରେ ଆଖି ଜ୍ୱାଳା କରିବାକୁ ଲାଗିଲା, ଗଣ୍ଡଦ୍ୱୟ ସିକ୍ତ ହୋଇ ପଡ଼ିଲା ।

 

ଅନ୍ତରୀପର ଅପର ପ୍ରାନ୍ତକୁ ଆସି ଉଜାଣି ସ୍ରୋତ ଲକ୍ଷ୍ୟକରି ସେଆଡ଼କୁ ଆଗେଇ ଗଲି-। ସେଠୁ ଉଠୁଛି କଳ କଳ ଛଳ ଛଳ ଶବ୍ଦ । ଡାହାଣ ଦିଗକୁ ପାଣି ଉପରେ ଗୋଟାଏ କଳା ପାହାଡ଼ର ଚୂଡ଼ା ଦେଖା ଯାଉଛି । ବାମ ପାଖରେ ଅନ୍ତରୀପର ପଛକୁ ସୁଉଚ୍ଚ ପଥରର ପ୍ରାଚୀର-। ଜୋରରେ ପାଲଟାଣି ସେ ସ୍ଥାନଟି ପାରିହୋଇ ଆସିଲୁ । ପାହାଡ଼ଟି ଯେଉଁଠି ବୁଡ଼ି ରହିଛି ସେଇଠି ପାଣି ଧଳା, ଭଟ୍ଟା ଫଳରେ ସାମୁଦ୍ରିକ ଶିଉଳିର ସବୁଜ ଶ୍ମଶ୍ରୁ ଦେଖା ଯାଉଛି । ଟମାଟୋ ଭଳି ଲାଲ ଲାଲ ଫଳ ପାଣି ଉପରେ ଭାସୁଛି । ଅନ୍ତରୀପର ଶେଷ ସୀମାରେ ରହିଛି ଗୋଟାଏ ପଥରରେ ତିଆରି ରଙ୍ଗମଞ୍ଜ ଭଳି ଏକ ସ୍ଥାନ—ପଛରେ ସମ ବିଳମ୍ୱିତ ପାହାଡ଼ର ଦେବାଳ, ବିକ୍ଷିପ୍ତ ପଥରର ଫାଙ୍କରେ ଜନହୀନ ତଟଭୂମି । ସମୁଦ୍ର ବକ୍ଷ ବି ନିର୍ଜନ...ସ୍ନାନାର୍ଥିମାନଙ୍କ ଗହଳି ନାହିଁ, ନୌକା ବି ନାହିଁ । ଜଳ ଘନ ଉଜ୍ଜ୍ୱଳ ନୀଳ, ଦେଖିଲେ ହିଁ ଜଣାଯାଏ ଗଭୀର । ଆହୁରି ଦୂରରେ ଧାଡ଼ି ଧାଡ଼ି ଅନ୍ତରୀପ—କାଳ୍ପନିକ ରଙ୍ଗମଞ୍ଚର ପାର୍ଶ୍ୱଦେଶ ଭଳି ।

 

ନୌକାର ବେଗ କମେଇ ଦେଇ ଏମିଲିୟା ଆଡ଼କୁ ମୁହଁ ବୁଲେଇ ଚାହିଁଲି । ସିଏ ବି ଯେମିତି କିଛି କହିବାକୁ ଚାହେଁ । ମୋତେ ଚାହିଁ ହସ ହସ ମୁହଁରେ ସେ ପ୍ରଶ୍ନକଲା—ତୁମେ କାନ୍ଦୁଛ କାହିଁକି ?

 

କହିଲି ଆନନ୍ଦାତିଶଯ୍ୟରେ ।

 

ମୋତେ ଦେଖି ଖୁସି ହୋଇଛ ?

 

ଖୁସି ? ....ନିଶ୍ଚୟ । ଭାବିଥିଲି ତୁମେ ମୋତେ ଛାଡ଼ି ଚାଲି ଯାଇଛ । ଆଖି ନୁଆଁଇ ଏମିଲିୟା କହିଲା—ଠିକ କରିଥିଲି ଚାଲିଯିବି—ମି: ବାତ୍ତିସତାଙ୍କ ସହିତ ଷ୍ଟିମାର ଘାଟ ପର୍ଯ୍ୟନ୍ତ ଆସିଥିଲି...ଶେଷ ମୁହୂର୍ତ୍ତରେ ଠିକ କଲି ଯିବି ନାହିଁ, ତେଣୁ ରହିଗଲି ।

 

ଏଇଠି କଣ କରୁଥିଲ ?

 

ବନ୍ଦରଟା ବୁଲି ବୁଲି ଦେଖିଲି...କାଫେକୁ ଗଲି...ପ୍ରମୋଦ—ପ୍ରାସାଦକୁ ଟେଲିଫୋନ କରି ଜାଣିଲି, ତୁମେ ବାହାରି ଆସିଛ...ଭାବିଲି, ଏଇଠିକି ଆସିଛ, ତେଣୁ ଆସିଲି—ଦେଖିଲି, ତୁମେ ନୌକା ଆଣିବାକୁ କହୁଛ...ଟିକିଏ ଖରାରେ ଶୋଇଥିଲି—ମୋ ପାଖରେ ତୁମେ ଚାଲିଗଲ, ମୋତେ ମୋଟେ ଦେଖିପାରିଲ ନାହିଁ...ତାପରେ ତୁମେ ଯେତେବେଳେ ପୋଷାକ ପରିବର୍ତ୍ତନ କରୁଥିଲ ସେତେବେଳେ ମୁଁ ନୌକାରେ ଆସି ବସିଲି...

 

କିଛି ସମୟ ନୀରବ ରହିଲି ।

 

ଆଉ ଅଳ୍ପ ଆଗେଇଲେ ହିଁ ସବୁଜ ଗୁହା । ଭାବିଲି ସେଇଠି ଯାଇ ସ୍ନାନ କରିବି ।

 

ପ୍ରଶ୍ନ କଲି, ବାତ୍ତିସତାଙ୍କ ସହିତ ଗଲନାହିଁ କାହିଁକି ?

 

ଭାବି ଦେଖିଲି—ଭୁଲ କରିଛି—ସବୁ କିଛି ଭୁଲ ବୁଝାମଣା ଛଡ଼ା କିଛି ନୁହେଁ ।

 

କଣ ଦେଖି ବୁଝିଲ ?

 

ଠିକ୍‌ ଜାଣେ ନାହିଁ...ତେବେ ଅନେକ କିଛି...ହୁଏତ କାଲି ସନ୍ଧ୍ୟାରେ ତୁମର କଣ୍ଠସ୍ୱର ଶୁଣି—

 

ତେବେ, ସତରେ ତୁମେ କଣ ବୁଝି ପାରିଛ—ମୋର ବିରୁଦ୍ଧରେ ତୁମର ଅଭିଯୋଗ ଭିତ୍ତିହୀନ ?

 

କିନ୍ତୁ—ତୁମେ କଣ ମନେକରନା ମୁଁ ଘୃଣ୍ୟ ? କୁହ କହୁ ଏମିଲିୟା...ଏହା କଣ ତୁମର ଶେଷ କଥା ।

 

ଭାବିଥିଲି, ତୁମେ ଗୋଟାଏ କଣ କରିଥିଲ—ଆଉ ସେଥିପାଇଁ ମୋର ଶ୍ରଦ୍ଧା ହରେଇଥିଲି, କିନ୍ତୁ ବର୍ତ୍ତମାନ ଜାଣିପାରିଛି—ସବୁ ଭୁଲ ବୁଝାମଣା...କିଛି ମନେକର ନାହିଁ, ସୁନାଟାପରା ।

 

ଦୁହେଁ ନୀରବ ।

 

ଆହୁରି ଜୋରରେ ପାଲ ଟାଣିବାକୁ ଲାଗିଲି । ଦେହରେ ଯେମିତି ଦ୍ୱିଗୁଣ ଶକ୍ତି ଆସିଛି, ମନରେ ସ୍ପୁର୍ତ୍ତିର ସୀମାନାହିଁ । ମନର ଆନନ୍ଦ ବାହାରର ରୌଦ୍ର ଭଳି କ୍ରମଶଃ ବଢ଼ିବାକୁ ଲାଗିଲା, ଉଷ୍ଣତାରେ ସର୍ବାଙ୍ଗରେ ଶିହରଣ ଜାଗିଲା ।

 

ସବୁଜ ଗୁହା’ର ବିପରୀତ ଦିଗକୁ ଆସି ପ୍ରଶ୍ନକଲି, ତୁମେ କଣ ସତର ମୋତେ ଭଲପାଅ ?

 

ଅଳ୍ପ ଇତସ୍ତତ କରି ଏମିଲିୟା କହିଲା—ଚିରଦିନ ତୁମକୁ ଭଲ ପାଇଛି...ଭଲ ପାଇବି ଚିରଦିନ...

 

କିନ୍ତୁ ଏ କଣ ? ତାର ମୁହଁରେ ବେଦନାର ଛାୟା କାହିଁକି ?

 

ଶଙ୍କିତ ଭାବରେ କହିଲି—ଏମିତି ଭାବରେ—ଏତେ ବିମର୍ଷ ଭାବରେ କଥାଟି କହିଲ କାହିଁକି ?

 

ଜାଣେନା...ହୁଏତ, ତାର କାରଣ...ଯଦି ଦୁହିଙ୍କ ଭିତରେ ଏମିତି ଭୁଲ ବୁଝାମଣା ହୋଇ ନ ଥାନ୍ତା—ଆଗଭଳି ପରସ୍ପରକୁ ଦୁହେଁ ଭଲ ପାଉଥାନ୍ତେ !

 

ହଁ—କିନ୍ତୁ ବର୍ତ୍ତମାନତ ଆଉ ଭୁଲ ବୁଝାମ । ନାହିଁ—ସେ କଥା ଆଉ ନ ଭାବିବା ଉଚିତ-। ବର୍ତ୍ତମାନ ଠାରୁ ଅବିଚ୍ଛେଦ୍ୟ ରହିବ ଆମର ପ୍ରେମବନ୍ଧନ...କଣ କହୁଛ ?

 

ଯେମିତି ମୁଣ୍ଡ ହଲେଇଲା ଏମିଲିୟା, ଆଖି ଟେକିଲା ନାହିଁ ।

 

ପାଲ ଟାଣିବା ଅଳ୍ପସମୟ ବନ୍ଦକଲି—ଆମେ ଲାଲ ଗୁହାକୁ ଯିବା...ସେଇଠି ଅଳ୍ପ ଜାଗା ରହିଛି...ଛାୟାନ୍ଧକାର ସ୍ଥାନଟି ନିର୍ଜନ...ସେଠିକି ଯାଇ ନୂତନ ଭାବରେ ଆରମ୍ଭ କରିବା ଆମର ସେହି ପୁରାତନ ଜୀବନ...ରଚନା କରିବା ଆମର ନିଭୃତ ମିଳନ–କୁଞ୍ଜ...ଚାଲିବ ବାଧାହୀନ, ଅନ୍ତ–ହୀନ ପ୍ରେମଲୀଳା, ଅକୁଣ୍ଠିତ ରତିବିଳାସ । ଥରେ ଆଖି ଟେକି ଚାହିଁଲା ଏମିଲିୟା । ମୁଣ୍ଡ ହଲେଇ ଜଣେଇଲା ନୀରବ ସମ୍ମତି ।

 

ତାର ମୁହଁ ଲଜ୍ଜାରୁଣ ହୋଇ ପଡ଼ିଲା ।

 

ଲାଲଗୁହା ଆଡ଼କୁ ଅଗ୍ରସର ହେଲୁ ।

 

ଗଭୀର ଉତ୍ସାହରେ ପାଲଟାଣି ଚାଲିଛି । ସ୍ଥିର ଦୃଷ୍ଟିରେ ଚାହିଁ ରହିଛି ଏମିଲିୟା, ଆଖିରେ କାମନାର ଆକୁଳତା । ସେ ଯେମିତି ଆତ୍ମଦାନର ଚରମ ମୁହୂର୍ତ୍ତର ଅପେକ୍ଷା କରି ରହିଛି-

 

ଲାଲଗୁହାକୁ ଆସି ନୌକାଟିକି ଭିତରକୁ ଟାଣି ଆଣିଲି । କହିଲି, ଏଇଠି ଅନ୍ଧକାର...ତେବେ କିଟି କିଟି ଅନ୍ଧକାର ନୁହେଁ...କୌଣସି ଅସୁବିଧା ହେବନାହିଁ ।

 

ଅନ୍ଧକାର ଭିତରେ ନୌକାଟି ଆଉ ଦେଖିବାକୁ ପାଇଲି ନାହିଁ । ଗୋଟାଏ ଶବ୍ଦ ହେଲା । ପାଲ ଛାଡ଼ି ଦେଲି । ନୌକାର ପଛ ପାଖକୁ ଯାଇ କହିଲି, ତୁମର ହାତଟା ଦିଅ...ମୋର ହାତଧରି ଓହ୍ଲେଇ ଆସ ।

 

କୌଣସି ଉତ୍ତର ନାହିଁ !

 

ଡାକିଲି, ଏମିଲିୟା—ମୋର ହାତଧର—

 

ହାତଟି ବଢ଼େଇଲି ମାତ୍ର କୌଣସି ସୂଚନା ପାଇଲି ନାହିଁ । ଅନ୍ଧକାରରେ ହାତ ବଢ଼େଇଲି, ଯେଉଁଠି ଏମିଲିୟା ବସିଥିଲା ସେଇଠି ହାତ ମାଇଲି । କେଉଁଠିକି ଗଲା ଏମିଲିୟା ? ବୁକୁ ଥରି ଉଠିଲା । ଡାକିଲି, ଏମିଲିୟା ! ପ୍ରତିଧ୍ୱନି ଶୁଣିଲି । ଅନ୍ଧକାର ଭିତରେ ଦେଖିଲି—ନୌକାଟି ସ୍ଥିର ଭାବରେ ସୈକତ ଉପରେ ରହିଛି—ମୁଣ୍ଡ ଉପରେ ଗୁହାର ଛାତ—ବେଶ୍‌ ଅନ୍ଧକାର, ଝର ଝର ହୋଇ ଉପରୁ ପାଣି ଝରୁଛି, ନୌକାରେ କେହି ନାହିଁ—ଜନମାନବର ଚିହ୍ନ କେଉଁଠି ହେଲେ ନାହିଁ, କେବଳ ମୁଁ ଏକା !

 

ଆକୁଳ କଣ୍ଠରେ ପୁଣି ଡାକିଲି, ଏମିଲିୟା ତୁମେ କେଉଁଠି ?

 

ସେହିକ୍ଷଣି ଭୁଲ ଭାଙ୍ଗିଗଲା । ନୌକାରୁ ଓହ୍ଲେଇ ଓଦା ପଥର ଉପରେ ମୁହଁଗୁଞ୍ଜି ଶୋଇ ପଡ଼ିଲି, ହୁଏତ,—ମୂର୍ଚ୍ଛିତ ହୋଇ ପଡ଼ିଲି ।

 

ପରେ ଜ୍ଞାନ ଫେରି ଯାଇ ଗୁହାରୁ ଫେରି ଆସିଲି । ଗୁହା ମୁହଁକୁ ଆସି ହାତ ଘଡ଼ିଟା ଦେଖିଲି—ଦିନ ଦୁଇଟା । ପ୍ରାୟ ଘଣ୍ଟାକରୁ ବେଶି ସମୟ ଗୁହା ଭିତରେ କଟେଇଛି । ବୁଝିପାରିଲି–ସେହି ମଧ୍ୟାହ୍ନରେ ଗୋଟାଏ ଛାୟାମୂର୍ତ୍ତି ସହିତ କଥାବର୍ତ୍ତା କରିଛି, ତାରି ପାଖରେ ଢାଳିଛି ନିଷ୍ଫଳ ଅଶ୍ରୁ !

 

ଧୀରେ ଧୀରେ ନୌକା ବାହି ଫେରିବାକୁ ଲାଗିଲି—ଗାଧୋଇବା ଘାଟକୁ । ମଝିରେ ମଝିରେ ପାଲଟଣା ବନ୍ଦକରି ସ୍ୱପ୍ନାଚ୍ଛନ୍ନ ଭଳି ଚାହିଁ ରହିଲି ରୌଦ୍ରଦୀପ୍ତ ନୀଳସମୁଦ୍ରର ଶାନ୍ତ ଗଭୀର ଜଳରାଶିକୁ ।

 

ମୋର ଯେମିତି ମତିଭ୍ରମ ଘଟିଛି । ଦୁଇଦିନ ଆଗେ ମଧ୍ୟ ଏଭଳି ଘଟିଥିଲା । ଦେଖିଥିଲି—ଏମିଲିୟା ଖରାରେ ଶୋଇ ରହିଛି ଆଉ ମୁଁ ତାର ଚୁମ୍ୱନ କରୁଛି । କିନ୍ତୁ ପ୍ରକୃତରେ ମୁଁ ତା ପାଖରୁ ଦୂରରେ ଥିଲି...ଟିକିଏ ବି ତା ପାଖକୁ ଆଗେଇନି, ଆଜିକାର ଏହି ଭ୍ରମଟା ଆହୁରି ସ୍ପଷ୍ଟ-। ନା—ନା, ଏ କେବଳ ଭ୍ରମଛଡ଼ା ଆଉ କିଛି ନୁହେଁ । ସ୍ୱପ୍ନ–ସଙ୍ଗିନୀ ସହିତ ମୁଁ ଆଳାପ କରୁଛି, ଏମିଲିୟାକୁ ଯାହା କହିବାକୁ ଚାହିଁଛି ତାକୁ କହିଛି ସେ ସବୁ; ଏମିଲିୟା ପାଖରୁ ଯାହା ଶୁଣିବାର କଳ୍ପନା କରିଛି—ତାହା ଶୁଣିଛି; ତାକୁ ଯେମିତି କଳ୍ପନା କରିଛି ସେହି ରୂପରେ ଦେଖିଛି-। ଅସ୍ୱାଭାବିକ, ତୁଳନାହୀନ ଏହି ମାୟାରେ ତିଳେହେଲେ ବିସ୍ମିତ ହୋଇନାହିଁ । କିନ୍ତୁ ବର୍ତ୍ତମାନ ଯାଏ, ସେ ମାୟାଜାଲ କଟିନାହିଁ । ଭାବିବାକୁ ଲାଗିଲି—ଏ ସମ୍ଭବ କି ନୁହେଁ । ସେହି ଦୃଶ୍ୟର କଳ୍ପନାରେ ଆନନ୍ଦ ଓ ତୃପ୍ତି ବୋଧ କଲି ।

 

ନୌକା ଉପରେ ବସି ରହିଛି...କି ଅପରୂପ ଲାବଣ୍ୟମୟୀ ସେ ଦେଖା ଯାଉନାହିଁ...ତାର ମୁହଁର ଉଦ୍ଧତ ଭାବ ଆଉ ନାହିଁ—ସେ ପ୍ରେମମୟୀ....ମଧୁର ତାର କଣ୍ଠସ୍ୱର...ମୁଁ ତାକୁ ଜଣେଇଛି ମୋର ମିଳନ—କାମନା...ସେ ପ୍ରସ୍ତାବରେ ସେ ସମ୍ମତି ଜ୍ଞାପନ କରିଛି...ତାକୁ ଦେଖି ଚଞ୍ଚଳ ହୋଇଛି ମୋର ମନ...ଇନ୍ଦ୍ରିୟସମ୍ଭୋଗ ସ୍ୱପ୍ନ ଦେଖି ମଣିଷ ଯେପରି ନିଦରୁ ଜାଗି ଉଠେ, ସେ କଳ୍ପନାରେ ପୁଲକାବିଷ୍ଟ ହୋଇପଡ଼େ ସେହିପରି ମୋର ମନେହେଲା—ଏ ମାୟା ନୁହେଁ, ସତ୍ୟ । ମନର ଆନନ୍ଦରେ ସ୍ମରଣ କଲି ସେ ଦୃଶ୍ୟ । ହେଉ ସେ ସ୍ୱପ୍ନ, ମୋ ପାଖରେ ଏହି ଘଟଣା ବାସ୍ତବ ।

 

ଅଶ୍ରାନ୍ତ, ଅନାବିଳ, ଅନିର୍ବଚନୀୟ ତୃପ୍ତିରେ ରୋମନ୍ଥନ କରିବାକୁ ଲାଗିଲି ଘଟଣାଟି । ଇୟେ ଯେମିତି ମୋ ମନର ଗୋପନ ଆକାଂକ୍ଷାର ହିଁ ପ୍ରତୀକ !

 

ମୁଁ ଶୋଇ ପଡ଼ିଥିଲି—ନିଦରେ ଏମିଲିୟା ସହିତ ଆଳାପ କରୁଥିଲି, ହାତ ଧରିବାକୁ ଚାହିଁଥିଲି, କିନ୍ତୁ ତାକୁ ଦେଖି ନ ପାରି ମୂର୍ଚ୍ଛିତ ହୋଇ ପଡ଼ିଥିଲି ।

 

ପୁଣି ଭାବି ଦେଖିଲି....ହୁଏତ ସବୁଯାକ ସ୍ୱପ୍ନ ଛଡ଼ା ଆଉ କିଛି ନୁହେଁ । ସ୍ୱପ୍ନ ଓ ବାସ୍ତବରେ ସୀମାରେଖାର ନିର୍ଦ୍ଧାରଣ କରିବା ପ୍ରାୟ ଅସମ୍ଭବ ମନେ ହେଲା ।...ଗୁହାରେ ଶୋଇ ପଡ଼ିଥିଲି । ମୁଁ କଣ ସ୍ୱପ୍ନ ଦେଖିଥିଲି...ରକ୍ତମାଂସରେ ଗଢ଼ା ଏମିଲିୟାକୁ ? ମୁଁ କଣ ଦେଖିଥିଲି—ଏମିଲିୟାର ପ୍ରେତାତ୍ମା ମୋ ପାଖକୁ ଆସିଛି, ନା ସ୍ୱପ୍ନ ଦେଖିବାର ସ୍ୱପ୍ନ ଦେଖିଥିଲି ?

 

ବାରମ୍ୱାର ଭାବିବାକୁ ଲାଗିଲି—ମୁଁ କଣ ସ୍ୱପ୍ନ ଦେଖିଛି, ନା ମାୟାରେ ବିଭ୍ରାନ୍ତ ହୋଇ ପଡ଼ିଛି ? ନା, ଏ ରହସ୍ୟର ସମାଧାନ କେବେହେଲେ କରି ପାରିବି ନାହିଁ ।

 

ଗାଧୋଇବା ଘାଟରେ ନୌକା ବାନ୍ଧି ଦେଇ କୂଳକୁ ଉଠି ପୋଷାକ ପରିବର୍ତ୍ତନ କରିବାକୁ ଲାଗିଲି । ତା ପରେ ରାସ୍ତାକୁ ଆସି ପୁଣି ବସରେ ଉଠିଲି । ଅବିଳମ୍ୱେ ଘରକୁ ଫେରି ଆସିବାର ଇଚ୍ଛା ହେଲା । କାହିଁକି ଜାଣେନା, ମନରେ ଦୃଢ଼ ଧାରଣା ହେଲା ଯେ—ଘରକୁ ଫେରିଲେହିଁ ଏ ରହସ୍ୟର ସମାଧାନ ହେବ । ତା ଛଡ଼ା ଏ ଯାଏ ଖିଆ ହୋଇନାହିଁ, ଖିଆପିଆ ସାରି ମାଲପତ୍ର ବନ୍ଧାବନ୍ଧି କରି ନଅଟାର ଷ୍ଟିମର ଧରିବି । ଅନେକ ବିଳମ୍ୱ କରି ପକାଇଛି ! ଅଳ୍ପ ସମୟ ଭିତରେ ପ୍ରମୋଦ ପ୍ରସାଦକୁ ଫେରି ଆସିଲି ।

 

ଡାଇନିଂ ହଲ୍‌ ନିର୍ଜନ, କିନ୍ତୁ ଟେବୁଲଟି ବେଶ୍‌ ସଜ୍ଜିତ । ଟେବୁଲ ଉପର ପ୍ଲେଟ ପାଖରେ ଗୋଟାଏ ଟେଲିଗ୍ରାମ । ବିନା ଦ୍ୱିଧାରେ ବିରକ୍ତି ସହକାରେ ହଳଦିଆ ଲଫାଫାଟି ଖୋଲିଲି । ତଳେ ମି: ବାତ୍ତିସତାଙ୍କର ନାମ ଲେଖା ରହିଥିବା ଦେଖି ଅବାକ୍‌ ହୋଇ ପଡ଼ିଲି । କାହିଁକି ଜାଣେନା, ମନରେ ସୁସବାଦର ଆଶା ଜାଗିଉଠିଲା । ଟେଲିଗ୍ରାମଟି ପଢ଼ିଲି ‘‘ଦୁର୍ଘଟଣାରେ ଆହତ ଏମିଲିୟାର ଅବସ୍ଥା ସଙ୍କଟ ଜନକ...ବାତ୍ତିସତା ।’’

 

ଶିରାର ରକ୍ତ ମୁଣ୍ଡ ଉପରକୁ ଚଢ଼ିଗଲା ।

 

କ୍ୟାପ୍ରିରୁ ଯିବାର ଆୟୋଜନ ପର୍ବ ସମ୍ୱନ୍ଧରେ କିଛି କହିବା ଅବାନ୍ତର...ସେଦିନ ଉପରବେଳା ନେପଲ୍‌ସକୁ ଯାଇ ଜାଣିପାରିଲି ଯେ...ମୋଟର ଦୁର୍ଘଟଣାରେ ଏମିଲିୟାର ମୃତ୍ୟୁ ହୋଇଛି । ବିଚିତ୍ର ତାର ମୃତ୍ୟୁ । ବୁକୁଉପରେ ଚିବୁକ ଥୋଇ ମୁଣ୍ଡ ତଳକୁ ପୋତି ସେ ଶୋଇ ପଡ଼ିଥିଲା ଅନନ୍ତ ନିଦାରେ । ଯଥାରୀତି ମି: ବାତ୍ତିସତା ଗାଡ଼ି ଚଳାଉ ଥିଲେ...ହଠାତ୍‌ ଆଗରେ ପଡ଼ିଲା ଗୋଟାଏ ବଳଦ ଗାଡ଼ି । ବାତ୍ତିସତା ଖୁବ୍‌ ଜୋରରେ ବ୍ରେକ୍‌ ଦବେଇ ଦେଲେ...ଧକ୍‌କା ପାଇ ଏମିଲିୟା ଥରୁଟେ ଆଗକୁ ଝୁଙ୍କି ପଡ଼ିଲା । ଗାଡ଼ିବାଲା ସହିତ ଗାଳି ତକରାଳ ପରେ ବାତ୍ତିସତା ପୁନରାୟ ଗାଡ଼ି ଚଳେଇଲେ । କିନ୍ତୁ ଏମିଲିୟା କୌଣସି କଥା କହିଲାନାହିଁ, ବାତ୍ତିସତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଲାନାହିଁ ।

 

ଗାଡ଼ିଟା ବାଙ୍କରେ ବୁଲିବା ମାତ୍ରକେ, ଏମିଲିୟା ବାତ୍ତିସତାଙ୍କର ଦେହ ଉପରେ ଢଳିପଡ଼ିଲା । ଗାଡ଼ି ଅଟକେଇ ବାତ୍ତିସତା ଦେଖିଲେ—ଦେହ ନିଷ୍ପ୍ରାଣ । ହଠାତ୍‌ ବ୍ରେକ ଦେବାଫଳରେ ପ୍ରଚଣ୍ଡ ଭାବରେ ଆଗକୁ ଟଳିପଡ଼ି ଏମିଲିୟାର ମେରୁଦଣ୍ଡର ଶିରା ଛିଣ୍ଡିପଡ଼େ । ଶୋଇବା ଅବସ୍ଥାରେ ହିଁ ଶେଷ ନିଶ୍ୱାସ ତ୍ୟାଗକରେ ଏମିଲିୟା ।

 

ଅସହ୍ୟ ଗରମ—ଶୋକ ଅତ୍ୟନ୍ତ ପୀଡ଼ାଦାୟକ; କାହିଁକି ନା ଶୋକ ଚାହେଁ....ମନରେ ଏକାଧିପତ୍ୟ ବିସ୍ତାର କରିବ, ଅନ୍ୟ କୌଣସି ଭାବ ସହିତ ସେ ପ୍ରତିଦ୍ୱନ୍ଦିତା କରିବାକୁ ଚାହେଁନା ।

 

ମେଘାଚ୍ଛନ୍ନ ଆକାଶରେ ନିଥର ପରିବେଶ ଭିତରେ ଶେଷହେଲା ଏମିଲିୟାର ଅନ୍ତେଷ୍ଟିକ୍ରୀୟା ।

 

ସନ୍ଧ୍ୟାରେ ଘରକୁ ଫେରି ଦରଜାଟି ବନ୍ଦ କରିଦେଲି । ଆଜି ମନେହେଲା ଏ ଘରଟି ଚିରକାଳ ପାଇଁ ଅପ୍ରୟୋଜନୀୟ ।

 

ସତରେ ଏମିଲିୟା ନାହିଁ, ସେ ଏହି ପୃଥିବୀର ମାୟା କାଟିଦେଇ ଚାଲି ଯାଇଛି, ତାକୁ ଏ ଜବୀନରେ କେଉଁଠି ହେଲେ ଆଉ ଖୋଜି ପାଇବି ନାହିଁ । ବାହାରେ ଟିକିଏ ହେଲେ ପବନ ନାହିଁ । ତଥାପି ଝରକା ଗୁଡ଼ିକ ଖୋଲିଦେଇ ଘର ଭିତରେ ପଦ ଚାରଣ କରିବାକୁ ଲାଗିଲି । ନିଃଶବ୍ଦ ନିସ୍ତବ୍‌ଧ ପ୍ରକୃତି । ଯେମିତି ଶ୍ୱାସରୋଧ ହୋଇଯିବ ।

 

ପାଖ ଘରଗୁଡ଼ିକର ଖୋଲା ଝରାକା ଦେଇ ଉଜ୍ଜ୍ୱଳ ଆଲୋକ ଆସି ଘର ଭିତରେ ଆସି ପଡ଼ିଲା । ପ୍ରତିଘରେ ବହୁମଣିଷ ବ୍ୟସ୍ତଭାବରେ ଯିବାଆସିବା କରୁଛନ୍ତି, ମାତି ରହିଛନ୍ତି । ଆନନ୍ଦରେ । ଚଞ୍ଚଳ, ଉନ୍ମାଦ ହୋଇଉଠିଲା ମୋର ମନ । କଳ୍ପନାରେ ଭାସି ଉଠିଲା ଗୋଟାଏ ଜଗତ—ଯେଉଁଠି ଲୋକ ଭୁଲ ନବୁଝି କେବଳ ଭଲପାଏ, ବିନିମୟରେ ପାଏ ପ୍ରେମ, ସୋହାଗ, ସ୍ନେହ ସବୁକିଛି, ନିରବଚ୍ଛିନ୍ନ ଶାନ୍ତି ଓ ସୁଖମୟ ଜୀବନ ଯାପନ କରେ, ଆଉ ସେହି ଜଗତରୁ ମୁଁ ହୋଇଛି ଚିର ନିର୍ବାସିତ । ପୁଣି ସେହି ଜଗତରେ ପ୍ରବେଶ କରିବାକୁ ହେଲେ ଲୋଡ଼ା—ଏମିଲିୟାର ଉତ୍ତର, ମୋର ନିର୍ଦୋଷିତା ସମ୍ୱନ୍ଧରେ ଅବିଚଳ ବିଶ୍ୱାସ, ଆଉ ଲୋଡ଼ା—ଅଲୌକିକ ପ୍ରେମ । ସେ ପ୍ରେମ କେବଳ ଆମରି ପ୍ରାଣରେ ଜଗେଇ ତୋଳିଲେ ହେବନାହିଁ—ଜଗାଇବା ପାଇଁ ହେବ ଅପରର ପ୍ରାଣରେ । କିନ୍ତୁ ତାହାତ ଆଉ ସମ୍ଭବ ନୁହେଁ ।

 

ଭାବିଲି—ଏମିଲିୟାର ମୃତ୍ୟୁ ମୋ ପ୍ରତି ତାର ଚରମ ଶତ୍ରୁତାରହିଁ ନିଦର୍ଶନ । ...ମୁଁ ଯେମିତି ପାଗଳ ହୋଇଯିବି...ଯେମିତି ଆଉ ବଞ୍ଚି ପାରିବି ନାହିଁ ।

 

କିନ୍ତୁ ବଞ୍ଚି ରହିଲି... ।

 

ତା ଆରଦିନ ପୁଣି ସୁଟକେଶଟି ହାତରେ ଧରି ବାହାରକୁ ଆସି ଘରର ଦୁଆରରେ ତାଲା ଲଗେଇଲି । ଦରୁଆନ ହାତରେ ଚାବିଟି ଦେଇ କହିଲି କିଛି ଦିନ ବୁଲିଆସିଲା ପରେ ଘରଟି ଛାଡ଼ିଦେବି ।....

 

କ୍ୟାପ୍ରିକୁ ପୁନରାୟ ଫେରିଆସିଲି । ଯେଉଁଠି ଏମିଲିୟା ମୋତେ ଶେଷଥର ପାଇଁ ଦେଖା ଦେଇଥିଲା ହୁଏତ ସେଇଠି ବା ଅନ୍ୟ କେଉଁଠି ପୁନର୍ବାର ସେ ଦେଖା ପାଇପାରେ । ସେତେବେଳେ ତାକୁ କହିବି—କାହିଁକି ଘଟିଥିଲା ଏତେ ଘଟଣା, ପୁଣି ତାକୁ ନିବେଦନ କରିବି ମୋର ପ୍ରେମ, ସେ ଦେବ ମୋତେ ପ୍ରେମର ପ୍ରତିଶ୍ରୁତି ।

 

ଜାଣୁଥିଲି, ମୋର ଏ ଆକାଂକ୍ଷା ମଧ୍ୟ ଗୋଟାଏ ପାଗଳାମୀ ଛଡ଼ା ଆଉ କିଛିନୁହେଁ । ତେବେ ହଁ, ବାସ୍ତବ ଓ ମାୟା ପ୍ରତି ସମାନ ଆକର୍ଷଣରେ ଏଭଳି ଯୁକ୍ତିପୂର୍ଣ୍ଣ ଉନ୍ମାଦନା ଆଉ କେବେହେଲେ ଜାଗିନାହିଁ ।

 

ନିଦ୍ରା ବା ଜାଗରଣରେ ଏମିଲିୟା ସହିତ ମୋର ଆଉ ଦେଖା ହୋଇନାହିଁ । କିନ୍ତୁ ସେ ଯେତେବେଳେ ମୋତେ ଶେଷଥର ପାଇଁ ଦେଖାକରେ—ସେହି ସମୟ ସହିତ ତାର ମୃତ୍ୟୁ ସମୟର କୌଣସି ସାମଞ୍ଜସ୍ୟ ନ ଥିଲା । ଯେତେବେଳେ ଏମିଲିୟାକୁ ନୌକାର ମଙ୍ଗ ଉପରେ ଦେଖିଥିଲି ସେତେବେଳେ ଯାଏ ସେ ଜୀବିତ ଥିଲା, ଯେତେବେଳେ ମୁଁ ମୂର୍ଚ୍ଛିତ ହୋଇ ବାଲି ଉପରେ ପଡ଼ି ଯାଇଥିଲି, ସେତିକି ବେଳକୁ ହୁଏତ ତାର ମୃତ୍ୟୁ ହୋଇଛି । ସୁତରାଂ ତାର ମୃତ୍ୟୁ ଓ ଜୀବନରେ ପ୍ରକୃତପକ୍ଷରେ କୌଣସି ସଙ୍ଗତି ନ ଥିଲା । କେବେହେଲେ ଜାଣି ପାରିବି ନାହିଁ କଣ ହୋଇଛି ଏମିଲିୟା—ପ୍ରେତ, ମାୟା, ସ୍ୱପ୍ନ ନା ଆଉ କିଛି । ଯେଉଁ ଅନିଶ୍ଚୟତା ଜୀବନରେ ଆମର ସମ୍ପର୍କ ବିଷମୟ କରିଥିଲା, ଏମିଲିୟାର ମୃତ୍ୟୁପରେ ମଧ୍ୟ ତାହା ରହି ଯାଇଛି ।

 

ଏମିଲିୟାକୁ ପୁନରାୟ ଦେଖିବାର ଆକାଂକ୍ଷାରେ ଯେଉଁଠି ତାକୁ ଶେଷଥର ପାଇଁ ଦେଖିଥିଲି ସେ ଜାଗାଗୁଡ଼ିକ ଦର୍ଶନ କରିବା ଆକୁଳତାରେ ଦିନେ ପ୍ରମୋଦ–ପ୍ରାସାଦ ତଳର ସୈକତବେଳାରେ ପହଞ୍ଚିଲି...ଯେଉଁଠି ତାକୁ ନଗ୍ନ ଅବସ୍ଥାରେ ଶୋଇଥିବାର ଦେଖିଥିଲି, ଚୁମ୍ୱନ କରିଥିବାର ସ୍ୱପ୍ନ ଦେଖିଥିଲି ।

 

ନିର୍ଜନ ବେଳାଭୂମି ।

 

ପ୍ରସ୍ତର ସ୍ତୁପ ଭିତରେ ଚାହିଁଲି—ହାସ୍ୟମୟ ଅନନ୍ତବିସ୍ତୃତ ନୀଳ ସମୁଦ୍ର ଆଡ଼କୁ । ମନେପଡ଼ିଲା ଓଡ଼ିସିର କଥା । ଇଉଲିସିସ ଓ ପେନିଲୋପ ଭଳି ମୋର ପ୍ରାଣାଧିକା ଏମିଲିୟା ହୁଏତ ଚିର ବିଶ୍ରାମ ସୁଖ ଉପଭୋଗ କରୁଛି—ବିଶାଳ ଜଳଧିର ବୁକୁରେ ଲୀନ ହୋଇଯାଇଛି...ମିଶିଯାଇଛି ଅନନ୍ତକାଳ ସହିତ ।

 

ଏମିଲିୟାକୁ ପୁନରାୟ ଖୋଜିନେବା ଓ ନିଶ୍ଚିନ୍ତରେ ବାତ୍ତିସତା ସହିତ ଆଳାପ ଆଲୋଚନା କରିବା ନିର୍ଭର କରୁଛି ମୋ ଉପରେ—ସ୍ୱପ୍ନ ବା ପ୍ରେତ ଉପରେ ନୁହେଁ । ପୁନରାୟ ତାର ଦର୍ଶନ ପାଇଲେ ତ ସେ ମୋ ପାଖରୁ ମୁକ୍ତି ପାଇବ, ମୋର ଆବେଗର ଗଣ୍ଡି ପରିତ୍ୟାଗ କରି ଚାଲି ଯାଇ ପାରିବ । ସାନ୍ତ୍ୱନା ଓ ସୌନ୍ଦର୍ଯ୍ୟର ପ୍ରତିମା ଭଳି ଅପଲକ ଦୃଷ୍ଟିରେ ମୋର ମୁହଁକୁ ଚାହିଁ ରହିବ ଚିରଦିନ । ତେଣୁ ମୋର ଇଚ୍ଛାଶକ୍ତିରେ ବିଜୟ ଲାଭ କରିବା ଆଶାରେ ଏହି ସ୍ମୃତିର ଅବତତାରଣା କରିବା ପାଇଁ ସ୍ଥିର କରି ନେଇଛି ।

Image